Unknown

 

 

 

 

 

 

 

 

 

 

ରୋହିତର ଡାଏରୀ

(ପଞ୍ଚମ ପର୍ବ)

ଚିତ୍ତରଞ୍ଜନ ଦାସ

 

 

 

 

 

 

 

 

 

ଶ୍ରୀଯୁକ୍ତ ରାଲ୍‌ଫ୍ ରିଚାର୍ଡ଼ କଇଥାନ୍‌ଙ୍କୁ—

ଯାହାଙ୍କ ପରିଚୟରେ ଆସି ମୁଁ

ନିଜ ଜୀବନର ବହୁ ବାତାୟନକୁ

ଖୋଲିଦେଇ ପାରିଥିଲି ।

 

—ଶ୍ରୀ ରାଲ୍‌ଫ୍ ରିଚାର୍ଡ଼୍ କଇଥାନ୍ ଆମେରିକାରୁ ଭାରତକୁ ପାଦ୍ରୀ ହୋଇ ଆସିଥିଲେ । ମହାତ୍ମା ଗାନ୍ଧୀଙ୍କର ପ୍ରେରଣା ମଧ୍ୟରେ ସିଏ ଯୀଶୁଖ୍ରୀଷ୍ଟଙ୍କୁ ଅନୁଭବ କରିଥିଲେ ଓ ତାଙ୍କରି ମାର୍ଗକୁ ଆଦରି ନେଲେ । ‘ଭାରତ ଛାଡ଼’ ଆନ୍ଦୋଳନ ସମୟରେ ବ୍ରିଟିଶ୍ ସରକାର ତାଙ୍କୁ ଜବରଦସ୍ତି ଆମେରିକା ପଠାଇ ଦେଇଥିଲା । ସ୍ଵାଧୀନତା ପରେ ସିଏ ପୁଣି ଭାରତବର୍ଷକୁ ଆସିଲେ ଏବଂ ମୃତ୍ୟୁ ପର୍ଯ୍ୟନ୍ତ ଏଇଠି କାର୍ଯ୍ୟ କରିଥିଲେ ।

 

ସେହି ‘ଭାରତ ଛାଡ଼’ ଆନ୍ଦୋଳନ ବେଳେ ହିଁ ମୁଁ ତାଙ୍କର ପରିଚୟରେ ଆସିଥିଲି । ସେହି ପରିଚୟ ଜୀବନଯାକ ରହିଲା । ଅଧିକରୁ ଅଧିକ ନିବିଡ଼ ହେଲା । ତାଙ୍କୁ ମୁଁ ‘ଅନ୍ମନ୍’ ବୋଲି ଡାକୁଥିଲି । ତାମିଲ ଭାଷାରେ ଅନ୍ମନ୍ ଶବ୍ଦର ଅର୍ଥ ବଡ଼ଭାଇ ।

 

ପ୍ରାୟ ତିନିବର୍ଷ ତଳେ ନବେ ବର୍ଷ ବୟସରେ ଅନ୍ମନ୍ ସଂସାରୀ ଛାଡ଼ିଲେ । ମୋ’ ଜୀବନର ଘରେ ଚିରଦିନ ଲାଗି ଏକ ବାତାୟନ ହୋଇ ରହିଗଲେ ।

 

୧୯୫୯

୨ । ୮ । ୫୯

 

ବେଳେବେଳେ ବାରମ୍ବାର ପଛକୁ ଅନାଇବାକୁ ଇଚ୍ଛା ହୁଏ । ଆପେ ଅତିକ୍ରମ କରି ଆସିଥିବା ପଥ ଉପରେ ପୁଣି ଦୃଷ୍ଟିପାତ କରିବାକୁ ଇଚ୍ଛା ହୁଏ ନାନା ସୁଖଦୁଃଖ, ଆଲୋକ ଓ ଅନ୍ଧାର, ଜ୍ଞାନ ଓ ନିର୍ବାଧତାର ଅନୁଭୂତିରେ ରଞ୍ଜିତ ହେଇ ରହିଥିବା ଏହି ଅତୀତର ଚିହ୍ନା ବାଟଟି ମୋତେ ସତେଅବା ସଜଳ ପ୍ରସନ୍ନ ଆଖିରେ ଅନାଇ ରହିଥାଏ । ମୁଁ ଯେତେ ଜାଗାରେ ଝୁଣ୍ଟିଚି, ପଡ଼ିଚି, ଯେତେ ଜାଗାରେ ବାଟ ଭୁଲି ପୁଣି ବାଟକୁ ଫେରିଆସିଚି, ସବୁଗୁଡ଼ିକୁ ଯେପରି ଆପଣା ଜୀବନର ଗୋଟିଏ ତୀର୍ଥପରି ମନେହୁଏ । ଆପଣା ଜୀବନର crossକୁ ବହନ କରି ଆସିଥିବା ଏହି ପଥଟିକୁ ଭାରି ପୂଣ୍ୟମୟ ଓ ପବିତ୍ର ବୋଧହୁଏ । ମୁଁ କଅଣ ହୋଇ ପାରିଥା’ନ୍ତି କିନ୍ତୁ ହୋଇପାରିଲେ ନାହିଁ ;-ସେଥିଲାଗି ମୋର ମନରେ ଆଦୌ କୌଣସି ଖେଦନାହିଁ । ମୁଁ ପ୍ରବଳ ହୋଇ ପାରଥା’ନ୍ତି କିନ୍ତୁ ଦୁର୍ବଳ ହୋଇପଡ଼ିଲି; ନିର୍ଭୁଲ ହୋଇ ବାଟ ଚାଲ ପାରିଥାନ୍ତି, କିନ୍ତୁ ଜୀବନରେ ଅନେକ ଭଲ କରି ପକାଇଲି;–ମୁଁ ତଥାପି ସେଥିଲାଗି କୌଣସି ହୀନତା ବା ଗ୍ଳାନି ଅନୁଭବ କରିବି ନାହିଁ । ଜୀବନରେ ଝୁଣ୍ଟି ନଥିଲେ ମୁଁ ଆପଣାକୁ ଦମ୍ଭ ଦେଇ ଶିଖିନଥା’ନ୍ତି, ଅମଡ଼ା ଓ ଅପରିଚିତ ବାଟରେ ଦୁଃସାହସ କରି ବାଉଳା ହୋଇ ଯାଇନଥିଲେ ବ୍ୟପାକତାରୁ ମୁଁ କୌଣସି ମାଧୁରୀ ଗ୍ରହଣ କରିବାର ସମର୍ଥତା ଅର୍ଜନ କରି ପାରିନଥା’ନ୍ତି, ନିଷିଦ୍ଧ ସୀମାକୁ ବାରବାର ଅତିକ୍ରମ କରିବାର ଅମାନିଆ ବୁଦ୍ଧି କରିନଥିଲେ ମୁଁ ମଣିଷ ତଥା ଜୀବନକୁ ବହୁ ବିଚିତ୍ର ଭାବରେ ବୁଝିବାର, ଚିହ୍ନିବାର ଓ ଭଲ ପାଇବାର ସୌଭାଗ୍ୟ ବି ପାଇ ନଥା’ନ୍ତି । ଆପାଣା ସହିତ ମଧ୍ୟ ମୋର ପରିଚୟ ବଡ଼ ଅଳ୍ପାୟତନ ଓ ଅପୂର୍ଣ୍ଣ ହୋଇ ରହି ଯାଇଥା’ନ୍ତା ।

 

୩ । ୮ । ୫୯

 

‘ଆପଣା ଛୁଟିଟାଯାକ ଏତେ କଷ୍ଟ ସହି ବାଟଚାଲି ବୁଲିଲେ ! ସେଥିରେ ଆପଣଙ୍କର କି ଲାଭ ହେଲା ?’ –କାଲି ଜଣେ ବୟୋଧିକ ବନ୍ଧୁ ମୋତେ ହଠାତ୍ ଏହି ପ୍ରଶ୍ନଟି ପଚାରିଲେ । କି ଉତ୍ତର ଦେଇ ମୁଁ ତାଙ୍କର ମନବୋଧ କରିପାରିବି ଠିକ୍ କରି ନପାରି ମୁଁ ନୀରବ ରହିଲି । କାରଣ ମୋର କି ଲାଭ ହେଲା, ତାହାକୁ ଏକ ଦୁଇ କରି ବୁଝାଇ ଦେବାର ଶକ୍ତି ମୋର ଏପର୍ଯ୍ୟନ୍ତ ହୋଇନାହିଁ । କିନ୍ତୁ ଲାଭ ଯେ ପ୍ରଭୂତ ହୋଇଚି, ସେ କଥା ମୁଁ ବେଶ୍ ଅନୁଭବ କରିପାରୁଚି । ବନ୍ଧୁଙ୍କର ହିସାବ ଅନୁସାରେ ମୁଁ ପ୍ରାୟ ଦୁଇମାସ ସମୟ ନଷ୍ଟ କଲି, ପ୍ରାୟ ତିନିଶହ ମାଇଲ ବାଟ ଚାଲିଲି । ଖିଆପିଆ ଓ ରହିବା ବିଷୟରେ ଅନେକ ଅନିୟମ କଲି । ତେଣୁ ଏସବୁ ଦ୍ଵାରା ଲାଭଟା ଯେ କ’ଣ ହେଲା, ସେଇଥିଲାଗି ସେ ସେକଥା ବୁଝି ପାରିଲେନାହିଁ । ଜୀବନରେ ମୁଁ ଯାହାକୁ ସବୁଠାରୁ ବଡ଼ ଶ୍ରେୟ ବା ବଡ଼ ଲାଭ ବୋଲି ଗ୍ରହଣ କରେ, ହୁଏତ ମୋ’ର ବନ୍ଧୁବର ସେଗୁଡ଼ାକୁ ଲାଭ ବୋଲି ଆଦୌ ସ୍ଵୀକାର କରିବେନାହିଁ । ମନୁଷ୍ୟର ଜୀବନରେ ଏସବୁର କୌଣସି ଆବଶ୍ୟକତା ରହିଚି ବୋଲି ସେ ବୁଝି ମଧ୍ୟ ପାରିବେନାହିଁ । ଏସବୁ ଦିଗକୁ ନଦେଖିବାକୁ ବା ଅନୁଭବ ନକରିବାକୁ ହୁଏତ ସେ ତାଙ୍କ ଆପଣା ଜୀବନରେ ମଝିରେ ଗୋଟାଏ ପଥରବାଡ଼ ପକାଇ ଦେଇଚନ୍ତି । ଦୁନିଆରେ ତଥାକଥିତ ଐହିକତାକୁ ହିଁ ସେ ଆପଣା ଜୀବନର ଜଞ୍ଜାଳସର୍ବସ୍ଵ ବୋଲି ଧରି ନେଇଚନ୍ତି । ପାଠ, ଜ୍ଞାନ, ବୁଦ୍ଧି, ଦୃଷ୍ଟି, ଧ୍ୟାନ ଓ ଶ୍ରଦ୍ଧା–ଯେପରି ଏହି ଜଞ୍ଜାଳଭିତରେ ଦଗ୍‌ଧ ହୋଇ କେବଳ ଖାର ହୋଇ ରହିଚି । ଅସନ୍ତୋଷର ପବନରେ ମଝିରେ ମଝିରେ ଏହି ଖାରକୁ ଉଚ୍ଚତର ଉଡ଼ାଇବା ବ୍ୟତୀତ ବୋଧହୁଏ ଜୀବନରେ ସେ ଆଉ ଅନ୍ୟକିଛି କରିବା ଜାଣି ନାହାନ୍ତି । ସବୁଠାରୁ ଅଧିକ ଆଚମ୍ବିତ କଥା ହେଉଚି ଯେ ବନ୍ଧୁ ହେଉଚନ୍ତି ଜଣେ ଇଂରାଜୀ-ଶିକ୍ଷକ, ଇଂରାଜୀରେ କବିତା ଓ ସାହିତ୍ୟ ପଢ଼ାଇବା ତାଙ୍କର କାମ ।

 

୪ । ୮ । ୫୯

 

ମୁଁ ତରତର ହେବିନାହିଁ । ସମୟ ଚାଲିଗଲା ବୋଲି ଭବିଭାବି ହାତରେ ଥିବା ସମୟର ମହତ୍ତ୍ଵ ଓ ମାଧୁରୀକୁ ନଷ୍ଟ କରି ଦେବିନାହିଁ । ଏତେ ସମୟ ଭିତରେ ମୁଁ ଏତେ କାମ କରିଥାନ୍ତା, କିନ୍ତୁ କରି ପାରିଲିନାହିଁ–ଏହି ଗ୍ଲାନିର ଅଳସ ଚିନ୍ତାରେ ମୁଁ ମୋର ଅର୍ଚ୍ଚନା ଓ ଆରାଧନାରେ ଯାବତୀୟ ମନୋଭୂମିକୁ ଉତ୍ପୀଡ଼ିତ କରି ରଖିବିନାହିଁ । ମୁଁ ସବୁ କରି ଯାଉଥିବି, ତଥାପି ମୁଁ କେତେବେଳେ କୌଣସି କାମ କରୁଚି ବୋଲି ମନେ ହେଉନଥିବ । ମୋର କାମ, ମୋର ପ୍ରତିଦିନରେ କାର୍ଯ୍ୟକ୍ରମ ସୁସ୍ଥରେ ସ୍ଵାଭାବିକ ଭାବରେ ସମ୍ପନ୍ନ ହୋଇ ଯାଉଥିବ । କାମ କର୍ମଲିପ୍ତତାକୁ କେବଳ ସାଧନରୂପେ ଗ୍ରହଣ କରି ପାରିଲେ ବୋଧହୁଏ ଏହି ସ୍ଥିରତା ଓ ସ୍ଵାଭାବିକତା ଆସିପାରିବ । କିନ୍ତୁ ସାଧନ କେଉଁଥିପାଇଁ ? କର୍ମର ବନ୍ଧନକୁ ମୁକ୍ତିଲାଭ କରିବା ପାଇଁ, ସକଳ କର୍ମର ଅଧିଷ୍ଠାତା ଓ ଅଧୀଶ୍ଵର ପାଖରେ କର୍ମ ଜରିଆରେ ମୋର ସକଳ ଜୀବନକୁ ସମର୍ପିତ କରିଦେଇ ଖୁସୀ ହେବାପାଇଁ । ଭିତରେ ଶାନ୍ତ ହୋଇ ରହିବାର, ଶାନ୍ତ ହୋଇ ଦେଖିବାର ଏବଂ ଶାନ୍ତ ହୋଇ ଅନୁଭବ ଓ ଗ୍ରହଣ କରିବାର ବିଦ୍ୟାକୁ ଆପଣାର ଜୀବନବିଦ୍ୟାରେ ପରିଣତ କରିବାପାଇଁ । ଏହାହିଁ ହେଉଚି କର୍ମ କରିବାର ଓ କର୍ମ ଦେଇ ଚିହ୍ନିବାର ସମ୍ପୂର୍ଣ୍ଣ ସୂତ୍ର ।

 

୫ । ୮ । ୫୯

 

କାଲି ବୃଷ୍ଟିର ଟପ୍‍ଟପ୍‍ ଶବ୍ଦ ଶୁଣୁଶୁଣୁ କେତେବେଳେ ନିଦରେ ଶୋଇପଡ଼ିଲି, ମୁଁ କିଛି ଜାଣିନାହିଁ । ଠିକ୍ ଶୋଇବାକୁ ଗଲାବେଳକୁ ଆକାଶ ଅନ୍ଧାର କରି ମେଘ ଆସିଲା ଓ ସଙ୍ଗେ ସଙ୍ଗେ ବାରିପାତ ଆରମ୍ଭ ହୋଇଗଲା । ଶୋଇବି ବୋଲି ବିଛଣା ପକାଉ ପକାଉ ମୋର ଅଧେ ଧ୍ୟାନ ଯେପରି ବୃଷ୍ଟିର ହୋଇ ଯାଇଥିଲା । ଖାଲି ବୃଷ୍ଟିର ନୁହେଁ,ଏହି ଅନ୍ଧକାରମୟ ରାତ୍ରିର, ନୀରବ ଅଥଚ ନିଶ୍ଚିତଭାବରେ ଖସି ପଡ଼ୁଥିବା ବୃଷ୍ଟିବିନ୍ଦୁର, ବାହାରେ ଚୁପ୍‍ ହୋଇ ଶୋଇ ରହିଥିବା ବା ପାତ୍ର ପତାଇ ଦେଇଥିବା ପୃଥିବୀର ଏବଂ ନିଦର । ଶୋଇଲାବେଳେ କୌଣସି ଶବ୍ଦ ଆସିଲେ ମଣିଷ ଅନ୍ୟମନସ୍କ ହୋଇଯାଏ, ତା’ର ନିଦ ଭାଙ୍ଗିଯାଏ । କିନ୍ତୁ ବୃଷ୍ଟିପାତର ଶବ୍ଦ ଯେପରି ଅନ୍ତରଭିତରର ସବୁ ଚାଞ୍ଚଲ୍ୟକୁ ଶାନ୍ତ କରି ଦେଇଯାଏ ମନଭିତରେ ତଥାପି ଅସଜଡ଼ା ଓ ଏଣେତେଣେ ହୋଇ ପଡ଼ିଥିବା ବିଚାର ସ୍ପନ୍ଦନଗୁଡ଼ିକୁ ଏକାଠି ଗୋଟିଏ ଗୋଛାରେ ସଜାଡ଼ି ଦେଇଯାଏ, ପ୍ରତ୍ୟେକ ସ୍ଥାନରେ ପ୍ରତ୍ୟେକ ଦହନ ଓ ଜ୍ଵାଳାକୁ ଶାନ୍ତି କରି ଦେଇଯାଏ । ରାତିରେ ଏଇ ବର୍ଷା ପଡ଼ିବାର ଶବ୍ଦ ସହିତ ନିଦର, ଶାନ୍ତିର ଓ ନିରବ ହୋଇ ଯିବାର କି ଅନ୍ତରଙ୍ଗ ସମ୍ବନ୍ଧ ରହିଛି କେଜାଣି ? କାଲି ଠିକ୍ ସେହିପରି ହେଲା । ବାହାରେ ପଡ଼ୁଥିବା ପ୍ରାୟ ପ୍ରତ୍ୟେକଟି ଶବ୍ଦକୁ ବାରୁବାରୁ ମୁଁ ଆପେଆପେ ଚୁପ୍ ହୋଇଆସିଲି, ମସ୍ତିଷ୍କର ଯନ୍ତ୍ର ଆପେଆପେ ବନ୍ଦ ହୋଇଗଲା, ଦିନମାନର ସବୁ ଚଢ଼େଇ ଯେପରି ସମୟ ଜାଣି ଆପଣାର ନୀଡ଼ାଶ୍ରୟକୁ ବାହୁଡ଼ି ଆସିଲେ,-ସବୁ ପରିପୂର୍ଣ୍ଣ ହୋଇଗଲା । ମନଭିତରେ ଏହିପରି ଶାନ୍ତିର ଆସ୍ଥାନ ତିଆରି ହେଉଥିଲା ବେଳେ ଆଉ ବିଶଷେ କରି କାହିଁକି ପ୍ରାର୍ଥନା କରାଯିବା ଉଚିତ, ମୁଁ ସେକଥା ବୁଝି ପାରିଲି ନାହିଁ । ଏପରି ଏକ ଶାନ୍ତ ମୁହୂର୍ତ୍ତରେ ଭଗବାନଙ୍କ ପାଇ ଅଲଗା ବେଳ ଓ ଅଲଗା ଆଚାର ବାଢ଼ି ବସିଲେ ତାହା ଅତି କୃତ୍ରିମ ହୋଇଯିବ । ଯେଉଁ ଶବ୍ଦ, ଯେଉଁ ଶାନ୍ତି ଓ ନିସ୍ତବଧ୍‌ତା ଆସି ଦୁଆରପାଖରେ ଉପସ୍ଥିତ ହୋଇଚି, କୌଣସି ପ୍ରକାରେ ଆତ୍ମସଚେତନ ନହୋଇ ଖାଲି ଚୁପ୍ କରି ତାହାରି ପାଇଁ ଆପଣା ଅନ୍ତରର ଦୁଆରଟି ଖୋଲିଦେଲେ ତାହାହିଁ ସହସ୍ର ପ୍ରାର୍ଥନାର ଆବଶ୍ୟକତା ପୂର୍ଣ୍ଣ କରିବ, ଯେ କୌଣସି ନିର୍ଘଣ୍ଟିତ ପ୍ରାର୍ଥନାଠାରୁ ଏକ ଅଧିକ ଉପାଦେୟ ଭେଷଜ ପରି କାମ କରିବ ।

 

୬ । ୮ । ୫୯

 

ଜୀବନ ବଞ୍ଚିବାଟା ହିଁ ଗୋଟିଏ ପ୍ରଧାନ ଯୋଗ୍ୟତା, ଗୋଟାଏ ପ୍ରଧାନ କଳା । ଯେକୌଣସି ପ୍ରକାରେ ବଞ୍ଚିରହିବାକୁ ମୁଁ ଅବଶ୍ୟ ଜୀବନ ବଞ୍ଚିବା ବୋଲି କହିବିନାହିଁ । ଯିଏ ପ୍ରତ୍ୟେକ ମୁହୂର୍ତ୍ତ ଓ ପ୍ରତ୍ୟେକ କାର୍ଯ୍ୟରୁ ଖୁସି ଆହରଣ କରି ପାରୁଥିବ, ପ୍ରତ୍ୟେକ କର୍ମ–ଓ ସମ୍ବନ୍ଧ କ୍ଷେତ୍ରରେ ଯିଏ ଅତ୍ୟନ୍ତ ଅକୃତିମ ଭାବରେ ଖୁସୀ ଦେଇ ପାରୁଥିବା, ଜଞ୍ଜାଳର ଉପରସ୍ତରରୁ କେବଳ ସେଇ ଜୀବନର ଗଭୀର ସ୍ତରକୁ ଭେଦିପାରିଚି ବୋଲି କୁହାଯାଇ ପାରିବ । ନାନା ସମୟରେ ନାନାପ୍ରକାର ମୋହ ଓ ଗ୍ଳାନି ଆମକୁ ଜୀବନର ଅସଲ ସାରର ସନ୍ଧାନ କରିବାକୁ ବିତୃଷ୍ଣ କରି ରଖେ, ବିତୃଷ୍ଣ ହୋଇ ଆମେ ଜୀବନ ଭିତରୁ ଗୋଟିଏ ହେଲେ ରସବିନ୍ଦୁର ଆସ୍ଵାଦନ ଲଭ କରି ପାରୁନାହିଁ । ଦିନପରେ ଦିନ କଟିଯାଏ, ଆମେ ତଥାପି ନିଜ ଭିତରୁ କୌଣସି ଶାନ୍ତି ବା ସୁଖ ଅନୁଭବ କରି ପାରୁନାହିଁ । ବଡ଼ ହେବାର ମୋହ ଆମକୁ ଯେତିକି ଉତ୍ତପ୍ତ କରି ରଖେ, ନିଜକୁ ଛୋଟ ବୋଲି ମନେ କରିବାର ଗ୍ଳାନି ମଧ୍ୟ ଆମକୁ ସେତିକି ସନ୍ତପ୍ତ କରିପକାଏ । ବଡ଼ ହେବାଲାଗି ଆମେ ଦେହକୁ ସଜାଉ, ଜ୍ଞାନକୁ ବିକ୍ରୀ କରୁ ଥାନଅଥାନରେ ଗୋଡ଼ ଧରିବାକୁ ଯାଉ, ଭକ୍ତିକୁ ଅଧମ ଖୋସାମତିରେ ପରିଣତ କରୁ, ତଥାପି ଆମେ ବଡ଼ ହୋଇପାରୁ ନାହିଁ । କେବଳ ଆହୁରି ବଡ଼ ହୋଇ ନପାରିବାର ଜ୍ଵର ଆମକୁ ଭାରି ଉତ୍ପୀଡ଼ିତ କରି ରଖିଥାଏ । ଏପରି ଜୀବନ ବଞ୍ଚିବାକୁ କେହି କଳାମୟ ବା ଯୋଗ୍ୟ ବଞ୍ଚିବା ବୋଲି କହିବେ ନାହିଁ । ମଣିଷର ହୃଦୟ ନେଇ ଜନ୍ମ ହୋଇଥିଲେ ମଧ୍ୟ ଆପଣା ନିର୍ବୋଧତା ହେତୁ ସଫଳ ଓ ବଡ଼ ହେବାର ଦୁରାଶାରେ ଯେଉଁମାନେ ଆପଣାର ଏକ ହୃଦୟ ଅଛି ବୋଲି ଜାଣି ମଧ୍ୟ ପାରନ୍ତି ନାହିଁ, ସେମାନେ ଯେ କେଉଁ କଳା ବା ଯୋଗ୍ୟତାରେ ସୁମାରି ହେବେ, ସେକଥା ମୁଁ କହି ପାରୁନାହିଁ ।

 

୭ । ୮ । ୫୯

 

ଚଉଦବର୍ଷ ପୂର୍ବେ ଶାନ୍ତିନିକେତନକୁ ଆସି ମୁଁ ରବୀନ୍ଦ୍ରନାଥଙ୍କୁ ଆପଣାର କରି ପାଇଥିଲି-। ମୋ’ ଜୀବନରେ ତାଙ୍କୁ ଏକ ପ୍ରେରଣା ରୂପେ ଗ୍ରହଣ କରିଥିଲି, ଅତି ସ୍ଵାଭାବିକ ଭାବରେ ତାଙ୍କୁ ଗୁରୁଦେବ ବୋଲି କହିବାକୁ ଆରମ୍ଭ କରିଥିଲି । ସେଇଦିନ ଠାରୁ ଆଜିପର୍ଯ୍ୟନ୍ତ ମୁଁ ନାନା ସମୟରେ ସେହି ମହାନ୍ ଦିଗ୍‌ଦର୍ଶକଙ୍କଠାରୁ ବାର ବାର ପ୍ରେରଣା ନେଇଚି ତାଙ୍କର ଧାଡ଼ିଏ କବିତା ବା ପଦେ କଥା ମୋତେ ମୋ’ ଆପଣା ଜୀବନରେ ଗୋଟିଏ ଗୋଟିଏ Revealation ପରି ମନେହୋଇଚି । ତାଙ୍କର ବିଚାରକୁ ଆପଣା ଭିତରେ ଅନୁଭବ କରି ମୁଁ ଆପଣା ଭିତରେ ସାହିତ୍ୟିକ ବା କବିଭାବେ ଦେଖି ତାଙ୍କ ବିଷୟରେ କୌଣସି ବୁଦ୍ଧିବାଦୀ ଆଲୋଚନା କରିବାର ଆଗ୍ରହ ମୋର କୌଣସି ଦିନ ହୋଇନାହିଁ । ତାଙ୍କ ରଚନା ଓ ତାଙ୍କ ଦୃଷ୍ଟି ଜଗତ ସହିତ ମୋର ସମ୍ପର୍କ ଯେପରି ଏକ ବ୍ୟକ୍ତିଗତ ସମ୍ପର୍କରେ ପରିଣତ ହୋଇଚି । ତାଙ୍କର ଗୋଟିଏ ଗୋଟିଏ ଗୀତ ମୋତେ ଦିନ ଦିନ ଧରି ନିମଗ୍ନ ବା ଉନ୍ନନା କରି ରଖିଚି, ମୋ’ କଣ୍ଠର ସମସ୍ତ ଦ୍ଵାର ଓ ଲଳ୍ମାକୁ ଉନ୍ମୋଚିତ କରିଦେଇଚି । ଶାନ୍ତିନିକେତନରେ କଟାଇଥିବା ପାଞ୍ଚବର୍ଷ କାଳ ମୁଁ ଯେଉଁ ଶକ୍ତି ଓ ଉତ୍ସାହରେ ଅଧ୍ୟାୟନ କରିଚି; ଆପଣା ଜୀବନକୁ ଏକ ନିର୍ଦ୍ଦିଷ୍ଟ ଆକାର ଓ ମାର୍ଗ ଦେବାର ଯେଉଁ ଚେଷ୍ଟା କରିଚି, ତାହା ସେହି ତୀର୍ଥର ମହା ସାଧକଙ୍କର ପ୍ରେରଣାରୁ ହିଁ ହୋଇଚି । ସେ ଯେ କୌଣସି ଏକ ନିର୍ଦ୍ଦିଷ୍ଟ ଭାଷାର ବା ନିର୍ଦ୍ଦିଷ୍ଟ ଦେଶର ନୁହେଁ, ଆପଣା ଜୀବନର କର୍ମ ଓ ଶ୍ରଦ୍ଧା ଭିତର ଦେଇ ମୁଁ ତାହାହିଁ ଅନୁଭବ କରି ପାରିବାର ଚେଷ୍ଟା କରୁଚି ।

 

୮ । ୮ । ୫୯

 

ମୁଁ ଗୁରୁଦେବ ରବୀନ୍ଦ୍ର ନାଥଙ୍କର ଅନେକ ରଚନା ପଢ଼ି ନାହିଁ । ତାଙ୍କର ସାକ୍ଷାତ ଦର୍ଶନ ଲାଭ କରିବାର କୌଣସି ସୁଯୋଗ ମୁଁ ପାଇ ନାହିଁ, ଆପଣାକୁ ରବୀନ୍ଦ୍ର କି ବୋଲାଉଥିବା ଅନେକ ଲୋଭାସକ୍ତ ଉଗ୍ଧ ଭକ୍ତଙ୍କର ବାକ୍ୟ ଓ କର୍ମ ମୋତେ ଅନେକ ସମୟରେ ବଡ଼ ଅଶ୍ଵସ୍ତିକର ବୋଧ ହୋଇଚି । ତଥାପି ମୁଁ ଜଣେ ଯେ ଯେତେ ପରୋକ୍ଷ ଅନାଡ଼ମ୍ବର ଭାବରେ ହେଲେ ମଧ୍ୟ ତାଙ୍କର ଆଲୋକର ମୋର ଜୀବନଭୂମି ଓ ଜୀବନ ଦୃଷ୍ଟିକୁ ଅନେକଦୂର ପର୍ଯ୍ୟନ୍ତ ଆଲୋକିତ କରି ରଖିଚି । ତାଙ୍କ ରଚନା ଓ କାର୍ଯ୍ୟକଳାପରେ ମୁଁ ସମ୍ପ୍ରଦାୟ ବା ସ୍ଲୋଗନ୍‌ର କୌଣସି ଦୁର୍ଗନ୍ଧ ପାଇନାହିଁ । କୌଣସି ଏକ ବଳିଷ୍ଠ ସର୍ବଗ୍ରାସୀ ସମୂହ ଭିତରେ ବ୍ୟକ୍ତିର ସମସ୍ତ ଦାୟିତ୍ଵ, ବିଚାର ଶକ୍ତି ଓ ସମ୍ମାନଜ୍ଞାନକୁ ଜଳାଞ୍ଜଳି ଦେଇ ନିଶା ଖାଇ ବଡ଼ ବୋଲାଇବାର କୌଣସି ଷଡ଼ଯନ୍ତ୍ର ମୁଁ ରବିନ୍ଦ୍ର–କରଣିର କୌଣସିଠାରେ ଦେଖିବାକୁ ପାଇନାହିଁ । ପ୍ରତ୍ୟେକ ବ୍ୟକ୍ତିକୁ ତାହା ଅନ୍ତର୍ମୁଖୀ ଓ ବିଶ୍ୱବ୍ୟାପୀ କରିବାର ଅଭିଳାଷ ରଖିଚି, ଆପଣା ମହିମା ଓ ସମ୍ଭାବନା ବିଷୟରେ ପ୍ରତ୍ୟେକକୁ ଚେତାଇ ଦେଇଚି, ମୋତେ ମଧ୍ୟ ଚେତାଇ ଦେଇଚି ।

 

୯ । ୮ । ୫୯

 

ଏ ଦେଶର ମଣିଷ ସ୍ଵତନ୍ତ୍ର ହେଲେ ଯାଇ ଏ ଦେଶ ସ୍ଵତନ୍ତ୍ର ହୋଇପାରିବ । ସକଳପ୍ରକାର ଦାରିଦ୍ର୍ୟ, ଭୟ ଓ ଅଜ୍ଞାନତାରୁ ଭାରତର ପ୍ରତ୍ୟେକ ବ୍ୟକ୍ତି ଆଗ ସ୍ଵତନ୍ତ୍ର ହେବ । ସବୁପ୍ରକାର ମୋହ ଓ ଅନ୍ଧବିଶ୍ଵାସରୁ ସ୍ଵତନ୍ତ୍ର ହେବ, ସବୁପ୍ରକାର ଜାତିଗତ ଅଭିମାନ ଓ ନିରର୍ଥକ ନିର୍ମମ ଜାତୀୟତାରୁ ସ୍ଵତନ୍ତ୍ର ହେବ । ଚତୁର୍ଦ୍ଦିଗରେ ବାସ କରୁଥିବା ଦରିଦ୍ର୍ୟ ମଣିଷକୁ ଅଧିକ ଦରିଦ୍ର କରି ଆପେ ଧନୀ ବୋଲାଇବାର ଓ ସେଇଥିରୁ ଗୌରବ ଅନୁଭବ କରିବାର ଅମାନୁଷିକତାରୁ ସ୍ଵତନ୍ତ୍ର ହେବ । କେବଳ ଧଳାଚମର ପ୍ରଭୁତ୍ଵ ଯାଇ ଅଧିକ ଅଯୋଗ୍ୟ କଳାଚମର ପ୍ରଭୁତ୍ଵ ଆସିଗଲେ ଦେଶକୁ ସ୍ଵତନ୍ତ୍ରତା ଆସିଲା ବୋଲି କୁହାଯାଇ ପାରିବନାହିଁ । ପୁରୁଣା ସାଂସ୍କୃତିକ ବେମାରୀ, ନୂଆକୁ ନବୁଝି ଅନୁକରଣ କରିବାର ସୁତୀବ୍ର ମୋହ, ମଣିଷପ୍ରତି ଅସମ୍ମାନ, ସାମାଜିକ ଅନ୍ୟାୟ ଓ ସବାତଳେ ଲୁକ୍‍କାୟିତ ହୋଇ ରହିଥିବା ହୀନଭାବ ଓ ତଜ୍ଜନିତ ଏକ ଅତ୍ୟୁଗ୍ର କ୍ଷମତା ଲୋଭ, ଏଗୁଡ଼ାକୁ ଆମ ବ୍ୟକ୍ତିଗତ ତଥା ସାମାଜିକ ଜୀବନକୁ ଉତ୍ପୀଡ଼ିତ କରି ରଖିଥିବା ପର୍ଯ୍ୟନ୍ତ ଆମେ ତଥାପି ସ୍ଵତନ୍ତ୍ର ହୋଇ ପାରିବାନାହିଁ । ହଜାର ପ୍ରକାର ବାଜା ବଜାଇ ବା ସାଜ ସଜାଇ ମଧ୍ୟ ତଥାପି ସ୍ଵତନ୍ତ୍ର ହୋଇ ପାରିବା ନାହି । ଜୀବନର ମହତ୍ତ୍ୱର ମୂଲ୍ୟକୁ ବୁଝିବାଲାଗି ହିଁ ବ୍ୟକ୍ତି ସ୍ୱତନ୍ତ୍ର ହୁଏ, ବିଶ୍ଵର ନିର୍ମାଣ-ଉତ୍ସବରେ ଆପଣାର ବିଶିଷ୍ଟ ଅବଦାନଟିକୁ ପ୍ରଥମେ ବୁଝିବା ଓ ତା'ପରେ ତଦନୁରୂପ ନାନା କାର୍ଯ୍ୟରେ ହେବାଲାଗି ହିଁ ଜାତି ବା ଦେଶ ସ୍ଵତନ୍ତ୍ର ହୁଏ । ସେବା ଓ ସାଧନାର ଏକ ମହତ୍ତର କ୍ଷେତ୍ରରେ ଆପଣାକୁ ସମର୍ପଣ କରି ଦେବାଲାଗି ବ୍ୟକ୍ତି ସ୍ଵତନ୍ତ୍ର ହୁଏ, ସବୁରି ସହିତ ଆପଣାର ମିଳନକୁ ପରିପୂର୍ଣ୍ଣ ଭାବରେ ଅନୁଭବ କରିବାକୁ ବ୍ୟକ୍ତି ସ୍ଵତନ୍ତ୍ର ହୁଏ । ବିଚ୍ଛିନ୍ନ ହୋଇ ରହିବା ପାଇଁ ନୁହେଁ, ମୁଗ୍‌ଧ ବା ଜାଲଜଡ଼ିତ ହୋଇ ରହିବାକୁ ନୁହେଁ, ଯାବତୀୟ ଜାଲକୁ ଛିଣ୍ଡାଇବା ଲାଗି ହିଁ ବ୍ୟକ୍ତି ବା ଜାତି ସ୍ଵତନ୍ତ୍ର ହୁଏ ।

 

୧୦ । ୮ । ୫୯

 

ସିକନ୍ଦରା ହେଉଚି ଆକବର ବାଦଶାହଙ୍କର ସମାଧି ମନ୍ଦିର । ବାଦଶାହ ମରିବା ଆଗରୁ ବାଦଶାହୀ ବରାଦ ଅନୁସାରେ ଅନେକ ମଣିଷ ଲଗାଇ, ଅନେକ ପଇସା ଓ ଅନେକ ପଥର ଖରଚ କରି ଆପଣାର ଦେହଲାଗି ଏହି ସମାଧି ସିନ୍ଦୁକଟି ତିଆରି କରି ଯାଇଥିଲେ । ବର୍ତ୍ତମାନ ତାହା ଏକ ତୀର୍ଥସ୍ଥାନରେ ପରିଣତ ହୋଇଚି । ହଜାର ହଜାର ହିନ୍ଦୁ ଯାତ୍ରୀ ମଧ୍ୟ ସମାଧିଘରେ ଠାକୁର ଦର୍ଶନ କରିବାକୁ ଆସୁଛନ୍ତି, ଅଶେଷ ଭକ୍ତି ସହକାରେ ଠାକୁର ଦର୍ଶନ କରୁଚନ୍ତି । ଆଜି ସେଇକଥା ଦେଖିଆସିଲି । ଯାତ୍ରୀମାନେ ପ୍ରଥମେ ସମାଧି ଚାରିପାଖରେ ବେଢ଼ା ବୁଲୁଚନ୍ତି, ତା’ପରେ କେଉଁ ଠାକୁରଙ୍କ ଉଦ୍ଦେଶ୍ୟରେ ପଇସାଏ କି ଦି’ପଇସା ପକାଇ ଦେଉଚନ୍ତି ଓ ସମାଧିଉପରେ ମୁଣ୍ଡିଆ ମାରି ଫେରୁଚନ୍ତି । ପଥରର ଏହି ଅବରଣତଳେ ଯେ ଜଣେ ମୋଗଲ ବାଦଶାହଙ୍କର ଦେହ ରହିଚି, ସେମାନଙ୍କ ଭିତରୁ ଅନେକ ଏକଥା ଜାଣିନାହାନ୍ତି । ଧର୍ମନାମରେ ଅନେକ ପଙ୍କରେ ବୁଡ଼ି ରହିଥିବା ଏକ ଦେଶରେ ହିଁ ଏକଥା ସମ୍ଭବ ହୋଇ ପାରିବ । ଭାବପ୍ରବଣ ହୋଇ ଏଦେଶର ଧର୍ମ ଦୃଷ୍ଟିର ଉଦାରତା ପ୍ରକାଶ ପାଉଚି । ଉଦାରତା, ଉଦାସୀନତା କି ଉତ୍କଟ ଅଜ୍ଞାନତା,-ଆମକୁ ସ୍ଥିର ହୋଇ ସେକଥା ବିଚାର କରିବାକୁ ହେବ । ଯିଏ ବିନା କୌଣସି ଉପଲବ୍‌ଧିରେ ଯେକୌଣସି ଗୋଟାଏ ପଥର ପାଖରେ ମୁଣ୍ଡ ଲଗାଇ ଦେବାକୁ ହିଁ ଧର୍ମ ବୋଲି କହୁଚି, ତାହାର ଏହି ମୋହକୁ ଧର୍ମଦୃଷ୍ଟି ନକହି ଧର୍ମଭୟ ବୋଲି କହିବାକୁ ହେବ । ସିଏ କିଛିହେଲେ ଦେଖିନାହିଁ, ତା'ର ଅନ୍ତରଭିତରେ; କୌଣସି ଦୁଆର ଖୋଲିନାହିଁ । ସେ ଆପାଣାଭିତରେ କୌଣସି ପ୍ରକାର ଆରୋହଣ ଯାତ୍ରା ପାଇଁ ସଜ ହୋଇନାହିଁ । ଏକ ଅଜ୍ଞାନ ଓ ସଂସ୍କାର ପରିପ୍ରେରିତ ପରମ୍ପରାଗତ ପ୍ରବୃତ୍ତିତାକୁ ଗୋରୁ ପରି ସବୁଆଡ଼କୁ ଘୋଷଣା ନେଉଚି । ପ୍ରବୃତ୍ତି ଚରିତାର୍ଥ ହେଉଚି, ମାତ୍ର ଆତ୍ମାକୁ କିଛିହେଲେ ମିଳୁନାହିଁ ।

 

୧୧ । ୮ । ୫୯

 

କାଲି ପ୍ରାୟ ପନ୍ଦର ମାଇଲ ବାଟ ଚାଲି କ୍ଳାନ୍ତ ହୋଇ ଫେରିବାପରେ ମୁଁ ସନ୍ଧ୍ୟାପୂର୍ବରୁ ପୁଣି ଏତେ ଗୁଡ଼ିଏ କାମ କରିଦେଇ ପାରିଲି, ପ୍ରାୟ ସାଢ଼େ ତିନି ଘଣ୍ଟା–ସମୟରେ ମନୋନିବେଶ କରି ବସିପାରିଲି । ତେଣୁ ସନ୍ଧ୍ୟାବେଳେ ସ୍ନାନ କରି ସାରିବା ପରେ ମନଭିତରେ ଗୋଟିଏ ଅପୂର୍ବ ପ୍ରକାରର ପ୍ରସନ୍ନତା ପୂର୍ଣ୍ଣ ହୋଇ ରହିଥିଲା, ଆପଣା ସହିତ ସତେଅବା କୌଣସି ବୈରଭାବ ବା ଅସନ୍ତୋଷ ନଥିଲା । ଭିତର ଆଉ ବାହାର ମଧ୍ୟରେ, ମନ ଆଉ ଶରୀର ମଧ୍ୟରେ, ଶ୍ରଦ୍ଧା ଆଉ ଆଚରଣ ମଧ୍ୟରେ କୌଣସି ଦ୍ଵନ୍ଦ ବା ପ୍ରତିଦ୍ଵନ୍ଦିତା ନଥିଲା, ପୁଣି ଭାବିଥିଲି ଯେ ରାତିରେ ବି ଏମତି ଦଳ ତିନିଘଣ୍ଟା ବସିବି, ଏମତି କାମ କରିବି । ମନ ଅତି ଖୁସୀ ହୋଇ ସେଥିଲାଗି ପ୍ରସ୍ତୁତ ହୋଇ ରହିଥିଲା । କିନ୍ତୁ ତା’ପରେ ପ୍ରୟୋଜନ ଓ ଅପ୍ରୟୋଜନରେ ବନ୍ଧୁମାନେ ଆସିଲେ, ପ୍ରୟୋଜନ ଓ ଅପ୍ରୋୟଜନ ଅଳସ ପଣିଆର ତୁଳାମେଞ୍ଚା ଭିତରୁ ନାନାପ୍ରକାର କଥା ଓ ଅକଥାର ସୂତାଖିଅ ବାହାର କରିବାକୁ ପଡ଼ିଲା । ଏବଂ ସେହି ସୁତାର ଅଡ଼ୁଆରେ ଯେପରି ମୋର ସମସ୍ତ ସମୟ ଅଟକି ରହିଲା, ସମୟର ଗତି ବନ୍ଦ ହୋଇଗଲା । ସେଥିଲାଗି ଏତେ ସମୟର ଏତେ ମେଳ ଓ ବ୍ୟସ୍ତତା ପରେ ଯେତେବେଳେ ସମସ୍ତେ ଚାଲିଗଲେ, ସେତେବେଳେ ଆପଣାଭିତରେ ମୁଁ ହଠାତ୍ ଭାରି ଫମ୍ପା ଅନୁଭବ କରିବାକୁ ଲାଗିଲା । ଏହି ଦୁଇ ତିନିଘଣ୍ଟା ଭିତରେ ସତେଅବା କୌଣସି ବାଟ ନଚାଲିଥିବା ପରି ବୋଧ ହେଲା । ମନେହେଲା ସତେ ଯେପରି ଦୁଇ ତିନିଘଣ୍ଟା କାଳ ମୋ’ର ପଙ୍କ ପୋଖରୀକୁ କେଉଁମାନେ ଗୋଳି କରିବାକୁ ଆସିଥିଲେ । ସେମାନେ ବର୍ତ୍ତମାନ ଚାଲିଗଲେ ଏବଂ ଆପଣାର ଗୋଳିଆପାଣିରେ ଅଣନିଶ୍ଵାସୀ ହୋଇ ମୁଁ ବଡ଼ ଅସ୍ତ ବ୍ୟସ୍ତ ହୋଇ ପଡ଼ିରହିଲି । ଆପଣା ପାଖରେ କର୍ତ୍ତବ୍ୟ ପୁରା କରିସାରିଲେ ତାପରେ ସଂସାରର ସମସ୍ତଙ୍କ ସହିତ ମିଶିବାକୁ ଏତେ ଭଲ ଲାଗେ । କିନ୍ତୁ ଆପଣାର ସମୟ ଓ ଆପଣାର କର୍ତ୍ତବ୍ୟରୁ ବାହାରକୁ ପଳାଇଯାଇ ଯେତେ କୋଳାହଳ ଓ କୌତୁକରେ ହୋ’ ହୋ’ ହେଲେ ମଧ୍ୟ ଭିତରେ ଅତ୍ୟନ୍ତ ଆପଣାର କେହି ଅତୃପ୍ତ ରହିଯାଏ ।

 

୧୨ । ୮ । ୫୮

 

ପୃଥିବୀର ମାନଚିତ୍ର ଉପରେ ଅଷ୍ଟ୍ରେଲିଆର ବଡ଼ ଟାପୁଟାକୁ ଦେଖିଲେ ସତେଅବା ସେଇଟା ପୃଥିବୀର ବାହାରେ ଆଉ କେଉଁଠି ଅବସ୍ଥିତ, ହଠାତ୍ ସେହିପରି ମନେହୁଏ । ସେହି ଦୂର ଟାପୁରୁ ବେଳେ ବେଳେ ଏପରି ଗୋଟାଏ ଗୋଟାଏ ବିଚିତ୍ର ଖବର ଶୁଣିବାକୁ ମିଳେ, ଯେଉଁଥିରୁ ସେଠିକାର ସାମାଜିକ ଓ ମାନବିକ ଦୃଷ୍ଟିକୋଣକୁ ମଧ୍ୟ ବିଚିତ୍ର ବୋଲି କହିବାକୁ ଇଚ୍ଛା ହୁଏ । ସେଠାରେ ବାସ କରୁଥିବା ଲୋକମାନେ ମଧ୍ୟ ସତେ ଯେପରି ଆପଣାକୁ ଏହି ପୃଥିବୀର ବିରାଟ ମାନବ-ପରିବାରର ଅଂଶ ବୋଲି ଗ୍ରହଣ କରନ୍ତି ନାହିଁ । ପୃଥିବୀ ସମସ୍ୟା ଓ ଦୁଃଖଠାରୁ ଦୂରରେ ରହି ଧନୀ ଓ ଅତିସମ୍ପନ୍ନ ମଣିଷଙ୍କର ଏକ ମଙ୍ଗଳଗ୍ରହ ନିର୍ମାଣ କରି ରହିବାକୁ ସେମାନେ ସତେଅବା ଏକ ଜାତୀୟ ଉଦ୍ଦେଶ୍ୟ ବୋଲି ମାନି ନେଇଥାନ୍ତି । କାଲି ଖବର କାଗଜରେ ପଢ଼ିଲି ଯେ ଅଷ୍ଟ୍ରେଲିଆରେ ଅବଶ୍ୟକରୁ ଅଧିକ ଧାନ ଉତ୍ପନ୍ନ ହେଉଚି ଏବଂ ଏହି ଅତିରିକ୍ତ ଚାଉଳକୁ କିପରି ଭାବରେ କାମରେ ଅର୍ଥାତ୍ ଲାଭଜନକ କାମରେ ଲଗାଯାଇ ପାରିବ, ସରକାରୀ ଶିଳ୍ପ-ବିଶେଷଜ୍ଞମାନେ ସେଥିଲାଗି ଭାଳେଣି କରୁଚନ୍ତି । ବଡ଼ ସମ୍ଭାବନା ରହିଚି ଯେ ରାସାୟନିକ ଉପାୟରେ ଏହି ଚାଉଳକୁ ମୁହଁରେ ଲଗାଇବା ପାଉଡ଼ରରେ ପରିଣତ କରିହେବ ଏବଂ ତଦ୍ଦ୍ଵାରା ବର୍ତ୍ତମାନ ଉପଜିଥିବା ଚାଉଳ–ସମସ୍ୟାର ସମାଧାନ ହୋଇଯିବ । ଅନ୍ନକୁ ପ୍ରସାଧନ-ଦ୍ରବ୍ୟରେ ଲଗାଇବାରେ ଏହି ଅବୈଜ୍ଞାନିକ ଓ ଅମାନୁଷିକ ସ୍ଵଭାବ କେବଳ ପୃଥିବୀଠାରୁ ଦୂରରେ ରହିଥିବା ମଣିଷ ବା ମଣିଷସମୂହ ପକ୍ଷରେ ହିଁ ସମ୍ଭବ ହୋଇପାରେ ।

 

୧୩ । ୮ । ୫୯

 

ମୋ’ଭିତରେ ଡର ଥିଲାପର୍ଯ୍ୟନ୍ତ ମୁଁ ଶିକ୍ଷକ ହୋଇ ପାରିବିନାହିଁ । ମୁଁ ବିଚାରକୁ ଡରୁଥିବି, ଶିଖିବାକୁ ଡରୁଥିବି ଓ ଗ୍ରହଣ କରିବାକୁ ଡରୁଥିବି । ତେବେ ମୁଁ ଅନ୍ୟର କୌଣସି ପ୍ରକାର ଶିକ୍ଷା ବା ବିକାଶ ଲାଗି ଆଉକି ସାହାଯ୍ୟ କରିପାରିବି ? ଶିକ୍ଷକ ସବୁ ମଣିଷର ସ୍ଵତନ୍ତ୍ର ବିକାଶରେ ବିଶ୍ଵାସ କରିବ, ସେ ସେଥିରେ ଖୁସି ହେବ, ଜଗତରେ ବହୁ ବିଚିତ୍ର ପଥର କଳ୍ପନା ଓ ଯୋଜନା ନେଇ ଉଦ୍‌ଭୂତ ହୋଇଥିବା ଜୀବନଯାତ୍ରୀମାନଙ୍କୁ ସେ ଶିକ୍ଷା କ୍ଷେତ୍ରରେ ସ୍ଵାଗତ କରିବ, ସମ୍ମାନ ଦେବ । ଏଥିଲାଗି ଅତୁଳ ଧୈର୍ଯ୍ୟ ଦରକାର, ଏବଂ ଧୈର୍ଯ୍ୟଲାଗି ଅତୁଳ ଆତ୍ମବିଶ୍ଵାସ ଦରକାର, ଆତ୍ମବିଶ୍ଵାସ ନଥିଲେ ଅନ୍ୟମାନଙ୍କର ଅନ୍ତର୍ଗତ ବିକାଶ ଉପରେ ବିଶ୍ଵାସ ରଖିବା ସମ୍ଭବ ହୋଇ ପାରିବନାହିଁ । ଆଜି ଆମେ ଅଧିକାଂଶ ସ୍ଥାନରେ ମୂଳତଃ ଡରୁଚୁ । ନୂଆ ବିଚାରକୁ ଡରୁଚୁ ନୂଆ ମାର୍ଗକୁ ଡରୁଚୁ । ଆପଣା ଛୋଟ ସଂଗ୍ରହର ସ୍ଵଳ୍ପତାଗୁଡ଼ାକ କାଳେ ଧରା ପଡ଼ିଯିବ, ସେଥିଲାଗି ସବୁ ବେଳେ ଡରିହରି ଆମେ ଗୋଟିଏ ପ୍ରକାରର ମିଛ ପରିପୂର୍ଣ୍ଣତା ଓ ଯଥେଷ୍ଟତାର ଧୂମ୍ରମଣ୍ଡଳ ସୃଷ୍ଟି କରି ଆମର ଛାତ୍ରମାନଙ୍କୁ ସେଇଥିରେ ଭୁଲାଇବାକୁ ଚେଷ୍ଟା କରୁଚୁ । ସମୁଦ୍ର ଦେଖାଇବାର ନାଆଁରେ ଆମଭିତରେ ପଡ଼ି ରହିଥିବା କ୍ଷୁଦ୍ର ଜଳାଶୟଟିକୁ ଦେଖାଇ ଦେଉଚୁ । ଗୋଟାଏ ମିଛ ସମ୍ମାନ ସଚେତତା ବା Prestige ଆମକୁ ଆମର ସମସ୍ତ ଆସନ ଓ ଅଭିନୟ ସତ୍ତ୍ୱେ ତଥାପି ବଡ଼ କାତର ଓ ତେଣୁ ବୃଥା ଦମ୍ଭରେ ସ୍ପୀତ କରି ରଖିଚି । ଯିଏ ଭିତରେ ଭିତରେ ଡରୁଥାଏ, କେବଳ ସେଇ ବାହାରେ ଅପରକୁ ଅଳପକରେ ଅଟକାଇ ଦେବାକୁ ଫନ୍ଦ କରି ବାହାରେ, ନାନା ଉଗ୍ରତା ଓ ଅଭିମାନର ସାଜ ବାହାର କରି ଅପରର ଅଙ୍କୁରକୁ ଛିନ୍ନ କରିଦେବାର ଫିସାଦ କରେ । ଶିକ୍ଷାକ୍ଷେତ୍ରରେ ଏହି ପ୍ରବୃତ୍ତି ହେଉଚି ସବୁଠାରୁ ଅଧିକ ବିପଜ୍ଜନକ ପ୍ରବୃତ୍ତି । ଆପଣାର ଅନ୍ୟକୁ ଦେଖିବାକୁ ଲାଳସା ଆପଣାଠାରୁ ଅନ୍ୟକୁ ଅଧିକ ଆଗକୁ ଯିବାକୁ ନଦେବାର ଦୁଃଷ୍କାମନା ଏସବୁ ଶିକ୍ଷକ ଜୀବନର ସବୁଠାରୁ ବଡ଼ ଅପରାଧ । ଏହାହିଁ ସବୁ ଭୟର ଜନକ, ସବୁ କ୍ଷତିର ଜନକ ଓ ସମସ୍ତ ପ୍ରକାର ଆତ୍ମଲଘିମା ଓ ଦ୍ଵେଷର ଜନକ, ଶିକ୍ଷକ ଆପଣାର ଦ୍ଵାରା ଖୋଲିଦେଉ; ଆପଣାର ବାଟରେ ବାହାରିପଡ଼ୁ, ଅନ୍ୟର ବିକାଶରେ ଆନନ୍ଦ ଲାଭ କରି ସେ ଆପେ ଧନ୍ୟ ହେଉ !

 

୧୪ । ୮ । ୫୯

 

ଆଜି ସକାଳୁ ଉଠି ଭାରି ଶାନ୍ତ ଲାଗୁଛି । ଚଢ଼େଇମାନଙ୍କର ଶବ୍ଦ ଆରମ୍ଭ ହୋଇଗଲାଣି ରାତି ଆଉ ରାତିପରି ଲାଗୁନାହିଁ । ଅନ୍ଧାର ଆକାଶଭିତରୁ କଳା-ମେଘର ଗର୍ଜନ ଭାସିଆସୁଚି । ସକାଳୁ ମେଘଅସରା ଆରମ୍ଭ କରିବ ବୋଲି ସିଏ ମଧ୍ୟ ପୂର୍ଣ୍ଣ ଆଡ଼ମ୍ବରରେ ସଜ ହୋଇ ବାହାରୁଚି । ଏତିକିବେଳେ ସ୍ନାନ ସାରି ଆପଣାର କାମରେ ବସିଗଲେ ମନେହୁଏ ଯେପରି ଏହି ସମସ୍ତ ଜଗତ ସହିତ ମୋର କୌଣସି ତଫାତ୍ ନାହିଁ, ମୁଁ ଯେପରି ଏହି ସମସ୍ତଟିର ଏକ ଅବିଚ୍ଛିନ୍ନ ଅଂଶ । ଜଗତରେ କୌଣସିଠାରେ ମୁଁ ଆପଣାର ସହିତ ଆଉ କାହାରି କୌଣସି ବିଚ୍ଛେଦ ଅନୁଭବ କରେ ନାହିଁ, ଆପଣାକୁ କୌଣସିଁ ଠାରୁ ଛିନ୍ନ କରି ନେଇଯିବାର ମନ୍ଦାଭିଳାଷ ହୁଏନାହିଁ । ଆପଣା ଭିତରେ ଓ ଆପଣା ବାହାରେ ସବୁଠାରେ ସବୁପ୍ରକାର ସମାଧାନ ହୋଇ ଯାଇଥିଲା ପରି ମନେହୁଏ । ମୁଁ ଲେଖୁ ଲେଖୁ ବୃଷ୍ଟିପାତ ଆରମ୍ଭ ହୋଇଗଲାଣି । ଦୂରର ଗର୍ଜନ ଗହ୍ଵରରୁ ବରଷାର ଏହି ପତନ ଶବ୍ଦ ତୀର ପରି ଛୁଟିଆସୁଛି । ବାହାରକୁ ଅନାଇ ମୁଁ କିଛି ଦେଖି ପାରୁନାହିଁ । ତଥାପି ସବୁ ଉତ୍ସବକୁ ମୁଁ ମୋରି ଭିତରେ ହିଁ ଅନୁଭବ କରୁଚି । ଏହାହିଁ ସବୁସମୟରେ ହେବା ଉଚିତ । ସବୁଟି ସହିତ, ସବୁ ମଣିଷ ଓ ସମସ୍ତ ଜଗତ ସହିତ ଏହିପରି ଏକ ଅନୁଭବ ସୂତ୍ର ଲାଗି ରହିଥିବା ଉଚିତ । ତା’ହେଲେ ଆଉ ଆପଣାକୁ ଏକାକୀ ଲାଗନ୍ତା ନାହିଁ । ତା’ ହେଲେ ଆପଣାଭିତରେ ସହସ୍ର ଦ୍ଵନ୍ଦର ସଳିତା ବଳି ଆପଣା ଭିତରେ ପୋଡ଼ିହୋଇ ମରିବାର ଦୁଷ୍ଟ ନିର୍ଦ୍ଦୟତାରୁ ରକ୍ଷା ମିଳିଯାଆନ୍ତା ।

 

୧୫ । ୮ । ୫୯

 

ଏ ଦେଶ ଯେ କେବଳ କ୍ଷମତାରେ ଓ କେବଳ ଭାବପ୍ରବଣତାରେ ଚାଲୁଛି, ଆଜି ସ୍ଵୀଧନ ଦେଶର ଖାତାପତ୍ର ଖେଳାଇ ଦେଖିଲା ବେଳକୁ ଏହି କଥାଟା ହିଁ ସବୁଠାରୁ ଅଧିକ ତୀବ୍ରଭାବରେ ବୁଦ୍ଧି ଓ ବିଚାର ଶକ୍ତିକୁ ଦଂଶନ କରି ଯାଉଚି ଓ ଅପଣାଭିତରେ ତଥାପି ବଞ୍ଚି ରହିଥିବା ଦାସତାଗୁଡ଼ାକ ଯେପରି ସହସ୍ର ଗୁଣରେ ବିସ୍ଫାରିତ ହୋଇଯାଉଚି । ସତେ ଯେପରି ଆମେ କେହି ହେଲେ ସ୍ଵାଧୀନ ହେବାକୁ ଚାହୁନାହୁଁ, ଆମେ ସମସ୍ତେ ପ୍ରଧାନତଃ କ୍ଷମତାର ଲାଳସୀ ହୋଇ ରହିବାକୁ ଚାହୁଚୁ । ସବୁ ମଣିଷ ପଣିଆ ଓ ସାମାଜିକତାକୁ କ୍ଷମତା ପାଖରେ ବିକିଦେଇ ଆମେ ଗୋଟାଏ ପ୍ରକାର ମିଛ ସାର୍ଥକତାରେ ଫୁଲି ଫୁଲି ମରୁଚୁ । କର୍ମ, ମାନବିକ ସମ୍ପର୍କ ଓ ନିଃସ୍ଵାର୍ଥପର ସମର୍ପଣ ଦ୍ଵାରା ଜୀବନରେ ଯେଉଁ ଆନନ୍ଦ ମିଳେ, ଯେଉଁ ସ୍ଵାଧୀନତା ମିଳେ, ତାହାକୁ ଆମେ ହରାଇ ବସୁଚୁ । କେବଳ ଅତି ବିନାଶକାରୀ ଏକ ଉଦାସୀନତା ସତେଯେପରି ଆମ ବ୍ୟକ୍ତିଗତ ଜୀବନର ଧର୍ମ ହୋଇ ରହିଛି, ଏବଂ ଏହି ଧର୍ମ ଆମର ସମସ୍ତ ସାମାଜିକ ସମ୍ପର୍କ ଓ ସାମାଜିକ ଜୀବନକୁ ବଡ଼ ହୀନଭାବରେ ସଂକ୍ରମିତ କରି ରହିଚି । ଆମ ଭବିଷ୍ୟତ ବିଷୟରେ ଆମପାଖରେ କୌଣସି ସ୍ପଷ୍ଟ ମାନଚିତ୍ର ନାହିଁ । କେବଳ ଆମର ପାଇଁ ବା ଆମ ପିଲାଙ୍କ ପାଇଁ କିଛି ଅର୍ଥ ସଗ୍ରହ ବା ସଞ୍ଚୟ କରିବାରେ ଫନ୍ଦି ଆମକୁ ଜୁଟିଗଲେ ଆମେ ସେତିକିରେ ଆମର ସକଳ କର୍ତ୍ତବ୍ୟ ସରିଗଲା ବୋଲି ଭାବୁଚୁ । ସେହି ଆତ୍ମ ଅବହେଳାକୁ ଭୁଲିଯିବା ପାଇଁ ସେହି ଦାୟିତ୍ଵକୁ ଭୁଲିଯିବା ପାଇଁ ଆମେ ଖାଲି ଅତୀତକୁ ଅନାଇ ପଡ଼ିରହିଚୁ । ଅତୀତ ବିଷୟରେ ଏକ ସ୍ଫୀତ ଓ ଆଦର୍ଶକୃତ କଳ୍ପନା କରି ଆମେ ଆପଣାର ମନେମନେ ଆପଣାକୁ ଅନ୍ୟମାନଙ୍କଠାରୁ ବଡ଼ ବୋଲି କହୁଚୁ । ଏହାଦ୍ଵାରା ବାହାରେ ଆପଣାକୁ ସ୍ଵାଧୀନ ବୋଲି ଯେତେ କହିବୁଲିଲେ ମଧ୍ୟ ଆମର ଦାସତା ହିଁ ତଥାପି ଆମର ପ୍ରଧାନ ପ୍ରେରକ ହୋଇ ରହିଥାଏ, ଆମକୁ ସ୍ଥାଣୁ କରି ରଖିଥାଏ ।

 

୧୬ । ୮ । ୫୯

 

ଯୋଉଦେଶର ଯୁବକ ଚୁପ୍ କରି ବସିବାକୁ ଚାହୁଚି, ସେହି ଦେଶକୁ ଏକ ସ୍ଵାଧୀନ ଦେଶ ବୋଲି କିଏ କହିବ ? ଯାହାର ସମସ୍ତ କ୍ରିୟାଶକ୍ତି ତଥା ସୃଜନ ଶକ୍ତିକୁ ଜଡ଼ କରିଦେଇ କେବଳ ବାର୍ଦ୍ଧକ୍ୟ ହିଁ ମଜ୍ଜାଗତ ହୋଇ ରହିଚି, ମୁଁ ତାହାକୁ ସ୍ଵାଧୀନ ଦେଶର ଯୁବକ ବୋଲି କିପରି କହିବି ? ଆନନ୍ଦର ନାଆଁରେ ଆମେ କେବଳ ଗୁଡ଼ାଏ ଉପଭୋଗକୁ ଆମ ସଂସାରର ବୋଝ କରି ରଖିଚୁ, ଗୋଟାଏ ପ୍ରକାରର ଦୈନ୍ୟପୀଡ଼ିତ ବ୍ୟାକୁଳତାରେ ଆମେ ସମସ୍ତେ କେବଳ ଆମ ଉପଭୋଗର ଆବଶ୍ୟକତାମାନ ବଢ଼ାଇ ଚାଲିଚୁ । ଫଳରେ ଆମେ ସମସ୍ତେ ଦରିଦ୍ର ହୋଇ ବସିଚୁ, ଆମର ଜୀବନ ଅତ୍ୟନ୍ତ ନିରାନନ୍ଦମୟ ହୋଇ ରହିଚି, ଆପଣାକୁ ନାନା କର୍ମଭିତରେ ସମର୍ପଣ କରିଦେଇ ଆପଣାର ପରିଚୟ ଦେବାଲାଗି ଆମେ କେହିହେଲେ ତିଆର ନୋହୁ । କେବଳ ଅନ୍ୟର କର୍ମଲବ୍‌ଧ ଧନ ଓ ସମ୍ପଦକୁ ଆପଣା ଅବସରର ସାମଗ୍ରୀ ରୂପେ ସମସ୍ତେ ବ୍ୟବହାର କରିବାକୁ ଇଚ୍ଛା କରୁଚୁ । ଆମ ଦେଶର ଗାଆଁରେ ଯେଉଁମାନେ କେବଳ ପେଟଟାକୁ ଭରାଇବା ପାଇ ଚବିଶି ଘଣ୍ଟା ଚିନ୍ତା କରୁଚନ୍ତି ସେମାନଙ୍କୁ ମୂର୍ଖ ଓ ମଳିନତା ଜଡ଼ିତ ରଖି ଆମେ କେତେଜଣ ଆମ ପ୍ରମୋଦ-ମହଲରେ ଆମେରିକାର କଳ୍ପନା କରୁଚୁ । ହୁଏତ ଗାଆଁଲୋକେ ବି ଠିକ୍‍ ଆମରି ପରି ଶୂନ୍ୟମୂଳ ହେବାକୁ ଚାହୁଁଚନ୍ତି, କିନ୍ତୁ ବାଧ୍ୟହୋଇ ଗାଆଁରେ ପଡ଼ିଚନ୍ତି ଏବଂ ଅତ୍ୟନ୍ତ ବୀତଶ୍ରଦ୍ଧ ଭାବରେ ଆପଣାର ଭାଗ୍ୟକୁ ଗାଳିଦେଇ ବଞ୍ଚି ରହିଚନ୍ତି । ତଥାପି ଆମକୁ ସ୍ଵାଧୀନ ଦେଶର ମଣିଷ ବୋଲି କିପରି କୁହାଯାଇ ପାରିବ ? ସ୍ଵାଧୀନତା ପଳାଇ ଯିବାକୁ ନୁହେଁ, ସୃଷ୍ଟି କରିବାଲାଗି ହିଁ ଆମକୁ ସ୍ଵାଧୀନ ହୋଇ ଶିଖିବାକୁ ହେବ ।

 

୧୭ । ୮ । ୫୯

 

ଯେତେବେଳେ କାମରେ ବୋଝରେ ମୁଁ ଆକୁଳ ଓ ଅବଶ ହୋଇପଡ଼େ, ଠିକ୍ ସେତିକିବେଳେ ଭାରି ବିରକ୍ତ ଲାଗେ । ସେତିକିବେଳେ ବଡ଼ ଏକାକୀ ଲାଗେ ଓ ସେତିକିବେଳେ ହିଁ ଅତ୍ୟନ୍ତ ଭୟ ଲାଗେ । କାଲି ଠିକ୍ ସେହିପରି ହେଲା । ଗୋଟିଏ ପ୍ରକାରର Nervousness ମୋର ସମସ୍ତ ଶରୀରକୁ ଗ୍ରାସ କରି ରହିଥିଲା ପରି ବୋଧ ହେଲା । ଯେଉଁସବୁ କାମ ଏପର୍ଯ୍ୟନ୍ତ ମୋ’ ମୁଣ୍ଡଉପରେ ରହିଚି, ସେଗୁଡ଼ିକୁ ହୁଏତ ମୁଁ ଠିକ୍‌ଭାବରେ ଶେଷ କରି ପାରିବିନାହିଁ,–ଏହି ଆଶଙ୍କାରେ ମନ ଭିତରଟା ବଡ଼ ଅଥୟ ହୋଇ ଉଠିଲା । ସେହି ଭୟରୁ ଖିଅ ନିଖାରି, ସେହି ଭୟକୁ ସହସ୍ରଗୁଣ ବଡ଼ କରି ଦେଖି ମୁଁ ଆହୁରି ଭୀତ ହୋଇ ପଡ଼ିଲି । ଆପଣାପ୍ରତି ଗ୍ଳାନି ଜନ୍ମିଲା, ମୋର ସମୟଗୁଡ଼ାକ ବଡ଼ ନୀରସ ମନେ-ହେଲା । ଯେତେବେଳେ କର୍ମଭାର ପ୍ରକୃତରେ ଏହିପରି ଏକ ଭାର ପରି ମନେହୁଏ, ସେତିକିବେଳେ କର୍ମ ମଣିଷକୁ ଦୁଃଖ ଦିଏ । କିନ୍ତୁ ମୋର-କର୍ମ ମୋତେ ଅଧିକରୁ ଅଧିକ ହାଲୁକା କରିଦେବା ଉଚିତ । ଅଧିକରୁ ଅଧିକ କର୍ମମୁକ୍ତ କରିଦେବା ଉଚିତ । କର୍ମର କଠିନ ଯୋଜନା ଭିତରୁ ଆନନ୍ଦର ରସାସ୍ୱାଦନ କରିପାରିଲେ ଯାଇ ମଣିଷ କର୍ମମୁକ୍ତ ହୁଏ । କିନ୍ତୁ ଏଥିପାଇଁ ଧୈର୍ଯ୍ୟ ଦରକାର, ଏଥିପାଇଁ ବିଶ୍ୱାସ ଦରକାର, ଏଥିପାଇଁ ସବୁପ୍ରକାର ଫଳ ପାଇବାର ଅସ୍ୱାଭାବିକତାରୁ ଆପଣାକୁ ମୁକ୍ତ କରି ରଖିବା ଦରକାର । ବିଶେଷତଃ ସାହିତ୍ୟକ୍ଷେତ୍ରରେ ଆହୁରି ଅଧିକ ନିଷ୍କାମତା ଦରକାର । କୌଣସିପ୍ରକାର ଅନ୍ୟକାମନା ଦେଖିଲେ ସରସ୍ୱତୀ ଡରି ପଳାଇ ଯାଆନ୍ତି । ତାଙ୍କର କାମରୁ ଆନନ୍ଦ ପାଇବାକୁ ହେଲେ ଶୁଭ୍ର, ନିର୍ମଳ ଓ କାମନା-ରହିତ ହେବା ଉଚିତ । ତା’ ନହେଲେ ସରସ୍ୱତୀଙ୍କର ଆରାଧନା ସମ୍ଭବ ନୁହେଁ,–ବରପ୍ରାପ୍ତି ତ ଆହୁରି ଦୂରର କଥା ।

 

୧୮ । ୮ । ୫୯

 

ଏହି ସକାଳ ସମୟରେ ଜୀବନରେ ନୂଆ ହୋଇ ପାଦ ପକାଉଥିଲା ପରି ମନେହୁଏ, ଜଗତକୁ ନୂଆ କରି ଦେଖିଲାପରି ମନେହୁଏ । ସବୁଦିନେ ସକାଳେ ଉଠି ସବୁଦିନେ ଆପଣାକୁ ନୂଆ ବୋଲି ମନେ ହେଉ ନଥିଲେ ଏ ଜୀବନରୁ ଅନେକ ଆନନ୍ଦ ଚାଲି ଯାଉଥା’ନ୍ତା । ଚାରିଆଡେ ସବୁ ଶୂନ୍‌ଶାନ୍ କେବଳ କେତୋଟି ତାରା ଆକାଶରେ ଚିକ୍‌ଚିକ୍ କରୁଛନ୍ତି । ଦୂରରୁ ଗୋଟାଏ ଚଢ଼େଇ ବା ଝିଙ୍କାରି ଥାଇଥାଇ ଶବ୍ଦ କରୁଛନ୍ତି । ଆପଣାଭିତରେ ମଧ୍ୟ ସବୁ ସ୍ଥିର ହୋଇ ରହିଛି । ହୃତପିଣ୍ଡ ଓ ମସ୍ତିଷ୍କ ସ୍ଥିର ହୋଇ ରହିଚି, ସମସ୍ତ ଶରୀର ଓ ସମସ୍ତ ଚେତନା ବ୍ୟାପି କେବଳ ଏକ ସମଗ୍ର ଉଷ୍ମତା ସମଗ୍ର ପ୍ରସନ୍ନତା ଅନୁଭୂତ ହେଉଚି । ଏହି ସକାଳ ସମୟରେ ଆପଣାକୁ ଭାରି ଭଲ ବୋଲି ମନେହୁଏ । କୁମ୍ଭାର ତା’ର ମାଟିକୁ ଯେଉଁ ଆଖିରେ ଦେଖେ, ଯେଉଁ ମମତା ଓ ଶ୍ରଦ୍ଧାଦେଇ ଦେଖେ, ଏହି ଶାନ୍ତ ଉଦୟପୂର୍ବ ମୁହୂର୍ତ୍ତରେ ଆପଣାକୁ ଠିକ୍ ସେହିପରି ଦେଖିବାକୁ ମନ ହୁଏ । ପ୍ରାଣଭିତରର କେଉଁ କାରିଗର ଯେପରି ଆପଣା ସାଜସରଞ୍ଜାମ ନେଇ କେଉଁ ପ୍ରଶାନ୍ତ ନୀଡ଼ଭିତରୁ ବାହାରିଆସେ ଓ ସଂସାରରେ ଆପଣାର ସୃଷ୍ଟି କରିବାକୁ ସଜ ହୋଇପଡ଼େ । ଏହି ସମୟ ଏକ ଅଦ୍‌ଭୁତ ସମୟ । ସବୁଠାରୁ ସ୍ଥିର, ସବୁଠାରୁ ନିସ୍ତବ୍‌ଧ, ତଥାପି ସବୁଠାରୁ ଅଧିକ ସମ୍ଭାବନାମୟ, ସବୁଠାରୁ ଅଧିକ ବିଶ୍ୱାସ ଓ ଉଦ୍ଦୀପନାପୂର୍ଣ୍ଣ । ଆପଣାକୁ ଏପରି ସମଗ୍ର ଓ ସହଜଭାବରେ ଦେଖିବା ଆଉ କେବେ ସମ୍ଭବ ହୁଏନାହିଁ । ସେଥିଲାଗି ଯେଉଁଦିନ ମୁଁ ଠିକ୍ ସମୟ ଅନୁସାରେ ଉଠିନପାରେ, ରାତ୍ରିଶେଷର ଆଗମନ-ଉତ୍ସବଟିକୁ ଅନୁଭବ କରିବାଲାଗି ଯେଉଁଦିନ ସୁଯୋଗ ନପାଏ, ସେଦିନ ଅନେକକିଛି ହରାଇବା ପରି ମନେହୁଏ ।

 

୧୯ । ୮ । ୫୯

 

କାଲି ଆହୁରି ଅଧିକ କିଛି କାମର ବୋଝ ମୁଣ୍ଡଉପରକୁ ନେଲି । ସେହି କାରଣରୁ ହଠାତ୍ ଆପଣାକୁ ଅଧିକ ଭୟପ୍ରପୀଡ଼ିତ ବୋଧ ହେଲା । ମୁଁ ଭାବିଲି, ଯେପରି ଏହି କାମର ଗୁରୁବୋଝରେ ମୁଁ ଏକାବେଳେକେ ଭାଙ୍ଗିପଡ଼ିବି । ମୋ’ର ଭିତରେ ସତେଯେପରି କୋଉଠି କଅଣ ଦୁଇଭାଗ ହୋଇଯାଇଚି । ଗୋଟାଏ ଭାଗ ଅଧିକରୁ ଅଧିକ କାମ ଚାହୁଁଚି ଏବଂ ଆଉଗୋଟାଏ ଭାଗ ସେଥିରେ କାତର ଓ ଭୟଗ୍ରସ୍ତ ହୋଇ ପଡ଼ୁଚି । ଆପଣାର ଶେଷକଣା ଶକ୍ତି ଲଗାଇ ଜଣେ ଆପଣାକୁ ସମର୍ପଣ କରିବାକୁ ଚାହୁଚି, ନାନାକାର୍ଯ୍ୟରେ ଆପଣାକୁ ନିଃଶେଷିତ କରିଦେବାକୁ ଚାହୁଚି-। କିନ୍ତୁ ଅପର ପାଖଟା ସବୁବେଳେ ଟିକିଏ ନିଶ୍ୱାସ ମାରିବାକୁ ଚାହୁଚି, ଚାରିପାଖକୁ ଅନାଇ ଘଡ଼ିଏ ବସିଯିବାକୁ ଚାହୁଚି । ମୋତେ ଏହି ଦ୍ୱନ୍ଦର ସମାଧାନ କରିବାକୁ ହେବ, ଦେବା ଓ ପାଇବାର ଅପରିହାର୍ଯ୍ୟ ଏକସୂତ୍ରତାକୁ ଆହୁରି ଗଭୀର ଭାବରେ ଅନୁଭବ କରି ମୋତେ ଆପଣାଭିତରେ ଏହି ସମାଧାନ କରିବାକୁ ପଡ଼ିବ । ଏହି ସମାଧାନଟି ହୋଇଗଲେ କୌଣସି କାମ ମୋତେ ଆଉ ବ୍ୟସ୍ତ ବା କାତର କରି ପାରିବନାହିଁ । କେତେବେଳେ ହେଲେ କ୍ଳାନ୍ତ କରି ପାରିବନାହିଁ । ପ୍ରତ୍ୟେକ କାର୍ଯ୍ୟ ମୋତେ ଆପଣାକୁ ଅଧିକ ଆଶ୍ୱସ୍ତ ଓ ଅଧିକ ସହଜ କରିବାର ଏକ ସାଧନପରି ମନେହେବ । କର୍ମର ମଧ୍ୟଦେଇ କର୍ମକୁ ଜୟ କରିବାର, କର୍ମରେ ପ୍ରବେଶ କରି କର୍ମକୁ ଶେଷ କରିବାର ବୋଧହୁଏ ଏହାହିଁ ହେଉଚି କ୍ରମପରିଣତି । ମନ ଓ ହୃଦୟ ଏହି ପରିଣତ ଭୂମିରେ ପ୍ରବେଶ ନକରିଥିବା ପର୍ଯ୍ୟନ୍ତ ମଣିଷ କାମକୁ ଡରୁଥାଏ, ଆପଣାକୁ ଡରୁଥାଏ, ଦାୟିତ୍ୱ ନେବାକୁ ଡରୁଥାଏ । ସେ ଖାଲି ପଳାଇଯିବାକୁ ଇଚ୍ଛା କରୁଥାଏ, ସହସ୍ର ଭୋଗ ଓ ସହସ୍ର ବ୍ୟୟର ବାଲିଧାର ଭିତରେ ସେ ଆପଣାର ଧାରଟିକୁ ଶୁଷ୍କ କରିଦେବାର ପ୍ରମାଦରେ ପଡ଼ିଯାଏ । ମୋ’ ପ୍ରାର୍ଥନା ଓ ମୋ’ ବିଶ୍ୱାସ ମୋର ଧାରାଟିରେ ଅଧିକ ବେଗରେ ସଞ୍ଚାର କରୁ ।

 

୨୦ । ୮ । ୫୯

 

ସଂସାରଠାରୁ ମୋ’ର କୌଣସି ସ୍ୱୀକାର ପାଇବାର ଲାଳସା ନାହିଁ, ମୁଁ ଆପଣାପାଖରେ ହିଁ ସ୍ୱୀକାର ପାଇବାକୁ ଚାହେଁ । ଆପଣାଭିତରେ ମୁଁ ଯେପରି କୌଣସି ଦିନ ଆପଣାକୁ ବର୍ଜନ କରି ନଦିଏ । ଆପଣା ପାଖରେ ଅସ୍ୱୀକୃତ ହୋଇ ମୁଁ ଯେପରି ନାନାବିଧ ଦୟନୀୟ କ୍ଷତିପୂରଣ କରିବାର ଉତ୍ତୋଜନାରେ ଏଠିସେଠି ଧାଇଁ ନବୁଲେ । ବାହାରୁ ଆଦର ଓ ସମ୍ମାନ ନପାଇବାର ଅନ୍ଧବିଶ୍ୱାସରେ ଘାରି ହୋଇ ମୁଁ ଅନେକ ସମୟରେ ନିଜକୁ ହୀନ ବୋଲି ଭାବେ, ଆପଣାକୁ ଦୁର୍ବଳ ଜ୍ଞାନ କରେ, ଆପଣାର ସ୍ୱାଭାବିକ ଏବଂ ସଜ୍ଜିତ ଜୀବନ ମଧ୍ୟରେ ଏକ ବିରାଟ ପାଚେରୀ ଠିଆ କରାଇଦିଏ । ତଦ୍ଦ୍ୱାରା ବାହାରେ ଯେତେ ଆଡ଼ମ୍ବର ସହକାରେ ଯେତେପ୍ରକାର ସାନ୍ତ୍ୱନା ଓ ସ୍ୱୀକାର ପାଇଲେ ମଧ୍ୟ ମୁଁ ଭିତରେ ଜଳିପୋଡ଼ି ମରୁଥାଏ । ଭିତରେ ମୁଁ ଆପଣାସହିତ ବୈରୀପଣ କରୁଥାଏ । ଆପଣାକୁ ଏଡ଼ି ଚାଲିଯିବା ପାଇଁ ବାହାରେ ବାନ୍ଧିହୋଇ ଯିବାର ଏଇ ଯେଉଁ ଲାଳସା, ଭିତରେ ଆପଣା ସମଗ୍ରରୂପଟିର ସମ୍ମୁଖୀନ ହୋଇ ତାହାକୁ ଭଲପାଇବା ଅର୍ଥାତ୍ ସହାନୁଭୂତି ସହିତ ବୁଝିବାର ଦାୟିତ୍ୱକୁ ଭୟ କରି ବାହାରେ ଶତଚ୍ଛିନ୍ନ ହୋଇ ରହିବାର ଏଇ ଯେଉଁ ଲୋଭ, ତାହାହିଁ ସଂସାରର ମଣିସକୁ ବଡ଼ ଦରିଦ୍ର କରିପକାଏ, ତାହାହିଁ ମୋତେ ଦରିଦ୍ର କରିପକାଏ । ଏହି ପ୍ରମାଦରୁ ରକ୍ଷା ପାଇବାକୁ ପଡ଼ିବ । ଯେତେ ଭୟଙ୍କର ହେଲେ ମଧ୍ୟ ଆପଣାପାଖକୁ ଆସିବାକୁ ପଡ଼ିବ ।

 

୨୧ । ୮ । ୫୯ ।

 

ଏ ଦୁଇଟିଯାକ ମୋତେ ସମାନଭାବରେ ଭଲ ଲାଗେ । ଆପଣାର ଘରଭିତରେ ବସି ଦିନପରେ ଦିନ ରାତିପରେ ରାତି କାମ କରିଯିବାକୁ ମୁଁ ଯେପରି ଭଲପାଏ, ମୁକ୍ତ ପକ୍ଷୀ ପରି ରସ, ଦୃଶ୍ୟ, ଗନ୍ଧ ଓ ମାନବିକ ସମ୍ପର୍କର ସୁଧା ଆସ୍ୱାଦନ କରି ବୁଲିବାକୁ ମଧ୍ୟ ଠିକ୍ ସେହିପରି ଭଲପାଏ-। ଜୀବନରେ ଏହି ପର୍ଯ୍ୟାୟବାଚୀ ଆକୁଞ୍ଚନ ଓ ପ୍ରସାରଣ ଭିତରେ କୌଣସି ବିରୋଧ ରହିଚି ବୋଲି ମୁଁ ଅନୁଭବ କରି ପାରେନାହିଁ । ବାହାରେ ବୁଲୁଥିଲା ବେଳେ ମୁଁ ଆପଣାକୁ ସବୁରିଭିତରେ ପାଏ, ସବୁରି ଭିତରକୁ ଆପଣାକୁ ପ୍ରସାରିତ କରିଦେଇ ଧନ୍ୟ ହୁଏ । ଆପଣା ଘରଭିତରେ ଏକାନ୍ତରେ ବସି କାମ କରୁଥିବା ବେଳେ ମୁଁ ଆପଣାଭିତରେ ସମସ୍ତ ପୃଥିବୀକୁ ଅନୁଭବ କରିପାରେ । ମନର ଭୁଗୋଳକୁ ପୃଥିବୀର ଭୁଗୋଳ ସହିତ ସମସରି କରାଯାଇ ପାରିବନାହିଁ । ମୋତେ ଆଜି ପ୍ରାୟ ଏକହଜାର ମାଇଲ ଦୂରକୁ ଯାତ୍ରାକରି ଯିବାକୁ ହେବ । ତଥାପି ଏଠୁ ଯେପରି କିଛି ଛାଡ଼ିଦେଇ ଯିବାପରି ମନେ ହେଉନାହିଁ, ଏଠିକାର ସବୁ କର୍ମ ଓ କର୍ତ୍ତବ୍ୟର ଭାରକୁ ଫୋପାଡ଼ିଦେଇ ଓ ଦୂରକୁ ପଳାଇଯାଇ ମୁଁ ବଞ୍ଚିବି ବୋଲି ମୁଁ କୌଣସିପ୍ରକାର ଉତ୍ତେଜିତ ଆଶ୍ୱସ୍ତି ଅନୁଭବ କରି ପାରୁନାହିଁ । ମୁଁ ଭାବୁଚି, ଯେପରି ଏ ଘର କର୍ତ୍ତବ୍ୟପ୍ରତି ଏହି ଅନୁରାଗ ଓ ଏଠିକାର ଏକାନ୍ତତା, ସବୁ ମୋ’ସହିତ ଯିବ, ମୋର ତୃତୀୟ ନୟନ ଦେଇ ପୃଥିବୀରେ ବ୍ୟାପ୍ତ ହୋଇଯିବ । ମୁଁ ଆପଣାର ନୀଡ଼କୁ ବିଶ୍ୱନୀଡ଼ର ପିତୃତ୍ୱ ଦେବାର ସୁଅବସର ଲାଭ କରିବି । କାଲି ଏତେବେଳକୁ କେତେ ଗାଁ ଗଣ୍ଡା, ପର୍ବତ ଓ ଅରଣ୍ୟ ଦେଇ ମୁଁ ଗତି କରୁଥିବି, କର୍ମରତ‍ ଏକାନ୍ତ ମଣିଷକୁ କେତେସ୍ଥାନରେ ଅତିକ୍ରମ କରି ଯାଉଥିବି, ଏଥିରେ ପୁଣି ବ୍ୟସ୍ତ ବା ଉତ୍ତେଜିତ ହେବାର ଆଉ କ’ଣ ଅଛି ? ଆପଣାଘରର କବାଟ ଫିଟାଇଦେଇ ବାହାରର ପବନକୁ ଘରଭିତରକୁ ଡାକି ଆଣିବାଲାଗି ମୋତେ ଭୟ ଲାଗିବ କାହିଁକି ? ଆପଣା ପଥର ଏକାନ୍ତତାକୁ ଆହୁରି ଗଭୀରଭାବେ ଅନୁଭବ‍ କରିବାଲାଗି ମୁଁ ବାହାରର ପବନ ଓ ଆଲୋକକୁ ଆପଣା ଭିତରକୁ ଡାକି ଆଣିବି, ସଂସାରର ଏହି ପ୍ରସାରିତ ଆସନଟି ଉପରେ ମୁଁ ଧ୍ୟାନକରି ବସିବି ।

 

୨୨ । ୮ । ୫୯

 

ଭାରତ ଶ୍ରେଣୀସଂଘର୍ଷ ଚାହେନାହିଁ ବୋଲି କାଲି ସଦନସଚୀବ ଶ୍ରୀଯୁକ୍ତ ପନ୍ଥ ଲୋକସଭାରେ କହିଛନ୍ତି । ଗୋଟିଏ ସାଧୁବାକ୍ୟ ରୂପେ ମୁଁ ଏହି ଉକ୍ତିଟିକୁ ମାନିବାଲାଗି ପ୍ରସ୍ତୁତ ଅଛି-। କିନ୍ତୁ ମୋର ତା’ ସହିତ ଆଉ ଗୋଟିଏ ବାକ୍ୟ ଯୋଡ଼ିବାର ବି ରହିଚି । ଭାରତ ଶ୍ରେଣୀଭେଦ ଚାହେଁ ନାହିଁ, ଭାରତର ମଣିଷ ଶ୍ରେଣୀଭେଦକୁ ଓ ତଦ୍‌ଜନିତ ସକଳ ପ୍ରକାରର ଦାରିଦ୍ର୍ୟକୁ କଦାପି ସହ୍ୟ କରି ପାରିବନାହିଁ । ଶ୍ରେଣୀସଂଘର୍ଷ ନଚାହିବାର ଅର୍ଥ ଶ୍ରେଣୀଭେଦକୁ ବଜର କରି ରଖିବା ନୁହେଁ । ବର୍ତ୍ତମାନ ଭାରତର ସମାଜ ଯେମିତି ଅଛି ଠିକ୍ ସେମିତି ଥିବ, ଧର୍ମପରମ୍ପରା ନାମରେ ଆମେ ବର୍ତ୍ତମାନ ଯାହା ଅଛି, ତାହାକୁ ହିଁ ଲେଖିକରି ପଡ଼ି ରହିଥିବା, ତେବେ ମୁଁ କହିବି ଯେ ଶ୍ରେଣୀସଂଘର୍ଷକୁ ଆମେ ଯେତେ ଭୟ କଲେ ମଧ୍ୟ ତାହା ଏକ ଶକ୍ତିଶାଳୀ ଆହ୍ୱାନରୂପେ ଆମଆଗରେ ଅବଶ୍ୟ ଦଣ୍ଡାୟମାନ ହେବ । ଆମପାଖରେ ସମାଧାନର ଅନ୍ୟକୌଣସି ଭଲ ବାଟ ନଥିଲେ ଆମର ସବୁ ଅନିଚ୍ଛା ସତ୍ତ୍ୱେ ଆମକୁ ଏହି ଶ୍ରେଣୀସଂଘର୍ଷର ସକଳ ବିପତ୍ତିପାଖରେ ବେକ ଦେଖାଇବାକୁ ପଡ଼ିବ । ଭାରତର ମଣିଷ ନ୍ୟାୟ ଚାହେଁ, ମଣିଷର ସମ୍ମାନ ଚାହେଁ, ସୁନ୍ଦର ହୋଇ ବଞ୍ଚିରହିବାର ଅଧିକାର ଚାହେଁ, ଆପଣାର ମନୁଷ୍ୟତ୍ୱକୁ ମୁକୁଳିତ କରି ସେ ଧନ୍ୟ ହେବାକୁ ଚାହେଁ-। ତାହା ଆଜିମଧ୍ୟ ଏଦେଶରେ ଅନେକଙ୍କ ପାଇଁ ମନାହୋଇ ରହିଚି । ଧର୍ମର ଦ୍ୱାହି ଦିଆହୋଇ ନାନା ଅଧାର୍ମିକ ଜଡ଼ତାକୁ ବନ୍ଧ ପରି ପକାଇ ଏଦେଶରେ ମଣିଷର ପଥକୁ ରୁଦ୍ଧ କରି ଦିଆଯାଇଚି-। ଏହି ପଥକୁ ମୁକ୍ତ କରିବାକୁ ହେବ । ଏହା ସଂଘର୍ଷଦ୍ୱାରା ମୁକ୍ତ ହେବ ବା ଆଉକୌଣସି ମହତ୍ତର ପନ୍ଥାଦ୍ୱାରା ହେବ, ଶ୍ରେଣୀଭେଦରୁ ଭୋଗ ଜୀବନର ଏକଚାଟିଆ ଲାଭ ଉଠାଉଥିବା ଶ୍ରେଣୀର ମନଗତି ଉପରେ ହିଁ ତାହା ଅତିମାତ୍ରରେ ନିର୍ଭର କରୁଚି ।

 

୨୩ । ୮ । ୫୯

 

ଆଜି ବଡ଼ିଭୋରରୁ ହାଇଦ୍ରାବାଦରେ ଆସି ପହଞ୍ଚିଲି । କାଲି ଦିନଟାଯାକ ଛବିମୟ ମଧ୍ୟଭାରତରେ ଦୀର୍ଘପଥ ଅତିକ୍ରମ କରି କଟିଗଲା । ଆଗ୍ରା ଅଞ୍ଚଳର ପ୍ରଶସ୍ତ ସମତଳଭୂମିରେ ଅନେକଦିନରୁ ଅଭ୍ୟସ୍ତ ହୋଇ ଯାଇଥିବା ଆଖିକୁ ଅରଣ୍ୟ ଓ ପର୍ବତର ଛବିଳ ବିଚିତ୍ରତା ବଡ଼ ମନୋରମ ଲାଗିଲା । ମନଭିତରେ ଅନେକ ତୃପ୍ତି ଆଣିଦେଲା । ପ୍ରାୟ ଦୁଇବର୍ଷ ପରେ ଆଜି ଦକ୍ଷିଣଭାରତ ସହିତ ପୁଣି ସାକ୍ଷାତ ହେଲା । ଭାରତ ଯେ କେଡ଼େ ବଡ଼ କେତେ ବିଚିତ୍ର, ଜଣେ ଭାରତୀୟ ହୋଇପାରିବା ଯେ କେଡ଼େ ଗୌରବମୟ ଓ କେତେ ଦାୟିତ୍ୱପୂର୍ଣ୍ଣ, ଦକ୍ଷିଣ ଭାରତରୁ ଉତ୍ତର ଭାରତକୁ ଓ ଉତ୍ତର ଭାରତରୁ ଦକ୍ଷିଣ ଭାରତକୁ ଯାତ୍ରା କଲେ ତାହା ଉପଲବ୍‌ଧି କରିବାର ସୁଯୋଗ ମିଳିଥାଏ । ଆପଣାର କ୍ଷୁଦ୍ର ଭୌଗଳିକ ଜୀବନସୀମାକୁ ସଂସ୍କୃତିବିଷୟକ ଏକ ମୋହରେ ଚୂନ ଧଉଳାଇ ଦେଇ ସେ ସଜ୍ଜିତ ଓ ଆତ୍ମଲଘିମାସ୍ଫୀତ କ୍ଷୁଦ୍ରତାକୁ ଭାରତୀୟ ସଂସ୍କୃତିର ହୃତ୍‌ପିଣ୍ଡ ବୋଲି କହି ଆମେ ଅନେକ ସମୟରେ ଅତି ଭୀଷଣ ଓ ଶୋଚନୀୟ ଭାବରେ ବଡ଼ ଅସାଂସ୍କୃତିକ ହୋଇ ପଡ଼ିଥାଉ । ଆମ ଜୀବନର ଜଳାଶୟରେ ସରଳତାର ଗୋଟିଏ ତରଙ୍ଗ ଖେଳାଇବାର ଅବସର ମଧ୍ୟ ଆମ ଭାଗ୍ୟରେ ଜୁଟେନାହିଁ । ଭାରତଭ୍ରମଣ କଲେ ହିଁ ସେହି ଜଳାଶୟ ବାରିଧିର ସ୍ପନ୍ଦନ ଅନୁଭବ କରେ, ଯାବତୀୟ ବିଚିତ୍ର ସହିତ ଆତ୍ମୀୟତା ଅର୍ଜନ କରି ତେବେଯାଇ ସମସ୍ତ ଦେଶକୁ ଆପଣାର ବୋଲି କହିବାକୁ ମନ ହୁଏ, ଆପଣାର ବୋଲି ଅନୁଭବ କରିହେବ । ନାନା ଭାଷା, ନାନା ଆଚାର, ନାନା ଭୂଷଣ ଓ ମଣ୍ଡନଭିତରେ ତଥାପି ଯେ ଏକ ସାଂସ୍କୃତିକ ମର୍ମସୂତ୍ରତା ରହିଚି, ଆପଣାଘରୁ ଗୋଡ଼ କାଢ଼ି ଭାରତର ତୀର୍ଥଯାତ୍ରା କରି ବାହାରିଲେ ତେବେଯାଇ ଏକଥା ଅନୁଭବ କରିହୁଏ । ଆର୍ଯ୍ୟ ଅନାର୍ଯ୍ୟ, ଆଦିମ ସଭ୍ୟ, ପ୍ରାଚୀନ ଓ ଅର୍ବାଚୀନର ସମସ୍ତ ବିଭେଦ ଦୂର ହୋଇ ଆମଭିତରେ ଏକ ସାଂସ୍କୃତିକ ଚକ୍ଷୁର ଉଦ୍‌ଗମ୍ ହୁଏ । ସକଳପ୍ରକାର ସ୍ଥାନୀୟତା ସତ୍ତ୍ୱେ ଭାରତୀୟତାର ସ୍ୱାଦ ମିଳେ ।

 

୨୪ । ୮ । ୫୯

 

ପ୍ରତ୍ୟେକ କ୍ଷେତ୍ରରେ ମୁଁ ଯେପରି କେବଳ ମଣିଷର ପରିଚୟ ନେଇ ପ୍ରବେଶ କରିପାରେ; ମୁଁ ଓଡ଼ିଆ ନୁହେଁ, ମୁଁ ଭାରତୀୟ ନୁହେଁ, ମୁଁ ମଣିଷ-ଓଡ଼ିଶା ଓ ଭାରତର ସାଂସ୍କୃତିକ ମାଟି ମୋ’ଭିତରେ ଯେପରି ଏହିପରି ଏକ ଦୃଷ୍ଟିଗତ ଜୀବନରସ ଭରି ଦେଇଯାଉ । କୌଣସି ପ୍ରକାର ଅନୁଭବଗତ‍ ବିଭେଦଦ୍ୱାରା ମୁଁ ସାଂସ୍କୃତିକ ପ୍ରସାରକୁ ବିଚ୍ଛିନ୍ନ ଓ ବିଖଣ୍ଡିତ କରି ନପକାଏ । ଓଡ଼ିଶା ଓ ଭାରତବର୍ଷ ବିଖଣ୍ଡିତ ହୋଇ ବଞ୍ଚିନାହାନ୍ତି, ଆପଣା ଜୀବନଯଜ୍ଞର ପୁଣ୍ୟଭୂମି ଉପରକୁ ସଂସାରର ସବୁ ମଣିଷଙ୍କୁ ଆହ୍ୱାନ କରି ହିଁ ସେମାନେ ଏହି ସଂସାରରେ ବଞ୍ଚି ରହିଛନ୍ତି, ସମସ୍ତଙ୍କ ସହିତ ମିଶିବାର ବିଶିଷ୍ଟ କଳାଦ୍ୱାରା ହିଁ ସେମାନେ ଆପଣାର ବୈଶିଷ୍ଟ୍ୟକୁ ରକ୍ଷା କରିଛନ୍ତି । ଭାରତର ଏହି ସଳିତାଟିକୁ ଆପଣାର ଜୀବନଦୀପ ଭିତରେ ଜଳାଇ ରଖି ପାରିବାକୁ ହେଲେ ମୋତେ ଅନେକ ବଡ଼ ହେବାକୁ ପଡ଼ିବ, ମୋ’ ଦୃଷ୍ଟିକୁ ଆହୁରି ପ୍ରସାରିତ କରିବାକୁ ପଡ଼ିବ, ମୋ ଜୀବନଭୂମିକୁ ଆହୁରି ସାର୍ବଜନୀନ ଓ ସର୍ବତୋମୁଖ କରିବାକୁ ପଡ଼ିବ । ପ୍ରଥମେ କାଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ବିସ୍ତୃତ ଏହି ପ୍ରାଚୀନ ଓ ତଥାପି ସମ୍ଭାବନାମୟ ଭୂମିକୁ ଅନ୍ତରଭିତରେ ଆପଣାର ବୋଲି ଅନୁଭବ କରି ମୋତେ ତା’ପରେ ବିଭେଦବାଚୀ ସମସ୍ତ ସାଗର ଓ ପର୍ବତ ଅତିକ୍ରମ କରିଯିବାକୁ ପଡ଼ିବ । ଲ୍ୟାପ୍‌ଲ୍ୟାଣ୍ଡ-ଅଧିବାସୀର ‘ଚାରିପବନର ଟୋପି’ (Nelja Tuulen Lakki) ପରି ମୋର ଚିତ୍ତକୁ ମଧ୍ୟ ଚାରିପବନର ରଙ୍ଗ ଓ ସ୍ପର୍ଶ ଦେବାକୁ ପଡ଼ିବ ।

 

୨୫ । ୮ । ୫୯

 

ଏଣିକି ଆମେ ଆଉ ବ୍ୟକ୍ତି ଉପରେ ନିର୍ଭର କରି ପାରିବାନାହିଁ, ଏଥର ଅନୁଷ୍ଠାନ ବା ସମୂହକୁ ବଦଳାଇବାକୁ ପଡ଼ିବ,–ଏପରି ଏକ କଥା ଶୁଣି ମୁଁ କାଲି ଶଙ୍କିତ ହୋଇ ଉଠିଲି । ବ୍ୟକ୍ତିକୁ ବାଦ୍ ଦେଇ ବକ୍ତା କିଭଳି ଅନୁଷ୍ଠାନର କଳ୍ପନା କରୁଥିଲେ କେଜାଣି ? ଭାରତର ହେଉ ବା ପୃଥିବୀର ହେଉ, ଆମର ସମସ୍ୟା ବ୍ୟକ୍ତିର ସମସ୍ୟା, ବ୍ୟକ୍ତିକୁ ମୃତପ୍ରାୟ କରି ରଖିଥିବା ନାନା ଜଡ଼ତା, ଆଳସ୍ୟ, ଉଦାସୀନତା ଓ ହୀନ ଭାବନାର ସମସ୍ୟା । ଆମଭିତରେ ଅଶେଷ ଦ୍ୱନ୍ଦର ଭୟାବହ ପୀଡ଼ନ ଚାଲିଛି, ସେଥିଲାଗି ଆମର ସମାଜ ଓ ଗୋଷ୍ଠୀ ମଧ୍ୟ ନାନା ଦ୍ୱନ୍ଦରେ ପୀଡ଼ିତ ହୋଇ ରହିଛନ୍ତି । ଆମଭିତରେ ନାନାପ୍ରକାର ଭୟ ଆମକୁ ଜଘନ୍ୟ କରି ରଖିଚି, ଆମର ସଂଗ୍ରହ ଓ ସମର୍ପଣ କରିବାର ପ୍ରବୃତ୍ତିକୁ ନାନାପ୍ରକାରେ ବ୍ୟାହତ କରି ରଖିଚି । ସେଥିଲାଗି ଆମର ତଥାକଥିତ ଅନୁଷ୍ଠାନ ଓ ଆନୁଷ୍ଠାନିକ ଆଦର୍ଶମାନ ମଧ୍ୟ ନାନାପ୍ରକାର ଭୟ ଓ ଉଗ୍ରତାରେ ପ୍ରପୀଡ଼ିତ ହୋଇ ରହିଚି । ଆମେ ପରସ୍ପର ପାଖରେ ନିର୍ମଳ ଓ ନିର୍ଭୀକ ଭାବରେ ଆପଣାର ଦ୍ୱାର ଖୋଲିଦେଇ ପାରୁନାହୁଁ, ଆମ ହୃଦୟ ଭିତରେ ଆମେ ମଣିଷକୁ ଅର୍ଥାତ୍ ପରସ୍ପରକୁ ଅନୁଭବ କରିପାରୁନୁ । ଅନେକ ସମୟରେ ଆପଣାକୁ ମଧ୍ୟ ଆମେ ଆପଣାଭିତରେ ଶାନ୍ତ ହୋଇ ଅନୁଭବ କରିପାରୁନୁ । ଯାହାର ଆତ୍ମରୂପ-ଦର୍ଶନ ହୋଇନାହିଁ, ତାହାର ବିଶ୍ୱରୂପ-ଦର୍ଶନ କିପରି ସମ୍ଭବ ହୋଇପାରିବ ? ଯିଏ ଆପଣା ସହିତ ସଖ୍ୟ ସ୍ଥାପନ କରି ପାରିନାହି, ତା’ ସମାଜରେ ସଖ୍ୟ ଓ ସଦ୍‌ଭାବ କିପରି ସମ୍ଭବ ହୋଇ ପାରିବ ? ତେଣୁ ବର୍ତ୍ତମାନର ସଙ୍କଟ ପ୍ରତ୍ୟେକ ବ୍ୟକ୍ତିର ସଙ୍କଟ, ପ୍ରତ୍ୟେକ ବ୍ୟକ୍ତି-ଭିତରେ ବଦ୍ଧମୂଳ ହୋଇ ବସିଥିବା ଜଡ଼ତା, ଭୟ ଓ ହୀନଭାବନାର ସଙ୍କଟ । ଆମର ସବୁ ସମସ୍ୟାର ମୂଳକୁ ଭେଦ କରିବାକୁ ହେଲେ ଆମକୁ ବ୍ୟକ୍ତିଗତ ଜୀବନ ଦର୍ପଣର ଭୂମି ଉପରେ ସବୁ କଥାକୁ ଅବଲୋକନ କରି ଶିଖିବାକୁ ହେବ, ଆପଣାକୁ ଅବଲୋକନ କରି ଶିଖିବାକୁ ହେବ । ଆପଣାର ସମ୍ମୁଖୀନ ହୋଇପାରିଲେ ଆମେ ଯାବତୀୟ ସାମୂହିକତାର ସମ୍ମୁଖୀନ ହୋଇପାରିବା ଓ ସାମାଜିକ ଅଡ଼ୁଆ ଗୁଡ଼ିକୁ ସଜାଡ଼ି ପାରିବା ।

 

୨୬ । ୮ । ୫୯

 

ଆଜି ଦିନଟି ଚମ୍ପତିମୁଣ୍ଡାର ଦିନ, ଜୀବନ ବିଦ୍ୟାଳୟର ଦିନ, ଭୟ ଓ ଘୃଣାରୁ ବଞ୍ଚିରହିବା ଲାଗି ସଂକଳ୍ପ ଗ୍ରହଣ କରିବାର ଦିନ । ପାଞ୍ଚବର୍ଷ ତଳେ ଏହିପରି ଏକ ସଂକଳ୍ପ ନେଇ ମୁଁ ଏକ ଦୁଃସାହସ ଆରମ୍ଭ କରିଥିଲି । ମୋତେ ଉତ୍ସାହ ଦେବାକୁ ଓ ସାହାଯ୍ୟ କରିବାକୁ ମୋ’ ସାଙ୍ଗକୁ ସେଦିନ ଅନେକ ଲୋକ ଥିଲେ । ମୋର ସଂକଳ୍ପକୁ ସେମାନେ କେତେଦୂର ବୁଝିଛନ୍ତି ବା ଭୟ ଓ ଘୃଣାରୁ ମୁକ୍ତ ହେବାଲାଗି ସେମାନଙ୍କ ଭିତରେ କେତେଦୂର ସଦିଚ୍ଛା ଅଛି, ମୁଁ ସେଦିନ ସେକଥା ଆଦୌ ଜାଣିନଥିଲି । ଆପଣାକୁ କେବଳ ସମ୍ପୂର୍ଣ୍ଣ ଭାବରେ ସମର୍ପଣ କରିଦେବାର ଏକ ଉତ୍ସାହ ଓ ଆନନ୍ଦରେ ସମସ୍ତଙ୍କ ସହିତ ମିଶି ମୁଁ କାମଟିର ମୂଳଦୁଆ ପକାଇଥିଲି । ଚାରିବର୍ଷକାଳ ମୋର ସମସ୍ତ ଶକ୍ତି ଓ ସମୟ ଦେଇ ମୁଁ ସେହି ସଂକଳ୍ପ ଅନୁସାରେ କାମ କରିଥିଲି, ମୋ’ ଭିତରେ ରହିଥିବା ସକଳ ଅପୂର୍ଣ୍ଣତା ଓ ଦାରିଦ୍ର୍ୟ ସତ୍ତ୍ୱେ ମୁଁ ଆପଣାର କାର୍ଯ୍ୟରେ କଦାପି ତ୍ରୁଟି କରିନଥିଲି । ଅଧିକରୁ ଅଧିକ ନିଷ୍କାମ ଓ ସ୍ୱାଭାବିକ ଭାବରେ ଆପଣାକୁ ନାନାପ୍ରକାରେ ଏକ ମହାନ୍ କାର୍ଯ୍ୟରେ ସମର୍ପଣ କରିଦେଇ ମୁଁ ଆପଣାର ଦୁର୍ବଳତାକୁ ପାରହୋଇ ଯିବାଲାଗି ଚେଷ୍ଟା କରୁଥିଲି । ସେଇ ଚାରିଟା ବର୍ଷ ଚମ୍ପତିମୁଣ୍ଡା ବ୍ୟତୀୟ ମୋର ଅନ୍ୟ କୌଣସି ଆଗ୍ରହ ହିଁ ନଥିଲା ବୋଲି କହିବାକୁ ହେବ । ଚାରିବର୍ଷ ପରେ ସେଠି ଏକାକୀ ମଧ୍ୟ ଠିଆହେବାକୁ ପଡ଼ିଥିଲା । ସେହି କାର୍ଯ୍ୟରେ ମୋ’ ସହିତ ଯେ କେହି ନାହାନ୍ତି, ଏକଥା ଆବିଷ୍କାର କରିବାଲାଗି ମୋତେ ଚାରିବର୍ଷ ଲାଗିଥିଲା । ଆଜି ଚମ୍ପତିମୁଣ୍ଡାରୁ ଜୀବନ-ବିଦ୍ୟାଳୟର ଅବସାନ ଘଟିଚି । ତା’ର ଦେହାବଶେଷକୁ ନେଇ ଆଜି ଭୟ, ଘୃଣା ଓ କ୍ଷମତା ଦ୍ୱାରା ଆସକ୍ତ ଶାସନର ମାଂସ ଓ ରକ୍ତ ଦେଇ ସେଠି ଯାହା ଗଢ଼ିବାର ଚେଷ୍ଟା କରାଯାଉଛି, ତାହାର ରୂପ ଯେ କିପରି ହେବ, ମୁଁ ସେକଥା କଳ୍ପନା କରି ପାରୁନାହିଁ । ସେଥିରେ ପୁଣି ଆଦର୍ଶର ପାଟଲୁଗା ପିନ୍ଧାଇ ଦେଲେ ତାହା ଆହୁରି ଭୟଙ୍କର ହୋଇଉଠିବ ।

 

୨୭ । ୮ । ୫୯

 

କାଲି ଦିନଯାକ ବର୍ଷା ଲାଗି ରହିଥିଲା । ବର୍ଷାର ଏହି ଦର୍ପଣ ଉପରେ ମୁଁ ଯେମିତି ଚମ୍ପତି ମୁଣ୍ଡାର ବନ ଓ ପର୍ବତକୁ ବାରବାର ଦେଖିବାକୁ ପାଉଥିଲି, ସେଠାରେ ଥିବା ପିଲା ଓ ଶିକ୍ଷକମାନଙ୍କୁ ଦେଖିବାକୁ ପାଉଥିଲି, ସେଠାରେ ଅତିବାହିତ ହୋଇ ଯାଇଥିବା ମୋର ପ୍ରତ୍ୟେକଟି ଦିନକୁ ମୁଁ ଦେଖିବାକୁ ପାଉଥିଲି । ଏହି ମମତାକୁ କେବଳ ଏକ ଭାବପ୍ରବଣତା ବୋଲି କୁହାଯାଇ ପାରିବନାହିଁ । ଏହି ଆକର୍ଷଣକୁ କେବଳ ଦାୟିତ୍ୱହୀନ ଅତୀତ ପ୍ରତି ଏକ ଆକର୍ଷଣ ବୋଲି କୁହାଯାଇ ପାରିବନାହିଁ । ଜୀବନରେ ମୁଁ ଆଉ କେବେ ମଣିଷର ଏତେ ନିକଟକୁ ଆସିନଥିଲି, ମଣିଷର ଦୁଃଖ, ସୁଖ, ରାଗ ଓ ସ୍ନେହରେ ଭାଗ ନେବାଲାଗି ଆଉ କେବେ ଏତେ ବେଶୀ ସୁଯୋଗ ପାଇନଥିଲି, ଏତେବେଶୀ ନିର୍ଭୟ ଓ ନିଃଶଙ୍କ ହୋଇ ଆପଣାକୁ କେବେ କୌଣସି କାର୍ଯ୍ୟରେ ସମର୍ପଣ କରିନଥିଲି । ସେଇଥିପାଇଁ ମୁଁ ଯୋଉଠି ରହିଲେ ମଧ୍ୟ ଚମ୍ପତିମୁଣ୍ଡାରେ ହିଁ ମୋ’ ଜୀବନର ସରିଏ ସୂତା ତଥାପି ବନ୍ଧାହୋଇ ରହିଥିବା ପରି ମନେହେଉଚି । ଚମ୍ପତିମୁଣ୍ଡାରେ ମୋ’ ଜୀବନର ଏକ ବଡ଼ ଚେର ଏପର୍ଯ୍ୟନ୍ତ ରହିଚି । ସେଇ ଚେର କଦାପି ଛିଡ଼ିବାର ନୁହେ । ଚାରିବର୍ଷ ଭିତରେ ମୁଁ ଚମ୍ପତିମୁଣ୍ଡାରେ କି ଭୁଲ କରିଚି, ଅନ୍ୟମାନେ କି ଭୁଲ କରିଚନ୍ତି, ମୋର ସେ ବିଷୟରେ ଖୁବ୍‌ବେଶୀ ଭାବିବାକୁ ଇଚ୍ଛା ହୁଏନାହିଁ । କିନ୍ତୁ ମୁଁ ସେଠି ଯେ ଆପଣା ଜୀବନର ଅନେକ ଅନାବିଷ୍କୃତ ବାଟର ସୂଚନା ପାଇଚି, ଆପଣା ଭିତରେ ଲୁକ୍‌କାୟିତ ହୋଇ ରହିଥିବା ଅନେକ ଶକ୍ତିର ସନ୍ଧାନ ପାଇଚି, ଜୀବନ ଓ ଜଗତର ଅନେକ ସମ୍ଭାବନାକୁ ମୁଁ ଯେ ସେଠି ଅତିବଡ଼ ସତ୍ୟରୂପେ ଅନୁଭବ କରିପାରିଚି, ତାହାହିଁ ମୋତେ ଚମ୍ପତିମୁଣ୍ଡା ସହିତ ସବୁଦିନେ ବାନ୍ଧି ରଖିଥିବ । ଏବଂ ସେଇଥିପାଇଁ ପ୍ରତ୍ୟେକ ଅଗଷ୍ଟ ମାସର ଛବିଶି ତାରିଖ ମୋ’ ଜୀବନରେ ଅବିସ୍ମରଣୀୟ ହୋଇ ରହିଥିବ ।

 

୨୮ । ୮ । ୫୯

 

We talkers । କଥାର କୁଢ଼ଭିତରେ ଯେଉଁଠି ଜୀବନର ସମସ୍ତ ସତ୍ୟ ପୋତି ହୋଇଯାଏ, ସେଠାରେ ଆମେ ଆଉକି ଆଶା କରିପାରିବା ? ଆମେ ଯାହା ଜାଣିଥାଉ ବା ନଜାଣିଥାଉ, ଅନ୍ୟମାନଙ୍କଠାରୁ ଅଧିକ କଥା କହିବାରେ ହିଁ ଆମେ ପରମ ତୃପ୍ତି ଲାଭ କରିଥାଉ । ଅନ୍ୟର କ’ଣ କରିବାର ଅଛି, ଅନ୍ୟର ମତ ଶୁଣିବାଦ୍ୱାରା ମୁଁ ମଧ୍ୟ ଯେ ଉପକୃତ ହୋଇପାରିବି, ଏ ବିଷୟରେ କିଛି ନଭାବି ଆମେ ଯେଉଁଠାକୁ ଯାଉ, ସେଠାରେ କେବଳ କଥାର ଉଦ୍‍ଗାର କରି ପରମ ଆନନ୍ଦ ପାଉ । ସମସ୍ୟାର ସମାଧାନ କରିବା ଅପେକ୍ଷା ଯେପରି ଆପଣାର କଥା ଓ ଅକଥାକୁ ଦୁଇତିନିଗୁଣ କରି କହିବା ବ୍ୟତୀତ ଆମର ଆଉ ଅନ୍ୟ କୌଣସି ଉତ୍ସାହ ହିଁ ନଥାଏ । କଥା କହିବାର ସୁଯୋଗ ପାଇବାଲାଗି ବୋଧହୁଏ ଆମେ ଅନେକ ସମୟରେ ସମସ୍ୟାମାନ ସୃଷ୍ଟି କରୁ, ନାନାପ୍ରକାର ମହତ୍ତ୍ୱ ଓ ଗୁରୁତ୍ୱର ପଙ୍କ ବୋଲି ଏହିସବୁ ସମସ୍ୟାକୁ ଆମେ ଯଥାସମ୍ଭବ ବଡ଼ କରି ଦେଖାଉ ଏବଂ ଶୁଣିବା ଲୋକ ପାଇବା ମାତ୍ରକେ ଯନ୍ତ୍ରପରି କଥାର ଖାଦ ବାହାର କରିବାରେ ଲାଗିଯାଉ । ମଣିଷ ନୀରବ ରହି ଯେ ସତ୍ୟର ଯଥାର୍ଥତାର ପରିଚୟ ପାଏ, ଏପରି କହି ଶାସ୍ତ୍ର ମଣିଷକୁ ମୁକ ରହିବାର ଉପଦେଶ ଦେଇନାହିଁ । କିନ୍ତୁ ଅନ୍ୟର କଥାକୁ ଶୁଣି ଆମେ ଅଧିକ ଉପକୃତ ହେବାର ବାଟ ବତାଇ ଦେଇଚି ।

 

୨୯ । ୮ । ୫୯

 

ଯଦି ଗଣ ବ୍ୟକ୍ତି ଅର୍ଥାତ୍ ପ୍ରତ୍ୟେକ ବ୍ୟକ୍ତି ଆରମ୍ଭ ହୋଇ ନପାରିବ, ତେବେ ଗଣତନ୍ତ୍ର ଗଣତନ୍ତ୍ର ହୋଇ ରହିବନାହିଁ । ତଥାକଥିତ ଜନତା ବା ଗଣର ତନ୍ତ୍ରନାମରେ ଆମେ ଆମର ସ୍ୱେଚ୍ଛାତନ୍ତ୍ରର ହିଁ ପ୍ରତିଷ୍ଠା କରିଥାଉ, ଆମ ନିଜର ବା ଆମ ଦଳର ହିଁ ଶାସନ ପ୍ରତିଷ୍ଠା କରିଥାଉ । ସବୁ ଜନତା ନାଆଁରେ ଚାଲେ, ସବୁ ଗଣତନ୍ତ୍ର ନାଆଁରେ ଚାଲେ, କିନ୍ତୁ ତଥାପି ଗଣତନ୍ତ୍ରର ପ୍ରତିଷ୍ଠା ହୋଇ ପାରେନାହିଁ । ଆମେ ସମସ୍ତେ କେବଳ ଆପଣା ଅହଂର ପ୍ରତିଷ୍ଠା କରିବାଲାଗି ବଡ଼ ବଡ଼ ଆନ୍ଦୋଳନରେ ଯୋଗଦେବାକୁ ଆସିଥାଉ । ତେଣୁ ଆନ୍ଦୋଳନର ଆଦର୍ଶ ଯେଡ଼େ ଶୁଦ୍ଧ ଓ ମହାନ୍ ହେଲେ ମଧ୍ୟ ଆମ ମନ୍ଦ ମତଲବର ବିଷ ପଶି ସବୁ କେବଳ ଅଶୁଦ୍ଧ ଓ ନିକୃଷ୍ଟ ହୋଇ ପଡ଼ିରହେ । ତେଣୁ ଗଣତନ୍ତ୍ରରେ ଖାଲି ଗଣକୁ ମେଣ୍ଢାପଲ ପରି ଏକାଠି କରିବା ବଡ଼ କାମ ନୁହେଁ । ଗଣତନ୍ତ୍ରରେ ମଧ୍ୟ ଗୁଣ ବିକାଶ ପ୍ରଧାନ କାର୍ଯ୍ୟ । ଗଣତନ୍ତ୍ର ଲାଗି କାର୍ଯ୍ୟ କରିବାକୁ ହେଲେ ମୋତେ ଅନେକ ଯତ୍ନସହିତ ଆପଣା ଗୁଣଗୁଡ଼ିକର ମଧ୍ୟ ବିକାଶ କରିବାକୁ ହେବ । ମୁଁ ବ୍ୟକ୍ତିମାତ୍ରକେ ସମସ୍ତଙ୍କୁ ସମ୍ମାନ ଦେବି, ପ୍ରତ୍ୟେକ ମଣିଷର କଥା ଶୁଣିବାକୁ ଧୈର୍ଯ୍ୟଶୀଳ ହୋଇ ରହିବି, କୌଣସି ଏକ ପ୍ରତିଭାସିତ ସତ୍ୟଉପରେ ଆପଣାକୁ ଅଠାପରି ଲାଖି ରହିବାକୁ ନ ଦେଇ ମୁଁ ଅନ୍ୟଠାରୁ ଗ୍ରହଣ କରିବି ଓ ତଦ୍ଦ୍ୱାରା ଅଧିକ ସମ୍ପଦବାନ୍ ହେବାକୁ ତତ୍ପର ରହିବି । ଅନ୍ୟ ବ୍ୟକ୍ତିକୁ କେବଳ କୌଣସି କଞ୍ଚାମାଲ ପରି ବିଚାର କରି ମୁଁ ଯେତେଦିନଯାଏ ତାକୁ ନେଇ ମୋର କ୍ଷମତା, ମୋର ଶାସନ ଓ ମୋର ଅହଂଚାରିତର ପିତୁଳା ଗଢ଼ୁଥିବି, ଯେତେଦିନଯାଏ ମୁଁ ଅପର ସହିତ କେବଳ ବିରୋଧୀ ହୋଇ ରହିଥିବି, ମୁଁ ଯେତେଦିନଯାଏ ଆପଣାକୁ ଗଣତନ୍ତ୍ରର କୌଣସି ସେବାରେ ଲଗାଇ ପାରିବିନାହିଁ । ଆପଣା ଓ ଅପର ମଧ୍ୟରେ ପ୍ରକୃତରେ ଯେତିକି ବିରୋଧ ତୁଟୁଥିବ, ମୁଁ ସେତିକି ଯଥାର୍ଥଭାବରେ ଗଣତନ୍ତ୍ର ଲାଗି ପ୍ରସ୍ତୁତ ହେଉଥିବି । ତେଣୁ ଗଣତନ୍ତ୍ର ପ୍ରଧାନତଃ ଶାସନର ଛାଞ୍ଚକୁ ବଦଳାଇବାର ସମସ୍ୟା ନୁହେଁ, ଶାସନର ସୂତାକୁ ଅଧିକ ଲମ୍ବା କରିବାର ସମସ୍ୟା ନୁହେଁ,–ଗଣତନ୍ତ୍ରର ସମସ୍ୟା ବ୍ୟକ୍ତିର ସମସ୍ୟା, ଗୁଣ ବିକାଶର ସମସ୍ୟା, ଦୃଷ୍ଟିକୋଣରେ ପରିବର୍ତ୍ତନ ଆଣିବାର ସମସ୍ୟା ନମ୍ର, ସହନଶୀଳ ଓ ଗ୍ରହଣଶୀଳ ହେବାର ସମସ୍ୟା । ଏହା ଏକ ମାନବିକ ସମସ୍ୟା ।

 

୩୦ । ୮ । ୫୯

 

ଦୁଃଖ ସହିବାକୁ ହିଁ ପଡ଼ିବ । ଦୁଃଖ ସହିବାର କଳା ହେଉଚି ଜୀବନର ଶ୍ରେଷ୍ଠତମ କଳା-। ଦୁଃଖ ଜୀବନକୁ ନମନୀୟ କରାଏ, ମନରେ ଭକ୍ତି ଆଣି ଦିଏ, ଜୀବନରେ ଅଧିକା ଶ୍ରଦ୍ଧା, ଅଧିକ ବିଶ୍ୱାସ ଓ ଅଧିକ ବିନୟ ଆଣିଦିଏ । ଦୁଃଖ ଆମକୁ ସଂସାରର ନାନା ପାତ୍ରରେ ନାନାପ୍ରକାର ଅବସରରେ ଯୁକ୍ତ କରି ରଖେ, ସୁଖବେଳେ ଜଗତକୁ ଚିହ୍ନି ହୁଏ ନାହିଁ, ଆପଣାକୁ ଚିହ୍ନି ହୁଏ ନାହିଁ, ଆପଣାଭିତରେ ଭଗବାନଙ୍କୁ ଚିହ୍ନି ହୁଏ ନାହିଁ । ସବୁରି ସହିତ ମିଶିବାର ଓ ସବୁରିପାଇଁ ବଞ୍ଚିବାର ଏକ ଅପୂର୍ବ ସମ୍ଭାବନା ଆପଣା ଭିତରେ ରହିଚି ବୋଲି ଅନୁଭବ ହିଁ କରି ହୁଏ ନାହିଁ । ତେଣୁ ମୁଁ ଦୁଃଖରେ ବିଚଳିତ ହୋଇ ପଡ଼ିବି ନାହିଁ । ଯିଏ ଦୁଃଖବେଳେ ଯେତିକି ସ୍ଥିର, ଶାନ୍ତ ଓ ପ୍ରସନ୍ନ ରହିପାରିବ, ସେ ଆପଣା ଜୀବନର ସେତିକି ଗଭୀର ବୋଧ ପାଇପାରିବି । ଆମେ ଅନେକ ସମୟରେ ସୁଖର ଲାଳସାରେ ଦୁଃଖର ପ୍ରସାଦ ହରାଇବସୁ, ସୁଖର ଲୋଭରେ ଦୁଃଖ ଅନୁଭବ କରିବାର କଳାକୁ ପାସୋରି ପକାଉ । ସୁଖ କୌଣସି ସନ୍ତୋଷ ଦେଇ ପାରେନାହିଁ, ସୁଖର ସିଡ଼ିରେ ଉପରକୁ ଅନାଇ ଅନାଇ ଆମେ ବର୍ତ୍ତମାନ ସୁଖକୁ ବି ଆସ୍ୱାଦନ କରିବାର ସୁଯୋଗ ପାଇ ପାରୁନାହିଁ । ପରିବାର, ସଂସାର ଓ ଆତ୍ମୀୟସ୍ୱଜନ,–ଏମାନେ ସମସ୍ତେ ଅତି ଆପଣାର, କେବଳ ଦୁଖବେଳେ ହିଁ ଏହାର ପରିଚୟ ମିଳେ, ଦୁଃଖବେଳେ ହିଁ ଆପଣାକୁ ସବୁରି ଭିତରକୁ ପ୍ରସାରି ଦେଇ ଆନନ୍ଦ ଲାଭ କରିବା ସମ୍ଭବ ହୁଏ । ତେଣୁ ଦୁଃଖକୁ ଭଗବାନଙ୍କର ବୋଝ ବୋଲି ମନେକରିବା ଉଚିତ ନୁହେଁ, ଦୁଃଖଭୋଗ କରିବାକୁ ପଡ଼ିଲା ବୋଲି ଭାଗ୍ୟକୁ ଏବଂ ଅଜ୍ଞାନତାବଶତଃ ଭଗବାନଙ୍କୁ ଅଭିଶାପ ଦେବା ଉଚିତ ନୁହେଁ, ସଂସାରପ୍ରତି ଦ୍ୱେଷ କରିବା ଉଚିତ ନୁହେଁ, ନାନାପ୍ରକାର ଖେଦ ଓ କ୍ଷୁନ୍ନତାର ଜଳାଶୟ ସୃଷ୍ଟି କରି ଅବସନ୍ନ ଅଭିମାନର ପଙ୍କଭିତରେ ସଂସାରର ଆନନ୍ଦରୁ ବଞ୍ଚିତ ହୋଇ ରହିବା ଉଚିତ ନୁହେଁ ।

 

୩୧ । ୮ । ୫୯

 

ଅନ୍ୟମାନେ କ’ଣ କହୁଚନ୍ତି, ଅନ୍ୟମାନେ କିପରି ଚିନ୍ତା କରୁଚନ୍ତି, ଏକଥା ଆଗ ଜାଣିବାଲାଗି ଏକ ସ୍ଵାଭାବିକ ଆଗ୍ରହ ରଖିବାକୁ ଗଣତାନ୍ତ୍ରିକ ମନୋବୃତ୍ତି ବୋଲି କୁହାଯାଇପାରିବ । ଆଲୋଚନାବେଳେ ମୁଇଁ ସବୁ କହିବି, ସବୁ ପ୍ରଶ୍ନର ଉତ୍ତର ମୁଇଁ ଦେବି, ଦରକାର ପଡ଼ିଲେ ମୁଇଁ ପ୍ରଶ୍ନ ତିଆରି କରିବି, ଏହାଦ୍ୱାରା ସମ୍ମିଳିତ ବିଚାର ଓ ସମ୍ମିଳିତ ମତ ବିନିମୟ ସମ୍ଭବ ହୋଇପାରେ ନାହିଁ । ଗଣତନ୍ତ୍ର ବିଷୟରେ ଆଲୋଚନା କରିବାକୁ ଗଲାବେଳେ ମଧ୍ୟ ଆମେ ବଡ଼ ଅଗଣତାନ୍ତ୍ରିକ ରୀତିରେ ଅନ୍ୟମାନଙ୍କର ମତ ଓ ବିଚାରକୁ ଗିଳି ଦେବାର ଫିକର କରିବସୁ । ଆମର ପ୍ରତ୍ୟେକ କଥା ଭିତରେ ଏକ aurthorititian ମନୋଭିଳାଷ ପ୍ରକଟିତ ହୋଇ ଉଠୁଥାଏ । ଏହାଦ୍ୱାରା ପୁରୁଣା ନେତାର ଆସନ ଅଟଳ ରହେ, ସମସ୍ତଙ୍କ ପାଇଁ ଆସନ ସଜା ହୋଇଥିଲେ ମଧ୍ୟ କେବଳ ଜଣେ କଥା କହେ, ଜଣେ ଅଡ଼ାଇ ନେବାକୁ ଚେଷ୍ଟା କରେ । ଅନ୍ୟମାନେ କେବଳ ପଛେପଛେ ଯାଆନ୍ତି, କେବଳ ଗ୍ରହଣ କରନ୍ତି । ଗଣତନ୍ତ୍ରରେ ଯିଏ ନେତା ହେବ, ତାକୁ ଏହିସବୁ ପୁରୁଣା ଖେଳ ଓ ପୁରୁଣା ମୁଖାକୁ ଛାଡ଼ିକରି ଆସିବାକୁ ପଡ଼ିବ । ସେ ଆପେ କହିବନାହିଁ, ଅନ୍ୟକୁ କୁହାଇ ଶିଖିବ । ସେ ବାଟ ଚଳାଇନେବ ନାହିଁ, ସମସ୍ତେ ଆପଣା ଆପଣା ବାଟ ଚାଲି ପାରିବାର ଅନୁକୂଳ କ୍ଷେତ୍ର ସୃଷ୍ଟି କରିବ । ଆପେ ଦୁଆର ଖୋଲି ବିଚାରର ସଉଦା ବିକିବାକୁ ଆପଣାପକ୍ଷରେ ସେ ଏକ ଅନ୍ୟାୟ ବୋଲି ମନେକରିବ । ସେ ସବୁରି ଦୁଆର ଖୋଲିବାକୁ ଆପଣାର ପରମ କର୍ତ୍ତବ୍ୟ ମଣିବ-। ଅଳପ କଥାରେ କହିଲେ ସେ ସବୁ ମଣିଷଙ୍କୁ କେବଳ ସାଧନ ବୋଲି ନୁହେଁ, ସାଧ୍ୟାରୂପେ ଗ୍ରହଣ କରିବ । ଅନ୍ୟ ସମସ୍ତଙ୍କୁ କେବଳ ବୋଲ ମାନିବାର ପଲ ବୋଲି ନୁହେଁ, ଆପଣା ବିକାଶରେ ଅପରିହାର୍ଯ୍ୟ ସାଥୀଦଳ ବୋଲି ମନେକରିବ । ଗଣତନ୍ତ୍ରକୁ ଏକ ମାନବିକ ଧର୍ମ ବୋଲି କହିବାର ଅନେକ କାରଣ ରହିଚି । ସଂସାରଭିତରେ ସବୁ ମଣିଷଙ୍କଠାରେ ଏକ ସାଧ୍ୟମୂଲ୍ୟକୁ ସ୍ଵୀକାର କରି ପ୍ରତ୍ୟେକ ଭିତରେ ଭଗବାନଙ୍କୁ ସ୍ଵୀକାର କରାଯାଇ ପାରିବ, ଏହାହିଁ ଗଣତନ୍ତ୍ରର ଆହ୍ୱାନ ।

 

୧ । ୯ । ୫୯

 

ଉନ୍ନୟନ ବ୍ଲକ୍ ଅଧୀନରେ ଥିବା ଏକ ମଡ଼େଲ୍ ବା ଆଦର୍ଶ ଗାଆଁକୁ ଦେଖିବାକୁ ଯାଇ ସେଦିନ ବର୍ତ୍ତମାନ ଭାରତର ମଡ଼େଲ୍‍ ଗାଆଁ ଦେଖିବାକୁ ମିଳିଲା । ଗାଆଁରେ ଚାଳିଶି ପଚାଶଟି ପରିବାର । ଗୋଟାଏ ପାଖରେ ଦୁଇମହଲା କୋଠା, ଗାଆଁର ଜମିଦାରଙ୍କର । ଆଉ ଗୋଟାଏ ପାଖରେ ପଲାଶ ପତରରେ ଛପର ହୋଇଥିବା ଅନୁଚ୍ଚ କୁଡ଼ିଆ, କେବଳ ବସିକରି ଯାହାଭିତରେ ପ୍ରବେଶ କରିବା ସମ୍ଭବ । ଏହା ଗାଆଁରେ ବ୍ଲକ୍ ତରଫରୁ ରାସ୍ତା ତିଆରି ହୋଇଚି, ସର୍ବସାଧାରଣ ଗାଆଁ ଘର ତିଆରି ହୋଇଛି । କମ୍ପୋଷ୍ଟ ଖାତ ଖୋଳାହୋଇଚି, ଜମିରେ ବୁଣିବାଲାଗି ଭଲ ମଞ୍ଜି ଦିଆଯାଇଚି । କିନ୍ତୁ ଗାଆଁଟା ଯେ ସମସ୍ତଙ୍କର, ସମସ୍ତଙ୍କର କଲ୍ୟାଣ ଯେ ଗାଆଁର କଲ୍ୟାଣ, ଏପରି ଏକ ବିଚାରର ପ୍ରବର୍ତ୍ତନ ଲାଗି ଏଠି କୌଣସି କାର୍ଯ୍ୟ ହୋଇନାହିଁ । ତେଣୁ ଗାଆଁରେ କରାଯାଇଥିବା କଲ୍ୟାଣକାର୍ଯ୍ୟ ମାନ କେବଳ କେତେଜଣଙ୍କର ଉପଭୋଗସୀମା ଭିତରେ ସୀମିତ ହୋଇ ରହିଚି । ଗାଆଁଟି ଭିତରେ ଥରେ ବୁଲିଆସିବା ପରେ ମୋର ମନହେଲା, ଜମିଦାର ଘରର ଏହି ବିଶାଳ କୋଠା ଗାଆଁର କେତେ କାମରେ ଲାଗି ପାରୁନଥା’ନ୍ତା, ଅଥଚ ଆମର ଦୁର୍ବୁଦ୍ଧିରୁ ଆଜି ତାହାହିଁ ନାନାପ୍ରକାର ଦ୍ଵେଷ, ଦୋଷ ଓ ଅବସାଦର ପ୍ରତୀକ ହୋଇ ରହିଚି । ଶୁଣିଲା, ଜମିଦାର ପରିବାର ସାଧାରଣତଃ ଗାଆଁରେ ନଥା’ନ୍ତି, ଏଠାରେ ତାଙ୍କର ଘର ପ୍ରାୟ ଖାଲି ପଡ଼ିଥାଏ । ସ୍ଵାଧୀନତା ପାଇବାର ବାରବର୍ଷ ପରେ ଯଦି ଆମେ ପରସ୍ପର ଭିତରେ ଏତେ ବିଭକ୍ତ ହୋଇ ରହିଥିବା, ତେବେ ଆମ ଜୀବନରେ ଆଉ କି କଲ୍ୟାଣ ସାଧିତ ହୋଇ ପାରିବ ?

 

୨ । ୯ । ୫୯

 

ସବୁ ସମାସ୍ୟାର ସମାଧାନ ମୋ’ରିଠାରୁ ଆରମ୍ଭ ହେବ । ମୁଁ ସ୍ଵାର୍ଥପର ହୋଇ ରହିଥିବି, କିନ୍ତୁ, ଦେଶରେ ସମସ୍ତଙ୍କର କଲ୍ୟାଣ ହେଉ ବୋଲି ପ୍ରଚାର କରିବି,–ଏହାଦ୍ୱାରା ପୃଥିବୀରେ କେବେ କୌଣସି ପରିବର୍ତ୍ତନ ହୋଇ ପାରିବ ନାହିଁ । ଗଣତନ୍ତ୍ର, ମଣିଷପ୍ରତି ସମାନ, ଜୀବନପ୍ରତି ଶ୍ରଦ୍ଧା, ସବୁପ୍ରକାର ଆଦର୍ଶକୁ ଜୀବନ ସତ୍ୟରେ ପରିଣତ କରିବାକୁ ହେଲେ ଆଗ ଖୋଦ୍ ମଣିଷକୁ ବଦଳିବାକୁ ହେବ । ମଣିଷ କହିଲେ ଏଠାରେ କୌଣସି କପୋଳକଳ୍ପିତ ମଣିଷକୁ ବୁଝାଉନାହିଁ, ଏହା ଜଣେ ମଣିଷ ହିସାବରେ ମୋତେ ବୁଝାଉଚି । ଅର୍ଥାତ୍ ଯଦି ମୁଁ କୌଣସିପ୍ରକାର ନୂତନ ବ୍ୟବସ୍ଥା ଚାହୁଁଥାଏ, ତେବେ ମୋତେ ହିଁ ଆଗ ସେଥିଲାଗି ଅନୁକୂଳ ଓ ଅନୁରୂପ ପ୍ରକାରେ ତିଆରି ହେବାକୁ ପଡ଼ିବ । ଯଦି ମୁଁ ଗଣତନ୍ତ୍ର ଚାହେଁ, ତେବେ ମୋର ମତ ଓ ବିଚାରକୁ ଗଣତନ୍ତ୍ରର ଅନୁକୂଳ କରି ମଣାଇନେବାକୁ ପଡ଼ିବ । ଗତ ସାତଦିନ ଭିତରେ ଏହି ଶିକ୍ଷାଶିବିରରେ ମୁଁ ନାନାପ୍ରକାର ବକ୍ତୃତା ଶୁଣିଲି । କୃଷିର ଉନ୍ନତି କିପରି ହେବ, ଗ୍ରାମାଞ୍ଚଳରେ କିପରି ସମବାୟ-ନୀତି ଆଚରିତ ହେବ, ନାଗରିକ ଜୀବନ ଓ ନଗର କିପରି ଅଧିକ ସୁସ୍ଥ ରହିବ ଏବଂ ସାମାଜିକ ଶାସନରେ କିପରି ଅଧିକ ନ୍ୟାୟନୀତି ଅନୁସୃତ ହେବ, ଏସବୁ ବିଷୟରେ ଇତିମଧ୍ୟରେ ମୁଁ ଅନେକ ବକ୍ତୃତା ଶୁଣିଲି । ସମସ୍ତେ କହିଲେ ଯେ ମଣିଷକୁ ବଦଳାଇବା ଉପରେ ଅନ୍ୟସବୁର ବଦଳିବା ନିର୍ଭର କରୁଚି । ମଣିଷ ନବଦଳିଲେ ଦେଶରେ ସମବାୟ, ସ୍ୱାସ୍ଥ୍ୟ ବା ଗଣତନ୍ତ୍ର ସମ୍ଭବ ନୁହେଁ । ଅର୍ଥାତ୍ ମଣିଷ ନ ବଦଳିଲେ ଏସବୁ ସମ୍ଭବ ହୋଇପାରିବ ନାହିଁ । ଅର୍ଥାତ୍ ମୋର କଳ୍ପନା ଅନୁସାରେ, ମୋର କହିବା ଅନୁସାରେ ମୋତେ ମଧ୍ୟ ବଦଳିବାକୁ ପଡ଼ିବ, ଅଧିକନ୍ତୁ ମୋତେ ପ୍ରଥମେ ବଦଳିବାକୁ ପଡ଼ିବ ।

 

୩ । ୯ । ୫୯

 

କାଲି ହାଇଦ୍ରାବାଦ ଯିବାପାଇଁ ମଟରକୁ ଅପେକ୍ଷା କରୁଥିଲି । ରାସ୍ତାପାଖରେ ଥିବା ଗାଡ଼ିଆରୁ ଗ୍ରାମସେବକ ଟ୍ରେନିଂରେ ଆସିଥିବା ପିଲାମାନେ କଲିକତୀ ଦଳ ସଫା କରୁଥିଲେ । ଅନେକ ଦିନହେଲା ଏହି ଦଳ ରାସ୍ତାପାଖରେ ମାଡ଼ିକରି ରହିଥିଲା । ଆପଣା ଶିକ୍ଷଣ-ଅନୁଷ୍ଠାନର ଏକ ପାଠ୍ୟକ୍ରମ ଅନୁସାରେ ପିଲାଏ ଦଳ ସଫା କରିବାକୁ ଆସିଥିଲେ । ମୁଁ ଏପାଖରୁ ସେପାଖ ଯାଏ ଅନାଇ ଦେଖିଲି । ପ୍ରାୟ ଚାଳିଶିଜଣ ପିଲା ନଗି ଧରି ଦଳଗୁଡ଼ାକୁ ଟାଣିଟାଣି ଆଣି କୂଳରେ ଲଗାଉଥା’ନ୍ତି ଉପରେ ଜମା କରୁଥା’ନ୍ତି । ଏଗୁଡ଼ିକୁ ଗାଡ଼ିରେ ଅନ୍ୟତ୍ର ବୋହିନେଲେ କମ୍ପୋଷ୍ଟ କରିବାପାଇଁ ବୋଧହୁଏ ଏମାନଙ୍କର ଯୋଜନା ରହିଥିଲା । ଗତ ଘଣ୍ଟାଏ ବା ଦୁଇଘଣ୍ଟା କାଳ ଶିକ୍ଷାର୍ଥୀମାନେ ଯେ ଏହି କାମଟି କରୁଚନ୍ତି, ସେମାନଙ୍କର କ୍ଳାନ୍ତ ମୁଖମଣ୍ଡଳରୁ ତାହା ଜଣାପଡ଼ି ଯାଉଥିଲା । ପିଲାଙ୍କ ଭିତରେ ସେମାନଙ୍କର ଶିକ୍ଷକଙ୍କୁ ଠାବ କରିବାଲାଗି ମୁଁ ଅନେକ ଚେଷ୍ଟା କଲି, କିନ୍ତୁ ପାରିଲିନାହିଁ । ହଠାତ୍ ଦେଖିଲି, ରାସ୍ତାଉପରେ ଜଣେ ଭଦ୍ରଲୋକ ଜୋତା, ଚଷମା, ସଫା ପ୍ୟାଣ୍ଟ ଓ କୁରୁତା ପିନ୍ଧି ଏପାଖ ସେପାଖ ଯା’ଆସ ହେଉଚନ୍ତି । ତାଙ୍କର ହାବଭାବ ଦେଖି ତାଙ୍କୁ ହିଁ ଶିକ୍ଷକ ବୋଲି ମନେହେଲା । ଦୁଇଜଣ ଶିକ୍ଷାର୍ଥୀଙ୍କୁ ପଚାରି ମୋର ଅନୁମାନଟିକୁ ପରୀକ୍ଷା କରିନେଲି । ପୂର୍ବଦିନ କୁଆଡ଼େ ଶିକ୍ଷାର୍ଥୀମାନେ ଏହି କାମ କରିବାକୁ ମନା କରୁଥିବାରୁ ହାଜିରାରେ ସେମାନଙ୍କୁ ଅନୁପସ୍ଥିତ ବୋଲି ଲେଖି ଦିଆଗଲା । ମୁଁ ଦୁଇଜଣାଯାକ ଶିକ୍ଷାର୍ଥୀବନ୍ଧୁଙ୍କୁ କହିଲି ଯେ ବର୍ତ୍ତମାନ ମାଷ୍ଟର ଠିଆହୋଇ ଦେଖୁଚନ୍ତି ଓ ସେମାନେ ଅନିଚ୍ଛାସତ୍ତ୍ୱେ ଆପଣାକୁ ଅସମ୍ମାନିତ ମନେକରି କାମ କରୁଚନ୍ତି । ଗ୍ରାମସେବକ ହୋଇ ଗାଆଁକୁ ଗଲେ ସେମାନେ ନିଜେ ଠିଆହୋଇ ଭଦ୍ରଲୋକ ପରି ଦେଖିବେ ଓ ଗାଆଁଲୋକେ ସବୁକାମ କରନ୍ତୁ ବୋଲି ପରାମର୍ଶ ଦେବେ । ମୋତେ ସମର୍ଥନ କଲାପରି ବନ୍ଧୁ ଦୁହେଁ ହସିବାକୁ ଲାଗିଲେ ।

 

୨ । ୯ । ୫୯

 

ଗଣତନ୍ତ୍ର ଓ ସମାଜବାଦୀ ଶାସନ ବିଷୟରେ ଆମେ ବକ୍ତୃତା ଦେଉ ଓ ବକ୍ତୃତା ଶୁଣୁ । କିନ୍ତୁ ଚାକରମାନେ ଏକାଠି ଅଧାପଶୁଙ୍କ ପରି ଆମର ସେବା ଖଟୁଥାନ୍ତି । ଯେଉଁମାନେ ଆମପାଇଁ ରୋଷେଇ କରି ଦେଉଛନ୍ତି । ଯେଉଁମାନେ ଆମର ଘର ଓଳାଉଚନ୍ତି ଓ ପାଇଖାନା ସଫା କରୁଚନ୍ତି, ସେମାନେ ହୁଏତ ମାସକୁ ପଚିଶି ଟଙ୍କାରୁ ଅଧିକ ପାଉନାହାନ୍ତି । ଗଣତନ୍ତ୍ର ବିଷୟରେ କହିବାବାଲାଙ୍କ ପାଇଁ ଗଧଖଟଣି ଖଟିବାଲାଗି ସେମାନେ ମୁତୟନ ହୋଇ ରହିଚନ୍ତି । ଆମର ଆଖିକୁ ସୁଖ ଦେବାପାଇଁ ସବୁଜ ଘାସ ଓ ନାନାରଙ୍ଗ ଫୁଲର ଉଦ୍ୟାନ ଏଠାରେ ସଜାଇ ରଖାଯାଇଚି । କିନ୍ତୁ ଆମେ ଯେଉଁମାନେ ଏଠାରେ କଥା ଶୁଣି ଓ କଥା କହି ଏହି ଦେଶଲାଗି ତିଆରି ହେଉଚୁ, ଏହି ଉଦ୍ୟାନରେ ସେମାନଙ୍କର ହାତ ଦିନେହେଲେ ଲାଗିନାହିଁ । କୌଣସି ଗାତରେ ସେମାନେ କୋଡ଼ିଏହେଲେ ମାଟି ପକାଇ ନାହାନ୍ତି । ହାତ କାଦୁଅ କରି କୌଣସି ଜାଗାରେ ଗଛଟିଏ ପୋତି ନାହାନ୍ତି । କିନ୍ତୁ ମାଳୀ ହୁଏତ ଫୁଲର ତୋଡ଼ାଟିଏ ସଜାଇ ଆମଘରେ ନେଇ ଦେଇ ଆସୁଚି ଏବଂ ଆମେ ଖୁସୀ ହୋଇ ତାହାକୁ ଆମ ବଗିଚାରୁ ଫୁଲ ବୋଲି କହୁଚୁ । କେବଳ କଥା ଶୁଣି ଓ କାମକୁ ଫାଙ୍କି ଦେଇ, କେବଳ ଶବ୍ଦ ଶୁଣି ଓ ତନ୍ମଧ୍ୟସ୍ଥ ଭାବକୁ ଫାଙ୍କିଦେଇ, ଏହି ଦେଶକୁ ଆପଣାର ବୋଲି କହି ଅଥଚ ତନ୍ନିହିତ କର୍ତ୍ତବ୍ୟ ଓ ଦାୟିତ୍ଵକୁ ଫାଙ୍କି ଦେଇ ଆପଣାକୁ ସାମାଜିକ ଓ ସମାଜବାଦୀ ବୋଲି କହି ଅଥଚ ପ୍ରତ୍ୟେକ ପ୍ରକାର ସାମାଜିକତାରେ ପଦେ ପଦେ ଫେଲ ହୋଇ ଆମେ ଏଠି କ’ଣ ଶିଖିବୁ, ମଣିଷ ପାଇଁ କ’ଣ କରି ପାରିବୁ ? ସର୍ବୋପରି ଆମେ ଆପଣାକୁ ମଧ୍ୟ ଜଣେ ମଣିଷ ବୋଲି କିପରି ବୁଝିବୁ, ମଣିଷ ହୋଇ ଆମେ ଅପର ପକ୍ଷରେ ମଣିଷଙ୍କ ସହିତ ଆପଣାକୁ କିପରି ପ୍ରବୃତ୍ତି କରି ପାରିବୁ ?

 

୫ । ୯ । ୫୯

 

ଏ ଦେଶରେ ବିପ୍ଳବ ଦରକାର । ଏ ଦେଶରେ ଶାନ୍ତିପୂର୍ଣ୍ଣ ବିପ୍ଳବ ଦରକାର । ଭଙ୍ଗାରୁଜା ଓ ମଣିଷ ମାରିବାର ବିପ୍ଳବରେ ପୃଥିବୀରେ କେବେ କୋଉଠି ଶାନ୍ତି ଆସିନାହିଁ । ହିଂସାକାଣ୍ଡରେ ବାଇଆ ହୋଇ ମଣିଷ ନାନା ଅନଭିଳଷିତ ପଥ ଓ ଗହ୍ୱରକୁ ଧାଇଁଯାଇଚି, ତା’ର ପ୍ରଥମ ପର୍ଯ୍ୟାୟର ସମସ୍ତ ସ୍ୱପ୍ନ ଓ ସମର୍ପଶେଚ୍ଛା ନାନାଭାବେ ଦୂଷିତ ହୋଇଯାଇଚି, ଦୁଷ୍ପାତ୍ରରେ ପଡ଼ି ନଷ୍ଟ ହୋଇଯାଇଚି । ତେଣୁ ଏଦେଶରେ ଯେଉଁ ବିପ୍ଳବ ହେବ, ତାହା ମଣିଷକୁ ମାରି କେବଳ ଅନ୍ନ ବଢ଼ାଇବାର ବା ଅନ୍ନ ଯୋଗାଇବାର ବିପ୍ଳବ ହେବନାହିଁ । ମାତ୍ର ଅନ୍ନକୁ ଛାଡ଼ିଦେଇ ମଧ୍ୟ କେବଳ କଥା ଓ କଳ୍ପନାର ବିପ୍ଳବ ଦ୍ୱାରା କୋଟି କୋଟି ଶିଖାରେ ଜଳୁଥିବା ବୁଭୁକ୍ଷାକୁ କଦାପି ଶାନ୍ତ କରି ହେବନାହିଁ । ଆହୁରି ଏକ ସମସ୍ୟା ହେଉଚି ଯେ ଏ ଦେଶରେ ବହୁ ସଂଖ୍ୟକ ଲୋକ ଅନ୍ନାଭାବର ତାମସିକ ସ୍ତରରେ ପଡ଼ିଥିଲାବେଳେ ପ୍ରଧାନତଃ ଉପରୁ ହିଁ ନେତୃତ୍ୱ ଆସିବ, ଉପରୁ କ୍ଷେତ୍ର ଓ ଅବସର ସୃଷ୍ଟି କରାଯାଇ ତା’ର ନିଦ ଭଙ୍ଗାହେବ । ତେଣୁ ଏ ଦେଶର ନେତୃତ୍ୱକୁ ଯେ କେତେବଡ଼ ଦାୟିତ୍ୱ ବହନ କରିବାକୁ ପଡ଼ିବ, ତାହା ଭାବିଲେ ବିସ୍ମିତ ହେବାକୁ ହୁଏ । ଯେଉଁମାନେ ଏହି ବିରାଟ ବିପ୍ଳବରେ ହାତ ଦେବାକୁ ଯାଉଚନ୍ତି, ସେମାନଙ୍କର ଏ କଥା ହୃଦୟଙ୍ଗମ କରିବା ଉଚିତ । ଅନ୍ନଠାରୁ ମଣିଷ ପର୍ଯ୍ୟନ୍ତ ଏକ ଆଧ୍ୟାତ୍ମିକ ସୂତ୍ରରେ ଗଅଁଠାଇ ସମଗ୍ର ଜୀବନକୁ ଦେଖି ପାରିବା ଉଚିତ ।

 

୬ । ୯ । ୫୯

 

ସକଳ ତୀର୍ଥ ଭଗବାନଙ୍କର ଚରଣତଳେ ରହିଚି, ଅର୍ଥାତ୍ ସକଳ ତୀର୍ଥ ଆପଣା ଭିତରେ ରହିଚି, ତେଣୁ ତୀର୍ଥ ଭ୍ରମଣରେ କୌଣସି କାରଣ ନାହିଁ;–ଏ କଥା ଭାଗବତରେ କୁହାଯାଇଚି । ଭଗବାନ ମନ୍ଦିରରେ ନାହାନ୍ତି, ଭଗବାନ ତୀର୍ଥରେ ବା ବୈକୁଣ୍ଠରେ ନାହାନ୍ତି,–ଧର୍ମ ଜୀବନରେ ପ୍ରବେଶ କରି ସତ୍ୟର ସନ୍ଧାନ କରୁଥିବା ପ୍ରତ୍ୟେକ ବ୍ୟକ୍ତି ଏକଥା ଅନୁଭବ କରିଥିବ । ତଥାପି ମୁଁ କହିବି, ଆପଣାର ହୃଦୟ ଭିତରେ ଏହି ସତ୍ୟଟିର ଆବିଷ୍କାର କରିବାଲାଗି ନାନା ତୀର୍ଥ ଓ ମନ୍ଦିର ଭ୍ରମିବାକୁ ହିଁ ପଡ଼ିବ । କାଳାତୀତ ଓ ନିରନ୍ତର ଭାବରେ ଅନୁଭବ କରିବା ଲାଗି ନାନା ବିଶେଷ କାଳ ଓ ଅବସର ଦେଖି ତାହାକୁ ଖୋଜିବାକୁ ପଡ଼ିବ । ସେ ମୋ’ରି ଭିତରେ ଅଛନ୍ତି ଓ ସେ ସବୁଠାରେ ସବୁରି ଭିତରେ ରହିଚନ୍ତି, ଏହି ଦୁଇଟିଯାକ ଅନୁମାନ ଭିତରେ କୌଣସି ଅଭିମାନ ବା ଅସତ୍ୟ ନିହିତ ହୋଇ ରହିନାହିଁ । ଅନେକ ସମୟରେ ମୁ ତାଙ୍କୁ ମୋ’ଭିତରର କବାଟକୁ ବନ୍ଦ କରିଦେଇ ବାହାରକୁ ଖୋଜିବୁଲେ, ସେତିକିବେଳେ ମୁଁ ନାନା ଭ୍ରମର ଉତ୍ତୋଜନାରେ ପଡ଼ିଯାଏ । ଅନେକ ସମୟରେ ବାହାରକୁ ଆଖି ବନ୍ଦ କରିଦେଇ ନାନା କ୍ଳେଶ ଓ ଆତ୍ମଖେଦ ସହିତ ମୁଁ ତାଙ୍କୁ କେବଳ ଭିତରେ ହିଁ ଖୋଜୁଥାଏ । ସେତେବେଳେ ନାନା ଅଭିମାନର ଉତ୍ତେଜନାରେ ମୁଁ ଆପଣାକୁ ବଡ଼ ଦରିଦ୍ର ଓ ବଞ୍ଚିତ କରିରଖେ । ହିମାଳୟରେ କୋଶକୋଶ ପଥ ଅତିକ୍ରମ କରୁଥିବାବେଳେ ମୁଁ ଏଇକଥା ଚିନ୍ତା କରୁଥିଲି । ଅଭିମାନୀ ଭକ୍ତ କହିବ, ସିଏ ତ ଭିତରେ ରହିଚନ୍ତି, ଏତେ ପଥଶ୍ରମ ଓ ସମୟବ୍ୟୟ କରି ତାଙ୍କୁ ଖୋଜି ବୁଲିବାରେ କି ଲାଭ ? କିନ୍ତୁ ତଳେ ବହିଯାଉଥିବା ନଦୀର ଶବ୍ଦ, ମୋତେ ବେଷ୍ଟିତ କରି ରହିଥିବା ଅରଣ୍ୟ ଏବଂ ଗିରିଶିଖରର ଶୁଭ୍ର ଗମ୍ଭୀର ଧ୍ୟାନମୟତାକୁ ଅନାଇ ମୁଁ ଯାହା ପାଉଥିଲି, ତାହାହିଁ ମୋତେ ଏହି ଅଭିମାନର ଉପଦ୍ରବରୁ ବଞ୍ଚାଇ ରଖୁଥିଲା । ବାହାରେ ଏହିସବୁକୁ ଭେଟିବା ମାତ୍ରକେ ଭିତରେ ସତେଅବା ଗୋଟିଏ ଲେଖାଏଁ ଦ୍ୱାର ଖୋଲି ଯାଉଥିଲା । ମୋ’ ଭିତରର କେଉଁ ପ୍ରିୟତମ ସାମଗ୍ରୀକୁ ମୁଁ ଦୃଶ୍ୟମୟୀ ପ୍ରକୃତି ଭିତରେ ଅନୁଭବ କରୁଥିଲି । ବାହାରର ସବୁ ରଙ୍ଗ, ରସ ଓ ଗନ୍ଧ ଯେପରି ଆତ୍ମନିବେଦନର ପୂଜାରେ ଆପଣାର ରଙ୍ଗ, ରସ ଓ ଗନ୍ଧରୂପେ ପ୍ରସ୍ତୁତ ହୋଇ ଉଠୁଥିଲା ।

 

୭ । ୯ । ୫୯

 

ବର୍ତ୍ତମାନ ଆମ ଆଗରେ ଯେଉଁ ଆହ୍ୱାନ ଆସି ପହଞ୍ଚିଚି, ଆମକୁ ତା’ର ଜବାବ ଦେବାକୁ ହେବ । ଗତ ବାରବର୍ଷ ହେଲା ଏହି ଆହ୍ୱାନ ଆମର ଦ୍ୱାର ଉପରେ ଆଘାତ କରି ଆସିଚି-। ଆମେ ତାହାର ଯଥାର୍ଥ ଜବାବ ଦେଇନାହୁଁ । ତେଣୁ ଆମର ଚତୁର୍ଦ୍ଦିଗରେ ଆଜି ସତେ ଯେପରି କେବଳ ଦୁର୍ଦ୍ଦଶା ହିଁ ଦୁର୍ଦ୍ଦଶା ଘୋଟି ରହିଚି । ଏହି ଆହ୍ୱାନ କେବଳ ମଣିଷଲାଗି ଖାଦ୍ୟବସ୍ତ୍ରର ଯୋଗାଡ଼ କରିଦେବାର ଆହ୍ୱାନ ନୁହେଁ, ମଣିଷକୁ କେବଳ ଅଧିକ ଧନସମ୍ପନ୍ନ କରିବାର ଆହ୍ୱାନ ନୁହେଁ । ମାନବିକ ବାଟରେ ମାନବିକ ଉପାୟରେ ଆମକୁ ଏଦେଶରେ ପ୍ରତ୍ୟେକ ମଣିଷ ଲାଗି ଅନ୍ନସଂସ୍ଥାନ କରିବାକୁ ପଡ଼ିବ । ପ୍ରତ୍ୟେକ ମଣିଷର ଜୀବନରୁ ଅଭାବ, ଅଜ୍ଞାନ ଓ ଭୟର ନିରାକରଣ ଲାଗି ଏକ ପ୍ରଶସ୍ତ ସାମାଜିକ ସ୍ଥିତି ସୃଷ୍ଟି କରିବାକୁ ହେବ । ଏହିଠାରେ ହିଁ ଭାରତର ନେତୃତ୍ୱ ଓ ଅନ୍ୟାନ୍ୟ ଦେଶ ତଥା ଅନ୍ୟାନ୍ୟ କାଳର ନେତୃତ୍ୱ ଭିତରେ ଏକ ବଡ଼ ତଫାତ୍‌ ରହିଚି । ଭାରତବର୍ଷରେ ଆମେ ଯେଉଁମାନେ ଉପାୟକୁ ଉଦ୍ଦେଶ୍ୟଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ବୋଲି ଭାବୁଚୁ, ଉଦ୍ଦେଶ୍ୟପରି ଆମର ଉପାୟଗୁଡ଼ିକ ମଧ୍ୟ ମାନବିକ ହେବା ଉଚିତ ବୋଲି ଭାବୁଚୁ, ଆମକୁ ଅତିଶୀଘ୍ର ଆମ ଆଚରଣ ଓ ଜୀବନ ଭିତରେ ଏହି ବିଶ୍ୱାସର ପ୍ରମାଣ ଦେବାକୁ ପଡ଼ିବ । ଆମକୁ ଏକ ମାନବିକ ବିଶ୍ୱାସର ଯୋଗ୍ୟ ହେବାକୁ ପଡ଼ିବ । ମାତ୍ର ଆମେ ଆମର ସ୍ୱତନ୍ତ୍ର ବାଟରେ ଯିବାକୁ ପ୍ରସ୍ତୁତ ହେଉଚୁ ବୋଲି ଦେଶର ଭୋକ ଏବଂ ଅଭାବ ଆମ ଲାଗି ଅପେକ୍ଷା କରି ବସି ରହିବନାହିଁ-। ଅନ୍ୟଦେଶରେ ଯେପରି ହୋଇଚି, ଏଦେଶରେ ମଧ୍ୟ ଭୋକ ଓ ଦାରିଦ୍ର୍ୟ ସେହି ବାଟ ଧରିବ । ଆମର ସକଳ ସାଧୁଉଦ୍ଦେଶ୍ୟ ସତ୍ତ୍ୱେ ଆମ ଅଯୋଗ୍ୟତାର ପୁଞ୍ଜିଉପରେ ଏଦେଶରେ ମଧ୍ୟ ସେଇ ପୁରୁଣା ବାଟ ଅନୁସୃତ ହେବ ।

 

୮ । ୯ । ୫୯

 

କାଲି ମନ୍ତ୍ରୀ ଆସିଲେ, ବକ୍ତୃତା ଦେଲେ । ମନ୍ତ୍ରୀ ଆସିବାଲାଗି ହୁଏତ ଗତ କେତେଦିନରୁ ସମସ୍ତେ ପ୍ରସ୍ତୁତ ହେଉଥିଲେ । ମୂଲିଆ ଲାଗି ବାଟଘାଟ ପରିଷ୍କାର ହେଉଥିଲା । ତାଙ୍କ ଲାଗି ପଇସା ଖରଚ ହୋଇ ସଭାମଞ୍ଚ ତିଆରି ହୋଇଥିଲା । ମନ୍ତ୍ରୀ ଆସିବା ମାତ୍ରକେ ସମସ୍ତଙ୍କ ସହିତ ଫଟୋ ନେଲେ । ତା’ପରେ ହସ ହସ ବଦନରେ ବକ୍ତୃତା ଦେଲେ । ଶରୀରର ଭଙ୍ଗୀ ଓ କଥାର ଭାବଚାତୁରୀ ଦ୍ୱାରା ସେ ଏହି ଦେଶକୁ ଏକ ଓ ଏଦେଶର ଉଦ୍ୟମକୁ ମଧ୍ୟ ଏକ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କଲେ । ବୁଦ୍ଧି ଓ ଭାବପ୍ରବଣତାର ଚୂନସିମେଣ୍ଟ ଲଗାଇ ସେ ଆମ ସମସ୍ତଙ୍କର ଅଲଗା ଅଲଗା ମନ ଓ ଆଗ୍ରହକୁ ଯୋଡ଼ିବାଲାଗି ଭାରି ଚେଷ୍ଟା କଲେ । ତା’ପରେ ତାଙ୍କରି ପାଇଁ ମନୋରଞ୍ଜନ ଆରମ୍ଭ ହେଲା । ତାଙ୍କରି ଦେଖିବା ପାଇଁ ଆମେ ସମସ୍ତେ ଗତ ସପ୍ତାହେ ହେଲା ସଜ ହେଉଥିଲୁ । ତାଙ୍କଲାଗି ବିଶେଷ ଆସନ ବିଛାହେଲା । କିନ୍ତୁ ସିଏ ଯେ ଠିକ୍ ମନୋରଞ୍ଜନ ଦେଖୁଥିଲେ, ତାହା ପ୍ରକୃତରେ କୁହାଯାଇ ପାରିବନାହିଁ । ବେଳେବେଳେ ଆଖି ବୁଲାଇ ନେଉଥିଲେ ମାତ୍ର । ସତେଯେପରି ତାଙ୍କରି ପାଇଁ ଆୟୋଜିତ ହୋଇଥିବା ସଭାରେ ସେ ନିଜେ ହିଁ ନଥିଲେ, ତାଙ୍କପାଇଁ ସଜା ହୋଇଥିବା ଏହି ମଣିଷସଭାରୁ ସେ ଅନେକ ଦୂରରେ ଉଡ଼ି ବୁଲୁଥିଲେ । ମନୋରଞ୍ଜନ ଅଧା ନହେଉଣୁ ମନ୍ତ୍ରୀ ମଟରରେ ବସି ସହରରେ ଥିବା ସରକାରୀ ଅତିଥିଶାଳାରେ ବିଶ୍ରାମ ଓ ରାତ୍ରିଯାପନ ଲାଗି ଚାଲିଗଲେ । ତାଙ୍କରି ନାମରେ ତାଲିକା ସରିବାଯାଏ ଆମର ମନୋରଞ୍ଜନ ରହିଲା । ତା’ପରେ ତାଙ୍କରି ନାମରେ ଯେଉଁ ବିରାଟ ଭୋଜୀର ଆୟୋଜନ ହୋଇଥିଲା, ଆମେସବୁ ସେଥିରେ ଯୋଗ ଦେବାକୁ ଗଲୁ । ଖାଇବା ବଡ଼ ବଢ଼ିଆ ହୋଇଥିଲା, କଳ୍ପନାରେ ମନ୍ତ୍ରୀଙ୍କର ସଖ୍ୟ ଲାଭକରି ତାଙ୍କରି ଆଗମନର ଉପଲକ୍ଷ୍ୟରେ ଆୟୋଜିତ ଭୋଜୀ ଭିତରକୁ ଆମେ ପରମ ସରାଗରେ ଡେଇଁ ପଡ଼ିଲୁ । ଏ ଦେଶ ଯେ ଏକ, ଏ ଦେଶର ଉଦ୍ୟମ ଯେ ଏକ, ଏ ଦେଶର ଶାସକମାନେ ମଧ୍ୟ ଯେ ଏହି ଦେଶର ମଣିଷ, ଏ ଦେଶରେ ଏହି ସତ୍ୟଟିର ଅନୁଭୂତି ହେବା ଆଦୌ ସମ୍ଭବ ନୁହେଁ । ଆମର କଥାରେ, ଆମ ଭାବପ୍ରବଣ ଭାବନା ଭିତରେ ଆମେ ଯେତେ ସମ୍ମିଳନର ସ୍ୱପ୍ନ ଦେଖୁଥିଲେ ହେଁ ଏ ପର୍ଯ୍ୟନ୍ତ ମଧ୍ୟ ଏହି ଦେଶର ମନ ଓ ଆତ୍ମା ନାନା ସ୍ୱାର୍ଥମନା ବିଭେଦରେ ଖଣ୍ଡ ଖଣ୍ଡ ହୋଇ ରହିଚି ।

 

୯ । ୯ । ୫୯

 

ଆଜି ହାଇଦ୍ରାବାଦରୁ ଆଗ୍ରା ଯିବାକୁ ହେବ । ଏଠାରେ ଷୋଳ ସତରଦିନ ରହି ମୁଁ ଅନେକ ଶିଖିଲି । ମୋ’ଭିତରେ ହୁଏତ ଅନେକ ଅଶିକ୍ଷା ରହିଯାଇଥିଲା, ସେସବୁର ମହତ୍ତ୍ୱହୀନତା ବିଷୟରେ ହୃଦ୍‌ବୋଧ ହୋଇଗଲା । କିନ୍ତୁ ଗୋଟାଏ ବିଷୟ ଲାଗି ମୁଁ ପନ୍ଦରଦିନର ଏହି ଶିବିରଟି ପାଖରେ ସବୁଦିନେ କୃତଜ୍ଞ ରହିବି, ଏହି ଶିବିରର ଦିନଗୁଡ଼ିକୁ ଖୁସି ହୋଇ ମନେ କରୁଥିବି । ଏଠି ନାନାପ୍ରକାର ବିଷୟରେ ନାନା ବକ୍ତା ଭାଷଣ ଦେବାକୁ ଆସିଥିଲେ । ସମବାୟନୀତି ଓ ଗଣତନ୍ତ୍ର ଠାରୁ ଆରମ୍ଭ କରି ଚାଷବାସ ବିଷୟରେ ମଧ୍ୟ ବକ୍ତୃତା ହୋଇଥିଲା । ମାତ୍ର ସବୁ ବକ୍ତାଙ୍କର ଉପସଂହାର ମୋତେ ଏକାପରି ଲାଗିଲା । ସମସ୍ତେ କହିଲେ ଏଦେଶରେ ଆଗ ମଣିଷକୁ ବଦଳାଅ, ତେବେଯାଇ ହୁଏତ ଅନ୍ୟସବୁ ବଦଳିବ । ମଣିଷକୁ ବଦଳାଇବାର ସମସ୍ୟା ହେଉଚି ଏଦେଶର ସର୍ବପ୍ରଧାନ ସମସ୍ୟା, ବୋଧହୁଏ ଏହି ଦୁର୍ଗତ ପୃଥିବୀର କି ସର୍ବପ୍ରଧାନ ସମସ୍ୟା । ଶେଷଦିନ ମନ୍ତ୍ରୀମହୋଦୟ ତ କହିଲେ ଯେ ମଣିଷକୁ ବଦଳାଇବାର କାମଟିକୁ ଆମକୁ ଆମ ନିଜଠାରୁ ଆରମ୍ଭ କରିବାକୁ ହେବ । ଆପଣାର ପୁରାତନ ଭିତ୍ତିଉପରେ ନୂତନ ସାମାଜିକ ଓ ସାଂସ୍କୃତିକ ଭାବଧାରାର କଲମ କରି ନବଭାରତର ନୂଆ ଗଛ ବଢ଼ାଇବାକୁ ହେବ । ଆଗ ମୁଁ ନିଜେ ବଦଳିବି, ଏହାହିଁ ସଂସାରର ସବୁଠାରୁ ବଡ଼ ଜରୁରୀ କଥା ।

 

୧୫ । ୯ । ୫୯

 

ଆଜି ସକାଳୁ ଆପଣା ପାଖରେ ପୁଣି ପ୍ରଣାମ କରିଯିବାକୁ ଆସିଚି । ଗତ ପ୍ରାୟ ସପ୍ତାହେ ହେବ ମୁଁ ସ୍ଥିର ଓ ଶୁଦ୍ଧ ହୋଇ ଆପଣାପାଖରେ ପ୍ରଣାମ କରିବାର ଯେପରି କୌଣସି ସୁଯୋଗ ପାଇନାହିଁ ! ସେଥିଲାଗି ଆପଣାଭିତରେ ଆପଣାର ଚରଣସ୍ପର୍ଶ କଲାବେଳେ ମୁଁ ଆଜି ନାନାପ୍ରକାର ପବିତ୍ର ଓ ପ୍ରସାରକ ଅନୁଭୂତିରେ ଅଭିଭୂତ ହୋଇପଡ଼ୁଚି । ଏହି ସପ୍ତାହକ ଭିତରେ ଦୀର୍ଘ ପଥ ଅତିକ୍ରମ କରି ମୁଁ ପୁଣି ଆଗ୍ରା ଫେରିଆସିଚି । କାଲିଠାରୁ ମୋର କାର୍ଯ୍ୟରେ ମଧ୍ୟ ଯୋଗ ଦେଇଚି । ଆଜିଠାରୁ ଆପଣାର ନିୟମିତ କାର୍ଯ୍ୟଗୁଡ଼ିକୁ ଆରମ୍ଭ କରିବାକୁ ବସିଚି । ଆପଣା ଭିତରେ ଆଜି ଯାହାପାଖରେ ଲାଗିକରି ବସିଥିଲା ପରି ମନେହେଉଚି, ତାହାର ମୁଁ କେତେ ଜାଣିଚି ବା କେତେ ଜାଣିନାହିଁ, ମୋତେ ସତେଅବା ତାହାହିଁ ନିମଗ୍ନ କରି ରଖିଚି । ମୋ’ ଭିତରେ କ’ଣ ଅଛି ବା କ’ଣ ନାହିଁ, ସେ ବିଷୟରେ ମୁଁ ସମ୍ପୂର୍ଣ୍ଣ କଥା ଆଦୌ ଜାଣିନାହିଁ । ଅନେକ ସମୟରେ ନାନାବିଧ ଚତୁର ନିର୍ବୋଧତାରେ ମୁଁ ଆପଣାକୁ ଜାଣିବାର ଯାବତୀୟ ପଥ ରୁଦ୍ଧ କରି ଦେଇଚି । ପୁଣି ଆହୁରି ଅନେକ ସମୟରେ ଆପଣାର ଅସଲ ରୂପଟାକୁ ଭୟ କରି ମୁଁ ବାହାରେ ଆଉଗୋଟାଏ ରୂପର ପରିଚୟରେ ଆପଣାକୁ ଚିହ୍ନାଇବାକୁ ଚେଷ୍ଟା କରିଚି । ତଥାପି ମୁଁ ସବୁବେଳେ ଆପଣାକୁ ସମଗ୍ରଭାବେ ବୁଝିବାକୁ ଚେଷ୍ଟା କରିଆସିଚି, ଆପଣାକୁ ସମଗ୍ରଭାବରେ ବୁଝିବାକୁ ସବୁମନ୍ତେ ଉଦ୍ୟମ କରିଚି । ଆପଣାକୁ ଭଲ ପାଇବାକୁ ଚେଷ୍ଟା କରିଚି, ଆପଣାପ୍ରତି ଶ୍ରଦ୍ଧା ରଖିବାକୁ ଚେଷ୍ଟା କରିଚି । ତଥାକଥିତ ଭଲ ପାଖଟାକୁ ଲାଞ୍ଚ ନଦେଇ ବା ତଥାକଥିତ ଖରାପ ପାଖଟାକୁ ଦଣ୍ଡ ନଦେଇ ମୁଁ ଆପଣାର ସକଳ ସତ୍ୟକୁ ଅନୁଭବ କରିବାକୁ ଓ ସେଗୁଡ଼ିକର ସମ୍ମୁଖୀନ ହେବାକୁ ଚେଷ୍ଟା କରିଚି । ମୋର ଭଲ ମୋତେ ମୋର ବୃହତ୍ତର ପରିଚୟ ଦେଇଯାଇଚି, ମୋର ଅଭଲଗୁଡ଼ାକ ମୋତେ ଆହୁରି ବାଟ ଚାଲିବାକୁ ଉତ୍ସାହ ଦେଇଯାଇଚି, ମୋର ଗତିରେ ବେଗ ଦେଇଯାଇଚି ।

 

୧୬ । ୯ । ୫୯

 

ଏଥର ବିନୋବାଜୀଙ୍କ ଜନ୍ମଦିନଟି ଖଜୁରାହୋଠାରେ ଅତିବାହିତ ହେଲା । ଖଜୁରାହୋ ମନ୍ଦିର ଓ ବିନୋବାଜୀଙ୍କର ଜୀବନ,–ମୋ’ ଆଖିରେ ଦୁହେଁ ସମାନ ଭାବରେ ସୁନ୍ଦର । ସେଦିନ ଜହ୍ନରାତିରେ ମନ୍ଦିରବେଢ଼ା ଭିତରେ ବୁଲୁବୁଲୁ ମୁଁ ବାରବାର ଏହିକଥା ଅନୁଭବ କରୁଥିଲି । କଳାତ୍ମକ ସୁନ୍ଦର ସୃଷ୍ଟି ପ୍ରତ୍ୟେକ ସୃଜନଶୀଳ ମଣିଷକୁ ସୁନ୍ଦର ସୃଷ୍ଟି କରିବାଲାଗି ପ୍ରବୁଦ୍ଧ କରାଏ । ସୃଜନଶୀଳ ପ୍ରବୁଦ୍ଧ ମଣିଷ ହିଁ ସୁନ୍ଦର ସୃଷ୍ଟି କରିପାରେ । ସୌନ୍ଦର୍ଯ୍ୟ ଓ ସୃଷ୍ଟିର ଏହି ଦୁଏ ଆପାତବିରୋଧୀ ଦିଗକୁ ମିଳାଇ ଦେଖିବାରେ ମୁଁ ସେଦିନ ହୃଦୟରେ ଅନେକ ପ୍ରସନ୍ନତା ଅନୁଭବ କରୁଥିଲି ଏବଂ ଆପଣାର ଭିତରେ ମଧ୍ୟ ଏକ ଆପାତଦ୍ୱନ୍ଦ କ୍ରମଶଃ ତୁଟିତୁଟି ଯାଉଥିଲା । ମୋ’ ଜୀବନକୁ ସୁନ୍ଦର କରି ଗଢ଼ିବାକୁ, ମୋ’ କାମଗୁଡ଼ିକୁ ସୁନ୍ଦର କରିବାକୁ ମୋତେ ମନ୍ଦିରର କାରୁକଳା-ସୌନ୍ଦର୍ଯ୍ୟରୁ ମଧ୍ୟ ଅନେକ ପ୍ରେରଣା ମିଳିଲା । କଳା ଓ ସ୍ଥପତି ଖାଲି ଦେଖିବାର ନୁହେଁ, ପ୍ରାକୃତିକ ଦୃଶ୍ୟରାଜି ଖାଲି ଉପଭୋଗ କରିବାର ନୁହେଁ, ନିର୍ମଳ ଆକାଶ ବା ସୁଶୀତଳ ପବନ କେବଳ ଦେହ ଓ ଆଖିକୁ ପୁଲକ ଆଣିଦେବାର ନୁହେଁ, ଉଚିତ ମନ ଓ ହୃଦୟ ନେଇ ଏଗୁଡ଼ିକ ସହିତ ଭେଟ ହୋଇ ପାରିଲେ ମଣିଷ ଆପେ ମଧ୍ୟ ଅନେକ ସ୍ଥିର, ସୁନ୍ଦର ଓ ଶାନ୍ତ ହେବାର ବାଟ ପାଇଯାଏ । ଆପଣାର ଅନ୍ତର୍ଦୁଷ୍ଟି ଭିତରେ ସେ ବାହ୍ୟଜଗତରୁ ଲବ୍‌ଧ ସକଳ ସୌନ୍ଦର୍ଯ୍ୟାନୁଭୂତିକୁ ଆପଣାର କରିନିଏ ଓ ଆପଣାକୁ ସୃଷ୍ଟି କରିବାରେ ତାହାକୁ ମାଲମସଲା କରି ବ୍ୟବହାର କରେ । ଆପଣାକୁ ସୁନ୍ଦର କରି ଦେଖିବାକୁ ମୁଁ ସୌନ୍ଦର୍ଯ୍ୟ ଦେଖିବି, ସୌନ୍ଦର୍ଯ୍ୟକୁ ଚିହ୍ନି ଶିଖିବି, ଅନୁଭବ କରିବାକୁ ସମର୍ଥ ହେବି ।

 

୧୭ । ୯ । ୫୯

 

ମୁଁ ତଥାପି ସ୍ଥିର ହୋଇନାହିଁ । ମୋର କର୍ମଭାର ତଥା ମାନସିକ ଉଦ୍‌ବେଗ ମୋତେ ଅନେକ ସମୟରେ ତଥାପି ବଡ଼ ଅସ୍ଥିର ଓ ଶୋଚନୀୟ କରି ପକାଉଚି । ଆପଣାର ବାଟ କାଢ଼ି ଆପଣାକୁ ଅଧିକରୁ ଅଧିକ ଖୋଜିବାଲାଗି ମୋତେ ବୋଧହୁଏ ଆଉ ଭଲ ଲାଗୁନାହିଁ । ଆପଣାର ଜୀବନକୁ ଶ୍ରଦ୍ଧାର ସହିତ ଦେଖିବାକୁ ଧୈର୍ଯ୍ୟ ମୁଁ ହୁଏତ ହରାଇ ବସିଲେଣି । ସେଇଥିପାଇଁ ସ୍ଥିରତା ରହୁନାହିଁ । ସେଇଥିଲାଗି ମୁଁ ଆପଣାର କାମକୁ ଆପଣାର ଖୁସୀ ବୋଲି ଗ୍ରହଣ କରି ପାରୁନାହିଁ । ମୋତେ ସବୁ କାମ କେବଳ ଏକ ବୋଝପରି ବୋଧ ହେଉଚି । ଯେ କୌଣସି ପ୍ରକାରେ ଏହି ଅସ୍ଥିରତାକୁ ଅତିକ୍ରମ କରିବାକୁ ହେବ । ଆପଣାପ୍ରତି ଅଧିକ ଧୈର୍ଯ୍ୟ ଅବଲମ୍ବନ କରିପାରିଲେ ଏହା ସମ୍ଭବ ହେବ । ଆପଣା ସହିତ ଭଗବାନଙ୍କୁ ସାଥୀରୂପେ ସ୍ୱୀକାର କରିନେଇ ଏ କଥା ହୋଇପାରିବ । ଆପଣାର ବାଟ ଚାଲିବାକୁ ଜୀବନର ଶ୍ରେୟ ବୋଲି ଗ୍ରହଣ କରିନେଇ ପାରିଲେ ଏହା ହୋଇପାରିବ । ଭିତରେ ଭିତରେ କାମନାସକ୍ତ କୌଣସି ଅପମାନ ଅନ୍ୟକିଛି କାମନା ପୋଷଣ କରି ମୋତେ ମୋ’ ନିଜ ବାଟରୁ କାଢ଼ିନେବାକୁ ଚାହୁଚି କି ? ଭିତରେ ଭିତରେ ମୋତେ ନାନାଆଡ଼େ ନାନା ବିଭକ୍ତ ଖିଅରେ ଚିରି ପକାଇବାକୁ ଚାହୁଚି କି ? ହୁଏତ ତାହା ହିଁ ଏହି ସମସ୍ତ ଦୁଃଖ ଓ ଉଦ୍‌ବିଗ୍ନତାର ପ୍ରଧାନ କାରଣ ପରିସ୍ଥିତି ଯେପରି ହେଉ ପଛକେ, ମୋତେ ତଥାପି ଗୋଟିଏ ଧାରାରେ ବହିବାକୁ ହେବ, ଗୋଟିଏ ଶିଖାରେ ଆପଣାକୁ ଜଳାଇ ଶିଖିବାକୁ ହେବ । ଜୀବନ ଓ ଆଗ୍ରହର ସକଳ ବିଚିତ୍ରତା ସତ୍ତ୍ୱେ ତଥାପି ଆପଣାର ବାଟଉପରେ ଆପଣା ଜୀବନସୂତ୍ରର ଐକ୍ୟ ଅନୁଭବ କରିବାକୁ ହେବ । ନଚେତ୍ ଏହି ଦୁଃଖ, ଅଧୀରତା ଓ କାତରତାର ଆଉ ଅନ୍ତ ହେବନାହିଁ ।

 

୧୮ । ୯ । ୫୯

 

ସବୁ ହେବ, କିନ୍ତୁ ସମୟ ଜାଣି ସବୁ ହେବ । ସମୟ ଜାଣି ଦୁଆର ଖୋଲିବ, ସମୟ ଜାଣି ମୋ’ ଆଖିଉପରେ ବସିଥିବା ମଇଳାଗୁଡ଼ାକ ଧୌତ ହୋଇଯିବ । ସମୟ ଜାଣି ସାକ୍ଷାତ ହେବ । ସେହି ସମୟଲାଗି ଅଧିକ ପ୍ରସ୍ତୁତ ହେବା ହେଉଚି ମୋର କର୍ତ୍ତବ୍ୟ । ଅଧିକ ପ୍ରସ୍ତୁତ ହେବାର ଅର୍ଥ ହେଉଚି ଅଧିକ ସ୍ଥିର ହେବା, ଅଧିକ ଶାନ୍ତ ଓ ସମର୍ପିତ ହେବା । ନାନା ବାସନା ଓ ପ୍ରଲୋଭନର ବଶବର୍ତ୍ତୀ ହୋଇ ମୁଁ ଗୁଡ଼ାଏ କାମକୁ ମୁଣ୍ଡଉପରେ ଆବୋରି ନେଉଚି । କାଳେ ସେହିସବୁ କାମର ଦାୟିତ୍ୱକୁ ମୁଁ ଠିକ୍ ସମୟରେ ତୁଲାଇ ପାରିବିନାହିଁ, ତା’ପରେ ସେଥିଲାଗି ମନଟା ଅହରହ ଛନଛନ କରି ବସୁଚି । ଏପରି ଅବସ୍ଥାରେ ମନର ସ୍ଥିରତା ସମ୍ଭବ ହେବ କିପରି ? ମୋର କାମ ଯଦି ମୋତେ ଅଧିକ ଶାନ୍ତ ହେବାଲାଗି ପ୍ରସ୍ତୁତ କରି ନପାରିଲା, ତେବେ ସେ କାମ ମୋର କ’ଣ ହେବ ? ସେହି କାମଦ୍ୱାରା ମୁଁ ଦୁନିଆର ବା କି ଉପକାର କରିବି ? ପ୍ରତ୍ୟେକ ଦିନର ସକାଳ ମୋତେ ସଂସାରରେ ନୂଆ କରି ବାହାର କରି ଦେଉଥା’ନ୍ତା, ଖୁସୀ ହୋଇ ନାନା କାର୍ଯ୍ୟରେ ପ୍ରବୃତ୍ତ ହେବାର ଉତ୍ସାହ ଦେଉଥା’ନ୍ତା । ପ୍ରତ୍ୟେକ ଦିନର ଶୟନ ମୋତେ ଆଦରରେ ଆପଣା କୋଳରେ ଶାନ୍ତ କରାଇ ଦେଇଥା’ନ୍ତା, ଖୁସୀ ହୋଇ ଆପଣାକୁ ସମର୍ପଣ କରି ଦେବାଲାଗି ଅତି ସ୍ୱାଭାବିକ ଭାବରେ ମୋତେ ପ୍ରସ୍ତୁତ କରି ଦେଉଥା’ନ୍ତା । କିନ୍ତୁ କାମ ନାଆଁର ମୋର ଅସ୍ଥିର ମନର ଇଏ କି କାରସାଦି ? ମୋତେ ଏହାର ମର୍ମ ଭେଦ କରିବାକୁ ହେବ, ସ୍ଥିର ହୋଇ ଏହାକୁ ବୁଝିବାକୁ ପଡ଼ିବ ।

 

୧୯ । ୯ । ୫୯

 

ସବୁ ମଣିଷଙ୍କ ଦୁଃଖ ଅବଶ୍ୟ ଦୂର ହେବ । ପୃଥିବୀର ଇତିହାସରେ ଆମେ ଏପରି ଏକ ବିକଶିତ ବେଳାରେ ଆସି ପହଞ୍ଚିଗଲୁଣି ଯେ ଏଠି କେତେକ ମଣିଷକୁ ଉପବାସୀ, ଅଜ୍ଞାନ ଓ ଦୀନହୀନ ରଖି ଆଉ କେତେକଙ୍କର ବିଳାସରେ ବୁଡ଼ିରହିବା ଏଣିକି ସମ୍ଭବ ହୋଇ ପାରିବ ନାହିଁ । ଆଫ୍ରିକାର ଦାରିଦ୍ର୍ୟ ବଢ଼ାଇ ସହରର ଶିଖିତ ମଣିଷ ବାବୁ ହୋଇ ରହି ପାରିବନାହିଁ । ପରିବର୍ତ୍ତନ ଅବଶ୍ୟ ହେବ । ପୃଥିବୀର ସବୁ କଣରେ, କ୍ରମେ ସବୁ ଲୋଭ ଏକଥା ହୃଦୟଙ୍ଗମ କଲେଣି, ଏତିକି ଚେତନା ସବୁଭିତରେ ଆସିଲାଣି । ଏ ପରିବର୍ତ୍ତନ କେଉଁ ବାଟରେ ହେବ, ସେକଥା ଅବସ୍ଥା ଉପରେ, ବିଶେଷତଃ ପ୍ରତ୍ୟେକ ଦେଶର ସମ୍ପନ୍ନ ଓ ସ୍ୱଚ୍ଛଳ ବର୍ଗର ମତିଗତି ଉପରେ ନିର୍ଭର କରିବ-। କିନ୍ତୁ ପରିବର୍ତ୍ତନ ଅବଶ୍ୟ ହେବ । ହିଂସା ଅପେକ୍ଷା ଅହିଂସା ଅଧିକ ଭଲ ବା ମହାନ୍ ବୋଲି କହି ମଣିଷର ପ୍ରଥମ ପରିବର୍ତ୍ତନକୁ ଆଉ ଅଧିକ ଦିନ ଟାଳି ଦିଆଯାଇ ପାରିବନାହିଁ । ସୁବିଧାବାଦୀ ମଣିଷର କପୋଳକଳ୍ପିତ ଏକ ନୀତିବାଦୀ ଭଗବାନର ଆଳ ଦେଖାଇ ମଣିଷ–ଭଗବାନକୁ ଆଉ ଉପବାସୀ କରି ରଖିବା ସମ୍ଭବ ହେବନାହିଁ । ଏଯୁଗର ଏହି ସତ୍ୟଟିକୁ ଆମେ କେତେ ଶୀଘ୍ର ହୃଦୟଙ୍ଗମ କରିବା ଏବଂ ଆବଶ୍ୟକ ପରିବର୍ତ୍ତନ ପାଇଁ ଯେତେ ସ୍ୱାଭାବିକ ଭାବରେ ପ୍ରସ୍ତୁତ ହୋଇପାରିବା ତାହାରି ଉପରେ ହିଁ ଆମ ପୃଥିବୀର ସଦ୍‌ଗତି ବା ଦୁର୍ଗତି ନିର୍ଭର କରୁଚି । ଆମେ ଆଗ ନବଦଳିଲେ ଯୁଗ-ପରିବର୍ତ୍ତନର କଟାର ଆଗ ଆମରି ଉପରେ ପଡ଼ିବ, ଆମ ହାତର ସମସ୍ତ କ୍ଷମତା ଓ ଦୂଷଣତା ମିଥ୍ୟା ବୋଲି ପ୍ରମାଣିତ ହେବ । ସଂସାରର ଇତିହାସ ଏକ ସମଗ୍ର ସମୃଦ୍ଧି କିମ୍ବା ସମଗ୍ର ବିଲୋପର ସ୍ତରରେ ଆସି ପହଞ୍ଚିଚି । ଅଧେ ଜୀଇଜୀଇ ମରୁଥିବେ ଓ ଆଉ ଅଧେ ବିଳାସବ୍ୟସନରେ ବୁଡ଼ି ରହିଥିବେ ଏବଂ ସକଳପ୍ରକାର ମାନବିକତାକୁ ହରାଇ ବସୁଥିବେ, ଏ ସଂସାରରେ ଏପରି ସ୍ଥିତି ଆଉ ଉଧେଇ ପାରିବନାହିଁ ।

 

୨୦ । ୯ । ୫୯

 

ଭାରତବର୍ଷରେ ମଧ୍ୟ ଦରିଦ୍ର ମଣିଷର ଦୁଃଖ ଦୂର ହେବ । ସ୍ୱାଧୀନତା ପାଇବାର ବାରବର୍ଷ ପରେ ମଧ୍ୟ ଭାରତର ମଣିଷ ଧନ ଓ ମନ ଉଭୟ କ୍ଷେତ୍ରରେ ପୂର୍ବାପେକ୍ଷା ଅଧିକ ଦରିଦ୍ର ହୋଇ ପଡ଼ିଚି । ନାନାପ୍ରକାର ନିକୃଷ୍ଟ ଦୈନ୍ୟ ଓ ଅଭାବ ତା’ର ଜୀବନରେ ପ୍ରବେଶ କରି ତାକୁ ବଡ଼ ଶୋଚନୀୟ କରି ରଖିଚି । ତଥାପି ଆମେ ଗଣତନ୍ତ୍ରର ଦ୍ୱାହି ଦେଇ ଏହିପରି ଏକ ଅବସ୍ଥାକୁ ଅଧିକରୁ ଅଧିକ କାଳ ବଞ୍ଚାଇ ରଖିବାକୁ ଚେଷ୍ଟା କରୁଚୁ । ସତେଯେପରି ଭୋକିଲା ମଣିଷ ମଧ୍ୟ ଆମର କୁହା ମାନି ସବୁଦିନ ଲାଗି ଆପଣାର ଅସହ୍ୟ ଦାରିଦ୍ର୍ୟକୁ ତଥାପି ବରଣୀୟ ମନେକରି ପଡ଼ି ରହିଥିବ, ଆମେ ସେହିପରି ଏକ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ପଡ଼ିଚୁ । ଗଣତନ୍ତ୍ରର ବାଟ ଯେ ଅଧିକ ଭଲ ଓ ଅଧିକ ସୁସ୍ଥ, ଏଥିରେ ଆପତ୍ତି କରି କାହାରି କିଛି କହିବାର ନାହିଁ । କିନ୍ତୁ ଯଦି ଉପସ୍ଥିତ ଦୂରାବସ୍ଥାକୁ ଘୋଡ଼ାଇ ରଖିବାର ଗଣତନ୍ତ୍ର କେବଳ ଏକ ଘୋଡ଼ଣି ହିସାବରେ ବ୍ୟବହୃତ ହୁଏ, ତେବେ ଏହି ଦେଶର କପାଳ, ବିଶେଷତଃ ଏ ଦେଶ ନେତୃତ୍ୱର କପାଳ ବଡ଼ ମନ୍ଦ ବୋଲି କହିବାକୁ ହେବ । ଯେ କୌଣସି ପ୍ରକାର ତନ୍ତ୍ର ଦ୍ୱାରା ହେଉ ପଛକେ, ଦେଶରେ ସବୁ ମଣିଷଙ୍କ ପେଟ ପୁରାଇବାକୁ ପଡ଼ିବ ଓ ସବୁ ପିଲାଙ୍କୁ ପାଠ ପଢ଼ାଇବାକୁ ପଡ଼ିବ । ଏହା ପ୍ରତ୍ୟେକ ସ୍ୱାଧୀନ ଦେଶର ସର୍ବପ୍ରଧାନ କର୍ତ୍ତବ୍ୟ । ତା’ ନହେଲେ ଭୋକିଲା ମଣିଷର ଦୁଃଖ କ୍ରମେ ପ୍ରଚଣ୍ଡ ଅସନ୍ତୋଷ ହୋଇ ଜଳି ଉଠିବ ଏବଂ ଆମର ସକଳପ୍ରକାର ଆଦର୍ଶର ସୌଧକୁ ଚୁର୍ଣ୍ଣୀଭୂତ କରିଦେବ । କର୍ମ ଓ ଧର୍ମ ନାମରେ ଅନେକ ଯୁଗଧରି ଏହି ଦେଶର ସାଧାରଣ ମଣିଷ ଭିତରେ ଅନେକ ଜାଡ଼୍ୟ ଓ ଅନେକ ଆଳସ୍ୟ ପୂରାଇ ଦିଆଯାଇଚି । ହୁଏତ ଏହାରି ଫଳରେ ନାନା କଷ୍ଟ ଭୋଗିବାସତ୍ତ୍ୱେ ସେ ଆପଣାର ଭାଗ୍ୟ–ପରିବର୍ତ୍ତନ ବିଷୟରେ ଭାରି ଉଦାସ ରହିଆସିଚି, ନିଷ୍ପୃହ ରହିଆସିଚି । ଏ ଦେଶର ନେତୃତ୍ଵ ଏହି ନିଷ୍ପୃହତା ଓ ନିଷ୍କ୍ରିୟତାକୁ ହୁଏତ ଏ ଦେଶ ସଂସ୍କୃତିର ଏକ ପ୍ରଧାନ ଗୁଣ ବୋଲି କହି ଭ୍ରମ କରୁଚି । ସେ ଏହାକୁ ସହିଷ୍ଣୁତା ବୋଲି ପ୍ରଶଂସା କରୁଚି । ମାତ୍ର ଏହି ଭ୍ରମ ଆମକୁ ଅଧିକ ନାନା ମାରାତ୍ମକ ଭ୍ରମରେ ପଳାଇଦେଇ ଯାଉଚି, ଆମର କ୍ଷେତ୍ରକୁ ଆହୁରି ଦୁଃସହ ଓ ବିଷାକ୍ତ କରିଦେଉଚି । ଏ ଦେଶର ନେତୃତ୍ଵ ଏଣିକି ସାବଧାନ ଓ ସଚେତ ହେବା ଦରକାର ।

 

୨୧ । ୯ । ୫୯

 

ଟଙ୍କା ଦେଇ ଏହି ଅନୁଷ୍ଠାନକୁ ଗଢ଼ିଥିବା ରାଜା ବଳବନ୍ତ ସିଂହଙ୍କର ଆଜି ହେଉଚି ଜନ୍ମଦିନ । ସକାଳେ ତାଙ୍କର ସ୍ମୃତିସଭାରେ ତାଙ୍କର ବଦାନ୍ୟତା, ମହନୀୟତା ଓ ଉଦାରତା ବିଷୟରେ ଅନେକ କଥା ଶୁଣି ଆସିଲି । ଶ୍ରୀଯୁକ୍ତ ବଳବନ୍ତ ସିଂହ ରାଜା, ଥିଲେ । ତେଣୁ ତାଙ୍କ ପାଖରେ ଅଜସ୍ର ଟଙ୍କାପଇସା ଜମା ହୋଇ ରହିବା କିଛି ବିଚିତ୍ର କଥା ନୁହେଁ । ଅବଶ୍ୟ କେବଳ ସେ ଟଙ୍କାପଇସା ଜମା ରହିଲେ ମଣିଷ ଦାନଶୀଳ ହୁଏ, ତା’ ନୁହେଁ । ଅନେକ ସମୟରେ ଟଙ୍କାପଇସା ଓ ସମ୍ପତ୍ତି ମଣିଷକୁ ଅଧିକ କୃପଣ ଓ ପ୍ରଲୋଭନଗ୍ରସ୍ତ ହେବାଲାଗି ଏକ ଅପୋତ୍ସାହ ଦେଇଥାଏ । କିନ୍ତୁ ରାଜା ବଳବନ୍ତ ସିଂହ ତାଙ୍କ ହାତକୁ ଆସିଥିବା ଅର୍ଥର ଅନ୍ତତଃ କିଛି ଅଂଶ ଯେ ଶିକ୍ଷାଲାଗି ଦେଇଚନ୍ତି, ସେଥିଲାଗି ତାଙ୍କୁ ଅନ୍ୟାନ୍ୟ ରାଜା ଓ ଅନ୍ୟାନ୍ୟ ପଇସାବାଲାଙ୍କ ଠାରୁ ଅବଶ୍ୟ ସ୍ଵତନ୍ତ୍ର କରି ଦେଖିବାକୁ ହେବ । କେବଳ ରାଜପୁତ ପିଲାଙ୍କର ଶିକ୍ଷା ସକାଶେ ସେ ଏହି ଶିକ୍ଷାନୁଷ୍ଠାନ ବସାଇଥିଲେ । ଆପଣାର ବଂଶମମତା ଓ ରକ୍ତମମତା ତାଙ୍କଠାରେ ଯଥେଷ୍ଟ ପରିମାଣରେ ରହିଥିଲେ ମଧ୍ୟ ତଥାପି ସେଥିଲାଗି ତାଙ୍କ ଦାନଗୁଣର ମୂଲ୍ୟକୁ ଊଣା କରିଦେବା ଆଦୌ ଉଚିତ ହେବନାହିଁ । କାରଣ ସମାଜର ଭଙ୍ଗାଗଢ଼ା ତଥା କାଳର ଆଘାତ ଓ ଅପଘାତ ଫଳରେ ଆଜି ଏହି ଶିକ୍ଷାନୁଷ୍ଠାନ କେବଳ ରାଜପୁତ ପିଲାଙ୍କର ଶିକ୍ଷାନୁଷ୍ଠାନ ହୋଇ ରହିନାହିଁ, ଏହା ସବୁ ପିଲାଙ୍କର ଅନୁଷ୍ଠାନ ହୋଇଚି । ନାଆଁଟା ସହିତ ‘ରାଜପୁତ’ଯୋଡ଼ା–ହୋଇ ଅତୀତର ଅନାବଶ୍ୟକ ଗନ୍ଧଟା ଏପର୍ଯ୍ୟନ୍ତ ଲାଗି ରହିଥିଲେ ମଧ୍ୟ କାର୍ଯ୍ୟତଃ ଏହା ଏକ ସାର୍ବଜନୀନ ଶିକ୍ଷାନୁଷ୍ଠାନରେ ପରିଣତ ହୋଇଚି । ଏହାହିଁ ରାଜଙ୍କର ଜୀବନରୁ ଆମର ସବୁଠାରୁ ବଡ଼ ଲାଭ । ରାଜା ଜମାକରି ରଖିଥିବା ପଇସାରୁ ଆମର ବଡ଼ ଲାଭ । ମାତ୍ର ଆଜି ସମସ୍ତେ ରାଜାଙ୍କର କେବଳ ଦାନର ହିଁ ପ୍ରଶଂସା କଲେ, ତାଙ୍କ ଟଙ୍କାପଇସାର ପ୍ରଶଂସା କଲେ । ଯୋଉସକାଶେ ସେ ଏହି ଦାନ କରିଗଲେ, ଆମକୁ ତାହାର ମହିମା ମଧ୍ୟ ଯଥାର୍ଥ ଭାବରେ ଅନୁଭବ କରିବାକୁ ହେବ । ରାଜା ହେଲେ ମଧ୍ୟ, ପଇସାବାଲା ହେଲେ ମଧ୍ୟ ରାଜାଙ୍କର ବିଦ୍ୟାଗ୍ରହକୁ ଯଥାର୍ଥ ଶ୍ରଦ୍ଧା ଦେଖାଇବାକୁ ପଡ଼ିବ । ନହେଲେ ଏଠାରେ ତାଙ୍କରି ଅନୁଗ୍ରହରୁ ବିତରିତ ହେଉଥିବା ବିଦ୍ୟାର ଆମେ ଯଥାର୍ଥ ଅଧିକାରୀ ହୋଇ ପାରିବାନାହିଁ ।

 

୨୨ । ୯ । ୫୯

 

God made man, but man made slaves ! କିନ୍ତୁ ମଣିଷ ମଣିଷକୁ କ୍ରୀତଦାସରେ ପରିଣତ କରିବା ପୂର୍ବରୁ ଆଗ ନିଜେ ଭଗବାନଙ୍କର କ୍ରୀତଦାସରେ ପରିଣତ ହେଲା- He himself become a slave of God ! ସେ ବୋଧହୁଏ ମୁକ୍ତ ହେବାକୁ ଓ ମଣିଷ ହେବାକୁ ଭୟକଲା । ତେଣୁ ଆପଣାକୁ ଭଗବାନଙ୍କର କ୍ରୀତଦାସରେ ହିଁ ପରିଣତ କଲା । ତା’ର ଭଗବାନଙ୍କୁ ସେ କରୁଣାମୟ ଓ ସ୍ନେହମୟ ଭଗବାନ ବୋଲି କଳ୍ପନା କରି ପାରିଲାନାହିଁ । ଭଗବାନଙ୍କୁ ସେ ପଥର ସାଥୀ ବୋଲି ଗ୍ରହଣ କରି ପାରିଲା ନାହିଁ । ଆପଣାଭିତରେ ଭଗବାନଙ୍କର ସ୍ପର୍ଶ ଅନୁଭବ କରି ପାରିଲାନାହିଁ । ଆପଣାକୁ ମୁକ୍ତ କରି ପାରିଥିଲେ, ଆନନ୍ଦକୁ ହିଁ ଜୀବନଯାତ୍ରାର ମୂଳସରିତ ରୂପେ ଗ୍ରହଣ କରି ପାରିଥିଲେ ସେ ଏପରି କରି ପାରିଥା’ନ୍ତା । ଧର୍ମଶାସ୍ତ୍ରରେ ଭଗବାନଙ୍କ କଥା ଯେତେ ନାହିଁ, ଭଗବାନଙ୍କୁ ଭୟ କରିବା କଥା ତା’ ଠାରୁ ଅଧିକ ରହିଚି । ଭୟାଳୁ ନୀତିବାଦୀମାନେ ଭୟର ତତ୍ତ୍ଵୀକରଣ କରି ଅଧିକାଂଶ ଧର୍ମଶାସ୍ତ୍ରର ରଚନା କରିଚନ୍ତି । ସେ ସବୁ ପଢ଼ି ଆମେ ମଧ୍ୟ କ୍ରମେ ଅଧିକରୁ ଅଧିକ ଭୟ ହିଁ ଶିଖୁଚୁ । ତଦ୍ଦ୍ୱାରା ସଂସାରରେ ଭକ୍ତି ଓ ଭଲପାଇବା ନ ବଢ଼ି ଭୟ ହିଁ ବଢ଼ିଚି-। ଭଗବାନଙ୍କର ଭୟ ମନୁଷ୍ୟର ଯାବତୀୟ ଭୟକୁ ଏକ emotional ଖାଦ୍ୟ ଯୋଗାଇ ରଖିଚି ।

 

୨୩ । ୯ । ୫୯

 

ଅବତାରବାଦ ହେଉଚି ଆଧ୍ୟାତ୍ମିକ ଆଶାବାଦ । ଏହା ଆଳସ୍ୟବାଦ ବା ପଳାୟନବାଦ ଆଦୌ ନୁହେଁ । ସଂସାରର ଦୁଃଖ ଦୂର କରିବାକୁ ଭଗବାନଙ୍କର ପୁଣି ଆବିର୍ଭାବ ହେବ, ଏହାର ଅର୍ଥ ହେଉଚି, ଯେ ଏହି ସଂସାରର ଦୁଃଖ ଅବଶ୍ୟ ଦୂର ହେବ, ଏହି ରାତି ଅବଶ୍ୟ ପାହିବ । ପ୍ରତ୍ୟେକ ମଣିଷ ଭିତରେ ଏହି ଆଧ୍ୟାତ୍ମିକ ଆଶା ଓ ବିଶ୍ଵାସର ଦୀପକୁ ଜଳାଇରଖି ତାହାକୁ ସଂସାରର ଦୁଃଖ, ଭୟ, ଘୃଣା ଓ ଅନ୍ଧକାରକୁ ଦୂର କରିବାର ସଂଗ୍ରାମ ଓ ସାଧନାରେ ପ୍ରବୃତ୍ତି କରି ରଖିବା ହେଉଛି ଅବତାରବାଦ–ଦର୍ଶନର ସବୁଠାରୁ ବଡ଼ ଓ ମହତ୍ତ୍ଵପୂର୍ଣ୍ଣ ଦାନ । ଅନ୍ଧକାର ସତ୍ତ୍ୱେ ଆଲୋକ ଉପରେ ବିଶ୍ଵାସ କରିବା, ଘୃଣା ଓ ଭୟ ସତ୍ତ୍ଵେ ତଥାପି ସ୍ନେହ, ପ୍ରେମ, କରୁଣା ଓ କ୍ଷମାଉପରେ ବିଶ୍ଵାସ ରଖିବା, ଆପଣାର ସମସ୍ତ ତମସାପ୍ରିୟତା ସତ୍ତ୍ୱେ ତଥାପି ଆପଣାର ଅଭ୍ୟୁଦୟ ଉପରେ ବିଶ୍ଵାସ ରଖିବା, ଏହାହିଁ ଅବତାରବାଦର ମାର୍ମିକ ଅର୍ଥ ହୋଇ ରହିବା ଉଚିତ । ତେବେଯାଇ ଏହା ମଣିଷକୁ ବଳ ଦେଇ ପାରିବ, ମଣିଷର ଜୀବନଭିତରେ ବାଟ କଢ଼ାଇନେଇ ପାରିବ ଏବଂ ସବୁ ନିରାଶା ଭିତରେ ତଥାପି ଆଶା ଓ ବିଶ୍ଵାସକୁ ପ୍ରଜ୍ଵଳିତ କରି ରଖିପାରିବ । କିନ୍ତୁ ଅଧିକାଂଶ ଧର୍ମରେ ଅବତାରବାଦକୁ ଆମେ କେବଳ ଏକ ଆଳସ୍ୟବାଦରେ ପରିଣତ କରିଦେଇଚୁ-। ଏହି ସଂସାରର ଦୁଃଖ ଦୂର କରିବାଲାଗି ଭଗବାନ ଅବତାର ଗ୍ରହଣ କରିବେ, ତେଣୁ ମୋର ଏଠି କିଛି କରିବାର ନାହିଁ, ମୋର କିଛି ବଦଳିବାର ନାହିଁ କି କିଛି ହେବାର ନାହିଁ,-ଏହିପରି ଏକ ଭ୍ରମବିଶ୍ଵାସ ଧର୍ମର ବଳ ପାଇ ଆମକୁ ଅନେକ ସମୟରେ କେବଳ ନିକିମା କରି ରଖିଚି, କେବଳ ଦାୟିତ୍ଵହୀନ ଗେହ୍ଲାପୁଅରେ ପରିଣତ କରିଦେଇଚି । ଜୀବନରେ ଆପଣାର ସମ୍ମୁଖୀନ ହେବା ପରିବର୍ତ୍ତେ ଆମେ ଜୀବନପାଖରୁ ଦୂରକୁ ପଳାଇ ଯାଇଚୁ । ଭଗବାନ କେବଳ କୌଣସି ଗୋଟିଏ ଜାଗାରେ ଅବତୀର୍ଣ୍ଣ ହେବେନାହିଁ, ମୋ’ ଭିତରେ ମଧ୍ୟ ଅବତୀର୍ଣ୍ଣ ହୋଇ ସେ ଘୃଣା, ଭୟ ଓ ଅଜ୍ଞାନର ରାକ୍ଷସକୁ ମାରିବେ, ମୁଁ ଅବତାର ସାହିତ୍ୟରୁ ଏତିକି ସାର ଗ୍ରହଣ କରିବି ।

 

୨୪ । ୯ । ୫୯

 

ଅବତାରବାଦ ବା ମେସିହାବାଦ ଅନେକ ସମୟରେ ମଣିଷକୁ ଅଧିକ ଦୟିତ୍ଵହୀନ ଓ ଧର୍ମହୀନ କରିଦେବାରେ ପ୍ରବୃତ୍ତି ଦେଖାଇଥାଏ । ମଣିଷର ଧର୍ମକୁ ଜୀବନ ଓ ଜଗତରୁ ବାହାର କରିଦେଇ ତା’ର ଜୀବନରୁ ଅନେକ ସୌନ୍ଦର୍ଯ୍ୟ ଓ ଅନେକ ଭାବାନୁଭୂତିକୁ ନଷ୍ଟ କରିଦିଏ । ମେସିହା ଆସି ସଂସାରରେ ସବୁ କଷଣକୁ ଦୂର କରିଦେବ, ସବୁ ଅନ୍ୟାୟର ବିନାଶ ଘଟାଇବ, ଏହି ଆଶାଟିକୁ ଏକ ଅତିରିକ୍ତ ପରିମାଣକୁ ବଢ଼ାଇଦେଇ ମଣିଷ ଅନେକ ସମୟରେ ନିକିମା ହୋଇ ବସିବାର ପ୍ରଶୟ ପାଏ । ଭବିଷ୍ୟତର ଏକ ଅଳସ ଆଶାରେ ସେ ସବୁ ସହିବାକୁ ଆରମ୍ଭ କରେ । ଅନ୍ୟାୟ ସହେ, ଦୁଃଖ ସହେ, ଆପଣାର ଜୀବନମାର୍ଗକୁ ବଦଳାଇବାର ପ୍ରଥମ ଦାୟିତ୍ଵ ସେ ତା’ର ନିଜର, ସେ ଏକଥା ମଧ୍ୟ କ୍ରମେ କ୍ରମେ ଭୁଲିଯାଏ । ଯେଉଁ ଧର୍ମ ବା ଯେଉଁ ବାଦ ମଣିଷର ଆପଣା ଦାୟିତ୍ଵ ବିଷୟରେ ତାକୁ ବିସ୍ତୃତ କରିଦିଏ, ମଣିଷର ଆପଣାଆଡ଼କୁ ତା’ର ଆଖି ବୁଜିଦିଏ, ଯେତେପ୍ରକାର ଶାସ୍ତ୍ର ଓ ଆଚାରର ଆଡ଼ମ୍ବର ଧରି ତାହା ସଂସାରରେ ରାଜପଣ କରୁଥାଉ ପଛକେ, ସେହି ଧର୍ମକୁ ମୁଁ ଧର୍ମହୀନ ବୋଲି କହିବି, ତାହାର ସମ୍ମୁଖରେ ଠିଆହୋଇ ମୁଁ ତାହାରି ଉଦ୍ଦେଶ୍ୟରେ ଆପଣାର ପ୍ରତିବାଦ ଜଣାଇବି । ଭଗବାନ ମୋ’ରି ଭିତରେ ପ୍ରତ୍ୟେକ ମୁହୂର୍ତ୍ତରେ ଅବତାର ଗ୍ରହଣ କରୁଚନ୍ତି, ପ୍ରତ୍ୟେକ ମୁହୂର୍ତ୍ତରେ ମୁଁ ନିଜକୁ ନୂତନ ଜନ୍ମ ଦେଇ ଚାଲିଚି, ମୁଁ ଏହି କଥାଟିର ଆଧ୍ୟାତ୍ମିକ ବ୍ୟାଖ୍ୟାଟିକୁ ନିଶ୍ଚୟ ଗ୍ରହଣ କରେ । କିନ୍ତୁ ମୁଁ ଯେଉଁ ଅନ୍ଧାରରେ ଅଛି, ସେଇ ଅନ୍ଧାରରେ ପଡ଼ି ରହିଥିବି, ଉପରୁ ବା ବାହାରୁ କେଉଁ ଭଗବାନ ଆସି ମୋର ଉଦ୍ଧାର କରିବେ, ସଂସାରର ପରିତ୍ରାଣ କରିବେ, ସେଥିରେ ମୋର କିଛି କରିବାର ନାହିଁ ବା କିଛି ହେବାର ନାହିଁ,-ଏପରି ବିଶ୍ଵାସକୁ ମୁଁ କେବଳ ଏକ ଦାୟିତ୍ଵହୀନ ବିଶ୍ଵାସ ବୋଲି କହିବି ।

 

୨୫ । ୯ । ୫୯

 

ଯିଏ ଭଗବାନଙ୍କୁ ମାନିବ ତାଙ୍କର ଆଜ୍ଞା ପାଳନ କରିବି, ଭଗବାନ ତାହାକୁ ଦୟା କରିବେ, ସଂସାରରେ ବଡ଼ କରିବେ ଓ ସ୍ଵର୍ଗରାଜ୍ୟରେ ବଡ଼ ଆସନ ଦେବେ । ଆଉ ଯିଏ ଭଗବାନଙ୍କୁ ନମାନିବ, ତାଙ୍କର ଆଜ୍ଞା ପାଳନ ନ କରିବ, ଭଗବାନ ତାହାର ପ୍ରାଣନାଶ କରିବେ, ଯଦି କେବଳ ଏତିକି ଛଡ଼ା ଭଗବାନଙ୍କର ଆଉ କୌଣସି କାମ ନାହିଁ, ତେବେ ସଂସ୍କୃତି ଓ ଇତିହାସ ଭିତରକୁ ଭଗବାନଙ୍କୁ ନଆଣିଥିଲେ ମଣିଷ ଖୁବ୍‌ବେଶୀ ଅଭାବଗ୍ରସ୍ତ ହୋଇନଥାନ୍ତା । ଯେତେ ବଡ଼ ଆଡ଼ମ୍ବର ସହିତ ଏହି ଧର୍ମଭାବନା ଓ ଭଗବଦ୍ ଭାବନାର ପ୍ରଚାର ହେଉ ପଛକେ, ତାକୁ ମୁଁ ଆମ ଆଡ଼ର ତ୍ରିନାଥମେଳା ବା ପଞ୍ଚାନନମେଳାର ଭଗବଦ୍ କଳ୍ପନାଠାରୁ ଆଦୌ ଉଚ୍ଚତର ସ୍ଥାନ ଦେବିନାହିଁ । ଏପରି କଳ୍ପନାକୁ ଯିଏ, ଧର୍ମଜୀବନର ସର୍ବ ପ୍ରଧାନ କଳ୍ପନା ବୋଲି ଗ୍ରହଣ କରେ, ଧର୍ମ, ପ୍ରେମ ଓ ଜୀବନକୁ ତା’ ବଞ୍ଚିବାର ମୂଳପ୍ରବୃତ୍ତି ବୋଲି ନ କହି ମୁଁ ଭୟକୁ ହିଁ ମୂଳପ୍ରବୃତ୍ତି ବୋଲି କହିବି । ଯିଏ ଭୟ କରେ, କେବଳ ସେଇ ଭଗବାନଙ୍କର ଏପରି ରାକ୍ଷସୀ ସ୍ଵଭାବର ଆରୋପକଳ୍ପନା କରିଥାଏ । ଭଗବାନଙ୍କୁ ସେ ଭୀତତ୍ରସ୍ତ କରାଇ ଶାସନ କରୁଥିବା ମୋ’ କ୍ଳାସର ମାଷ୍ଟର ବା ମନିଟର ନୁହନ୍ତି । ମୋ’ ଜୀବନ ରାଜ୍ୟରେ ତାଙ୍କୁ ଏକ ପୋଲିସ୍ କନ୍‌ଷ୍ଟେବଲ ଭାବରେ ନିଯୁକ୍ତ କରିଦେଇ ମୁଁ ତାଙ୍କପ୍ରତି କୌଣସି ଧାର୍ମିକତା ପ୍ରଦର୍ଶନ କରି ପାରିବିନାହିଁ । ସେ ମୋ’ ସାଥୀ; ସେ ମୋର ମନ ହୃଦୟର ସବୁଠାରୁ ବଡ଼ ସତ୍ୟ, ସବୁଠାରୁ ବଡ଼ ସାକ୍ଷୀ ଓ ସବୁଠାରୁ ବଡ଼ ସଖା । ତାଙ୍କୁ ଶ୍ରଦ୍ଧା କରିବା ମୋର ପ୍ରଥମ କାମ, ତାଙ୍କୁ ଆପଣା ସାଥୀରେ ଗ୍ରହଣ କରିବା ମୋର ପ୍ରାଧାନ ଧର୍ମ । କିନ୍ତୁ ମୁଁ ଦୁଭାର୍ଗ୍ୟବଶତଃ ତାଙ୍କୁ ଡରି ଶିଖିଚି, ତାଙ୍କଠାରୁ ଲୁଚି ପଳାଇ ଯିବାକୁ ଶିଖିଚି, ତାଙ୍କୁ ଲାଞ୍ଚ ଦେଇ ସନ୍ତୁଷ୍ଟକରି ରଖିବାର ଧୃଷ୍ଟତା ଦେଖାଇବାକୁ ବି ଶିଖିଚି । ସେଥିଲାଗି ଜଗତରେ ମୁଁ ତାଙ୍କର କୌଣସି ପ୍ରକାଶକୁ ଅନୁଭବ କରି ପାରୁନାହିଁ, ମଣିଷ ଭିତରେ ତାଙ୍କର କୌଣସି ପ୍ରକାଶକୁ ଅନୁଭବ କରି ପାରୁନାହିଁ । ମୋ ନିଜଭିତରେ ମଧ୍ୟ ମୁଁ ତାଙ୍କୁ କୌଣସି ପ୍ରକାଶ ଅନୁଭବ କରି ପାରୁନାହିଁ । ତାଙ୍କୁ ପରମସଖା ବୋଲି ଡାକିବାର ଯୋଗ୍ୟ ମୁଁ, କିନ୍ତୁ ତଥାପି ଅଧମ ଓ ଭୟାତୁର ଏକ ଭୃତ୍ୟଭାବରେ ମୁଁ ତାଙ୍କଠାରୁ ଲୁଚି ଲୁଚି ବୁଲୁଚି ।

 

୨୬ । ୯ । ୫୯

 

ସଂସାର ବଦଳିଲା ନାହିଁ ବୋଲି ଘରେ ବସି କାନ୍ଦିଲେ ମଧ୍ୟ ସଂସାର ବଦଳିବ ନାହିଁ । ଆପଣାଠାରେ ରହିଥିବା କ୍ଷମତାବଳରେ ଅମାନିଆ ସଂସାରଉପରେ ଗଦା ପିଟି ଶାସନ କଲେ ମଧ୍ୟ ସଂସାର ବଦଳିବ ନାହିଁ । ଆପଣାର ଉଚ୍ଚତର ଅଭିମାନାସନରୁ ସଂସାରର ନିନ୍ଦା କଲେ ବା ସଂସାରକୁ ଗାଳିଦେଲେ ମଧ୍ୟ ସଂସାର ବଦଳିବ ନାହିଁ । ଅଭିମାନୀ ଅମଣିଷ ଏହିପରି ଭାବରେ ଅନେକ ପରିବାରର ବାପମାଆ ହୋଇ ସନ୍ତାନମାନଙ୍କୁ ବଦଳାଇବାର ଚେଷ୍ଟା କରିଚି, ବିଦ୍ୟାଳୟ ମାନଙ୍କରେ ଶିକ୍ଷାଦାତା ବୋଲାଇ ଛାତ୍ରମାନଙ୍କୁ ବଦଳାଇବାର ଦୁଷ୍ଟାମି କରିଚି, ରାଜନୀତି-କ୍ଷେତ୍ରରେ ନେତା ହୋଇ ଲୋକମାନଙ୍କୁ ବାଧ୍ୟ ଓ ଭଲବାଟରେ ଚଳାଇବାର ଚେଷ୍ଟା କରିଚି, ରାଜ୍ୟମାନଙ୍କରେ ଶାସକ ହୋଇ ନାଗରିକମାନଙ୍କୁ ଆପଣାର ମନୋମତ କରି ଗଢ଼ିବାଲାଗି କେତେ ବଳପ୍ରୋୟାଗ କରିଚି, କେତେ ମଣିଷ ମାରିଚି । ତଥାପି ମଣିଷ ବା ସଂସାର ବଦଳିନାହିଁ । ଅଧିକନ୍ତୁ ଏହି ସକଳପ୍ରକାର ଉତ୍କଟ ତତ୍ପରତା ସତ୍ତ୍ୱେ ସଂସାରରେ ଭୟ ବଢ଼ିଚି, ଘୃଣା ଓ ବିଦ୍ଵେଷ ବଢ଼ିଚି, ନାନାପ୍ରକାର ସଂଶୟ ଓ ଉଦାସୀନତାରେ ଜୀବନ ଅଧିକ ଶୁଷ୍କ ଓ ଅଧିକ ଜଟିଳ ହୋଇଯାଇଚି । ଯିଏ ଆପଣାକୁ ବଦଳାଇବା ସକାଶେ ଅହରହ ଚେଷ୍ଟା କରୁଥିବ ଅଥଚ ସଂସାର ପ୍ରତି ତଥାପି ଯିଏ ସହିଷ୍ଣୁ ଓ ପ୍ରସନ୍ନ ଭାବ ରଖି ପାରୁଥିବ, ସଂସାରକୁ ବଦଳାଇବା ପାଇଁ, କେବଳ ବାହାରେ ନୁହେଁ, ମଣିଷର ଅନ୍ତର ଭିତରେ ତାକୁ ବଦଳାଇବା ପାଇଁ ସେଇ ହୁଏତ ପ୍ରଥମ ସୋପାନରେ ପାଦ ଦେଇପାରିବ ବୋଲି ମୁଁ କହିବି । ତେଣୁ ମୁଁ ଆପେ ନିତି ନୂଆ ହେବି, ନିତି ଖୁସୀ ରହିବି ।

 

୨୭ । ୯ । ୫୯

 

ବିନୋବାଜୀଙ୍କର ନୂଆ ଆନ୍ଦୋଳନ ବର୍ତ୍ତମାନ ପୁରୁଣା ହୋଇଗଲାଣି । ଏହି କ୍ରାନ୍ତିକୁ ବର୍ତ୍ତମାନ ଯେକୌଣସି ପୁରୁଣା ଆନ୍ଦୋଳନ ସହିତ ଅତି ସହଜରେ ତୁଳନା କରାଯାଇ ପାରିବ । ମଣିଷ ଯେମିତି ଅଛି ସେମିତି ରହିଥିବ, ଅଥଚ ତା’ର କଥା, ତା’ର ସାମାଜିକ ଛାଞ୍ଚ ଓ ତା’ର ବେଶପୋଷାକ ବଦଳିଗଲେ ଯେ ସଂସାର ବଦଳିଯିବ, ଏହାହିଁ ହେଉଚି, ପୁରୁଣା ଆନ୍ଦୋଳନର ଅସଲ କଥା । ସବୁପ୍ରକାର ଆଦର୍ଶ ଓ ଅନ୍ୟାନ୍ୟ ଆଡ଼ମ୍ବରର ଉପରପରସ୍ତ ତଳେ ଆମେ ସବୁଠାରେ ଏହାହିଁ ଦେଖିବାକୁ ପାଇବା । ପୃଥିବୀର ଇତିହାସରେ ଅନେକବାର ମଣିଷ କଥାରେ ନୂଆ ଉତ୍ତେଜନା ଭରି ଦିଆଯାଇଚି, ମଣିଷର ବେଶପୋଷାକ ବଦଳିଚି, ବାହାର ଛାଞ୍ଚ ବଦଳିଚି, କ୍ଷମତା ହସ୍ତାନ୍ତରିତ ହୋଇଚି । ମାତ୍ର ତା’ଫଳରେ ଶ୍ରଦ୍ଧା ବଢ଼ିନାହିଁ, ସହାନୁଭୂତି ଓ ସମଭାବନା ବଢ଼ିନାହିଁ । ପ୍ରଧାନତଃ କେବଳ ଘୃଣା, ଭୟ ବା କ୍ଷମତାର ଲାଳସା ହିଁ ହସ୍ତାନ୍ତରିତ ହୋଇଚି ବା ସ୍ଥାନାନ୍ତରିତ ହୋଇଚି । ମଣିଷ ଯେଉଁ ଶାନ୍ତି ଖୋଜୁଥିଲା, ସକଳ ଗର୍ଜନତର୍ଜନ ସତ୍ତ୍ୱେ ସେହି ଶାନ୍ତି ସୁଦୂରପରାହତ ହୋଇ ରହିଚି । ସର୍ବୋଦୟର ଅର୍ଥ ହେଉଚି ଆମ ପ୍ରତ୍ୟେକ ବ୍ୟକ୍ତି ଭିତରେ ତା’ ର ଆପଣାର ଆଧ୍ୟାତ୍ମିକ ଉଦୟ, ତା’ର ଜୀବନଦୃଷ୍ଟି ଓ ଜୀବନ ମୂଲ୍ୟରେ ତୁମୁଳ ପରିବର୍ତ୍ତନ । ବିନୋବାଜୀଙ୍କ କଥା ମୁଁ ଯେତେବେଳେ ଯାହା ପଢ଼ିଚି ବା ଶୁଣିଚି, ଏହି କଥାଟା ହିଁ ମୋତେ ତାଙ୍କ କଳ୍ପିତ କ୍ରାନ୍ତିର ସର୍ବପ୍ରଧାନ କଥା ବୋଲି ମନେହୋଇଚି । କିନ୍ତୁ ସେହି କ୍ରାନ୍ତି ଆରମ୍ଭ ହେବାର ସାତବର୍ଷ ପରେ ଆଜି ମନେହେଉଚି, ସତେଅବା ଦେଶ ଯୋଉଠି ଥିଲା ସେଇଠି ପଡ଼ି ରହିଚି । ଅସଲ ଗଣ୍ଠି ଏପର୍ଯ୍ୟନ୍ତ ଫିଟିନାହିଁ । କାରଣ ମୁଁ ଯେଉଁଠାରେ ଥିଲି ସେଇଠାରେ ହିଁ ପଡ଼ିରହିଚି । ବିନୋବାଜୀଙ୍କର କଥାକୁ ମୁଁ ମୋର ଅନ୍ତର୍ଗତ କରିନାହିଁ, କେବଳ ବିପ୍ଳବର ବାଣ ମାରିବାର ମସଲାରୂପେ ବ୍ୟବହାର କରିଚି । ସର୍ବୋଦୟର ନେତୃତ୍ଵ ଏକ ନୂତନ ନେତୃତ୍ଵ ହେବା ଉଚିତ ଥିଲା-। କିନ୍ତୁ ଦୁର୍ଭାଗ୍ୟବଶତଃ ତାହା ହୋଇ ପାରିଲା ନାହିଁ । ସେଇ ସ୍ତୁତି, ସେଇ ଆତ୍ମସ୍ଫୀତି, ସେଇ କ୍ଷମତାଲୋଭ, ସେଇ ଘୃଣା ଓ ସେଇ ଭୟ ସର୍ବୋଦୟ ଆଦର୍ଶକୁ ମଧ୍ୟ ପୁରୁଣା ମନର ତେଲଘଡ଼ିରେ ପକାଇଦେଇ ନିକିମା ଓ ନିସ୍ତେଜ କରିଦେଲା । ଅଧିକରୁ ଅଧିକ କଳରୋଳ ଶୁଣାଗଲେ ମଧ୍ୟ ଅଧିକରୁ ଅଧିକ ଅନ୍ଧାର ଘୋଟିଗଲା ।

 

୨୮ । ୯ । ୫୯

 

ଇଂରାଜୀ ବିରୁଦ୍ଧରେ ଏ ଦେଶରେ ଖୁବ୍‌ବେଶୀ ଲୋକଙ୍କର କଦାପି ଆପତ୍ତି ହେବନାହିଁ-। ଇଂରାଜୀଭାଷା ହେଉଚି ଭାରତୀୟ ସାହିତ୍ୟିକ ଓ ସାଂସ୍କୃତିକ ବହିରାଗମନର ପ୍ରଥମ ବାତାୟନ ସ୍ୱରୂପ । ଇଂରାଜୀ ଜରିଆରେ ହିଁ ଆମେ ଜଗତର ବୃହତ୍ତର ଜୀବନକ୍ଷେତ୍ର ସହିତ ସଂଯୁକ୍ତ ହୋଇପାରିବୁ । ମୁଁ ତ ସେହି ଦୃଷ୍ଟିରୁ ଇଣ୍ଡୋନେସିଆର ଲୋକଙ୍କୁ ଭାରତବାସୀଙ୍କ ଠାରୁ ଅଧିକ ଦୁର୍ଭାଗ୍ୟ ବୋଲି କହିବ । କାରଣ ଇତିହାସର ଏକ ଅମାନୁଷିକ ଦୁର୍ଘଟଣା ଫଳରେ ଆଉ ଯାହାହେଉ ପଛକେ, ଆମେ ପୃଥିବୀର ଏକ ଏଡ଼େବଡ଼ ଭାଷା ଶିଖିବାର ସୁଯୋଗ ପାଇଲୁ, ଯାହାକି ସେମାନେ ପାଇଲେ ନାହିଁ । ସ୍ଵାଧୀନତା ଲାଭ କଲାପରେ ବର୍ତ୍ତମାନ ସେମାନଙ୍କୁ ଇଂରାଜୀ ଶିଖିବା ଲାଗି କି ପରିଶ୍ରମ କରିବାକୁ ପଡ଼ୁନଥିବ ! ଏହି ଦୃଷ୍ଟିରୁ ମୁଁ ମିଶରବାସୀଙ୍କୁ ପ୍ରକୃତରେ ଅଧମ ବୋଲି କହିବି । କାରଣ ଇଂରେଜଶାସନ ହଟିବା ସଙ୍ଗେସଙ୍ଗେ ସେମାନେ ଅତି କୃତ୍ରିମ ଯୋଜନାମାନ କରି ଦେଶରୁ ଇଂରାଜୀଭାଷାକୁ ହଟାଇବାରେ ଲାଗି ପଡ଼ିଚନ୍ତି । କେତେଶହ ବର୍ଷର ରାଜନୀତି ସକାଶେ ଏଡେବଡ଼ ଗୋଟାଏ ଭାଷାକୁ ଘୃଣା କରିବାଟାକୁ ମଧ୍ୟ ଅମାନୁଷିକ କୁହାଯାଇ ପାରିବ । କିନ୍ତୁ ଭାରତରେ ଭାରତୀୟ ଭାଷାକୁ ଘୃଣା କରି, ସବୁପ୍ରକାରେ ଭାରତୀୟ ଭାଷାଗୁଡ଼ିକର ଅବହେଳା କରି ଯଦି ଏଦେଶରେ ଇଂରାଜୀକୁ ପ୍ରଶୟ ଦିଆଯାଏ, ତେବେ ମୁଁ ସେଇଟାକୁ ମଧ୍ୟ ଅମାନୁଷିକତା ଓ ଅସାଂସ୍କୃତିକତା ବୋଲି କହିବି । ଆପଣାର ଭାଷା ପ୍ରତି ଶ୍ରଦ୍ଧା ନଥିଲେ, ଆପଣାର ଭାଷାକୁ ଉତ୍ତରୋତ୍ତର ସମୃଦ୍ଧ କରିବାଲାଗି ପ୍ରଗାଢ଼ ଯତ୍ନ ନଥିଲେ ଆମେ ବହିରାଗତ ଦ୍ଵିତୀୟ ଭାଷାକୁ ମଧ୍ୟ କଦାପି ଭଲକରି ଜାଣି ପାରିବୁନାହିଁ । ଆପଣାର ଧ୍ରୂବଟି ହରାଇ ବସିବୁ, ଏବଂ ଅଧ୍ରୂବ ଅଧ୍ରୂବ ହୋଇ ରହିଥିବ । ବର୍ତ୍ତମାନ ଆମ ଦେଶର ଭାଷାଗତ ଦଶା ତାହାରି ସୂଚନା ଦେଉଚି ।

 

୨୯ । ୯ । ୫୯

 

କାଲି ଏହି ଶିକ୍ଷାନୁଷ୍ଠାନଟିକୁ ସେମାନେ ଦୁଇ ଘଣ୍ଟାରେ କିପରି ଦେଖିଲେ କେଜାଣି ? ଅଥଚ ସେମାନେ ଆସି ଆମର କାର୍ଯ୍ୟକଳାପ ଦେଖିବେ ବୋଲି ଆମେ ଦୁଇ ସପ୍ତାହରୁ ସଜବାଜ ହେଉଥିଲୁ । ରାତିରେ ଆଲୁଅ ଜଳାହୋଇ କୋଠାକାମ ହେଉଥିଲା, ଅଧିକା ମୂଲିଆ ଲଗା ହୋଇ ଖାଲଢ଼ିପ ସମାନ କରାଯାଉଥିଲା । ମେହେନ୍ତର, ଚାକର, ଦପ୍ତରୀ ଓ ପିଅନଙ୍କୁ ପରିଷ୍କାର ପରିଚ୍ଛନ୍ନତା ବିଷୟରେ ବକ୍ତୃତା ଦିଆହୋଇ ଯେପରି କେଉଁଠି କୌଣସି ପ୍ରକାରର ଅସନା ମଇଳା ନରହିବ, ସେଥିଲାଗି ଆକଟ ଓ ତାଗିଦମାନ ଦିଆଯାଇଥିଲା । ପିଲାଙ୍କର ଆବାସଗୃହ ଗୁଡ଼ିକୁ ସଫା କରଯାଇଥିଲା । ପିଲାଙ୍କର ଖାତାରେ ଅଫିସଘର ପୂରିଯାଇଥିଲା । ସବୁଦିନେ ଆମର ଯାହା କରିବା କଥା ଏବଂ ଯାହା କରିବାକୁ ଆମ କୌଣସିଦିନ ମନେରଖି ପାରୁନାହୁଁ, ଏପରିକି ଆଜି ମଧ୍ୟ କରିବାଲାଗି ହୁଏତ ମନେ ନଥିବ, କାଲି ସେଗୁଡ଼ିକ ପ୍ରସ୍ତୁତ ହୋଇ ସୁସଜ୍ଜିତ ଭାବରେ ରହିଥିଲା । ତଥାପି ଯେଉଁମାନେ ଆସିଲେ, ସବୁ ସେମାନେ କେବଳ ଉପରେ ଉପରେ ଦେଖି ଚାଲିଗଲେ । ଏହି ଅନୁଷ୍ଠାନଟି ବିଷୟରେ କାଗଜପତ୍ରରେ ନାନା ହିସାବ ଓ ବିବରଣ ନେଇ ସେମାନେ ଯାଇଥିବେ । ସେହି ଅନୁସାରେ ଏହି ଅନୁଷ୍ଠାନଟି ଉପରେ ସେମାନଙ୍କର ମତାମତ ଦେବେ । ଆଗେ ଅର୍ଥାତ୍ ଇଂରେଜ ଅମଳରେ ସ୍କୁଲକୁ ବାବୁ ଆସିଲେ ଇସ୍କୁଲର ମାଷ୍ଟର ଇସ୍କୁଲ ଯାହା ନୁହେଁ, ଇସ୍କୁଲକୁ ସେହିପରି ଦେଖାଇବାକୁ ଚେଷ୍ଟା କରୁଥିଲେ । କୋଉଠିକୁ ସରକାରୀ ହାକିମ ଆସିଲେ ସେଠିକାର ଛୋଟିଆ କର୍ମଚାରୀମାନଙ୍କୁ ନିଦ ହେଉନଥିଲା । ଦିନକରେ କୌଣସି ଏକ ଖାସ୍ Emergencyରେ ସଜହେବା ଓ ତା’ ପରେ ସବୁକଥା ଭୁଲିଯିବା, ଏହି ଅଭ୍ୟାସ ଗଣତନ୍ତ୍ରବିଚାରର ବିକାଶ ପାଇଁ ଓ ଗଣତନ୍ତ୍ରଚାଳିତ ଜୀବନପାଇଁ ଆଦୌ ପୋଷାଇବ ନାହିଁ ବୋଲି ମୋର ଭୟ ହେଉଚି । ଅନ୍ୟଦିନ ଆମର କାମରେ, କଥାରେ, ସମ୍ପର୍କରେ ଓ ଦୃଷ୍ଟିଭଙ୍ଗୀରେ ଯଦି ଆମେ ଶିକ୍ଷାନୁଷ୍ଠାନକୁ କେବଳ କର୍ତ୍ତୃତ୍ଵ ଓ ପ୍ରଶାସନ ଦ୍ଵାରା ପ୍ରଚଳିତ ଏକ ତୃତୀୟ ଶ୍ରେଣୀର କାରଖାନା ବୋଲି ଗ୍ରହଣ କରିଥାଉ, ତେବେ ଖାସ୍ ଦିନକପାଇଁ ପ୍ରଥମ ଶ୍ରେଣୀର ପାଲିସ୍ କରାହୋଇଥିବା ପୋଷାକୀ ଫିଟଫାଟ୍ ଦେଖାଇଲେ ଶିକ୍ଷାଦୃଷ୍ଟିରୁ ଏହା ପ୍ରକୃତରେ ଲାଭ ବା କ୍ଷତି, ଏକଥା ବେଶ୍ ବିଚାର କରାଯାଇ ପାରିବ ।

 

୩୦ । ୯ । ୫୯

 

ବାହାରେ ସବୁପ୍ରକାରର କର୍ମସତ୍ଵରତା ସତ୍ତ୍ୱେ ଭିତରେ ତଥାପି କିଏ ନିଶ୍ଚଳ ହୋଇ ବସି ରହିବାକୁ ଚାହୁଚି, ନିଶ୍ଚଳ ହୋଇ ଅନାଇ ରହିବାକୁ ଚାହୁଚି, ଓ ନିଶ୍ଚଳ ହୋଇ ଅନୁଭବ କରିବାକୁ ଚାହୁଚି । ବାହାରେ ନାନାକାର୍ଯ୍ୟରେ ବ୍ୟସ୍ତ ରହିବାକୁ ତର ସହୁନାହିଁ, ଗୋଟାଏ କାମର ବୋଝ ମୁଣ୍ଡରୁ ଉତୁରି ନଗଲା ପୂର୍ବରୁ ଆଉ କେତେକେତେ ନୂଆ ବୋଝ ମୁଣ୍ଡଉପରେ ଲଦାହୋଇ ଯାଉଚି । ତଥାପି ସବୁ ବୋଝତଳେ ସବୁ କାର୍ଯ୍ୟର ତଦାରଖ ଓ ବ୍ୟବସ୍ଥାପନ କରୁଥିବା ମନ ସତେଯେପରି ଭାରି ହାଲୁକା ହୋଇଯିବାକୁ ଇଚ୍ଛା କରୁଚି । ସତେ ଯେପରି ପରିପୂର୍ଣ୍ଣରୂପେ ଖାଲି ହୋଇଯିବାକୁ ଚାହୁଚି । କାମରୁ ଓ ଦାୟିତ୍ଵରୁ ଫାଙ୍କି ଦେବାକୁ ମୋର କୌଣସି ଇଚ୍ଛା ନାହିଁ । ମାତ୍ର ଖୁସି ହୋଇ ସବୁ କାମକୁ ମୁଣ୍ଡ ଉପରକୁ ନେଉଥିଲେ ମଧ୍ୟ ତଥାପି ଆପଣା ଭିତରେ କିପରେ ଉଶ୍ଵାସ ଓ ଶାନ୍ତ ରହିବା ସମ୍ଭବ ହେବ, ମୁଁ ସେହି କଳାକୁ ଆପଣା ଜୀବନର କଳାରେ ପରିଣତ କରିବାକୁ ଚାହୁଚି । କର୍ମଭାର ମୁଣ୍ଡାଇବା ଦ୍ଵାରା ମୁଁ କିପରି ତଥାପି କର୍ମଭାରମୁକ୍ତ ହୋଇ ପାରିବି, ଏପାଖରେ ବ୍ୟସ୍ତ ରହିଥିବା ବେଳେ ତଥାପି ଆପଣାର ଧ୍ୟାନଦୃଷ୍ଟି ଦ୍ଵାରା ମୁଁ କିପରି ଏପାଖ ସେପାଖ ମିଶାଇ ପାରିବି, ମୁଁ ସେହି କଳା ଶିଖିବାକୁ ଚାହୁଚି । ଅନ୍ତରଭିତରର ସମସ୍ତ ଜ୍ଵରକୁ ମୁଁ ଉପଶାନ୍ତ ହୋଇଯିବାକୁ ଚାହୁଚି ।

 

୧ । ୧୦ । ୫୯

 

ଏହି ଖାତାପାଖରେ ବସିବା ଆଗରୁ ଆପଣାଭିତରୁ ବାହାରି ଆସି ଆପଣାକୁ ନିରୀକ୍ଷଣ କରି ଶିଖିବା ଉଚିତ । ସତେଯେପରି ମୁଁ ବାହାରେ ଥାଇ ଆପଣାକୁ ଦେଖୁଚି, ସେହିପରି ହେବା ଉଚିତ । ଆପଣାଭିତରେ ରହିଥିବା ଗୁଣ ଓ ଅବିଗୁଣ, ଗୌରବ ଓ ଗୋବରକୁ ମୋର ବାହାରୁ ଦେଖି ଶିଖିବାର ଶକ୍ତି ହାସଲ କରିବା ଉଚିତ । ସେକଥା ଅନେକ ସମୟରେ ହୋଇ ପାରେନାହିଁ । ତେଣୁ ସତେଯେପରି ଜବରଦସ୍ତି ଟାଣିଆଣି ଆପଣାକୁ ଏଠାରେ ବସାଇବାକୁ ହୁଏ, ଭାବିଚିନ୍ତି ଗୋଟାଏ ମନଗଢ଼ା ମିଛକଥାକୁ କିଛି କବିତ୍ଵ ଓ କିଞ୍ଚିତ୍ ଭାବପ୍ରବଣତା ଦେଇ ସତ୍ୟର ଭ୍ରମ ଦେବାକୁ ପଡ଼େ । ଆପଣାର କାମଭିତରେ ଆପଣାଜନିତ ନାନା ଗ୍ଳାନି ଓ ଭୟ ଭିତରେ ବାନ୍ଧି ହୋଇଗଲେ ଏପରି ହୋଇଥାଏ, ସତ ଜୀବନକୁ ସତ୍ୟରୂପରେ ଦେଖି ପାରିବାର ଆନନ୍ଦ ମିଳେନାହିଁ । ମୁଁ କଣ ସତ’ରେ ନାନା ଶଙ୍କା ଓ ନାନା ଅକିଞ୍ଚନତାର ଜାଲରେ ବାନ୍ଧିହୋଇ ଯାଉଚି କି ? ମୋର କାମ, ମୋର କଥା ଓ ମୋର ଭାବନା ବୋଧହୁଏ କୌଣସିପ୍ରକାର ଆତ୍ମତ୍ରାସ ଓ ଅସହଜ ଆତ୍ମକେନ୍ଦ୍ରିତାର ଅଡ଼ୁଆ ଭିତରେ କ୍ରମେ ଛନ୍ଦିହୋଇ ଯାଉଚି, ନାନା କ୍ଷତି ଓ ଗ୍ଳାନିର ଅପଭାବନାରେ ମୁଁ ହୁଏତ ଆପଣାର ସ୍ଵଚ୍ଛନ୍ଦ ବିବରଣକୁ କ୍ରମେ ବ୍ୟାହତ କରି ରଖୁଚି । ସେଇଥିଲାଗି ମୁଁ ବେଳ ଜାଣି ଆପଣାପାଖରୁ ବାହାରି ପାରୁନାହିଁ, ଦୂରରେ ଥାଇ ଆପଣାକୁ ଦେଖିପାରିବା ଏତେଦୂର କଷ୍ଟକର ମନେହେଉଚି । ଆପଣାକୁ ବୁଝିବା ଅପେକ୍ଷା ଆପଣାକୁ ଘୋଡ଼ାଇ ରଖିବାରେ ହିଁ ମୋତେ ଅଧିକ ପରିଶ୍ରମ କରିବାକୁ ପଡ଼ୁଚି । କିନ୍ତୁ ଆପଣାକୁ ଘୋଡ଼ାଇ ରଖିବାରେ ସୁଖ କାହିଁ, ଆପଣାଭିତରେ ସର୍ବସ୍ଵ ଛନ୍ଦିହୋଇ ଅଚଳ ହୋଇ ବସିବାରେ ଜୀବନ କାହିଁ, ବିକାଶ କାହିଁ, ସୌନ୍ଦର୍ଯ୍ୟ କାହିଁ ଓ ଶାଳୀନତା କାହିଁ ? ଏସବୁ ଭାବିଲାବେଳକୁ ମନେହେଉଚି,–ମୁଁ କ’ଣ, ମୁଁ କ’ଣ ଚାହୁଚି, ମୁଁ କ’ଣ ପାଉଚି, ଆପଣାଭିତରେ ମୁଁ ପ୍ରକୃତରେ କେତେ ଶୂନ୍ୟ ଓ ପୂର୍ଣ୍ଣ ରହିଯାଉଚି, ଏ ଜୀବନ ମୋତେ କେତେଦୂର ମୁକ୍ତ କରୁଚି ବା ଛନ୍ଦି ଦେଉଚି,–ଏହି ଖାତା ପାଖକୁ ଆସିବାମାତ୍ରକେ ତା’ ର ପରୀକ୍ଷା ହୋଇଯାଉଚି ।

 

୨ । ୧୦ । ୫୯

 

କେବଳ ଏକ ନିର୍ବୋଧ ଜାତି ହିଁ ମହାପୁରୁଷମାନଙ୍କୁ ଦେବତାତୁଲ୍ୟ ସ୍ତରକୁ ଉଠାଇଦିଏ-। ଯିଏ ସମାଜକୁ ବଦଳାଇବାକୁ ଆସିଥିଲା, ତାକୁ ଏକ ଅସମାଜିକ ସମ୍ମାନିତ ନିର୍ବାସନରେ ନିର୍ବାସିତ କରି ରଖେ । ଯିଏ ମଣିଷକୁ ବଦଳାଇବାକୁ ଆସିଥିଲା, ତାକୁ ଅତିମଣିଷର ସ୍ତରରେ ଅଲଗା କରି ରଖେ । ଯିଏ ମାଟିର ଜୀବନକୁ ଆନନ୍ଦମୟ କରିବାକୁ ଆସିଥିଲା ତାକୁ ମାଟିଉପରୁ ବହିଷ୍କୃତ କରି ଏକ କାଳ୍ପନିକ ଓ ଅପ୍ରକୃତ ସ୍ଵର୍ଗଭିତରେ ବନ୍ଦୀ କରି ରଖେ । ତା’ ପାଇଁ ପୂଜାର ବରାଦ ହୁଏ, ନୂଆ ନୂଆ କାଇଦାରେ ତା’ ଲାଗି କେତେପ୍ରକାର ସ୍ତୁତି ଓ ଚାରଣଗିରିର ଆଡ଼ମ୍ବର ସଭା ସ୍ପଷ୍ଟ ହୁଏ, କିନ୍ତୁ ତଥାପି ଅତି ସାବଧାନତାର ସହିତ ତାକୁ ଦୂରଛଡ଼ା କରି ରଖାଯାଏ-। ସେ ପୂଜା ପାଉ, ମହାତ୍ମାପଦ ପାଉ, ସେ ଭଗବାନଙ୍କର ଡାହାଣ ବା ବାଆଁ ପାଖରେ ଆସନ ପାଉ ପଛକେ, କିନ୍ତୁ ସେ ଦୂରରେ ଥାଉ । ସଂସାରର ସବୁ ମହାତ୍ମାଙ୍କୁ ଆମେ ଏହିପରି ଏକ ନିରାପଦ ବ୍ୟବଧାନରେ ରଖିଆସିଚୁ । ତାଙ୍କରି ପୂଜା ଦେଇ, ତାଙ୍କରି ତିଳକ ଓ ଚିତା ପିନ୍ଧି ଆମେ ତାଙ୍କୁ ହୃଦୟରୁ ବର୍ଜନ କରି ପକାଇଚୁ । ଗାନ୍ଧୀ ମୋର ଅତି ଆପଣାର, ଗାନ୍ଧୀ ମୋର ଏଇ ଧୂଳିପଥର ସାଥୀ, ଧୂଳିର ଜୀବନରେ ଫୁଲ ଫୁଟାଇବା ତଥାପି ସମ୍ଭବ ବୋଲି ଜିଦ୍ ଧରି ବସିଥିବା ସୂର୍ଯ୍ୟାଲୋକ,–ମୁଁ ଯେପରି ସବୁଦିନେ ଏହିକଥା କହିବାଲାଗି ହୃଦୟଭିତରୁ ଭରସା ପାଏ । ମୋର ସବୁ ଦୋଷ ଓ ଅଭାବ ସତ୍ତ୍ୱେ ମୁଁ ଯେପରି ସବୁଦିନେ ତାଙ୍କୁ ତଥାପି ଜଣେ ମଣିଷ ବୋଲି ମାନେ, ସଂସାରର ଜଣେ ଅତି ଆପଣାର ମଣିଷ ବୋଲି ମାନେ, ଏହି ସଂସାରକୁ ସୁନ୍ଦର କରି ଗଢ଼ିହେବ ବୋଲି ମୋ’ ଭିତରେ ଯେପରି ଚିରଦିନ ଏକ ଦୃଢ଼ ଅନ୍ତର୍ଗତ ବିଶ୍ଵାସ ରହିଥାଏ ।

 

୩ । ୧୦ । ୫୯

 

ଗାନ୍ଧୀ ବର୍ତ୍ତମାନ କୌଣସି ନିର୍ଦ୍ଦିଷ୍ଟ ଜାତିର ବା ଦେଶର ହୋଇ ରହିନାହିଁ । ଏହି ବିଶ୍ଵଯୁଗରେ ଆମେ କୌଣସି କ୍ଷେତ୍ରର କୌଣସି ବିରାଟ ମନୁଷ୍ୟ ବା ବିରାଟ ବିଚାରକୁ ଖାସ୍ ଗୋଟାଏ ଜାତିର ବା ଖାସ୍ ଗୋଟାଏ ଦେଶର ବୋଲି ଆଦୌ କହି ପାରିବା ନାହିଁ । ଏକଥା ସତ ଯେ ଇଉରୋପର ମାନସିକ ମାଟିରେ ଆଧୁନିକ ବିଜ୍ଞାନର ବିକାଶ ହୋଇଥିଲା । ଏପର୍ଯ୍ୟନ୍ତ ମଧ୍ୟ ପ୍ରଧାନତଃ ଇଉରୋପୀୟ ସଂସ୍କୃତି ହିଁ ବିଜ୍ଞାନକୁ ତା’ର ସଞ୍ଚରଣଭୂମି ଯୋଗାଇ ଆସିଚି । କିନ୍ତୁ ତା’ବୋଲି ବିଜ୍ଞାନକୁ ଆଜି କେହି ଇଉରୋପ ଭିତରେ ଏକଚାଟିଆ କରି ରଖି ପାରିବନାହିଁ । ଆଜି ବିଜ୍ଞାନ ସମସ୍ତ ପୃଥିବୀର ସମ୍ପଦ, ସଭ୍ୟ ଇଉରୋପର ଯେପରି ସମ୍ପଦ, ଅନୁନ୍ନତ ଏସିଆ ବା ଅନ୍ଧକାରମୟ ଆଫ୍ରିକାର ମଧ୍ୟ ସେହିପରି ସମ୍ପଦ । ସେହିପରି ଧର୍ମ କହେ, ସାହିତ୍ୟ କହ, କଳା କହ,–ଏସବୁକୁ କୌଣସି ଗୋଟାଏ ଦେଶରେ ଆବଦ୍ଧ କରି ରଖାଯାଇ ପାରିବନାହିଁ । କାର୍ଲ୍ ମାର୍କସ୍ ମଧ୍ୟ ରୁଷିଆ ବା କମୁନିଷ୍ଟଙ୍କ ଭିତରେ ବନ୍ଧାହୋଇ ରହି ପାରିବେନାହିଁ କି ଗାନ୍ଧୀ ମଧ୍ୟ ଶୁଦ୍ଧ ଭାରତୀୟଙ୍କର ସମ୍ପତ୍ତି ହୋଇ ରହି ପାରିବେନାହିଁ । ନାନାପ୍ରକାର ତାତ୍କାଳିକ ଆବଶ୍ୟକତା ଓ ଆକର୍ଷଣର ଉତ୍ତେଜନାରେ ପଡ଼ି ଆଜି ଭାରତ ହୁଏତ ଗାନ୍ଧୀକୁ ବର୍ଜନ କରି ଚାଲିଯିବ । କିନ୍ତୁ ତା’ ବୋଲି ଯେ ଗାନ୍ଧୀ ମରିଯିବ, ଏପରି ଧରିନେବାକୁ ମୁଁ ଭ୍ରମ ବୋଲି କହିବି । ଗାନ୍ଧୀବିଚାର ଅବଶ୍ୟ ବଞ୍ଚିରହିବ, ପୃଥିବୀର ନାନା ଦେଶରେ ନାନା ସତ୍ୟାର୍ଥୀଙ୍କର ମନରେ ବିକଶିତ ହୋଇ ତାହା ସଂସାରରେ ସବୁବେଳେ ବର୍ତ୍ତମାନ ରହିଥିବ । ଠିକ୍ ଯୀଶୁ, ଓ ଲିନ୍‌କନ୍‌ଙ୍କର ବିଚାର ଯେପରି ଅନେକପ୍ରକାରେ ବିସ୍ମୃତ ଓ ବର୍ଜିତ ହୋଇଥିଲେ ହେ ତଥାପି ବଞ୍ଚିରହିଚି, ଗାନ୍ଧୀବିଚାର ସେହିପରି ବଞ୍ଚିରହିଥିବ । ଘଟଣା ଓ ବିଚାରର ପ୍ରବାହମାନ ଆମ ପୃଥିବୀରେ ଆଜି ଯେଉଁ ଦିଗରେ ଧାଇଁବାକୁ ଲାଗିଚି, ସେଥିରୁ ଅଧକରୁ ଅଧିକ ନିଷ୍ଠାପର ମଣିଷ ଗାନ୍ଧୀବିଚାରର ବାହାରଚୋପାକୁ ଛାଡ଼ି, ତାହାର ମର୍ମ ବୁଝୁଥିଲା ପରି ଏବଂ ତାହାର ସ୍ଥାୟୀ ବର୍ତ୍ତମାନତାକୁ ଅନୁଭବ କରୁଥିଲା ପରି ବୋଧ ହେଉଚି ।

 

୪ । ୧୦ । ୫୯

 

ଆପଣା ପହରାର ବାହାରୁ କେବେ ଖସି ପଳାଇଗଲେ ମନେହୁଏ, ସତେଯେପରି ମୋର ଆଉ କୌଣସି ଗତି ନାହିଁ । ଆପଣାର ଶ୍ରଦ୍ଧାକୁ ଅସ୍ଵୀକାର କରି ଏକ ଆଦିମ ଅକୃତଜ୍ଞ ପରି ଆଚରଣ କଲାବେଳେ ମନେ ହୁଏ ଏହି ଜୀବନରୁ ଯେପରି ଶ୍ରଦ୍ଧାର ସକଳ ଶକ୍ତି ଅପହୃତ ହୋଇ ଯାଇଚି । ହଠାତ୍ ଆପଣାଭିତରେ ବଡ଼ ଦୁର୍ଗତ ଭାବରେ ଦୁଇଭାଗ ହୋଇଗଲେ ମନେହୁଏ, ଏହି ଦୁଇ ବିଭକ୍ତ ଭାଗକୁ ଯେପରି ଆଉ କୌଣସିମତେ ଯୋଡ଼ିବା ଆଦୌ ସମ୍ଭବ ହେବନାହିଁ । ସଂସାର ସହିତ, ମଣିଷ ସହିତ ଓ ଜୀବନ ସହିତ ସେତେବେଳେ ସମସ୍ତ ସୂତ୍ର ଓ ସଦ୍‌ଭାବ ତୁଟି ଗଲାପରି ମନେହୁଏ । ଆପଣାପାଖରେ ଅମାନିଆ ହୋଇ କେବଳ ନାନାପ୍ରକାର ଖିଅଛିଣ୍ଡା ବିଶୃଙ୍ଖଳା ଭିତରେ ହଜିଯିବାକୁ ମୋର ମନ ବଡ଼ ଉତ୍ତେଜିତ ହୋଇଉଠେ । ଏହି ସମୟରେ ଆପଣାକୁ ଦେଖିଲେ ପ୍ରକୃତରେ ଭାରି ଭୟ ହୁଏ, ଆପଣାକୁ ନେଇ କୌଣସିପ୍ରକାର କିଛି ଭାବିବାକୁ ସାହସ ହୁଏ ନାହିଁ । ପୁଣି ଏ ଜୀବନର କର୍ମ ଯେ କିପରି ଆରମ୍ଭ ହେବ, ଏହି ହୃଦୟଭିତରେ ପୁଣି କିପରି ଶ୍ରଦ୍ଧାର ନୂଆ ଅଙ୍କୁର କଅଁଳିବ, ଭବିଭାବି ଜର୍ଜର ମନରେ କିଛି ଠିକ୍ କରି ହୁଏନାହିଁ । କେବଳ ଆପଣାର ଉତ୍ତେଜନାମୟ ଆବରଣ ଭିତରେ ଆବଦ୍ଧ ରହି ଅତି ବିରକ୍ତ ଭାବରେ ନାନାପ୍ରକାର ବିପଦଜନକ ଓ ଆତ୍ମଘାତି ବୈରାଗ୍ୟ ଅବଲମ୍ବନ କରିବାଲାଗି ଭିତରେ କେଉଁ ନିଃସ୍ଵ ପ୍ରାଣୀ ଗର୍ଜନ କରିଉଠେ । ଠିକ୍ ସେତିକିବେଳେ ଥରେ ବାହାରକୁ ଯାଇ ଗଛପତ୍ର ଆଡ଼କୁ ଅନାଇ ଦେଲେ, କୋଡ଼ି ଓ ଖୁରୁପି ନେଇ ବଗିଚାରେ କିଛି କାମ କରି ବସିଲେ ଓ ଉପରେ ଆକାଶକୁ ଚାହିଁଦେଲେ ଆପଣାର ହଜିଲା ଖିଅଟି ପୁଣି ମିଳିଯାଏ, ହଜିଲା ମନ ପୁଣି ଫେରିଆସେ ।

 

୫ । ୧୦ । ୫୯

 

ସବୁବେଳେ ଆଣ୍ଟ କରି ବସିଥାଏ ଯେ ମୁଁ ଏ ଜୀବନରେ ପ୍ରତି ମୂହୁର୍ତ୍ତରେ ନୂଆ ହୋଇ ଯାଉଥିବି । ପ୍ରତିଦିନର ପୁରୁଣା ଆକାଶ, ଆଲୁଅ ଓ ପବନରେ ନୂଆ ହେବାର ମନ୍ତ୍ରପାଣି ଛିଞ୍ଚି ଦେଉଥିବି, ପ୍ରତିଦିନର ପୁରୁଣା ଅଭ୍ୟାସକ୍ରମରେ ମଧ୍ୟ ନୂଆ ଆନନ୍ଦ ଲାଭ କରୁଥିବି । ଏହିପରି ନିତି ନୂଆ ହେବାକୁ ମୁଁ ଯୌବନର ଶୋଭା ଧାରଣ କରିବା ବୋଲି କହିଥାଏ । ତଥାପି ବେଳେବେଳେ ମୁଁ ପୁରୁଣା ହୋଇ ପଡ଼ି ରହିଥାଏ । ମୋ’ ଭିତରର କେଉଁ ଖଳ ବେଳେବେଳେ ମୋର ସମସ୍ତ ଉତ୍କଣ୍ଠା ସତ୍ତ୍ୱେ ମୋ’ ଜୀବନରେ କେବଳ ସେଇ ପୁରୁଣାର ହିଁ ପୁନରାବୃତ୍ତି କରିବାକୁ ଲାଗେ । ସେହି ଶୋଚନୀୟ ମୁହୂର୍ତ୍ତରେ ବର୍ତ୍ତମାନ ମୁହୂର୍ତ୍ତର ସବୁ ସମ୍ପଦକୁ ଫୋପାଡ଼ିଦେଇ ମୁଁ ପଛକୁ ପଳାଇଯାଏ । ସେତେବେଳେ ଆଗକୁ ଯିବାର କୌଣସି ମର୍ମ ହିଁ ବୁଝି ହୁଏନାହିଁ । ସତେଯେପରି ଅତୃପ୍ତି ଓ ଅସନ୍ତୋଷ ବ୍ୟତୀତ ମୋ’ ଭିତରେ ଆଉ କିଛି ନାହିଁ । ଅତି ଉତ୍ତେଜିତ ଭାବରେ ମୁଁ କେବଳ ଏତିକି ଭାବିବାରେ ଲାଗିଯାଏ । ନାନା ହୀନ ଓ ଉଗ୍ରଭାବରେ ସେହି କାଳ୍ପନିକ ଅତୃପ୍ତିର ତୃପ୍ତି କରିବାଲାଗି ମୁଁ ହଠାତ୍ ଅତି ପ୍ରବଳ ହୋଇପଡ଼େ ଓ ଆପଣାପାଖରୁ ଖସି ପଳାଏ । କୌଣସିପ୍ରକାର ଶ୍ରଦ୍ଧା, କୌଣସିପ୍ରକାର ଜୀବନଭାବନା ଓ କୌଣସିପ୍ରକାର ଆତ୍ମବିଶ୍ଵାସ ମୋତେ ଅଟକାଇ ପାରେନାହିଁ । କେବଳ ଏହି ପ୍ରବୃତ୍ତିଗୁଡ଼ାକର କବଳରେ ପଡ଼ି ମୁଁ ଯେକୌଣସି ପଶୁପରି ପୁନରାବୃତ୍ତିକୁ ହିଁ ଜୀବନ ବୋଲି ଗ୍ରହଣ କରିନିଏ । ମୁଁ ଆପଣାକୁ ନେଇ ଆଗକୁ ଯିବାକଥା ଭୁଲିଯାଏ, ଆପଣାକୁ ଦେଇ ଓ ଆପଣାକୁ ବାଟରେ ବାହାର କରି ସବୁ ତୃପ୍ତି ଓ ଆନନ୍ଦ ଲାଭ କରିବାର ସହଜ ସୂତ୍ରଟି ଭୁଲିଯାଏ । ସେଇଥିପାଇଁ ପୁଣି ହୋସ୍‌କୁ ଆସିଲେ ଆପଣାକୁ ନେଇ ଏତେ ଦୁଃଖ ହୁଏ, ଆପଣାକୁ ସଜାଡ଼ି ପୁଣି ଅସଲ ପଥଉପରେ ବାହାର କରିବାକୁ ମୁଁ ପୁଣି ଉଦ୍‌ଗ୍ରୀବ ହୋଇଉଠେ । ଆକାଶ, ଆଲୁଅ ଓ ପବନରୁ ପୁଣି ସାହସ ସଂଗ୍ରହ କରିବାକୁ ଯାଏ, ମଣିଷ ସହିତ ମିଶି ଜୀବନକୁ ପୁଣି ଭଲ ପାଇବାକୁ ଚେଷ୍ଟା କରେ । ଆପଣାଭିତରେ ଆପଣାର ସଖାକୁ ପୁଣି ଖୋଜିବାକୁ ଚେଷ୍ଟାକରେ । ତାକୁ ପୁଣି ବୁଝିବାକୁ ଚେଷ୍ଟା କରି ମୁଁ ତାହାରିଠାରୁ ସାହସ ପାଏ, ଶ୍ରଦ୍ଧା ପାଏ, ବିଶ୍ଵାସ ପାଏ । ପୁଣି ଆଗକୁ ବାଟ ଦିଶିଯାଏ, ପଛଗୁଡ଼ାକ ମଧ୍ୟ ଆଗର ରାସ୍ତାଉପରେ ସରୁ ବାଲି ହୋଇ ବିଛାଇ ହୋଇଯାଏ ।

 

୬ । ୧୦ । ୫୯

 

ଆଜିକାଲି ମୁଣ୍ଡଟା ଅତ୍ୟନ୍ତ ଭାରିଭାରି ଲାଗୁଚି । ଅର୍ଥାତ୍ ନାନାପ୍ରକାରର ଲାଞ୍ଛ, ଭୟ, ଗ୍ଳାନି ଓ ଅସ୍ଵାଭାବିକ ସାବଧାନତାରେ ମୁଣ୍ଡ ଭିତରଟା ଖୁନ୍ଦି ହୋଇ ରହିଚି । ସେଥିଲାଗି ମୁଁ ଖୁସୀ ହେବାକୁ ଯେତେ ଚେଷ୍ଟା କଲେ ମଧ୍ୟ ଖୁସୀ ହେବା ସମ୍ଭବ ହେଉନାହିଁ । ଖୁସୀ ହେବାକୁ ଚେଷ୍ଟା କରିବାର ଅର୍ଥ ହିଁ ହେଉଚି ଆପଣାକୁ ସମସ୍ତପ୍ରକାର ଖୁସୀରୁ ବଞ୍ଚିତ କରି ରଖିବା । ମଣିଷସହିତ ମିଶିଲାବେଳେ ବା କଥାବାର୍ତ୍ତା କଲାବେଳେ ମୋତେ ଯେପରି ଅନେକପ୍ରକାରର ସତର୍କ ସଙ୍କୋଚ ଭାରି ବାନ୍ଧିକରି ରଖୁଚି । ହୃଦୟ ଖୋଲି ବଞ୍ଚିବା ଓ ଜଗତ ସହିତ ସଂଯୁକ୍ତ ହେବା ସମ୍ଭବ ହୋଇ ପାରୁନାହିଁ । ଭିତରେ ଯେ ହୃଦୟ ବୋଲି ଗୋଟାଏ ଜିନିଷ ଅଛି, ଯାହାସହିତ ମୁଁ ସମ୍ପର୍କରେ ଆସୁଚି, ତାହାର ମଧ୍ୟ ଯେ ଗୋଟାଏ ହୃଦୟ ଅଛି, ଅନେକ ସମୟରେ ଏହି କଥାଟା ପାସୋର ହୋଇ ଯିବାପରି ଲାଗୁଚି । ଆଗରୁ ମୁଁ କେବେହେଲେ ଏତେ ପରିମାଣରେ ପରିସ୍ଥିତିର ଦାସ ହୋଇନଥିଲି-। ପରିସ୍ଥିତି ଯେ କ୍ରମେ ମଣିଷକୁ ମାରିଦିଏ, ମଣିଷ ଯେ ପରିସ୍ଥିତିର ରଙ୍ଗରେ କ୍ରମେ ଆପଣାକୁ ରଙ୍ଗାଇନିଏ । ଆପଣାର ଜୀବନ ଭିତରେ ମୁଁ ବେଳେବେଳେ ସତେଅବା ସେହିପରି ଅନୁଭବ କରୁଚି । ହୃଦୟ ଦେଇ ବଞ୍ଚୁ ନଥିବାରୁ ଜୀବନଟା ଖାଲି ପୁନରାବୃତ୍ତି ପରି ଲାଗୁଚି । ହୃଦୟ ଦେଇ ବଞ୍ଚୁ ନଥିବାରୁ ଅନେକ ସମୟରେ ଆପଣାକୁ ବଡ଼ ଏକାକୀ ବୋଲି ମନେହେଉଚି । ହୃଦୟ ଦେଇ ବଞ୍ଚୁ ନଥିବାରୁ କେବଳ ହାଟର ମୂଲ୍ୟ ଓ ଆବଶ୍ୟକତା ଅନୁସାରେ ଆପଣାକୁ ବିଚାର କରିବାର ପାପପ୍ରବୃତ୍ତି ପ୍ରବଳ ହୋଇଉଠୁଚି । ନା,–ଏହି ଅସ୍ଥିର ଝଡ଼ ଓ ହୀନକର ଗ୍ଲାନିକୁ ତଥାପି କଟାଇ ଯିବାକୁ ହେବ, ସ୍ଥିରଭାବରେ ଠିଆ ହୋଇ ଏହି ଶୋଚନୀୟ ପର୍ଯ୍ୟାୟଟିକୁ ଅତିକ୍ରମ କରିବାକୁ ହେବ । ସମୟ ଅନୁସାରେ ଦୁଆର ପୁଣି ଖୋଲିଯିବ ।

Unknown

 

୭ । ୧୦ । ୫୯

 

ଆଜି ଇଉରୋପ ଅନେକ ଦୂରରେ, ତଥାପି ଅନେକ ନିକଟରେ ରହିଚି । ସେଠି ମୋର ସଂସାର ସାରି ଠିକ୍ ଛଅବର୍ଷ ତଳେ ମୁଁ ସେହି ମହାଦେଶର ମାଟି ଛାଡ଼ି ଆସିଥିଲି । ତଥାପି ମୋର ଅନେକ ମନ ଓ ଅନେକ ହୃଦୟକୁ ମୁଁ ଯେପରି ସେଇ ମାଟି ଉପରେ ଛାଡ଼ିଦେଇ ଆସିଲି । ସାଧାରଣତଃ ସମସ୍ତେ ଇଉରୋପ ଯାଆନ୍ତି ତେଣୁ ଡିଗ୍ରୀ ନେଇ ବାବୁ ହୋଇ ଆସିବାକୁ । ମୁଁ ସେହିସବୁ ଅଭିଳାଷକୁ ଜାଣିଶୁଣି ବର୍ଜନ କରି ଯାଇଥିଲି । ତେଣୁ ଡିଗ୍ରୀ ନେଇ ବାବୁ ହୋଇ ଆସିବାର ସହଳ ଭାଗ୍ୟ ବା ନିର୍ମମ ଦୁର୍ଭାଗ୍ୟ ମୁଁ ଲାଭକରି ପାରିଲିନାହିଁ । କିନ୍ତୁ ଯାହା ନେଇକରି ଆସିଲି, ଜୀବନରେ ତା’ର ମହନୀୟତା ଅନେକ ବେଶୀ । ପ୍ରତ୍ୟେକ ମଣିଷକୁ ମଣିଷ ଭାବରେ ଚିହ୍ନିବାଲାଗି ଇଉରୋପ ମୋତେ ଅଧିକ ଅବସର ଦେଇଚି । ମଣିଷକୁ ମଣିଷ ଭାବରେ ଭଲ ପାଇବାଲାଗି ଇଉରୋପ ମୋତେ ଅଧିକ ପ୍ରେରଣା ଦେଇଚି । ମଣିଷକୁ ତା’ର ବିପୁଳ ବୈଚିତ୍ର୍ୟ ଓ ବହୁମୁଖିତା ଦେଇ ଗ୍ରହଣ କରିବା ଲାଗି ଇଉରୋପ ମୋତେ ଅଧିକ କ୍ଷେତ୍ର ଯୋଗାଇ ଦେଇଚି । ମଣିଷକୁ ମଣିଷର ସମ୍ମାନ ଦେଇ ସ୍ଵୀକାର କରିବାଲାଗି ଇଉରୋପ ମୋତେ ଅଧିକ ଦୃଢ଼ କରିଚି । ଭିତରର ଜଳାଶୟକୁ ଭାଙ୍ଗି ଆପଣାକୁ ବାହାରର ଧାରାଟି ସହିତ ମିଶାଇ ଦେବାରେ, ଆଦର୍ଶବାଦର ପୋଷାକ ପିନ୍ଧି ମୋ’ ଭିତରେ ରହିଥିବା ଉଗ୍ରତା ଓ ଅସହିଷ୍ଣୁ ଅଭିମାନକୁ ବୁଝିବାରେ ଇଉରୋପର ପରିଚୟ ଓ ଅଧ୍ୟୟନ ମୋତେ ଅନେକ ସମ୍ପଦବାନ୍ କରିଚି । ପୃଥିବୀରେ ଆଜି ଯୋଉଠି, ବିଶେଷତଃ ଇଉରୋପରେ ଯୋଉଠି ଯୁଦ୍ଧ ଲାଗୁନା କାହିଁକି, ପ୍ରାକୃତିକ ବିଭୀଷିକାରେ ଯେଉଁଠି ମଣିଷ ମରନ୍ତୁନା କାହିଁକି, ମୁଁ ଅତ୍ୟନ୍ତ ସ୍ଵାଭାବିକ ଭାବରେ ସେଥିଲାଗି ସମବେଦନା ଅନୁଭବ କରିପାରୁଚି । ଏହି ଆତ୍ମୀୟତା ହେଉଚି ମୋର ସବୁଠାରୁ ବଡ଼ ଲାଭ, ସବୁଠାରୁ ବଡ଼ ଅର୍ଜିତ ସମ୍ପଦ । ଆପଣା ଦେଶ ବା ଆପଣା ଜାତି ପ୍ରତି ଏକପ୍ରକାର ଛଦ୍ମବେଶୀ ଆଦର୍ଶକୃତ କାମୁକତାରୁ ରକ୍ଷାପାଇବାରେ ଏହି ଆତ୍ମୀୟତା ମୋତେ ଅନେକ ସାହାଯ୍ୟ କରିଚି । ତେଣୁ ଇଉରୋପରେ କଟିଥିବା ମୋର ସେହି ତିନିବରଷ ମୋ’ ଜୀବନର ଏକ ଅନ୍ତରଙ୍ଗ ଅଂଶ ହୋଇ ରହିଚି ।

 

୮ । ୧୦ । ୫୯

 

ଯେକୌଣସି ଶିକ୍ଷାଳୟରେ ଶିକ୍ଷକ ଓ ଛାତ୍ର ଭିତରେ କେବଳ ଶିକ୍ଷାଗତ ସମ୍ପର୍କ ରହିବା ଆବଶ୍ୟକ । ଶିକ୍ଷାଗତ ସମ୍ପର୍କରେ ଭୟର କୌଣସି ସ୍ଥାନ ନାହିଁ । ଭୟ କରିବାର କୌଣସି ସ୍ଥାନ ନାହିଁ କି ଭୟ ଦେଖାଇବାର ମଧ୍ୟ କୌଣସି ସ୍ଥାନ ନାହିଁ । ଛାତ୍ର ଶିକ୍ଷକକୁ ଯେପରି କୌଣସି ପ୍ରକାରେ ଭୟ କରିବା ଉଚିତ ନୁହେଁ, ଶିକ୍ଷକ ଛାତ୍ରକୁ ମଧ୍ୟ ସେହିପରି କୌଣସି ପ୍ରକାରେ ଭୟ କରିବା ଉଚିତ ନୁହେଁ । କାରଣ ଯେଉଁ ତରଫରୁ ହେଉ ପଛକେ, କୌଣସି ପ୍ରକାର ଭୟ ପ୍ରବେଶ କଲେ ଶିକ୍ଷାଗତ ସମ୍ପର୍କ ଆଉ ଶିକ୍ଷାଗତ ସମ୍ପର୍କ ହୋଇ ରହେନାହିଁ । ଛାତ୍ର ତଥା ଶିକ୍ଷକର ଶିକ୍ଷା ଜିଜ୍ଞାସା ଏକାଠି ହେବାଲାଗି ଆଉ କୌଣସି ସ୍ଥାନ ରହେ ନାହିଁ । ଦୁଇପକ୍ଷର ଆଗ୍ରହ ଲାଗି ଆଉ କୌଣସି ସାମାନ୍ୟ କ୍ଷେତ୍ର ରହେନାହିଁ । ଶିକ୍ଷକର ଦେଇ କରି ଶିଖିବାର ଇଚ୍ଛା ଓ ଛାତ୍ରର ଗ୍ରହଣ କରି ଶିଖିବାର ଇଚ୍ଛା ଆଉ ପରସ୍ପରକୁ ସ୍ପର୍ଶ କରି ପାରେ ନାହିଁ । ତେଣୁ ଶିକ୍ଷାଗତ ସମ୍ପର୍କ ଏକ କାରଖାନାର ସମ୍ପର୍କରେ ପରିଣତ ହୋଇଯାଏ । କାରଖାନାରେ ମଧ୍ୟ ଏକ ଶିକ୍ଷାଗତ ବାତାବରଣ ଓ ସମ୍ପର୍କ ସ୍ଥାପନ କରିବାପାଇଁ ପୃଥିବୀରେ ଅନେକ ସ୍ଥାନରେ ପ୍ରୟାସ କରାଯାଉଥିବା ସମୟରେ ଆମଦେଶରେ ଶିକ୍ଷାଳୟମାନଙ୍କରେ କାରଖାନାର ସମ୍ପର୍କ ସ୍ଥାପନ କରିବାକୁ ଉତ୍ସାହ ଦେଖାଇବା ଦୁଃଖର କଥା । ଏହାଦ୍ୱାରା ସକଳ ଶିକ୍ଷା କେବଳ ବିଷାକ୍ତ ହିଁ ହୋଇଯିବ, ଶିକ୍ଷକ ତଥା ଛାତ୍ରର ଜୀବନକୁ କୌଣସି ଶିକ୍ଷା ସ୍ପର୍ଶ କରି ପାରିବନାହିଁ ।

 

୯ । ୧୦ । ୫୯

 

ଆଜିକାଲି ଶିକ୍ଷକ ଓ ଛାତ୍ର ଉଭୟଙ୍କର ଆଗ୍ରହ ମରିଯାଉଚି । ଶିକ୍ଷକର ଦେବାପାଇଁ ଆଗ୍ରହ ନାହିଁ ଓ ଛାତ୍ରର ନେବାପାଇଁ ମଧ୍ୟ ଆଗ୍ରହ ନାହିଁ । ଆପଣା ଚାକିରିରେ ସ୍ଥାୟୀ ହୋଇଯିବା ପରେପରେ ଶିକ୍ଷକର ସକଳ ଶିକ୍ଷା ବନ୍ଦ ହୋଇଯାଉଚି । ଅଧିକତର ଆକାଂକ୍ଷା ରଖିଥିବା ତାହାରି ଭିତରର ଛାତ୍ର ହୁଏତ ବିଦ୍ୟାଳୟରେ ଛାତ୍ରମାନଙ୍କର ସମ୍ମୁଖୀନ ହୋଇପାରନ୍ତା, ଛାତ୍ର ସହିତ ନାନାବିଧ ଆଦାନପ୍ରଦାନର ଅବସର ସୃଷ୍ଟି କରିପାରନ୍ତା, ଛାତ୍ରକୁ ବୁଝିପାରନ୍ତା, ଆପଣାକୁ ମଧ୍ୟ ଛାତ୍ରଆଗରେ ବୁଝାଇ ପାରନ୍ତା । କିନ୍ତୁ ଆଜି ଅଧିକାଂଶ ଜାଗାରେ ସେପରି ହୋଇ ପାରୁନାହିଁ । ଶିକ୍ଷକ ବାଧ୍ୟ ହୋଇ ପାଠ ପଢ଼ାଇବାକୁ ଆସୁଚି, ବେତନର ଗୋଲମଭାବରେ ଆପଣାର କାମ ଖଟିବାକୁ ଆସୁଚି । ଛାତ୍ର ମଧ୍ୟ ବାଧ୍ୟ ହୋଇ ପାଠ ପଢ଼ିବାକୁ ଆସୁଚି । ପାଠ ନପଢ଼ି ମଧ୍ୟ ଯଦି ଅନ୍ୟ କୌଣସି ଉପାୟରେ ପାସ୍ କରିବା ସମ୍ଭବ ହୋଇପାରେ, ତେବେ ସେ ଅଧିକାଂଶ ସମୟରେ ସେଇଟାକୁ ହିଁ ଖୋଜି ବୁଲୁଚି । ଆଜି ଶିକ୍ଷାଳୟରେ ସରସ୍ଵତୀଙ୍କର କାଇଦା ଚାଲୁନାହିଁ, ଆଳସ୍ୟର କାଇଦା ହିଁ ଚାଲୁଚି । ଅଳସୁଆ ହୋଇ ଦୁହେଁ ଦୁହିଁଙ୍କୁ ଠକିବାରେ ଲାଗିଚନ୍ତି । ଉପର ଆଡ଼ମ୍ବର ଦଶଗୁଣ ବଢ଼ିବାରେ ଲାଗିଛି, ଶିକ୍ଷାଦନାର ବଢ଼ିଆ ବଢ଼ିଆ ପ୍ରଣାଳୀ ଅନୁସୃତ ହେବାର ଯୋଜନାମାନ କରାଯାଉଚି । କିନ୍ତୁ ମଣିଷର ଯେଉଁ ସ୍ତରରେ ଶିକ୍ଷାଦାନ ଓ ଶିକ୍ଷାଗ୍ରହଣ ସମ୍ଭବ ହୁଏ, ସେଠାରେ କୌଣସିପ୍ରକାର ଯତ୍ନ ହେଉନାହିଁ । ଅଶିକ୍ଷିତ ପରିବେଶରେ ନାନାପ୍ରକାର ଉତ୍ତେଜନାରେ ଏବଂ ତଥାକଥିତ ସଂସାରରେ ଆବଶ୍ୟକତାମାନ ପୂର୍ଣ୍ଣ କରିବାଲାଗି ନାନାପ୍ରକାରେ ପ୍ରସ୍ତୁତ ହେଉ ହେଉ ସେହି ସ୍ତରଟି କ୍ରମେ ଉଷାର ହୋଇଯାଉଚି, ଭିତରେ ଜୀବନବୃକ୍ଷର ଡାଳଗୁଡ଼ାକ କ୍ରମେ ଶୁଖିଶୁଖି ଯାଉଚି । ପିଲାଦିନର ସ୍ଵାଭାବିକ ଉତ୍କଣ୍ଠା ଓ କୌତୁହଳ ଫଳରେ ଏଠି ସେଠି ଯେତିକି ପତରଗଜା ବାହାରିଥିଲା, ସେଗୁଡ଼ିକ ମଧ୍ୟ କ୍ରମେ ଶୁଖି ଝଡ଼ିପଡ଼ୁଚି । ହୃଦୟ ବ୍ୟତିରେକ ଜୀବନ କ୍ରମେ ଥୁଣ୍ଟା ହୋଇପଡ଼ୁଚି । ତଥାକଥିତ ବୈଜ୍ଞାନିକ ପ୍ରଣାଳୀ ଓ ଶିକ୍ଷାଦାନ–ପଦ୍ଧତିରେ କ’ଣ ଏହି କ୍ଷୟକୁ ବନ୍ଦ କରିବାଲାଗି କୌଣସି କଳା ନାହିଁ, ଛାତ୍ର ଓ ଶିକ୍ଷକକୁ କଳାକାରର ଦୃଷ୍ଟି ଦେବାଲାଗି କ’ଣ କୌଣସି ମସଲା ନାହିଁ ?

 

୧୦ । ୧୦ । ୫୯

 

ଶ୍ରୀଯୁକ୍ତ ଜବାହରଲାଲ ନେହରୁଙ୍କୁ ଦେଖିବାଲାଗି କାଲି ଆଗ୍ରା ଯାଇଥିଲି । ସାଧାରଣ ସଭାର କାର୍ଯ୍ୟକ୍ରମ ନଥିଲା, କେବଳ ସେ ମଟରରେ ଚାଲି ଯିବାବେଳେ ମୁହୂର୍ତ୍ତକ ସକାଶେ ତାଙ୍କସହିତ ଯାହା ଦର୍ଶନ ହେଲା ମାତ୍ର । ତାଙ୍କୁ ଦେଖିବାଲାଗି ରାସ୍ତାର ଦୁଇପାଖେ ଏତେ ଲୋକ ଠିଆ ହୋଇଚନ୍ତି ଦେଖିବା ମାତ୍ରକେ ଖୋଲା ମଟର ଭିତରେ ସେ ଫଟ୍‌କରି ଠିଆ ହୋଇଗଲେ । ଭାରତର ପ୍ରଧାନମନ୍ତ୍ରୀ ବା ଏଦେଶର ରାଜନୀତିରେ ପ୍ରଧାନ ପଞ୍ଝାର ବଡ଼ପଣ୍ଡାଙ୍କୁ ଦେଖୁଚି ବୋଲି ମୁଁ ଏକାବେଳକେ ଭୁଲିଗଲି । ମୋର ମନେହେଲା, ଯେପରି ଭାରତର ଆତ୍ମାକୁ ଆପଣାଭିତରେ ବହନ କରୁଥିବା ଏକ ଯୁବକକୁ ମୁଁ ଦେଖିଲି । ହାଇଦ୍ରାବାଦରେ ଶ୍ରୀଯୁକ୍ତ ଦେ’ଙ୍କଠାରୁ ଶୁଣିଥିଲି ଯେ ନିରାଶ ଲାଗିଲାବେଳେ ସେ ପଣ୍ଡିତ ନେହରୁଙ୍କୁ କେବଳମାତ୍ର ଦେଖିଆସିବାକୁ ଯାଆନ୍ତି । ତାଙ୍କୁ କେବଳ ଦୂରରୁ ଥରେ ଚାହିଁଦେବା କ୍ଷଣି ତାଙ୍କର ମନ କୁଆଡ଼େ ପୁଣି ଆଶାରେ ପୂର୍ଣ୍ଣ ହୋଇଯାଏ । ହୃଦୟଭିତରେ ବିଶ୍ଵାସ ଓ ଜୀବନଶ୍ରଦ୍ଧା ଭରିଯାଏ, ବାଟ ଚାଲିବାରେ ଶକ୍ତି ଆସେ । ଏହି ଦେଶରେ ସବୁଠାରୁ ଅଧିକ କର୍ମଠ ଯୁବକ ହେଉଚନ୍ତି ପଣ୍ଡିତ ନେହରୁ, ସତୁରି ବର୍ଷର ଅଭିଜ୍ଞତାରେ ପରିଶୁଦ୍ଧ ଏବଂ ପ୍ରଜ୍ଜ୍ଵଳିତ ଯୁବକ । ସେ ଯେପରି କୌଣସି ଜାତିର ନୁହନ୍ତି, କୌଣସି ଦେଶର ନୁହନ୍ତି, ତାଙ୍କୁ କୌଣସିପ୍ରକାର ଅନୁରକ୍ତି ସଂକୀର୍ଣ୍ଣ ଓ ସୀମିତ କରି ରଖିନାହିଁ । ସେ ଖାଲି ଜଣେ କର୍ମଠ ଯୁବକ, ଜଣେ ସମର୍ପିତ ଯୁବକ । ସଂସ୍କୃତି ନାମରେ ତାଙ୍କ ଭିତରେ କୌଣସିଠାରେ କୌଣସି ବାଡ଼ ପଡ଼ିଥିବାର ଦେଖି ପାରିଲିନାହିଁ । ସେ ଏହି ବିଶ୍ଵପରିବାରରେ ସତେଅବା ଜଣେ ଦୃଷ୍ଟିମୟ ଓ ଆଦର୍ଶମୟ କର୍ମଠ ଯୁବକ, ଏହି ଅଳସୁଆ ଦେଶରେ ତଥାପି ଏକ ଉଜ୍ଜ୍ଵଳ ଭବିଷ୍ୟତର ଦ୍ୟୋତକ ।

 

୧୧ । ୧୦ । ୫୯

 

ଦଶହରା, ବିଜୟା ଦଶମୀ, ପର୍ବ, ଖିଆପିଆ, ନୂଆଲୁଗା ପିନ୍ଧା,–ସବୁ ମିଶି ବରଷର ଏହି ଦିନଟି ଆଜି ଅନ୍ୟାନ୍ୟ ଦିନଠାରୁ ଅତି ପୃଥକ୍ । ତେଣୁ ସକାଳୁ ଉଠିବା ଠାରୁ ଆଜି ଅଲଗା ଅଲଗା ଲାଗୁଚି । ଆଜିର ଶୌଚ, ସ୍ନାନ, ଆଜିର ସୂର୍ଯ୍ୟଦେଖା ଓ ଆଲୋକସ୍ପର୍ଶ ହଠାତ୍ ବଡ଼ ପୁଣ୍ୟମୟ ବୋଧ ହେଉଚି । ଆରବର୍ଷ ଏହିଦିନକୁ ମୁଁ ଗାଆଁରେ ଥିଲି । କେତେ ଖୁସୀ ହୋଇଥିଲି । ଘରର ଆନନ୍ଦକୋଳାହଳ ଭିତରେ ମଜ୍ଜି ରହି କେତେ ଆନନ୍ଦ ପାଇଥିଲି । କେତେ ଆନନ୍ଦ ଦେଇଥିଲି । ଏବର୍ଷ ଘରଠାରୁ ଅନେକ ଦୂରରେ । ପିଠାପଣାରେ ଭାଗ ମିଳିବା ଅସମ୍ଭବ ପରି ମନେହେଉଚି । ତଥାପି ଆଜି ଖୁସୀ ଲାଗୁଚି, ଆଜିର ଏହି ଖୁସିଦିନଟିକୁ ମୁଁ ତଥାପି ଆପଣାର ଦେହଭିତରେ ମଧ୍ୟ ଅନୁଭବ କରୁଚି । ମନ ଓ ହୃଦୟ ତ ପହିଲୁ ପ୍ରସ୍ତୁତ ହୋଇ ରହିଚନ୍ତି । ମୋ’ ର ଭିତରର ଯାବତୀୟ ଶକ୍ତି ଆଜି ବିଶ୍ଵଶକ୍ତିର ବସନସ୍ପର୍ଶ କରିଥିବା ପରି ମନେହେଉଚି, ଏ ଶକ୍ତି ଭାଙ୍ଗେନାହିଁ, ହାଣେ ନାହିଁ ଦଗ୍ଧ କରାଏନାହିଁ ବା ଭିନ୍ନ କରି ଦିଏନାହିଁ । ଏହା ଅଧିକ ଉଜ୍ଜ୍ଵଳ କରେ, ପ୍ରତିଭାତ ହୁଏ, ଆପଣାକୁ ସଂକ୍ରାମିତ କରାଏ, ଉପରକୁ ଉଠାଇନିଏ, ଆପଣାର ଗଭୀରତମ ଅନ୍ତର୍ଦେଶରେ କେଉଁ ଅପରିଚିତ ଅତି ଆପଣାର ସହିତ ଭେଟ କରାଇଦିଏ । ଜଗତରେ ଆପଣାକୁ ଶକ୍ତିହୀନ ବୋଲି ମନେକରି ବସି ରହିବାପାଇଁ ଆଉ ବାଟ ନଥାଏ । କାହାରି ପାଖରୁ ଦଉଡ଼ି ପଳାଇ ଆସିବାକୁ ଲଜ୍ଜା ଲାଗେ । କାହାରି ସହିତ ଉଗ୍ରତା ଓ ଦୂରତାର ଆଚରଣ କରିବାରୁ ହୃଦୟ ନିବୃତ୍ତ ହୋଇ ରହେ । ଆଜି ମୋର କର୍ମ ଓ ବିଶ୍ଵାସ, ମୋର ଜାଗରଣ ଓ ନିଦ୍ରା, ମୋର ଶକ୍ତି ଓ ଧୃତି, ମୋର ଜ୍ଞାନ ଓ ଭକ୍ତି, ମୋର କ୍ଷୁଧା ଓ ଜିଜ୍ଞାସା ସବୁକିଛି ଶକ୍ତିମୟ ହେବାର ପ୍ରେରଣା ପାଉ । ସକଳ କ୍ଷେତ୍ରରେ ବିନୀତ ଭାବରେ ପ୍ରବେଶ କରିବାର ପ୍ରେରଣା ପାଉ । ସବୁରି ଭିତରେ ଆପଣାକୁ ଅନୁଭବ କରିବାର ପ୍ରେରଣା ପାଉ । ମଣିଷଠାରୁ ମଣିଷକୁ ଦୂରରେ ରଖିବାଲାଗି ଜଗତରେ ଆଜି ନାନାପ୍ରକାର ଫନ୍ଦା ବାହାରିଲାଣି । ମଣିଷ ଆପଣାକୁ ଯେତିକି ସମ୍ପନ୍ନ କରି ଗଢ଼ୁଚି, ଏଣେ ଅପର ସହିତ ତା’ର ପ୍ରାଣଗତ ସମ୍ପର୍କ ସତେଅବା ସେତିକି ଛିନ୍ନ ହେବାରେ ଲାଗିଚି । ଏହି ଦୁର୍ଦ୍ଦଶାରୁ ଦୂରରେ ରହିବାପାଇଁ ମୁଁ ଯେପରି ଆଜି ଦିନଟିରୁ ଯଥେଷ୍ଟ ପ୍ରେରଣା ପାଏ ।

 

୧୨ । ୧୦ । ୫୯

 

ସାହିତ୍ୟଶ୍ରମ ଅନ୍ୟ କୌଣସି ଶ୍ରମଠାରୁ ଆଦୌ ଅଧିକ ପ୍ରୀତିଦାୟକ ବା କମ୍ ବିରକ୍ତିକର ନୁହେଁ । ଏଥିପାଇଁ ରୁଟିନ୍ ଦରକାର, ଏଥିପାଇଁ ଆପଣାକୁ ଧରିବାନ୍ଧି ନିୟମିତ ଭାବରେ କାଗଜ ପାଖରେ ନେଇ ବସାଇବା ଦରକାର । ଏଥିପାଇଁ ମନର ସମସ୍ତ ଗଣ୍ଠି ଫିଟାଇ ଆଖିକୁ ହୃଦୟ ଯାଏ ପ୍ରସାରିତ କରିଦେବା ଦରକାର । ବେଳେବେଳେ ଭାରି ବିରକ୍ତ ଲାଗେ, ଛାଡ଼ି ପଳାଇବାକୁ ମନ ଅସ୍ଥିର ହୋଇଉଠେ । ତଥାପି ନାନାପ୍ରକାରେ ବୁଝାଇ ବହଲାଇ ଆପଣାକୁ ଆପଣା ପାଖରେ ବସାଇବାକୁ ପଡ଼େ । ଆପଣାର ଉପଲବ୍‌ଧ ଜଗତ ପାଖରେ ଏକାନ୍ତ ହୋଇ ଅପେକ୍ଷା କରିବାକୁ ପଡ଼େ । ସାହିତ୍ୟର ବେଉସା କରି ଅନେକ ପଇସା କମାନ୍ତି, ଅନେକ ପଦବୀ ପାଆନ୍ତି ଓ ଖାତିର ଅର୍ଜନ କରନ୍ତି । ତଥାପି ଏ ସବୁକୁ ମୁଁ ସାହିତ୍ୟର ପ୍ରାଥମିକ ଲାଭ ବୋଲି ବିଚାରି ପାରେନାହିଁ । ଅବଶ୍ୟ ସାହିତ୍ୟ ଜରିଆରେ ସାହିତ୍ୟ ଲେଖକ ଯାହା ସମାଜକୁ ଦିଏ, ତାହାରି ବଳରେ ବା ତାହାକୁ ବୁଝିପାରି ସମାଜ ସାହିତ୍ୟ ଲେଖକକୁ ପଇସା, ପଦବୀ ବା ଖାତିରି ଦେଇଥାଏ । କିନ୍ତୁ ସାହିତ୍ୟ ରଚନା କରିବାର ଆନନ୍ଦ ହେଉଚି ସାହିତ୍ୟକର ପ୍ରାଥମିକ ଆନନ୍ଦ । ଯୋଜନା ଅନୁସାରେ ଯେଉଁଦିନ ତା’ର ଗୋଟିଏ କାମ ସରିଯାଏ, ତାର ଗୋଟିଏ ବହି ସଜ୍ଜିତ ସଂବଦ୍ଧ କଳେବରରେ ଯେଉଁଦିନ ଆଲୋକର ଦର୍ଶନ କରେ, ସାହିତ୍ୟିକ ସେହିଦିନ ହିଁ ଆପଣାର ଅନୁଭୂତି–ପସରାରେ ଏକ ଅନିର୍ବାଚନୀୟ ସମ୍ପଦ ପାଏ, ଏକରୁ ବହୁ ହେବାର ଆନନ୍ଦ ଲାଭ କରେ-

 

୧୩ । ୧୦ । ୫୯

 

ଏଠାରେ ମୋର ବଗିଚା ମୋର ମୁକ୍ତିର ସଦନ ପରି ହୋଇଚି । ପାଠ ପଢ଼ାଇବାର କାମଟା ଏଠି ଅନେକ ସମୟରେ କୃତ୍ରିମ ବୋଲି ମନେହେଉଚି । ଯେଉଁଠି ପିଲାମାନେ ଖଣ୍ଡେ ଚାକିରି ପାଇବାର ତାତ୍କାଳିକ ଆତୁରତାରେ ପଡ଼ି ପାଠ ପଢ଼ୁଚନ୍ତି, ଯେଉଁଠି ଶିକ୍ଷକ ମଧ୍ୟ ଆପଣାକୁ ଜଣେ ମୁକ୍ତ ଓ ସହଯୋଗୀ ମଣିଷ ହିସାବରେ ନୁହେଁ, ମାତ୍ର ଜଣେ ଆଦେଶ ପାଳକ ହିସାବରେ ଆପଣାର ଦକ୍ଷ ପରିଚୟ ଦେବାଲାଗି ଅଧିକରୁ ଅଧିକ ପ୍ରୋତ୍ସାହନ ପାଉଚି, ସେଠାରେ ସମସ୍ତପ୍ରକାର ପାଠ ପଢ଼ାଇବା ନୀରସ ଓ ଆନନ୍ଦହୀନ ହୋଇପଡ଼ିବା ଅତ୍ୟନ୍ତ ସ୍ଵାଭାବିକ । ବରାଦଦିଆ ଲେଖା ଲେଖିବାକୁ ମଧ୍ୟ ଅନେକ ସମୟରେ ସରାଗ ଆସୁନାହିଁ ସ୍ଵଭାବପ୍ରେରିତ ଭାବରେ ଖୁସୀ ହୋଇ କିଛି ଭାବିବାକୁ ବା ଲେଖିବାକୁ ଏଠାରେ ଅତି କମ୍ ସମୟ ମିଳୁଚି । କଥାବାର୍ତ୍ତାରେ ପଦେପଦେ ଅଭିନୟର ସମ୍ମୁଖୀନ ହେବାକୁ ପଡ଼ୁଚି । ଜାଲରେ ଛନ୍ଦିହୋଇ ଏହି ଅଭିନୟଟା ଶିଖି ମଧ୍ୟ ହୋଇଯାଉଚି । ଭିତରେ ଯେତେ ଅନିଚ୍ଛା ଓ ଯେତେ ବିତୃଷ୍ଣା ରହୁଥିଲେ ମଧ୍ୟ ବାହାରେ ଅନାବଶ୍ୟକ କଥାବାର୍ତ୍ତାରେ ଘଣ୍ଟା ଘଣ୍ଟା ବିତାଇ ଦେବାରେ, ସମସ୍ୟାର ସମ୍ମୁଖୀନ ନହୋଇ ବା କୌଣସି ସମସ୍ୟାର ସମ୍ମୁଖୀନ ହେବାଲାଗି ଆପଣାକୁ ପ୍ରବୃତ୍ତ ନକରି ଅତୀ କୁଶଳ ଚାତୁରୀ ସହିତ ସମସ୍ୟାଠାରୁ ନିରାପଦ ଦୂରତା ଅବଲମ୍ବନ କରି ପଇଁତରା ମାରିବାର ଅଳଶ ଆଲୋଚନାରେ ମୋର କେତେ ଆଗ୍ରହ ଓ ଉତ୍ସାହ କ୍ରମେ ଦନ୍ଥରା ହୋଇଯାଉଚି । ତେଣୁ ସକାଳେ ସଞ୍ଜେ ଖୁର୍‍ପି ଧରି ମୋର ବଗିଚାରେ ଘଡ଼ିକପାଇଁ କାମ କରିବାରେ ମୁଁ ବଡ଼ ଆନନ୍ଦ ପାଉଚି । ଏକୁଟିଆଟି ଆପଣା ପାଖରେ ବସି ଆପଣାର ଓ ଜଗତର ସମ୍ମୁଖୀନ ହେବାଲାଗି ମୁଁ ଅନେକ ଖାଦ୍ୟ ସଂଗ୍ରହ କରିପାରୁଚି । ଏଥିରେ କୌଣସି ପ୍ରକାରର କୃତ୍ରିମତା ନାହିଁ, ମୋ’ର କାମ ଭିତରେ କୌଣସି ପ୍ରକାରର ବେପାରୀ ବୁଦ୍ଧି ବା ଦାସତାତ ତାଡ଼ନା ନାହିଁ । ମୁଁ ଯାହା କରୁଚି, କେବଳ ହାଲୁକା ଓ ଖୁସୀ ମନରେ କରୁଚି । ମନଟା ହାଲୁକା ଓ ଖୁସୀ ହୋଇଯିବା ସଙ୍ଗେ ସଙ୍ଗେ ଦେହ ମଧ୍ୟ ହାଲୁକା ଓ ଖୁସୀ ହୋଇ ଯିବାପରି ଲାଗୁଚି । ପ୍ରତ୍ୟେକଟି ଗଛ ଓ ପ୍ରତ୍ୟେକଟି ଫୁଲ ସହିତ ମୋର ପରିଚୟ କ୍ରମେ ଘନିଷ୍ଟତର ହେଉଚି । ବଗିଚା କରିବାଲାଗି ଓ ଫୁଲ ଫୁଟାଇ ଚଉଦିଗକୁ ସୁନ୍ଦର କରିବା ଲାଗି ଏଠାରେ ମାଳି ଖଞ୍ଜାହୋଇ ରହିଚନ୍ତି । ସେମାନେ ସକାଳୁ ସଞ୍ଜଯାଏ ଏଠାରେ ଗଧଖଟଣି ଖଟୁଚନ୍ତି । କିନ୍ତୁ ଆପେ ଲୁଗା ଭିଡ଼ି ବଗିଚା ଭିତରେ ବସିଗଲେ ମୁଁ ମୋ’ର ଭିତରେ ମଧ୍ୟ ଯେପରି ଅନେକ ଫୁଲ ଫୁଟିଉଠିଲା ପରି ଅନୁଭବ କରୁଚି । ଫୁଲ ଓ ପତରକୁ ଶ୍ରଦ୍ଧା କରି ମୁଁ ଆପଣାକୁ ବି ଶ୍ରଦ୍ଧା କରି ଶିଖୁଚି ।

 

୧୪ । ୧୦ । ୫୯

 

ମୁଁ କ୍ରମେ ବିଚ୍‌ପୁରୀର ଆକାଶକୁ ଚିହ୍ନି ଶିଖୁଚି, କ୍ରମେ ବିଚପୁରୀର ସଞ୍ଜ ଓ ସକାଳକୁ ଅନୁଭବ କରି ଶିଖୁଚି । ଚିହ୍ନିବା ଓ ଅନୁଭବ କରିବାର ଅର୍ଥାତ୍ ଶ୍ରଦ୍ଧା କରିବାର ବାଟକୁ ଆସିବାପାଇଁ ଏହିପରି ସମୟ ଲାଗେ । ଏକାବେଳେକେ ଆସି ପହଞ୍ଚିଗଲା ମାତ୍ରକେ ଏହା ସମ୍ଭବ ହୁଏନାହିଁ । ଏଠିକାର ନାନାପ୍ରକାର ଯନ୍ତ୍ରବତ୍ କାର୍ଯ୍ୟ ବ୍ୟସ୍ତତା ଭିତରେ ମୁହୂର୍ତ୍ତକ ଲାଗି ଅବାକ୍ ହୋଇ ଆକାଶକୁ ଅନାଇବାକୁ ମଧ୍ୟ ଏଠି ଖୁବ୍ ବେଶୀ ସମୟ ମିଳେନାହିଁ । ସଞ୍ଜ ଓ ସକାଳର ଗମ୍ଭୀର ରଙ୍ଗଉକୁଟା ବେଳେ ହୁଏତ ସ୍ଥିର ହୋଇ ବାହାରକୁ ବାହାରିବାର ଯୋଗ ହିଁ ହୁଏନାହିଁ । ଏସବୁ ଶୋଭା ମୋ’ ଜୀବନର ଯେପରି କୌଣସି ଅଂଶ ନୁହେଁ, ଏସବୁ ସତେ ଯେପରି ଚିରାଭ୍ୟସ୍ତ ବାସଗୃହରେ କେବଳ ଶୋଭାବର୍ଦ୍ଧନ କରିବାଲାଗି ଟଙ୍ଗା ହୋଇଥିବା ବିସ୍ତୃତ ମାଳମାଳ କ୍ୟାଲେଣ୍ଡର ପରି । ଦିନେହେଲେ ଆତ୍ମପରିଚିତ ଘଟେନାହିଁ, ଦିନେହେଲେ ଅବାକ୍ ହେବାର ଶୁଭ ବେଳ ଆସେନାହିଁ, ଘଡ଼ିଏ ଅନାଇ ଅନୁଭବ କରିବାକୁ ମନ ନଥାଏ । କେବଳ ଅନ୍ୟାନ୍ୟ ଅନେକ କାର୍ଯ୍ୟ ଭିତରେ ବ୍ୟସ୍ତ ଥିବାବେଳେ ଆକସ୍ମାତ୍ ସେଗୁଡ଼ିକ ଉପରେ ଆଖି ପଡ଼ିଯାଏ । ଏସବୁ ସାମଗ୍ରୀ କେବଳ ମୋର ଘର ବା ମୋ; ପରିବେଶର ଶୋଭାବର୍ଦ୍ଧନ କରୁଚନ୍ତି, ଘଡ଼ିକପାଇଁ ଏହିପରି ଏକ ଅଧିକାରୀ ଭାବାଭାସ ମନ ଭିତରକୁ ଆସେ । ହଁ, କେବଳ ସାମଗ୍ରୀ,–ଏହି ମନୋଭାବ ଓ ଏହିପରି ବ୍ୟସ୍ତ ଜୀବନଦ୍ଵାରା ପ୍ରଚାଳିତ ହୋଇ ମଣିଷ ତା’ ର ବଗିଚାରେ ଫୁଟୁଥିବା ଫୁଲକୁ ମଧ୍ୟ କେବଳ ଏକ ଶୋଭାବର୍ଦ୍ଧକ ସାମଗ୍ରୀ ବୋଲି ମନେକରି । ତା’ ଚାରିପାଖରେ ଉତ୍ସବ ଜମାଇ ରଖିଥିବା ଆକାଶ, ସୂର୍ଯ୍ୟାସ୍ତ ଓ ସୂର୍ଯ୍ୟୋଦୟକୁ ମଧ୍ୟ କେବଳ ସାମଗ୍ରୀ ବୋଲି ଦେଖେ ।

 

୧୫ । ୧୦ । ୫୯

 

ଆଜି କୋଉଥିକୁ ମନ ନାହିଁ । ସାବଲୀଳ ଗତିରେ ବହି ଆସୁଥିବା ଜୀବନର ଜଳଧାର ସତେ ଯେପରି ଗୋଟାଏ କୋଉ ପହି ପାଖରେ ଅଟକି ଯାଇଚି । ସକାଳେ ବାଳ କାଟିବ ବୋଲି ନଗାଧୋଇ ଭଣ୍ଡାରିକୁ ଅପେକ୍ଷା କରି ରହିଲି । ବାଳକଟା ଓ ତା’ପରେ ପ୍ରାତ୍ୟହିକ ଅନ୍ୟାନ୍ୟ କାମଗୁଡ଼ିକ ସରୁ ସରୁ ନଅଟା ବାଜିଲା । ତା’ ପରେ ଭିତରେ ଥିବା ଯନ୍ତ୍ରମାନେ ଆଉ କୌଣସିମତେ ଚାଲିବାକୁ ରାଜି ହେଉନାହାନ୍ତି । ଖାଲି ବସି ରହିବାକୁ ଇଚ୍ଛା, କେବଳ ଏଡ଼ି ଦେବାର ଓ ଫାଙ୍କିଦେବାର ଇଚ୍ଛା । ଗାଧୋଇ ଗଲାବେଳକୁ ଆଜି ଖରା ପଡ଼ି ଯାଇଥିଲା । ସେତିକିବେଳୁ କାହିଁକି ସବୁ ପିତା ପିତା ଲାଗୁଚି । ଏକ ଖାତାରେ ଆଜିର ଲିପି ଲେଖିବି ବୋଲି କେତେକ’ଣ ବାଆଁରେଇ ହୋଇ ବସିଲିଣି । ତଥାପି ମନର ଦୁଷ୍ଟ ବଳଦ ଜୁଆଳି ପାଖକୁ ଆସିବାଲାଗି ଆଦୌ ରାଜୀ ନୁହନ୍ତି । ବେଳେବେଳେ ବା ଦିନେଦିନେ ମୁଁ ନିଜେ ପ୍ରସ୍ତୁତ ହେବା ପୂର୍ବରୁ ସେମାନେ ଜୁଆଳି ସଜ କରି ମୋତେ ଡାକିବାକୁ ଆସିଲାପରି ମନେହୁଏ । ସେଦିନ ସେମାନେ ଆଗେଆଗେ ଚାଲନ୍ତି, ମୁଁ ଅତି ସ୍ଵାଭାବିକ ଓ ଶୋଚନାହୀନ ଭାବରେ ପଛେପଛେ ଚାଲିଥାଏ । ଭାରି ଆନନ୍ଦ ପାଏ,–ମୋ’ ଲାଗି କ୍ଷେତ୍ର ପ୍ରସ୍ତୁତ ହୋଇ ରହିଚି ବୋଲି ଆପଣାକୁ ଭାଗ୍ୟବାନ୍ ମନେକରେ । କାହାରି ସହିତ ଯୁଝିଲାପରି ମନେ ହୁଏନାହିଁ । ଆପଣା ସହିତ ଯୁଝିବାର ଦୁର୍ଭାଗ୍ୟ ଆସି ନପହଞ୍ଚିବା ପର୍ଯ୍ୟନ୍ତ ଆଉ କାହାସହିତ ଯୁଝିବାର କୌଣସି ପ୍ରଶ୍ନ ହିଁ ଉଠେନାହିଁ । ଆପଣାକୁ କେବଳ ଚୁପ୍ କରି ସମର୍ପିଦେଇ ସାରା ଦୁନିଆର ସମସ୍ତ ପ୍ରାପ୍ୟତା ଓ ପ୍ରସନ୍ନତା ସେଦିନ ଅଧିଗମ୍ୟ ହୋଇଯାଏ । ଆପଣାର ଜୀବନରେ ଆଗକୁ ପଡ଼ିଥିବା ରାସ୍ତାର ଅନେକ ଦୂର ପର୍ଯ୍ୟନ୍ତ ସତେଅବା ଜଳଜଳ ଦେଖାଯାଏ । କିନ୍ତୁ ଆଜିପରି ଆଉ ଦିନେଦିନେ ଏହି ପବନ, ଆକାଶ ଓ ଆଲୁଅ ଭିତରେ ରହି ମଧ୍ୟ ମୁଁ ବଡ଼ ଅମୁହାଁ ହୋଇଯାଏ । ଆପଣାର ଚାରିକାନ୍ଥ ଓ ଗୋଟାଏ ଦୁର୍ଦ୍ଧଷ ଓ ନାନାବିଧ ବିଚ୍ଛେଦ ତଥା ବିଚ୍ୟୁତିଦ୍ଵାରା ପ୍ରପୀଡ଼ିତ ‘ମୁଁ’ ର ହିଂସ କବଳ ଭିତରେ ପଡ଼ିଯାଏ ମୁଁ ବଡ଼, ଶଙ୍କିତ ହୋଇପଡ଼େ । ଆପଣାକୁ ମଧ୍ୟ ଚିହ୍ନି ପାରେନାହିଁ । ଠିଆ ହେବାର ସବୁ ଭୂମି ହରାଇ ବସିଲେ ଆପଣାକୁ ବି ଚିହ୍ନିବାଲାଗି ମଣିଷର ଜୁ’ କାହିଁ ?

 

୧୬ । ୧୦ । ୫୯

 

ସାଙ୍ଗରେ ଅନେକ ବାହାରିଥିଲେ, ମୋତେ କୋଉ ପଛରେ ପକାଇଦେଇ ସେମାନେ କେତେକେତେ ବାଟରେ ଆଗକୁ ଚାଲିଗଲେଣି । ସଂସାର ଓ ସମାଜର ମଡ଼ାବାଟର କଡ଼େକଡ଼େ ସେମାନେ କେତେ ଘର ତୋଳି ସାରିଲେଣି, କେତେ ବୃକ୍ଷ ରୋପଣ କରି ସାରିଲେଣି । ଦଶବର୍ଷ ତଳେ ହୁଏତ ଅନେକ ମୋ’ ପାଖରେ ଠିଆ ହୋଇ ଗୋଟାସୁଦ୍ଧା ମୋ’ରି ପରି ହୋଇ କେତେ କଥା କହୁଥିଲେ, କେତେ ଦମ୍ଭ ଦେଉଥିଲେ । କିନ୍ତୁ ବର୍ତ୍ତମାନ ଏକାକୀ ଜୀବନର ଯାତ୍ରା କଲାବେଳେ ମୁଁ ଭାବୁଚି ସେମାନେ ମୋ’ଠାରୁ କ’ଣ ଆଶା କରୁଥିଲେ ଓ ତାହା ପାଇ ପାରିଲେନାହିଁ । ମୋ’ଠାରୁ କ’ଣ ନପାଇ ନିରାଶ ହେବାରୁ ସେମାନେ ସାଙ୍ଗ ଛାଡ଼ି ଚାଲିଗଲେ । ତଥାପି ଏହି ଷୋଳ ତାରିଖକୁ ମୁଁ ଏପର୍ଯ୍ୟନ୍ତ ମୋ’ ଜୀବନର ଏକ ବଡ଼ ଅବଲମ୍ବନ କରି ରହିଚି । ବନ୍ଧୁତା ଉପରେ ଓ ମଣିଷ ଉପରେ ମୁଁ ତଥାପି ବିଶ୍ଵାସ ରଖିଚି । ଘୃଣା ଅପେକ୍ଷା ନୀରବ ଭଲପାଇବା ଉପରେ ଅଧିକ ବିଶ୍ଵାସ ରଖିଚି, ଭୟ ଅପେକ୍ଷା ନିର୍ଭୟତା ଉପରେ ଅଧିକ ବିଶ୍ଵାସ ରଖିଚି । ଏହାମଧ୍ୟରେ ଗୋଟାଏ ନୂଆ କଥା ବି ମୁଁ ଜାଣିବାକୁ ପାଇଚି । ଜୀବନର ବାଟରେ ଅଧିକ ଅଭିଜ୍ଞ ହେବା ସଙ୍ଗେସଙ୍ଗେ ମୁଁ ଜୀବନର ଏକ ନୂଆ କଥା ଆବିଷ୍କାର କରିଚି । ସେଇଟି ହେଉଚି : ଏକ ସମଗ୍ର ଜୀବନର ପରିଧି ବା ଆବେଷ୍ଟନ ଭିତରେ ସଂସାରରେ ସବୁ ପ୍ରେମ ଓ ବନ୍ଧୁତାକୁ ପୁନର୍ବାର ଆବିଷ୍କାର କରିବାକୁ ପଡ଼ିବ । ଆପଣାକୁ ଭଗବାନଙ୍କ ବାଟରେ ବାହାର କରି ନିଜର ବାଟ ଉପରେ ସମସ୍ତଙ୍କର ଉପସ୍ଥିତିକୁ ଅନୁଭବ କରିବାକୁ ହେବ ।

 

୧୭ । ୧୦ । ୫୯

 

କୁମାରପୂର୍ଣ୍ଣିମା ରାତିରେ ତାଜମହଲ ଏକ ବିଶେଷ ଶୋଭାମୟ ରୂପ ଧାରଣ କରେ ବୋଲି ସମସ୍ତେ କହିଲେ । ରାତି ସାଢ଼େନଅଟା ବେଳେ ଆଉକେତେକ ବନ୍ଧୁଙ୍କର ଉତ୍ସାହ ଏଡ଼ି ନପାରି ମୁଁ ମଧ୍ୟ କାଲି ତାଜମହଲ ଦେଖି ବାହାରିଥିଲି । ଷ୍ଟେସନ ପାଖରୁ ହିଁ ଲୋକଙ୍କର ଭିଡ଼ ଅନୁଭୂତ ହେଲା । ରିକ୍ସା, ଟାଙ୍ଗା, ମଟର, ମଣିଷ ଆଉ ଧୂଳି ସମସ୍ତେ ଏକାକାର ହୋଇ ତାଜମହଲ ଦେଖି ବାହାରିଥିଲା ପରି ମନେହେଲା । ପଦଯାତ୍ରୀ ଓ ସାଇକେଲଯାତ୍ରୀଙ୍କର ସଂଖ୍ୟା ସବୁଠାରୁ ଅଧିକ । ଉତ୍ସାହର ବଶବର୍ତ୍ତୀ ହୋଇ ଅନେକ ସମୟରେ ଗୋଟାଏ ଗୋଟାଏ ସାଇକେଲ ଉପରେ ଚାରିଜଣ ଲେଖାଏଁ ବସିକରି ଯାଉଥିବାର ଦେଖିବାକୁ ମିଳିଲା । ହୋ’ ହା’ କୋଳାହଳ–ଚିତ୍କାରରେ ବାଟଯାକ ଫାଟି ପଡ଼ୁଥାଏ । ପ୍ରାୟ ଦୁଇମାଇଲ ବାଟ ଚାଲିବାପରେ ଆମେ ତାଜମହଲ ପାଖକୁ ଆସିଲୁ । ସେଠି ଅଗଣିତ ମଣିଷଙ୍କର ଭିଡ଼ ଓ ହଟ୍ଟଗୋଳ । ଆମେ ଅତିକଷ୍ଟରେ ଭିତରକୁ ପ୍ରବେଶ କଲୁ । ହଠାତ୍ ମନେହେଲା ଯେପରି ମଣିଷତରଙ୍ଗର ଏହି ଉଗ୍ର କଳରୋଳରେ ତାଜମହଲର ପ୍ରଶାନ୍ତି କେଉଁ ତଳେ ବୁଡ଼ିଯାଇଚି । ଦେଖଣାହାରୀଙ୍କ ରାଜସିକ ଉତ୍ସାହରେ ତାଜମହଲ ଗିଳିହୋଇ ଯାଇଚି । ତାଜମହଲ ଆଜି ସତେଅବା କେବଳ ଗୋଟାଏ ମଜାର ସାମଗ୍ରୀ ହୁଏତ ମଜା କରିବାର ଏକ ପ୍ରତୀକ ମାତ୍ର । ସୌନ୍ଦର୍ଯ୍ୟ ଉପଭୋଗ କରିବାଲାଗି ଯେଉଁ ସୂକ୍ଷ୍ମାନୁଭୂତିର ଶକ୍ତି ଦରକାର, ସେଠିକାର ପରିବେଶରୁ ସେଇଟି ଅପସୃତ ହୋଇ ଯାଇଥିଲା । ହିନ୍ଦୁ ମନ୍ଦିରରେ ଭକ୍ତି ନାମରେ ଯାତ୍ରା ଓ ମେଳା ସମୟରେ ମଣିଷଭିଡ଼ର Hysteria ଦେଖିବାକୁ ମିଳିଥାଏ । କାଲି ବି ମୁଁ ସେହିପରି ହଜାର ହଜାର ସୌନ୍ଦର୍ଯ୍ୟଗ୍ରସ୍ତ ଲାଳସୀ ଲୋକଙ୍କର Hysteria ଦେଖି ଆସିଲି । ତାଜମହଲକୁ ଉପଲକ୍ଷମାତ୍ର କରି ବରଷରେ ଗୋଟାଏ ଦିନ ସୌନ୍ଦର୍ଯ୍ୟର ଉପଭୋଗ ନାମରେ ଆପଣାର ଆଦିମତା ଓ ସ୍ଥୂଳତାଗୁଡ଼ାକୁ କିପରି ପୁରା ପ୍ରଣୟ ଦିଆଯାଇପାରେ, କାଲି ତାହାରି ଏକ ଦୃଷ୍ଟାନ୍ତ ମିଳିଲା । ଦେହ ଓ ମନରେ ବଡ଼ କ୍ଳାନ୍ତ ହୋଇ ଆଜି ସକାଳେ ଘରକୁ ଫେରିଲି ।

 

୧୮ । ୧୦ । ୫୯

 

ସ୍ପଷ୍ଟଭିତରେ ହିଁ ମୋତେ ଅସ୍ପଷ୍ଟକୁ ଖୋଜିବାକୁ ହେବ, କାଳଭିତରେ କାଳାତୀତତାକୁ ଖୋଜିବାକୁ ହେବ, କର୍ମ ଭିତରେ ହିଁ କର୍ମମୁକ୍ତି ଓ ବନ୍ଧନମୁକ୍ତିକୁ ଖୋଜିବାକୁ ହେବ । ମୋ’ ନିଜ ଜୀବନ ଭିତରେ ହିଁ ବିଶ୍ଵଜୀବନକୁ ଖୋଜିବାକୁ ହେବ । ସତ୍ୟ, ଶିବ ତଥା ସୁନ୍ଦରକୁ ଗୋଟିଏ ଗୋଟିଏ ବିଶ୍ଵସତ୍ୟ ଭାବେ ଚିହ୍ନିବା ଆଗରୁ ଜୀବନର ନାନା ମୁହୂର୍ତ୍ତରେ ଓ ନାନା କାର୍ଯ୍ୟକଳାପରେ ସେଗୁଡ଼ିକୁ ଆତ୍ମସତ୍ୟ ହିସାବରେ ଚିହ୍ନି ଶିଖିବାକୁ ହେବ । ମୋର ଘରଟିକୁ ମୁଁ ସରଳ ଓ ସୁନ୍ଦର କରିବି, ମୋର ସମ୍ପର୍କକୁ ମୁଁ ସରଳ ଓ ସୁନ୍ଦର କରିବି । ମୋର ଘରଆଗରେ ଥିବା ବଗିଚାଟିକୁ ମଧ୍ୟ ମୁଁ ସୁନ୍ଦର କରିବି । ଗଛଟିଏ ବଢ଼ାଇ ବା ଫୁଲଟିଏ ଫୁଟାଇ ଜଗତଧାତାର ହତ ଓ ସ୍ଵପ୍ନକୁ ମୁଁ ମୋର ଆଖିଆଗରେ ପ୍ରତ୍ୟକ୍ଷ କରିବି । ତେବେ ଯାଇ ଏହି ସୃଷ୍ଟିକୁ ସୁନ୍ଦର ବୋଲି ଅନୁଭବ କରିବାର ସରଣୀ ବି ମୋତେ ମିଳିଯିବ । ଅଦ୍ଵୈତବାଦରେ ରହିଥିବା ମାୟାର ଅର୍ଥକୁ ମୁଁ କେବଳ ଏକ ନ୍ୟସ୍ତର୍ଥକ ସଂଜ୍ଞା ଦେଇ କେବେହେଲେ ଗ୍ରହଣ କରିନାହିଁ । କେବଳ ଛାଡ଼ି ଚାଲିଯାଇ ଏକ କର୍ମହୀନ, ଅଳସ ଓ ସ୍ଥୂଳବୁଦ୍ଧି ଦାର୍ଶନିକତା ଭିତରେ ଜଡ଼ିତ ହୋଇ ବସିବାଲାଗି ଅଦ୍ଵୈତବାଦ ପରାମର୍ଶ ଦେଇଚି ବୋଲି ମୁଁ କଦାପି ସ୍ଵୀକାର କରିବି ନାହିଁ । ବ୍ରହ୍ମ ବା ସତ୍ୟକୁ ଅନୁଭବ କରିବାର ଅର୍ଥ ଜୀବନକୁ ଛାଡ଼ି ପଳାଇବା ନୁହେଁ, ଆଳସ୍ୟର ମାୟାବରଣରେ ଆପଣାକୁ ମଜ୍ଜାଇ ରଖିବା ନୁହେଁ ବା କେତେଟା ସୂତ୍ରର ବୁଦ୍ଧିଗତ ମାୟାରେ ନାନାପ୍ରକାର ଅବିଦ୍ୟାପ୍ରସୂତ ତାମସିକତା ଭିତରେ ଆପଣାକୁ ନିର୍ବାସିତ କରି ରଖିବା ବି ନୁହେଁ । ପ୍ରତ୍ୟେକ ମୁହୂର୍ତ୍ତ ଭିତରେ ମୁହୂର୍ତ୍ତାତୀତର ଅନୁଭୂତି, ପ୍ରତ୍ୟେକ ବସ୍ତୁଭିତରେ ଭାବର ଅନୁଭୂତି, ପ୍ରତ୍ୟେକ କାଳବାଚକତା ଭିତରେ ଶାଶ୍ଵତତାର ଅନୁଭୂତି,–ମୁଁ ଏହାକୁ ହିଁ ସୁସ୍ଥ ଭଗବଦନଭୂତି ବୋଲି କହିବି । ମୋ’ ର ବଗିଚା ମଧ୍ୟ ମୋ’ ଭିତରେ ସମଗ୍ର ବିଶ୍ଵରେ ବ୍ୟାପ୍ତ ହେବାର ବାଟ ବତାଇଦେଇ ପାରିବ ।

 

୧୯ । ୧୦ । ୫୯

 

ସବୁଦିନେ ସକାଳେ ଉଠି ଆସୁଥିବା ସୂର୍ଯ୍ୟକୁ ଦେଖିଲେ ମୋ’ ଭିତରେ ରହି କେଉଁ ସାହସୀ ଯାତ୍ରୀ ମୋତେ ବଳ ଦେଇ କହିଉଠେ ଯେ ଜଗତ ଓ ଜୀବନର ତଥାକଥିତ ଜଞ୍ଜାଳ ମୋତେ କଦାପି ବୁଢ଼ା କରି ପାରିବନାହିଁ । ରାତି ଶେଷ ପହରକୁ ଆକାଶର ଗୋଟାଏ ପାଖରେ ଆଲୁଅଟିପା ପରି ଜଳୁଥିବା କୁଆଁତାରାକୁ ଦେଖିବାମାତ୍ରକେ ଭିତରେ କିଏ ଅତି ଆପଣାର ମଣିଷ ଐଶ୍ଵରିକ ଦମ୍ଭ ଦେଇ କହେ; ଏହି ଅନ୍ଧାର ଭିତରେ ବାଟ ରହିଚି ଏଇ ଅଞ୍ଚଳ ଭିତରେ ଥଳ ରହିଚି, ଏହି ଜଟିଳ ଜାଲ ଭିତରେ ତୋ’ ଲାଗି ତଥାପି ବାଟ ରହିଚି । ବାଟ ପ୍ରକୃତରେ ରହିଚି । ସହସ୍ର ପାପର ପଙ୍କଭିତରେ ସୁନ୍ଦର ହେବାଲାଗି ଓ ଅଶ୍ରୁ ବୁହାଇବା ଲାଗି ତଥାପି ସମ୍ଭାବନା ରହିଚି । ସହସ୍ର ଘୃଣାର ଆବର୍ତ୍ତ ଓ ଜଟିଳତା ଭିତରେ ତଥାପି ଭଲ ପାଇବାର ପ୍ରେରଣା ଭରିରହିଚି । ସହସ୍ର ପ୍ରକାର ହଜାଇବା ଓ ହଜିଯିବା ଭିତରେ ତଥାପି ଫେରି ପାଇବା ଓ ଫେରି ଆସିବାର ସମ୍ଭାବନା ରହିଚି । ଯେତେଦିନ ରାତି ପାହାନ୍ତାରୁ ଉଠି ମୁଁ କୁଆଁତାରାକୁ ଦେଖେ, ପୂର୍ବ ଆକାଶକୁ ଅନାଇ ଉଇଁ ଆସୁଥିବା ସୂର୍ଯ୍ୟର ଉଦୟ–ଉତ୍ସବକୁ ମୁଁ ଯେତେଥର ଅନୁଭବ କରେ, ଏହିସବୁ ସତ୍ୟକୁ ମୁଁ ସେତେଥର ଯେପରି ସମସ୍ତ ଦେହ ଭରି ଅନୁଭବ କରିବାକୁ ପାଏ । ହଁ, ତଥାପି ସମ୍ଭାବନା ରହିଚି । ତଥାପି ବାଟ ରହିଚି, ତଥାପି କ୍ଷମା ରହିଚି, ଅଶ୍ରୁର ଧାର ବହିଯିବା ପାଇଁ ତଥାପି ମାର୍ଗ ରହିଚି । ଜୀବନକୁ ଘୃଣା କରୁଥିବା ଚରମ–ନୀତିବାଦର ସମସ୍ତ ହତାଶ ଭର୍ତ୍ସନା ଓ ନିର୍ଯ୍ୟାତନା ସତ୍ତ୍ୱେ ଏ ଜୀବନରେ ତଥାପି ଆଶା ରହିଚି, ସମ୍ଭାବନା ରହିଚି । ଏହିସବୁ ଦୃଶ୍ୟର ପ୍ରେରଣା ମୋତେ ମୁଗ୍ଧ କରି ବର୍ତ୍ତମାନ ପାଖରୁ ଓ ଜଗତ ପାଖରୁ ହୁଡ଼ାଇନେଇ ଯାଏନାହିଁ । ଏସବୁ ମୋତେ ବର୍ତ୍ତମାନକୁ ଓ ଜଗତକୁ ଆପଣାର କରିବାରେ ସାହାଯ୍ୟ କରେ, ସେଗୁଡ଼ିକର ସମ୍ମୁଖୀନ ହେବାଲାଗି ନିର୍ଭୟ କରେ, ମୋତେ ସେଗୁଡ଼ିକର ଅଧିକ ସମୀପବର୍ତ୍ତୀ କରାଏ । ଏହି ସୁନ୍ଦର ଦୃଶ୍ୟଗୁଡ଼ିକର ସହଳ ଭେଳାରେ ବସି ମୁଁ ଖସି ପଳାଇଯିବାକୁ ଚାହେନାହିଁ । ସେହିସବୁ ପ୍ରେରଣାକୁ ଜୀବନର ଚେର କରି ମୁଁ ସେଇଗୁଡ଼ିକ ଉପରେ ଦଣ୍ଡାୟମାନ ହେବାକୁ ଚାହେଁ ।

 

୨୦ । ୧୦ । ୫୯

 

ମୋ’ ବଗିଚାରେ ବସି କାମ କରୁଥିବାବେଳେ ମୁଁ ଆପଣାପାଖକୁ ଫେରି ଆସିବାଲାଗି ଅନେକ ସମୟ ଓ ସାହସ ପାଏ । ବଗିଚାରେ ମାଟି ଭାଙ୍ଗି, ଘାସ ବାଛି ପଟାଳି ସଜାଡ଼ୁଥିବା ବେଳେ ମୁଁ ଆପଣାଭିତରେ ମଧ୍ୟ ଅନେକ ଅଲରା ଓ ଅସଜଡ଼ା ଖିଅକୁ ସଜାଡ଼ିବା ଲାଗି ଯଥେଷ୍ଟ ଅବସର ପାଏ । କର୍ମମୟ ଦୈନନ୍ଦିନ ଜୀବନରେ ନାନା ସାମାଜିକ ଅବସ୍ଥିତିର ସମ୍ମୁଖୀନ ହେଲାବେଳେ ମୁଁ ଆପଣାକୁ ଛାଡ଼ିଦେଇ କେତେଆଡ଼େ ଖସି ପଳାଇଥାଏ, ନାନାବିଧ ଅର୍ଜିତ ପ୍ରବୃତ୍ତିର ଆବଶ୍ୟକତାର ଫାନ୍ଦରେ ପଡ଼ି ଆପଣାକୁ ଗୋପନ କରି ରଖିବା ଉଦ୍ଦେଶ୍ୟରେ ମୁଁ ନାନାପ୍ରକାର ସତର୍କତା ତଳେ ଆପଣାକୁ ମାଡ଼ିମୁଡ଼ି ରଖିଥାଏ, ନାନା କାଳ୍ପନିକ ଭୟର ସମ୍ମୁଖୀନ ହୋଇ ନପାରି ବାଧ୍ୟ ହୋଇ ସେଗୁଡ଼ିକୁ ଏଡ଼ିଦେବା ଓ ଭୁଲିଯିବା ଲାଗି ଚେଷ୍ଟା କରୁଥାଏ । ଗ୍ଲାନିମୁକ୍ତ ହୋଇ ବଗିଚାର କାମରେ ଆପଣାକୁ ଢାଳି ଦେଇଥିଲା ବେଳେ ପୁଣି ଫେରିଆସିବା ପରି ଲାଗେ ଆପଣାପ୍ରତି ପୁଣି ଶ୍ରଦ୍ଧା ଜାତ ହୁଏ । ସବୁ ଆବରଣ ତଳୁ ଆପଣାକୁ ପୁଣି ଉଦ୍ଧାର କରି ଆଣିଲାପରି ଲାଗେ । ଆପଣାର ସମ୍ମୁଖୀନ ହେବାଲାଗି ମୁଁ ଅନେକ ଶକ୍ତି ପାଏ । ଧୀରେଧୀରେ ଆପଣାଭିତରକୁ ଭେଦି ପାରିବାକୁ ବେଳ ମିଳେ, ସଂସାର ଭିତରେ ଆପଣାର ଖିଅଟିକୁ ଯୋଡ଼ାଇ ନେବାକୁ ବିଶ୍ଵାସ ମିଳେ । କୌଣସିପ୍ରକାରେ ଆପଣାକୁ ଘୋଡ଼ାଇ ନରଖିବାକୁ ଅଧିକ ବିବେକ ମିଳେ । ଦେହର ଅନେକ ମଇଳା ଝାଳ ହୋଇ ବହିଯିବା ସଙ୍ଗେସଙ୍ଗେ ମନ ଓ ହୃଦୟ ଉପରୁ ମଧ୍ୟ ଅନେକ ମଇଳା ଝାଳ ହୋଇ ବହିଯାଏ । ଦେହ, ମନ ଓ ହୃଦୟ ସବୁ ହାଲୁକା ଲାଗେ ।

 

୨୧ । ୧୦ । ୫୯

 

ଗଣତନ୍ତ୍ର ଲାଗି ସଂଗ୍ରାମ କରିବା ଭାରି ସହଜ, କିନ୍ତୁ ଗଣତନ୍ତ୍ର ଲାଗି ଜୀବନ ବଞ୍ଚିବା ଅର୍ଥାତ୍ ଗଣତନ୍ତ୍ରର ଭୂମି ଉପରେ ନିଜ ଜୀବନର ଯାବତୀୟ ଇଚ୍ଛା ଓ ଅଭିଳାଷକୁ ପ୍ରସାରିତ କରିଦେବା ଭାରି ବିପଜ୍ଜନକ । ଆପଣାଠାରୁ ଅଳପ ଜାଣିଥିବା ଲୋକମାନଙ୍କୁ ଗଣତନ୍ତ୍ର ବିଷୟରେ ବକ୍ତୃତା ଦେବା ଭରି ସହଜ; କିନ୍ତୁ ଅନ୍ୟମାନଙ୍କ ସହିତ ଗଣତାନ୍ତ୍ରିକ ସମ୍ବନ୍ଧ ସ୍ଥାପନ କରିବା ଭାରି ବିପଜ୍ଜନକ । ମୁଁ ‘କଷ୍ଟକର’ ବୋଲି ନ କହି ଜାଣିଶୁଣି ‘ବିପଜ୍ଜନକ’ ବୋଲି କହିଚି । କାରଣ ମୁଁ ଅନୁଭବ କରୁଚି ଯେ ଗଣତନ୍ତ୍ରରେ ବିଶ୍ଵାସ କରିବାକୁ ହେଲେ ଆପଣାକୁ ଅନେକ ଅଶୋଭନୀୟ ଅଭ୍ୟାସରୁ ବଞ୍ଚିତ ହେବାକୁ ପଡ଼ିବ, ଅନେକପ୍ରକାର ଅଳସ ନିତ୍ୟନୈମିତ୍ତିକତାରୁ ଆପଣାକୁ ବଞ୍ଚାଇବାକୁ ପଡ଼ିବ ଏବଂ ଏହା ହେଉଚି ସବୁଠାରୁ ବଳି ବିପଜ୍ଜନକ ବ୍ୟାପାର । କାରଣ ଅନେକ ସମୟରେ ଆମେ ଅପରକୁ ବଦଳାଇବା ପାଇଁ ଜୀବନ ଦେବାକୁ ପ୍ରସ୍ତୁତ ହୋଇଯାଉ; କିନ୍ତୁ ଆପଣାକୁ ବଦଳାଇବା ପାଇଁ ଗୋଟିଏ ମୁହୂର୍ତ୍ତ ଦେବାକୁ ମଧ୍ୟ ଭୟ କରୁ । ବୁଦ୍ଧିବାଦ ଓ ଜ୍ଞାନଘନତାର ଘୋଡ଼ାଉପରେ ବସି ଆମେ ଅନେକ ସମୟରେ କୁଆଡ଼େ କୁଆଡ଼େ ଉଡ଼ି ଚାଲିଯାଉ-। ଆପଣାକୁ ବୁଦ୍ଧିଜୀବୀ ବୋଲି ପରିଚୟ ଦେଇ ଏକପ୍ରକାର ବ୍ୟାଧିତ ଗୌରବ ଅନୁଭବ କରିଥାଉ, ଏବଂ ସେହି ପଳାୟନ ଓ ଗୌରବବୋଧ ଭିତରେ ଆପଣାର ଓ ଗଣତନ୍ତ୍ରର ପ୍ରଥମ ଆବଶ୍ୟକତା ଗୁଡ଼ିକୁ ମଧ୍ୟ ଆମେ ବର୍ଜନ କରିପକାଉ । ବାସ୍ତବ ଜୀବନରେ ଛୋଟବଡ଼ ପ୍ରତ୍ୟେକ କାର୍ଯ୍ୟକଳାପରେ କୌଣସି ଆଦର୍ଶର ବା ସମସ୍ୟାର ସମ୍ମୁଖୀନ ହେବା ବୋଧହୁଏ ସବୁଠାରୁ ଅଧିକ ବିପଜ୍ଜନକ । ଆମେ ପ୍ରତ୍ୟେକେ ଏକଥା ଜାଣୁ, ତଥାପି ଅପର ସହିତ କଥାବାର୍ତ୍ତା ହେଲାବେଳେ ଏହାକୁ ନାନାପ୍ରକାରେ ଭୁରୁଡ଼ାଇ ଦେବାକୁ ଚେଷ୍ଟା କରିଥାଉ । ଗଣତନ୍ତ୍ର ଏକ ବିପଜ୍ଜନକ ପଥ, କାରଣ ଏଥିରେ ଦୁନିଆ ଆପଣାଠାରୁ ହିଁ ଆରମ୍ଭ ହୁଏ, ବାହାରର ସଜଡ଼ା ଆପଣା ଭିତରର ସଜଡ଼ାରୁ ଆରମ୍ଭ ହୁଏ । ସାରା ସଂସାରଟାକୁ ଚାଟ କରି ଆପେ ଛାଟ ଧରି ବସିବା ଆଗରୁ ଏଥିରେ ଆଗ ଆପଣାକୁ ନାନା ବିଦ୍ୟାଳୟରେ ଛାତ୍ରରୂପେ ବାହାର କରାଇବାକୁ ପଡ଼େ । ମୁଁ ଯେତିକି ବଦଳିବି, ମୋର ସମାଜ ଠିକ୍ ସେତିକି ବଦଳିବ,–ଏହା ଗଣତନ୍ତ୍ରର ପ୍ରଥମ ସ୍ଵତଃସିଦ୍ଧ ।

 

୨୨ । ୧୦ । ୫୯

 

ଜବାହରଲାଲ ନେହରୁ କୁଆଡ଼େ, ଯୁଆଡ଼େ ଗସ୍ତ କରି ଯାଆନ୍ତି, ନିରାପତ୍ତା ପୋଲିସ ତରଫରୁ ସେଠାରେ ନାନାବିଧ ସତର୍କତାର ବ୍ୟବସ୍ଥା ହୋଇଥାଏ । ସିଏ ଆସିଲେ ଯେଉଁଠି ବସିଲେ, ସେଇ ଘରେ ବା ସ୍ଥାନରେ ଥିବା ସମସ୍ତ ପ୍ରକାର ଆସନକୁ ଆଗରୁ ତନଖି କରି ଦେଖା ହୋଇଥାଏ । ସେ ଯେଉଁଠି ଯେତେବେଳେ ରହିବେ, ସେତେବେଳେ ତାଙ୍କ ପଛରେ କେହି ଠିଆ ହୋଇ ପାରିବେ ନାହିଁ । କାଳେ ଚଉକୀତଳେ ତାଙ୍କ ଉଦ୍ଦେଶ୍ୟରେ କିଏ ବୋମା ଲୁଚାଇ ରଖିଥିବ, କାଳେ ଲୁଚିଛପି ପିସ୍ତଲ ଧରି କିଏ ତାଙ୍କୁ ମାରିବାକୁ ଆସିଥିବ । କୋଡ଼ିଏ ପଚିଶି ଜଣ ସାଧାରଣ ବେଶଧାରୀ ପୋଲିସ ତାଙ୍କ ସଭାର ଆଗଧାଡ଼ୀ ମାନଙ୍କରେ ବସିବେ । ଆପଣା ପାଖରେ ସେମାନେ ପିସ୍ତଲ ଲୁଚାଇ ରଖିଥିବେ । ସବୁଠାରୁ ଅଧିକ ମଜା ଲାଗିଲା, ମୁଁ ଯେତେବେଳେ ଶୁଣିଲି ଯେ ସିଏ ଯେଉଁଠି ଭୋଜୀସଭା ବା ଚାହାପାଣିରେ ଯୋଗ ଦେବାକୁ ଯାଉଥିବେ, ଖାଦ୍ୟପେୟ ପ୍ରସ୍ତୁତ ହୋଇସାରିବା ପରେ ପରେ ଅତିଥି ବା ନିମନ୍ତ୍ରିତ ମାନେ ଛୁଇଁବା ଆଗରୁ ଆଗ ପୋଲିସବାଲା ଯାଇ ସେଗୁଡ଼ିକୁ ଚାଖି କରି ଦେଖିବେ । କାଳେ ସେଥିରେ କିଏ ବିଷ ମିଶାଇ ଦେଇଥିବ । ପଣ୍ଡିତ ଜବାହରଲାଲ ତ ପ୍ରାୟ ପ୍ରତ୍ୟେକ ଦିନ କୋଉଠିକି ନା କୋଉଠିକି ଯାଉଥିବେ-। ତେଣୁ ସବୁଠାରେ ଏମିତି ତାମସା ହେଉଥିବ, ତାମସାକୁ ଘମାଘୋଟ କରି ସଜାଇବା ପାଇଁ କେତେ ପଇସା ପାଣିରେ ପଡ଼ୁଥିବ । ରାଷ୍ଟ୍ରପତିଙ୍କ ଲାଗି ମଧ୍ୟ ସେହିପରି ହେଉଥିବ । ଦେଶରେ ଅର୍ଥ ଉପରେ ତ ଏହାର ଅନେକ ଚାପ ପଡ଼ୁଥିବ । ମାତ୍ର ଏକ ଅନ୍ୟ ଦୃଷ୍ଟିରୁ ମଧ୍ୟ ମୁଁ ଏହାର ବିଚାର କରିବାକୁ ଯାଉଚି । ସମାଜରେ ଓ ଶାସନରେ ଯୋଉଠି ଏତେ ଭୟ ରହିଚି, କାଳେ କିଏ କେଉଁଠି ପିସ୍ତଲ ଧରି ବସିଥିବ, ସେଥିଲାଗି ପଚାଶଟା ପିସ୍ତଲର ସତର୍କତା ଅବଲମ୍ବନ କରାଯାଉଚି, ସେଠି ଗଣତନ୍ତ୍ରର ଚେର କେତେ ଦୂର ଭେଦିଚି ବୋଲି କୁହାଯାଇ ପାରିବ ? ଇତିହାସରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଏପରି ଡରୁଥିଲେ ବୋଲି ଶୁଣିବାକୁ ମିଳେ ।

 

୨୩ । ୧୦ । ୫୯

 

ଜଣେ ଅଧ୍ୟାପକ–ବନ୍ଧୁ କାଲି ମୋତେ କଥାପ୍ରସଙ୍ଗରେ କହିଲେ ଯେ ଦିନଯାକର ଅବସର କଟାଇବା ଲାଗି ଅନ୍ୟ କୌଣସି କାମ ନାହିଁ ବୋଲି ସେ ଏବେ ବାଧ୍ୟ ହୋଇ ପ୍ରତ୍ୟହ କିଛିସମୟ ବଗିଚାରେ କାମ କରିବାକୁ ଆରମ୍ଭ କରିଚନ୍ତି । ନିଜ ଅଧ୍ୟାପନା ପାଇଁ ପ୍ରସ୍ତୁତ ହେବାକୁ ତାଙ୍କୁ ମୋଟେ ଗୋଟିଏ ଘଣ୍ଟା ସମୟ ଲାଗୁଚି । ଅନ୍ୟ କୌଣସି କଲେଜରେ ଥିଲେ ଟିଉସନ କରି ନିଜର ନିକିମା ସମୟ କଟି ଯାଉଥାନ୍ତା । କିନ୍ତୁ ଏହି ଶିକ୍ଷାନୁଷ୍ଠାରେ ସେତିକି କରିବାର ସୁବିଧା ମଧ୍ୟ ଦିଆଯାଇନାହିଁ । ସହରରେ ଥିଲେ ସେଠି କେତେପ୍ରକାରର ଆକର୍ଷଣ ରହିଥାନ୍ତା । ଏଠାକୁ ଆସିବା ଦ୍ଵାରା ନାନାପ୍ରକାର ଅସୁସ୍ଥ ଆମୋଦ ଏବଂ ଆକର୍ଷଣରୁ ରକ୍ଷା ମିଳିଚି ବୋଲି ସେ ଅବଶ୍ୟ ଆନନ୍ଦ ପ୍ରକାଶ କଲେ । ମାତ୍ର ତାହାଫଳରେ ଏଠାରେ ଯେଉଁ ଦୀର୍ଘ ଅବସର ମିଳୁଚି, ସେଥିପାଇଁ ଅର୍ଥାତ୍ ତାହାର ବ୍ୟବହାର କରିବାପାଇଁ କୌଣସି ମାଲମସଲା ନାହିଁ । ଏତେଗୁଡ଼ାଏ ସମୟ ବସି ବସି ବିରକ୍ତ ଲାଗୁଚି ବୋଲି ସେ ଏବେ ବଗିଚାକାମରେ ଅନ୍ତତଃ କିଛିସମୟ ଦେବାଲାଗି ଠିକ୍ କରିଚନ୍ତି-। ଏସବୁ ଶୁଣିଲା ବେଳେ ମୁଁ ଭାବୁଥାଏ, ଯେତେପ୍ରକାରେ କାର୍ଯ୍ୟବ୍ୟସ୍ତ ରହିଥିଲେ ମଧ୍ୟ ଫୁଲଗଛ ବା ଫଳଗଛଟି ପାଇଁ ତଥାପି ପ୍ରତ୍ୟହ ଅଧଘଣ୍ଟା ସମୟ ଦେଇପାରିଲେ ମୁଁ ନିଜକୁ ଭାଗ୍ୟବାନ୍ ବୋଲି ମନେକରନ୍ତି । ଜୀବନରୁ ପଳାଇଯାଇ ମୁଁ ମୋର ବଗିଚାକୁ ଯିବାକୁ ଚାହେନାହିଁ, ମୋର ବଗିଚାଟିକୁ ମଧ୍ୟ ମୁଁ ଆପଣା ଜୀବନର ମାନଚିତ୍ର ଉପରେ ରଖିବାକୁ ଚାହେ । ପ୍ରାତ୍ୟହିକ ଜୀବନର ଅତିରିକ୍ତ ଅବସରର ବୋଝକୁ ଡରି ମୁଁ ମୋର ବଗିଚାକୁ ଯିବାକୁ ଚାହେନାହିଁ । ବଗିଚା କାମକୁ ମୋ’ ଜୀବନକ୍ରମର ଏକ ଆନନ୍ଦମୟ ଅଂଶ କରି ରଖି ମୁଁ ଅଧିକ ଉଶ୍ଵାସ ଓ ପ୍ରସନ୍ନ ରହିବାକୁ ଚାହେ । ମୋର ବିରକ୍ତି ନୁହେଁ, ଜୀବନପ୍ରତି ମୋର ଅନୁରକ୍ତି ହିଁ ମୋତେ ବଗିଚାଆଡ଼କୁ ଟାଣି ନେଇଯାଏ । ଫୁଲ, ପତର ଓ ଛୋଟ ଗଛର ସତେଜ ଜୀବନକୁ ମୁଁ ସତେଅବା ମୋ’ ନିଜଭିତରେ ମଧ୍ୟ ଅନୁଭବ କରେ, ଏଡ଼େ ସହଜରେ ଓ ସଖ୍ୟପ୍ରସନ୍ନ ଭାବରେ ଆପଣାକୁ ପ୍ରସାରିତ କରିଦେଇ ପାରେ ବୋଲି ମୁଁ ଆପଣାକୁ ଧନ୍ୟ ମନେକରେ । ଅଧ୍ୟୟନ କରିବା, ମୋ’ ବିଚାରକୁ ଶୃଙ୍ଖଳିତ ଭାବରେ ଲେଖିରଖିବା ପରି ପ୍ରତିଦିନ ବଗିଚାରେ ଘଡ଼ିଏ କାମ କରି ଆସିବାକୁ ମଧ୍ୟ ମୁଁ ସମାନ ମହତ୍ତ୍ଵ ଦେଇଥାଏ । ତେଣୁ ବଗିଚାରେ କାମ କଲାବେଳେ ମଧ୍ୟ ମୁଁ ଏପରି ନିମଗ୍ନ ହୋଇ ଯାଇପାରେ, ଏପରି ଖୁସୀ ହେବାର ସୁଯୋଗ ପାଏ ।

 

୨୪ । ୧୦ । ୫୯

 

ବେଳେବେଳେ ଅତ୍ୟନ୍ତ ନିରାଶ ହୋଇ ପଡ଼ିଥିଲାବେଳେ ମୁଁ ଭାବେ, ଆମେ ଭିତରେ ପ୍ରକୃତରେ କେହି ବଦଳିବା ନାହିଁ । ଦେଶ ଓ ଜାତି ନାମରେ ଆମର ଲୋଭଗୁଡ଼ାକୁ ନାନା ଆବଶ୍ୟକତାର ଛଳରେ ସହନୀୟ ଓ ବିଚାରଣୀୟ କରି ଦେଖାଇ ଆମେ ଖାଲି ଅଧିକରୁ ଅଧିକ ଘୃଣା ଓ ଭୟର ପ୍ରଦର୍ଶନ କରିବାରେ ଲାଗିଥିବା । ତଥାପି ଜାତିସଂଘ ଜରିଆରେ ସଂସାରର ସବୁ ଉତ୍ତେଜନା ଓ ସବୁ ଜ୍ଵର କିପରି ଉପଶାନ୍ତ ହୋଇଯିବ । ଏହି ପୃଥିବୀରେ କାଲି ଯାହା ହେବ, ଆଜି ଆମର ବ୍ୟବହାର, ସମ୍ବନ୍ଧ, ଇଚ୍ଛା ଓ ଅତୃପ୍ତିମାନ ତାହାରି ମଞ୍ଜି ପୋତି ପୋତି ଯାଉଚନ୍ତି । ତେଣୁ ଯଦି ଆଜି ଆମେ ବିଷର ମଞ୍ଜି ପୋତିବାରେ ଲାଗିଚୁ, ଆପଣାର ଘୃଣାଦ୍ଵାରା କାଲିକା କ୍ଷେତର ସେଚନ କରିବାରେ ଲାଗିଚୁ, ତେବେ ତଥାପି କିପରି ଆମର ଆଜିର ପରିଣତ କାଲିର ପୃଥିବୀ–ଅଲଗା ପ୍ରକାରର ହୋଇଯିବେ, ଭଲ ହୋଇଯିବେ ? ବିଶ୍ଵ–ଜାତିସଂଘର ଏହି ସ୍ମରଣ–ଦିବସରେ ସବୁ ନିରାଶା ସତ୍ତ୍ୱେ ତଥାପି ଆଶା ଅଙ୍କୁରିତ ହୋଇ ଉଠୁଚି । ଆପଣା ଭିତରେ ସକଳ ଦୁଷ୍ଟ ଭାବନା ପଛକୁ ଦବିଯାଇ ମୈତ୍ରୀଭାବନା ଅଧିକ ହୋଇଉଠିଲା ପରି ଲାଗୁଚି । ମଣିଷ ହିସାବରେ ମୋ’ରି ଭିତରେ ନାନା ଭୟ ଓ ଦ୍ଵନ୍ଦ ପୂରିରହିଚି, ତଥାପି ସେଇ ଭିତରେ ଥାଇ କିଏ ସମସ୍ତଙ୍କ ସହିତ ସଖ୍ୟ ସ୍ଥାପନ କରିବା ଉପରେ ଅଧିକ ବିଶ୍ଵାସ ଓ ଶ୍ରଦ୍ଧା ସ୍ଥାପନ କରି ବାହାରି ପଡ଼ିବା ପରି ମନେହେଉଚି, ଏହି ନଜନ ମଣିଷ ଶ୍ରଦ୍ଧାର ଜୟ ହେଉ । ସବୁରି ଭିତରେ ଏହି ନୂତନ ମନର ଜୟ ହେଉ ।

 

୨୫ । ୧୦ । ୫୯

 

ବାସନ କହିଲେ ଥାଳୀ, ଦୁଇପଟ, ଥାଳିଆ ଦୁଇଖଣ୍ଡ ଓ ପିତଳ କଡ଼ାଇଟାଏ,–ତାକୁ ମାଜିବାଲାଗି ଆମ ଘରେ ଚାକର ରହିବା ଦରକାର । ଏହି ପ୍ରବୃତ୍ତିଟିକୁ ମୁଁ ସମ୍ପୂର୍ଣ୍ଣ ଭାବରେ ଏକ ଭାରତୀୟ ପ୍ରବୃତ୍ତି ବୋଲି କହିବି । ଇଉରୋପରେ ଏହାର ଗନ୍ଧ ମଧ୍ୟ ଦେଖିବାକୁ ମିଳିବନାହିଁ । ଅଥଚ ଏହି ଦେଶରେ ଅଧିକାଂଶ ଘରେ ଆମେ ପୁରୁଣାକାଳର ବାଦଶାହୀ ଜୀବନଦୃଷ୍ଟିର ଏହି ଢଙ୍ଗ ଦେଖିବାକୁ ପାଇବା । ମୁଁ ଚୁପହୋଇ ଦେଖିବି, ମୋର ସମସ୍ତ ପରିବାର ଚୁପ୍ ହୋଇ ବସିବ, ଅଥଚ ଗୋଟିଏ ଛୋଟ ପିଲା ଆମ ସମସ୍ତଙ୍କ ଲାଗି ରୋଷେଇ କରିଦେବ । ସେଇ ବଜାର କରିବ, ବଗିଚାକାମ କରିଦେବ । ଆଉ କେଉଁ ଘରର ମାଆ ଆସି ମୋ’ର ବାସନ ମାଜିଦେଇ ଯିବ । ମୁଁ ପଇସା ଦେଇ କାମ କରାଉଚି, ଏଣୁ ଏଥିରେ ଅସମାଜିକ ବା ଅସ୍ଵାଭାବିକ କିଛି ନାହିଁ,–ଏହିପରି ଏକ ସାନ୍ତ୍ଵନା ଦେଇ ମୁଁ ଆପଣାକୁ ବୁଝାଇ ରଖିଥିବି । ମୋର ଅତିରିକ୍ତ ପଇସା ଏହିପରି ଭାବରେ ମୋତେ କୋଢ଼ି କରିବାରେ ଓ ଅନ୍ୟ ମଣିଷଙ୍କଠାରୁ ମୋତେ ଅଲଗା କରି ରଖିବାରେ ସାହାଯ୍ୟ କରୁଥିବ । ମୋ’ ଘରେ ବାସନ ମାଜିବାଲାଗି ଯୋଉ ମାଆ ମୋର ନିଦ ଭାଙ୍ଗିବା ଆଗରୁ ଆସି ପହଞ୍ଚି ଯାଉଚି, ତା’ ଘରେ ବି ଚାରିଟା ପିଲା ଅଛନ୍ତି, ମୋ’ ଘର ଠାରୁ ତା’ ଘରେ ଯଥେଷ୍ଟ ଅଧିକ ବାସନ ଓ କାମଧନ୍ଦା ରହିଚି । ମୋ’ ଠାରୁ ସିଏ ହୁଏତ ଅଧିକ ରାତିରେ ଶୋଉଚି, ସିଏ ମୋ’ ଠାରୁ ଯଥେଷ୍ଟ ନିମ୍ନତର ଧରଣର ଖାଦ୍ୟ ଖାଉଚି, ସର୍ବୋପରି ତା’ ର ଭବିଷ୍ୟତ ଶିଶୁଟି ତା’ର ପେଟଭିତରେ ଉଚ୍ଚ ହୋଇ ରହିଚି । ତଥାପି ତାକୁ ମୋ’ ଘରେ କାମ ଖଟାଇଲେ ଏହି ସମାଜରେ ମୋତେ କୌଣସି ଲାଜ ମାଡ଼ିବନାହିଁ । ଆପଣାର କାମକୁ ଆପେ କରିବାରେ, ଆପଣା ଭୌତିକ ଆବଶ୍ୟକତାର ଜୀବନକୁ ଯଥାସାଧ୍ୟ ସରଳ କରି ମାନବିକ ଆବଶ୍ୟକତା ଗୁଡ଼ିକ ପ୍ରତି ଅଧିକ ଧ୍ୟାନ ଦେବାପାଇଁ ଏକ ମାନସିକ ଭୂମି ତିଆରି କରିବାରେ ଯେ କେତେ ଆନନ୍ଦ ରହିଚି, ତାହା ବୁଝିବା ଓ ଅନୁମାନ କରିବା ମଧ୍ୟ ଏପର୍ଯ୍ୟନ୍ତ ମୋର ସାଧ୍ୟାତୀତ ହୋଇ ରହିଚି । ଜୀବନର ଅନେକ କାମ, ଜୀବନକୁ ସମଗ୍ର ଭାବରେ ବୁଝିବାକୁ ଓ ଶ୍ରଦ୍ଧା କରିବାକୁ ଯାହା ଅଧିକ ମସଲା ଯୋଗାଇ ଦେଉଥାନ୍ତା, ମୁଁ ସେଗୁଡ଼ିକୁ ଛୋଟ ମନେକରି ଅନ୍ୟର ମୁଣ୍ଡଉପରେ ଦେଇଦେବାକୁ ଚାହୁଚି । ମୋର ପଇସା ମୋର ଅଧମପଣର ସର୍ବଶ୍ରେଷ୍ଠ ପାସ୍‍ପୋର୍ଟ୍ ଭଳି କାର୍ଯ୍ୟ କରୁଚି ।

 

୨୬ । ୧୦ । ୫୯

 

ପରିବାରର ଅର୍ଥ ନୁହେଁ ଯେ କେବଳ ଜଣେ ଅର୍ଜନ କରିବ ଓ ଅନ୍ୟ ସମସ୍ତେ ତାହାରି କାନ୍ଧରେ ବସିକରି ରହିବେ । ପରିବାର କହିଲେ ହୁଏତ ଆଗେ ଆମ ଚଳନ୍ତି ସଂସ୍କୃତିରେ ଏକ ସମ୍ପତ୍ତିଗତ ଅଧିକାରର ସଙ୍କେତ ମିଳୁଥିଲା । ‘ଇଏ ହେଉଚି ଅମୁକ ବାବୁଙ୍କର ପରିବାର’,–ଏକଥା କହିଲେ ଗୋଟାଏ ପ୍ରକାର ଖାତିରି ବା ସମ୍ମାନର ସୂଚନା ଦେଉଥିଲା । ହୁଏତ ସେହି ଖାତିରି ପାଇବାରେ ଉତ୍ସାହିତ ହୋଇ ଗୃହସ୍ଵାମୀ ପରିବାରର ସବୁ ଦାୟିତ୍ଵ ମୁଣ୍ଡାଉଥିଲା, ଆପଣାର ବେକରେ ସମସ୍ତଙ୍କୁ ଲଟକିବାକୁ ଦେଇ ଦାଣ୍ଡରେ ବାହବାହା ପାଉଥିଲା । ସ୍ଵାମୀର ପଇସା ଓ ପାହାଚ ଅନୁସାରେ ତା’ର ସ୍ତ୍ରୀ ଅନୁରୂପ ସାଜୁଥିଲା, ଅନୁରୂପ ବାତାବରଣ ଓ ପରିବେଶ ରଚନାକରି ରଖିବାଲାଗି ମୁକ୍ତ ହସ୍ତରେ ଖର୍ଚ୍ଚ କରୁଥିଲା, ତା’ର ପୁଅ ଓ ଝିଅ ମଧ୍ୟ ଆରମରେ ପଇସା ନେଇ ଆରମରେ ଖର୍ଚ୍ଚ କରୁଥିଲେ । ସମାଜରେ ଅନ୍ୟମାନଙ୍କଠାରୁ ଅଧିକ ସମ୍ପନ୍ନ ଓ ସୌଭାଗ୍ୟଶାଳୀ ବୋଲି ଦେଖାଇ ହେବାକୁ ଅତିରିକ୍ତ ଓ ଅନାବଶ୍ୟକ ଖର୍ଚ୍ଚମାନ ବଢ଼ି ବଢ଼ି ଚାଲିଥିଲା । ଘରର ଲୋକମାନେ ମନଇଚ୍ଛା ଖର୍ଚ୍ଚ କରୁଥିଲେ, ଆବଶ୍ୟକତା ବଢ଼ାଇ ଚାଲିଥିଲେ । କାରଣ ଅର୍ଜନ ଓ ଉପାର୍ଜନ କିପରି ହୁଏ, ସେ ବିଷୟରେ ଜାଣିବାପାଇଁ ମଧ୍ୟ ସେମାନେ କୌଣସି ଚେଷ୍ଟା କରୁନଥିଲେ-। ଆପଣାର ଖାତିରି ବଢ଼ିବାର ଲୋଭରେ ପଡ଼ି ଗୃହସ୍ଵାମୀ ବି ନାନା ସଦୁପାୟ ତଥା ଅସଦୁପାୟରେ ଧନ ଆଣି ଘରେ ଜମା କରୁଥିଲା, ଅପବ୍ୟୟ ଓ ଅତିରିକ୍ତତାକୁ ସମସ୍ତ ପ୍ରକାର ପ୍ରଶ୍ରୟ ଦେଉଥିଲା । କିନ୍ତୁ ବର୍ତ୍ତମାନର ପରିବାରକୁ ବଞ୍ଚିରହିବାକୁ ହେଲେ ସହଯୋଗୀ ପରିବାରରେ ପରିବର୍ତ୍ତିତ ହେବାକୁ ପଡ଼ିବ । ପରିବାରର ବୋଝକୁ ସମସ୍ତେ ଏକାଠି ମୁଣ୍ଡାଇବେ, ପରସ୍ପରର ଦାୟିତ୍ଵର ଅନୁପୂରଣ କରିବେ ।

 

୨୭ । ୧୦ । ୫୯

 

ନାରୀ ପୁରୁଷ ଲାଗି କେବଳ ଏକ ଭୋଗର ସାମଗ୍ରୀ ନୁହେଁ । ସେ ପ୍ରଥମତଃ ଓ ପ୍ରଧାନତଃ ପୁରୁଷ ପରି ଜଣେ ମନୁଷ୍ୟ । ପୁରୁଷ ଯେପରି ସ୍ଵପ୍ନ ଦେଖେ, ପୁରୁଷ ଯେପରି ସାଧନା କରେ, ଭବିଷ୍ୟତର ସମର୍ପଣ ଲାଗି ବର୍ତ୍ତମାନରେ ଆପଣାକୁ ଯେପରି ପ୍ରସ୍ତୁତ କରେ, ଧର୍ମତଃ ନାରୀର ମଧ୍ୟ ସେଇଆ କରିବା କଥା । କିନ୍ତୁ ସାଂସ୍କୃତିକ ଓ ସାମାଜିକ ନାନାକାରଣରୁ ପୁରୁଷ ବର୍ତ୍ତମାନ ନାରୀକୁ କେବଳ ଆପଣାର ଭୋଗସାମଗ୍ରୀ ରୂପେ ବ୍ୟବହାର କରୁଚି, ଭୋଗାଦର୍ଶୀ ଜୀବନଭିତରେ ନାରୀକୁ ସଜାଇବା ଓ ସମ୍ପତ୍ତି କରି ଦେଖାଇବାରେ ତା’ର ସବୁଠାରୁ ଅଧିକ ସମୟ ଚାଲିଯାଉଚି, କେବଳ ଅଙ୍କଶାୟିନୀ ହୋଇ ରହିବାରେ ଅଭ୍ୟସ୍ତ ହୋଇ ନାରୀକୁ ମଧ୍ୟ ଏପରି ଏକ ଅମାନୁଷିକ ସ୍ଥିତି ବେଶ୍ ଆରେଇ ଗଲାଣି । ଆପଣାକୁ ଜଣେ ମଣିଷଭାବେ ବିଚାରିବାକୁ ସେ ଏକାବେଳେକେ ଭୁଲିଗଲାଣି । ସିଏ ଯେ ପ୍ରଥମେ ଭଗବାନଙ୍କର, ପୁରୁଷର ନୁହେଁ, ଏକଥା ସେ ପାସୋରି ଗଲାଣି । ଭଗବାନଙ୍କ କଥା ତ ଛାଡ଼ିଦିଅ, ସିଏ ଯେ ଏହି ସମାଜର ଅର୍ଥାତ୍ ସମାଜ ସହିତ ଯେ ତା’ର କୌଣସି ଦାୟିତ୍ଵ ତୁଲାଇବାର ସମ୍ପର୍କ ରହିଚି, ଏକଥା ମଧ୍ୟ ସେ ଭୁଲିଗଲାଣି । ତେଣୁ ପୁରୁଷର ସହଯୋଗିନୀ ହେବା ପରିବର୍ତ୍ତେ ପୁରୁଷର କେତେଟା ଆଦେଶ ପାଳନ କରି ଓ ପୁରୁଷକୁ କେତେଟା ଆରାମ ଦେଇ ନାରୀ ପୁରୁଷର ଗୋଡ଼କୁ ବି ଛନ୍ଦି ରଖୁଚି । ପୁରୁଷ ଯେତିକି ଯେତିକି ଆଗକୁ ଯିବାକୁ ଚାହୁଚି, ସିଏ ତାକୁ ସେହିକି ସେତିକି ଛନ୍ଦିବାରେ ଲାଗିଚି । ସମାଜ ଯେମିତି ଅଛି ସେମିତି ଥାଉ, ଜୀବନ ଯେମିତି ଅଛି ସେମିତି ଥାଉ,–ବୋଧହୁଏ ନାରୀ ହିଁ ଏଥିରେ ଇତିହାସରେ ସବୁଠାରୁ ବେଶୀ ସହାୟତା କରିଚି, ମଣିଷ ଓ ଜୀବନର ପରିବର୍ତ୍ତନକୁ ଅଟକାଇ ରଖିଚି । ଏବଂ ନାରୀ ଯେଉଁଠି ଅଟକିଚି, ଯେଉଁଠି ମାଆ ଅଟକି ଯାଇଚି, ସେଠି ପୁରୁଷ ଆଗକୁ ଯାଇପାରିବ କିପରି ? କେତେଟା ଅମାନିଆ ଦୁଷ୍ଟ ପିଲାଙ୍କୁ ବାଦ ଦେଲେ ସବୁ ପୁରୁଷ ବି ଯୁଗକୁ ସମର୍ଥନ କରି ରହି ଯାଇଚନ୍ତି । ସମାଜ ଯେମିତି ଅଛି ସେମିତି ଥାଉ ବୋଲି ବିଶ୍ଵାସ କରିଚନ୍ତି, ବର୍ତ୍ତମାନର ଘରସଜାରେ ଭବିଷ୍ୟତର ସମସ୍ତ ଜୀବନକରଣାକୁ ଭୁଲି ଯାଇଚନ୍ତି ।

 

୨୮ । ୧୦ । ୫୯

ଇଉରୋପର ଗୃହିଣୀ କିଛିହେଲେ ନଷ୍ଟ ହେବାକୁ ଦିଏନାହିଁ । ଅବଶ୍ୟ ତା’ ବୋଲି ସେ ଖୁଆଇବାରେ ବା ପିଆଇବାରେ କେବେ କୌଣସି କାର୍ପଣ୍ୟ କରେ ବୋଲି କଦାପି କୁହାଯାଇ ପାରିବନାହିଁ । ସମସ୍ତଙ୍କୁ ଆବଶ୍ୟକ ଖାଦ୍ୟପେୟରେ ଆପ୍ୟାୟିତ କରାଇବା ପାଇଁ ଯେତିକି ଦରକାର, ସେ ସେତିକି ପ୍ରସ୍ତୁତ କରେ । ସେଗୁଡ଼ିକୁ ସୁନ୍ଦର ଆୟୋଜନ ଓ ସୁନ୍ଦର କ୍ରମରେ ସେ ଏପରିଭାବରେ ବାଢ଼ିଦିଏ ଯେ ମନେହୁଏ ଯେପରି ଏହାଠାରୁ ଅଧିକ ରୁଚିକର ଦ୍ରବ୍ୟ ତିଆରି କରିବା ଆଦୌ ସମ୍ଭବ ହୋଇନଥାନ୍ତା । ମାତ୍ର ଆମମାନଙ୍କ ଘରେ ଖାଇବାପିଇବାରେ ମଧ୍ୟ ପକ୍କା ସାଆନ୍ତିଆ ସଂସ୍କୃତି ପଶିଯାଉଚି । ଘରକୁ କୁଣିଆ ଆସିଲେ ସେମାନେ ଯେତିକି ଖାଇବେ, ଠିକ୍ ସେତିକି ନଷ୍ଟ ନହେଲେ ଆମର ମନବୋଧ ହୁଏନାହିଁ । ଏହାକୁ ଅତିଥି ସତ୍କାରର ଉତ୍ସାହ ବୋଲି କଦାପି କୁହାଯିବା ଉଚିତ ନୁହେଁ । ଅନ୍ୟମାନଙ୍କୁ ଖୁଆଇ ଖୁସୀ ହେବାର ଆଗ୍ରହ ବୋଲି ବି କୁହାଯିବା ଉଚିତ ନୁହେଁ । ଯୋଉଘରେ ଅନ୍ୟଦିନେ ଚାକରମାନେ ମୁଠାଏ ଭଲ କରି ଖାଇବାକୁ ପାଆନ୍ତିନାହିଁ, ଠିକ୍ ସେହି ଘରେ ହିଁ କୁଣିଆ ଆସିବା ଦିନ କୁଢ଼କୁଢ଼ ଖାଇବା ନଷ୍ଟ ହୁଏ । ଯଦି ଗୃହିଣୀ ଉପାର୍ଜନ କରୁଥାନ୍ତା, କେବଳ ଗୃହର ରାଣୀ ନ ହୋଇ ଯଦି ସେ ସମଗ୍ର ଜୀବନର ସହଯୋଗିନୀ ହୋଇଥାଆନ୍ତା, ତେବେ ଏପରି ନଷ୍ଟ କରିବା ତା’ ଦେଇ କଦାପି ସମ୍ଭବ ହୁଅନ୍ତା ନାହିଁ ।

 

୨୯ । ୧୦ । ୫୯

 

ଏସବୁ ମୋର ଧୈର୍ଯ୍ୟର ପରୀକ୍ଷା । ଜୀବନ ଉପରେ ମୋର କେତେ ବିଶ୍ଵାସ ରହିଚି, ତାହାରି ପରୀକ୍ଷା । ଆପଣା ଓ ଅପର ଉପରେ ମୋର କେତେ ଶ୍ରଦ୍ଧା ରହିଚି, ତାହାରି ପରୀକ୍ଷା । ମଣିଷ ଉପରେ ମୋର କେତେ ବିଶ୍ଵାସ ରହିଛି, ତାହାରି ପରୀକ୍ଷା । ମୁଁ ଆପଣାକୁ କାହାରି ଉପରେ ଲଦିଦେବାକୁ ଚାହେନାହିଁ । ଅପର ଆଉଜଣକୁ ଆପଣାର ମାର୍ଗ ଅନୁସାରେ ଚଳାଇବାକୁ ଯେଉଁ ମୋହାଶ୍ରୟୀ ଉତ୍ତେଜନା ଲୋଡ଼ା, ସେହି ଉତ୍ତେଜନାରୁ ଦୂରରେ ରହିବାଲାଗି ମୁଁ ସବୁବେଳେ ଚେଷ୍ଟା କରିଥାଏ । ତଥାପି ଅତି ପାଖରେ କାହାକୁ ଅନ୍ୟ ବାଟରେ ବା ଅନ୍ୟ ପ୍ରକାରେ ଯାଉଥିବାର ଦେଖିଲେ ମୋର ଭିତରେ ଜଳିଉଠେ, ନିଜକୁ ସଂସାରରେ ଏକାକୀ ମନେହୁଏ । ସଂସାରରେ ମୋର ପରିଚିତ କେହିଜଣେ ମୋ’ଠାରୁ ଏକ ବିଚ୍ଛିନ୍ନ ମାର୍ଗରେ ଗତି କରୁଥିଲେ ମୋତେ ପ୍ରକୃତରେ ବଡ଼ ଏକାକୀ ମନେହୁଏ । ମନଭିତରେ କେତେପ୍ରକାର ମାନ ଅଭିମାନ ଓ ରାଗରୋଷ କେତେପ୍ରକାର ଗଣ୍ଠିରେ ମୋତେ ବାନ୍ଧିପକାଇ ଅଣନିଶ୍ଵାସୀ କରି ଦେଲାପରି ଲାଗେ । ମନେହୁଏ, ଯେପରି ମୋର ଆପଣା ସଂସାରଟା ଆଉ ଗୋଟାଏ ମୁହୂର୍ତ୍ତ ପାଇଁ ମଧ୍ୟ ଚଳି ପାରିବନାହିଁ । ତା’ ପରେ ପୁଣି ଆପଣାର ନୀଡ଼କୁ ବାହୁଡ଼ି ଆସିବାକୁ ପଡ଼େ । ମୁଁ ପୁଣି ନିଶ୍ଚଳ ଓ ସ୍ଥିର ହୋଇ ଭାବିବସେ । ମୋର ଭୁଲ ଅଛି, ମୋର ସହସ୍ର ଅପୂର୍ଣ୍ଣତା ରହିଚି । ମାତ୍ର ମୁଁ ତଥାପି ଉଠିପଡ଼ି ଧାଇଁଚି, ମୁଁ ତଥାପି ଶ୍ରଦ୍ଧାର ସହିତ ଧାଇଁଚି । ମୁଁ ତଥାପି ମରିଯାଇନାହିଁ କି ଆପଣାର ଗ୍ଳାନି ତଳେ ଆପଣାକୁ ପୋତି ଦେଇନାହିଁ । ମୋ’ ପାଖରେ ଓ ଦୂରରେ ଯିଏ ଯେଉଁଠି ଅଛନ୍ତି, ସେମାନର ମଧ୍ୟ ଦୋଷ ଅଛି, ସହସ୍ର ଅପୂର୍ଣ୍ଣତା ରହିଚି । ସେମାନଙ୍କୁ ମାରିପିଟି ସାଧ୍ୟ କରିବାଲାଗି ମୋର କୌଣସି ଲାଳସା ନାହିଁ । କିନ୍ତୁ ସେମାନେ ମଧ୍ୟ ଆଗକୁ ଯିବାକୁ ଚେଷ୍ଟା କରନ୍ତୁ । ଆଜି ଯାହା ଅଛନ୍ତି, କାଲି ତାହାଠାରୁ ଟିକିଏ ଅଧିକ ହେବାର ଚେଷ୍ଟା କରନ୍ତୁ । ଆପଣାକୁ ଶ୍ରଦ୍ଧା କରନ୍ତୁ, ଆପଣାର କୁରୁଚି ଓ କୁଅଭ୍ୟାସ ଗୁଡ଼ାକୁ ଶକ୍ତ ଖୋଳ ପରି କରି ତାହାରି ଭିତରେ ଲୁଚି ରହିବାର ଦମ୍ଭ କରନ୍ତୁ ନାହିଁ । ଅନ୍ୟମାନଙ୍କଠାରେ ମୁଁ କେବଳ ଏତିକି ଦେଖିବାକୁ ଚାହେ । ଜଣେ ମଣିଷ ହିସାବରେ ପ୍ରତ୍ୟେକ ମଣିଷ ପାଖରେ ମୋର ଏତିକି ଅଳି କରିବାର ଅଛି । ସେତିକି ଅଧିକାରରୁ ବଞ୍ଚିତ ହେଲେ ତା’ ପାଖରେ ମୁଁ ପ୍ରାଣଖୋଲି ବସିପାରିବି କିପରି ?

 

୩୦ । ୧୦ । ୫୯

 

ଏକା ଶିକ୍ଷକ କ’ଣ କରିପାରିବ ? ତା’ର ଛାତ୍ରକୁ ସେ କେବଳ ଚାରି ଛଅଘଣ୍ଟା ପାଇଁ ପାଉଚି ଏବଂ ତେଣେ ତା’ ବିରୁଦ୍ଧରେ ସମସ୍ତ ସଂସାର ଠିଆ ହୋଇଚି । ବାପା ମାଆ ଠିଆ ହୋଇଚନ୍ତି । ସାମାଜିକ ସଫଳତା ଓ ବିଫଳତାର ଗୌରବ ଓ ଶଙ୍କାମାନ ଠିଆ ହୋଇଚନ୍ତି, ସର୍ବୋପରି ଛାତ୍ର ପିଲାଦିନେ ଭୋଗିଥିବା ଅସୁସ୍ଥ ଓ ଅସ୍ଵାଭାବିକ ଲାଳନର ପ୍ରତିବନ୍ଧକମାନ ଠିଆ ହୋଇ ରହିଚି । ଶିକ୍ଷକ କ’ଣ କରିପାରିବ ? ବିଶେଷ କରି କଲେଜ ସ୍ତରରେ, ଯେଉଁଠି ଛାତ୍ର ସଂସାରରେ ପ୍ରବେଶ କରି ସାରିଚି, ଯୋଉଠି ସେ ବାପ ହୋଇ ସରିଲାଣି, ସେଠାରେ ଉପଦେଶ ଦେଇ ବା ଭର୍ତ୍ସନା କରି ଛାତ୍ରକୁ ବାଟକୁ ଆଣିବା ଶିକ୍ଷକର ଦୁଃସାହସ ମାତ୍ର । ପୁଣି ଯେତେବେଳେ ଗୋଟାଏ ଗୋଟାଏ କ୍ଳାସରେ ପଲେ ଲେଖାଏଁ ଛାତ୍ର ଭର୍ତ୍ତି ହୋଇ ରହିଚନ୍ତି, ଯେଉଁଠି ପାସ୍ କରିବାକୁ ଶିକ୍ଷିତ ହେବାଠାରୁ ଅଧିକ ମାନ ଓ ଅଧିକ ସ୍ଵୀକାର ଦିଆଯାଉଚି, ସେତେବେଳେ ଶିକ୍ଷା ଓ ଶିକ୍ଷିତ ହେବାର ଢୋଲ ବାଡ଼େଇ ଶିକ୍ଷକ କାହାର କି ଉପକାର କରିପାରିବ ? ହୁଏତ କେବଳ ହାସ୍ୟସ୍ପଦ ହେବାହିଁ ସାର ହେବ । ସମାଜ ଯେଉଁପରି ଚାହୁଚି, ହୁଏତ ଠିକ୍ ସେହିପରି ଭାବରେ ମଣ ହେବା ବା ଅଭିନୟ କରିବା ବ୍ୟତୀତ ତା’ର ଆଉ କୌଣସି ଗତି ନଥିବ । ବେଳେବେଳେ ଭାରି ନିରାଶ ଲାଗେ । ପ୍ରତ୍ୟେକଟି ଛାତ୍ରର ବିଶ୍ଵାସଭାଜନ ହୋଇ ତା’ ସହିତ ଜୀବନଗତ ଅଭିଜ୍ଞତାର ବିନିମୟ କରିବାକୁ ଉପଯୁକ୍ତ ସୁଯୋଗ ମିଳୁଥାନ୍ତା କି ? କିନ୍ତୁ ଆଧୁନିକ ଶିକ୍ଷାଳୟ କହିଲେ ସାଧାରଣତଃ ଯେଉଁ ଯାନ୍ତ୍ରିକତା ଓ ସତ୍ଵରତାକୁ ବୁଝାଇଥାଏ, ତା’ ଭିତରେ ଏସବୁଲାଗି ସମୟ କାହିଁ ? ମନ ଭାରି ଭାଙ୍ଗିପଡ଼େ । ଭିତରେ ଥିବା ଶିକ୍ଷକ ହାରିଯାଏ, ଶିକ୍ଷା କରିବା ଓ ଶିକ୍ଷା ଦେବାର ଆଗ୍ରହ ଭାଙ୍ଗିଯାଏ । ଯୁଗ ଜିତେ, ଅଭିନୟ ହିଁ ଜିତେ, ଯାନ୍ତ୍ରିକତା ଜିତେ ।

 

୩୧ । ୧୦ । ୫୯

 

ମୋ ଅଫିସ୍‌ର ଚାକର ଆସି ମୋ’ର ଘରେ ମଧ୍ୟ କାମ କରିବ । ମୋ’ ବଗିଚାରେ କାମ କରିବ, ମୋ’ ଘର ପାଇଁ ଦୋକାନରୁ ସଉଦା ଆଣି ଦେବ, ମୋ’ ଜିନିଷକୁ ମୁଣ୍ଡ ଉପରେ ବୋହିନେବ, ମୋ’ ପିଲାଙ୍କୁ ଧରିବ, ଇତ୍ୟାଦି ଇତ୍ୟାଦି । ମୋର ମର୍ଜିକୁ ସନ୍ତୁଷ୍ଟ କରାଇବା ସଙ୍ଗେ ସଙ୍ଗେ ସେ ମୋ’ ଗୃହିଣୀର ବରାଦମତେ ମଧ୍ୟ କାମ କରିବ । ଘର ଓଳାଇବ, ଟେବୁଲ ଝାଡ଼ିବ ଏବଂ ମୁଁ ଗଣତନ୍ତ୍ରର ଏହି ଦେଶରେ ହାକିମ ହେବି, ଗଣତନ୍ତ୍ରର ଗୁଣ ଗାଇ ଦରମା ଗଣି ଆଣିବି । ବୁଦ୍ଧିର ଗଉଣି ଧରି ପିଲାଙ୍କ ଆଗରେ କଥାର ଆମରରୁ ଗଣତନ୍ତ୍ରକୁ ମାପି ଦେଉଥିବି । ଯିଏ ଚାକର ହୋଇ ବାବୁଙ୍କର କହିବା ଅନୁସାରେ ସବୁପ୍ରକାର କାମ କରିବାକୁ ପ୍ରସ୍ତୁତ ହୋଇଯାଏ, ଆପଣାର ମନ ଭିତରେ ଯେ କ’ଣ ଭାବୁଥିବ, ମୁଁ ଅନେକ ସମୟରେ ସେଇକଥା ଭବିଥାଏ । ସେ ଯେଉଁଠି ଆଗ କାମ କରିବା କଥା, ସେଠାରେ ଅବହେଳା ଦେଖାଏ ଏବଂ ବଡ଼ବାବୁଙ୍କର ଘରେ ବଡ଼ବାବୁଙ୍କୁ ଖୁସୀ କରିବାକୁ ଆସେ । ବଡ଼ବାବୁଙ୍କ ଘରେ କାମ କରୁଚି କହି ଅନ୍ୟାନ୍ୟ ଅନେକପ୍ରକାର କର୍ତ୍ତବ୍ୟଗତ ଅବହେଳାରୁ ମାଫ୍ ପାଇଯାଏ । ନିଜକୁ ଅନ୍ୟ ଦୁଆରେ ଠକାଇ କର୍ତ୍ତବ୍ୟର ଦୁଆରେ ନିଜେ ମଧ୍ୟ ଅନ୍ୟମାନଙ୍କୁ ଠକିବାକୁ ଯାଏ । ଆପଣାର କାମ ଅପେକ୍ଷା ଉପରେ ବସିଥିବା ହାକିମକୁ ସେ ଅଧିକ ମହତ୍ତ୍ଵ ଦିଏ । ସେ ଯେ ଏହି ସମାଜର ମଣିଷ, ସମାଜ ଲାଗି ଯେ ତା’ କାର୍ଯ୍ୟର କୌଣସି ମୂଲ୍ୟ ରହିଚି, ସେ ଏକଥା କେବେହେଲେ ବୁଝି ପାରେନାହିଁ । ଆଗେ ରାଜା ଓ ସାମନ୍ତମାନଙ୍କର ଘଣ୍ଟାର କ୍ରମ ଅନୁସାରେ ଯେପରି ସବୁ କାମ ଚାଲୁଥିଲା, ଆଜିକାଲି ଉପର ହାକିମ ବା ବାବୁଙ୍କର ଖୁସୀ ଅନୁସାରେ ସେହିପରି ସବୁ କାମର ନିର୍ଣ୍ଣୟ ହୁଏ, ଏପରିକି ତା’ ଭାଗ୍ୟର ବି ନିର୍ଣ୍ଣୟ ହୁଏ ବୋଲି ସେ ବିଶ୍ଵାସ କରି ଶିଖେ । ତା’ ର ହାକିମ ଭିତରୁ ଯେପରି ସମସ୍ତପ୍ରକାର ମଣିଷପଣିଆ ଓ ସହଯୋଗିତା ନାନାପ୍ରକାର କୃତ୍ରିମ ପ୍ରଦର୍ଶନ ପ୍ରଲୁବ୍‌ଧତା ହେତୁ ମରିମରି ଯାଉଚି, କର୍ମବୀର ନହୋଇ ମଣିଷର ଗୋଲାମ ହେବାଦ୍ଵାରା ତା’ ଭିତରୁ ମଧ୍ୟ ସମସ୍ତ ମଣିଷପଣିଆ ସେହିପରି ମରିଯାଏ । ସେ କେବେହେଲେ ସମାଜର ଜଣେ ହୋଇ ଆପଣାକୁ ଚିହ୍ନି ପାରେନାହିଁ । ଏ ଯୁଗର ସମାଜକୁ ରଖିବାକୁ ଗଲେ ଗଣତନ୍ତ୍ର ସର୍ବାଦୌ ଆବଶ୍ୟକ ବୋଲି ଯଦି ଆମେ ବିଶ୍ଵାସ କରୁଥାଉ, ତେବେ ଆମର ଭିତର ମନକୁ ଆଗ ସହଯୋଗୀ କରି ତିଆରି କରିବାକୁ ହେବ । କିନ୍ତୁ ଉପରେ ଗଣତନ୍ତ୍ରର ବାଣୀ ଗାଇ ଆମେ ପଇସା ଖାଉଥିବା ଏବଂ ଭିତରେ ନାନାପ୍ରକାରେ ସାଆନ୍ତ ହୋଇ ବସିବାଲାଗି ଆମର ମନ ନାନା ଅନାଚାର ପଛରେ ଧାଇଁଥିବ, ଏହାଦ୍ଵାରା ଏ ଦେଶ କାହିଁକି, ପୃଥିବୀର କୌଣସିଠାରେ ମଧ୍ୟ ଗଣତନ୍ତ୍ର ସମ୍ଭବ ହେବନାହିଁ ।

 

୧ । ୧୧ । ୫୯

 

ସଂସାରରେ କାହାରିଠାରୁ କିଛି ଆଶା କରିବାଲାଗି ମୋର ଅଧିକାର ନାହିଁ । କିଏ ମୋର ମନୋମତ ହୋଇ ନପାରିଲା ବା ଚଳି ନପାରିଲା ବୋଲି ଖପା ହେବାର ବା ଗର୍ଜନ କରିବାର କୌଣସି ଅଧିକାର ମୋର ନାହିଁ । କିନ୍ତୁ ଆପଣା ବାଟରେ ଚାଲିବାର ଅଧିକାର ଅଛି, ଆପଣାକୁ ଦେବାର ଅଧିକାର ଅଛି, ସହିବାର ଅଧିକାର ଅଛି, ଶ୍ରଦ୍ଧାର ସହିତ ଅପରକୁ ବାଟ ଛାଡ଼ି ଦେବାର ଅଧିକାର ଅଛି । କିନ୍ତୁ ଅନେକ ସମୟରେ ଆଖି ବାହାରକୁ ଚାଲିଯାଏ, ରକ୍ତ ଉପରକୁ ଉଠିଯାଏ । ଆପଣାର ଅସଲ ଅଧିକାର ବିଷୟରେ ବିସ୍ମୃତ ହୋଇ ମୁଁ ସଂସାର ଯାକ ହାକିମୀ ଦେଖାଇ ହେବାକୁ ବାହାରେ । ସମସ୍ତେ ମୋର ଇଚ୍ଛାଧୀନ ହୋଇ ରହନ୍ତୁ ବୋଲି ଭାରି ତାପ ଦେଖାଏ । କିନ୍ତୁ ତଦ୍ଦ୍ଵାରା ମୁଁ କାହାରି କିଛି କଲ୍ୟାଣ କରି ପାରେନାହିଁ । କେବଳ ଆପଣାଭିତରେ ଦହିଦେବା ଓ କ୍ଷୁନ୍ନ ହେବା ହିଁ ସାର ହୁଏ । ମୁଁ ଆପଣା ଅଧିକାରରୁ ଆପେ ବଞ୍ଚିତ ହୁଏ ।

 

୨ । ୧୧ । ୫୯

 

ଭାବିଲାବେଳେ ମୁଁ ଆଉଜଣକ ସହିତ ଏକାଠି ବସି ଭାବି ପରୁଥାଆନ୍ତି କି ! ଖାଇଲାବେଳେ ମୁଁ ଆଉଜଣକ ସହିତ ଏକାଠି ବସି ଖାଇ ପାରୁଥାଆନ୍ତି କି ! କାମ କଲାବେଳେ ମୁଁ ଆଉଜଣକ ସହିତ ଏକାଠି ମିଶି କାମ କରି ପାରୁଥାଆନ୍ତି କି ! ଜୀବନର ବାଟ ଚାଲିଲାବେଳେ ମୁଁ ନିର୍ଭର ସହକାରେ ଆଉ ଜଣକର ହାତ ଧରି ଚାଲି ପାରୁଥାଆନ୍ତି କି ! ସଂସାରର ସବୁ ବାଟୋଇଙ୍କ ସହିତ ଯିଏ ସବୁବେଳେ ବାଟ ଚାଲୁଚନ୍ତି, ମୋ’ ବାଟର କଡ଼େକଡ଼େ ସେ ମୋ’ ସହିତ ଅବଶ୍ୟ ରହିଚନ୍ତି ବୋଲି ମୁଁ ଜାଣେ, ଅନୁଭବ ବି କରେ । ତଥାପି ତାଙ୍କରି ପଥରେ ଏହି ଯାତ୍ରାକୁ ଆଉଜଣଙ୍କ ସହିତ ଏକାଠି ମିଶି ସମ୍ପନ୍ନ କରି ପାରୁଥିଲେ ମୁଁ କେଡ଼େ ଖୁସୀ ହୋଇ ପାରୁଥାନ୍ତି ! ସଂସାର ଭିତରେ ଏକୁଟିଆ ହୋଇ ରହିବାର ଦୁଃଖ ହେଉଚି ସବୁଠାରୁ ବଡ଼ ଦୁଃଖ । ଖାଇଲାବେଳେ, ନାନା କାର୍ଯ୍ୟରେ ଓ ନାନା ଭାବନାରେ ଆପଣାକୁ ନେଇ ବାହାରିବା ବେଳେ ଏହି ଏକାକୀ ହୋଇ ରହିବାଟା ବେଳେବେଳେ ଭାରି ବାଧୁଚି । ମୋର ଚାରିପାଖରେ ଯେପରି ତଥାପି ଗୋଟାଏ ବାଡ଼ ପଡ଼ି ରହିଚି । ସତେଯେପରି ମୁଁ ଜଣକୁ ସୁଦ୍ଧା ମୋର ସାଙ୍ଗରେ ପାଇ ପାରିଲିନାହିଁ, ଜଣକୁ ସୁଦ୍ଧା ଆପଣାର କରି ପାରିଲିନାହିଁ ବା ଜଣକୁ ସୁଦ୍ଧା ଆନନ୍ଦ ଦେଇ ପାରିଲିନାହିଁ, ଏହିପରି ଗୋଟାଏ ମର୍ମଦାହୀ ଅପରାଧୀ ଭାବନା ମୋର ସବୁଠାରେ କଣ୍ଟା ଫୋଡ଼ିଦେଇ ଯାଉଚି । ମୁଁ ଜାଣେ ଯେ ମୋତେ ତଥାପି ବାଟ ଚାଲିବାକୁ ହେବ, ସଂସାରରେ ନାନା କର୍ମ, ନାନା ସମର୍ପଣ ଓ ସଖ୍ୟର ଜୀବନକ୍ଷେତ୍ରରେ ଆପଣାକୁ ନିର୍ମଳକରି ଦେଇଦେବାକୁ ପଡ଼ିବ । ଏହାହିଁ ମୋର ଉପଭୋଗ, ଏହାହିଁ ମୋର ଆନନ୍ଦ, ଏହାରି ଦ୍ଵାରା ହିଁ ମୁଁ ଆପଣାର ଜୀବନକୁ ପ୍ରକାଶ କରି ଯାଉଥିବି । ଏକାକୀ ହେଲେ ମଧ୍ୟ ମୋତେ ତଥାପି ଯିବାକୁ ହେବ । ଖାଲି ଏତିକିରୁ ଅଧିକ ଅନୁଗ୍ରହ ପାଇଲିନାହିଁ ବୋଲି କାନ୍ଦିଲେ ଚଳିବନାହିଁ । ମୁଁ କାନ୍ଦିଲେ ଜଗତ ବଦଳି ଯିବନାହିଁ । ମୋର ଜୀବନବଞ୍ଚିବା ଭିତରେ ମୁଁ ନିଜେ ବଦଳିବାକୁ ଯେ ସତେ ଚେଷ୍ଟା କରୁଚି, ମୋତେ ସତେ ତାହାର ପ୍ରମାଣ ଦେବାକୁ ହେବ । ତାହାହିଁ କର୍ତ୍ତବ୍ୟ, ତାହାହିଁ ପଥ, ତାହାହିଁ ଆନନ୍ଦ । ତେଣୁ ଆପଣାର ଭାଗ୍ୟକୁ ନିନ୍ଦିବାର ଆତ୍ମଘାତୀ ବାଚଳତା ନକରି ମୋତେ ନୀରବ ହୋଇ ବାଟ ଚାଲିବାକୁ ପଡ଼ିବ ।

 

୩ । ୧୧ । ୫୯

 

ଏ ଦେଶରେ କେବଳ ଟଙ୍କା ଖରଚ ହେଉଥିବ; କିନ୍ତୁ ହୃଦୟ ଖରଚ ହେବନାହିଁ, ବୁଦ୍ଧି ମଧ୍ୟ ଖରଚ ହେବନାହିଁ । ବୁଦ୍ଧି ଆଉ ହୃଦୟ କେବଳ ବିକାହେବାରେ ଲାଗିଥିବ । ଗସ୍ତଖର୍ଚ୍ଚରେ ଲକ୍ଷଲକ୍ଷ ଟଙ୍କା ଉଡ଼ୁଥିବ, ଶିକ୍ଷା ଦେବାରେ ଲକ୍ଷଲକ୍ଷ ଟଙ୍କା ସରୁଥିବ । ଅଥଚ ଯୋଉଠି ମଣିଷ ସହିତ ଅସଲ ସମ୍ପର୍କ ସମ୍ଭବ, ସେଠାରେ ପହଞ୍ଚିବା ପାଇଁ ଏଦେଶରେ କିଛି ହେଉନଥିବ । ମଣିଷର ହୃଦୟ ପର୍ଯ୍ୟନ୍ତ ଯିବାକୁ ହେଲେ ଯେଉଁ ନିଷ୍ଠା ଦରକାର, ସମ୍ମିଳିତ ହେବାର ଯେଉଁ ଉତ୍ସାହ ଦରକାର, ତାହା ଆମ ଶିଖାଇବାବାଲାଙ୍କ ଭିତରେ କଦାପି ହେବନାହିଁ । ଆମର ବାହାର କଥାକୁ ଆମର ଭିତର ବୁଝି ପାରିବନାହିଁ, ଭିତରର ଭାବକୁ ବାହାରେ ପ୍ରକାଶ କରିବାର ଅବକାଶ ମଧ୍ୟ ଆମକୁ ଜୁଟିବନାହିଁ । ଆମେ ଗାଆଁପାଇଁ କହୁଥିବା, ଅଥଚ ଗାଆଁକୁ ଘୃଣା କରୁଥିବା । ଗଣତନ୍ତ୍ର ପାଇଁ କହୁଥିବା, ଅଥଚ ମୂଳରୁ ତୂଳଯାଏ ଆପଣାଆପଣା କ୍ଷେତ୍ରରେ ମଣିଷକୁ ଘୃଣା କରୁଥିବା, ତାକୁ ପ୍ରଧାନତଃ ଆମର ଅଭିମାନକୁ ଚରିତାର୍ଥ କରିବା ଲାଳସାରେ ସାମଗ୍ରୀରୂପେ ଦେଖୁଥିବା । ଦେଶକୁ ଆମେ ନୂଆ କରି ଗଢ଼ିବାବୋଲି କହୁଥିବା, ଅଥଚ ଭିତରେ ଯେଉଁ ପୁରୁଣାକୁ ସେହି ପୁରୁଣା ହୋଇ ରହିଥିବା । ଉପରେ ସାରା ପୃଥିବୀକୁ ଶାନ୍ତି ଓ ମୈତ୍ରୀର ଧାର୍ମିକ ଉପଦେଶ ଦେବାରେ ଲାଗିଥିବା, ଅଥଚ ଆମର ଅସ୍ଥି ଓ ଶିରାପ୍ରଶିରାକୁ ଭୀରୁତା କାମୁଡ଼ି ଧରିଥିବ । ଏବଂ ଏହି ପୋଷାକୀ ଉପଚାରଗୁଡ଼ାକୁ ବଢ଼ିଆରୁ ବଢ଼ିଆ କରି ସଜାଇ ଦେଖାଇବାକୁ ଲକ୍ଷ ପରିମାଣରେ ଅର୍ଥ ବ୍ୟୟିତ ହେଉଥିବ ।

 

୪ । ୧୧ । ୫୯

 

ଆଜି ଖବରକାଗଜରେ ଗୋଟାଏ ଅଦ୍ଭୁତ ଖବର ପଢ଼ିବାକୁ ପାଇଲି । ଅବଶ୍ୟ ଏ ଦେଶର ପୃଷ୍ଠଭୂମି ଉପରେ ତାହାକୁ ଅଦ୍ଭୁତ ବୋଲି କହିଲେ ତାହା କେବଳ ଅଜ୍ଞତାର ପରିଚୟ ହେବ । କିନ୍ତୁ ତଥାପି ମୋତେ ବଡ଼ ଅଦ୍‌ଭୂତ ଲାଗିଲା । ପଣ୍ଡିତ ଜବାହରଲାଲ ଯିବେ ବୋଲି ଉଜ୍ଜୟିନୀରେ ଥିବା ବିକ୍ରମ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ ଅଭ୍ୟର୍ଥନା ଲାଗି ତିଆରି ହେଉଚନ୍ତି । ନେହୁର ସାହେବଙ୍କ ପାଇଁ, ଅର୍ଥାତ୍ ସେ ଆସୁଚନ୍ତି, ଏହି ବାହାନାରେ ଏକ ଭୋଜୀ ସଭାର ବରାଦ ହେଉଚି । ଖବରକାଗଜରେ ବାହାରିଚି ଯେ ଏହି ଭୋଜୀସଭାରେ ଅତିଥି ମାନଙ୍କର ମୁଖାପ୍ୟାୟନ କରିବାଲାଗି ଦିଲ୍ଲୀରୁ ଡାଲମୋଠ, ସିଙ୍ଗଡ଼ା ଓ ବାରମଜା ପ୍ରଭୃତି ଉଡ଼ାଜାହାଜରେ ଉଡ଼ାଇ ଉଜ୍ଜୟିନୀକୁ ଆଣିବାର ବ୍ୟବସ୍ଥା କରାଯାଉଚି । ଏ ସମସ୍ତ ଅଧିକ ବରାଦଲାଗି ଯେତିକି ପଇସା ଖରଚ ହେବ, ତାହା ବିଶ୍ୱବିଦ୍ୟାଳୟର ସାଧାରଣ ପାଣ୍ଠିରୁ ଖରଚ କରାଯିବ । ମୋଗଲ କାଇଦାର ଅତିଥି ସତ୍କାର ଓ ଅର୍ଥ ଅପଚୟ ବିଶ୍ୱବିଦ୍ୟାଳୟକୁ ମଧ୍ୟ ଦୂଷିତ କରି ସାରିଲାଣି । ବିଦ୍ୟାଶିକ୍ଷା ବିଦ୍ୟାବୃଦ୍ଧି ନାମରେ ସ୍ଵାଧୀନ ଦେଶରେ ଗୋଟାକୁଗୋଟା ବିଶ୍ୱବିଦ୍ୟାଳୟ ବଢ଼ିଚାଲିଚି । ଏ ସାହୀରେ ଯାତ୍ରା ହେଲେ ସେ ସାହୀବାଲା ଯେପରି କଂସା ବିକ୍ରୀ କରି ନିଜ ସାହୀରେ ଯାତ୍ରା କରାନ୍ତି, ସେହିପରି ଏକ ବିବାଦ ଓ ଉତ୍ସାହରେ ଏଦେଶରେ ବିଶ୍ୱବିଦ୍ୟାଳୟ ତିଆରି ହେଉଚି । ଅଥଚ ଯେପରି ଜଣାପଡ଼ୁଚି, ବିଶ୍ୱବିଦ୍ୟାଳୟର ବ୍ୟକ୍ତିମାନେ ଆଜିକାଲି ବିଦ୍ୟା ଅପେକ୍ଷା ମୋଗଲ ଦରବାରର ଅଧିକ ଅଭିଳାଷ ପୋଷଣ କରୁଚନ୍ତି । ବିଶ୍ୱବିଦ୍ୟାଳୟକୁ ମୋଗଲ ଦରବାର କରି ସଜାଇବାର ସ୍ଵପ୍ନ ଦେଖୁଚନ୍ତି । ଭାରତୀୟ ଯୁବକ ଓ ଭାରତୀୟ ଉଦ୍ୟମର ପ୍ରତୀକ ପଣ୍ଡିତ ନେହରୁଙ୍କୁ ମଧ୍ୟ ନାନା ବୃଦ୍ଧୋଚିତ ବ୍ୟସନରେ ପୁରୋହିତ କରି ନେବାର ଚକ୍ରାନ୍ତ କରୁଚନ୍ତି । ଏ ଦେଶର ପ୍ରତ୍ୟେକଟି ପଇସା ଯେ କିପରି ଓ କେଉଁଠାରୁ ଆସେ, ଏମାନେ ସେ ବିଷୟରେ ପ୍ରାଥମିକତମ ବିଦ୍ୟା ମଧ୍ୟ ହାସଲ କରିଥିବା ପରି ମନେ ହେଉନାହିଁ ।

 

୫ । ୧୧ । ୫୯

 

ଜୀବନରୁ ପଳାଇଯିବାର ଏକ ଚମତ୍କାର ଫିସାଦି । ଜନତାକୁ ତିଆରି କରିବାକୁ ହେବ, ସମାଜକୁ ତିଆରି କରିବାକୁ ହେବ, ଦେଶରେ ଉପଯୁକ୍ତ ବାୟୁମଣ୍ଡଳ ତିଆରି କରିବାକୁ ହେବ, ଆମେ ଯେତିକି ଯେତିକି ଏସବୁ କହିବାର କୁଶଳତା ହାସଲ କରୁଚୁ, ମୁଁ ଭାବୁଚି, ସତେଯେପରି ଆପଣାର ଜୀବନ ପାଖରୁ ପଳାଇ ଯିବାପାଇଁ ଆମେ ଆପଣାକୁ ସେତିକି ପ୍ରଶ୍ରୟ ଦେଉଚୁ । ମୁଁ ନିଜେ ତିଆରି ହେବି ନାହିଁ, ମୁଁ ବଦଳିବି ନାହିଁ, ମାତ୍ର କେବଳ ଅନ୍ୟକୁ ତିଆରି ହେବାକୁ ଓ ବଦଳିବାକୁ କହୁଥିବି, ମୁଁ ଯେଉଁଠି ଅଛି ସେଇଠାରେ ପଡ଼ିଥିବି,–ଜାଣେନା ସମସ୍ୟାଗୁଡ଼ିକର ସମାଧାନ କରିବାକୁ ଆମେ ଏହାଦ୍ଵାରା କିପରି ଦମ୍ଭ କରିଥାଉ ? କିନ୍ତୁ ସମସ୍ୟା ମୋର ଆପଣାର ମଧ୍ୟ ସମସ୍ୟା, ସମସ୍ୟାର ସମ୍ମୁଖୀନ ହବାର ଅର୍ଥ ହେଉଚି ଆପଣାର ସମ୍ମୁଖୀନ ହେବା, ସାହସ ଓ ଶ୍ରଦ୍ଧାର ସହିତ ଆପଣାକୁ ବୁଝିବାର ଚେଷ୍ଟାକରି ଆମେ ସଂସାରର ଯାବତୀୟ ସମସ୍ୟାକୁ ବୁଝିବାକୁ ଚେଷ୍ଟା କରିବା, ଏହାହିଁ ହେଉଚି ସବୁ ପରିବର୍ତ୍ତନର ମୂଳକଥା । ନଚେତ୍ ମୁଁ ଯେପରି ମୋ’ କଥା ଭୁଲି ଯାଉଚି, ଆପଣାର ସମ୍ମୁଖୀନ ହେବାକୁ ଭୟ କରି ଅପରକୁ ଉପଦେଶ ଦେବାରେ ବିସ୍ମୃତ ହୋଇ ରହୁଚି, ଅନ୍ୟ ସମସ୍ତେ ମଧ୍ୟ ଠିକ୍ ସେହିପରି କରୁଚନ୍ତି । ତେବେ ପରିବର୍ତ୍ତନ ହେଉଚି କେଉଁଠି ? କେବଳ ଭୟ ବଢ଼ିବାରେ ଲାଗିଚି, ଅଭିନୟ ଓ ପ୍ରଗଳଭୂତା ବଢ଼ିବାରେ ଲାଗିଚି । ମଣିଷ ମଣିଷ ଠାରୁ ଦୂରକୁ ହଟିଯାଉଚି । ଏହା ବ୍ୟତୀତ ଆଉ ଅଧିକା କଣ ହେଉଚି ?

 

୬ । ୧୧ । ୫୯

 

ଅପରକୁ ଉପଦେଶ ଦେଉଥିବା ବେଳେ ବା କଥା କହିବାର ଆନନ୍ଦ ଉପଭୋଗ କରିବା ପାଇଁ କଥା କହୁଥିବା ବେଳେ ମନେହୁଏ, ସବୁ ସମସ୍ୟା ସତେ ଯେପରି ମୋ’ରି କଥାରେ ବା ଉପଦେଶରେ ହିଁ ସମାହିତ ହୋଇଯିବ । କଥା କହିବାର ଉତ୍ସାହରେ ସବୁ ସାଧିତ ହୋଇଗଲା ପରି ମନେହୁଏ । ଆପଣା କଥାର ଯାନଉପରେ ଗୋଟାଏ ଦିନରେ ଶହେ ବରଷର ବାଟ ଉଡ଼ିଗଲା ପରି ମନେହୁଏ । କିନ୍ତୁ ଚୁପ୍ ହୋଇ ଆପଣା ପାଖରେ କଥା କହି ବସିବାବେଳେ, ଆପଣାକୁ ନେଇ କିଛି ସମୟ କଲାବେଳେ ସକଳ ସମସ୍ୟାର ଅସଲ ଜଟିଳତା ଅନୁଭୂତ ହୋଇଥାଏ । ସବୁ ସମସ୍ୟା ଏକାଠି ବନ୍ଧାହୋଇ ଆପଣାକୁ ବାନ୍ଧି ରଖିଥିବା ପରି ଲାଗେ । ପ୍ରତ୍ୟେକଟି ସମସ୍ୟା ପ୍ରତ୍ୟେକଟି ସହିତ ଏକାଠି ଗୁନ୍ଥା ହୋଇ ରହିଥିବା ପରି ଲାଗେ । ପ୍ରଥମେ ସାଧୁଭାବରେ ଆମେ ହୁଏତ ଏହି ଗଣ୍ଠିଗୁଡ଼ିକ ଫିଟାଇବା ଲାଗି ଥରେ ଦୁଇଥର ଚେଷ୍ଟା କରିଥାଉ । କିନ୍ତୁ ଆପଣାର ଗଣ୍ଠି ଫିଟାଇବାର ଅର୍ଥ ହେଉଚି, ଆପଣାର ସମ୍ମୁଖୀନ ହେବା, ଆପଣାର ସମଗ୍ର ରୂପଟିକୁ ବୁଝିବାର ଚେଷ୍ଟା କରିବା, ଆପଣାର ଚର୍ମ ଓ ରକ୍ଷବରଣକୁ ମୋଟା କରି ରଖିଥିବା ସକଳ ଭୟ ଓ ସମ୍ମାନ ସଚେତତାକୁ ଭାଙ୍ଗିଦେବା, ଶ୍ରଦ୍ଧାର ସହିତ ଆପେ ଆପଣାକୁ ଆକ୍ରମଣ କରିବା । କିନ୍ତୁ ସେପରି କରିବାକୁ ସାହସ ପାଏନାହିଁ । ତାହା ଏକ ଦୁର୍ଗମ ଓ ଅସମ୍ଭବ ପଥ ବୋଲି ମନେହୁଏ । ତେଣୁ ଏବାଟ ଛାଡ଼ି ଏକ ସହଜ ବାଟ ଧରିବାକୁ ମନେହୁଏ । ମୋର ଆପଣାକୁ ବଦଳାଇବାକୁ ଓ ଆପେ ନୂଆ ହେବାକୁ ଭୁଲିବାପାଇଁ ମୁଁ ଅପରକୁ ବାଟ ବତାଇବାରି ସହଜ ବାଟ ଧରେ । ତଦ୍ଦ୍ଵାରା ଗୋଟାଏ ପ୍ରକାରର ତୃପ୍ତି ମିଳେ, ଗୋଟାଏ ପ୍ରକାରର ସାନ୍ତ୍ଵନା ମିଳେ । ଭିତରେ ପୁରୁଣା ରହି ଉପରେ ନୂଆ ହେବା ବିଷୟରେ ଉପଦେଶ ଦେବାର ଆଡ଼ମ୍ବର ଦ୍ଵାରା ମୁଁ ହୁଏତ ଆନନ୍ଦ ମଧ୍ୟ ପାଏ, କିନ୍ତୁ ଆପଣା ଭିତରେ ଜୀବନର ଦ୍ଵନ୍ଦ ଓ ସମସ୍ୟାଗୁଡ଼ିକୁ ମୁଁ ଆହୁରି ଜଟିଳ କରିଦିଏ । ଜୀବନରୁ ପଳାଇ ଯାଇ ଓ ଆପଣାର ସମ୍ମୁଖୀନ ହେବାକୁ ଭୟ କରି ମୁଁ ଯେ ଜୀବନରେ ସଂଗତି ଓ ସଂହତି ଅର୍ଜନ କରି ପାରିବି ନାହିଁ, ଏହି ସତ କଥାଟା ମୋତେ ଭିତରେ ଭାରି ଦଂଶନ କରିବାକୁ ଲାଗେ । ଉପରେ ସବୁପ୍ରକାର କଥାର ଉତ୍ସାହ ଓ ଉତ୍ତେଜନା ସତ୍ତ୍ୱେ ମୁଁ ଭିତରେ ମରିମରି ଯାଏ । ଜୀବନର ଜ୍ୟୋତି ନିଭିଯାଏ, ଜୀବନ ବଞ୍ଚିବାର ଅସଲ ସମ୍ମାନ ଓ ଆନନ୍ଦ ହଜିଯାଏ ।

 

୭ । ୧୧ । ୫୯

 

ନଭେମ୍ବର ସାତ ତାରିଖ ସଂସାରର ଅନେକ ଶୋଷଣ ବିରୁଦ୍ଧରେ ମଣିଷକୁ ଜାଗୃତ କରିଥିଲା, କିନ୍ତୁ ସଂସାରରୁ ଶୋଷଣ ଦୂର କରି ପାରିଲା ନାହିଁ । ସଂସାରର ଅନେକ ରକ୍ତପାତ ବିରୁଦ୍ଧରେ ଆହତ ଓ ଦୈନ୍ୟଗ୍ରସ୍ତ ମଣିଷର ଧ୍ୱନିକୁ ଉତ୍ତୋଳିତ କରିଥିଲା । କିନ୍ତୁ ସଂସାରରୁ ରକ୍ତପାତ ଦୂର କରି ପାରିଲାନାହିଁ । ମଣିଷକୁ ଅନେକ ପ୍ରକାରର ବନ୍ଧନରୁ ମୁକ୍ତ କରିବା ଲାଗି ଏକ ସାହସୀ ପଦକ୍ଷେପ ନେଇଥିଲା, ତଥାପି ମଣିଷକୁ ମୁକ୍ତ କରିପାରିଲା ନାହିଁ । ପୁରୁଣା ଶୋଷଣ ଯାଇ ନୂଆ ଶୋଷଣ ଆସିଲା, ପୁରୁଣା ରକ୍ତପାତ ବନ୍ଧ ହୋଇ ନୂଆ ରକ୍ତପାତର ଅବସରମାନ ସୃଷ୍ଟି କରିଗଲା । ପୁରୁଣା ବନ୍ଧନଗୁଡ଼ିକ ଦୂର ନହେଉଣୁ, ନୂଆ ବନ୍ଧନର ସୃଷ୍ଟି କରିଗଲା । ହୁଏତ କୁହାଯାଇ ପାରିବ ଯେ ନୂଆ ଶୋଷଣର ଆଶ୍ରୟ ନ ନେଇ ଏହା ପୁରୁଣା ଶୋଷଣକୁ ଦୂର କରିବାର ରାସ୍ତା ପାଇଲା ନାହିଁ, ନୂଆ ରକ୍ତପାତ ନ ଭିଆଇ ଏହା ପୁରୁଣା ରକ୍ତପାତକୁ ବନ୍ଧ କରିବାର ବାଟ ବାହାର କରି ପାରିଲା ନାହିଁ । ନୂଆ ବନ୍ଧନର ସୃଷ୍ଟି ନ କରି ପୁରୁଣା ବନ୍ଧନରୁ ଦୂର କରିବାର କୌଣସି ବାଟ ପାଇଲା ନାହିଁ । ଲାଲ ନଭେମ୍ବରର ବୟାଲିଶି ବରଷ ପରେ ଇତିହାସ ଏହାର ପ୍ରମାଣ ଦେଉଚି । ସଂସାରର ନାନା ଦୈନ୍ୟ ଓ ଦୁର୍ଦ୍ଦଶାରେ ବିରକ୍ତ ଓ ଉତ୍‌କ୍ଷିପ୍ତ ହୋଇ ହୁଏତ ବିବେଚନା ବର୍ଜିତ ମଣିଷ ନଭେମ୍ବରର ପ୍ରେରଣାକୁ ହିଁ ସବୁ ସମାଧାନ ପ୍ରେରଣା ବୋଲି ଗ୍ରହଣ କରିବାକୁ ବସିବ । ତଥାପି ସେଥିରେ ଶୋଷଣ ଯିବନାହିଁ, ରକ୍ତପାତ ବା ବନ୍ଧନ ଦୂର ହେବନାହିଁ । ତାକୁ ପୁଣି ଅଧିକ ସଫଳତାର ରାସ୍ତା ଖୋଜିବାକୁ ପଡ଼ିବ ।

 

୮ । ୧୧ । ୫୯

 

ସଙ୍ଗୀତ ମଣିଷକୁ ସହଜ କରିବ, ସାହିତ୍ୟ ମଣିଷକୁ ସହଜ କରିବ, ଧର୍ମ ମଣିଷକୁ ସହଜ କରିବ, କଥା ମଣିଷକୁ ମଣିଷର ପାଖକୁ ନେଇ ଆସିବ । ଏହାହିଁ କଷଟି । ସଙ୍ଗୀତର ତାଳ, ମାନ ଓ ଲୟ ଯେତେ ବେଶୀ ଶାସ୍ତ୍ରୀୟ ଓ ନିର୍ଭୁଲ ହେଉ ପଛକେ, ଯଦି ତାହା ଜୀବନକୁ ସହଜ ହେବାରେ ସାହାଯ୍ୟ କରି ନ ପାରେ, ତେବେ ସେହି ସଙ୍ଗୀତକୁ ମୁଁ ପ୍ରଧାନତଃ ପଳାୟନ ବୋଲି କହିବି । ସାହିତ୍ୟ ଶାସ୍ତ୍ର ଆମର କଣ୍ଠସ୍ଥ ହୋଇପାରେ, ସାହିତ୍ୟର ଶୈଳୀ ନେଇ ଆମେ ଘଣ୍ଟା ଘଣ୍ଟା ବକ୍ତୃତା ଦେଇପାରୁ । କିନ୍ତୁ ଜୀବନକୁ ଏକ ରସଦାୟୀ କାବ୍ୟରୂପେ ପ୍ରସ୍ତୁତ ହେବାରେ ସାହିତ୍ୟ ଯେ ପର୍ଯ୍ୟନ୍ତ ସାହାଯ୍ୟ ନ କରିଚି, ମୁଁ ସେ ପର୍ଯ୍ୟନ୍ତ ସେହି ସାହିତ୍ୟ ଚର୍ଚ୍ଚାକୁ କେବଳ ବିଳାସ ଓ ତେଣୁ ଏକ ପଳାୟନ ବୋଲି କହିବେ । ମୋର ଧର୍ମ ଯଦି ମୋର ଜୀବନକୁ ଅଧିକ ସୁନ୍ଦର ନକରେ, ମୋତେ ଅଧିକ ନମ୍ର ନକରେ, ମୋତେ ସ୍ଵାଭାବିକ ଭାବରେ ମଣିଷର ଓ ସୃଷ୍ଟିର ଆତ୍ମୀୟ କରି ନପାରେ, ମୋର ଭୟ ଓ ଘୃଣାକୁ ଅତିକ୍ରମ କରିବାରେ ମୋତେ କୌଣସି ସାହାଯ୍ୟ ନକରେ, ତେବେ ମୋର ଧର୍ମକୁ ଏକ ଅଫିମ ଓ ତେଣୁ ପଳାୟନ ବୋଲି କହିବାକୁ ହେବ । କଥାରେ ମଧ୍ୟ ମଣିଷର ମଣିଷ ପଣିଆର ଓଜନ ହୁଏ । ଯଦି ମୋର କଥା ମୋତେ ମଣିଷର ନିକଟ ନକରାଏ, ମୋ’ ଭିତରେ ଶୁଣିବାର, ଜାଣି-ବାର ଓ ମର୍ମ ପ୍ରବେଶ କଋବାର ଆଗ୍ରହ ଉତ୍ପନ୍ମ ନକରେ, ଏକ ମିଛ ନିରାପତ୍ତାର ଛଳ ସୃଷ୍ଟି କରି ଯଦି ଆପଣାର ଚାରିପାଖରେ କେବଳ ପାଣ୍ଡିତ୍ୟ, ସମ୍ମାନ, ଉଗ୍ର ଅଭିମାନ ଓ ବିକର୍ଷଣର ନାନା ପାରେଚୀ ସୃଷ୍ଟି କରିଦେବାରେ ହିଁ ସାହାଯ୍ୟ କରେ ତେବେ ସେହି କଥାକୁ ମୁଁ କେବଳ ଚାତୁରୀ ଓ ପଳାୟନ ବୋଲି କହିବି । ତେଣୁ ସଙ୍ଗୀତ, ସାହିତ୍ୟ, ଧର୍ମ ବା କଥାକୁ ଆମେ ଆଖି ବୁଜି ଜୀବନଦାୟକ ବା ଜୀବନପୋଷକ ବୋଲି କହି ପାରିବାନାହିଁ । ମୁଁ ମୋର ଆପଣା ଜୀବନରେ ଏସବୁକୁ କିପରି କାର୍ଯ୍ୟରେ ଲଗାଉଚି, ମୋର ଜୀବନପାତ୍ରକୁ ଆସି ଏଗୁଡ଼ିକ କେଉଁଭଳି ରସରେ ରସାୟିତ ହୋଇଚନ୍ତି, ସେଇଥିରୁ ହିଁ ସେଗୁଡ଼ିକର ବିଚାର କରାଯିବ, ସେଇଥିରୁ ହିଁ ସେଗୁଡ଼ିକର କଲ୍ୟାଣକାରିତାକୁ ଓଜନ କରାଯିବ । ଯେବେ ମଣିଷ ସହଜ ହୋଇ ନଥାଏ, ତେବେ ତା’ର ସଙ୍ଗୀତ, ସାହିତ୍ୟ, ଧର୍ମ ଓ କଥାକୁ ପ୍ରଧାନତଃ ଗୋଟିଏ ଗୋଟିଏ ଉପଚାର ବୋଲି କୁହାଯାଇ ପାରିବ,–ଜୀବନର ଭାଷଣ ବୋଲି କୁହାଯାଇ ପାରିବନାହିଁ ।

 

୯ । ୧୧ । ୫୯

 

ଏଇ ବର୍ଷର ଦିଆଲି ଉଆଁସର ଘଟଣା । ଉତ୍ତରପ୍ରଦେଶର କୌଣସି ଅଞ୍ଚଳରେ ଗୋଟିଏ ସ୍ଥାନରେ କେତେକ ଲୋକ ଜୁଆ ଖେଳି ବସିଲେ । ଜୁଆରେ ସବୁ ପଇସା ହାରି ସାରିବା ପରେ ଜଣେ ଭଦ୍ରଲୋକ ନିଜ ସ୍ତ୍ରୀଙ୍କୁ ପଣ ରଖିଲେ ଓ ତାଙ୍କୁ ମଧ୍ୟ ହରାଇ ବସିଲେ । ଶେଷକୁ ତାଙ୍କର ଆଉଜଣେ ଆତ୍ମୀୟ ଆସି ପ୍ରାୟ ହଜାର ଟଙ୍କା ଦେଇ ସ୍ତ୍ରୀଙ୍କୁ ମୁକୁଳାଇ ନେଲେ । ଏ ଦେଶ ଧର୍ମର ଦେଶ, ଧର୍ମ-ରାଜଙ୍କର ଦେଶ । ଧର୍ମରାଜାଙ୍କ ନାମରେ ଏଠି ଯେଉଁ ମହାଭାରତୀୟ କାହାଣୀ ରହିଚି-ସେହି କାହାଣୀରେ ଏକ ଘଟଣାଟିର ଏକ ରାଜକୀୟ ମଡେଲ ବେଶ୍ ଦେଖିବାକୁ ମିଳିବ । ଏ ଦେଶର ସମାଜରେ ପ୍ରଚଳିତ ରହିଥିବା ଜୁଆଖେଳ ଧର୍ମରାଜଙ୍କର କଳ୍ପନା କରିଚି ବା ଦେଶର ଧର୍ମରାଜ ଜୁଆଖେଳକୁ ଏକ ସାମାଜିକ ଉତ୍ସବରେ ପରିଣତ କରିବା ଲାଗି ପ୍ରୋତ୍ସାହନ ଦେଇଚନ୍ତି, ସେକଥା ଠିକଣା କରି କହିପାରିବା ସମ୍ଭବ ନୁହେଁ । କିନ୍ତୁ ସଂସ୍କୃତ ନାମରେ ଏହି କୁସଂସ୍କାର ଓ ଧ୍ଵଂସପଥ ଯେ ଆମ ସାମାଜିକ ଶରୀରର ରକ୍ତମାଂସ ହୋଇ ରହିଚି, ସେଥିରେ କାହାରି ଦ୍ଵିମତ ହୋଇନପାରେ । ଯେଉଁ ଯୁଗରେ ପୁରୁଷ ପରି ସ୍ତ୍ରୀକୁ ମଧ୍ୟ ମନୁଷ୍ୟର ସମ୍ମାନ ଦିଆହେବାକୁ ଯାଉଚି, ସେହି ଯୁଗରେ ଆମ ଦେଶରେ ସ୍ତ୍ରୀ ପଶାଖେଳ ବା ଜୁଆଖେଳରେ ପଣ ପଋ ବ୍ୟବହୃତ ହେଉଚି । ଧର୍ମରାଜଙ୍କର ଅନୁକରଣରେ ଧର୍ମାଚରଣ ହୋଇ ରହିଚି ।

 

୧୦ । ୧୧ । ୫୯

 

ମୁଁ ଅନ୍ୟଠାରୁ ଆଶା କରୁଥିବି, ଅଥଚ ନିଜେ ଯେଉଁଠି ସେଇଠି ପଡ଼ି ରହିଥିବି,-ଏହାଦ୍ଵାରା ମୋ’ ନିଜର ବା ସଂସାରର ଗତି ଲାଗି ମୁଁ କେଉଁଦିନ ହେଲେ ନିମିତ୍ତରୂପେ ବ୍ୟବହୃତ ହୋଇ ପାରିବନାହିଁ । ଦୀର୍ଘ ଛଅଦିନ ଧରି ଏଠାରେ କେତେ କଥା, କେତେ ସଜ୍ଜିତ ଓ ସୁମଣ୍ଡିତ କଥା ଶୁଣିବାକୁ ପାଇଲି, ନାନା ବିଷୟରେ ନାନାପ୍ରକାର ବକ୍ର ଭାବରେ ନାନା ବଖାଣ ଶୁଣି ଶୁଣି ଆଜି ବଡ଼ କ୍ଳାନ୍ତି ଲାଗୁଚି, ଭିତରେ ଭାରି ଖାଲି ଖାଲି ଲାଗୁଚି । ଏଠାକୁ ଆସିବାବେଳେ ମନ ଯେତିକି ପୂର୍ଣ୍ଣ ଥିଲା, ବର୍ତ୍ତମାନ ଲାଗୁଚି, ଏଠାରେ କଥା ଶୁଣି ଶୁଣି ସେହି ପୂର୍ଣ୍ଣତାରେ ଯେପରି କିଞ୍ଚିତ୍ ହ୍ରାସ ହୋଇଯାଇଚି । ତେଣୁ ମନ ପୁଣି ଆପଣାର ସ୍ଥାୟୀ କର୍ମକ୍ଷେତ୍ରକୁ ଦଉଡ଼ି ଯାଉଚି । ଏହି ସପ୍ତାହକ ଭିତରେ ମୁଁ ଏଠାରୁ ଦଉଡ଼ି ପଳାଇବାକୁ ବାରମ୍ବାର ଉଚ୍ଛନ୍ନ ହୋଇପଡ଼ିଚି, ମନଟା ବାରବାର ବଡ଼ ବିରକ୍ତ ହୋଇଉଠିଚି । ଏଠି ମନୁଷ୍ୟର ସଂଗ ପାଇଲିନାହିଁ, କେବଳ ବାକ୍‌ସଙ୍ଗ ପାଇଲି । ଏଠି ନିର୍ଭର ମଣିଷର ସଙ୍ଗ ପାଇଲିନାହିଁ, ମୁକ୍ତ ମଣିଷର ସଂଗ ପାଇଲିନାହିଁ । ଯେଉଁଠି ମଣିଷର କଥା ହୃଦୟରୁ ନବାହାରି କେବଳ ବୁଦ୍ଧି ଓ ସତର୍କ ବାକ୍‌ଶକ୍ତିରୁ ବାହାରେ, ସେଠ ସାତଦିନରେ ଦିନେ ମଧ୍ୟ ଆନନ୍ଦ ମିଳିବା ସମ୍ଭବ ନୁହେଁ । ଏମାନେ ସମସ୍ତେ ଯେଉଁଭଳି କଥା କହିବାଲାଗି ପଇସା ପାଉଚନ୍ତି, ଯେଉଁଭଳି କଥା କହି ଶିଖିବାକୁ ଏମାନଙ୍କୁ ଦିନରାତି ପିଞ୍ଜରାଭିତିରେ ଶିଖାଇ ଦିଆଯାଉଚି, ଏମାନେ ଯନ୍ତ୍ରପରି ସେଇ କଥା ହିଁ ଗାଇ ଯାଉଚନ୍ତି । କିନ୍ତୁ ଏହିସବୁ ବାକ୍ ଆନୁରକ୍ତିର ଚେର ଏମାନଙ୍କ ଭିତରେ ବେଶୀ ଦୂରକୁ ଭେଦି ପାରିନାହିଁ । କର୍ମ-ଅନୁରକ୍ତିର କଥା ତ ଛାଡ଼ିଦିଅ । ତେଣୁ ଏମାନଙ୍କର ମୁହଁରୁ ବାହାରୁଥିବା ଯେତେବଡ଼ କଥା ମଧ୍ୟ ଅତି ଛୋଟ ଓ ମହତ୍ତ୍ଵହୀନ ହୋଇପଡ଼ୁଚି । ମଣିଷର କଥା ବା ମଣିଷର ବୃଦ୍ଧି ମଣିଷକୁ ଯେ କେତେ ଧରା ପକାଇଦିଏ, ଏଠାରେ ମୁଁ ବାରବାର ତାହାହିଁ ଲକ୍ଷ୍ୟ କରୁଚି । ଏଠାରୁ ଯିବାବେଳେ ଆଜି ଗୋଟିଏ ପିଞ୍ଜରା ଭିତରୁ ବାହାରି କରି ଯିବାପରି ମନେ ହେଉଚି । ଯନ୍ତ୍ରର କବଳରୁ ମୁକ୍ତ ହୋଇ ଗଲାପରି ମନେହେଉଚି । ଏହିପରି ହୀନ ସଙ୍ଗରୁ ବଞ୍ଚାଇ ରଖିବାକୁ ମନ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଚି ।

 

୧୩ । ୧୧ । ୫୯

 

ଏହା ଭିତରେ ଦୁଇଟା ଦିନ ଅତିକ୍ରାନ୍ତ ହୋଇଗଲା । ଲକ୍ଷ୍ନୌଠାରୁ ଏଠାକୁ ଆସିବା ବାଟରେ ଏହି ଖାତାରେ ଲେଖିବାଲାଗି ମୁଁ କୌଣସି ସମୟ ପାଇଲିନାହିଁ । ଦଶଦିନ ପରେ ଏଠାକୁ ଫେରି ଆସି ମନେହେଉଚି, ଯେପରି ମୋର ସବୁକିଛି ଗୋଳମାଳ ହୋଇ ଯାଇଚି । ଆଗରୁ ମୁଁ ମୋ’ର ପ୍ରତ୍ୟେକ କାର୍ଯ୍ୟକୁ ମୁଁ ଗୋଟିଏ ଧାରାରେ ପକାଇ ଆସିଥିଲି, ମନକୁ ବେଶ୍ ଶୃଙ୍ଖଳିତ କରି ଆଣିଥିଲି । ମଝିରେ ଏଠାରୁ ଅନ୍ୟତ୍ର ଯିବାକୁ ପଡ଼ିଲା, ଆପଣାର ନିୟମିତ କାର୍ଯ୍ୟକ୍ରମକୁ ଛାଡ଼ି ଅନ୍ୟପ୍ରକାର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପଡ଼ିଲା । ଏପରି ଏକ କାର୍ଯ୍ୟକ୍ରମରେ ମନକୁ ମଣାଇ ରଖିବା ଲାଗି ହୁଏତ ମୋର ବିଶେଷ ରୁଚି ନ ଥିଲା । ତେଣୁ ସେଠାକୁ ଫେରିଆସିବା ପରେ ଆଜି ମନେହେଉଚି, ମୁଁ ଯେପରି ଜୀବନର ସମସ୍ତ ପାଠ ଭୁଲି ଯାଉଚି, ଜୀବନର ସମସ୍ତ ପଥ ହୁଡ଼ି ଯାଇଚି, ସମସ୍ତଙ୍କ ଠାରୁ ଅନେକ ପଛରେ ପଡ଼ି ଯାଇଚି । ହଠାତ୍ ଆପଣାର କାମ ପାଖରେ ଆସି ବସିଲା ବେଳକୁ ନିଜକୁ ବଡ଼ ଅପରିଚିତ ମନେହେଉଚି । ସତେ ଯେପରି ଏସବୁ କାମ ମୁଁ ଆଗରୁ କେବେହେଲେ କରି ନ ଥିଲି । ବର୍ତ୍ତମାନର କାମ ଗୁଡ଼ିକ ପର୍ବତ ସମାନ ମନେ ହେଉଚି । ଭୟାକୂଳ ମନ ଏସବୁ ଛାଡ଼ିଦେଇ କୁଆଡ଼େ ପଳାଇ ଯିବାକୁ ଚାହୁଁଚି । ଧୈର୍ଯ୍ୟ ଭାଙ୍ଗି ଗଲାପରି ଲାଗୁଚି । ତେଣୁ ବର୍ତ୍ତମାନ ଅଧିକ ସ୍ଥିର ହେବାକୁ ପଡ଼ିବ । ସବୁ ଅପରିଚିତକୁ ପୁଣି ପରିଚିତ କରି ଆଣିବାକୁ ହେବ । ଧୀରେ ଧୀରେ ଆପଣାକୁ ପୁଣି ମଣାଇ ନେବାକୁ ହେବ । ଖାଲି ଧୈର୍ଯ୍ୟ ଦରକାର, ଖାଲି ଶ୍ରଦ୍ଧା ଦରକାର । ଖାଲି ସ୍ଥିର ହୋଇ ଆପଣା ପାଖରେ ବସିପାରିବା ଦରକାର । ସମୟ ଜାଣି ଦ୍ଵାରା ପୁଣି ବଳେ ଖୋଲିଯିବ ।

 

୧୪ । ୧୧ । ୫୯

 

ଆଜି ପଣ୍ଡିତ ନେହେରୁଙ୍କର ଜନ୍ମଦିନ । ଏ ଦେଶର ଶିଶୁର ଜନ୍ମଦିନ, ଯୌବନର ଜନ୍ମଦିନ । ଏହି ଜାତିର ନିତ୍ୟଦିନ, ନିତ୍ୟ ଯୌବନର ଜନ୍ମଦିନ । ବୟସରେ ସତୁରୀ ବରଷ ହେଲେହିଁ ପଣ୍ଡିତ ଜବାହାରଲାଲ୍‌ଙ୍କୁ ସତୁରି ବରଷର ବୁଢ଼ା ବୋଲି କୁହାଯାଇ ପାରିନାହିଁ । ସତୁରି ବରଷର ବୁଢ଼ା ହୋଇଥିଲେ ସେ ଅନ୍ୟମାନଙ୍କ ଉପରେ ନିର୍ଭର କରି ରହିଥାନ୍ତେ । ମାତ୍ର ବର୍ତ୍ତମାନ ଏହି ଦେଶର ମନ, ଧ୍ୟାନ, କଳ୍ପନା ଓ ଉଦ୍ଦେଶ୍ୟ ସବୁ ତାଙ୍କରି ଉପରେ ନିର୍ଭର କରି ରହିଚି । ଏହି ବୁଢ଼ା ଦେଶରେ ନେହରୁ ତଥାପି ଅନେକ ଯୌବନ ଓ ଅନେକ ଉତ୍ସାହ ଭରାଇ ରଖିଚନ୍ତି । ସେ ଏ ଦେଶର ଭବିଷ୍ୟତ ଚିନ୍ତା କରୁଚନ୍ତି । ଅତୀତ ଓ ବର୍ତ୍ତମାନରୁ ରସ ନେଇ ଏ ଦେଶରେ ସବୁ ମଣିଷଙ୍କ ଲାଗି ଏକ ସୁନ୍ଦର ଜୀବନ ତିଆରି କରିବା ଲାଗି ସେ ଉଦ୍‌ବୋଧନ ଦେଉଚନ୍ତି । ଅବଶ୍ୟ ଆମେ ଅନେକ ସମୟରେ ତାଙ୍କର ପଛରେ ପଡ଼ି ଯାଉଚୁ । ତାଙ୍କ ପଛରେ ଛାବାକୁ ହିଁ ଭାରି ଆମେ ବାଟ ମଝିରେ ଫାଙ୍କି ଦେଇ ରହିଯାଉଚୁ । ନାନାପ୍ରକାରେ ନାନା ଆତ୍ମ ପ୍ରଲୋଭନରେ ପଡ଼ି ଆମେ ବୁଢ଼ା ହୋଇଯାଉଚୁ । ସେହି କାରଣରୁ ନେହେରୁଙ୍କ ସତ୍ତ୍ୱେ ଏ ଦେଶର ଆଧାରିତ ହୋଇଚାଲିଚି । ଏ ଦେଶର ମଣିଷ କ୍ରମେ ଅଧିକରୁ ଅଧିକ ହୀନଦଶାଗ୍ରସ୍ତ ହେବାରେ ଲାଗିଚି । ସ୍ଵାଧୀନତା ସଂଗ୍ରାମ ବେଳେ ଦେଶର ନିର୍ମାଣ ଲାଗି ସେଯୁଗରେ ସମସ୍ତ ଦେଶ ବ୍ୟାପି ଉତ୍ସାହର ଯେଉଁ ପ୍ଲାବନ ବହିଥିଲା, ନେହରୁ ହୁଏତ ସେହି ପ୍ଲାବନର ଶେଷ ପ୍ରତିନିଧ୍ଵତ୍ଵ କରୁଚନ୍ତି । କର୍ମ ପ୍ରେରଣାମୟ ଓ ତ୍ୟାଗମୟ ଆଦର୍ଶର ସନ୍ତକ ହୋଇ ରହିଚନ୍ତି । ଭୋଗର ମାର୍ଗ ଛାଡ଼ି ସମର୍ପଣ ଓ କର୍ମ ମାର୍ଗ ବତାଉଚନ୍ତି । ଆଜି ତାଙ୍କର ଜନ୍ମ ଦିବସରେ ମୁଁ ତାଙ୍କୁ ସେହି ଆଦର୍ଶର ପ୍ରତିନିଧି ହିସାବରେ ଅଭିନନ୍ଦନ ଜଣାଉଚି । ମୋର ହୃଦୟ ଭିତରେ ଯେଉଁଠାରେ ଶ୍ୟାମଳ ଯୌବନର ଆସ୍ଥାନ ଏପର୍ଯ୍ୟନ୍ତ ଥୁଆ ହୋଇ ରହିଚି, ମୁଁ ସେହି ଅସ୍ଥାନରୁ ପଣ୍ଡିତ ନେହରୁଙ୍କୁ ସ୍ଵାଗତ କରୁଚି । ମୋର ଏ ଜୀବନରେ ଆହୁରି କର୍ମ ତତ୍ପରତା ଦରକାର, ଆହୁରି ଆଶା ଓ ଉତ୍ସାହ ଦରକାର, ଆହୁରି ଯୌବନ ଦରକାର ।

 

୧୫ । ୧୧ । ୫୯

 

କାଲି ପଣ୍ଡିତ ନେହରୁଙ୍କର ଜନ୍ମ ତିଥିରେ ପୁଣି ଥରେ ଆପଣା ପାଖରେ ପଣ ନେବାକୁ ପଡ଼ିଲା ଯେ ମୁଁ ସୁସ୍ଥ ରହିବି, ମୁଁ ସବଳ ରହିବି, ମୁଁ କର୍ମଠ ରହିବି । ଜୀବନର ମୁଁ ନାନା ଭାବ ଭୟ ଶଙ୍କିତ ହୋଇ ଶୋଇ ରହିବିନାହିଁ । ଅକର୍ମଣ୍ୟତାଜନିତ ନାନା ଅଭିଯୋଗ ଓ ଅସନ୍ତୋଷକୁ ଗଣ୍ଠି କରି ମୁଁ ଅସୁସ୍ଥ ଓ ବ୍ୟାଧିତ ହୋଇ ବସିବିନାହିଁ । ମନର ଦୂର୍ବଳ ମୁହୂର୍ତ୍ତକୁ ମୁଁ ଜୀବନର ସକଳ ମୁହୂର୍ତ୍ତ ବୋଲି କଦାପି ଭ୍ରମ କରିବି ନାହିଁ । ମୋର ଓଠ ଉପରେ ମୋର ସମସ୍ତ ଦେହ, ମନ ଓ ହୃଦୟ ଭରି ଜୀବନ ବଞ୍ଚିବାର ଖୁସି ଓ ହସ ବିକଶିତ ହୋଇ ଉଠିବ । ମୁଁ ଏହି ଜଗତରେ କୌଣସି ଏକ କ୍ଷେତ୍ରରେ ଆପଣାକୁ ଦେବାର ଅଧିକାର ପାଇଚି ବୋଲି ସଂସାରର ବିଧାୟକଙ୍କ ଉଦ୍ଦଶ୍ୟରେ ମୋର ଚିତ୍ତପ୍ରସନ୍ନତା ସର୍ବଦା କୃତଜ୍ଞ ଓ ପ୍ରସ୍ତୁତ ହୋଇ ରହିଥିବ । ଏହି ସଂସାରରେ କେବଳ ଦେବାକୁ ହିଁ ହେବ, କେବଳ ବାସ ଚହଟାଇବାକୁ ହେବ, ଆପଣାକୁ ପୋଡ଼ି ଜଳାଇ ସୁବାସ ଅର୍ଜନ କରିବାକୁ ହେବ । ଆଇନ୍‌ଷ୍ଟାଇନ୍‌ଙ୍କ ଭାଷାରେ “A life lived for others is a life worth-living !” ଯେକୌଣସି ଯୁବକ ହୃଦୟ ମହାନ୍ ବ୍ୟକ୍ତି ଜୀବନର ଏହିପରି ମୂଲ୍ୟ ନିରୂପଣ ହିଁ କରିବ । ପଣ୍ଡିତ ନେହରୁଙ୍କ ପରି ଏ ଦେଶରେ ଅଧିକ ପ୍ରାଣରେ ଆଶା ଭରାଇ ରଖିବା ଦରକାର ।

 

୧୬ । ୧୧ । ୫୯

 

ଏହି ଷୋଳ ତାରିଖର ପ୍ରେରଣା ମୋ ଭିତରେ ରହିଥିବା ନାନା ଅହଂକାରକୁ ଚୂନ କରିବାରେ ଭାରି ସାହାଯ୍ୟ କରିଚି । ତେଣୁ ମୋତେ ନିର୍ଭୟ କରିଚି । ଭିତରେ ଅହଂକାର ରହିଥିଲେ ହିଁ ଚିତ୍ତ ଭୟର ଗ୍ରାସରେ ପଡ଼ିଯାଏ । ଭିତରର ଅହଂକାରକୁ ଈନ୍ଧନ ଯୋଗାଇ ନାନାପ୍ରକାର ହୀନଭାବ ବାହାର ଜୀବନରେ ଅନେକ କ୍ଷେତ୍ରରେ ମଣିଷକୁ ଉଗ୍ର କରି ପକାଏ । ଅହଂକାର ଆଉ ଭୟ,–ଏଇ ଦୁଇଟାଯାକ ଯେପରି ପରସ୍ପରର ସହୋଦର ଭାଇ ପରି । ଠିକ୍ ସେହିପରି ସମପର୍ଣ ଓ ନିର୍ଭୟତା । କୌଣସି ପ୍ରକାର ଆଡ଼ମ୍ବର ନ କରି ଆପଣାକୁ ସମପର୍ଣ କରିଦେଇ ପାରୁଥିଲେ, ଆପଣାକୁ ସମପର୍ଣ କରିଦେବାରେ ହିଁ ଯେ ଜୀବନର ଖୁସି ନିହିତ ହୋଇ ରହିଚି, ଏହି ବିଶ୍ଵାସକୁ ଅନ୍ତରର ପ୍ରଧାନ ଅବଲମ୍ବନରେ ପରିଣତ କରି ପାରୁଥିଲେ ମଣିଷ କ୍ରମେ ନିର୍ଭୟ ହୋଇ ରହେ, ଆପଣାର ବାଟରେ ସେ ସଭିଙ୍କୁ ବନ୍ଧୁ ହିସାବରେ ପାଏ, ଭଗବାନଙ୍କୁ ବନ୍ଧୁ ହିସାବରେ ପାଏ, ଓ ତେଣୁ ଆପଣାକୁ ମଧ୍ୟ ବନ୍ଧୁ ହିସାବରେ ପାଏ । ମୁଁ ଯେତିକି ଯେତିକି ସତର୍କ ହୋଇ ଆପଣାକୁ ଜଗତଠାରୁ ଲୁଚାଇ ରଖିବାର ଚେଷ୍ଟା କରୁଥାନ୍ତି, ଅନ୍ୟକୁ ସରୁ ଓ ନ୍ୟୁନ କରି ଆପଣାକୁ ମୋଟ ଓ ଉଗ୍ର କରିବା ଲାଗି ମୁଁ ଯେତିକ ଆକୁଳ ହୋଇ ପଡ଼ୁଥାନ୍ତି, ନାନା ଆଡ଼ମ୍ବର ନାନା ଭୟ ଆସି ମୋତେ ସେତିକ ଗ୍ରାସ କରି ପକାଉଥାନ୍ତା । ଭଗବାନଙ୍କ କୃପାରୁ ମୁଁ ସେପରି ଅନେକ ପ୍ରକାର ଭୟରୁ ନିସ୍ତର ପାଇଚି । ଏହିପରି ଗୋଟିଏ ଷୋଳ ତାରିଖ ମୋତେ ଭୟର ପଥରୁ ଅପସରାଇ ନିର୍ଭୟ ହେବାର ପଥରେ ମୋହି ଦେଇଚି । ମଣିଷ ଡରିବାର ଥଳ ନୁହେଁ, ଜଗତ ଡରିବାର ଥଳ ନୁହେଁ, ମଣିଷ ଓ ଜଗତ କେବଳ ଭଲ ପାଇବାର ଥଳ, ମଣିଷ ଓ ଜଗତ ସହିତ ଅଧିକରୁ ଅଧିକ ଆତ୍ମୀୟତା ଅର୍ଜନ କରିବା ହେଉଚି ସବୁଠାରୁ ଅଧିକ ଆନନ୍ଦ ଦାୟକ ଓ ହୃଦୟ ପ୍ରସାରକ ଧର୍ମ,–ଅନେକ ବର୍ଷ ତଳେ ଗୋଟିଏ ଷୋଳ ତାରିଖ ମୋତେ ସେହି ଅନୁଭୃତି ଦେଇ ଯାଇଚି । ଏହି ତାରିଖଟି ଏବେ ମଧ୍ୟ ମୋ’ ଜୀବନରେ ଏକ ପ୍ରତୀକ ହୋଇ ରହିଚି । ପ୍ରତୀକ ତଳେ ନିହିତ ଭାବଟିକୁ ମୁଁ ଭୁଲିନାହିଁ, ତେଣୁ ସେହି ପ୍ରତୀକ ମୋତେ ପ୍ରସାରିତ ହିଁ କରିଚି ।

 

୧୭ । ୧୧ । ୫୯

 

ନୂଆ ଦାୟିତ୍ଵ ଓ ନୂଆ କାମ ମୁଣ୍ଡ ଉପରକୁ ନେବାରେ ମୋର କୌଣସି ଆପତ୍ତି ନାହିଁ, ଯେତେଦିନ ପର୍ଯ୍ୟନ୍ତ ଆପଣାର ଦାୟିତ୍ଵ ଓ କାମକୁ ମୁଁ ଜୀବନର ବୋଝ ବୋଲି ଗ୍ରହଣ ନ କରିଚି । ସମୟ ହେବା ନ ହେବାର ପ୍ରଶ ହିଁ ଉଠୁନାହିଁ । ଯିଏ ସ୍ଥିର ଓ ମର୍ମରତ ଭାବରେ ସମୟ ବିତାଇବାର କଳା ଶିଖିଚି, ସବୁ କାମଲାଗି ସେ ଆପଣାର ସମୟ ବାହାର କରିପାରିବ । କୌଣସି ପ୍ରକାର କାମ ତାକୁ ଦୂର୍ବହ ଓ ଦୁଃସହ ମନେହେବ ନାହିଁ । ମୋର ମନ ଭିତରେ ଯେତେବେଳେ ନାନା ପ୍ରକାର ଅସ୍ଥିରତା ଆସି ଉତ୍ପାତ ଆରମ୍ଭ କରିବାକୁ ଚାହେଁ, ଏକ ମୃତ୍ୟୁତ୍ରସ୍ତ ଭାବନାରେ ଯେତେବେଳେ ଜୀବନବାଚୀ ସବୁ କ୍ଷେତ୍ରରୁ ଦଉଡ଼ି ପଳାଇ ଯିବାକୁ ଇଚ୍ଛା ହୁଏ । ଠିକ୍ ସେତିକି ବେଳେ ଅଳସ ମୁହୂର୍ତ୍ତ ଗୁଡ଼ାକ ବୋଝ ହୋଇ ମୋ’ ମୁଣ୍ଡ ଉପରେ ବସେ, ମୋର ଜୀବନ ଦ୍ଵାର ଗୁଡ଼ିକୁ ବନ୍ଦ କରିଦିଏ । ବାହାରେ ଅବସର-ଉପଭୋଗର ଛଳନା ସୃଷ୍ଠି କରି ତାହା ଭିତରେ ମୋ’ ଲାଗି ଦାରୁଣ ଦଣ୍ଡଭୋଗରେ ବ୍ୟବସ୍ଥା କରିଦେଇ ଯାଏ । ମୁଁ ନିଜେ ଜାଣେ, କେତେକେତେ ସମୟ ମୁଁ ଏହିପରି ଦୁଃସହ ପୀଡ଼ନରେ ପୀଡ଼ିତ ହୋଇ ରହିଚି । କାମର କାଳ୍ପନିକ ତ୍ରାସରେ ମୁହୂର୍ତ୍ତ ଖୋଲି ତୃପ୍ତ ହୋଇ ପଡ଼ିଚି, ହୀନ ହୋଇ ବସି ରହିଚି, ଆପଣାଠାରୁ ଦୂରକୁ ପଳାଇଚି । ସଂସାରର ଏକ ଅଭିଶପ୍ତ ଜୀବପରି ସଂସାରରେ ସମସ୍ତଙ୍କୁ କେବଳ ଅଭିଶାପ ଓ ବିରକ୍ତିରେ ବ୍ୟତିବ୍ୟସ୍ତ କରି ମୁଁ ଗୋଟିଏ ପ୍ରକାର ଆତ୍ମ ସନ୍ତୋଷ ଲାଭ କରିବାକୁ ଚେଷ୍ଟା କରିଚି । ନୂତନ ନୂତନ କର୍ମଯୋଜନାକୁ ଖୁସୀ ହୋଇ ଆପଣାର କରିନେବା ଦ୍ଵାରା ଆଜି ମୋର ସେହି ରୋଗ ଭଲ ହୋଇଯାଉ, ସେହି ଜ୍ଵାଳା ଶାନ୍ତ ହୋଇଯାଉ ।

 

୧୮ । ୧୧ । ୫୯

 

ନାଲି ଚହଟି ଆସୁଥିବା ଏହି ପୂର୍ବାକାଶକୁ ଚାହିଁ ରହି ଅନ୍ତର ଭିତରେ ସକଳ ଉତ୍ତେଜନା ଶାନ୍ତ ହୋଇଯାଉ । ସକଳ ବ୍ୟସ୍ତତା ଶାନ୍ତ ହୋଇଯାଉ, ସକଳ ଚଞ୍ଚଳତା ଶାନ୍ତ ହୋଇଯାଉ । ମୋତେ ସଂସାର ବିଷୟରେ ନାନା ପ୍ରକାର ଜ୍ଵର ଗ୍ରାସକରି ରହିଚି । ଆପଣାର ସମ୍ମୁଖୀନ ହେଲାବେଳେ ଏହି ଜ୍ଵର ସତେ ଯେପରି ମୋର ପ୍ରଧାନ ବାଧକ ହୋଇ ଠିଆ ହୋଇଚି । ସଂସାର ଭିତରେ ସବୁରି ସହିତ ମିଶି ରହିଥିବା ବେଳେ ମୁଁ ଏହି ବ୍ୟାଧିତତାକୁ ଜାଣି ପାରୁନାହିଁ । ମାତ୍ର ସବୁ କାମ ସାରି ଆପଣା ପାଖକୁ ଫେରି ଆସିବା ବେଳକୁ ମୁଁ ଯେପରି ସହଜ ଓ ଶାନ୍ତ ହୋଇ ଫେରି ଆସି ପାରୁନାହିଁ । ତେଣୁ ସକାଳର ଏହି ଆକାଶକୁ ମୁଁ ଅତି ଆକୁଳ ହୋଇ ଅନାଇ ରହିଚି । ସେ ପାଖରେ ଆକାଶର ମଣ୍ଡପ ଯେତିକି ଯେତିକି ରକ୍ତାଭ ହୋଇ ଆସୁଚି, ଏଣେ ମୋର ଆକୁଳତା ସେତିକି ସେତିକି ଶାନ୍ତ ହୋଇ ଆସୁଚି । ଚିତ୍ତ ସେତିକି ସେତିକି ପ୍ରସନ୍ନ ହୋଇ ଆସୁଚି । କାହାକୁ ଦେଖିବି ବୋଲି ବସିଥିବା ବେଳେ ମୁଁ ଯେପରି ଆଜି ଆପଣାର ହିଁ ଦର୍ଶନ କରି ପାରୁଚି । ଆପଣାକୁ ନିନ୍ଦା କିମ୍ବା ପ୍ରଶଂସା କରିବାର ସକଳ ଉତ୍ତେଜନା କୁଆଡ଼େ ନିଭିନିଭି ଯାଉଚି । ଆପଣା ପ୍ରତି ଏକ ଶାନ୍ତ ଶ୍ରଦ୍ଧାରେ ମୋର ସମସ୍ତ ଜୀବନର ଦ୍ଵାର ଯେପରି ମୋ ଭିତରକୁ କେଉଁ ଇପ୍‍ସିତାକୁ ବାଟ ଛାଡ଼ି ଦେଉଚି । ଆଜି ବାହାରେ ଭିତରେ କୌଣସି ଦ୍ଵନ୍ଦ ନାହିଁ । ବାହାରୁ ପଳାଇ ଆସି ଭିତରେ ଲୁଚି ବସିବାର କୌଣସି ଆବଶ୍ୟକତା ନାହିଁ । ଏ ଜୀବନଟା କେବଳ ଦ୍ଵାର ଖୋଲିଦେବାର ସାଧନା, ସବୁରି ସହିତ ସ୍ଥିର ନିର୍ଭରର ସୂତ୍ର ଯୋଡ଼ିଦେଇ ଆପଣାକୁ ଭାବମୟ କରି ରଖିବାର ସାଧନା । ସକାଳର ଏହି ଆକାଶକୁ ଅନାଇ ରହିବାର ମନ ମୋର ସବୁଦିନେ ରହିଥାଉ, ପୂର୍ବାକାଶକୁ ଆପଣା ଅନ୍ତରରେ ଭରିନେବାର ବେଳ ମୋତେ ସବୁଦିନେ ମିଳୁଥାଉ । ହେ ସକାଳର ସୂର୍ଯ୍ୟ, ତୁମରି ପରି ଆଉ ଗୋଟିଏ ଆତ୍ମାକୁ ତୁମେ ବୁଢ଼ା ହେବାକୁ ବଞ୍ଚାଇ ରଖ, ତୁମରି ପରି ନିତ୍ୟ ନୂତନ ହୋଇ ରହିବାକୁ ଦିଅ ।

 

୧୯ । ୧୧ । ୫୯

 

ଅନେକ କାମ, ଅଳପ ସମୟ । ଏହିପରି ଏକ ଭବନା ମୋତେ ଯେପରି ସବୁଦିନ ଅସ୍ଥିର କରି ପକାଉଚି, ମୋର ଧ୍ୟାନକୁ ଭାଙ୍ଗି ଦେଇ ଯାଉଚି । କାମ ଭିତରେ ବ୍ୟସ୍ତ ରହି କାମରେ ବାନ୍ଧି ହୋଇ ଗଳାପରି ଲାଗୁଚି । ସନ୍ତୋଷ ମୁତାବକ ଜୀବନ ବଞ୍ଚିବାରେ ମୁଁ ଯେପରି ଆଦୌ ସମର୍ଥ ହୋଇ ପାରୁନାହିଁ, ଠିକ୍ ସେହିପରି ମନେ ହେଉଚି । ଯେଉଁ କାମ ବାନ୍ଧି ପକାଏ, ମୋତେ ସେହି କାମରୁ ବଞ୍ଚି ରହିବାକୁ ହେବ,–ଏହିପରି ଗୋଟିଏ ବିରକ୍ତି ମଧ୍ୟ ମୋତେ ସବୁବେଳେ ଖାଇ ଗୋଡ଼ାଉଚି । ଏତିକିବେଳେ ଏହି ଖାତାପାଖରେ ଆସି ବସିବା ଲାଗି ଯେଉଁ ଆନନ୍ଦ ଓ ଯେଉଁ ଖୁସୀ ରହିବା ଦରକାର, ସେତିକି ଆନନ୍ଦ ଓ ସେତିକି ଖୁସୀରେ ମୁଁ ଏଠି ଆସି ବସି ପାରେ ନାହିଁ । ଛେଳିକୁ ହାଣ ମୁହଁକୁ ନେଉଥିବାପରି ମନେହୁଏ । ଯେଉଁଦିନ ଏଠାରେ ଆସି ବାଧ୍ୟହୋଇ ବସେ, ସେଦିନ ଯାହା ଲେଖେ, ତାହାକୁ ବାଧ୍ୟ ହୋଇ ଲେଖେ । ସେଦିନ ମନ ଖୁସୀରେ କିଛି ଲେଖି ପାରେନାହିଁ । ତେଣୁ ସେଦିନ ମୋର କିଛି ଲେଖାହୋଇ ପାରିନାହିଁ, ବୋଲି କହିବାକୁ ହେବ । ଶବ୍ଦସଜ୍ଜା ହୁଏ, ତଥାପି ମୁଁ ସେହି ଶବ୍ଦସଜ୍ଜାରେ ମଧ୍ୟ ନଥାଏ । ସେଦିନ ଭାବିଚିନ୍ତି ଲେଖିବାକୁ ହୁଏ-। ପରିଶ୍ରମ କରି ଲେଖିବାକୁ ହୁଏ । ଦୁଇଧାଡ଼ି ଲେଖୁ ଲେଖୁ ଦୁଇଘଣ୍ଟା ବିତି ଗଲାପରି ଲାଗେ-। କିନ୍ତୁ ଯେଉଁଦିନ ମନ ଖୁସୀ ଥାଏ, ଏଠାରେ ଆସି ବସିଲା ବେଳକୁ ମନ୍ଦିର ଭିତରେ ପ୍ରବେଶ କଲାପରି ମନେହୁଏ । ସେଦିନ ହୃଦୟର ଭାବ ବଳେ ବଳେ ଭାଷାର ପଦକ୍ଷେପରେ ବାହାରି ଆସେ, ସେଦିନ ଆଉ କୌଣସି ଦୁଃଖ ରହେନାହିଁ ।

 

୨୦ । ୧୧ । ୫୯

 

ମୁଁ ସବୁ କାମ ଆଦରିବାକୁ ରାଜି ଅଛି, କିନ୍ତୁ ପ୍ରତ୍ୟେକ ଦିନ ଆପଣାର ଅଧ୍ୟୟନ ଲାଗି ମୋର କିଛି ସମୟ ଅବଶ୍ୟ ଦରକାର । ଆପଣାର ଲେଖାଲେଖି ଲାଗି କିଛିସମୟ ରହିଥିବା ଦରକାର । ଯେଉଁଦିନ ମୋତେ ସେତିକି ସମୟ ନମିଳୁଚି, ସେଦିନ ନାନାପ୍ରକାର ବିରକ୍ତିରେ ଆପଣାକୁ ଭୁଲିଗଲା ପରି ଲାଗୁଚି ଆପଣାସହିତ ସୁତ୍ର ଛାଡ଼ିଗଲାପରି ଲାଗୁଚି ଏବଂ ପରିଣାମରେ ଜୀବନର ସବୁ କାମରୁ ଶ୍ରଦ୍ଧା ଚାଲିଯାଉଚି, ସକଳ ଅବଲମ୍ବନରୁ ହାତ ଖସି ଯାଉଚି, ଆପଣାକୁ ବଡ଼ ବିକଳ ବୋଧ ହେଉଚି । ଗୋଟିଏ ନୂଆ କାମରେ ବ୍ୟସ୍ତ ରହି ଗତ ତିନିଦିନ ହେଲା ମୁଁ ପ୍ରାୟ କିଛି ଲେଖାପଢ଼ା କରି ପାରିନାହିଁ । ଯେତିକି କରିଚି, ସେତିକି ମଧ୍ୟ ନିୟମିତ ଭାବରେ କରିପାରିନାହିଁ । ସେଥିଲାଗି ଭାରି ବିରକ୍ତ ଲାଗୁଚି, ଆପଣାକୁ ବଡ଼ ଦରିଦ୍ର ଲାଗୁଚି । ଆଉ ଏଭଳି ହେବାକୁ ଦେବିନାହିଁ । ଆପଣାକୁ ଏପରି ଅବଶ କରି ପକାଇବି ନାହିଁ । ମୋର ଦୈନନ୍ଦିନ ଜୀବନରେ ସବୁଟିପାଇଁ ସମୟ କରିବାକୁ ହିଁ ପଡ଼ିବ । ବାହାରର ଯାବତୀୟ କାମରେ ବ୍ୟସ୍ତ ରହି ଯେପରି ଅନ୍ତର ଭିତରଟା ଉପବାସୀ ହୋଇ ନରହେ, ସେଥିଲାଗି ଅବଶ୍ୟ ଉପାୟ କରିବାକୁ ପଡ଼ିବ । ଅନ୍ତର ଭିତରଟା ଉପବାସୀ ପଡ଼ି ରହିଲେ ସବୁ ଅଡ଼ୁଆର ଉତ୍ପତ୍ତି ହୁଏ । ଅନ୍ତର ଭିତରେ ଅଡ଼ୁଆ ପଶିଗଲେ ବାହାର କାମକୁ ମଧ୍ୟ ପ୍ରେରଣା ମିଳେନାହିଁ । ଫଳରେ ଭିତରେ ଓ ବାହାରେ ମୁଁ ବଡ଼ ଅତୃପ୍ତ ଓ ଉଦ୍‌ବିଗ୍ନ ହୋଇ ରହିଯାଏ । କର୍ମଜନିତ ମୁକ୍ତି ସମ୍ଭବ ହୋଇ ପାରେନାହିଁ । କୌଣସି କାର୍ଯ୍ୟକୁ ମୁଁ ଧ୍ୟାନସ୍ଥ କରି ରଖି ପାରେନାହିଁ । ନା,–ମୋତେ ଏହି ଦୀନତାରୁ ମୁକ୍ତିଲାଭ କରିବାକୁ ହେବ । ଆପଣାଲାଗି, ଅର୍ଥାତ୍‍ ଭିତର ବାହାର ଉଭୟ ଲାଗି ଏକ ସଙ୍ଗତ କାର୍ଯ୍ୟକ୍ରମ ରାଖି ମୋତେ ସେହି ଅନୁସାରେ ତତ୍ପର ରହିବାକୁ ପଡ଼ିବ । ବାହାର ଆଉ ଭିତର ମଧ୍ୟରେ ଏଭଳି ଦ୍ଵନ୍ଦ ରହିଲେ ମୋଟେ ଚାଳିବ ନାହିଁ ।

 

୨୧ । ୧୧ । ୫୯

 

ମନୋବିଜ୍ଞାନର ପ୍ରଣାଳୀରେ କାରଖାନାକୁ ବିଦ୍ୟାଳୟରେ ପରିଣତ କରିବାର ପ୍ରୟାସ ଦୁନିଆରେ ଚାଲିଥିବା ବେଳେ ଆମ ଦେଶରେ ବିଦ୍ୟାଳୟଗୁଡ଼ିକ କ୍ରମେ କାରଖାନାରେ ପରିଣତହେବାକୁ ଯାଉଚି । କାରଖାନାରେ ମୂଲିଆ ଓ ମାଲିକ ଭିତରେ ଯେପରି ସଂଘର୍ଷର ସମ୍ବନ୍ଧ ରହିଥାଏ, ଏବଂ ସେହି ସମ୍ବନ୍ଧ ଦ୍ଵାରା ନିୟାମିତ ହେଲେ ଯାହା ଦଶା ହୋଇଥାଏ, ଏ ଦେଶରେ ବିଦ୍ୟାଳୟମାନଙ୍କର ଦଶା କ୍ରମେ ସେହିପରି ହେବାକୁ ଯାଉଚି । ପରୀକ୍ଷାରେ ପାସ୍ କରିବା ଲାଗି କ୍ଲାସ୍‌ରେ ପାଠ ପଢ଼ାଯାଉଚି । କିନ୍ତୁ କ୍ଳାସ ବାହାରେ ଜୀବନର ଆଚରଣରେ ମଣିଷ ମଣିଷର ସମ୍ବନ୍ଧରେ ସେହି ପାଠର କୌଣସି ସଞ୍ଜୋଗ ହିଁ ରହୁନାହିଁ । ମୂର୍ତ୍ତିକୁ କେବଳ ଗୋଟିଏ ବଖରାରେ ରଖି ଘଡ଼ିଏ ପୂଜା କରି କାମ ସାରିଦେଲା ପରି ଆମ ବିଦ୍ୟାଳୟ ଗୁଡ଼ିକରେ କ୍ଳାସଘର ଭିତରେ ପାଠପଢ଼ା କାମ ଶେଷ କରି ଆମର କାମ ସରିଯାଉଚି । ଏହା ଫଳରେ ଶିକ୍ଷକ ଶିକ୍ଷକ ହୋଇ ରହୁନାହିଁ କି ଛାତ୍ର ଛାତ୍ର ହୋଇ ରହୁନାହିଁ । ଯେଉଁ ମୂଳକଥା ନେଇ ବିଦ୍ୟାଳୟ ଦୁହିଁଙ୍କର ଭେଟ ହୋଇଚି, ସେଇ ମୂଳକଥାଟି କୁଆଡ଼େ ଉଡ଼ିଯାଉଚି । ଶିକ୍ଷକର ହେବାର ଉତ୍ସାହ ଓ ଛାତ୍ରର ଗ୍ରହଣ କରିବାର ଆଗ୍ରହ କୁଆଡ଼େ ମରି ଉଡ଼ି ଯାଉଚି । ଦୁଇପକ୍ଷର ମନ ଭାଙ୍ଗି ପଡ଼ିଚି । ଆମ ନିର୍ମାଣ ଓ ଆମ ନିୟୋଜନ ଯେ ଶିକ୍ଷାଳୟରେ ଶିକ୍ଷକ ତଥା ଛାତ୍ରର ପ୍ରଥମ କର୍ତ୍ତବ୍ୟ, ସେ କଥା କାହାରି ମନେ ରହୁନାହିଁ । ଶିକ୍ଷକ ମଧ୍ୟ ପାଠ ବିକି ପଇସା ନେଉଚି, ଭବିଷ୍ୟତରେ ପାଠ ବିକି ପଇସା ନେବାର ଫିକରର ଛାତ୍ର ମଧ୍ୟ ପାଠ ପଢ଼ିବାକୁ ଆସିଚି । ବ୍ୟକ୍ତି ସହିତ ବ୍ୟକ୍ତିର ସାକ୍ଷାତ ହେଉନାହିଁ, ପଥିକ ସହିତ ପଥିକର ଭେଟ ହୋଇ ପାରୁନାହିଁ ।

 

୨୨ । ୧୧ । ୫୯

 

ଆଜି ଭୋର ସାଢ଼େପାଞ୍ଚଟା ବେଳୁ ଦୁଇଘଣ୍ଟାଯାଏ ବଗିଚାରେ କାମ କଲି । କାମ କରୁକରୁ ପୂର୍ବ ଆକାଶକୁ ଚାହିଁ ସୂର୍ଯ୍ୟୋଉଦୟ ଦେଖିଲି । ଜାଣେନା, କାହିଁକି ଏତେ ଭଲ ଲାଗିଲା । ମୁଣ୍ଡ ଭିତରେ ଜମି ରହିଥିବା ନାନା ଉଦ୍‌ବେଗ ଓ ଉତ୍କଣ୍ଠା କାହିଁକି ଏତେ ସହଜରେ ସଫା ହୋଇଗଲା, ହୃଦୟ ଉପରେ କାହାର କୋମଳ ହାତ ବୁଲିଗଲାପରି ଲାଗିଲା । ଆପଣାକୁ ଶତ୍ରୁ ମିତ୍ର ଦୂର ନିକଟ ସବୁଟି ସହିତ ମିଶିଗଲା ପରି ମନେହେଲା । ନୀତି ସକାଳ ସମୟରେ ଏହିପରି ଜାଗି ଉଠି ପାରିଲେ, କର୍ମ ଓ ଶ୍ରଦ୍ଧା ଭିତରେ ଆପଣାକୁ ଦେଇପାରିଲେ ସାରା ଦିନଟି ଲାଗି ଆଉ କିଛିମାତ୍ର ଭୟ ରହେନାହିଁ । ଦିନଟିଯାକ ଯାବତୀୟ କ୍ଷେତ୍ର ଆପଣାର କ୍ଷେତ୍ରପରି ଲାଗେ । ସବୁକାମ ଠିକ୍ ଆପଣାର କାମ ପରି ଲାଗେ । ସବୁ ମଣିଷ ଠିକ୍ ଆପଣାର ମଣିଷ ପରି ଲାଗନ୍ତି । ଆପଣାର ଭିତରଟାକୁ ସେଦିନ ଭାରି ପରିଚିତ ପରି ଲାଗେ ପାଖରେ ଆଉ କୌଣସି ଶଙ୍କା ବା ସଙ୍କୋଚ ରହେନାହିଁ । ସେଦିନ ସବୁ କାମ ଲାଗି ସମୟ ମିଳେ । ଆଜି ସେହିପରି ଲାଗୁଚି । ଆପଣାର ପଥ ଉପରେ ମୁଁ ଆପଣା ଭିତରକୁ ଯେତେଦୂର ଯାଇପାରୁଚି, ଦେଖୁଚି, କୌଣସି ଜାଗାରେ କୌଣସି ଅସନ୍ତୋଷର କଣ୍ଟା ପଡ଼ିନାହିଁ । କୌଣସି ଜାଗାରେ କୌଣସି ପ୍ରକାରର ଗ୍ଳାନି କୌଣସି ଦାଗ ଲଗାଇନାହିଁ । ଆଜି ନିଜକୁ ଭାରି ଆପଣାର ଲାଗୁଚି । ଏ ଜୀବନରେ ସବୁ ହୋଇପାରିବ, ଏହି ଅଜ୍ଞାତ ଆବିଷ୍କାର ଯାତ୍ରାରେ ତଥାପି ଅନେକ ଆବିଷ୍କାର କରିବାର ଓ ଅନେକ ପାଇବାର ସୁଯୋଗ ମିଳିବ, ଆଜି ସେହିପରି ମନେହେଉଚି । ମୋ ହାତ ଉପରେ ମୋର ଜୀବନକୁ ମୁଁ ସତେଅବା ଭଗବାନଙ୍କର ଏକ ଦାନ ପରି ଦେଖିବାକୁ ପାଉଚି । ତାଙ୍କର ଦାନ ରୂପେ ମୁଁ ତାହାକୁ ଗ୍ରହଣ କରୁଚି ଓ ଗ୍ରହଣ କରି ପବିତ୍ର ହୋଇଯାଉଚି । ଜୀବନରେ ଆଉ ଭୟ କ’ଣ ଅବସାଦ ଆଉ କେଉଁଥିପାଇଁ ? ସବୁ ସଂଶୟ ଓ ସମସ୍ୟା ସମାଧାନ ମୁଁ ଆଜି ମୋର ଅନ୍ତର ଭିତରେ ପାଇପାରିବି । କେବଳ ଆଗକୁ ଯିବାକୁ ହେବ, ସବୁଟି ସହିତ ସମ୍ମିଳିତ ହେବାକୁ ହେବ, ଆପଣାକୁ କେବଳ ଦେବାକୁ ହେବ । ଏହାହିଁ ଜୀବନ ।

 

୨୩ । ୧୧ । ୫୯

 

ଏହିପରି ଭାବରେ କାମରେ, ବିଚାରରେ, ସଂଯୁକ୍ତ ହେବାରେ ଓ ସମ୍ମିଳିତ ହେବାରେ ସମୟ ଚାଲି ଯାଉଥିଲେ ଦିନପରେ ଦିନ କେବଳ ସରି ଯାଉଥିବା ପରି କଦାପି ମନେ ହେବନାହିଁ । କେବଳ ଅଧିକରୁ ଅଧିକ ତାହାରି ନିକଟ ହେଲାପରି ମନେ ହେଉଥିବ । ପ୍ରତ୍ୟହ ଅଧିକରୁ ଅଧିକ ଧନବାନ୍ ହେଲାପରି ମନେହେଉଥିବ ଜୀବନକୁ ଏକ ସମୃଦ୍ଧିମନ୍ତ ବ୍ୟାପାର ବୋଲି ମନେ ହେଉଥିବ । ଯଦି ସବୁଦିନ ଏହିପରି ହୁଏ, ତେବେ ମୋର ଆଉ ବୁଢ଼ା ହେବାର ଭୟନାହିଁ, ଆଉ ହରାଇବାର ଭୟ ନାହିଁ, ଆପଣା ଉପରୁ ଆଉ ବିଶ୍ଵାସ ତୁଟାଇ ବସିବାର ଭୟନାହିଁ । ଜୀବନରେ ଏହି ସାବଲୀଳ ଚାଲିଯିବା ଓ ସାବଲୀଳ ସମର୍ପଣ କରିଦେବାକୁ ହିଁ ମୁଁ ମୋର ସର୍ବପ୍ରଧାନ ଧ୍ୟାନ କରି ରଖିବି । ଏହି ଚାଲିଯିବାରେ ହିଁ ତାହାର ସମୀପବର୍ତ୍ତୀ ହୋଇଆସିବା ଓ ଏହି ସମର୍ପଣ କରି ଦେବାରେ ହିଁ ତାହାର ସମୀପବର୍ତ୍ତୀ ହୋଇଆସିବା ଓ ଏହି ସମର୍ପଣ କରି ଦେବାରେ ହିଁ ଆପଣାକୁ ବାରବାର ପାଇବାର କଳାକୁ ମୋତେ ଜୀବନର ସ୍ଥାୟୀ ଧନ୍ଦା କରି ରଖିବାକୁ ପଡ଼ିବ । ମନ ଏହି ଧନ୍ଦା ଲାଗି ପ୍ରସ୍ତୁତ ହୋଇ ରହିଥିଲେ, ହୃଦୟ ଏହି ଧନ୍ଦା ଲାଗି ରସ ଯୋଗାଇ ପାରୁଥିଲେ ମୋର ଆଉ କୋଉଥିକୁ ଭୟ ନାହିଁ, କୌଣସି ସ୍ଥାନରେ ନିଜକୁ ବ୍ୟର୍ଥ ଓ ଅସଫଳ ବୋଲି ଭାବିବାର ଭୟ ନାହିଁ । ଆଜିର ସକାଳ ଆସି ରାତ୍ରିର ଶୂନ୍ୟକୁ ଭାରି ଦେଲାପରି ମୋର କର୍ମ ଓ ମୋର ଉତ୍ସାହ ମୋର ଜୀବନକୁ ପ୍ରସନ୍ନ ଓ ପରିପୂର୍ଣ୍ଣ କରି ରଖିଥାଉ । ଏହିପରି ଭାବରେ ହିଁ ମୋର ପରିତ୍ରାଣ ହେଉ ।

 

୨୪ । ୧୧ । ୫୯

 

ଆଗେ ରାକ୍ଷୀ ପୂର୍ଣ୍ଣମା ଦିନ ବ୍ରାହ୍ମଣ ଓ ଶ୍ରୀ ଲୋକମାନେ ପୁରୁଷମାନଙ୍କ ହାତରେ ରାକ୍ଷୀ ପିନ୍ଧାଇ ଦେଉଥିଲେ । ସମସ୍ତେ ମିଶି ବ୍ରାହ୍ମଣ ଓ ସ୍ତ୍ରୀ ଲୋକମାନଙ୍କର ସୁରକ୍ଷା କରିବେ, ଏହାହିଁ ରାକ୍ଷୀ ପୂର୍ଣ୍ଣମା ଉତ୍ସବର ଉଦ୍ଦେଶ୍ୟ ଥିଲା । ଆଜି ମୁଁ ବସି ଭାବୁଥିଲି ଯେ ଶିକ୍ଷକ ମଧ୍ୟ ଛାତ୍ରର ହାତରେ ରାକ୍ଷୀ ବାନ୍ଧିଦେବା ଉଚିତ । କାରଣ କେବଳ ଛାତ୍ର ହିଁ ଶିକ୍ଷକ ସୁରକ୍ଷା କରିପାରିବ । ଛାତ୍ର ଆପଣାର ପଥରେ ଯେତିକି ଯେତିକି ବିକାଶ କରୁଥିବ, ସେ ଯେତିକି ଯେତିକି ଆପଣାର ପଥରେ ଆଗକୁ ଯାଉଥିବ, ଅଧିକ ଅଭିଳାଷ କରୁଥିବ, ଶିକ୍ଷକର ସମ୍ମାନ ଓ ସୁରକ୍ଷା ସେତିକି ସେତିକି ସମ୍ଭବ ହେଉଥିବ । ଶିକ୍ଷକ ଏହି ସଂସାରରେ ସବୁଠାରୁ ଅଧିକ ଏହି ଶ୍ରେୟଟିର ଆଶ ରଖିଥାଏ । ଲକ୍ଷପତି ହେବାଲାଗି ଟଙ୍କା ଜମା କରୁଥିବା; ଶିକ୍ଷକ ଏ ସଂସାରରେ କୋଉଠିନ ଥିବେ । ଇଚ୍ଛା କଲେ ମଧ୍ୟ ଶିକ୍ଷକ ଲକ୍ଷପତି ହୋଇପାରିବ ନାହିଁ । ଲକ୍ଷପତି ହେବାକୁ ହେଲେ ଶିକ୍ଷକକୁ ବଣିଆ ବା ବେପାରୀ ହେବାକୁ ପଡ଼ିବ । ତେଣୁ ଧନବାନ୍ ହେବାଲାଗି କେହି ଜାଣିଶୁଣି ଶିକ୍ଷକ ହେବାକୁ ଆସେନାହିଁ । ଆପଣାକୁ ଶିକ୍ଷକ ହେବାର ଆନନ୍ଦ ଦେବାରେ, ଆପଣାର ଜ୍ଞାନ ସଞ୍ଚୟକୁ ବିତରଣ କରିଦେବାରେ ଓ ଆପଣାର ଶ୍ରଦ୍ଧା ସଞ୍ଚୟକୁ ପ୍ରସାରିତ କରିଦେବାରେ ଶିକ୍ଷକ ଆନନ୍ଦ ପାଏ । ଛାତ୍ର ତାର ଆପଣା ବାଟ ଆବିଷ୍କାର କରୁ, ଆପଣା ଭିତରୁ ପାଉଥିବା ପରମଗୂଢ଼ ମହାନ୍ ଇଙ୍ଗିତଟିକୁ ଶୁଣିପାରି ସେ ତାହାରି ଯୋଗ୍ୟ ହେବାକୁ ତିଆରି ହେଉ, ଖୁସୀ ହୋଇ ସଂସାରର ଆହରଣ କ୍ଷେତ୍ରରୁ ରତ୍ନ ଆହରଣ କରୁ, ଯେତେ ନିଷ୍କାମ ହେଲେ ମଧ୍ୟ ପ୍ରତ୍ୟେକ ଶିକ୍ଷକ ଏତିକି ଚାହିଁଥାଏ । ସେତିକି ପାଉଥିବା ପର୍ଯ୍ୟନ୍ତ ସେ ଲକ୍ଷ ଟଙ୍କାର ଧନ ସମ୍ପତ୍ତି ବି ପାଉଥାଏ, ଆପଣାକୁ ସଂସାରରେ ସବୁଠାରୁ ଅଧିକ ଧନଶୀଳ ବୋଲି ବିଚାରୁଥାଏ । ଏହିପରି ହିଁ ତାର ସୁରକ୍ଷା ହୁଏ । ମାତ୍ର ଛାତ୍ର ଉତ୍ତେଜିତ ଓ ଉଗ୍ର ହୋଇ ଏହି ବାଟରୁ ଅନ୍ୟତ୍ର ହଟିଯିବାକୁ ଚାହିଁଲେ ଶିକ୍ଷକ ସେଥିଲାଗି ମନେମନେ ପ୍ରମାଦ ଗଣେ, କାତର ହୋଇପଡ଼େ । ତା’ ସୁରକ୍ଷାର ସମସ୍ତ ବନ୍ଧ ଭାଙ୍ଗି ଗଲା, ପରି ଲାଗେ, ଆପଣାର ସବୁ ପ୍ରିୟ ଓ ଆଦରଣୀୟ ସାମଗ୍ରୀ ହଜିଗଲା ପରି ଲାଗେ ।

 

୨୫ । ୧୧ । ୫୯

 

ମୋର ସବୁ ହେଉ ପଛକେ, ଏହି ସକାଳ ସମୟରେ ଯେପରି କୌଣସି ପ୍ରକାରର ଦୁଃଖ, ଗ୍ଳାନି ବା ଅତୃପ୍ତି ମୋତେ ଗ୍ରାସ କରି ନ ରହୁ । ମୁଁ ସବୁ ସହିବାକୁ ରାଜୀ ଅଛି, ସବୁ କ୍ଷତିକୁ ଆଦରି ନେବାକୁ ରାଜୀ ଅଛି, କିନ୍ତୁ ଏହି କ୍ଷତିଟିକୁ ସହିବା ଲାଗି ମୋର ସାହସ ନାହିଁ । ହୃଦୟ ଭାରି ଏହି ସକାଳଟିକୁ ଦେଖିବାପାଇଁ ଓ ଅନୁଭବ କରିବା ପାଇଁ ମୁଁ ପ୍ରସ୍ତୁତ ହୋଇ ରହିଥିବା ଉଚିତ । ସକାଳେ ପ୍ରସ୍ତୁତ ହୋଇ ରହି ନ ପାରିଲେ ମୁଁ ଯେପରି ଦିନମାନ କୋଉଥିପାଇଁ ବି ପ୍ରସ୍ତୁତ ହୋଇ ପାରେନାହିଁ । ସକାଳର ଏହି ସମସ୍ତ ଶୋଭା ଭିତରେ ଆପଣାର ହୃତ୍‌ପ୍ରବେଶ କରାଇ ନ ପାରିଲେ ସତେ ଯେପରି ସଂସାରରେ କୌଣସିଥିରେ ପ୍ରବେଶ କରିବା ଲାଗି ମୁଁ ବଳ ପାଏ ନାହିଁ । ତେଣୁ ଏହି ସକାଳେ ମୁଁ ନିଜର ପାତ୍ରଟିକୁ ଅବଶ୍ୟ ପ୍ରସ୍ତୁତ କରି ରଖିବି, ଅଗ୍ରହଣ କରିବାକୁ ଓ ପରିପୂର୍ଣ୍ଣ କରିଦେବାକୁ ପ୍ରସ୍ତୁତ କରି ରଖିବ, ଶୂନ୍ୟ ହୋଇ ପୂର୍ଣ୍ଣ ହୋଇ ପାରିବାକୁ ପ୍ରସ୍ତୁତ କରି ରଖିବ । ମୁଁ ଜାଣେ ଜୀବନରେ କ୍ଷୟ ରହିଚି, କ୍ଷତି ରହିଚି, ଦୁଃଖ ଦୁର୍ଦ୍ଦଶା ସବୁ ରହିଚି । ନାନାବିଧ ବ୍ୟର୍ଥତା ଓ ବିଫଳତାରେ ଏହି ଜୀବନର ପରିକ୍ରମଣ-ପଥ ବିକଳ ହୋଇ ରହିଚି । ତଥାପି ଏହି ଜଗତରେ ସକାଳ ପରି ଏକ ପରିପୂର୍ଣ୍ଣ ମୁହୂର୍ତ୍ତ ରହିଚି, ସମସ୍ତ ହୃଦୟକୁ ପୂର୍ଣ୍ଣ କରି ସକଳ କ୍ଷତକୁ ଭରାଇ ନେବା ଲାଗି ସକାଳର ଅନୁଭୂତି ପରି ଏକ ଅନୁଭୂତି ରହିଚି, ଜୀବନର ସକଳ ପରାଜୟ ସତ୍ତ୍ୱେ ତଥାପି ଏପରି ଏକ ଶୁଭ ବିଜୟର ମୁହୂର୍ତ୍ତ ରହିଚି, ଜୀବନର ସକଳ ବିଚ୍ଛେଦ ଓ ବିଚ୍ୟୁତି ସତ୍ତ୍ୱେ ଏପରି ଏକ ଶୋଭାମୟ ମିଳନର ବେଳା ରହିଚି । ଏହାହିଁ ପରମ ସମ୍ପତ, ଏହାହିଁ ପରିମାଗତି ଓ ପରମ ବନ୍ଧୁ ।

 

୨୬ । ୧୧ । ୫୯

 

ଆମେ କେହି ନିଜକୁ ତିଆରି କରିବାକୁ ରାଜୀ ନୋହୁ । ଯୋଉଟା ସବୁଠାରୁ ସହଜ ରାସ୍ତା, ଆମେ ସେଇଟାକୁ ହିଁ ଗ୍ରହଣ କରିବାକୁ ସବୁବେଳେ ତତ୍ପର । ମୋ’ ପାଇଁ କ’ଣ ଉଚିତ ବା ଅନୁଚିତ, ମୋତେ ସେକଥା ଆଉଜଣେ କହିଦେବ, ମୋ’ ଲାଗି ବାଟ ଠିକ୍ ହୋଇ ରହିଥିବ, ମୋ ଲାଗି ଭଗବାନ, ଧର୍ମ ନୀତିପଥ ଓ ବିବେକ ସବୁ ଆଗକୁ ତିଆରି ହୋଇ ରହିଥିବେ, ଫୁଲ, ପାଣି, ଧୂପ ନୈବେଦ୍ୟ ସବୁ ସଜାହୋଇ ରହିଥିବ । ମୁଁ କେବଳ ଆସିବି ଓ ଜୀବନ ବଞ୍ଚିବାର ବାହାଦୂରୀ ନେବି । ଜୀବନ ବୋଇଲେ ଆଉକିଛି ଅଧିକ ବୁଝାଏ ବୋଲି ବୁଝିବାକୁ ଆମେ କେହି ତିଆରି ନୋହୁ । ଏହାକୁ ସହଜ ଧର୍ମ ବୋଲି ଗ୍ରହଣ କରୁଥିବା ପର୍ଯ୍ୟନ୍ତ ଜୀବନ ବଞ୍ଚିବାର ସହଜତା ଓ ସ୍ଵାଭାବିକତାକୁ ଆମେ କ୍ରମଶଃ ହରାଇ ବସୁଥିବା । ଜୀବନଠାରୁ ଅନେକ ଦୂରରେ ପଡ଼ିରହି ଜୀବନନର ଅସଲ ବଞ୍ଚିତ ହୋଇ ରହିଥିବା । ଏ ସଂସାରରେ ମୋତେ ଜ୍ଞାନ ଅର୍ଜନ କରିବାକୁ ହେବ, ସଂସାରର ଜ୍ଞାନ ସମ୍ପଦକୁ ଆତ୍ମସମ୍ପଦରେ ପରିଣତ କରିବାକୁ ହେବ, ଏତିକି ଭାବିବା ମଧ୍ୟ ଏ ଯୁଗର ଛାତ୍ରକୁ ଯେପରି ଏକ ବୋଝ ପରି ଲାଗିଲାଣି । କେବଳ ଯେତିକି କଲେ ନ ଚଳେ, ସେତିକି କରିବାକୁ ହିଁ ବାଧ୍ୟ ହେଉଚି । ନାନା ବହିରୁ ନକଲ କରି ଲେଖିଦେଲେ ଯଦି କାମ ସାରିଲା, ତେବେ, ବୁଝିବାରେ ଆଉ ଅର୍ଥ ଅଛି ? ଲବ୍‌ଧ ଜ୍ଞାନ ସକଳ ସାମଗ୍ରୀ ଅନୁଭବ କରିବା ସକାଶେ ନୁହେଁ, ତାହାକୁ ଆପଣା ଭିତରେ ପ୍ରବେଶ କରାଇ ତାହାର ଆଲୋକରେ ଆଲୋକିତ ହେବା ସକାଶେ ନୁହେଁ, ଏହା କେବଳ ଆପଣାର କେତେଟା ପ୍ରୟୋଜନ ମେଣ୍ଟାଇଦେବା ସକାଶେ ଦରକାର ବେଳେ କାମରେ ଲଗାଇବା ନିସିତ ଯନ୍ତ୍ରବତ୍ ମନେରଖିବା ସକାଶେ-, ଯେପରି ଏହାହିଁ ଏ ଦେଶର ଛାତ୍ରର ଦୃଢ଼ ବିଶ୍ଵାସ ହେବାକୁ ବସିଲାଣି । ମୁଁ ଜାଣେନା, ଏ ଦେଶର ଶିକ୍ଷକ ସେ ବିଷୟରେ କି ଚିନ୍ତା କରୁଚି ।

 

୨୭ । ୧୧ । ୫୯

 

ମୁଁ ବ୍ୟକ୍ତିକୁ ଖୋଜି ବାହାରିଚି । ଜଣେ ବ୍ୟକ୍ତି ହିସାବରେ ଯିଏ ଆପଣାକୁ ବିକଶିତ ଓ ପ୍ରକାଶିତ କରି ବାହାରିଚି, ଆପଣାର ବିକାଶ କରିବା ଦ୍ଵାରା ହିଁ ଯିଏ ସମୂହର ବିକାଶ କରି ଚାଲିଚି, ଆପଣାକୁ ନୂଆକରି ଗଢ଼ିବା ଦ୍ଵାରା ହିଁ ଯିଏ ସମାଜକୁ ନୂଆ କରି ଗଢ଼ିବାର ମୂଳଦୁଆ ପକାଉଚି, ମୁଁ ସେହି ମଣିଷ ମଣିଷକୁ ଖୋଜିବାକୁ ବାହାରିଚି । କିଏ କୋଉ ପଲର, କିଏ କୋଉ ରଙ୍ଗର ବା କିଏ କୋଉ ଭେକର ଲୋକ, ଯେତେ ସଜାଇ, ତେଜାଇ ବା ମନ ରଞ୍ଜାଇ କହିଲେ ମଧ୍ୟ ସେଥିରେ ମୋର ମନ ତଥାପି ବୁଝୁନାହିଁ । ଯଦି ସମୂହର ନାମରେ ବ୍ୟକ୍ତି ଆପଣାକୁ ବିସର୍ଜନ ଦିଏ, ଯଦି, ସବୁରି ହେବ ବୋଲି ବ୍ୟକ୍ତି ଆପଣାର ସମସ୍ତ ସାଧନା ଓ ସମ୍ଭାବନାକୁ ଭଲିଯାଏ, ତେବେ ସେଭଳି ବ୍ୟକ୍ତି ଦ୍ଵାରା କୌଣସି ସମାଜର କେବେହେଲେ କୌଣସି କଲ୍ୟାଣ ସାଧିତ ହେବନାହିଁ । ଯିଏ ଆପଣାର ସ୍ଵଧର୍ମୋଚିତ ବାଟରେ ଚାଲିବ, ଆପଣାର ବାଟ ଆବିଷ୍କାର କରି ଯିଏ ଅପରକୁ ନିଜ ନିଜର ବାଟ ଆବିଷ୍କାର କରିବାରେ ଉତ୍ସାହ ଦେବ, କେବଳ ସେଇ ସମାଜ ଲାଗି ବାଟ ଦେଖାଇ ପାରିବ । ମଣିଷ ସମାଜର କଲ୍ୟାଣ ଓ ମଙ୍ଗଳ ପାଇ ମେଣ୍ଡାପଲ ବା ମାଗୁଣା ମଇଁଷିର ଲୋଡ଼ାନାହିଁ । ଶ୍ରଦ୍ଧାଶୀଳ, ସହନଶୀଳ, ଧୈର୍ଯ୍ୟଶୀଳ ସାଧକର ହିଁ ଲୋଡ଼ାଅଛି ।

 

୨୮ । ୧୧ । ୫୯

 

ଆର ମାସରେ ଆଇଜେନ୍ ହାଉଅର୍ ଏ ଦେଶକୁ ବୁଲି ଆସୁଚନ୍ତି ବୋଲି ଏ ଦେଶରେ ସରକାର ଏ ମାସରେ ଦେଶଟାଯାକ ସଜାଇଦେବାରେ ଭାରି ଲାଗି ପଡ଼ିଚନ୍ତି । ଘଡ଼ିକ ପାଇଁ ବା ଘଣ୍ଟାକ ପାଇଁ ସେ ଯେଉଁସବୁ ଜାଗାକୁ ଯିବେ, ସେଠାରେ ପ୍ରତ୍ୟେକ ଧୂଳିକଣାକୁ ମଧ୍ୟ ସୁନା କଣାଏ ପରି ଦେଖାଇବାକୁ ସରକାର ବଦ୍ଧପରିକର ହୋଇ ବାହାରିଚନ୍ତି । ଆମର ଏଠାକୁ ମଧ୍ୟ ଘଡ଼ିକ ଲାଗି ଆସିବେ, ଏଠି ପାଖରେ ଥିବା ଗୋଟିଏ ଗାଁକୁ କ୍ଷଣକୁ ଲାଗି ଚରଣ ଛୁଆଁଇ ଆସିବାକୁ ଯିବେ-। ସେଥିଲାଗି ଏଇ ମାସକ ଭିତରେ ସରକାର ସେହି ଗାଁଟିର ଶରୀରକୁ ବଦଳାଇ ଦେବେ ବୋଲି ବାହାରିଚନ୍ତି । ଯୋଉଠି ଭଙ୍ଗାକାନ୍ଥ ବା ଭଙ୍ଗାଘର ଥିଲା, ସେଠାରେ ନୂଆକାନ୍ଥ ଓ ନୂଆଘର ତିଆରି ହେଉଚି । ଯୋଉଠି ମାଟିକାନ୍ଥ ଥିଲା ସେଠି ଇଟାକାନ୍ଥ ତିଆରି ହେଉଚି । ଇଂରେଜ ଅମଳରେ ହାକିମ ବୁଲି ଆସିଲେ ଆମେ ଏହିପରି ଭାବରେ ଆପଣାକୁ ସଜାଇ ଅପେକ୍ଷା କରି ରହୁଥିଲୁ । ଆଗକାଳର ରାଜା ଓ ବାଦଶାହମାନଙ୍କ ଅମଳରେ ମଧ୍ୟ, ଏହିପରି ଖୂସାମତିଆ ବେଶ ପିନ୍ଧି ଆମେ ସେମାନଙ୍କର ଆତ୍ମାଭିମାନୀ ହୃଦୟରୁ ଦୟା ଓ ଦାକ୍ଷିଣ୍ୟର ବିଗଳିତ ଧାରା ବୁହାଇ ଦେଇ ପାରୁଥିଲୁ-। ସ୍ଵାଧୀନତା ପରେ ମଧ୍ୟ ଆମର ଏହି ଅସାଂସ୍କୃତିକ ଖୋଇଟି ଏ ପର୍ଯ୍ୟନ୍ତ ଯାଇନାହିଁ । ଓଲଟି ନାନାପ୍ରକାର ନୂଆ ବସନ ଓ ବିମଣ୍ଡନରେ ପୂର୍ଣ୍ଣଦର୍ପରେ ବଢ଼ି ବଢ଼ି ଚାଲିଚି, କଲ୍ୟାଣ ନାମରେ ଖାଲି କୃତ୍ରିମତା ବଢ଼ି ବଢ଼ି ଚାଲିଚି । ସେବାର ନାମରେ କେବଳ ଶ୍ରଦ୍ଧାହୀନତା ପ୍ରବଳ ହେବାରେ ଲାଗିଚି-। କିନ୍ତୁ ଆଇଜେନ୍ ହାଉଅର୍ ଥରେ ଏ ଦେଶକୁ ଆସିଲେ ହୁଏତ କେତେଟା ଘର ନୂଆ ହେବ ବା କେତେଟା ରାସ୍ତା ପକ୍‌କା ହୋଇଯିବ । କିନ୍ତୁ ଏଦେଶରେ ଜୀବନର ମୂଳଦୁଆ ଯେପରି ଶୋଚନୀୟ ଭାବରେ କଞ୍ଚା ଖୋଇ ରହିଚି, ତାକୁ ପକ୍‌କା କରିବ କିଏ, କେହି ସମସ୍ୟାର ସମ୍ମୁଖୀନ ହେବ କିଏ-?

 

୨୯ । ୧୧ । ୫୯

 

କାଲି ସଂଜବେଳେ ସେଇ ଗାଆଁଟିକୁ ଦେଖି ଯାଇଥିଲି । ପିଲାଦିନେ ସ୍କୁଲକୁ ବାବୁ ଆସିବାର ଥିଲେ ଇସ୍କୁଲ୍‌ର ଯେପରି କାୟାପଲଟ ହେଉଥିଲା, ଜେଲ୍‌କୁ ପରିଚାଳନା ବା ପରିଦର୍ଶକ ଆସିବାର ଥିଲେ ଜେଲ୍‌ଖାନାର ଯେପରି କାୟାପଲଟ ହେଉଥିଲା, ଏହି ବ୍ଲକ୍ ଗୋଟାକର ସମସ୍ତ ସରକାରୀ ଧ୍ୟାନ ଓ ଅନୁସରଣ ଖରଚ ହୋଇ ସେହିପରି ଏକ ଗାଆଁଟିର କାୟାପଲଟ କରାଯାଉଚି-। ଦାଣ୍ଡଘାଟ ତିଆରି ହେଉଚି, ମାଟି କାନ୍ଥକୁ ନୂଆ ସୁନ୍ଦର କରି ଦେଖାଇବା ପାଇଁ ନୂଆ ଇଟା ବସୁଚି, ରାସ୍ତା ସମତୁଲ ହେଉଚି, ଆଦର୍ଶ ଗୁହାଳର ନମୁନା ତିଆରି ହେଉଚି, ଆଦର୍ଶ କମ୍ପୋଷ୍ଟଖାତ ଖୋଳା ହୋଇ ରହୁଚି । ଗ୍ରାସସେବକ ହେବାକୁ ପ୍ରଶିକ୍ଷଣ ପାଉଥିବା ଶିକ୍ଷାର୍ଥୀମାନେ ଶିକ୍ଷଣକେନ୍ଦ୍ର ଛାଡ଼ି ବର୍ତ୍ତମାନ ସେଇଠାରେ ଲାଗି ପଡ଼ିଚନ୍ତି । ବି. ଡ଼ି. ଓ ସେଠାକୁ ରାତିଦିନ ଦଉଡ଼ିଚନ୍ତି । ସମସ୍ତଙ୍କର ପ୍ରାଣେଭୟ ଯେ ଗାଁକୁ ଯେପରି ଭାବରେ ଦେଖାଇବା କଥା, ସେପରି ଦେଖାଇ ନ ପାରିଲେ ହୁଏତ ଉପର ପାହିଆରେ ଥିବା ହାକିମମାନଙ୍କର ଚକ୍ଷୁଶୂଳ ହେବାକୁ ପଡ଼ିବ-। ଚାକିରୀ ହରାଇବାକୁ ପଡ଼ିବ । ଏଠାକୁ ଜବାହାରଲାଲ ଆସିବେ, ଆମେରିକାରୁ ଆଇଜେନ୍ ହାଉଆର୍ ଆସିବେ । ଗୋଟାଏ ଗାଆଁକ ପନ୍ଦର ମିନିଟ୍ ପାଇଁ ଦେଖି ସେ ଭାରତର ସବୁ ଗାଁ ବିଷୟରେ ଆପଣାର ମତାମତ ତିଆରି କରିବେ । ତାଙ୍କର ଅନୁକୂଳ ମତାମତ ଭାରତପ୍ରତି ତାଙ୍କର ଓ ଆମେରିକାରବାସୀଙ୍କର ଅନୁଗ୍ରହକୁ ଆହୁରି ଅନୁକୂଳ କରି ଆଣିବ । ତେଣୁ ଏପରି ଏକ କ୍ଷେତ୍ରରେ ପୂର୍ଣ୍ଣଧନ, ସମୟ ଓ ଅଭିନୟକଳାକୁ ଲଗାଇ ଦେଇ ନ ଲାଗିଲେ ବାଜିବ କିପରି ? ଏ ଦେଶରେ ମଣିଷର ଜୀବନକୁ ନେଇ କଣ୍ଢେଇ ଖେଳାହେଲେ ଯାଇ ତା’ର ଭାଗ୍ୟ ଫେରିବ-

 

୩୦ । ୧୧ । ୫୯

 

ଏମାନେ ଆଉ କେତେଦିନ ଏମିତି କରି ଅନାଇ ରହିବେ ? କାଲି ରେଳଗାଡ଼ିରେ ବସି ଆଗ୍ରା ସହର ତଳି ଅଞ୍ଚଳ ଦେଇ ଗଲାବେଳେ ମଇଳା ଘରମାନଙ୍କର ଭଙ୍ଗା ଝରକା ସେପାଖରୁ ଦରିଦ୍ର ଓ ଅବହେଳିତ ବେଶ ପିନ୍ଧିଥିବା ଛୋଟିଆ ପିଲାମାନଙ୍କୁ ଅନାଇ ରହିଥିବାର ଦେଖି ମୁଁ ଏଇଆ ଭାବୁଥିଲି ଦରିଦ୍ର କେତେଦିନ ଯାଇ ଅନାଇ ରହିବ, ଅଶିକ୍ଷିତ କେତେଦିନ ଯାଏ ଅପେକ୍ଷା କରିବ, ସୂପ୍ତ ମଣିଷ କେତେଦିନ ଯାଏ ଶୋଇ ରହିବ ? ବିଧାତାର ଅନୁଗ୍ରହ, ଭାଗ୍ୟର ଅନୁଗ୍ରହ ଓ ବଦାନ୍ୟ ଭାଗ୍ୟଶାଳୀ ଅନୁଗ୍ରହକୁ ଭରସା କରି ଏମାନେ ଆଉ କେତେଦିନ ଅପେକ୍ଷା କରି କରିବେ-? ଅସମ୍ମାନିତ ମଣିଷ କେତେଦିନ ଅପେକ୍ଷା କରି ରହିବ ? ଏହିସବୁ ବିଷୟରେ ମୁଁ ଯେତିକି ଭାବେ, ଭିତରଟା ସେତିକି ଅସ୍ଥିର ହୋଇଉଠେ । ମୋ’ରି ଭିତରେ ସେଇମାନଙ୍କର ପ୍ରାଣ ଛଟପଟ ହୋଇ ଉଠିବା ପରି ମନେହୁଏ, ଆପେ ଅପମାନିତ ହେଲାପରି ଲାଗେ । ଏ ଦେଶରେ କେଉଁଦିନ ଯାଇ ଏହି ଲାଜ ଲୁଚାଇବାର ଭରସା ମିଳିପାରିବ, ସବୁ ମଣିଷଙ୍କୁ ମିଳିପାରିବ ? ରାସ୍ତାରେ ଯାଉଥିବା ସମୟରେ ନିତି ଦରିଦ୍ରତା ଓ ମଳିନତା ସହିତ ସାକ୍ଷାତ୍ ହୁଏ, ଅନ୍ୟାୟର ପଥର ତଳେ କେତେ ନିସ୍ପେଷିତ ଘାସ ପତରର ରୋଦନ ଶୁଣିବାକୁ ମିଳେ,–ଅନେକଙ୍କୁ ଅବହେଳା କରି କେତେକ କରୁଥିବା ଆଡ଼ମ୍ବରଗୁଡ଼ାକ ବି ଆଖିରେ ପଡ଼େ । ଏ ଦେଶରେ ସମସ୍ତେ ଏସବୁକୁ ଯେପରି ଅତି ସ୍ଵାଭାବିକ ବୋଲି ଧରିନେଲେଣି, ସଂସାରଟାକୁ କେବଳ ଭାଗ୍ୟର ଫିସାଦ ବୋଲି ମାନିଦେଇ ସାରିଲେଣି । ଯିଏ ଅତ୍ୟାଚାରିତ ହେଉଚି, ଯିଏ ଅନାଇ ରହିଚି, ସିଏ କହୁଚି ତା’ର ଭାଗ୍ୟ ତାକୁ ଏପରି କରୁଚି । ଯିଏ ଅତ୍ୟାଚାର କରୁଚି, ଯିଏ ମଣିଷକୁ ଦଳିଦେଇ ଚାଲିଯାଉଚି, ସିଏ ବି ତା’ର ସମସ୍ତ ପାପର ଦାୟିତ୍ଵକୁ ତା’ର ସୌଭାଗ୍ୟ ଉପରେ ଲଦିଦେଇ ଯାଉଚି ।

 

୧ । ୧୨ । ୫୯

 

ଆଇଜେନ୍ ହାଉଅର୍ ବିଚପୁରୀ ଆସିବେ, ତାଙ୍କ ସହିତ ପଣ୍ଡିତ ନେହରୁ ଆସିବେ । ଭାରତର ଗ୍ରାମଜୀବନକୁ ଅଧିକ ସୁଖମୟ ଓ ଅଧିକ ଉତ୍ସାହମୟ କରିବାକୁ ଏହି ଅନୁଷ୍ଠାନ କିପରି ଉଦ୍ୟମ କରୁଚି, ଆମେରିକାର ସଭାପତି ସମ୍ଭବତଃ ସେଇ କଥା ଦେଖି ଯିବାକୁ ଆସିବେ । ଭାରତବର୍ଷକୁ ତିଆରି କରିବାର କାମରେ ଆଜି ଆମେରିକାର ଅନେକ ଧନ ଲାଗୁଚି । ଏହି ଅନୁଷ୍ଠାନଟିରେ ବି ଆମେରିକାର ଅନେକ ଧନ ଖରଚ ହେଉଚି । ଯେତେବେଳେ ଆମେରିକାର ଘର ମାଲିକ ଖୋଦ୍ ଏସବୁ କଥା ଦେଖିବାକୁ ଆସୁଚନ୍ତି, ସେତେବେଳେ ଆମକୁ ସେଥିଲାଗି ଅବଶ୍ୟ ପ୍ରସ୍ତୁତ ହେବାକୁ ପଡ଼ିବ । ଆମର ଯାହା ଯେଉଁଠି ଅଛି, ତାହାକୁ ଅଧିକରୁ ଅଧିକ ସୁନ୍ଦର କରି ଦେଖାଇବାକୁ ପଡ଼ିବ । ବିଚ୍‌ପୁରୀ ଭିତରଦେଇ ଯାଇଥିବା ରାସ୍ତାଟି ଭାରି ଅସୁନ୍ଦର ହୋଇ ପଡ଼ିଥିଲା, ବର୍ତ୍ତମାନ ଏହି ରାସ୍ତାରୁ ତାହାକୁ ସୁନ୍ଦର କରିବାକୁ ହେବ । ଗାଡ଼ିମଟର ଗଲାବେଳେ ବର୍ତ୍ତମାନ ଏହି ରାସ୍ତାରୁ ଧୂଳି ଉଡ଼ି ଆଖି ବନ୍ଦ କରି ଦେଉଚି, ତେଣୁ ତାହାକୁ ଚିକ୍‌କଣ ଓ କଳା ମଚମଚ କରି ତିଆରି କରିବାକୁ ହେବ । ସେଥିପାଇଁ ଏହି ରାସ୍ତାରୁ ପଅରିଦିନ ଧୂଳି ପୋଛା ଯାଉଥିଲା । ପଥରଗୋଡ଼ି କନ୍ଦିରୁ ଧୂଳି ପୋଛା ସରିଲେ ତା’ଉପରେ ଆଲକାତରା ଢଳାହେବ । ମୁଁ ଦେଖିଲି ଏହି କାମଟିକୁ କରୁଥିବା ଶ୍ରମିକମାନଙ୍କ ଭିତରୁ କାହାରି ଜଣକର ବୟସ ବାର ତେରରୁ ଅଧିକ ହେବନାହିଁ । ରାସ୍ତା ମଝିରେ ଧାଡ଼ିହୋଇ ବସି ଏମାନେ ବୁରୁଶ୍ ଧରି ରାସ୍ତା ସଫା କରୁଥିଲେ-

 

୨ । ୧୨ । ୫୯

 

ଆରବର୍ଷ ଡିସେମ୍ବର ପହିଲା ଦିନ ମୁଁ ଏହି ଶିକ୍ଷାନୁଷ୍ଠାନରେ ଯୋଗ ଦେଇଥିଲି । ଦୁଇ ତାରିଖଠାରୁ କ୍ଳାସରେ ପାଠ ପଢ଼ାଇବା ଆରମ୍ଭ କରିଥିଲି । ଆଜି ବରଷକ ପରେ ପଛକୁ ଅନାଇ ଦେଖିଲା ବେଳକୁ କାହିଁକି ମନ ବୋଧ ହେଉନାହିଁ । ମନରେ ସନ୍ତୋଷ ଆସୁନାହିଁ । ମୁଁ ପ୍ରକୃତରେ କାହାରି କୌଣସି ଉପକାର କରିଚି ବୋଲି କାହିଁକି ମୋଟେ ବିଶ୍ଵାସ ହେଉନାହିଁ । ମୋ’ ନିଜର ବା କ’ଣ ଉପକାର ହୋଇଚି ? ଯେଉଁ କର୍ମକ୍ଷେତ୍ରକୁ ଆସି ମଣିଷ ଆପଣାର ହୃଦୟ ଖୋଲିଦେଇପାରେ, କେବଳ ସେହିଠାରେ ହିଁ ସେ କାହାରି କିଛି କରିବା ପାଇଁ ସମର୍ଥ ହୁଏ । ଏଠାରେ ମୋ’ର ହୃଦୟ ଖୋଲିଥିଲା ପରି ମନେ ହେଉନାହିଁ । ଆବଶ୍ୟକତା ବଢ଼ିଚି, ଅତୃପ୍ତି ଓ ଅତୃପ୍ତି ଜନିତ କାମନା ପ୍ରଖରତା ବଢ଼ିଚି, କୃତ୍ରିମତା ବଢ଼ିଚି, ମଣିଷଠାରୁ ଅଧିକ ଦୂରକୁ ଚାଲିଯିବାକୁ ପ୍ରଲୋଭନ ବଢ଼ିଚି, ସ୍ଵାର୍ଥଭାବନା ବଢ଼ିଚି, ଶଙ୍କା ବଢ଼ିଚି, ଆପଣା ବିଷୟରେ ବଡ଼ ବ୍ୟାଧିତ ଭାବରେ ସଚେତ ହୋଇ ରହିବା ପାଇଁ ଏକ ମିଛସମ୍ମାନର ଜ୍ଞାନ ମଧ୍ୟ ବଢ଼ିଚି । ମୁଁ ଯେଉଁମାନଙ୍କୁ କିଛି ପଢ଼ାଇଚି, ସେମାନଙ୍କୁ ପଢ଼ାଇ ମୁଁ ନିଜେ ତୃପ୍ତି ପାଇନାହିଁ, ତେଣୁ ସେମାନେ କୌଣସି ତୃପ୍ତି ପାଇଥିବାର କଥା ଏଇଥିରୁ ହିଁ ଅନୁମାନ କରାଯାଇ ପାରେ । ସେମାନେ ମୋ’ ଠାରୁ ଯାହା ଚାହିଁଛନ୍ତି, ମୁଁ ସେମାନଙ୍କୁ ତାହା ଦେଇ ପାରିନାହିଁ । ସେମାନଙ୍କର ମନଙ୍କୁ ମୁଁ ଆଦୌ ବୁଝି ପାରିନାହିଁ । ତେଣୁ ଅନେକ ସମୟରେ ଏକ ମିଥ୍ୟା କ୍ଷମତାପନ୍ନତାର ବଶର୍ବତ୍ତୀ ହୋଇ ମୁଁ ସେମାନଙ୍କ ଉପରେ ଆପଣାକୁ ଲଦିଦେବାକୁ ଚେଷ୍ଟା କରିଚି, ସେମାନଙ୍କୁ ଅନେକ ଦୁଃଖ ଓ ପୀଡ଼ନ ଦେବାର ଅପରାଧ ଅର୍ଜନ କରିଚି । ମୁଁ ଦେବାକୁ ଚାହୁଁଥିବା ଜିନିଷକୁ ସେମାନେ ନେବାକୁ ଚାହିଁନାହାନ୍ତି । ସେମାନେ ମୋତେ ଯେପରି କାମରେ ଲଗାଇବାକୁ ଇଚ୍ଛା କରିଚନ୍ତି ସେଥିପାଇଁ ମୁଁ ହୁଏତ ଆଦୌ ଯୋଗ୍ୟ ହୋଇ ପାରିନାହିଁ । ସେଥିଲାଗି ଏହି ସମ୍ବନ୍ଧରେ ଅନେକ ଅସନ୍ତୋଷ ରହିଯାଇଚି । ତେଣୁ ବରଷକ ପରେ ଆପଣାକୁ ବଡ଼ ଦରିଦ୍ର ମନେ ହେଉଚି । ଶିକ୍ଷକର ପାଣ୍ଠିରେ ମୁଁ କିଛି ସାଇତି ରଖିନଥିଲା ପରି ମନେହେଉଚି ଏବଂ ଏହି ଶୂନ୍ୟତା ମୋତେ ବିଦାରି ଖାଇଯାଉଚି-। ଗୋଟିଏ ବରଷର ଏହି ଅନୁଭୂତିକୁ ମୁଁ ସ୍ଥିର ହୋଇ ଚିନ୍ତା କରିଚି ଓ ତାହାରି ଉପରେ ହିଁ ଚଳନ୍ତି ବର୍ଷରେ ଆପଣାର କର୍ତ୍ତବ୍ୟ କରିବାକୁ ଚେଷ୍ଟା କରିବି ।

 

୩ । ୧୨ । ୫୯

 

ଦିନେଦିନେ ଏପରି ଏକ ଅବସ୍ଥା ଆସି ପହଞ୍ଚେ ଯେତେବେଳେ ଭରସାର ଆଉ କୌଣସି ସ୍ଥାନ ରହେନାହିଁ । କେବଳ ଉପରକୁ ଅନାଇ ପରମ ସହାୟକାର ସହାୟ ନେବାଲାଗି ଡାକିବାକୁ ପଡ଼େ, ସବୁଆଡ଼ୁ ନିରାଶ ଓ କ୍ଷୁନ୍ନହୋଇ ଶେଷରେ ତାହାରି ଦୁଆରେ ସମସ୍ତ ଭାରି ଲଘୁ କରିଦେଇ ଆସିବାଲାଗି ମନ ଆକୁଳ ହୋଇଉଠେ । ସେତେବେଳେ ଆପଣା ଆଡ଼କୁ ଅନାଇବାକୁ ମଧ୍ୟ ଭୟ ଲାଗେ, ଆପଣା ଭିତରେ କେଉଁଠି ପରମସହାୟକର ସ୍ନେହମୟ ହାତ ରହିଚି ବୋଲି କୌଣସି ସୂଚନା ମଧ୍ୟ ମିଳେନାହିଁ । ଭିତରେ ନାନପ୍ରକାର ଅତୃପ୍ତି ଓ କାମନା ଦ୍ଵୈତ୍ୟ ଏକାବେଳେକେ ଗର୍ଜନ କରି ଉଠନ୍ତି । ସେହି ଦ୍ଵୈତ୍ୟଗୁଡ଼ାଙ୍କର କବଳରେ ପଡ଼ି ଯେପରି ଆଉ ନିସ୍ତାର ପାଇବାର ବାଟ ନଥାଏ । ଠିକ୍ ସେତିକିବେଳେ ତାହାରି ଚରଣ ତଳେ ଲୋଟିଯିବାକୁ ମନ ହୁଏ ଆପଣାର ଅନ୍ୟ ସକଳ ପ୍ରକାର ଆଶ୍ରୟ ଛାଡ଼ିଦେଇ ପରମ ଆଶ୍ରୟଲାଗି ହୃଦୟ ବ୍ୟାକୁଳ ହୋଇଉଠେ । ମୋର ଆଜି ସେହିପରି ଅବସ୍ଥା ହୋଇଚି । ମୋରି ଭିତରେ ଯେପରି ମୋ’ ସତ୍ତ୍ୱେ ଆଉ କିଏ ପ୍ରବଳ ହୋଇ ଉଠିଚି । ତାକୁ ଯେତେ ଏଡ଼ିବାକୁ ଚାହିଁଲେ ମଧ୍ୟ ମୋର ସକଳ ଭାବନାକୁ ସେଇ କାବୁ କରି ରଖିଚି । ଏହି ଶରୀର, ଏହି ମନ ଓ ଏଇ ହୃଦୟ ଯେପରି କେବଳ ତାହାପରି କୁହା ମାନିବା ବ୍ୟତୀତ ଆପଣାର ଅନ୍ୟ ସବୁ ସାମର୍ଥ୍ୟ ହରାଇ ବସିଚନ୍ତି । କୌଣସି ପ୍ରକାର ଭଲ ବିଚାର ବା ଭଲ କାମର ଯୋଗ୍ୟ ହୋଇ ପାରିବାଲାଗି ମୋର ଆଉ କୌଣସି ଶକ୍ତି ନାହିଁ । ସେଥିପାଇଁ ବଡ଼ ବ୍ୟାକୁଳ ଭାବରେ ଆଜି ଉପରକୁ ଅନାଇ ପ୍ରାଣ କାନ୍ଦି ଉଠୁଚି । “ହେ ଭଗବାନ, ଜୀବନରେ ସମସ୍ତେ ଛାଡ଼ିଗଲା ସଙ୍ଗେ ସଙ୍ଗେ ତୁମେ ମଧ୍ୟ ମୋତେ କାହିଁକି ଛାଡ଼ି ଚାଲିଗଲ ? ”

 

୪ । ୧୨ । ୫୯

 

ଭଗବାନ୍ ମୋତେ ଛାଡ଼ିଯାଇ ନାହାନ୍ତି, ମୁଇଁ ଆପଣାର ଅସ୍ଥିର ମନର ନାନା ମୁଗ୍‌ଧତାରେ ପଡ଼ି ତାଙ୍କୁ ଛାଡ଼ିଦେଇ ଆସିଚି । ସେ ମୋର ପାଖେ ପାଖେ ରହିଚନ୍ତି, ସେଥିଲାଗି ମନକୁ ସ୍ଥିର କରି ଦୁଆର ଖୋଲିଦେଲା ମାତ୍ରକେ ମୁଁ ତାଙ୍କୁ ଅନୁଭବ କରିପାରୁଚି, ମୋର ପରମ ସାଥୀ ଓ ସହାୟକ ରୂପେ ଅନୁଭବ କରିପାରୁଚି । ମୋର ପରମ ଅବଲମ୍ବନ ରୂପୀ ଅନୁଭବ କରିପାରୁଚି । ତାଙ୍କୁ ଆପଣା ପାଖରେ ଅନୁଭବ କରିବା ମାତ୍ରକେ ସବୁ ଭଲ ଲାଗୁଚି । ଜୀବନ ଭଲ ଲାଗୁଚି, ଏଇ ବାଟ ଚାଲିବା ଭଲ ଲାଗୁଚି, ବାରବାର ହଜାଇ ବାରବାର ଖୋଜିବାକୁ ଭଲ ଲାଗୁଚି-। ଏହି ସଂସାରର ସବୁ ମଣିଷ ବଡ଼ ଆପଣାର ମନେ ହେଉଚନ୍ତି । ପ୍ରକୃତି ସୁନ୍ଦର ଦିଶୁଚି । ଆପଣାପ୍ରତି ଶ୍ରଦ୍ଧାବଶ ହୋଇ ମୁଁ ଆପଣାର ନିକଟବର୍ତ୍ତୀ ନହୋଇ ଆସୁଚି । କିନ୍ତୁ ଜୀବନର ଅସ୍ଥିର ମୁହୂର୍ତ୍ତରେ ମୁଁ ସବୁହରାଇ ବସୁଚି, ବଡ଼ ଦରିଦ୍ର ଓ ନିଃସ୍ଵ ହୋଇପଡ଼ୁଚି, ଶୂନ୍ୟ ମନରେ ରୋଦନ କରିବାର ମୋହାତିଶଯ୍ୟ ମୋତେ ବଡ଼ ଉଗ୍ର କରି ପକାଉଚି । ଏହି ଉଗ୍ରତାରେ ମୋର ଆଖି ବୁଜିହୋଇ ଯାଉଚି, ଏ ଜୀବନରେ ମୁଁ କାହାରିକୁ ଦେଖି ପାରୁନାହିଁ । କେବଳ ଆପଣା ସହିତ ସ୍ଵତନ୍ତ୍ର ଦ୍ଵନ୍ଦ୍ଵ ଲଗାଇ ଶତ୍ରୁତା ଭିଆଇ ମୁଁ ଆପାଣାର ବିନାଶ କରି ଚାଲିଚି ଆପଣା ଭିତରେ ବଡ଼ ଅସୁନ୍ଦର ହୋଇପଡ଼ୁଚି । ଏହି ଅସ୍ଥିରମନତା କାହିଁକି ଏହି ଅସୁନ୍ଦରତା କାହିଁକି ? କାହିଁକି ଆପଣା ଭିତରେ ଆପେ ଏପରି ଅଣନିଶ୍ଵାସୀ ହୋଇ ଯାଉଚି, ମୁଁ କାହିଁକି ସବୁକ୍ଷେତ୍ରରେ ସହଜଭାବେ ପ୍ରସାରିତ ହୋଇ ପାରୁନାହିଁ ଜୀବନର ନାନା ଅବସରରେ ମଣିଷ ସହିତ ଏକାତ୍ମି ହୋଇ ପାରୁନାହିଁ-? ଏହି ଭୟ, ଏହି କାତରତା କେଉଁଠିପାଇଁ, ଏ ଅସ୍ଥିରଚିତ୍ତତା କେଉଁଥିପାଇଁ ? ସଂସାର ଭିତରେ ରହି କେଉଁ ଦୁଃଖର ତାପରେ ମୁଁ ଏପରି ଏକାକୀ ଓ ଜର୍ଜର ହୋଇ ପଡ଼ିଚି ? କେଉଁଠି ଯେପରି କେତେ ଦ୍ଵାର ବନ୍ଦ ହୋଇ ଗଲାଣି । ମୁଁ ଯେଉଁ ମୁଖରେ ସୃଷ୍ଟିର ଜୀବନସୁଧାରସ ପାନ କରୁଥିଲି, ସତେ ଯେପରି କେତେ ପଙ୍କରେ ସେହିସବୁ ମୁଖ ବନ୍ଦ ହୋଇ ଯାଇଚି । ନାନପ୍ରକାର ଅନ୍ୟମୟତା ମୋତେ ଆଲୋକଧାରାରୁ ବାରିତ କରି ରଖିଚି । ଏ ଜୀବନକୁ ବଞ୍ଚିତ ରଖିଚି, ମୋତେ ବଡ଼ ଉପବାସୀ କରି ରଖିଚି ।

 

୫ । ୧୨ । ୫୯

 

ତଥାପି କହିବି, ହେ ଭଗବାନ, ତୁମେ ମୋତେ ଛାଡ଼ି ଯାଅନାହିଁ । ଆପଣାର ଇଚ୍ଛାରେ ତାଙ୍କର ଇଚ୍ଛା ନିମିଶିଲା ପର୍ଯ୍ୟନ୍ତ, ଆପଣାର ଯୋଜନା ତାଙ୍କ ଯୋଜନାର ସହଯୋଗୀ ହୋଇ ନ ପାରିବା ପର୍ଯ୍ୟନ୍ତ ଏ ଜୀବନରେ ଯେପରି କୌଣସି ଆନନ୍ଦ ନାହିଁ, କୌଣସି ସରାଗ ନାହିଁ । କେବଳ ମୋର ଦମ୍ଭ ଓ ମୋର ଉତ୍ସାହ ମୋତେ ରାତିର ସବୁପ୍ରକାରର ଅନ୍ଧାରରେ ବାଟ ଚାଲିବାକୁ ସମର୍ଥ କରି ପାରିବନାହିଁ । ମୋ’ ସହିତ ତାଙ୍କର ଦମ୍ଭ ରହିବା ଉଚିତ, ତାଙ୍କର ଉତ୍ସାହ ରହିବା ଉଚିତ, ମୋ’ ହୃଦୟ ଭିତରେ ତାଙ୍କରି ସହିତ ସହଯୋଗ କରିବାର ଇଚ୍ଛା ତାଙ୍କର ବିଗ୍ରହ ଧାରଣ କରି ସିଂହାସନ ସ୍ଥାପିତ ହୋଇ ରହିବା ଉଚିତ । ମୋ’ର ଦୂର୍ବଳତା, ମୋ’ର ଦୁଃଖ, ମୋର ବିଚ୍ଛିନ୍ନତା ଓ ବିରାଗ ବେଳେ କେବଳ ସେଇ ମୋତେ ହାତ ଧରି ନେଇଯିବେ । ସହଯୋଗୀ ସାଥୀ ହୋଇ ଆକାଶ, ଆଲୁଅ ଓ ପବନର ଜୀବନରଜ୍ଜୁ ବଢ଼ାଇଦେଇ ସେ ମୋତେ ନିଶ୍ଚୟହୀନତା ଓ ବିଶ୍ଵାସ-ହୀନତାରୁ ଉଦ୍ଧାର କରି ନେଇଯିବେ । ତେଣୁ ମୁଁ ତାଙ୍କୁ ହିଁ ପ୍ରାର୍ଥନା କରିବି, ତାଙ୍କର ଭରସାକୁ କରି ରଖିବ । ଜୀବନରେ ଦୁର୍ବଳତାର ଭାରରେ ଭାଙ୍ଗି ପଡ଼ିଲାବେଳେ ମୁଁ ତାଙ୍କୁ ସମସ୍ତ ଦୃଦୟ ଦେଇ ଡାକିବ, ମୋର ସମସ୍ତ ବିଶ୍ଵାସ ଦେଇ ତାଙ୍କୁ ସ୍ଵୀକାର କରିବି । ବାରବାର କହିବି, “ହେ ଭଗବାନ୍, ତୁମେ ମୋତେ ଛାଡ଼ି ଯାଅନାହିଁ ।”

 

୬ । ୧୨ । ୫୯

 

ଯେଉଁ ଜୀବନରୁ ଭଗବାନ ଛାଡ଼ି ଚାଲି ଯାଉଚନ୍ତି, ତାହାକୁ ମୁଁ ଜୀବନ ବୋଲି କହି ପାରିବ ନାହିଁ । ଏବେ କେତେଦିନ ହେଲା ଆପାଣର ଜୀବନକୁ ଠିକ୍ ଏହିପରି ଏକ ଜୀବନ ବୋଲି ମନେ ହେଉଚି । ସେଥିଲାଗି ଏ ଜୀବନକୁ ଛାଡ଼ି ଚାଲିଯିବା ଲାଗି ମନ ବଳୁଚି । ଯନ୍ତ୍ରପରି କାମ କରିବା ଓ ଅର୍ଥ ଉପାର୍ଜନ କରିବା ଯନ୍ତ୍ରପରି ସମାଜ ନାମରେ କେତେଟା ଫେଶନ ଓ କେତେଟା ପରମ୍ପରାର ଅନୁଗତ ଦାସ ହୋଇ ରହିବା, ଆପଣା ଜୀବନରେ ପୋଷାଜୀ ଅବସରମାନ ସୃଷ୍ଟି କରି ତାହାରି ବଡ଼େଇ କରିବା ଓ ସେଇ ବଡ଼େଇ କରିବାକୁ ହିଁ ସଂସ୍କୃତି ଓ ରୁଚି ବୋଲି କହିବା,-ମୁଁ ଏହାକୁ ଜୀବନ ବୋଲି କହିବାକୁ ପ୍ରସ୍ତୁତ ନୁହେଁ । ଏପରି ଜୀବନ ମୁଁ ଆଦୌ ଚାହୁନାହିଁ,–ମୋର ସମସ୍ତ ଦୁର୍ବଳତା ସତ୍ତ୍ୱେ ମୁଁ ଅତ୍ୟନ୍ତ ଦୃଢ଼ତାର ସହିତ ଏକଥା କହି ପାରିବ । ଏହିପରି ଏକ ଜୀବନରୁ ଭଗବାନ ଛାଡ଼ି ଚାଲିଯାଆନ୍ତା ବୋଲି ମୁଁ କହିବି । ଏଥିରେ ସମ୍ପର୍କ ଥାଏ, ବ୍ୟୟ ଓ ଉପଭୋଗ ଥାଏ, ମନ୍ଦିର ଓ ମୂର୍ତ୍ତିର ସାଜସଜ୍ଜା ଭର୍ତ୍ତି ହୋଇ ରହିଥାଏ, ତଥାପି ଏହା ଭିତରେ ଭଗବାନ ନଥାନ୍ତୁ । ମୋର ଜୀବନଟା ବି ଯେପରି ସେହିପରି ଏକ ନାସ୍ତିଆଡ଼କୁ ମୁହିଁଇବାରେ ଲାଗିଚି । ଏହାରି ଭିତରେ ମୁଁ ସତେଯେପରି ଆଣ୍ଠୁଏ ପର୍ଯ୍ୟନ୍ତ ବୁଡ଼ିରହିବାକୁ ଆରମ୍ଭ କଲିଣି । ତେଣୁ ସେହି ଉତ୍ସାହ, ସବୁଦିନ ସକାଳେ ନୂତନ ଆଲୋକର ପ୍ରସନ୍ନତା ନେଇ ସଂସାରରେ ପ୍ରବେଶ କରିବା, ସବୁରି ମୁହିଁ ଉପରେ ଆପଣା ଅନ୍ତରର ସହୋଦରକୁ ଅନୁଭବ କରିବା, ସବୁପ୍ରକାର ସମ୍ପର୍କରେ ଆପଣାର ଏକ ସୂତ୍ରତା ଉପଲବ୍‌ଧି କରିବା,–ଯେପରି କିଛି କୁଆଡ଼େ ଛାଡ଼ି ଚାଲିଯାଉଚି-। ତେବେ ଏହି ମୃତ ଜୀବନରେ ଆଉ କାର୍ଯ୍ୟ କ’ଣ, ଏହି ମୃତ ବିତ୍ତମୟ ଜୀବନକୁ ଜୀବନକୁ ସମ୍ପଦ ବୋଲି ମନେକରି ମୁଁ କାହିଁକି ସବୁ ସମ୍ପର୍କ ହରାଇ ବସିବାର ବିପତ୍ତିରେ ପଡ଼ିବାକୁ ଯିବ ? ମୋତେ ପ୍ରଶ୍ନର ସମାଧାନ କିଏ ଦେବ ?

 

୭ । ୧୨ । ୫୯

 

କାଲି ଆଲୋଚନା ବେଳେ ଜଣେ ଆମେରିକାବାସୀ ସମାଜଶାସ୍ତ୍ରବିତ୍ ପଣ୍ଡିତ କହିଲେ ଯେ ପରିବର୍ତ୍ତନ,-ତାହା ଯେକୌଣସି ସ୍ତରର ପରିବର୍ତ୍ତନ ହେଉନା କାହିଁକି,-ଆଦୌ ସହଜସାଧ୍ୟ ନୁହେଁ । ଭାରତର ସାମାଜିକ ଜୀବନରେ ପରିବର୍ତ୍ତନ ଆଣିବାକୁ ହେଲେ ଏହି ଦେଶକୁ ବର୍ତ୍ତମାନ କୋଡ଼ିଏ ପଚିଶି ବର୍ଷ ବଡ଼ କଷ୍ଟକର ସମୟ ଭିତର ଦେଇ ଯିବାକୁ ପଡ଼ିବ । ଅନେକ ପୁରୁଣା ବିଶ୍ଵାସ ଭାଙ୍ଗିବାକୁ ପଡ଼ିବ, ଅନେକ ଅଭ୍ୟସ୍ତ ପୁତ୍ତଳିରେ ଲିପ୍ତ ହୋଇ ରହିବାର ଅଭ୍ୟାସକୁ ଭାଙ୍ଗିବାକୁ ପଡ଼ିବ, ସମାଜ ଓ ମଣିଷକୁ ଏକ ନୂତନ ଭୂମିରେ ଓ ନୂତନ ଦୃଷ୍ଟିରେ ଦେଖିବାକୁ ପଡ଼ିବ, ଅର୍ଥାତ୍ ଆପଣାକୁ ଏକ ନୂତନ ଭୂମି ଓ ନୂତନ ଦୃଷ୍ଟିରେ ଦେଖିବାକୁ ପଡ଼ିବ । ଏହି ଶେଷ ସମସ୍ୟାଟି ହେଉଚି ସବୁଠାରୁ ବଡ଼ ସମସ୍ୟା କାରଣ ସେଇଟି ହେଉଚି ମୂଳ ସମସ୍ୟା । ଗୁଡ଼ାଏ ଆଇନ୍ ପାସ୍ ହୋଇଗଲେ ଦେଶ ଉଦ୍ଧାର ପାଇବ ନାହିଁ । ଗୁଡ଼ାଏ ବ୍ୟବସାୟ ଆରମ୍ଭ ହୋଇ ଜିନିଷରେ ବଜାର ଭର୍ତ୍ତି ହୋଇଗଲେ ମଧ୍ୟ ଏ ସମାଜରେ ପରିବର୍ତ୍ତନ ହେବନାହିଁ । ବାହାରୁ କେଉଁ ଦେଶରୁ ଗୁଡ଼ାଏ ଟଙ୍କା ଆଣି ଏ ଦେଶରେ ବଞ୍ଚିଦେଲେ ଏ ଦେଶର ସମାନ ବଦଳିବ ନାହିଁ । ଯେକୌଣସି ପରିବର୍ତ୍ତନକୁ ଯଥାର୍ଥ ପରିବର୍ତ୍ତନରେ ପରିଣତ କରିବାକୁ ହେଲେ ମଣିଷକୁ ବି ବଦଳିବାକୁ ହେବ, ଆଗ ମୋତେ ଓ ତୁମକୁ ବଦଳିବାକୁ ହେବ । ବଦଳିବାର ଆବଶ୍ୟକତାକୁ କେବଳ ବାହାର ଆଇନ୍ ବା ଚାପ ହେତୁ ନୁହେଁ, ଭିତରୁ ମଧ୍ୟ ଅନୁଭବ କରିବାକୁ ହେବ । ପୁରୁଣା ପ୍ରତି ଏକ-ପ୍ରକାର ଅନ୍ତର୍ଗତ ଅସହିଷ୍ଣୁତା ଅବଲମ୍ବନ କରିବାକୁ ପଡ଼ିବ । ମୁଁ ଓ ତୁମେ ଏପର୍ଯ୍ୟନ୍ତ ମଣିଷକୁ ଯେଉଁ ଆଖିରେ ଦେଖି ଆସିଥିଲେ, ସେହି ଦେଖିବାର ଢଙ୍ଗକୁ ବଦଳାଇବାକୁ ପଡ଼ିବ ଏବଂ ଏକଥା ଆଦୌ ସହଜ ନୁହେଁ । ଏଥିଲାଗି ଅନେକ ବର୍ଷ ଲାଗିବ, ଅନେକ ଉଦ୍ୟମ ଆବଶ୍ୟକ ହେବ ।

 

୮ । ୧୨ । ୫୯

 

ବକ୍ତା କହିଲେ, ମଣିଷର ଜୀବନରେ ତିନୋଟି ଜିନିଷ ଦରକାର ସଂଯମ, ସଂବର୍ଦ୍ଧନ ଓ ସମର୍ପଣ । ପ୍ରଥମେ ଆପଣାକୁ ସଂଯତ କରିବାକୁ ହେବ, ଆପଣାକୁ ବହିର୍ମୁଖରୁ ଅନ୍ତର୍ମୁଖ କରିବାକୁ ହେବ । ତା’ପରେ ନାନା ଦିଗରେ ଓ ନାନା କ୍ଷେତ୍ରରେ ଆପଣାକୁ ସଂବର୍ଦ୍ଧିତ ବା ବିକଶିତ କରିବାକୁ ହେବ । କାହାଉପରେ ଛାଇ ହୋଇ ମାଡ଼ି ରହିବାର ସଂବର୍ଦ୍ଧନ ନୁହେ ବା କାହାକୁ ଦଳିଦେଇ ଆଗକୁ ଯିବାର ବା ବିକଶିତ ହେବାର ମତିଭ୍ରମ ନୁହେ,–ଫୁଲଟି ପରି ଆପଣା ଗନ୍ଧରେ ଓ ଆପଣା ମହିମାରେ ବିକଶିତ ହେବା ହିଁ ଯଥାର୍ଥ ସଂମ୍ବର୍ଦ୍ଧନା । ବିକଶିତ ହୋଇ ସାରିଲେ ଫୁଲ ଆପଣାକୁ ବିତରିତ କରିଦିଏ, ଆପଣା ସାଧନାର ଧନକୁ ସକଳର ହୃଦୟଧନରେ ପରିଣତ କରିଦିଏ । ଯାହା କେବଳ ଆପଣାର ହୋଇଥାଏ, ତାହାକୁ ସବୁରି କରିଦେଇ ସେ ଧନ୍ୟ ହୁଏ । ସଂବର୍ଦ୍ଧନ ସହିତ ଏହିପରି ସମର୍ପଣ ରହିଥିବା ଦରକାର । ଆପଣାର ବିକାଶ ସହିତ ଆପଣାର ବିତରଣ ମଧ୍ୟ ରହିବା ଦରକାର । ଏହି ତିନୋଟି ଶବ୍ଦ ସହିତ ମୋର କେବଳ ଟିକିଏ ଟିକିଏ ଯୋଡ଼ିଦେବାର ଅଛି-। ସଂଯମର ଅର୍ଥ କେବଳ ଆତ୍ମସଂଯମ ହେବା ଉଚିତ । ଯେଉଁ ସଂଯମର ଉନ୍ମେଷ ଭିତରୁ ନହୁଏ, ଯାହାର ପ୍ରେରଣା ମଣିଷକୁ ଭିତରୁ ସଂଯମ ହେବାଲାଗି ପ୍ରେରଣା ନକରେ, ତାହା ସଂଯମ ନୁହେଁ । ତାହା ଭୟର ଓ ଆତ୍ମବିକ୍ରୟର ବୋଝ ମାତ୍ର । ସଂବର୍ଦ୍ଧନର ଅର୍ଥ କେବଳ ଲୋଭପ୍ରବୃତ୍ତ ସଞ୍ଚୟ କଦାପି ନୁହେଁ, ସଂବର୍ଦ୍ଧନର ଅର୍ଥ ଉତ୍ତୋଳନ । ଆପଣାର ଦୃଷ୍ଟିର ଉତ୍ତୋଳନ, ରୁଚିର ଉତ୍ତୋଳନ, ଶ୍ରଦ୍ଧାର ଉତ୍ତୋଳନ ଓ ଅନୁଭୂତିର ଉତ୍ତୋଳନ । ତା’ ନହେଲେ ପଦେପଦେ ପ୍ରମାଦ ରହିଚି । ସମର୍ପଣ ଅର୍ଥାତ୍ ଭଗବାନଙ୍କ ପାଖରେ ସମର୍ପଣ । ପଡ଼ିଶା ପାଇଁ ନୁହେଁ, ଦେଶପାଇଁ ନୁହେଁ, ଜାତିପାଇଁ ନୁହେଁ ବା ପତକା ପାଇଁ ନୁହେଁ । କେବଳ ଇଶ୍ଵର ସମର୍ପଣ ହିଁ ସବୁପ୍ରକାର ସମର୍ପଣକୁ ସମର୍ପିତ ହେବାର ଯୋଗ୍ୟ କରାଇପାରେ ।

 

୯ । ୧୨ । ୫୯

 

ଏହି ସଙ୍କଟରୁ ମୁଁ ପଳାଇବାକୁ ଚାହୁଁନାହିଁ । ଅଧିକ ଶ୍ରଦ୍ଧା ଓ ସାହସ ସଂଗ୍ରହ କରି ମୁଁ ସକଳ ସଙ୍କଟର ସମ୍ମୁଖୀନ ହେବାକୁ ଚାହୁଚି । ଜୀବନର ଯନ୍ତ୍ରଣାରେ ମୁଁ ମର୍ମାହତ ନୁହେଁ । ଦୁଃଖ ଓ ବନ୍ଧୁରପଥ ଦ୍ଵାରା, ମୁଁ ବିଚଳତ ନୁହେଁ । ମୁଁ ଜାଣେ, ଏହିପରି ଯନ୍ତ୍ରଣା ଓ ଈଶ୍ଵରୀୟ ଦୁଃଖରେ ପୋଡ଼ିହୋଇ ପାରିଲେ ହିଁ ଆପଣାକୁ ସ୍ଵକୀୟ ମଣିଟି ବାହାରକୁ ଉଦ୍‌ଭାସିତ ହୋଇ ପାରିବ । ଏହି ସଂସାରକୁ କେବଳ ଏହି ସଂସାରଭିତରେ ସୀମାବଦ୍ଧ କରି ଦେଖିବାକୁ ମୋର ସମର୍ଥତା ନାହିଁ,–ମୋର ଅସୁବିଧା କେବଳ ଏତିକି । ଏହି ଜୀବନକୁ ଚତୁରତା ମୁଁ ଶିଖିବାକୁ ଚାହୁଁନାହିଁ । ମୋର ପ୍ରତ୍ୟେକ ମୁହୂର୍ତ୍ତର ଆବଶ୍ୟକତା ସବୁ ମୁହୂର୍ତ୍ତର ପରମ ଅବଶ୍ୟକତାର ଭୂମି ଉପରେ ଦେଖିବାକୁ ଚାହେଁ । ମୁଁ ମଣିଷକୁ ପରମାର୍ଥର ଭୂମି ଉପରେ ଅନୁଭବ କରିବାକୁ ଚାହେଁ । ଆପଣାକୁ ଆପଣାର ସୀମାତୀତ ଏକ ଡୋର ଭିତରେ ଶାନ୍ତ ହୋଇ ବସିଥିବାର ଦେଖିବାକୁ ଚାହେଁ । ଏହା ବ୍ୟତୀତ ମୋର ଅନ୍ୟ କୌଣସି ନିଶା ନାହିଁ । ଅନ୍ୟ କୌଣସି ଆପତ୍ତି ନାହିଁ । ଜାଣେନା ଏହାଦ୍ୱାରା ମୁଁ କାହାର କେତେ ସୁଖର ବା ଦୁଃଖର ଭାଜନ ହୋଇ ପାରିବି । ହୁଏତ ଅନେକଙ୍କୁ ନିରାଶ କରିବି, ଅନେକଙ୍କୁ ରୁଷ୍ଟ କରିବି । କିନ୍ତୁ ଏଥିଲାଗି ମୁଁ ନାଚାର । ମୋତେ ମୋ’ର ବାଟରେ ଯିବାକୁ ହିଁ ପଡ଼ିବ-

 

୧୦ । ୧୨ । ୫୯

 

ଏହି କାମନାକୁ ଟାଣିବାକୁ ହେବ । ଏଥର ଏହି ଆସକ୍ତିକୁ ପାର ହେବାକୁ ପଡ଼ିବ । ଏହି ଦୁଆରଟିକୁ ଡେଇଁ ଭିତରେ ପ୍ରବେଶ କରିବାକୁ ପଡ଼ିବ । କିନ୍ତୁ ମୁଁ ସତେଅବା ଏଇଠାରେ ଆସି ଅଟକି ଯାଇଚି, ମୋର ସମସ୍ତ ଉତ୍ସାହ ଓ ଆଗ୍ରହକୁ ମୁଁ ସତେଅବା ଦୁଆରବନ୍ଧର ଏଇ ପାଖରେ ହିଁ ସାରିଦେବାର ଦୁର୍ବୁଦ୍ଧି ନେଇ ବସିଚି । ସେଥିଲାଗି ମୋତେ ସର୍ବଦା ନାନା ଦୀନତା ହେତୁ ବ୍ୟାକୁଳ ରହିବାକୁ ପଡ଼ିଚି । ସେଥିଲାଗି ମୋର ଚାହିଦା ମଧ୍ୟ ବଡ଼ ଛିନ୍ନଭିନ୍ନ ଓ ବିଭକ୍ତ ହୋଇଯାଉଚି । ମୋର ଚିତ୍ତ ଭାରି ଅସ୍ଥିର ହୋଇ ପଡ଼ୁଚି, ପଛକୁ ଅନାଇ ମୁଁ ବେଳେବେଳେ ମୋର ସକଳ ବ୍ୟର୍ଥପଥକୁ ଦେଖିବାକୁ ଚାହୁଁଚି, ଭିତରକୁ ଅନାଇ ମୋର ମସସ୍ତ କ୍ଷତଗୁଡ଼ାକୁ ମୁଁ ବେଶ୍ ଅନୁଭବ କରି ପାରୁଚି । ଏପରି କାହିଁକି ହେଲା ? ଦୂରର ପଥିକ ମୁଁ କାହିଁକି ଏହି କାଦୁଅ ଭିତରେ ଆସି ଅଟକିଗଲି । ମୋ’ ଆଖିରେ ସବୁ ଦେଖିବା ଭିତରେ ଏତେ କାଳିମା କାହିଁକି ଭର୍ତ୍ତି ହୋଇଗଲା ? ମଣିଷର ଭିତରକୁ ଯାଇ ତାକୁ ଜଣେ ସାଥୀ ବାଟୋଇ ପରି ଦେଖିବାକୁ କଳାକୁ ମୁଁ କେଉଁ ଦିନଠାରୁ ଭୁଲି ବସିଲି ? ଏହି କାମନା ଓ ଆସକ୍ତି କେଉଁଠାରୁ ଆସେ ? ଏଗୁଡ଼ାକୁ କେବଳ ବାହାରର ପ୍ରଲୋଭନ ବୋଲି କହିଦେଇ ମୁଁ କ’ଣ ନିଶ୍ଚିନ୍ତ ରହିବି ? ମୋର ଭିତରଟା ସହିତ କ’ଣ ଏସବୁର କୌଣସି ସମ୍ବନ୍ଧ ନାହିଁ, ନିଜ ଭିତରେ ଆତ୍ମବିସ୍ମୃତ ହୋଇ ମୁଁ କ’ଣ ଏଗୁଡ଼ାକ ପାଇଁ କୌଣସିପ୍ରକାର ସ୍ଥାନ ପ୍ରସ୍ତୁତ କରି ରଖିନାହିଁ ? ନା ଅନ୍ତରାଶକ୍ତିର ପଥ ଭୁଲିଗଲେ ମଣିଷ ନାନାପ୍ରକାର ଅନ୍ୟାନ୍ୟ ଆସକ୍ତିରେ ଶତଚ୍ଛିନ୍ନ ହୋଇରହେ, ଅନ୍ତର୍କାମନାର ମାର୍ଗ ଭୁଲିଗଲେ ମଣିଷ ନାନାପ୍ରକାର ଅନ୍ତର୍କାମନାର ଜଞ୍ଜାଳ ଭିତରେ ଜଳିହୋଇ ମରେ । ତେଣୁ ଆପଣାକୁ ଉତ୍ତୋଳିତ କରିବାକୁ ହେବ, ଆପଣାର ଆସକ୍ତିକୁ ଆହୁରି ଗଭୀର କରିବାକୁ ହେବ । ଆପଣାଉପରେ ଅପ୍ରସନ୍ନ ହୋଇ ବସିଲେ ଚିତ୍ତପ୍ରସନ୍ନତା ଫେରିପାଇବା ସମ୍ଭବ ନୁହେଁ ଆପଣାଉପରେ ବିରକ୍ତ ହୋଇ ପଡ଼ିଲେ ହୃଦୟାନୁରାଗର ବିକାଶ ସମ୍ଭବ ନୁହେଁ । ଏଇଟା ମୋର ବାଟ ନୁହେଁ । ମୁଁ ବୈରାଗୀ ହେବାକୁ ଚାହେନାହିଁ ।

 

୧୧ । ୧୨ । ୫୯

 

ଆମର ଏଇ ଶିକ୍ଷାନୁଷ୍ଠାନ ବିଷୟରେ କାଲି ରେଡ଼ିଓରେ ଏକ କାର୍ଯ୍ୟକ୍ରମ ଥିଲା । ପ୍ରାୟ ଦଶଦିନ ତଳେ ରେଡ଼ିଓବାଲା ଏଠାକୁ ଆସିଥିଲେ ଓ ଆଉ କେତେଜଣଙ୍କଠାରୁ ଏହି ଅନୁଷ୍ଠାନର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ କାଥାମାନ ରେକର୍ଡ଼ କରି ନେଇଥିଲେ । କାଲି ଛାତ୍ର ଓ ଶିକ୍ଷକ ଆମେ ଅତି ଆଗ୍ରହରେ ସେହି କାର୍ଯ୍ୟକ୍ରମଟିକୁ ରେଡ଼ିଓରେ ଶୁଣୁଥିଲୁ । ଯେତେବେଳେ ମଣିଷ ଆପଣାର କୌଣସି କାର୍ଯ୍ୟ ବିଷୟରେ ଅନ୍ୟମାନଙ୍କୁ କିଛି କହିବାକୁ ଯାଏ ସେତେବେଳେ ସେ ତାହାକୁ ଟିକିଏ ସଜାଇ କରି କହିଥାଏ, ଟିକିଏ ଅତିରଞ୍ଜାଇ କହିଥାଏ । ତା’ ମନଭିତରେ ତା’ର କାର୍ଯ୍ୟ ବା ତା’ର ଅନୁଷ୍ଠାନ ସମ୍ବନ୍ଧରେ ଯେଉଁ ଆଦର୍ଶ–କଳ୍ପନା ରହିଚି, ବାସ୍ତବସ୍ଥିତି ସହିତ ସେହି କଳ୍ପନାର ସୁନାପୁଟ ଲଗାଇଦେଇ କହିବାଲାଗି ସେ ଭାରି ଆଗ୍ରହ ପ୍ରକାଶ କରିଥାଏ । ସେହି ଦୃଷ୍ଟିରୁ ଦେଖିଲେ କାଲିର କାର୍ଯ୍ୟକ୍ରମରେ ଆମେ କେତେକେ ମିଛକଥା କହିଲୁ ବୋଲି ଆମକୁ ବେଶ୍ ଅପବାଦ ଦିଆଯାଇ ପାରିବ । ଅର୍ଥାତ୍ ଆମର କାମ, ଆମର ଶିକ୍ଷା ଓ ଆମର ସମ୍ବନ୍ଧ ଭିତରେ ଆମେ ପ୍ରକୃତରେ ଯେଉଁସବୁ ଆଦର୍ଶ ସ୍ଥାନୀୟ ସ୍ତରର ସୀମା ସୁଦ୍ଧା ମାଡ଼ିନାହୁଁ, ସେହିଗୁଡ଼ାକୁ ଆମ ଏଠାକାର ନିତିଦିନର କଥା ବୋଲି ଆମେ କାଲି କହିଲୁ । ଏଇଟାକୁ କେହି ମିଥ୍ୟା ବୋଲି କହିଲେ ଆମେ କୌଣସି ଆପତ୍ତି କରି ପାରିବୁନାହିଁ । କିନ୍ତୁ ମୁଁ ତଥାପି କହିବି ଯେ ଶହେଜଣ ବିଦ୍ୟାର୍ଥୀଙ୍କ ଭିତରେ ଯଦି ଜଣେ ବା ଦୁଇଜଣ ମଧ୍ୟ ଏହି ଆଦର୍ଶରେ ଅନୁପ୍ରାଣିତ ହେବେ, ଏହି ଦେଶର ନାନା ପ୍ରଲୋଭନ ଚକ୍ରାନ୍ତ ମଧ୍ୟ ଯଦି ସେମାନେ ତଥାପି ଆପଣାକୁ ସମାଜଲାଗି ପ୍ରସ୍ତୁତ କରି ପାରିବେ, ତେବେ ଏହି ଅନୁଷ୍ଠାନର ଯାବତୀୟ ଉଦ୍ୟମ ଅନେକ ପରିମାଣରେ ସଫଳ ହୋଇ ପାରିବ । ଅନୁଷ୍ଠାନର ସକଳ ଆଦର୍ଶର ଆହ୍ଵନାକୁ ସେଇ ଉପଯୁକ୍ତ ଜବାବ ଦେଇପାରିବ ।

 

୧୨ । ୧୨ । ୫୯

 

ଗୋଲାମ ଦେଶ ମଧ୍ୟ ଦିନେଦିନେ ନାନପ୍ରକାର ଶୋଭା ଓ ସଜାସଜ୍ଜାରେ ଚମକି ଉଠେ-। ଶ୍ରୀଯୁକ୍ତ ଆଇସେନ୍ ହାଉଅର୍ ଆସିବେ ବୋଲି ଆମର ବିଚ୍‌ପୁରୀ ସେହିପରି ଚମକିବାରେ ଲାଗିଚି । ବର୍ତ୍ତମାନ ଏଠାରେ ଦିନରାତି କାମ ଚାଲିଚି, ପିଲାବୁଢ଼ା ସମସ୍ତଙ୍କୁ ଖଟାହୋଇ ରାସ୍ତା ତିଆରି ହେଉଚି । ଏଣିକି ଆମେ ଭଲ ରାସ୍ତାରେ ଶୁଖିଲା ପାଚିଲା ଗୋଡ଼ରେ ବାଟ ଚାଲି ପାରିବୁ ବୋଲି ମନେମନେ ଭାଗ୍ୟକୁ ଧନ୍ୟବାଦ ଦେଉଚୁ । ପୋଲିସ୍‌ଙ୍କ ପଲରେ କାଲି ଏହି ଶିକ୍ଷାନୁଷ୍ଠାନ ଗୋଟାଏ ଛାଉଣି ପରି ଦେଖାଯାଉଥିଲା । ଦିନମାନ ସେମାନଙ୍କର ସଜାଘଟା ଦେଖି ଏ ଦେଶ ଏପର୍ଯ୍ୟନ୍ତ ଗୋଲାମ ହୋଇ ରହିଚି । ମୁଁ ତାହାର ଆଉ ଏକ ପ୍ରମାଣ ପାଇଲି । ନିତିଦିନ ଏ ଦେଶର ପେଟ ପୂରେନାହିଁ ଏଦେଶ ପ୍ରତ୍ୟେକ ଘରେ ନିତିଦିନ ଚୂଲି ଜଳେନାହିଁ, ତଥାପି ବଡ଼ଲୋକର ବରାଦ ଅନୁସାରେ ଦିନେଦିନେ ଖୁସୀ ହେବାକୁ ପଡ଼େ, ଦିନେଦିନେ ପତାକା ଉଡ଼ାଇବାକୁ ପଡ଼େ, ଦିନେଦିନେ ଏହି ଦେଶଟାକୁ ମୋର ବୋଲି କହିବାକୁ ପଡ଼େ, ଏହି ବ୍ୟବସ୍ଥାକୁ କଲ୍ୟାଣର ବ୍ୟବସ୍ଥା ବୋଲି କହିବାକୁ ପଡ଼େ । ଏ ସାଜସଜ୍ଜା ମୋତେ ସେହିପରି ମନେ ହେଉଚି । ଅନତିବିଳମ୍ବେ ଏ ଦେଶର ଉପରକୁ ଯେଉଁ ବିପଦ ମାଡ଼ି ଆସୁଚି, ଯେଉଁ ମାନବିକ ସଙ୍କଟ ଘୋଟି ଆସୁଚି, ଆଜିର ସାଜସଜ୍ଜା ଓ ଧୂମଧାମ ପଛରେ ମୁଁ ଯେପରି ତାହାରି ସ୍ପଷ୍ଟ ସୂଚନା ଦେଖିବାକୁ ପାଉଚି ! ଭିତରେ ଗୋଲାମର ମନ ନେଇ କେହି କେବେ ଗଣତନ୍ତ୍ରର ସମାଜ ସମ୍ଭବ କରି ପାରିନାହିଁ । ଗଣତନ୍ତ୍ର ଗୋଲାମ ଲାଗି ନୁହେଁ, ମଣିଷ ଲାଗି । ଯିଏ ସମ୍ମାନ ଦିଏ, ଯିଏ ସମ୍ମାନ ପାଏ, ଯିଏ ଖୁସୀ ହୋଇ ଆପଣାକୁ ସବୁରି ଭିତରେ ଗଣା କରେ, ସବୁରି ସହିତ ନାନା କ୍ଷେତ୍ରରେ ସମବେତ ହେବାକୁ ଯିଏ କୌଣସି ଲଜ୍ଜା ବ ଗ୍ଳାନି ଅନୁଭବ କରେନାହିଁ ତାହାରି ଲାଗି । କିନ୍ତୁ ଏ ଦେଶର ସମାଜ ଆଜି ଗୋଲାମିର ନାନା ସ୍ତରରେ କଳୁଷିତ ଓ ସମ୍ମାନଭଷ୍ଟ ହୋଇ ରହିଚି । ଏଠି ପ୍ରତ୍ୟେକେ ଆପଣା ସ୍ତରରେ ତଳବାଲାଙ୍କୁ ଗୋଲାମ କରି ରଖିଛନ୍ତି ଓ ଉପରବାଲାଙ୍କର ଗୋଲାମ ହୋଇ ରହିଚନ୍ତି ।

 

୧୩ । ୧୨ । ୫୯

 

ଆଜି ଲଡ଼ାମଦା ଗାଆଁକୁ ପ୍ରେସିଡେଣ୍ଟ୍ ଆଇସେନ୍ ହାଉଅର୍ ଆସିବେ, ତାଙ୍କ ସହିତ ପଣ୍ଡିତ ନେହରୁ ମଧ୍ୟ ଆସିବେ । ସେମାନଙ୍କର ଅଭ୍ୟର୍ଥନା ଲାଗି ଗ୍ରାମବାସୀ କିପରି ପ୍ରସ୍ତୁତ ହୋଇଚନ୍ତି, ତାହା ଦେଖିବାକୁ ମୁଁ କାଲି ସନ୍ଧ୍ୟାବେଳେ ସେଇ ଗାଆଁକୁ ବୁଲି ଯାଇଥିଲି । ପନ୍ଦରଦିନ ତଳେ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହେଲାବେଳେ ଥରେ ଦେଖିବାକୁ ଯାଇଥିଲି । କାଲି ଯାଇ ଦେଖିଲି, ଗାଆଁର ରୂପରଙ୍ଗ ଏକାବେଳେକେ ବଦଳି ଯାଇଚି । ପଇସା ବିଞ୍ଚାହୋଇ ଓ ମଜୁରିଆ ଖଟା ହୋଇ ଯତେ ଯେଉଁଠି ଅସୁନ୍ଦରକୁ ସୁନ୍ଦର କରାଯାଇପାରେ, ସରକାରୀ କଳର ବୁଦ୍ଧିଆ କର୍ମଚାରୀମାନେ ସେଗୁଡ଼ିକ ସବୁ ବରାଦ କରାଇ ରଖିଚନ୍ତି । ଯେଉଁଠି ତାଙ୍କ ଗାଡ଼ିଆ ଥିଲା, ସେଠି ଚାରିପାଖରେ ବନ୍ଧ ଦିଆହୋଇ ହଂସ ଖେଳାଇ ଦିଆଯାଇଚି ଫଟୋ ନିଆଗଲେ ଚମତ୍କାର ଦେଖାଯିବ । ତଥାପି ମୁଁ ଭାବୁଥିଲି, ଆମେ ଏତେ ସତର୍କତା ସହିତ ସବୁକିଛି ସଜାଇ ମୁଣ୍ଡାଇ ଦେଖାଇବା ଲାଗି ଚେଷ୍ଟା କରିଥିଲେ ମଧ୍ୟ ଏସବୁ ଯେ ଅତି କୃତ୍ରିମ ଏସବୁ ଯେ ସରକାରୀ କାମ, ଗ୍ରାମବାସୀମାନେ ଯେ ଏହାର ଧାର ଧାରନ୍ତି ନାହିଁ, ପ୍ରେସିଡେଣ୍ଟ୍ ଓ ତାଙ୍କ ଗହଣରେ ଆସିଥିବା ଆମେରିକାବାସୀମାନେ ଅବଶ୍ୟ ସେକଥା ଜାଣିପାରିବେ । ସେମାନେ ସ୍ଵାଧୀନ ଦେଶର ମଣିଷ, ସେମାନେ ଏକ ସ୍ଵୀଧୀନ ଓ ସୁନ୍ଦର ଦେଶରେ ବଢ଼ିଛନ୍ତି,-ଗୋଲାମର ସୁସଜ୍ଜିତ ଓ ଆଡ଼ମ୍ବର ଗୋଲାମୀକୁ ସେମାନେ ଅବଶ୍ୟ ଠଉରାଇ ନେଇପାରିବେ ।

 

୧୪ । ୧୨ । ୫୯

 

କାଲି ଆଇସେନ୍ ହାଉଅର୍ ଓ ଜବାହରଲାଲଙ୍କୁ ଦେଖି ଯୁଦ୍ଧର ମଣିଷ ବୋଲି ମନେହେଲା । ଏମାନେ ଶାନ୍ତିର ମଣିଷ ନୁହନ୍ତି । ଶାନ୍ତି ପାଇଁ କଥା କହିକହି ଓ ଶାନ୍ତିନାମରେ ସମ୍ମାନ ନେଇନେଇ ଏମାନଙ୍କର ଦିନରେ କୋଡ଼ିଏ ଘଣ୍ଟା ସମୟ ଯାଉଥିଲେ ମଧ୍ୟ ମୁଁ ତଥାପି ଏମାନଙ୍କୁ ଶାନ୍ତିର ମଣିଷ ବୋଲି କହିପାରିବି ନାହିଁ । ଯଦି ପୃଥିବୀରେ ଏମାନଙ୍କର ନାମ ଇତିହାସର ନାମ ହୋଇ ରହେ, ତେବେ ପୃଥିବୀକୁ ଭାଙ୍ଗିବାର ଅପକୀର୍ତ୍ତି ସହିତ ଏମାନଙ୍କର ନାମ ଯୋଡ଼ାହୋଇ ରହିବ । ମଣିଷକୁ ପଲ କରାଇବାରେ, ପକ୍ଷ କରାଇବାରେ ଓ ଆତ୍ମବିସ୍ତୃତି ହୋଇ ନେତା ପଛରେ ଦଉଡ଼ିବାର ନିଶା ଖୁଆଇବାରେ ଏମାନେ ନିତିନିତି ସହସ୍ର ଉପଲକ୍ଷ୍ୟରେ ସାହାଯ୍ୟ କରି ଆସୁଛନ୍ତି । ରୁଷିଆର ସମକକ୍ଷ ହୋଇ ଆଜି ଆମେରିକା ଜଗତ ଲାଗି ଓ ଆପଣା ଲାଗି ଏକ ଦୁଷ୍ଟତର ଆତଙ୍କ ହେବାରେ ଲାଗିଚି, ସମସ୍ତଙ୍କର ଭୟର କାରଣ ହୋଇଚି, ଅର୍ଥ ଓ ଅସ୍ତ୍ରର ଫାଶ ପକାଇ ସମସ୍ତଙ୍କୁ ପୋଷ ମନାଉଚି । ଏହି ପୃଥିବୀର ଶାନ୍ତିଭଙ୍ଗ କରିବାରେ, ମଣିଷକୁ ଭୀତ ଓ ହିତାହିତ ଜ୍ଞାନଶୂନ୍ୟ ଗୋଟାଏ ମେସିନ୍ କରି ଗଢ଼ିବାରେ ରୁଷିଆ ସହିତ ସମସ୍ଵରରେ ଗର୍ଜନ କରି ଆଜି ଆମେରିକା ବି ବାହାରିଚି । ଏବଂ ଶ୍ରୀଯୁକ୍ତ ଆଇସେନ୍ ହାଉଅର୍ ପ୍ରଧାନତଃ ତାହାରି ପ୍ରତିନିଧିତ୍ଵ କରୁଚନ୍ତି । ଏହି ଭାରତବର୍ଷରେ ମଧ୍ୟ ଜୀବନର ଶାନ୍ତି କ୍ରମେ ଭାଙ୍ଗି ଭାଙ୍ଗି ଯାଉଚି । ଭୋଗ ବଢ଼ୁଚି, କେତେକ ଲୋକଙ୍କର ଭୋଗ ବଢ଼ୁଚି, ମଣିଷପ୍ରତି ହତାଦର ବଢ଼ୁଚି, ମଣିଷ ମଣିଷ ଭିତରେ ଭେଦ ଓ ଦ୍ଵେଷ ବଢ଼ୁଚି, କ୍ଷମତାର ଫାଶ ଦିନୁଦିନ ଅଧିକ ଶକ୍ତ ହେବାରେ ଲାଗିଚି । ବାରବର୍ଷ ପୂର୍ବେ ଏ ଦେଶରେ ଗଢ଼ିବାର ଯେଉଁ ଉତ୍ସାହ ରହିଥିଲା, ବର୍ତ୍ତମାନ ସେ ଉତ୍ସାହ ଆଉ ନାହିଁ । ଆମେ ସମସ୍ତେ ନିକିମା ହୋଇ ବସିବାର ଓ ଭଦ୍ର ଭାବରେ ଠକିବାର ଚାତୁରୀକୁ ଶିଖିନେଇ ସାରିଲୁଣି । ଦେଶର ଏହି ସମୃଦ୍ଧି ମନ୍ତ୍ର ଦୁର୍ଗତିର ପ୍ରତିନିଧିତ୍ଵ କରିଚନ୍ତି ପଣ୍ଡିତ ନେହରୁ । ସେ ଉପରେ ରହି ସଂହାରମନ୍ତ୍ର ପାଠ କରୁଚନ୍ତି, ଆଖି ବୁଜି ରହିଚନ୍ତି ।

 

୧୫ । ୧୨ । ୫୯

 

ମୋତେ ସ୍ଥିର ଓ ଶାନ୍ତି କରି ରଖିବାଲାଗି ମୋ ଭିତରେ ଯଥେଷ୍ଟ ପ୍ରେମ ନାହିଁ,-ସେଥିଲାଗି ନାନାପ୍ରକାରର କାମନା ମୋତେ ଏଠିକୁ ସେଠିକୁ ଉଡ଼ାଇନେଇ ଏପରି ବ୍ୟାକୁକ ଓ ଅବଶ କରି ପକାଉଚି । ଏକ ପ୍ରକାରର ଆର୍ତ୍ତ ଓ କାତର ଓଦ୍ଧତ୍ୟରେ ମୁଁ ପ୍ରବଳ ଭାବରେ ଏଠାସେଠା ଧାଇଁବାକୁ ଯାଉଚି, ସବୁଠାରେ ଆପଣାର ଲାଙ୍ଗୁଡ଼ ପିଟିଆସୁଚି, ସମସ୍ତଙ୍କୁ ଆବୋରି ଯାବୁଡ଼ି ଧରିବାର ପ୍ରାଦୁର୍ଭାବରେ ମୁଁ ବ୍ୟସ୍ତ କରି ପକାଉଚି, ସମସ୍ତଙ୍କୁ ଆପଣାର ଅଣ୍ଟିଭିତରେ ସାଉଣ୍ଟି ଧରିବାଲାଗି କେତେ ନୀଡ଼ର ସ୍ଵାଭାବିକ ନିର୍ମାଣ ଓ ବିକାଶକୁ ମୁଁ ବ୍ୟାହତ କରି ପକାଉଚି । ଏଗୁଡ଼ାକ ପ୍ରେମର ଗୁଣ ନୁହେଁ । କାମନା ପ୍ରବଳ ହେଲେ ଯାହା ହୋଇଥାଏ, ଆଜି ମୋତେ ଅନେକ ସମୟରେ ସେହି ଦୁର୍ଦ୍ଦଶା ଭୋଗ କରିବାକୁ ପଡ଼ୁଚି । ଏହାଫଳରେ ମୋ’ ଦ୍ଵାରା ଅନ୍ୟମାନଙ୍କର ଅନେକ କ୍ଷତି ହେଉଚି, ମୋର ନିଜର ମଧ୍ୟ କ୍ଷତି ହେଉଚି । କେବଳ ଉତ୍ତେଜିତ ହୋଇ ରହିବାର ମୋହରେ ସବୁବେଳେ ଭାରାକ୍ରାନ୍ତ ରହି ମୁଁ ଆପଣାର ବିକାଶ କରିବାରେ ଲାଗିଚି-। ଏ ଆତୁରତା ଏ ଅସ୍ଥିରତା କାହିଁକି ? ମୋ’ ହୃଦୟର ନିର୍ଭରମଣ୍ଡପରେ କୋଉଠି ଯେପରି କ’ଣ ଭୁଷୁଡ଼ି ପଡ଼ିଚି, ହୃଦୟର ଅବଲମ୍ବନ-ସ୍ତମ୍ଭରୁ ଯେପରି ଗୋଟାଏ ଖମ୍ବ ଖସି ପଡ଼ିଚି,–ଆଉ ସୁଧାରିବାର ଉପାୟ, ନାହିଁ, ମଜବୁତ ହେବାର ସମ୍ବଳ ବା ସାମର୍ଥ୍ୟ ନାହିଁ । ତଥାପି ଏଇ କାମନାମୁହଁରୁ ବଞ୍ଚି ରହିବାଲାଗି ପରମକାମନା ପାଖରେ ଶରଣ ନେବାକୁ ହେବ । ଆପଣାକୁ ସ୍ଥିର କରି ତାହାରି ପାଖରେ ଠିଆ କରିବାକୁ ପଡ଼ିବ ।

 

୧୬ । ୧୨ । ୫୯

 

ମଣିଷର ଦୃଷ୍ଟିରେ ପରିବର୍ତ୍ତନ ହେଲେ ଯାଇ ମଣିଷ ବର୍ତ୍ତମାନର ସଙ୍କଟରୁ ନିସ୍ତାର ପାଇବ ବୋଲି ସମସ୍ତେ କହୁଚନ୍ତି, କିନ୍ତୁ ଦୃଷ୍ଟି ପରିବର୍ତ୍ତନ କିଏ କରୁଚି ସମସ୍ତେ ଖାଲି ଅପର ଲାଗି ଔଷଧ ଓ ପଥ୍ୟ ବତାଇ ଦେଉଚନ୍ତି, କିନ୍ତୁ ଆପଣାକୁ ଏହି ବିଶ୍ଵବ୍ୟାପୀ ରୋଗର ଅନ୍ତର୍ଭୁକ୍ତ କରି ଦେଖିବାର ସାହସ କାହାରିହେଲେ ନାହିଁ । ଏସବୁ ବିଷୟରେ ମୁଁ ଯେତିକି ଯେତିକି ଭାବିବାକୁ ଚେଷ୍ଟା କରୁଚି, ମୋତେ ଏଗୁଡ଼ିକ ସେତିକି ମୂଳତଃ ଏହି ବ୍ୟକ୍ତିଗତ ସମସ୍ୟା ବୋଲି ମନେହେଉଚି-। ଆମ ପୃଥିବୀକୁ ପଙ୍ଗୁ ଓ ବ୍ୟର୍ଥ କରି ରଖିଥିବା ପ୍ରତ୍ୟେକ ସମସ୍ୟା ସମାଧାନ ପ୍ରତ୍ୟେକର ଆପଣା ମନଭିତରେ ହେବ । ତେଣୁ ସମସ୍ୟାର ସମାଧାନ କରିବାଲାଗି ମୁଣ୍ଡ ଲଢ଼ିବା ଅପେକ୍ଷା ଆପଣାର ଜୀବନରେ ଆମ ପ୍ରତ୍ୟେକଙ୍କର ଦୃଷ୍ଟିରେ ପରିବର୍ତ୍ତନ ଆଣିବାର ଚେଷ୍ଟା ଆରମ୍ଭ ହୋଇଯିବା ଉଚିତ-। ଏହି ମୁହୂର୍ତ୍ତରୁ ଆରମ୍ଭ ହୋଇଯିବା ଉଚିତ । ଏହାକୁ ସବୁଠାରୁ ଅଧିକ ଜରୁରୀ ବୋଲି, ଅନୁଭବ ନକରିବା ପର୍ଯ୍ୟନ୍ତ ମୋର କୌଣସି ନିସ୍ତାର ନାହିଁ, ଜଗତର ମଧ୍ୟ କୌଣସି ନିସ୍ତାର ନାହିଁ । ମୋ’ ବାହାରେ ଜଗତରେ କେଉଁଠି ଆଗ ଦୃଷ୍ଟି–ପରିବର୍ତ୍ତନ ହୋଇଯିବ, ଆଗ ଜଗତ କେଉଁଠି ବଦଳିଯିବ, ତାପରେ ମୁଁ ବଡ଼ ଉତ୍ସାହିତ ଭାବରେ ଏହି ପରିବର୍ତ୍ତିତ ପରିସ୍ଥିତି ଭିତରରୁ ଫକ୍ କରି ଡେଇଁପଡ଼ିବି, ଏପରି ଦମ୍ଭ କରି ବସିଥିବା ପର୍ଯ୍ୟନ୍ତ ମୋର ନିର୍ବୋଧତାର ହିଁ ପ୍ରଦର୍ଶନ ହେଉଥିବ ସିନା, ମାତ୍ର ଜଗତ ଟିକିଏ ହେଲେ ସୁଧୁରିବ ନାହିଁ । ମୋ’ ଭିତରେ ହିଁ ପରିବର୍ତ୍ତନର ପ୍ରଥମ ଅଙ୍କୁର ଆରମ୍ଭ ହେବ, ଆପଣାଭିତରେ ହିଁ ମୁଁ ପରିବର୍ତ୍ତତ ହେବାର ଶକ୍ତିକୁ ଅନୁଭବ କରିପାରିବି, ଉପସ୍ଥିତ ସ୍ଥିତିକୁ ଅସହ୍ୟ ବୋଲି ମନେ କରିବି,–ତେବେଯାଇ ମୁଁ ନୂଆ ପାଇଁ ପରିବର୍ତ୍ତନ ପାଇଁ ପ୍ରସ୍ତୁତ ହୋଇପାରିବି । ମୋର ପ୍ରତ୍ୟେକ ଦିନର ଛୋଟବଡ଼ କାମରେ ମୁଁ ଏହିପରି ଭାବି ଶିଖେ, ଆପଣାକୁ ଏହିପରି ନୂଆପାଇଁ ମନ କରେ,–ଏହିପରି ପ୍ରସ୍ତୁତ ହୁଏ ଓ ଏହିପରି ଅଗ୍ରସର ହୁଏ ।

 

Unknown

୧୭ । ୧୨ । ୫୯

 

ଆଜି ପିଲାମାନଙ୍କର ପରୀକ୍ଷା ଆରମ୍ଭ ହେବ । ଅନେକ ସମୟରେ ମୋର ଭାରି ମନେହୁଏ ଯେ ଏହି ତଥାକଥିତ ପାଠର ପରୀକ୍ଷା ଏଯୁଗର ପିଲାମାନଙ୍କୁ ଜୀବନର ପରୀକ୍ଷାଲାଗି ଅଧିକରୁ ଅଧିକ ଅପାକଳ କରି ପକାଉଚି । ଏହି ପରୀକ୍ଷା ଓ ପାଠରେ ଜ୍ଞାନର ପ୍ରଶ୍ନ ହିଁ ଉଠୁନାହିଁ । କାରଣ ଜ୍ଞାନର ଜିଜ୍ଞାସାକୁ ଏହା ଅଧିକରୁ ଅଧିକ ମାରିଦେବାରେ ଲାଗିଚି । ଜାଣିବାକୁ, ଅଧିକ ଜାଣିବାକୁ ଓ ଅଧିକ ହେବାକୁ ଏବକାର ଯୁବକ ଭିତରେ କୌଣସି ସରାଗ ନାହିଁ, କୌଣସି ଦୁଃସାହସିକତା ନାହିଁ, କୌଣସି ଚପଳତା ବା ଆକୁଳତା ନାହିଁ । ବରଷକର ପାଠ ମୁଖସ୍ଥ କରି ଯେକୌଣସି ପ୍ରକାରେ ସେ ତାକୁ ପରୀକ୍ଷାଖାତା ଉପରେ ଅଜାଡ଼ିଦେଇ ଆସୁଚି । ସେଇ ପାଠକୁ ଜୀବନ ସହିତ ଯୋଡ଼ି ପାରୁନାହିଁ । ପାଠର ଭଣ୍ଡାରକୁ ଜୀବନ ସହିତ ଯୋଡ଼ିପାରିବା ଯେ ଅସଲ ବିଦ୍ୟାର ପରୀକ୍ଷା, ସେ ଏକଥା କେବେହେଲେ କଳ୍ପନା ବି କରିନାହିଁ । ଆଉ ଆମେ ମାଷ୍ଟରମାନେ ଖଜଣା ଆଦାୟ କରୁଥିବା ଗୁମାସ୍ତାଙ୍କ ପରି ବା କରଜ ଆଦାୟ କରୁଥିବା କାବୁଲୀ ପରି ମହାଦର୍ପରେ ଆସି ପରୀକ୍ଷାର ନାଗରା ପିଟି ପିଲାଙ୍କପାଖରେ ପହଞ୍ଚି ଯାଉଚୁ । ବରଷଯାକର ରାଗ ଓ ହୀନମନ୍ୟତାର ପ୍ରତିଶୋଧ ନେଉଚୁ । ଅଶିକ୍ଷିତ ଶିକ୍ଷକର ଦାଉରେ ବିଚରା ଛାତ୍ର ଜୀବନରେ ସକଳପ୍ରକାର ଶିକ୍ଷାରୁ ଭ୍ରଷ୍ଟ ହୋଇ ରହୁଚି ।

 

୧୮ । ୧୨ । ୫୯

 

ମୋ’ର କ୍ଷତିଉପରେ ବସି ମୁଁ ବ୍ୟାକୁଳଭାବେ ବାହୁନିବି ନାହିଁ,–ମୁଁ ମୋର କ୍ଷତକୁ ପୂରଣ କରିବାକୁ ଚେଷ୍ଟା କରିବି । ନୂତନ ବଳ ଦେଇ ମୁଁ ମୋର ଭଙ୍ଗା ଜାଗାଗୁଡ଼ାକୁ ପୁଣି ଯୋଡ଼ିବି, ଖଣ୍ଡିଆ ଜାଗାଗୁଡ଼ାକୁ ସ୍ନେହ ଓ ବିଶ୍ଵାସ ଦେଇ ପୁଣି ମାଠିଦେବି । ନିଜକୁ ଘୃଣା କରିବା ଲାଗି ବା କୌଣସି ପ୍ରକାରେ ନିଜକୁ ବର୍ଜନ କରିବା ଲାଗି ମୋ’ର କୌଣସି ଅଧିକାର ନାହିଁ । ଯିଏ ମୋତେ ପ୍ରେରିତ କରାଉଚନ୍ତି, ସେଇ ଯଦି ମୋ’ଦ୍ଵାରା କୌଣସି କାର୍ଯ୍ୟର ସାଧନ କରାଇବାକୁ ଇଚ୍ଛା କରୁଥାନ୍ତି, ତେବେ ମୋର ସମସ୍ତ କ୍ଷତ ସତ୍ତ୍ୱେ ସେଇ ମୋତେ ଆଗକୁ ଯିବାକୁ ଓ ନବନବ କ୍ଷେତ୍ରରେ ଅବତୀର୍ଣ୍ଣ ହେବାକୁ ଉଚିତ ପ୍ରେରଣା ଯୋଗାଇଦେବେ । ମୁଁ ଖାଲି ତାଙ୍କରି ସହିତ ସହଯୋଗ କରିବି । ପିଲାଦିନେ ନାନପ୍ରକାର ପ୍ରରୋଚନା ପାଇଥିଲେ ମଧ୍ୟ ମୁଁ ନୀତିବାଦୀ ହୋଇ ପାରିଲିନାହିଁ । ବିକାଶର ରୀତିକୁ ମୁଁ କଠିନ ନୀତିଦ୍ଵାରା ବାନ୍ଧି ପାରିଲିନାହିଁ । ମୋ’ ଭିତରେ ରହିଥିବା ଦୁଷ୍ଟ ବାଳକଟି ପଛରେ ବୃଦ୍ଧ ପିତାମହର ବାଡ଼ି ଧରି ଗୋଡ଼ାଇ ପାରିଲିନାହିଁ । ନାନପ୍ରକାର ସାନ୍ତ୍ଵନା ଦର୍ଶନର ଗୋଳିଆପାଣି ସୃଷ୍ଟି କରି ମୁଁ ତାହାରି ଭିତରେ ସୁରକ୍ଷିତ ହୋଇ ରହି ପାରିଲାନାହିଁ । କିନ୍ତୁ ଏଥିଲାଗି ମୋ’ ମନରେ ଏତେ ଟିକିଏହେଲେ ଦୁଃଖ ନାହିଁ ସେଥିଲାଗି ମୁଁ ଆପଣାକୁ କୌଣସିପ୍ରକାରେ ନ୍ୟୁନ ମନେ କରିବିନାହିଁ । ନିଜକୁ କୌଣସିପ୍ରକାରେ ଅଭିଶାପ ଦେବିନାହିଁ ବା ଗ୍ଲାନିରେ କଳଙ୍କିତ କରି ଦେବିନାହିଁ । କାହିଁକି କରିବିନାହିଁ, ସେଥିଲାଗି ମୋ’ ପାଖରେ କୌଣସି ଶାସ୍ତ୍ରପ୍ରମାଣ ବା ଆପ୍ତବଚନ ନାହିଁ । କିନ୍ତୁ ମୋ’ ଜୀବନର ଏତେଦିନର ଅଭିଜ୍ଞତା ମୋର ସହୋଦର ଭାଇ ସହୃଦୟ ବନ୍ଧୁ ପରି ମୋର ପାଖେପାଖେ ରହିଚି । ଆପଣାକୁ ଏତେଦୂର ନ୍ୟୁନ କରି ନଦେବାକୁ ମୋତେ ସେଇ ସତର୍କ କରିଦେଉଚି, ଆପଣାର କ୍ଷତି ସହିତ ନାନପ୍ରକାର ଭୀତିର ସ୍ଫୀତି ବୋଳିଦେଇ ତାହାରିଦ୍ଵାରା ପ୍ରପୀଡ଼ିତ ଖୋଇ ନବସିବାକୁ ସେ ମୋତେ ସାବଧାନ କରିଦେଉଚି । ମୋର ସବୁ କ୍ଷତିଉପରେ ବିଜୟ ଘୋଷଣା କରି ମୋ’ ଜୀବନବିଧାତାର ଆଶୀର୍ବାଦ ରହିଚି, ମୋ’ ଜୀବନକଳିର ବିକଶେଚ୍ଛା ରହିଚି । ସବୁ ମଇଳାକୁ ସାର କରି ଆପେ ବିକଶିତ ହେବାର ମୋର ଧର୍ମ ମୋତେ ସର୍ବଦା ଆଶ୍ରୟ ଦେଇ ରଖିଚି ।

 

୧୯ । ୧୨ । ୫୯

 

‘A writer must be able to call a spade a spade’-ଯଥାର୍ଥ ଲେଖକ ଧଳାକୁ ଧଳା ଓ କଳାକୁ କଳା କହିବାପାଇଁ ପ୍ରସ୍ତୁତ ହେବ । Sartreଙ୍କର ଏହି ବାକ୍ୟଟି ପଢ଼ିବା ମାତ୍ରକେ କାଲି କେତେପ୍ରକାର ସୁପ୍ତ ପଶୁ ମନଭିତରକୁ ଆଲୋଡ଼ିତ କରି ପକାଇଲା । ଏଯୁଗର ଲେଖକ ପ୍ରକୃତରେ କେତେଦୂର ଧଳାକୁ ଧଳା କଳାକୁ କଳା କହିବାଲାଗି ପ୍ରସ୍ତୁତ ହୋଇ ପାରିଚି ? ଏଯୁଗର ଯାବତୀୟ ଅନ୍ୟାୟକୁ ସେ କେତେଦୂର ରାଜନୀତିରେ ରାଜାର ଶାସନ ଅନୁସାରେ ସାହିତ୍ୟ ମଧ୍ୟ ଚାଲୁଚି, ସମଗ୍ର propaganda ର ଏହି ଦୁର୍ଗତ ଯୁଗରେ ଆଜି ସତ କହିବାକୁ କାହାରି ବେଳ ନାହିଁ । ସତ୍ୟ ଓ ମିଥ୍ୟା ବା ନ୍ୟାୟ ଓ ଅନ୍ୟାୟର ଏକ ତୁଳନାତ୍ମକ ଅସ୍ତିତ୍ଵ ରହିଚି ବୋଲି ଅନୁଭବ କରିବାକୁ ମଧ୍ୟ ଏ ଯୁଗରେ କାହାରି ବେଳ ନାହିଁ । ବିଚାର ଲେଖକ ବି ଆଜି ଆପଣାକୁ ନାନା ନିୟନ୍ତ୍ରଣର ଦାସ କରି ପକାଇଚି, ତା’ଭିତରୁ ସମସ୍ତ ସୃଷ୍ଟିକାରୀ ନିର୍ଭୟତା କୁଆଡ଼େ ମରିଉଡ଼ି ଗଲାଣି । ସମାଜର ଅନ୍ୟ ଯେକୌଣସି ମଣିଷର ପରି ସିଏ ମଧ୍ୟ ତିଷ୍ଠି ରହି ନପାରିବାର ଭୟରେ ଭୀରୁ ହୋଇ ବସିଚି । ତେଣୁ ଏହି ଭୟ ଓ ତ୍ରାସର ଦୁର୍ଦ୍ଦାନ୍ତ ଲୀଳା ଚାରିଆଡ଼େ ଚାଲିଥିବା ବେଳେ ସିଏ ମଧ୍ୟ ତ୍ରସ୍ତ ହୋଇ ପଡ଼ିଚି, ଭୀତ ହୋଇ ପଡ଼ିଚି । ସେଥିଲାଗି ସାହିତ୍ୟ ତରଫରୁ ସଂସାରକୁ ଯେଉଁ ନିର୍ଭର ମିଳିବା କଥା, ତାହା ଆଉ ସାଧାରଣତଃ ମିଳି ପାରୁନାହିଁ ।

 

୨୦ । ୧୨ । ୫୯

 

ଆମ ପୃଥିବୀର ଶାସନ ମଧ୍ୟ ନାନା ଦେଶରେ ସାହିତ୍ୟିକର ସାହିତ୍ୟକତାକୁ ଗ୍ରାସ କରି ପକାଉଚି । ସାଧାରଣ ଯେକୌଣସି ନାଗରିକ ପରି ସାହିତ୍ୟିକ ମଧ୍ୟ ଶାସନଗତ ନାନା ସୁବିଧାର ଲୋଭୀ ହୋଇ ଶାସକ ପାଖରେ ଲାଙ୍ଗୁଡ଼ ଜାକି ରହୁଚି, ଶାସକର ସ୍ତୃତି ଗାଉଚି, ବାହାରର ଚାପ ଓ ପରିସ୍ଥିତି ଅନୁସାରେ ଆପଣାକୁ ସଜାଇ ରଖୁଚି । ଆପଣାର ବାଣୀକୁ ଅନୁରୂପ ପରିଚ୍ଛଦରେ ଆବୃତ କରି ରଖୁଚି । ଆପଣା ଭିତରେ ଥିବା ପ୍ରାଣଟିକକୁ ସେ ଏହି ବେଶତଳେ ଛଦ୍ମ କରି ରଖିଦେଉଚି ଏବଂ ତାହାରି ଭିତରେ କ୍ରମେ ମରିଯାଉଚି । ଏଥିଲାଗି ଅନେକେ କେବଳ ଶାସନକୁ ଦୋଷ ଦିଅନ୍ତି-। ଶାସନକୁ ଦାୟୀ କରିବା ସଙ୍ଗେସଙ୍ଗେ ମୁଁ ଏହି ଦୁର୍ଗତିଲାଗି ସାହିତ୍ୟିକକୁ ମଧ୍ୟ ନିଶ୍ଚୟ ଦାୟୀ କରିବି । ଯେଉଁଠି ସାହିତ୍ୟିକ ଆପଣାର ସାହିତ୍ୟରୁ ପ୍ରଥମ ପ୍ରେରଣା ନପାଇ ଯେ କୌଣସି ପ୍ରକାରେ ବଞ୍ଚି ରହିବାକୁ ହିଁ ଜୀବନ ବୋଲି ଗ୍ରହଣ କରିନିଏ, ସାଧାରଣ ମଣିଷ ଭୋଗ କରୁଥିବା ସୁଖସୁବିଧା ଲୋଭୀ ହୋଇ ଯେତେବେଳେ ସେ ନିଜେ ତାହାର ପଛରେ ଧାଇଁବାକୁ ଲାଗେ, ସେତେବେଳେ ତା’ର ମୁହଁକୁ ବନ୍ଦକର ରଖିବା ଯେ କୌଣସି ଶାସକ ପକ୍ଷରେ ଅତ୍ୟନ୍ତ ସହଜ ହୋଇଯାଏ, ଆପଣାର ସ୍ତୁତିବାଦ୍ୟ ବଜାଇବାକୁ ସେ ସାହିତ୍ୟକର ହାତରେ ଆପଣାର ବାଜାଟି ନେଇ ଧରାଇଦିଏ, ତାକୁ ନାନା ପ୍ରକାର ସମ୍ମାନ ଓ ଶାଢ଼ୀ ପିନ୍ଧାଇ ଦେଇ ସେ ସାହିତ୍ୟିକର ସାହିତ୍ୟକୁ ଆପଣାର ସ୍ଵାର୍ଥାନୁକୂଳିତ କରି ରଖେ । ଏହିପରି ସୁନାର ପିଞ୍ଜରା ଭିତରେ ଆସି ଧରା ଦେଇଥିବା ସାହିତ୍ୟିକ ଧଳାକୁ ଧଳା ଓ କଳାକୁ କଳା କହିବାର ଭଦ୍ର ମନ ହରାଇବସେ । ଆପଣା ପାଖରେ ନିର୍ଭୟ ହୋଇ ବସି ଆପଣାର କଥା ଶୁଣିବାକୁ ସେ ଆଉ ସାହସ କରି ପାରେନାହିଁ । ଆପଣାର କଥାକୁ ଅତି ବିପଜ୍ଜନକ ବୋଲି ମନେକରି ସେ ତାହାପ୍ରତି କାନ ବନ୍ଦ କରିଦିଏ ।

 

୨୧ । ୧୨ । ୫୯

 

ସକାଳେ ସ୍ନାନ ପରେ ମୋର ପ୍ରଥମ କୃତ୍ୟ ହେଉଚି ଏହି ଖାତରେ କିଛି ଲେଖିବା । ଏହାକୁ ମନ୍ତ୍ର କହ, ପୂଜା କହ ବା ପାଠ କହ, ସେଥିରେ ମୋର କିଛି କହିବାର ନାହିଁ । ଏହି ଲେଖିବା ଭିତରେ ମନ୍ତ୍ର, ପୂଜା ଓ ପାଠ ସବୁ ରହିଚି, ତଥାପି କେବଳ ମନ୍ତ୍ର, ପୂଜା ପାଠ ଭିତରେ ଏହା ଛନ୍ଦିଦେଇ ରହିନାହିଁ । ଏଥିରେ ମୋର ଆପଣା ଜୀବନର ମମତାମୟ ସ୍ପର୍ଶ ରହିଚି, ଅଚଲା ବାଟଲାଗି ଏକ ସ୍ଵପ୍ନାକର୍ଷଣର ମଧୁରତା ଭରପୂର ହୋଇ ରହିଚି । ଏହାର ଅତ୍ୟନ୍ତ ବିସ୍ତୃତ ଅଥଚ ଅତ୍ୟନ୍ତ ବିଶ୍ଵସ୍ତ ଆୟତନ ଉପରେ ମୋ’ ଭିତରର ଜୀବନ ସହିତ ମୋ’ ବାହାର ଜୀବନର ପରିଚୟ ଓ ପରିପୂରଣ–ଶୃଙ୍ଖଳା ଚାଲିଚି, ମୋ’ର ଅନ୍ତର ସହିତ ବିଶ୍ଵଜଗତର ଚିଟାଉ ଦିଆନିଆ ଚାଲିଚି । ମୋ’ ସ୍ଵାର୍ଥର ପରୀକ୍ଷା ଚାଲିଚି ସମସ୍ତ ପୃଥିବୀର ସ୍ଵାର୍ଥର ଭୂମି ଉପରେ, ଅର୍ଥାତ୍ ମୋ’ର ଅଧ୍ୟାତ୍ମ ସ୍ଵାର୍ଥର ଭୂମି ଉପରେ । ଜୀବନାଶକ୍ତିର ତଉଲରେ ମୋ’ ଜୀବନରେ ରହିଥିବା ଅନ୍ୟାନ୍ୟ ଯାବତୀୟ ଆସକ୍ତିର ପରୀକ୍ଷା ଚାଲିଚି । ଯେଉଁ ବିଶ୍ଵଗତ ଶ୍ରଦ୍ଧାର ଶ୍ରଦ୍ଧାକଣାରୁ ଟିକିଏ ଆଣି ମୁଁ ଆପଣାର ମୁହୂର୍ତ୍ତଗୁଡ଼ିକୁ ଶ୍ରଦ୍ଧାସିଞ୍ଚିତ କରି ରଖିବାକୁ ମନ ବଳାଇ ବାହାରିଚି, ପୁଣି ତାହାରି ପାଖରେ ଆପାଣା ସମସ୍ତ ଶ୍ରଦ୍ଧାର ଇପ୍‌ସିତକୁ ନେଇ ଉଜାଇଁ ଦେଇ ପାରିବାର ପରୀକ୍ଷା ଚାଲିଚି । ପ୍ରତ୍ୟେକ ଦିନର ସକାଳ ସହିତ ଏହି ଖାତାରେ ପ୍ରତିଦିନ ମୋ’ର ବି ସକାଳ ହେଉଚି ।

 

୨୨ । ୧୨ । ୫୯

 

ସକାଳୁ ଲେଖି ବସିଲାବେଳକୁ ଶୀତରେ ହାତ ବରଫ ହୋଇ ବସିଯାଉଚି ଅକ୍ଷରଗୁଡ଼ାକର ଆକାର ଓ ସୂତ୍ରଛନ୍ଦ ବଡ଼ ବିକୃତି ହୋଇ ଯାଉଚି । ତିନି ଚାରିଦିନ ହେଲା ଲେଖିବାରେ ଏହିପରି ବ୍ୟାଘାତ ପାଇବାରୁ ଆଜି ସକାଳେ ଆଉ ଲେଖି ପାରିନଥିଲି । ପରେ ଖରାବେଳେ ଲେଖିବି ବୋଲି ମୋ’ ନିତିଦିନର ପ୍ରଥମ କର୍ତ୍ତବ୍ୟକୁ ପଛକୁ ଚଡ଼ାଇ ଦେଇଥିଲି । ଖରାବେଳେ ଅନ୍ୟ କାମରେ ରତ ରହି ବେଳ ଚାଲିଗଲା, ଲେଖିବାକୁ ମନେ ପଡ଼ିଲାନାହିଁ । ବର୍ତ୍ତମାନ ସନ୍ଧ୍ୟା ପରେ ଆଉ କୌଣସି କାମରେ ହାତ ଦେବାକୁ ଯିବା ପୂର୍ବରୁ ମନ ଭିତରେ ରହିଥିବା ସହଯୋଗୀ ସାଥୀ ମୋତେ ଆପଣାର ଅସମାପ୍ତ ଅଥଚ ଅବଶ୍ୟ କାର୍ଯ୍ୟଟି ବିଷୟରେ ସ୍ମରଣ କରାଇଦେଲା । ଦିନଟାଯାକ ମୁଁ କିପରି ଏହି ବିଷୟରେ ବିସ୍ତୃତ ହୋଇ ରହିଲି, ସେ କଥା ଭାବି ଭାରି ବିସ୍ମିତ ଲାଗିଲା । ଏହି ଖାତାରେ ରୋଜ ଦଶବାର ଧାଡ଼ି ଲେଖିଦେଇ ମୁଁ କଅଣ ପାଏ କେଜାଣି, କିନ୍ତୁ ସେତକ ଲେଖି ସାରିଲେ ମୋର ଏକ ଅତିବଡ଼ କର୍ତ୍ତବ୍ୟ କରିବାପରି ମନେହୁଏ, ନଲେଖି ପାରିଲେ ଆପାଣକୁ ଠକିଦେଇ ଆପଣା ପାଖରୁ ହୁଡ଼ି ଚାଲିଯିବା ପରି ଲାଗେ । ଆପଣାର ଆଗାଧତା ଭିତରେ ପ୍ରତିଦିନ ପାଞ୍ଚମିନିଟ୍ ପାଇଁ ଜାଲ ପକାଇ ମୁଁ ଅବଶ୍ୟ ପ୍ରତିଦିନ ରତ୍ନ ଆହରଣ କରି ପାରେନାହିଁ, ଆପଣା ଭିତରର ସମ୍ଭାବନାମୟ ଅନ୍ଧାର ଭିତରକୁ ହାତ ବଢ଼ାଇ ମୁଁ ଅବଶ୍ୟ ସବୁଦିନ ଆଉ ଏକ ହାତର ଭରସା ପାଇ ପାରେନାହିଁ । ବାହାର ମନ ଭିତରର ମନୋବାସୀଠାରୁ ସ୍ଵୀକାର ଓ ସମର୍ଥନ ନପାଇଲା ପରି ଅବଶ ଓ ଦରିଦ୍ର ହୋଇ ଲେଉଟି ଆସେ । ତଥାପି ଦିନଦିନକର ପାଇବା ମୋର ‘ସବୁଦିନର ଭିକ୍ଷା କରିବାକୁ ସାର୍ଥକ କରେ, ଦିନଦିନକର ସ୍ପର୍ଶ ପାଇବା ମୋର ସବୁଦିନର ଚାହିଁବସିବାକୁ ଧନ୍ୟ କରେ, ମୋର ସବୁ ବାସନାକୁ ଅର୍ଥରେ ଭରିଦିଏ-

 

୨୩ । ୧୨ । ୫୯

 

ଡିସେମ୍ବର ମାସଟାଯାକ ମୋର ମନ ଇଉରୋପ ଆଡ଼କୁ ଚାଲିଯାଏ । ମୋର ଆପଣାର ଭୂମି, ଆପଣାର ଦେଶ, ଆପଣାର ଧର୍ମ ଓ ଆପାଣର ସଂସ୍କୃତି ଇଉରୋପ ଆଡ଼କୁ ପ୍ରସାରିତ ହୋଇଯାଏ । ଏହି ଦେଶରେ ବନ୍ଧୁମାନଙ୍କ ମେଳରେ ମୁଁ ଇଉରୋପର ବନ୍ଧୁମାନଙ୍କୁ ଦେଖିଲା ପରି ଅନୁଭବ କରେ । ଏ ଦେଶର ପିଲାଙ୍କର ଆନନ୍ଦ-କୋଳାହଳରେ ମୁଁ ଇଉରୋପର ପିଲାଙ୍କର ପାଟି ଶୁଣିବାକୁ ପାଏ । ମୋର ଆପଣାର ବନ୍ଧ ଓ ଆୟତନକୁ ଭାଙ୍ଗି ଦେଇ ମୋତେ ଏହିପରି ସଂପ୍ରସାରିତ କରି ଦେଉଥିବା ସକାଶେ ମୁଁ ସବୁଦିନ ଏହି ମହନୀୟ ବଡ଼ଦିନ ଉତ୍ସାବକୁ ପୂର୍ଣ୍ଣ ଗୌରବ ଦେଉଥିବି । ମୋର ରୂପ, ମୋର ଭେକ, ମୋର ଭାଷା ଓ ମୋର ଆଚରଣ ଭଙ୍ଗୀ ମୋତେ ଗୋଟେ ନିର୍ଦ୍ଦିଷ୍ଟ ଦେଶର ବା ସମାଜର ବୋଲି ଯେତେ ପରିଚିତ କରାଇ ଦେଉଥିଲେ ହେଁ ମୋର ମାନସିକ ଭୂଗୋଳରେ ଯେକୌଣସି ଖାଇ ବା ଖାଡ଼ୀର ବାଧା ଆଦୌ ନାହିଁ, କୌଣସି ଧର୍ମ ହବା ସମାଜ ପ୍ରତି କୌଣସି ଘୃଣା ବା ଉପେକ୍ଷାଭାବ ନାହିଁ, ପ୍ରତ୍ୟେକ ବର୍ଷର ଡିସେମ୍ବର ମାସ ଓ ବିଶେଷତଃ ବଡ଼ଦିନ ପର୍ବ ତାହାର ପ୍ରତୀକ ହୋଇ ରହିଥିବ । ଇଉରୋପୀୟ ଜୀବନ ସଂସ୍କୃତି ଭିତରେ ଏହି ଉତ୍ସବର ଆନନ୍ଦ-,ଅବସରଟି ମୋତେ ସବୁଠାରୁ ଗୌରବମୟ ବୋଲି ମନେ ହେଉଥିଲା । ସେତିକିବେଳେ ସତେଅବା ଶିଶୁଯୀଶୁର ପ୍ରେରଣାମୟ ଡେଣା ଧରି ମୁଁ ଇଉରୋପୀୟ ଧର୍ମ ଓ ସଂସ୍କୃତିର ଆକାଶ ଭିତରକୁ ଉଡ଼ିଯାଇ ପାରୁଥିଲି, ସେହି ଆକାଶର ଆଲୋକରେ ଆପଣାକୁ ମଧ୍ୟ ଉଶ୍ଵାସ ମନେକରି ପାରୁଥିଲି, ଆପଣାର ଜୀବନ ଲାଗି ମୁଁ ଅତି ସ୍ଵାଭାବିକ ଭାବରେ ଖାଦ୍ୟ ସଂଗ୍ରହ କରି ପାରୁଥିଲି ।

 

୨୪ । ୧୨ । ୯୫

 

ଆଜି ଇଉରୋପର ଚିହ୍ନାଅଚିହ୍ନା ସବୁ ପରିବାର ଆନନ୍ଦରେ, ଉତ୍ସବରେ ଓ ସ୍ଵାଭାବିକ ମିଳନେଚ୍ଛାରେ ସ୍ପନ୍ଦିତ ହୋଇ ଉଠୁଥିବ । ଧଳା ବରଫର ପୃଷ୍ଟଭୂମି ଉପରେ ମଣିଷର ଏହି ଆନନ୍ଦ ବହୁରଙ୍ଗୀ ଜୀବନ ପରି ନାନା ରଙ୍ଗରେ ବିଚ୍ଛୂରିତ ହୋଇ ପଡ଼ୁଥିବା, ଇନ୍ଦ୍ରିୟଗ୍ରାହ୍ୟ ପୃଥିବୀରେ କେତେକେତେ ବ୍ୟଞ୍ଜନା ସୃଷ୍ଟି କରୁଥିବ, କେତେ ରହସ୍ୟର ଉଦ୍‌ଘାଟନ କରୁଥିବ । ମୋର ମନ ଆଜି ପିଲାଟିଏ ହୋଇ ଇଉରୋପର କେତେ ଘରଭିତରେ ପଶି ସଜ୍ଜିତ ବଡ଼ଦିନ ଗଛରେ ଚାରି ପାଖରେ ନାଚି ବୁଲୁଛି, ସେଠି ଜଳୁଥିବା ମହମବତୀର ଆଲୁଅରେ ମୁଁ ତା’ର ହସକୁ ଉଦ୍‌ଭାସିତ ହୋଇ ପଡ଼ୁଥିବାର ସ୍ପଷ୍ଟ ଅନୁଭବ କରିପାରୁଛି । ଇଉରୋପର ଅନେକ ଘରେ, ତେଣୁ ଇଉରୋପର ସାଂସ୍କୃତିକ ସଦନରେ ରହିଥିବା ମୋର ଉତ୍ତରାଧିକାରରେ ଏପର୍ଯ୍ୟନ୍ତ ଯେକୌଣସି ପ୍ରକାର କୃତ୍ରିମତା ପ୍ରବେଶ କରିନାହିଁ, କୌଣସିପ୍ରକାର ମଳିନତା ପ୍ରବେଶ କରିନାହିଁ । ‘ପ୍ରାଚ୍ୟ’ ନାମକ ଏକ ବନ୍ଦୀଶାଳାରେ ଆପଣାକୁ ଆବଦ୍ଧ କରି ରଖି ଉଇରୋପକୁ ‘ପାଶ୍ଚାତ୍ୟ’ ଅର୍ଥାତ୍ ଆପଣାଠାରୁ ଭିନ୍ନ ବୋଲି କହିବାକୁ ମୋର କେବେ ମନ ହୋଇନାହିଁ । ଏଯୁଗର ଅତି ବଡ଼ ପୃଥିବୀରେ ମଣିଷର ଆତ୍ମୀୟତାର ଭୂଗୋଳ ମଧ୍ୟ ସେହିପରି ପୃଥିବୀବ୍ୟାପୀ ହେବା ଦରକାର । ବିଭିନ୍ନ ଧର୍ମ ଓ ବିଭିନ୍ନ ସଂସ୍କୃତି ଗୋଟିଏ ଗୋଟିଏ ପାଖୁଡ଼ା ହୋଇ ଏକ ସମଗ୍ର ଫୁଲରେ ଫୁଟିଉଠିବା ଦରକାର । ଉଇରୋପ ମୋତେ ଯେତିକି ଆପଣାର ପ୍ରାଙ୍ଗଣରେ ବିଚରଣ କରିବାର ସୌଭାଗ୍ୟ ଦେଇଛି, ମୋର ଜୀବନ ନିର୍ମାଣରେ ଶୈଶବରେ ମୁଁ ସେତିକି ଦିନ ସେହିଠାରେ ହିଁ ପ୍ରତିପାଳିତ ହୋଇଛି । ତେଣୁ ଯଦି ଆପଣାର ଦେଶକୁ ଜନନୀ ବୋଲି କୁହାଯାଇ ପାରେ, ତେବେ ମୋର ଜନନୀ ହେବା ଲାଗି ଇଉରୋପର ମଧ୍ୟ ଭାରତବର୍ଷ ପରି ସମାନ ଅଧିକାର ରହିଛି । ସେଠି ସେତେଜାଗାକୁ ଯାଇଛି, ସବୁଠାରେ ଜନନୀର ଆଦର ଓ ପ୍ରତିପାଳନ ପାଇଛି । ସବୁଠାରେ ମୋ’ ଭିତରର ଶିଶୁ ଏକ ନୂତନ ଅଙ୍କୁରରେ ଅଙ୍କୁରିତ ହୋଇ ଉଠିଚି । ଏହାହିଁ ମୋତେ ଭାଗ୍ୟବାନ କରିଛି, ମୋ’ ଜୀବନର କେତେ ବାସନା ଓ ବିଶ୍ଵାସର ବ୍ୟବଧାନକୁ ଭାଙ୍ଗିଦେଇ ଯାଇଚି ।

 

୨୫ । ୧୨ । ୯୫

 

ଆଜିର ମହାନ୍ ଜନ୍ମତିଥିଟିକୁ ହୃଦୟରେ ଭରିନେଇ ମୋର ମଧ୍ୟ ନବଜନ୍ମ ହେବା ଉଚିତ-। ଏହି ମହାନ୍ ତିଥିଟିରୁ ପ୍ରେରଣା ନେଇ ନବଜନ୍ମ ଲାଭ କରିବା ଖ୍ରୀଷ୍ଟିଆନ୍ ହେବା ବା ନହେବା ଉପରେ ଆଦୌ ନିର୍ଭର କରେନାହିଁ । ପ୍ରେରଣାର ବ୍ୟାପକତାକୁ କେବେ କୌଣସିପ୍ରକାର ସୀମା ସୀମିତ କରି ରଖି ପାରିବନାହିଁ । ଯିଏ ପ୍ରକୃତରେ ପ୍ରସ୍ତୁତ ହୋଇ ପାରିବ, ତାହାରି ହୃଦୟ ଭିତରେ ପ୍ରେରଣାର ଆଶୀର୍ବାଦ ତୋରଣ ଆପେ ଆପେ ଉନ୍ମୁକ୍ତ ହୋଇଯିବ । ଗୀର୍ଜାଭିତରେ ଆସ୍ଥାନ ମାଡ଼ିବସି ଜଣେ ହୁଏତ ତଥାପି ପ୍ରସାଦ ପାଇବନାହିଁ, ମାତ୍ର ଖ୍ରୀଷ୍ଟିଆନ୍ ଧର୍ମଶାସନରେ ଅନଭିଜ୍ଞ ଯେକୌଣସି ବ୍ୟକ୍ତି ପ୍ରଶସ୍ତ ହେବାମାତ୍ରକେ ଆପଣା ଶ୍ରଦ୍ଧାର ସାକ୍ଷାତ୍‌ପଥରେ ଖ୍ରୀଷ୍ଟଜୀବନର ସକଳ ପ୍ରେରଣା ଲାଭ କରିପାରିବ । ବାଇବେଲ୍ ପଢ଼ି ଅଭିଭୂତ ହୋଇ ପଡ଼ିବାବେଳେ, ବାଇବେଲ୍ ପଢ଼ି ତାହାରି ଭିତରେ ଆପଣାକୁ ଦେଖୁଥିବା ବେଳେ, ମୁଁ ଯେ ଖ୍ରୀଷ୍ଟିଆନ୍ ନୁହେଁ, ସେକଥା ଏକାବେଳକେ ପାସୋରି ପକାଏ । ଭିତରେ ଦୁଆର ଖୋଲିଲେ ବାହାରର କାନ୍ଥଗୁଡ଼ାକୁ ପ୍ରକୃତରେ ଏହିପରି ଭୁଲିଯିବା ଦରକାର । ଭିତରେ ସଭାରେ ବସିବାର ସୌଭାଗ୍ୟ ପାଇଲେ ବାହାରର ଜାତିଅଜାତି ବିଚାରକୁ ଭୁଲିଯିବା ଦରକାର । ମୁଁ ଆଜି ଠିକ୍ ସେହିପରି ଭାବରେ ମୋର ସକଳ ବିଭେଦକ ପରିଚୟକୁ ଭୁଲିଯାଇଚି, ଆଜିର ଏହି ତିଥିଟି ସେତେଯେପରି ମୋ’ ନିଜର ଜନ୍ମତିଥି ପରି ମନେହେଉଚି ।

 

୨୬ । ୧୨ । ୯୫

 

ଜୀବନରୁ ପଳାଇ ଯିବାକୁ ଆକୁଳ ହେଉଥିବା ମଣିଷର ଭାରତୀୟ ଚଳଚିତ୍ର ଦେଖିଯିବା ଉଚିତ । ବାସ୍ତବକୁ ଛାଡ଼ି, ପାଞ୍ଚମିନିଟର ଏକ ଆଦର୍ଶସ୍ଥାନୀୟ fantasy ଭିତରକୁ ଯେତେପ୍ରକାରର ଯିବା ସମ୍ଭବ, ଭାରତୀୟ ଚଳଚିତ୍ର ସେହିସବୁ ସମ୍ଭାବନାକୁ ବଡ଼ ନିପୁଣ ଭାବରେ ଯୋଗାଇ ଦେଇଥାଏ । ଟିକିଏ ଟିକିଏ ଆଦର୍ଶବାଦର ଖୁଞ୍ଚ ମାରିଦେଇ ତୁଚ୍ଛା ଭାବପ୍ରବଣତାକୁ ଏହା ଜୀବନ ବୋଲି ଦେଖାଇବାକୁ ଚେଷ୍ଟା କରେ, ଜୀବନର ସର୍ବଶ୍ରେଷ୍ଠ ଉପଭୋଗ୍ୟ ସାମଗ୍ରୀ ହିସାବରେ ବାଢ଼ି ଥୋଇଦିଏ । ଥାନଅଥାନରେ ଗାତ ଓ ଥାନଅଥାନରେ ଲୁହାର ଅବତରଣା କରି ଏହା ଦର୍ଶକକୁ ଏକ ଅବାସ୍ତବ ଖଟୁଲି ଉପରେ ବସାଇ କୁଆଡ଼େ କୁଆଡ଼େ ଉଡ଼ାଇ ନେଇଯାଏ । ଜୀବନ ବିଷୟରେ ଦର୍ଶକର ମନ ଭିତରେ ଏକ ପ୍ରକାରର ବିହ୍ୱଳ ଦୃଷ୍ଟିକୋଣ ସୃଷ୍ଟି କରିବାକୁ ଚେଷ୍ଟାକରେ । ଏ ଦେଶର ଯାବତୀୟ ସମସ୍ୟାକୁ କଳାତ୍ମକ ଚିତ୍ରଣ ଦ୍ଵାରା ହୃଦୟଗ୍ରାହ୍ୟ କରି ମନୁଷ୍ୟକୁ ମାର୍ଗର ନିର୍ଦେଶ ଦେବା ଚଳଚିତ୍ର–ଶିଳ୍ପର ସର୍ବପ୍ରଧାନ କାର୍ଯ୍ୟ, ଯେପରିକି ସମସ୍ୟାଗୁଡ଼ିକ ସମ୍ମୁଖୀନ ହେବାକୁ, ସେଗୁଡ଼ିକର ସମାଧାନ ଲାଗି ବିଚାରପୂର୍ଣ୍ଣ ବାଟ ଖୋଜିବାକୁ ଏ ଦେଶର ମଣିଷ ସାହସୀ ହୋଇପାରିବ । କିନ୍ତୁ ଆମ ଦେଶର ଚଳଚିତ୍ର ସବୁ ସମସ୍ୟାର ସମାଧାନକୁ ନାନାପ୍ରକାର ଭାବପ୍ରବଣତା ଭିତରେ ଆଚ୍ଛନ୍ନ କରି ରଖିଥାଏ, ମଣିଷକୁ ଅଧିକ ସାହସୀ ଓ ଶକ୍ତିମାନ୍ କରି ତାକୁ ପଳାଇବାକୁ ଶିଖାଏ, ଭୁଲିଯିବାକୁ ଶିଖାଏ, ବାସ୍ତବତାର ପୃଥିବୀ ଭିତରେ ଆପଣ ଭାବପ୍ରବଣତାର ଏକ କ୍ଷୁଦ୍ରବିଚ୍ଛିନ୍ନ ପୃଥିବୀ ସୃଷ୍ଟି କରି ତାହାରି ଭିତରେ ଲୁଚି ରହିବାକୁ ଶିଖାଏ । ନାନାପ୍ରକାରର ତାତ୍କାଳିକ ଉପଭୋଗର ପ୍ରତାରଣା ସୃଷ୍ଟି ହେଉଥିଲେ ମଧ୍ୟ ଏହାଦ୍ଵାରା ମନୁଷ୍ୟର ମନରେ କୌଣସି ପ୍ରକାରର ସାର୍ଥକ ସ୍ପନ୍ଦନ ସୃଷ୍ଟିହୋଇ ପାରେ ନାହିଁ । ଭଲପାଇବା, ସମାଜରେ ଆପଣା ଜୀବନ ବଞ୍ଚିବା ଓ ସେଇଥିରୁ ଆନନ୍ଦ ପାଇବା, ଆପଣ ଜୀବନରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବା,–ଏସବୁ ସମ୍ଭବ ହୁଏନାହିଁ । ଏକପ୍ରକାର ସହଜ ଉପଭୋଗର ସ୍ତରକୁ ଅବନତ ହୋଇ ମଣିଷ ସବୁପ୍ରକାର ସ୍ତରରୁ ବାଉଳା ହୋଇ ରହେ । ଆପଣାକୁ ସେ ଅଧିକ ଦୁର୍ବଳ କରି ପକାଏ ।

 

୨୭ । ୧୨ । ୫୯

 

କର୍ମର ସୂତ୍ରଟିକୁ ମୁଁ କଦାପି ଛାଡ଼ିବି ନାହିଁ । ଏହି ସୂତ୍ରଟିକୁ ଛାଡ଼ିଦେଲେ ଜୀବନରେ ଯେପରି ଯାବତୀୟ ଭ୍ରମ ଆସି ଉପସ୍ଥିତ ହୁଏ, ମୁଁ ଆପଣ ପଥରୁ ବାର ବାର ଚ୍ୟୁତ ହୋଇପଡ଼େ । ବାରବାର ଆପଣାର ଶାନ୍ତ ଭଙ୍ଗ ହୁଏ । ଏହି ନିୟତ କର୍ମ କରିଯିବା ବ୍ୟତୀତ ମୋର ଯେପରି ଆଉ କୌଣସି ଅଧିକାର ହିଁ ନାହିଁ । ଜୀବନକୁ ସହଜ କରିବାକୁ ହେଲେ ଜୀବନର ଏକ ସହଜ ନିର୍ମଳ କର୍ମ ଛନ୍ଦ ସୃଷ୍ଟିକରି ରଖିବା ଦରକାର । ଗତ ପ୍ରାୟ ପାଞ୍ଚ ସପ୍ତାହ ହେଲା ମୁଁ ସକାଳେ ତିନିଟାବେଳୁ ଉଠି ସୂର୍ଯ୍ୟୋଦୋୟ ପର୍ଯ୍ୟନ୍ତ ଗୋଟିଏ କାମରେ ବସି ଯାଉଥିଲେ । ଏତେ ଶୀଘ୍ର ବିଛଣା ଛାଡ଼ିବାକୁ ବଡ଼ କଷ୍ଟ ଲାଗୁଥିଲା । କିନ୍ତୁ କ୍ରମେ ସେଇଟା ଅଭ୍ୟାସରେ ପଡ଼ିଗଲା । ଗତ ଚାରିପାଞ୍ଚଦିନ ତଳେ ସେହି କାମଟି ସରିଯିବା ଭିତରର ଏକ ଆଳସ୍ୟରେ ପଡ଼ିଯାଇ ମୁଁ ଏତେଶୀଘ୍ର ଉଠିବା ଛାଡ଼ିଦେଲି । ମନକୁ ଛୁଟି ଦେଇ, ଅର୍ଥାତ୍ ମନ ଭିତରେ ଯିଏ ଟିକିଏ ଆଳସ୍ୟ ଚାହୁଁଥିଲା, ତାକୁ ଅଳସ ହୋଇ ବସିବା ଲାଗି ପ୍ରଶୟ ଦେଲି । ୟା’ ଭିତରେ ପ୍ରତ୍ୟକଦିନ ଠିକ୍ ତିନିଟା ବେଳେ ମୋର ନିଦ ଭାଙ୍ଗିଛି, ମାତ୍ର ମୁଁ ଏକ ବିଶେଷ ସୁବିଧା ଉପଭୋଗ କରୁଥିବାରୁ ଆତ୍ମସନ୍ତୋଷରେ ବିଛଣାରେ କମ୍ବଳ ଘୋଡ଼ିହୋଇ ପଡ଼ି ରହିଛି । ଠିକ୍ ସେତିକିବେଳେ ଉଠିଲେ ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ ସମାପ୍ତ କରିହେବ, ମୁଁ ସେତିକିବେଳ ପର୍ଯ୍ୟନ୍ତ ବିଛଣାରେ ପଡ଼ି ରହିଛି । ଏବଂ, ମୋର ସେହି ଆଳସ୍ୟର ପ୍ରଶୟ ନେଇ ମନ ଭିତର ଯାବତୀୟ ପ୍ରକାରର ପଘାଛିଣ୍ଡା ଚିନ୍ତା ମୋତେ ବଡ଼ କ୍ଷୁବ୍‌ଧଚଞ୍ଚଳ କରିଦେବାକୁ ଆସିଚି । ସକଳ ସମୟର ଶାନ୍ତ ମୁହୂର୍ତ୍ତରେ ତଥାପି ମୋ’ ପ୍ରାଣର ଚେତନ ଶାନ୍ତି ଚହଲି ଯାଇଚି । ମୋତେ ବଡ଼ ବିଚଳିତ କରି ପକାଇଚି ।

 

୨୮ । ୧୨ । ୫୯

 

ବରଷସରି ଆସୁଛି । ପୁରୁଣା ବରଷ ସରିଯାଇ ନୂଆ ବରଷ ଆସୁଚି । କିନ୍ତୁ ପୁରୁଣା ପୃଥିବୀର ଅନେକ ପୁରୁଣା ରୋଗ ଜୀବନଟାକୁ ଯେପରି ଚାରିଆଡ଼ୁ କାମୁଡ଼ି ଧରିଛି । ବରଷ ଶେଷ ଓ ବର୍ଷର ଆରମ୍ଭରେ ଅଭିନନ୍ଦନ ଓ ଶୁଭେଚ୍ଛାରେ କେତେ ଘର ଭରି ଉଠୁଚି, ଉତ୍ସବ ଓ ପର୍ବର କେତେ ଘର ଫାଟିପଡ଼ୁଚି, କିନ୍ତୁ ମଣିଷ ତଥାପି ପୁରୁଣା ହୋଇ ପଡ଼ିରହିଛି, ପୁରୁଣାକୁ ବିଦାୟ ଦେଇ ସେ ତଥାପି ନାଆକୁ ଗ୍ରହଣ କରି ପାରୁନାହିଁ । ଉତ୍ସବ ଓ ଅଭିନନ୍ଦନ–ଜ୍ଞାପନ କେବଳ ବାହାରର ଉପଚାର ହୋଇ ରହିଛି । ବାହାରର ଏହି ଉପଚାର ଟିକକର ବରାଦ ପୂରଣ କରି ପାରିଲେ ଯେପରି ତା’ର ସବୁ କାମ ସରିଯାଉଚି । କିନ୍ତୁ ନୂଆ ହେବାର କୌଣସି ଇଚ୍ଛା ଯେପରି ଆମ କାହାରି ଭିତରେ ନାହିଁ । ନୂଆ ହେବାର ସମ୍ଭାବ୍ୟ ବୀଜଟିଏ ଆମ ଭିତରେ କେଉଁଠି ଆମର ଇଚ୍ଛାଲାଗି ଅପେକ୍ଷା କରି ରହିଛି ବୋଲି ଆମେ ଅନୁଭବ ହିଁ କରୁ ପାରୁନାହୁଁ ଆମର ରୋଗମାନ କୌଣସି ପ୍ରକାର ଆରୋଗ୍ୟର କଳ୍ପନା କରି ପାରୁନାହିଁ । ଆମ ସଭିଙ୍କ ପାଖରେ ଜୀବନଟା ଯେପରି ପୁନରାବୃତ୍ତି ବ୍ୟତୀତ ଆଉ କିଛି ନୁହେଁ, ଯେପରି ଗୋଟିଏ ଦିନ ଆଉ ଗୋଟାଏ ଦିନଠାରୁ କୌଣସି ପ୍ରକାରେ ଭିନ୍ନ ନୁହେଁ, ଗୋଟାଏ ବର୍ଷ ଆଉ ଗୋଟିଏ ବର୍ଷଠାରୁ କୌଣସି ପ୍ରକାରେ ବିଚିତ୍ର ନୁହେଁ । ଯେପରି ଏ ଜୀବନରେ କିଛିହେଲେ ହେବାର ନାହିଁ, କେଉଁଠି ହେଲେ ପହଞ୍ଚିବାର ନାହିଁ କିଛି ଚିହ୍ନିବାର ବା କିଛି ଦେବାର ନାହିଁ । କିଛି ସାଇତି ରଖିବାର ବା ସମର୍ପଣ କରିବାର ନାହିଁ । ଏପରି କେବଳ ଏକ ଉଦାସ ଭୋଗମୟ ଦୃଷ୍ଟିକୁ ମୁଁ ମୃତ୍ୟୁ ବୋଲି କହିବି । ତେଣୁ କେବଳ ସାରିଦେବାରେ ହିଁ ଆମର ଏତେ ସୁଖ, କେବଳ ଦିନପରେ ଦିନ ଓ ବର୍ଷ ପରେ ବର୍ଷ ପୁନରାବୃତ୍ତି କରିଯିବାରେହିଁ ଆମର ଆନନ୍ଦ । ଏଠି ନୂଆ ପୁରୁଣାର କୌଣସି ଭେଦ ନାହିଁ । ଏଠି ମଣିଷ ବୁଢ଼ା ହୋଇ ବସିଛି ଓ ମଣିଷ ଭିତରେ ତା’ର ଯୁଗଟା ବି ବୁଢ଼ା ହୋଇ ବସିଛି ।

 

୨୯ । ୧୨ । ୯୫

 

ବେଳେବେଳେ ସବୁ ଅହସ୍ୟ ଲାଗୁଚି । ଏହି ସଂସାର ଓ ସମୟ ଅସହ୍ୟ ଲାଗୁଚି । ଏହି କୃତ୍ରିମତା ଓ କାରସାଦି ଅହସ୍ୟ ଲାଗୁଚି । ଆପଣାର ନିଷ୍କ୍ରିୟତାକୁ ଧୈର୍ଯ୍ୟ ବୋଲି କହି ଏଠି ମୁହୂର୍ତ୍ତେ ସୁଦ୍ଧା ପଡ଼ିରହିବାକୁ ଅସହ୍ୟ ମନେହେଉଚି । ମୁଁ ଆଗକୁ କୌଣସି ପ୍ରକାର ବାଟ ଦେଖି ପାରୁନାହିଁ । କୌଣସିଆଡ଼େ କୌଣସି ପ୍ରକାର ପ୍ରତିକାର ପାଉନାହିଁ । ବାହାରେ ଜୀବନ ଓ ଜୀବନାୟୋଜନର ନାନା ପ୍ରକାର ଅଭିନୟ କରି ଏହି ହୀନ ଆଜୀବନ ଭିତରେ ପଡ଼ିରହିବାକୁ ଆଦୌ ଇଚ୍ଛା ହେଉ ନାହିଁ । ଏହିସବୁ କାଇଦା ଓ କୌଶଳ ପାଖରେ ମୁଁ ଆପଣାକୁ ଯେପରି ବଡ଼ ଅପାରଗ ମନେ କରୁଚି, ଏହି ସଜ୍ଜିତ ଓ ପ୍ରଗଳ୍‌ଭ ଆଳସ୍ୟ ପାଖରେ ମୁଁ ବିସ୍ମିତ ଓ ବିମୂଢ଼ ହୋଇ ରହିଯାଉଛି । କାହିଁକି ମୁଁ ଏହା ଭିତରୁ ଆସିଲି, ନିର୍ବୋଧଙ୍କ ପରି କାହିଁକି ଏହାକୁ ଜୀବନ ବୋଲି ଭ୍ରମ କଲି ? ଗୋଟିଏପ୍ରକାର ପଶ୍ଚାତ୍ତାପ ମୋର ଅସନ୍ତୋଷକୁ ଆହୁରି ଅସହ୍ୟ କରିଦେଉଛି । ମୁଁ ଜାଣେ, ଏଭଳି ପଶ୍ଚାତ୍ତାପରେ କୌଣସି ଲାଭ ନାହିଁ । ଜୀବନର ସମୁଖୀନ୍ନ ହେବାକୁ ହିଁ ପଡ଼ିବ, ଅଜୀବନକୁ ଅଜୀବନ ବୋଲି କହି ବର୍ଜନ କରି ବସିବାକୁ ହିଁ ପଡ଼ିବ । ଖାଲି କେତେଟା ସଂସ୍କାରକୁ ମାନି ପଡ଼ିରହିବାକୁ ଜୀବନ ବୋଲି ଅନୁଭବ କରିବା ମୋ’ ଦ୍ଵାରା ସମ୍ଭବ ହୋଇ ପାରିବ ନାହିଁ । ଏହି ସଂସ୍କାରଗୁଡ଼ିକୁ ମୁଁ କୌଣସି ଭୟ କରେ ନାହିଁ । କାରଣ ସଂସାରଦ୍ଵାରା ବର୍ଜିତ ହେବା ଅପେକ୍ଷା ମୁଁ ଆପଣାଦ୍ଵାରା ବର୍ଜିତ ହେବାର ଦୁର୍ଦ୍ଦଶାକୁ ଅଧିକ ଦୁଃସହ ବୋଲି ମନେ କରେ । ଏହି ଜୀବନ ଭିତରେ ମୋର ସ୍ଥାନ ନୁହେଁ, ଏହି ଆଳସ୍ୟର ଜୀବନାଭିନୟ ଭିତରେ ମନ କଦାପି ବାନ୍ଧିହୋଇ ରହିବ ନାହିଁ । ମୋତେ ଯିବାକୁ ହିଁ ପଡ଼ିବ, ମୋତେ ବଞ୍ଚିତ ହେବାକୁ ହିଁ ପଡ଼ିବ, ମୋତେ ପଥ ଭ୍ରଷ୍ଟ ହେବାକୁ ହିଁ ପଡ଼ିବ ।

 

୩୦ । ୧୨ । ୯୫

 

ସଂଗୀତ ଭିତରେ ଉତ୍ତୋଳିତ କରି ନେବାର ଶକ୍ତି ଅବଶ୍ୟ ରହିଛି, କିନ୍ତୁ ଏହି ଉତ୍ତୋଳିତ କରି ନେବାର ଅର୍ଥଟିକୁ ଆମେ ଜୀବନରୁ ବାହାରି ବା ବିସ୍ତୃତ ହୋଇ ଅନ୍ୟକୁଆଡ଼େ ପଳାଇ ଯାଇପାରିବା ଅର୍ଥରେ କଦାପି ଗ୍ରହଣ କରିପାରିବା ନାହିଁ । ଗ୍ରହଣ କଲେ ଭାରି ଭୁଲ କରିବା । ସଂଗୀତ ଆମର ଏହି ସଂସାରକୁ ମଧ୍ୟ ଚିହ୍ନାଇ ଦେଇଥାଏ । ଶବ୍ଦଗ୍ରହଣର ଅନ୍ତର୍ଗବାକ୍ଷପଥରେ ନାନପ୍ରକାର ସୌନ୍ଦର୍ଯ୍ୟମୟ ପ୍ରତୀକ ସୃଷ୍ଟି କରି ଏହା ରୂପକୁ ଚିହ୍ନାଇ ଦେଇଯାଏ, ଆପଣାକୁ ଚିହ୍ନାଇ ଦେଇଯାଏ । ନାନା ପ୍ରକାର ଅତିରକ୍ତା ଓ ଦୀନତାଯୋଗୁ ଆପଣ ଭିତରେ ହୋଇଯାଇଥିବା ଖାଲଖମାର, କର୍କଶତାକୁ ଭାଙ୍ଗି ସମାନ, ସମତୁଲ ଓ ସୁଗଠିତ କରି ସୁନ୍ଦର କରି ଦେଇଯାଏ । ଆପଣାଭିତରେ ଅନେକ ଅଭେଦ୍ୟ ଓ ବର୍ଜିତପ୍ରାୟ ସ୍ଥାନକୁ ଛୁଇଁ ପାରିବାର ଓ ଭେଦ ପାରିବାର ଶକ୍ତିକାଠି ଦେଇଯାଏ । ଏହି ନୂତନ ଶକ୍ତିଲାଭ ଫଳରେ ହିଁ,ଏହି ନୂତନ ନମନୀୟତା ଲାଭ କରିବା ଫଳରେ ହିଁ ସଙ୍ଗୀତକୁ ପ୍ରାଣଖୋଲି ଶୁଣିଲାବେଳେ ବା ପ୍ରାଣଭରି ଗାଇବାବେଳେ ଆପଣାକୁ ସମସ୍ତ ଭୁବନର ଅଧିକାରୀ ପରି ମନେହୁଏ, ସବୁଠାରେ ଅବାଧ ପ୍ରବେଶପତ୍ର ପାଇ ଗଲାପରି ଲାଗେ, ସବୁପ୍ରକାରର ସ୍ପର୍ଶକାତରତା ଓ ସ୍ପର୍ଶ ରୋଗ ଦୂର ହୋଇଯାଏ, ଆପଣାଠାରୁ ଦୂରରେ ରହିଥିବା ଅଶେଷ ଭଲ ପାଇବାର ସମ୍ପଦ ଆପଣାର ଅତି ନିବିଡ଼ ହୋଇ ଆସେ । ସଂଗୀତ ଜୀବନକୁ ମଧ୍ୟ ଚିହ୍ନାଇଦେଇ ଯାଏ । ଜୀବନ ବଞ୍ଚିବା ଏକ କସରତ୍‌ ନୁହେଁ, ଏକ ଗଞ୍ଜଣା ବା ଦଣ୍ଡଭୋଗ ନୁହେଁ,–ଏହାରି ଉପଲବ୍‌ଧି ହୁଏ । ଜୀବନର ଯାବତୀୟ କ୍ଷେତ୍ରକୁ ମଧ୍ୟ ଏହି ସଙ୍ଗୀତମୟ ପ୍ରସାରିତ ହୋଇଯାଏ । ଆପଣା ଭିତରେ ସଙ୍ଗୀତକୁ ତା’ର ପୂର୍ଣ୍ଣକାର୍ଯ୍ୟ କରିବାକୁ ଦେଲେ କ୍ରମେ ବଞ୍ଚିବାର ଯାବତୀୟ ମୁହୂର୍ତ୍ତ ଓ ଯାବତୀୟ ଉପଲକ୍ଷ୍ୟ ମିଶି ଏକ ଅପୂର୍ବ ଜୀବନସଂଗୀତର ପରିଣତ ହୁଏ । ଶୁଣୁଥିବା ସଂଗୀତ ଆଖିରେ ଦେଖିବା, ହାତରେ ଛୁଇଁବା ଓ ଅନ୍ତର ଭିତରେ ଅନୁଭବ କରିବାର ରୀତିକୁ ମଧ୍ୟ ପ୍ରଧାନତଃ ଏକ ସଙ୍ଗୀତମୟ ରୀତିରେ ପରିଣତ କରିଦିଏ ।

 

୩୧ । ୧୨ । ୯୫

 

ବର୍ଷର ଶେଷ ଦିନ । ତଥାପି କାଲିର ନୂଆ ବର୍ଷଲାଗି ଯେପରି କିଛି ସଜଡ଼ା ହୋଇନାହିଁ-। ପୃଥିବୀଟା ସେହିପରି ପୁରୁଣା ହୋଇ ପଡ଼ି ରହିଛି, ସମାଜ ସେହିପରି ପୁରୁଣା ହୋଇ ରହିଛି, ଦେଶର ଜୀବନକୁ ସେଇ ପୁରୁଣା ଗଣ୍ଠିଗୁଡ଼ାକ ଛନ୍ଦିଦେଇ ଅଚଳ କରି ରଖିଛି । ମୋର ଆପଣା ଜୀବନରେ ମଧ୍ୟ ବୁଢ଼ା ହୋଇ ବସିବାର ନାନା ଫିସାଦ ଏପର୍ଯ୍ୟନ୍ତ ରାଜତ୍ଵ କରିବାରେ ଲାଗିଛନ୍ତି । ତେଣୁ ପୁରୁଣା ସନ ଯାଇ ନୂଆ ସନ ଆସିଲେ ହୃଦୟ ଭିତରେ ନୂଆ ବୋଲି ଅନୁଭବ କରିବାର ଅବକାଶ କାହିଁ ? ଅନେକ ପୁରୁଣାକୁ ମୁଁ ପୁରୁଣା ବୋଲି ଚିହ୍ନି ସାରିଛି, ତଥାପି ନାନାପ୍ରକାର ଜଡ଼ତା–ସୂତ୍ରକୁ ଆଶ୍ରୟ କରି ମୁଁ ସେଗୁଡ଼ିକୁ ବିଦାୟ ଦେଇ ପାରିନାହିଁ । ନାନା ପ୍ରକାର ପୁରୁଣା ମୋହମିଳନତାରେ ମୋର ଗୋଡ଼ ଛିଣ୍ଡାଇ ଆଗକୁ ଯିବାର ଶକ୍ତି ନାହିଁ । ସେଥିଲାଗି ଆଜି ନୂତନ ବର୍ଷର ତୋରଣ ଦେଶର ପହଞ୍ଚି ମଧ୍ୟ ତାହାକୁ ଅଭିନନ୍ଦନ କରି ଆଣିବା ଲାଗି ମୋ’ ପାଖରେ ଯେପରି କୌଣସି ଅର୍ଚ୍ଚନା ସାମଗ୍ରୀ ନାହିଁ । ଏହି ଲଜ୍ଜ୍ୟା ଯେପରି ମୋ’ର ସମସ୍ତ ହୃଦୟ ଦ୍ଵାରକୁ ଏପର୍ଯ୍ୟନ୍ତ ଅସଜ୍ଜିତ ଓ ଅବରୁଦ୍ଧ କରି ରଖିଛି । ଏହି ପୁରୁଣାରୁ ମୁକ୍ତ ଦରକାର, ପୁରୁଣାକୁ ନୂଆରେ ରୂପାନ୍ତରିତ କରିବାର ମସଲା ଦରକାର, ଆଜିର ଧନକୁ କାଲିର ଅର୍ଜନ ପାଇଁ ବ୍ୟବହାର କରି ପାରିବାର ହୃଦୟବଳ ଦରକାର । ଆଉ ଟିକିଏ ଗଲେ ବର୍ଷର ଯେଉଁ ଶେଷ ସୂର୍ଯ୍ୟ ଆଜି ଉଦିତ ହୋଇ ଆସିବ, ମୁଁ ତାହାରି ପାଖରେ ଏହି ମୁକ୍ତ ପାଇଁ, ଏହି ସାମଗ୍ରୀ ଓ ଏହି ହୃଦୟବଳ ପାଇଁ ପ୍ରାର୍ଥନା କରିବି । କାଲି ଆସୁଥିବା ନୂତନ ସକାଶେ ପ୍ରସ୍ତୁତ ହୋଇ ପାରିବା ଲାଗି ପ୍ରାର୍ଥନା କରିବି ।

 

୧୯୬୦

୧ । ୧ । ୬୦

 

ନବ ପ୍ରଭାତର ଏକ ଜନ୍ମ ସ୍ପନ୍ଦନମୟ ମୁହୂର୍ତ୍ତରେ ନୂତନ ମନରେ ନୂତନ ବର୍ଷକୁ ସ୍ଵାଗତ ଅଭିନନ୍ଦନ ଜଣାଇବାକୁ ପଡ଼ିବ । ଆଉ ଟିକିଏ ଗଲେ ଶେଷ ରାତିର ଅନ୍ଧାର ଓ ନୀରବତା ଯାଇ ପ୍ରଭାତ ହେବ । ନୂତନ ବର୍ଷର ଆଲୋକିତ ଉନ୍ମୋଚନରେ ଜଗତଯାକ ଉନ୍ମୋଚିତ ହୋଇଯିବ । ନୂତନ ଆଲୋକିତ ଉନ୍ମୋଚନାରେ ଜଗତଯାକ ଉନ୍ମୋଚିତ ହୋଇଯିବ । ଅଣଷଠି ଯାଇ ଷାଠିଏ ଆସିବ । ବୟସ ଗଣିଲେ ଏହି ପୃଥିବୀ କ୍ରମେ ଅଧିକ ପୁରୁଣା ହୋଇହୋଇ ଯାଉଚି, ଏହି ମଣିଷ କ୍ରମେ କ୍ରମେ ଅଧିକ ପୁରୁଣା ହୋଇ ଯାଉଛି, ମୁଁ ମଧ୍ୟ କ୍ରମେ ପୁରୁଣା ହୋଇ ଯାଉଛି । କିନ୍ତୁ ଜୀବନ ବଞ୍ଚିବାର ଅର୍ଥ କେବଳ ବୟସରେ ବୁଢ଼ା ହେବା ନୁହେଁ । ଏହି ଜୀବନ କେବଳ ପୁନରାବୃତ୍ତି ମାତ୍ର ନୁହେଁ,–କେବଳ ଦେଖିବା, ଶୁଣିବା, ଅନୁଭବ କରିବା ବା ପୁଲକିତ ହେବାର ପୁନରାବୃତ୍ତି ନୁହେଁ । ପ୍ରତ୍ୟେକ ଦିନରେ ଅଭିଜ୍ଞତାରୁ ନୂଆ ମାଟି ପରି ପ୍ରସ୍ତୁତି କରି ଜୀବନର ନବଜନ୍ମ ଲାଭ ହୁଏ । ଆଜିର ଅନୁଭୂତି ଆଗାମୀ କାଲିର ଅନୁଭୂତିକୁ ନୂଆ ଡେଣା ଯୋଗେଇ ଦିଏ । ପୁରୁଣା ବର୍ଷର ଜୀବନଯାପନ ସମୃଦ୍ଧ ହୋଇ ନୂଆ ବର୍ଷର ଜନ୍ମଲାଭ କରେ । ଏପରି ଭାବରେ ଜୀବନର ଅଭିଭୂତ ହେବାର ଉତ୍ସବ ଚାଲିଥାଏ । ଅଭିଭୂତ ଆଖି ସେହି ପୁରୁଣା ଭିତରେ ନୂଆକୁ ଦେଖେ, ଅଭିଭୂତ ମନ ପୁରୁଣା ବିଚାରରେ ନୂଆ ଅଙ୍କୁର ସମ୍ଭବ କରାଏ, ଅଭିଭୂତ ହୃଦୟ ପୁରୁଣା ଅନୁଭୂତିରେ ନୂତନ ଆତ୍ମୀୟତା ହର୍ଷ ବୋଳିଦେଇ ଯାଏ । ଆପଣାର ପୁରୁଣା ସମ୍ବନ୍ଧ ଓ ସମ୍ପର୍କ ଭିତରେ ଅଭିଭୂତ ମଣିଷ ନୂଆ ଉଷ୍ଣତା ଓ ଯଥାର୍ଥତା ଅନୁଭବ କରେ । ଏହି ଅଭିନବତା ଭିତରେ ତଥାପି ଗୋଟିଏ ପରସ୍ତ ଯାଇ ଆଉଗୋଟିଏ ପରସ୍ତର ଉଦ୍‌ଘାଟନ ହେଉଥିବା ସମୟରେ ଆଜି ମୋ’ ଭିତରେ ମୁଁ ଯେପରି ଏକ ଦ୍ଵାରୋଦ୍‌ଟଣାର ଶବ୍ଦ ଶୁଣିପାରୁଛି । ଭିତରେ କେଉଁ ଅନ୍ତରଙ୍ଗ ଭକ୍ତ ଓ ଭୃତ୍ୟ ଯେପରି କାହାର ଆମନ୍ତ୍ରଣ ଉପଲକ୍ଷରେ ଚାରିଆଡ଼େ ବିକ୍ଷିପ୍ତ ହୋଇ ପଡ଼ିଥିବା ମଇଳାକୁ ସଫା କରି ଦେଉଛି, ଭିତରର କେଉଁ ଅନ୍ତରଙ୍ଗ ବନ୍ଧୁ ଯେପରି କେତେଦିନର କେତେ କ୍ଷତକୁ ଆପଣାର ସ୍ନେହ ସ୍ପର୍ଶରେ ଭରାଇଦେଇ ଯାଉଛି । ମୋ’ରି ଭିତରେ ଆଜି ତାହାର ଜୟ ହେଉ । ତାହାର ହାତରେ ସାଧନାମାତ୍ର ହୋଇ ମୁଁ ଆପଣାକୁ ଧନ୍ୟ କରିଦିଏ । ଆଜିର ଅନାଗତ ସୂର୍ଯ୍ୟ ଓ ପୂର୍ବାକାଶରେ ଜଳୁଥିବା ପ୍ରଭାତୀ ତାରାକୁ ପ୍ରଣାମ ଜଣାଇ ମୁଁ ନୂତନକୁ ଘର ଭିତରକୁ ଡାକିଆଣେ !

 

୨ । ୧ । ୬୦

 

ତଳେ ହଳଦିଆ ସୁନାର ଉଜ୍ଜ୍ୱଳ ସୋରିଷଖେତ, ଉପରେ ଆକାଶ ଭରା ସୂର୍ଯ୍ୟକିରଣ ଉଜ୍ଜ୍ୱଳ ସୁନାରଙ୍ଗ, ଏହାର ଭିତରେ ସେଦିନ ଘଡ଼ିଏ ବୁଲିଆସିବା ବେଳେ ଆପଣାକୁ କେବଳ ଆଲୋକମୟ ବୋଲି ମନେ ହେଉଥାଏ । ମନ ଭିତରଟା ହାଲୁକା ଲାଗୁଥାଏ । ହୃଦୟର ବିସ୍ତାର ପୃଥିବୀର କୌଣସି ବିସ୍ତାର ସୀମା ଭିତରେ ଅଟକି ରହି ପାରୁନଥାଏ । ମଣିଷ ଭିତରେ ଏପରି ଏକ ମହାନ୍ ସତ୍ତା ରହିଛି, ଯାହାକି ଏଇ ଆକାଶଠାରୁ ବଡ଼, ଏଇ ପୃଥିବୀଠାରୁ, ଏ ସମାଜ ଓ ଏ ସଂସାରଠାରୁ ବଡ଼, ଧର୍ମ ଓ ନୀତିର ଯାବତୀୟ କଳ୍ପନାଠାରୁ ବଡ଼, ଜନ୍ମ ଓ ମରଣର ଦୁଇ କାଠି ଭିତରେ ଚିହ୍ନିତ ହୋଇ ରହିଥିବା ଏହି ଜୀବନଠାରୁ ବଡ଼ । ପ୍ରକୃତି ଭିତରେ, ଆଲୋକ ଓ ପବନର ସାବଲୀଳ ବ୍ୟାପ୍ତିମୟତା ଭିତରେ ଆପଣାକୁ ମୁକୁଳାଇ ଦେଲାବେଳେ ଠିକ୍ ଏହିପରି ମନେ ହୁଏ, ଏବଂ ସେହି ଅନୁଭୂତିରେ ହୃଦୟ ଓ ମନର ସଙ୍ଗେ ସଙ୍ଗେ ଶରୀରଟା ମଧ୍ୟ ଏକ ଅଭିନବତାର ଅନୁଭୂତିରେ ଅନୁଭୂତ ହୋଇପଡ଼େ । ଆମର ଏହି ସଂସାରରେ ମଣିଷକୁ ନାନା ସୀମା, ନାନା ଶାସନ ଓ ନାନା ଅନୁରକ୍ତି ଭିତରେ ବଡ଼ ଛୋଟ କରି ରଖାଯାଇଛି । ଭୋକର ଯନ୍ତ୍ରଣାରେ ତାକୁ ଅନ୍ନର ଅଧୀନ କରି ରଖାଯାଇଚି, ଦାରିଦ୍ର୍ୟର ଦୁଃଖ ଦେଇ ତାକୁ ଅର୍ଥର ଅଧୀନ କରି ରଖାଯାଇଚି, ଦଣ୍ଡର ଧମକ ଦେଇ କ୍ଷମତାର ଅଧୀନ କରି ରଖାଯାଇଚି । ତେଣୁ ମଣିଷ ମରିଯାଇଛି, ଆପଣାର ଚିନ୍ତା ଓ ନାନା ଶୋଚନାର ଜଳାଶୟରେ ସେ ଆପଣାକୁ ହରାଇ ବଡ଼ ନିଃସ୍ଵଭାବେ ଜୀବନ ଧରି ପଡ଼ିରହିଚି ।

 

୩ । ୧ । ୬୦

 

ଗୋଟିଏ କାମ ସରିଗଲେ ହଠାତ୍ ଅଳ୍ପଦିନ ପାଇଁ ଟିକିଏ ହୁଗୁଳା ହେବାକୁ ଇଚ୍ଛା ହୁଏ । ଗତ ଦୁଇମାସ ହେଲା କେତେଟା କାର୍ଯ୍ୟର କ୍ରମ ହାତକୁ ନେଇ ନିୟମିତ ଭାବରେ ସବୁ କାମ କରୁଥିଲେ । ଘରେ ଆଲାର୍ମ୍ ଘଡ଼ି ନେଇଥିଲେ ମଧ୍ୟ ଭୋର ତିନିଟି ସମୟରେ ଆପେଆପେ ନିଦ ଭାଙ୍ଗି ଯାଉଥିଲା । ସେତେବେଳକୁ ରାତି ନଅଟା ପର୍ଯ୍ୟନ୍ତ ସବୁ କାମ ନିୟତ ସମୟରେ ହେଉଥିଲା-। କେତେବେଳେ ହେଲେ କ୍ଳାନ୍ତ ଲାଗୁନଥିଲା । ବରଂ ସବୁ କାମ ତା’ର ନିୟତି କ୍ରମରେ ଆଗେଇ ଚାଲିଛି ବୋଲି ନିତ୍ୟାଦିନର ଜୀବନରୁ ମୋତେ ଏକପ୍ରକାର ପ୍ରସନ୍ନତା ହିଁ ମିଳୁଥିଲା । ମଣିଷକୁ, ପୃଥିବୀକୁ, ଚତୁର୍ଦ୍ଦିଗରେ ପ୍ରକୃତିକୁ ଓ ମୋତେ ନିଜକୁ ଚାହିଁଲା ବେଳକୁ ଭାରି ଆନନ୍ଦ ଲାଗୁଥିଲା । ପ୍ରାୟ ସପ୍ତାହକ ପୂର୍ବରୁ ଗୋଟିଏ ବଡ଼ କାମ ସରିଗଲା । ତା’ପରେ ପିଲାଙ୍କର ପରୀକ୍ଷା ଓ ଖାତାଦେଖା ଆରମ୍ଭ ହେଲା । ବର୍ତ୍ତମାନ ସପ୍ତାହକ ପରେ ମୁଁ ପଛକୁ ଅନାଇ ଦେଖୁଚି, ଯେପରି ମୋର ଆହୁରି ଅନେକ କାମ ବାକୀ ପଡ଼ିରହିଚି, ଅନେକ ଗତି ବନ୍ଧା ହୋଇ ରହିଚି, ଅନେକ ଦ୍ଵାରା ଅବହେଳିତ ହୋଇ ପଡ଼ିଚି । ନୂତନ ବର୍ଷରେ ପୁଣି କେତୋଟି କାମ ଆରମ୍ଭ କରିବି ବୋଳି ମୁଁ ଆଗରୁ ବିଚାର କରି ରଖିଥିଲି । କିନ୍ତୁ ମନ ଏପର୍ଯ୍ୟନ୍ତ ବି ଥିର ହୋଇ କୌଣସି କାମରେ ବାସିବାକୁ ରାଜୀ ନୁହେଁ । ମନ ରାଜୀ ନହେଲେ, ଭିତରୁ ସମର୍ଥନ ନପାଇଲେ କୌଣସିପ୍ରକାରର କାମରେ ବସିବା କିପରି ସମ୍ଭବ ହେବ ? ଆଜି ସକାଳେ ଏକାନ୍ତ ହୋଇ ବସି ମୁଁ ଜୀବନରେ ଏହି ସାମୟିକ ଦୃଷ୍ଟତାଗୁଡ଼ିକ ଲକ୍ଷ୍ୟ କରି ଦେଖୁଛି ଓ ହାତରୁ ଛାଡ଼ି ଯାଇଥିବା ରଜ୍ଜୁଗୁଡ଼ିକୁ ପୁଣି ସଜାଡ଼ି ନେବାକୁ ଚେଷ୍ଟା କରୁଚି । ଦେଖୁଚି, ସୁବିଧା ପାଇଁ ମୁଁ ନିଜକୁ କମ୍ ଫାଙ୍କି ଦେଇନାହିଁ । ଆଜି ସକାଳେ ଯେତେବେଳେ ନିଦ ଭାଙ୍ଗିଲା, ସେତେବେଳେ ଆଲୁଅ ମାରି ଦେଖିଲି ଯେ ଘଡ଼ିରେ ସାଢ଼େ ଛଅଟା ବାଜି ସାରିଲାଣି । କିନ୍ତୁ ତଥାପି ଉଠିବାକୁ ମନ ହେଲାନାହିଁ । ଭିତରୁ ଅଳସ ମନ ମାଲିକ ହୋଇ କହିଲା,–ନାଇଁ, ଆଜିକ ତ ! ତେଣୁ ସମୟ ଡୋର କିଛି ନୁହେଁ, ଆଉ ପନ୍ଦର ମିନିଟ୍ ଶୋଇ ରହିଲେ ଆଦୌ କୌଣସି କ୍ଷତି ହେବନାହିଁ । ଏହି ମିଜାଜ କେବଳ ଗେହ୍ଲା ହେଲେ ହୁଏ । ଗେହ୍ଲା ହେବାର, ଅର୍ଥାତ୍ ସମସ୍ତ କାର୍ଯ୍ୟରୁ ଆପଣାକୁ ବଞ୍ଚାଇ କରି ରଖିବାରେ ଯେ କୌଣସି ଆନନ୍ଦ ନାହିଁ, ମୁଁ ସେକଥା ଭଲକରି ଜାଣିଛି । ତେଣୁ ସପ୍ତାହକ ପରେ ଏଥର ମୋର ନିୟତ କ୍ରମରେ ପୁଣି ଲାଗିଯିବାକୁ ହେବ ।

 

୪ । ୧ । ୬୦

 

ଗତ ଗ୍ରୀଷ୍ମକାଳର ହିମାଳୟ ଯାତ୍ରା ବିଷୟରେ ମୋତେ ବର୍ତ୍ତମାନ ବହିଟିଏ ଲେଖିବାକୁ ହେବ । ହିମାଚଳ କୋଳରେ ବିଚରଣ କରି ପ୍ରକୃତିର ଶୋଭା ଅନୁଭବ କରୁଥିବାବେଳେ ଆପଣା ପାଖରେ ମୁଁ ସେତିକିବେଳେ ଗୋଟିଏ ସଂକଳ୍ପ କରି ନେଇଥିଲି । ବର୍ତ୍ତମାନ ସେହି ସଂକଳ୍ପକୁ କାର୍ଯ୍ୟରେ ପରିଣତ କରିବାକୁ ହେବ । କିନ୍ତୁ ଏହି ସଂକଳ୍ପ ପ୍ରତି ଯଥୋଚିତ କର୍ତ୍ତବ୍ୟ କରିବାକୁ ହେଲେ ଠିକ୍ ହିମାଳୟ ପରି ଗମ୍ଭୀର ଓ ପ୍ରସନ୍ନ ହୋଇ ଶିଖିବାକୁ ପଡ଼ିବ । ଆପଣାର ଧ୍ୟାନଭିତରେ ହିମାଳୟର ମହିମାକୁ ଧରି ରଖିବାକୁ ପଡ଼ିବ । ତେଣୁ ଏଇ କେତେଦିନ ହେଲା ମୁଁ ଭାବୁଛି, ମୋର ବିଚଳିତ ମନ ଭିତରେ ଏହି ଧ୍ୟାନଧାରଣ କ’ଣ ପ୍ରକୃତରେ ସମ୍ଭବ ହୋଇ ପାରିବ ? ଜୀବନ କହିଲେ କେବଳ ପାହାଡ଼-ପର୍ବତ ବା ଅରଣ୍ୟକୁ ବୁଝାଏ ନାହିଁ । ଶୋଭା କହିଲେ କେବଳ ଆକାଶ ବା ବରଫକୁ ବୁଝାଏ ନାହିଁ । ହିମାଳୟରେ ବିସ୍ତାରକୁ ଜୀବନମୟ କରି ଯେଉଁମାନେ ସେଠାରେ ଘର, ଗାଆଁ ଓ ନାନା ମାନବିକ ତଥା ବୈଷୟିକ ସମ୍ବନ୍ଧ ସ୍ଥାପନ କରି ଜୀବନଯାପନ କରୁଛନ୍ତି ସେମାନଙ୍କର ଜୀବନକୁ ମଧ୍ୟ ମୁଁ ହିମାଳୟ ଜୀବନର ଏକ ମହତ୍ତ୍ଵପୂର୍ଣ୍ଣ ଅଂଶ ବୋଳି ଗ୍ରହଣ କରିଛି, ସେମାନଙ୍କର ନିତ୍ୟ ଜୀବନର ସୌନ୍ଦର୍ଯ୍ୟକୁ ମୁଁ ପ୍ରାକୃତିକ ସୌନ୍ଦର୍ଯ୍ୟରୁ ଅଲଗା କରି ଦେଇ ପାରିନାହିଁ । ତେଣୁ ହିମାଳୟ ବିଷୟରେ ମୁଁ ଯାହା ଲେଖିବି, ସେଥିରେ ହିମାଳୟର ମଣିଷ, ହିମାଳୟର ମାଆ, ହିମାଳୟର କୃଷକ ଓ ଅରଣ୍ୟବାସୀ ଏବଂ ହିମାଳୟର ଶିଶୁ ମଧ୍ୟ ତା’ର ଉପଯୁକ୍ତ ସ୍ଥାନ ପାଇବ । ସେମାନଙ୍କୁ ବାଦ୍ ଦେଇ ମୋର କୌଣସି ବର୍ଣ୍ଣନ କେବେହେଲେ ସଂପୂର୍ଣ୍ଣ ହେବ ନାହିଁ । କାରଣ ମୋର ଯାତ୍ରାପଥରେ ମୁଁ ବରଫ ଓ ଅରଣ୍ୟକୁ ଯେତିକି ଆଗ୍ରହରେ ଦେଖିଚି, ସେଠିକାର ମଣିଷକୁ ମଧ୍ୟ ଠିକ୍ ସେତିକି ଆଗ୍ରହରେ ଦେଖିଚି । କେଦାରନାଥ ଓ ବଦ୍ରୀନାଥର ତୀର୍ଥମହିମା ପରି ସେଠାରେ ଅତିବାହିତ ହେଉଥିବା ପ୍ରକୃତ ମନୁଷ୍ୟ ଜୀବନର ମହିମା ମଧ୍ୟ ହିମାଳୟ ଆଡ଼କୁ ଆକୃଷ୍ଟ କରିନେଇଚି ।

 

୫ । ୧ । ୬୦

 

ଏଇ ଛଅ ସାତ ଦିନହେଲା ମୁଁ ଯେପରି ଏକ ଶୀତଳ ପର୍ବ ଭିତର ଦେଇ ଅତି କ୍ରମ କରିଯାଉଚି । ମୁଁ ଏପର୍ଯ୍ୟନ୍ତ କୌଣସି କାମର ଖିଆକୁ ଧରି ପାରିନାହିଁ । ସକାଳେ ଉଠିଲାବେଳକୁ ନାନା ଆଳସ୍ୟର ପ୍ରବର୍ତ୍ତନା ମୋତେ ଆଉ ଟିକିଏ ଶୋଇ ରହିବା ଲାଗି ପ୍ରବାର୍ତ୍ତଉଚି । ନୂଆ କାମଗୁଡ଼ିକର ତାଲିକା ଦେଖିଲାବେଳକୁ ନାନାପ୍ରକାର ଶଙ୍କା ଓ ସଙ୍କୋଚରେ ମନଭିତରଟା ବଡ଼ ଅନିଚ୍ଛୁକ ହୋଇ ଉଠୁଚି । ଜୀବନର ସବୁ ପ୍ରକାରର ଖେଳରୁ ବିଶ୍ରାମ ନେଇ ଖେଳାଳୀ ଯେପରି ଏପର୍ଯ୍ୟନ୍ତ ଘାଲିମାରି ପଡ଼ିଚି । ଦୁଇ କାମରେ ମଝିପର୍ବରେ ମୋର ବେଳେବେଳେ ଏହିପରି ହୁଏ । ଗୋଟିଏ କାମସରି ଆଉଗୋଟିଏ କାମରେ ହାତ ଦେବାପାଇଁ ମୋତେ ଆପଣାକୁ ନାନାପ୍ରକାରର ଗେହ୍ଲା କରି ବସେଇବାକୁ ହୁଏ । ଏହି ଖୋଇଟାକୁ ମୁଁ ଅବଶ୍ୟ ଏକ ହାଲୁକା ରହସ୍ୟ ଭାବେ ଗ୍ରହଣ କରିଥାଏ । ସଂଯମର ଆଳ ଧରି ଆପଣାଉପରେ କଦାପି ଜୋର ଜବରଦସ୍ତ କରେନାହିଁ । ଆପଣାର ଧ୍ୟାନକୁ ଧରି ରଖିବାର ଦଉଡ଼ିଗୁଡ଼ିକୁ ଟିକିଏ ହୁଗୁଳା କରିଦିଏ । ଆପଣଭିତରର କଥାକଥିତ ଏହି ମନୁଆ ସାଙ୍ଗକୁ ମୁଁ ଭଲକରି ଜାଣିଛି । ମୁଁ ଜାଣିଛି ଯେ ତା’ର ଏଇ ତଥାକଥିତ ଆଳସ୍ୟ ଓ ଅନିଚ୍ଛୂକତାକୁ କେବଳ ଦୁଇଦିନର । ଆଉ କେଇଦିନ ଗଲେ ସେ ବଳେ ଆପଣା କାମକୁ ଆପେ ବାହୁଡ଼ି ଆସିବ । ସେଇ ମୋର ଶରୀରକୁ ସମସ୍ତ ଆଳସ୍ୟ ଛଡେଇ ନେବ, ନୀତି ପାହାନ୍ତାରେ ଉଚିତ ସମୟରେ ମୋର ନିଦ ଭଙ୍ଗାଇବ । ସେଇ ଖୁସୀ ଖୁସୀ ହୋଇ ମୋର ସମସ୍ତ ଦିନମାନଙ୍କୁ ଆପଣାର ସ୍ମିତସ୍ଫୁର୍ତ୍ତ ଖୁସୀରେ ପ୍ଳାବିତ କରି ରଖିବ । ମୋ ଭିତରର ମନକୁ ମୁଁ ବିଶ୍ଵାସ କରେ । ତେଣୁ ମଝିରେ ପଟ ବଦଳି ବାର ପର୍ଯ୍ୟାୟରେ ତାକୁ ମୁଁ ଟିକିଏ ମନୁଆ ହେବାକୁ ପ୍ରଶୟ ଦିଏ । ମୁଁ ଜାଣେ ଯେ ମୁଁ ଗୋଟିଏ ଯନ୍ତ୍ର ନୁହେଁ । କୋଇଲା ଓ ତେଲ ଦେଇ ଯନ୍ତ୍ରକୁ ଠିକ୍ କରିଦେଲେ ଯନ୍ତ୍ର ଚାଲିଯିବାକୁ ଆରମ୍ଭ କରେ, ଆପଣାଲାଗି ସମସ୍ତ ଚଳତ୍‌ଶକ୍ତିର ଉତ୍ତେଜକ ସେ ବାହାରୁ ହିଁ ପାଏ । କିନ୍ତୁ ମନର ଉତ୍ତେଜକ ବାହାରୁ ଆସିଲେ ଜୀବନର ବ୍ୟବସାୟରେ ମୋତେ ପୋଷାଏ ନାହିଁ । ତାହାର ନିର୍ଦ୍ଦେଶ ବା ବାହାରର ଜବରଦସ୍ତିରେ ମନ ଯେଉଁ କାମ କରେ, ତାହା ଯନ୍ତ୍ରର କାମଠାରୁ ମଧ୍ୟ ନିକୃଷ୍ଟ ଧରଣର ହୋଇପଡ଼େ । ମୋର ଉତ୍ତେଜକ ମୋ’ ଭିତରେ ତିଆରି ହୁଏ, ବେଳେ ଜାଣି ମୋର ମନ ଆପଣାର ଭିତରେ ହିଁ ଏହି ଉତ୍ତେଜକକୁ ତିଆରି କରେ ।

 

୬ । ୧ । ୬୦

 

ଦିନେ ଦିନେ କେଉଁ ପ୍ରିୟା ସଖାର ଉପବନରୁ ଫୁଲ ସାଉଁଟିଲା ପରି ଅଣ୍ଟି ଭରିଯାଏ । ଆଉ ଦିନେ ଦିନେ ଧାନରୁ ଗୋଡ଼ି ବାଛିଲା ପରି ବେଳ ସରେନାହିଁ, ଜୀବନଟା କେବଳ ଗୋଟିଏ ବୋଝ ପରି ମନେହୁଏ । ଏସବୁ ଦିନ ମୁଣ୍ଡ ଭିତରେ କୌଣସି ଭାବନା ଆସି ଜୁଟେନାହିଁ । ସବୁଥିରୁ ମାୟା ଛିଣ୍ଡି ଛିଣ୍ଡି ଗଲାପରି ମନେ ହୁଏ । ଆପଣା ହାତରେ ଓ ଆପଣ ଉଗ୍ରତାର ନିର୍ବୋଧ ଆଚରଣଦ୍ଵାରା ଖେଳନା ଭାଙ୍ଗି ବସିଥିବା ଶିଶୁଟା ପରି ସେଦିନ ବଡ଼ ନିଃସ୍ଵ ଓ ନିଃସମ୍ବଳ ମନେ ହୁଏ-। ଏତେଦିନର ପୃଥିବୀ ଦେଖିବା, ଦମ୍ପତି ସାଉଁଟିବା ଓ ଜୀବନ ବଞ୍ଚିବା ଯେପରି କେବଳ ଅକାରଣ ହୋଇଗଲା । ଯେପରି ଆପଣା ଭିତରେ ଖାଲି ଆଣ୍ଟିଟାକୁ ଆହୁରି ଧୋଡ଼କା କରି ଦେଖେଇବା ବ୍ୟତୀତ ମୋ’ ଲାଗି ଆଉ କିଛି ହେଲେ କରିବାର ନାହିଁ,–ସେହିପରି ମନେହୁଏ । ଏବଂ ଠିକ୍ ସେତିକିବେଳେ ହିଁ ଯାବତୀୟ ଦୁର୍ଦ୍ଦଶା ଆଗରେ ଆସି ହାବୁଡ଼ିଯାଏ, ଯାବତୀୟ ହୀନଭାବନା ମନ ଭିତରକୁ କାମୁଡ଼ି ଧରେ । ବାହାରେ କଳା ଦିଗ୍‌ବଳୟ ଲାଭ ହୁଏ, ସଂସାରଭରି ଆଲୋକର ଫୁଲ ବିଞ୍ଚି ହୋଇଯାଏ, କେତେଭଳି ଶବ୍ଦ ଓ ଜୀବନ-କୋଳାହଳରେ ଜଗତର ଝରଣା କୁଳୁକୁଳୁ ହୋଇ ବହିବାକୁ ଲାଗେ । ତଥାପି ମୋ’ ଘରେ ରୀତି ପାହେନାହିଁ, ମୋ’ଘରର ଅମଙ୍ଗଳ ମୋତେ ସଂସାରରେ ଅବତୀର୍ଣ୍ଣ କରାଇ ଦିଏ ନାହିଁ । ମୁଁ ଜାଣେ ଏଥିଲାଗି ମୁଁ ଦିନଟାକୁ ବା କୌଣସି ଅପଦେବତାକୁ କଦାପି ଦୋଷ ଦେଇ ପାରିବ ନାହିଁ । ଦୋଷ ମୋର ଆପଣାର, ମୋର ପ୍ରସ୍ତୁତ ହୋଇ ନରହିବାର ହିଁ ଦୋଷ । ମୋ’ ଦୀନତା ମୋର ଆପଣାର ପ୍ରସୂତ ।

 

୭ । ୧ । ୬୦

 

ପୃଥିବୀର ବଡ଼ ବଡ଼ ଲୋକ ଆପଣାର ଦିନଲିପି ଲେଖିଛନ୍ତି । ଆପଣାର ଦିନଲିପି ଲେଖି ଅନେକ ଲୋକ ବଡ଼ ହୋଇଛନ୍ତି । ଆପଣା ଜୀବନର କାହାଣୀକୁ ସୁନ୍ଦର କରି ବାରଜଣଙ୍କ ଆଗରେ ପରିବେଷଣ କରିବାର ରୀତିଟି ଯୁଗ ଯୁଗ ଧରି ଏକ ସାହିତ୍ୟ କାର୍ଯ୍ୟ ବୋଲି ସ୍ଵୀକୃତ ହୋଇ ଆସିଚି । ମୋର ଆପଣାର ଦିନଲିପି ସହିତ ଏସବୁ ତୁଳନା କରି ଦେଖିବାକୁ ଭାରି ଇଚ୍ଛା ହୁଏ । ଏହିସବୁ ପ୍ରଖ୍ୟାତ ଦିନଲିପି ସହିତ ମୋର ଆପଣାର ଏହି ଲିପି ପାସଙ୍ଗରେ ହିଁ ପଡ଼ିବ ନାହିଁ ବୋଲି ଭାବି ମୁଁ ବେଳେବେଳେ ଭିତରେ ଟିକିଏ ଆହତ ହୋଇ ପଡ଼ିଲା ପରି ଅନୁଭବ କରେ । ଏହି ଲିପି ମୁଁ ପ୍ରକୃତରେ କାହିଁକି ଲେଖୁଚି ? କାହାପାଇଁ ଲେଖୁଚ ? ମୁଁ ଏହାକୁ କାହିଁକି ଏତେଦୂର ଅତି ଆପଣାର ବୋଲି ମନେ କରୁଚି ? ମୋର ପ୍ରତ୍ୟେକ ଦିନକୁ ମୁଁ କାହିଁକି ଏହି ଦିନଲିପି ଲେଖିବାରେ ହିଁ ଶୁଭାରମ୍ଭ କରୁଚି ? ଦିନକପାଇଁ ଏହି ଲିପି ନଲେଖିଲେ ବା ଲେଖିବାରେ ଦିନେ ଡେରି ହୋଇଗଲେ ମୁଁ କାହିଁକି ଭାରି ବିଚଳିତ ହୋଇ ପଡ଼ୁଚି ? ଆପଣା ଉପରେ କାହିଁକି ଏତେ ଅସନ୍ତୋଷ ଅନୁଭବ କରୁଚି ? ପ୍ରକୃତରେ କହିବାକୁ ଗଲେ ମୁଁ ଏହାର ଠିକ୍ ଠିକ୍ ଉତ୍ତର ଦେଇପାରିବି ନାହିଁ । ଆପଣା ଜୀବନର ଅତି ଅନ୍ତରଙ୍ଗ କଥା ଗୁଡ଼ିକୁ ଭାଷାଦ୍ଵାରା ସଜାଡ଼ି କହିବା ଅନେକ ସମୟରେ ସମ୍ଭବ ହୁଏନାହିଁ । କିନ୍ତୁ ମୁଁ ଏତିକି କହି ପାରିବି ଯେ କୌଣସି ପ୍ରକାର ସାହିତ୍ୟକ କାର୍ଯ୍ୟ ହିସାବରେ ମୁଁ ଏହାକୁ କେବେ ସଜାଇ ଲେଖିବାର ଇଚ୍ଛା ପ୍ରକାଶ କରୁ ନାହିଁ । ମୋ’ ଆପଣାର ଜୀବନକୁ ଅନ୍ୟମାନେ ଯାଅନ୍ତୁ, ଏହି ଉଦ୍ଦେଶ୍ୟ ରଖି ମଧ୍ୟ ମୁଁ କେବେ ହେଲେ ଏହି ଖାତାରେ କିଛି ଲେଖି ବସିନାହିଁ । କିନ୍ତୁ ଏହି ଲେଖା ଦ୍ଵାରା ମୁଁ ଆପଣାକୁ ଆବିଷ୍କାର କରିଚି, ଆପଣାର ସମ୍ମୁଖୀନ ହୋଇଚି, ଆପଣାକୁ ଶ୍ରଦ୍ଧା କରି ଶିଖିଚି, ଆଗକୁ ଯିବାର ସ୍ପର୍ଦ୍ଧା ଅର୍ଜନ କରିଚି । ମୋ ଦେହରେ ଲାଗିଥିବା ଅନେକ ଧୂଳିସତ୍ତ୍ୱେ ମୁଁ ତଥାପି ହୃଦୟକୁ ନିର୍ମଳ କରିବାରେ ମହାନ୍ ସ୍ଵପ୍ନ ଦେଖିଚି, ମଣିଷ ହୋଇ ଶିଖିଚି ।

 

୮ । ୧ । ୬୦

 

ଠିକ୍ ଦୁଇଘଣ୍ଟା ପୂର୍ବରୁ ବିଛଣାରେ ଶୋଇଶୋଇ ଦୁଃଖ କରୁଥିଲି ଯେ ମୋ’ର ଏ ଜୀବନଟା ଖାଲି ବିଫଳ ହିଁ ହୋଇଗଲା । ଦୁଇଘଣ୍ଟା ପରେ ବର୍ତ୍ତମାନ ସ୍ନାନସାରି ଏଠାରେ ବସି ଲେଖିଲାବେଳକୁ ଭିତରୁ ବିପୁଳ ଉଲ୍ଲାସ ପ୍ରକାଶ କରି ଯେପରି କିଏ କହିଉଠୁଚି ଯେ ଏହି ଜୀବନରେ ମୋତେ ଅନେକ କିଛି ମିଳିଚି ଓ ଆହୁରି ଅନେକ ମିଳିବାକୁ ବାକି ଅଛି । ପୂର୍ବଆକାଶ ନାଲି ହୋଇ ଆସିଲାଣି । ଗଛ, ବିଲ, ଘର, ବଗିଚା କ୍ରମେ ସ୍ପଷ୍ଟ ହୋଇ ଆସିଲାଣି । ସରଳ ଜୀବନର ନୂତନ ଦିନଟି ଅନ୍ଧାର ଭିତରୁ ମୁକ୍ତିଲାଭ କରିଆସୁଚି । ଆଉ ଟିକିଏ ଗଲେ କର୍ମ କୋଳାହଳର ଆନନ୍ଦକୁ ବିକଶିତ କରାଇ ସୂର୍ଯ୍ୟ ଉଠିବ । ମୋ’ ନିଜର ଜୀବନରେ ମଧ୍ୟ ମୁଁ ଏହି ନାଲି ରଙ୍ଗ ଉକୁଟି ଆସୁଥିବାର ଅନୁଭବ କରୁଚି । ମୋ’ ଆଗରେ ପଡ଼ିଥିବା ବାଟଟି କ୍ରମେ ସ୍ପଷ୍ଟ ହୋଇ ଉଠୁଚି ଆଜିର ପ୍ରଭାତ ସଂଗୀତ ଭିତରେ ମୋ’ର ଆହ୍ଵାନଟିକୁ ମୁଁ ପୁଣି ଶୁଣିବାକୁ ପାଉଛି । ଶୋଇରହି ଅଳସ ଦର୍ଶନ କରୁଥିବା ପର୍ଯ୍ୟନ୍ତ ଖେଦର ଆଘାତରେ ଜର୍ଜର ହୋଇ ରହିବା ବ୍ୟତୀତ ଆଉ ଅନ୍ୟ ଉପାୟ ନାହିଁ । କିନ୍ତୁ ପ୍ରତିଦିନର ଏହି ବିପୁଳ ଜୀବନ ସହିତ ଯିଏ ସହଯୋଗ କରିପାରିଲା, ସିଏ ପ୍ରସ୍ତୁତ ହୋଇ ପାରିଲା, କେବଳ ସେଇ ସମସ୍ତ ଖେଦରୁ ମୁକ୍ତିଲାଭ କରିପାରିବ-। ମୋତେ ମୋର ଜୀବନ ସହିତ ସହଯୋଗ କରିବାକୁ ହେବ, ମୋତେ ମଣିଷ ସହିତ ସହଯୋଗ କରିବାକୁ ପଡ଼ିବ । ସବୁରି ସହିତ ମିଶିବାକୁ ଓ ସବୁରି ଭିତରେ ସହଯୋଗୀ ସାଥୀକୁ ଚିହ୍ନି ନେବାଲାଗି ମୋ’ ଠାରେ କଦାପି ଧୈର୍ଯ୍ୟ ବା ଶ୍ରଦ୍ଧାର ଅଭାବ ହେବନାହିଁ । ବେଳେବେଳେ ମୁଁ କାହିଁକି ଏପରି କଦାପି ଦାରୁଣ ଭାବରେ ସମସ୍ତଙ୍କଠାରୁ ବିଚ୍ଛିନ୍ନ ହୋଇ ପଡ଼ୁଛି, କାହିଁକି ମୁଁ ଜଗତଗୋଟାକୁ ବନ୍ଧୁ ଶତ୍ରୁ ଦୁଇଭାଗରେ ବିଭକ୍ତ କରି ଆଶଙ୍କିତ ଓ ଆତଙ୍କିତ ହୋଇ ପଡ଼ୁଛି ? ମୋର ଆପଣା ଭିତରେ ମୁଁ ଦୁଇଭାଗ ହୋଇ ପଡ଼ିଲିଣି କି, ଆପଣା ଭିତରେ ମୁଁ କେଉଁଠି ବିଚ୍ଛିନ୍ନ ହୋଇ ପଡ଼ିଲିଣି କି-?

 

୯ । ୧ । ୬୦

 

ପ୍ରତ୍ୟେକଦିନ ଏହି ପୁରୁଣା ଜୀବନକୁ ବର୍ଜନ କରି ନୂଆ ଜୀବନ ଲାଗି ପ୍ରସ୍ତୁତ ହେବାକୁ ପଡ଼ିବ । ପୁରୁଣା ପଙ୍କ ଗୁଡ଼ାକୁ ନୂଆ ରାସ୍ତାରେ ଅବତୀର୍ଣ୍ଣ ହେବାକୁ ପଡ଼ିବ । ପୁରୁଣାକୁ ଛାଡ଼ି ନୂଆକୁ ଗ୍ରହଣ କରିବାର ଏହି ପର୍ବରେ ଏ ଜୀବନରେ କୌଣସି ଅନ୍ତ ନାହିଁ । ମୁଁ ବେଶ୍ ଭଲକରି ଜାଣେ ଯେ ମୋର ନିର୍ଜ୍ଞାନ ମନ ଭିତରେ ତଥାପି ଏପରି ଅନେକ ବ୍ୟବଶେଷ ରହିଯାଇଚି ଯାହାକି ମୋତେ ବରାବର ପଛକୁ ଟାଣୁଚି, ମୋତେ ବାରବାର ପଛମୁହାଁ କରି ରଖୁଛି, ମୋତେ ବେଳେବେଳେ ଭାରି ହତାସ କରିଦେଉଚି । ମାତ୍ର ସେହି ବ୍ୟବେଶେଷ ଗୁଡ଼ାକ ଉପରେ ରାଗିଲେ ଆଦୌ ଚଳିବ ନାହିଁ, ନୀତିବାଦୀ ହୋଇ ସେଗୁଡ଼ାକୁ ଅଭିଶାପ ଦେଲେ ମଧ୍ୟ କୌଣସି ଲାଭ ହେବନାହିଁ । ସେଗୁଡ଼ାକୁ ମଧ୍ୟ ଆପଣା ସାଙ୍ଗକୁ ମନାଇ ନେବାକୁ ପଡ଼ିବ । ମୋ’ ଭିତରେ ମୁଁ ଦୁଷ୍ଟ ଓ ଶିଷ୍ଟ ଦୁଇଭାଗରେ ବିଭକ୍ତ ହୋଇଗଲେ ଜୀବନର ଦୁର୍ଦ୍ଦଶା ଅଧିକ ହୋଇ ପଡ଼ିବ । ନୀତି ଓ ଆଦର୍ଶ ନାମରେ ଭିତରେ ଅନେକ ଅତ୍ୟାଚାର ଆରମ୍ଭ ହୋଇଯିବ । ନୀତିବାଦୀ ଓ ଆଦର୍ଶବାଦୀ ବୋଲାଇ ମୁଁ ଅନ୍ୟ କାହାରି ଉପରେ କୌଣସ ଦୌରାତ୍ମ୍ୟ କରିବାକୁ ଇଚ୍ଛା କରେ ନାହିଁ, ସେହିପରି ନିଜ ଉପରେ ମଧ୍ୟ ମୁଁ କୌଣସି ଦୌରାତ୍ମ୍ୟ କରିବାକୁ ଚାହେନାହିଁ । ଗୋଟିଏ ପାଖକୁ ଉତ୍ତମ ବୋଲି ସଜାଇଦେଇ ଅନ୍ୟ ପାଖଟାକୁ ଅଧମ ବୋଲି କହିବାରେ ମୁଁ ଏତେଟିକିଏ ଆନନ୍ଦ ପାଇବିନାହିଁ । ମୋର ସବୁଟିକୁ ହିଁ ମୁଁ ଆପଣା ସାଙ୍ଗରେ ନେବାକୁ ଚାହେ । ଭିତରର ଆଳସ୍ୟ ମୁଁ ସମସ୍ତ ଜୀବନର ଉତ୍ସାହରେ ଆପଣାର କରିନେବାକୁ ଚାହେ । ବାହାରେ ସକାଳର ପ୍ରସ୍ତୁତି ଚାଲିଥିବା ସମୟରେ ତଥାପି ମୋର ଭିତରେ ଯିଏ ନାନାପ୍ରକାର ଅନ୍ଧାରଘର ସୃଷ୍ଟିକରି ଶୋଇ ରହିବାକୁ ଚାହୁଁଚି, ମୁଁ ତାହାକୁ ମଧ୍ୟ ଏହି ସକାଳଲାଗି ପ୍ରସ୍ତୁତ କରିବାକୁ ଚାହେ । କିନ୍ତୁ ବାଡ଼େଇ ପିଟି ବା ଅଭିଶାପ ଦେଇ ନୁହେଁ, ଅତ୍ୟନ୍ତ ଧୈର୍ଯ୍ୟସହକାରେ ତାହାକୁ ବୁଝି ଅତ୍ୟନ୍ତ ଶ୍ରଦ୍ଧା ସହକାରେ ମୁଁ ତାହାକୁ ପ୍ରବର୍ତ୍ତିତ କରିନେବାକୁ ଚାହେ । ମୋର ଜୀବନଦୃଷ୍ଟି, ମୋର ଆଗ୍ରହ, ମୋର ଖୁସି ଓ ମୋର ଭଗବାନ ମୋତେ ଏଥିରେ ସାହାଯ୍ୟ କରନ୍ତୁ, ଆଜି ଏହାହିଁ ପ୍ରାର୍ଥନା ।

 

୧୦ । ୧ । ୬୦

 

ମୋ’ ଭିତରେ ଯେତେ ଦୋଷ ଓ ଯେତେ ଦୁର୍ବଳତା ରହିଚି, ସେଗୁଡ଼ାକୁ ମୁଁ ଘଣ୍ଟଘୋଡ଼ାଇ ରଖିବାକୁ ଚାହେନାହିଁ । ସଂସାରରେ ଏପରି ଜଣେ ସାଥୀ ଚାହେ, ଯିଏ କି ସ୍ନେହମୟ ହାତ ବଢ଼େଇ ମୋତେ ଏହିସବୁ ଦୋଷ ଓ ଦୁର୍ବଳତାରୁ ଡିଆଁଇ ନେଇଯିବା । ସେଇଭଳି ସାଥି ପାଖରେ ସବୁ ସମର୍ପି ଦେଇ ତାହାର ହାତ ଧରି ଚାଲିଯିବି ବୋଲି ମୁଁ ଯେପରି ଖାଲି ଅପେକ୍ଷା କରି ବସିଚି ! ଅନେକ ସମୟରେ, ଯେତେବେଳେ ଆଗକୁ ଅନାଇଲେ ସବୁଠାରୁ ଅନ୍ଧାର ଦେଖାଯାଏ, ସେତିକିବେଳେ ମୋ’ ଭିତରେ ତଥାପି କେଉଁ ଅପେକ୍ଷମାନ ବିଶ୍ଵାସୀ ହୃଦୟ ଦମ୍ଭ ଦେଇ କହିଉଠେ,–ନା, ଏ ଅନ୍ଧାର ଅନ୍ଧାର ନୁହେଁ । ଇଏ କେବଳ ସିନ୍ଦୁରା ଫାଟିବାର ପୂର୍ବକାଳୀନ ବେଦନା, ରାତି ପାହିବାର ପୂର୍ବାଭାଷ । ସବୁ ଅବିଶ୍ଵାସ ଅପସରି ଯାଇ ବିଶ୍ଵାସର ପ୍ରଭାତ-ଆଲୋକ ଦିନେ ନିଶ୍ଚୟ ଅବତରଣ କରିବ, ଅନେକ ଭୁଲବୁଝିବା ଦୂର ହୋଇ ମଣିଷକୁ ନିଶ୍ଚୟ ଚିହ୍ନିବ, ଅନେକ ଅଭିମାନ ଦୂର ହୋଇ ପ୍ରେମ ଓ ପ୍ରୀତିର ଶୁଭାରମ୍ଭ ହେବ । ମୋର ସମସ୍ତ ଅଯୋଗ୍ୟତା ସତ୍ତ୍ୱେ ମୁଁ ଯେପରି ସେହି ଶୁଭକ୍ଷଣ ଲାଗି ଚାହିଁବସିଚି । ମୁଁ ଦେଖିବାକୁ ଚାହେ, ମୁଁ ଆପଣାକୁ ସମର୍ପଣ କରିବାକୁ ଚାହେ, ମୁଁ ହାତ ଧରି ଅଭୟ ଭରସାରେ ବାଟ ଚାଲିବାକୁ ଚାହେ । ମୋ’ ମନର ଏହି କଥାଟି କେତେବେଳେଯାଏ ଅଶ୍ରୁତ ରହିଥିବ ?

 

୧୧ । ୧ । ୬୦

 

ଯାବତୀୟ ସମସ୍ୟାର ଆଲୋଚନା କରି ବସିବାବେଳେ ମୁଁ ଯେପରି ମୋ’ର ଆପଣା ଜୀବନକୁ ସମ୍ମୁଖରେ ଧରି ଦେଖିବାକୁ ସମର୍ଥ ହୋଇପାରିବି । ମୋର ଆପଣା ଜୀବନର ଦର୍ପଣ ଉପରେ ହିଁ ମୋତେ ଯାବତୀୟ ସମସ୍ୟାକୁ ଦେଖି ପାରିବାର ନିର୍ଭରତା ଅର୍ଜନ କରିବାକୁ ହେବ । ଅନେକ ସମୟରେ ଆପଣାଠାରୁ ରକ୍ଷା ପାଇଯିବାକୁ, ଆପଣାର ସମ୍ମୁଖୀନ ହେବାରୁ ରକ୍ଷା ପାଇବାକୁ ମଣିଷ ନାନାପ୍ରକାର ଔପଚାରିକତା ଓ ଆଡ଼ମ୍ବର ଦେଇ ନାନା ସମସ୍ୟାର ଆଲୋଚନା କରି ବସେ । ଅନେକ କୃତ୍ରିମ ଗାମ୍ଭୀର୍ଯ୍ୟ ସୃଷ୍ଟି କରି ପୃଥିବୀର ବଡ଼ ବଡ଼ ସମସ୍ୟାର ଆଲୋଚନା କରିବାକୁ ନାନାପ୍ରକାର ଅବସର ଆୟୋଜନ କରିଥାଏ । ଏ ପୃଥିବୀ ଯେପରି ମୋ’ ବାହାରେ ରହିଚି, ଏହି ପୃଥିବୀରେ ସମସ୍ୟାମାନ ଯେପରି ମୋ ବାହାରେ ରହିଚି । ଆପଣାର ଦାୟିତ୍ଵକୁ ଭୁଲିବା ପାଇଁ, ଆପଣା ବିଷୟରେ ଆପଣା ବିବେକର ଦଂଶନକୁ ଭୁଲିବାପାଇଁ ମଧ୍ୟ ଆମେ ଆପଣାକୁ ଗୋଟିଏ ଗୋଟିଏ ଦୋଷହୀନ ଦେବତାର ନିରାପଦ ଢିପଜାଗାକୁ ଉନ୍ମୀତ କରି ନେଇ ନାନା ସମସ୍ୟାର ଆଲୋଚନା କରିଥାଉ । ଅନ୍ୟକୁ ଦୋଷ ଦେଇଥାଉ, ସଂସାରଯାକକୁ ଦୋଷ ଦେଇଥାଉ ଏବଂ ତାହାରି ଭିତରୁ ହିଁ ଗୋଟିଏ ପ୍ରକାର ଖଳ ଆନନ୍ଦ ଅନୁଭବ କରିଥାଉ । ମାତ୍ର ଏଥିର ସମାଧାନ ହୁଏନାହିଁ, ସମସ୍ୟା ତୁଟେନାହିଁ, ଯେତେ ଲୁଚିବାକୁ ଓ ରକ୍ଷା ପାଇବାକୁ ଚେଷ୍ଟା କଲେ ମଧ୍ୟ ମୁଁ ନିଜେ ହିଁ ରକ୍ଷା ପାଇ ପାରେନାହିଁ । କାରଣ ସମସ୍ୟାର ଚେରଗୁଡ଼ାକ ମୋ’ ଭିତରେ ମଧ୍ୟ ମାଟିକାମୁଡ଼ି ରହିଚି । ସମସ୍ୟାର ସମ୍ମୁଖୀନ ହେବାର ଅର୍ଥ ହେଉଚି ମୋର ଆପଣାଭିତରେ ଆପଣାର ସମ୍ମୁଖୀନ ହେବା । ସେଥିଲାଗି ଯେଉଁ ନିର୍ଭୟତା ଦରକାର, ଯେଉଁ ଶ୍ରଦ୍ଧା ଓ ବୁଝିବାଶକ୍ତି ଦରକାର, ଅନେକ ସମୟରେ ସେହି ନିର୍ଭୟତା, ଶ୍ରଦ୍ଧା ଓ ବୁଝିବାଶକ୍ତି ମୋ’ ଠାରେ ନଥାଏ । ଆପଣାକୁ ବଦଳାଇବାର ଆବଶ୍ୟକତାଟିର ପ୍ରଥମେ ସମ୍ମୁଖୀନ ହେବାକୁ ଭୟ କରି ମୁଁ ଆଗ ଜଗତଯାକକୁ ବଦଳାଇ ଦେବାକୁ ଭାରି ଉତ୍ସାହ ଦେଖାଏ, ନୀତିବାଦୀ ବନିଯାଇ ଜଗତଠାରୁ ଦୂରେଇ ରହି ଜଗତକୁ କେତେପ୍ରକାର ଭର୍ତ୍ସନା କରିବାକୁ ଚେଷ୍ଟା କରିଥାଏ । ଆପଣାର ସମସ୍ୟାଗୁଡ଼ାକୁ ଭୟ କରି ମୁଁ ଆପଣାକୁ ଜଗତଠାରୁ ବିଚ୍ଛିନ୍ନ କରିନିଏ ଓ ଜଗତର ସମସ୍ୟାଗୁଡ଼ାକ ଉପରେ ବିଚାର କରିବସେ । କିନ୍ତୁ ଏଥର ମୋର ନିର୍ବୋଧତା ହିଁ ବଢ଼େ, ଅଜ୍ଞାନତାର ଆବରଣଗୁଡ଼ାକ ବଢ଼େ । ସମସ୍ୟାଗୁଡ଼ିକ ମଧ୍ୟ ସୁରକ୍ଷିତ ଆଶ୍ଵାସନା ପାଇ ମୋ’ରି ଭିତରେ ବଢ଼ିବାରେ ଲାଗିଥାଏ ।

 

୧୨ । ୧ । ୬୦

 

ସଭାରେ ଆଦର୍ଶକଥା କହିବି, ସଭାବାହାରେ ମୁଁ ଜଣକ ଆଗରେ ଅନ୍ୟର ନିନ୍ଦା କରିବି,–ଏହି ଆଚରଣଟା ଯେପରି ଆମ ଆଧୁନିକ ମଣିଷର ସର୍ବପ୍ରଧାନ ଅବଲମ୍ବନ ହୋଇ ରହିଚି-। ଏହି ଜୀବନକୁ ବଞ୍ଚିବାରେ ଓ ଆଗକୁ ନେବାରେ ଯେ ମୋ’ର ମଧ୍ୟ ଦାୟିତ୍ଵ ରହିଚି । ଏହି ଜୀବନକୁ ବଞ୍ଚିବାର ଓ ଆଗକୁ ନେବାର ଯେ ମୋ’ର ମଧ୍ୟ ଦାୟିତ୍ଵ, ନାନା ଚତୁରତା ଦେଖାଇ ମୁଁ ସେକଥା ଭୁଲି ଯିବାକୁ ଇଚ୍ଛା କରୁଚି । ସଂସାରଯାକ ସମସ୍ତେ ଖରାପ ହୋଇ ଗଲାଣି ବୋଲି ମୋତେ ବି ବାଧ୍ୟ ହୋଇ ଖରାପ ହେବାକୁ ପଡ଼ୁଚି, ଅର୍ଥାତ୍ ଆପଣା ଦାୟିତ୍ଵର ସମ୍ମୁଖୀନ ନହେବାରେ ମୋର ଆଦୌ କୌଣସି ଦୋଷ ନାହିଁ, ମୋର ଅନିଚ୍ଛା ସତ୍ତ୍ୱେ ମୋତେ କେବଳ ପରିସ୍ଥିତିର ଦାସ ହେବାକୁ ପଡ଼ୁଚି,-ନାନପ୍ରକାର କୌଶଳ ଅବଲମ୍ବନ କରି ମୁଁ ଆପଣାର ମନକୁ ଓ ଜଗତକୁ କେବଳ ଏଇକଥା ହିଁ ବୁଝେଇବାକୁ ଇଚ୍ଛା କରୁଚି । ଏଥିରେ ମୋତେ ଗୋଟିଏ ପ୍ରକାରରେ ଦମ୍ଭ ଓ ସନ୍ତୋଷ ମିଳୁଚି, ମାତ୍ର ତଥାପି ମୋ’ଜୀବନର ଦୈନ୍ୟ ଘୁଞ୍ଚି ପାରୁନାହିଁ, କାରଣ ସକଳ ଦମ୍ଭ ଓ ସକଳ ସନ୍ତୋଷଦର୍ପ ପଛରେ ମୋର ଆପଣାର ସମ୍ମୁଖୀନ ହେବାର ଭୟଟା ହିଁ ପ୍ରଚ୍ଛନ୍ନ ହୋଇ ରହିଚି । ବାହାରର କୌଣସିପ୍ରକାରର ସାଜ୍ଜସଜ୍ଜା, କୌଣସି ପ୍ରକାରର ଆନୁଷ୍ଠାନିକତା ଓ ଔପଚାରିକ ଭୂଷଣ ମୋର ଏହି ଦୈନ୍ୟର ଦଂଶନକୁ ଦୂର କରି ପାରୁନାହିଁ । ମଣିଷର ସମାଜ କେତେଦିନ ଯାଏ ଏପରି ଚାଲିଥିବ ? କେତେଦିନଯାଏ କେବଳ କଥାରେ, କଳ୍ପନାରେ ଓ ବିଳାସୀ ବିସ୍ମରଣରେ ମୁଁ ଲମ୍ବାଲମ୍ବା କଥାରେ ଡାଳ ଧରି ଶୂନ୍ୟରେ ଆଡ଼ମ୍ବର କରି ବୁଲୁଥିବି ? କେତେଦିନଯାଏ ଜଣେ ମଣିଷ ହିସାବରେ ନୂଆ ସଂସାରର ସମ୍ମୁଖୀନ ହେବାକୁ ମୁଁ ଶଙ୍କିତ ହୋଇ ରହିଥିବି ?

 

୧୩ । ୧ । ୬୦

 

ଛାତ୍ରର ଅସନ୍ତୋଷ ଶିକ୍ଷକକୁ ସବୁବେଳେ ଅଧିକ ସଚେତ କରାଇଦେବା ଉଚିତ, ଆପଣାର ସ୍ତରକୁ ଉଚ୍ଚତର କରିବା ଲାଗି ଅଧିକ ପ୍ରେରଣା ଦେବା ଉଚିତ । ଅସନ୍ତୁଷ୍ଟ ଛାତ୍ର ବା ଛାତ୍ରମଣ୍ଡଳୀ ପ୍ରତି ଏକ ଦ୍ଵେଷଜନିତ ଅଶ୍ରଦ୍ଧାଭାବ ପୋଷଣ କରି ଆମେ ଶିକ୍ଷକମାନେ ଯେତେବେଳେ ବିଦ୍ରୋହୀ ପରି ଆଚରଣ କରୁ, ସେତେବେଳେ ଆମେ ସମସ୍ତେ ଶିକ୍ଷକତାର ଦ୍ରୋହୀ ଦେଉ, ଅର୍ଥାତ୍ ଆତ୍ମଦ୍ରୋହୀ ହେଉ । ଅନେକ ସମୟରେ ଆତ୍ମପକ୍ଷ ସମର୍ଥନ କରିବାରେ ଅତିରିକ୍ତ ମୂଢ଼ ଭାବରେ ଲିପ୍ତ ରହି ଆମେ ଆମର ନିର୍ବୋଧତାଗୁଡ଼ାକୁ ପରୀକ୍ଷା କରି ଦେଖିବାକୁ ବି ସମୟ ପାଉ ନାହିଁ, ଆତ୍ମାଭିମାନର ଜ୍ଵାଳାରେ ପୀଡ଼ିତପ୍ରାୟ ହୋଇ ଆମେ ସ୍ଥିର ହୋଇ ନିଜର ଦୋଷକୁ ଦେଖିବାର ଭଦ୍ରତା ମଧ୍ୟ ହରାଇ ବସୁ । ଏହାଦ୍ଵାରା ଅଧିକରୁ ଅଧିକ ତଳକୁ ଖସିଯିବା ହିଁ ସାର ହୁଏ । ବିଦ୍ୟାଳୟର ସଂସାରକୁ ଅଧିକରୁ ଅଧିକ ମଳିନ କରିଦେବା ହିଁ ସାର ହୁଏ ଏବଂ ଆପେ ଅଧିକାରଚ୍ୟୁତ ହେବା ହିଁ ସାର ହୁଏ । ଛାତ୍ର କେବେ ହେଲେ ଖୁସି ଦେଇ ଅସନ୍ତୁଷ୍ଟ ହୁଏ ନାହିଁ, କୌଣସି ପ୍ରକାରେ ଆହତ ନହୋଇ କୌଣସି ଛାତ୍ର ଶିକ୍ଷକ ପ୍ରତି କଦାପି କୌଣସି ପ୍ରକାରର ଅସମ୍ମାନ ପ୍ରଦର୍ଶନ କରିବାକୁ ଚିନ୍ତା ହିଁ କରେନାହିଁ । ତେଣୁ ଛାତ୍ରର ଅସନ୍ତୋଷରେ ପ୍ରତ୍ୟେକ ଶିକ୍ଷକର ଅଧିକ ସ୍ଥିର ହୋଇ ସବୁ ବିଷୟର ବିଚାର କରିବାଲାଗି ଧୈର୍ଯ୍ୟଶୀଳ ହେବା ଉଚିତ । କିନ୍ତୁ ଅନେକ ସମୟରେ ସେକଥା ହୋଇ ପାରେ ନାହିଁ । ଗୋଟାଏ ପ୍ରକାରର ମିଛ ସମ୍ମାନସଚେତନତା ଆମର ସମସ୍ତ ସମ୍ମାନବୋଧ ଓ ସମାହିତ ମନକୁ ଅପହରଣ କରି ନେଇଯାଏ-। ତେଣୁ ଆପଣା ବିଷୟରେ କେଉଁଠି କୌଣସିପ୍ରକାର ଆନ୍ଦୋଳନ ହେଉଛି ବୋଲି ଶୁଣିବା ମାତ୍ରକେ ଆମେ ସିଧା ଆପଣାଭିତରର ସବୁ ଈର୍ଷା, ଦ୍ଵେଷ ଓ ରୋଷକୁ ନେଇ ରଣକ୍ଷେତ୍ରରେ ଅବତୀର୍ଣ୍ଣ ହେବା ଲାଗି ବାହାରିପଡ଼ୁ । ଏହି ରଣରେ ଶିକ୍ଷକ ହିଁ ହାରେ, ଶିକ୍ଷକ ଅସମ୍ମାନିତ ହୁଏ । କାରଣ ଛାତ୍ରର ପ୍ରତ୍ୟେକ ପ୍ରକାରର ପରାଜୟକୁ କେବଳ ଶିକ୍ଷକର ପରାଜୟ ବୋଲି ହିଁ କହିବାକୁ ହେବ । ତେଣୁ ପ୍ରତ୍ୟେକ ଶିକ୍ଷକର ଏଥିପ୍ରତି ସର୍ବଦା ସାବଧାନ ରହିବା ଉଚିତ-

 

୧୪ । ୧ । ୬୦

 

ମୋ’ର ଆପଣାର ଦୁଃଖକୁ ମୁଁ ବିଶ୍ଵବ୍ୟାପୀ ଦୁଃଖର ପଟ୍ଟଭୂମି ଉପରେ ଦେଖିବି । ଜୀବନରେ ଉପସ୍ଥିତ ହେଉଥିବା ପ୍ରତ୍ୟେକ ଦୁଃଖର ସମ୍ମୁଖୀନ ହେଲାବେଳେ ମୋତେ ଏ କଥାଟି ଅବଶ୍ୟ ସ୍ମରଣ କରିବାକୁ ହେବ । ଆପଣାକୁ ଏହି ସମଗ୍ର ସଂସାରର ଏକ ଅଂଶ ବୋଲି ଗ୍ରହଣ କରିବାକୁ ହେବ । ନିଜର ଦୁଃଖଟାକୁ ଅତିରିକ୍ତ ବୋଲି ମନେକରିବା ଓ ସେଇଥିରେ ଆପେ ଅଭିଭୂତ ହୋଇପଡ଼ି ସଂସାର ଠାରୁ ଅସଂଯୁକ୍ତ ଓ ଛିନ୍ନ ହୋଇ ରହିବାକୁ ମଧ୍ୟ ମୁଁ ଏକ ଅଭିମାନ ବୋଲି କହିବି । ମତେ ଏତେ ଦୁଃଖ ଦିଆଯାଉଛି ବୋଲି ମୁଁ କଦାପି କୌଣସି ଭାଗ୍ୟ, ଅଦୃଷ୍ଟ ବା ବିଧାତା ପାଖରେ ନାଲିଶ କରିବାକୁ ଯିବିନାହିଁ । କଦାପି କାହାରି ନିନ୍ଦା କରିବି ନାହିଁ । ଜଣେ ମୋ’ଠାରୁ ଅଧିକ ସୁଖରେ ଅଛି, ସେଥିଲାଗି ମୋର ଭଗବାନ ପାଖରେ ମୁଁ ଅଭିଯୋଗ କରିବି ନାହିଁ । ମୋ’ର ଜୀବକୁ ମୋତେ ହିଁ ବଞ୍ଚିବାକୁ ପଡ଼ିବ, ନାନାପ୍ରକାର ଅବସରରେ ମୋତେ ନାନା ଭାବେ ଜଳିପୋଡ଼ି ଶୁଦ୍ଧ ହେବାକୁ ପଡ଼ିବ । ନାନା ପ୍ରଲୁବ୍‍ଧ ମୁହୂର୍ତ୍ତରେ ହୃଦୟ ଉପରେ ଆସି ଜମା ହୋଇଥିବା ନାନା ମୂଢ଼ତା ଓ ମୋହକୁ ଦୂର କରି ମୋତେ ଆପଣାକୁ ଦେଖିବାକୁ ହିଁ ପଡ଼ିବ । ପୁଣି ସଂସାରରେ ସବୁ ମୁହୂର୍ତ୍ତରେ ଆପଣାକୁ ଅପର ପାଇଁ ଦେବାକୁ ପଡ଼ିବ । ଅନ୍ୟକୁ ସାନ୍ତ୍ଵନା ଦେବାକୁ ପଡ଼ିବ, ସହାନୁଭୂତି ସହିତ ନିଃସ୍ଵାର୍ଥ ନାନାକାର୍ଯ୍ୟରେ ସମର୍ପିତ ରହିବାକୁ ହେବ । ଜଣେ ମଣିଷ ହିସାବରେ ମୋର ଏତିକି ଅଧିକାର ଅବଶ୍ୟ ରହିଚି । କିନ୍ତୁ ଆପଣା ଦୁଃଖର ମେଘରେ ଆପଣାର ଜୀବନଟାକୁ ଛାୟାବୃତ୍ତ କରି ରଖିଥିଲେ ମୁଁ ଆଉ କାହାର କଅଣ କରିପାରିବି ?

 

୧୫ । ୧ । ୬୦

 

ତେଣୁ ମୋର ଆପଣାର ଦୁଃଖକୁ ଏଡ଼େବଡ଼ ଦୁଃଖ ବୋଲି କହି ମୁଁ ମୁଗ୍‌ଧ ହୋଇ ବସିବି ନାହିଁ । ମୋତେ ଏହି ଦୁଃଖ ବରଣ କରିବାକୁ ପଡ଼ିଲା ବୋଲି ମୁଁ କୌଣସି ଅଦୃଷ୍ଟ ବିଧାତାର ଉଦ୍ଦେଶ୍ୟରେ ଅଭିଶାପର କୁଠାରାଘାତ କରିବି ନାହିଁ । ମଣିଷ ଜନ୍ମ ହୋଇଥାଏ ଗୋଟିଏ ପରିବାରରେ, କିନ୍ତୁ ଗଲାବେଳେ ସେ ଯେପରି ସମସ୍ତଙ୍କର ହୋଇ ଏହି ସଂସାରରୁ ଯାଇପାରିବ, ସେଥିଲାଗି ତାକୁ ଆପଣାର ଜୀବନକାଳ ମଧ୍ୟରେ ପ୍ରସ୍ତୁତ ହେବାକୁ ପଡ଼ିବ । ଗୋଟାଏ ପରିବାରର ଆତ୍ମୀୟତା–ଡୋରିରେ ବାନ୍ଧି ହୋଇ ମଣିଷ ସଂସାରକୁ ଆସିଚି, କିନ୍ତୁ ଏହି ସଂସାରରେ ଯଥେଷ୍ଟ ଆନନ୍ଦ ଅର୍ଜନ କରି ତାକୁ ସମସ୍ତ ଜଗତର ହୋଇ ଯିବାକୁ ପଡ଼ିବ । ଆପଣାକୁ ବ୍ୟସ୍ତ କରିଦେବାରେ ହିଁ ସମ୍ଭବତଃ ମଣିଷର ସବୁ ଦୁଃଖର ମୋହବନ୍ଧନରୁ ମୁକ୍ତ ହେବାର ଉପାୟ ନିହିତ ରହିଚି । ଆପଣା ଆତ୍ମୀୟତାର ସମ୍ପ୍ରସାରଣ କରିବାରେ ହିଁ ଜଗତରେ ଦୁଃଖକୁ ଜୟ କରିବାର ଗୁପ୍ତ ପଥ ରହିଚି । ତେଣୁ କୌଣସି ପ୍ରକାରର ଦୁଃଖ ବା ଦୁର୍ଘଟଣାରେ ମୁଁ ଆପଣାକୁ ଏତେଦୂର ବଞ୍ଚିତ ବୋଲି ମନେ କରିବି ନାହିଁ । ମୁଁ ପ୍ରକୃତରେ ମଧ୍ୟ ଏତେ ବଞ୍ଚିତ ନୁହେ । ମୋ’ର ଆପଣାର ମନରେ ସମସ୍ତ ଦୁର୍ଦ୍ଦଶା କେବଳ ମୋର ଆପଣା ପ୍ରସୂତ । ଯେଉଁ ଦୁଃଖ ମୋତେ ଆଜି ହୁଏତ ପର୍ବତ ସମାନ ମନେହେଉଚି, ନିତି ନିୟୁତ ମଣିଷଙ୍କୁ ସେହି ଦୁଃଖ ଭୋଗିବାକୁ ପଡ଼ୁଛି । ଯେଉଁସବୁ ଦୁଃଖ ଓ ଦୁର୍ବିପାକର କଥାମାନ ମୁଁ କେବଳ ବହି ଭିତରେ ପଢ଼ିଛି, କେତେକେତେ ମଣିଷଙ୍କୁ ସେହି ଦୁଃଖ ଆପଣା ଜୀବନରେ ହିଁ ଭୋଗିବକୁ ପଡ଼ିଛି । ସେହି ସବୁ ଦୁଃଖର ତୁଳନାରେ ମୋର ଏହି ଦୁଃଖ ଅତି ସାମାନ୍ୟ, ଅତି ନଗଣ୍ୟ । ତେଣୁ ଏହି ଦୁଃଖରେ ଯେପରି ମୋ’ର ମତିଭ୍ରମ ହୋଇ ନଯାଏ । ଯେପରି ସାରା ସଂସାରରୁ ମୁଁ ଆପଣାକୁ ଏପରି ହୀନବୁଦ୍ଧି ରାତିରେ ବିଚ୍ଛିନ୍ନ ଓ ବଞ୍ଚିତ କରି ନରଖେ-। ଜଗତରେ ଏହି ଆକାଶ, ଆନନ୍ଦ ଓ ଜୀବନ ଉତ୍ସବରେ ମୋର ଯେପରି ଭାଗ ରହିଚି, ଜଗତରେ ଦୁଃଖରେ ମଧ୍ୟ ସେହିପରି ଭାଗ ରହିଚି । ଦୁଃଖକୁ ଡରି ଅଭିଯୋଗ କଲେ ମୁଁ ସଂସାର ବ୍ୟାପୀ ଆନନ୍ଦରେ କଦାପି ମୋର ପ୍ରାପ୍ୟ ଅଂଶ ଗ୍ରହଣ କରିପାରିବି ନାହିଁ ।

 

୧୬ । ୧ । ୬୦

 

ଜଣେ ମଣିଷ ହିସାବରେ ଯେତେବେଳେ ମଣିଷର ଆପଣା ଉପରୁ ବିଶ୍ଵାସ ତୁଟିଯାଏ, ଠିକ୍ ସେତିକିବେଳେ ହିଁ ସେ ଡରିବାକୁ ଆରମ୍ଭ କରେ । ଆପଣାର ଶକ୍ତି ଉପରେ ଭରସା ରଖିଥିବା ପର୍ଯ୍ୟନ୍ତ ମଣିଷ ନିରାଶ ହୁଏନାହିଁ, ତେଣୁ ସେ ଉଗ୍ର ହୁଏ ନାହିଁ । ସଂସାରର ନାନା କ୍ଷେତ୍ରରେ ଯିଏ ଅପରକୁ ଡରାଇ ଆପଣାର କାମ କରାଇ ନେବାକୁ ଆଗ୍ରହ ପ୍ରକାଶ କରେ, ସେ ଆପଣାର ଉପରୁ କ୍ରମେ ବିଶ୍ଵାସ ହରାଇବାକୁ ବସିଲାଣି ବୋଲି ଅନୁମାନ କରିବାକୁ ହେବ । ଆପଣାର ବଳ ଉପରେ ନିର୍ଭର ନ କରି ଅନ୍ୟମାନଙ୍କ ଉପରେ ତା’ର ରହିଥିବା କ୍ଷମତା ଉପରେ ହିଁ ସେ ବିଶ୍ଵାସ କରିବାକୁ ଆରମ୍ଭ କରେ । ସହଯୋଗର ଆଶ୍ରୟ ନ ନେଇ ସେ କାନୁନର ଆଶ୍ରୟ ନିଏ । କାରଣ ସେ ନିଜେ କୌଣସିପ୍ରକାର କାର୍ଯ୍ୟରେ ଯୋଗ ଦେବାକୁ ଚାହେଁ ନାହିଁ । ତେଣୁ ଆଜି ଯିଏ ଉଗ୍ର ବ୍ୟବହାର କରୁଚି, ତାକୁ ଗାଳି ଦେଲେ ବା ଉପଦେଶ ଦେଲେ ତା’ର ଉଗ୍ରତା ଦୂର ହେବ ନାହିଁ । ତା’କୁ ତାର ଆପଣାର ବିଶ୍ଵାସ ଫେରି ପାଇବାର ସହାୟତା କରିବାକୁ ହେବ । ଆପଣାର ବଳ ଉପରେ ତା’ର ବିଶ୍ଵାସ ଫେରାଇ ଆଣିବାକୁ ହେବ । ତା’ ଭିତରେ ନିଦା ହୋଇ ଯାଇଥିବା ଡରର ମୂଳମଞ୍ଜିକୁ ବାହାର କରିବାକୁ ହେବ । ତେଣୁ ଉଗ୍ରକୁ ଉପେଦେଶ ଦେବା ଯେପରି ନିରର୍ଥକ, ଉଗ୍ର ପାଖରେ ଆତ୍ମସମର୍ପଣ କରିବା ମଧ୍ୟ ଠିକ୍ ସେହିପରି ନିରର୍ଥକ । ଏହାଦ୍ୱାରା କୌଣସି ପକ୍ଷର କୌଣସି ଉଦ୍ଦେଶ୍ୟ ସାଧିତ ହୋଇ ପାରିବ ନାହିଁ । ଉଗ୍ରର ଅସଲ ସ୍ଥାନରେ ଉଖାରି ମୂଳମଞ୍ଜଟି ବାହାର ନକରିବା ପର୍ଯ୍ୟନ୍ତ ସିଏ ଅଧିକରୁ ଅଧିକ ଉଗ୍ର ହେବାରେ ଲାଗିଥିବ, ଅଧିକରୁ ଅଧିକ ମୋହାବୃତ ହେବାରେ ଲାଗିଥିବ । ଅପର ଅନେକଙ୍କ ଲାଗି ଏକ ଜଟିଳତାର ସମସ୍ୟା ହେବାର ଲାଗିଥିବ । ତେଣୁ ଉଗ୍ରତାକୁ ଦୂର କରିବାକୁ ହେଲେ ଆତ୍ମବିଶ୍ଵାସ ସୃଷ୍ଟି କରିବାକୁ ହେବ ।

 

୧୭ । ୧ । ୬୦

 

ଏଇ ମଣିଷ ସଂସାରର ଅନେକ ବିଶ୍ଵାସଘାତକତାର କାର୍ଯ୍ୟ କରୁଛି । ତଥାପି ମଣିଷ ଉପରେ ବିଶ୍ଵାସ କରିବା ବ୍ୟତୀତ ଏହି ସଂସାରରେ ଅନ୍ୟ ଉଦ୍ଧାର ବାଟ ନାହିଁ । ସ୍ଵାର୍ଥସିଦ୍ଧ ଲାଗି ମଣିଷ ନାନା କ୍ଷେତରେ ନାନା ପ୍ରକାର ପ୍ରବଞ୍ଚନ ଓ ପ୍ରତାରଣା କରୁଚି, ଆପଣାର ହଠାତ୍ ଲାଭର ମୋହରେ ପଡ଼ି ସେ କାହାର କେତେ ପ୍ରକାରର କ୍ଷତି କରିବାପାଇଁ ଅତି ଉଗ୍ର ଭାବରେ ଆଗଭାର ହୋଇପଡ଼ୁଚି । ତଥାପି ଏହି ମଣିଷ ଉପରେ ହିଁ ବିଶ୍ଵାସ ସ୍ଥାପନ କରିବାକୁ ହେବ । ଆମର ସମସ୍ତ ବିଦ୍ୟା ଓ ବୁଦ୍ଧିର ସାଧନ ଖରଚ କରି ତଥାପି ଏହି ମଣିଷମାନଙ୍କୁ ହିଁ ଅଧିକ ଯୋଗ୍ୟ ଓ ଅଧିକ ସମ୍ମାନାସ୍ପଦ କରି ତିଆରି କରିବାକୁ ହେବ । ତା’ ନ ହେଲେ ଆମର ଆଗକୁ ଯିବାର ପଥ ହିଁ ରହିବ ନାହିଁ । ଆଗକୁ ଯିବା ଲାଗି ଓ ଆପଣାକୁ ଏହି ଜୀବନରେ ଅଧିକ ସୁଖୀ କରିବା ଲାଗି ମଣିଷ କେତେ ସାମଗ୍ରୀ ଓ ସାଧନ ବଢ଼େଇବାରେ ଲାଗିଚି । ସେ ଭାବୁଚି, ଏହିଗୁଡ଼ାକୁ ବୃଦ୍ଧି କରାଇବାରେ ହିଁ ତା’ର ସୁଖ ଓ ସନ୍ତୋଷ ନିହିତ ହୋଇ ରହିଚି । କିନ୍ତୁ ସାମଗ୍ରୀ ଉପରେ, ଯନ୍ତ୍ର ଉପରେ ଓ ଅର୍ଥଶକ୍ତି ଉପରେ ମଣିଷର ଅଗ୍ରଗତି ଲାଗି ନିର୍ଭର କରି ରହିବା କେବଳ ନିର୍ବୋଧତାର କାର୍ଯ୍ୟ ହିଁ ହେବ । ଆପଣା ଉପରୁ ଓ ସାଧାରଣତଃ ସବୁ ମଣିଷ ଉପରୁ ବିଶ୍ଵାସ ହରାଇ ମଣିଷ ଯେତେ ଥର ସାମଗ୍ରୀ ଉପରେ, ଯନ୍ତ୍ର ଉପରେ ଓ ଅର୍ଥଶକ୍ତି ଉପରେ ନିର୍ଭର କରିବାକୁ ଯାଇଚି, ସେ ସେତେଥର ଅପଦସ୍ତ ହୋଇଚି, ତା’କୁ ସେତେଥର ଶୂନ୍ୟବଳ ହୋଇ ନାନା ଦୁର୍ଦ୍ଦଶା ଭୋଗିବାକୁ ପଡ଼ିଚି । ସେ ଯୁଦ୍ଧ ଜିତିଚି, ମାତ୍ର ଆପଣାର ସୁଖ ସନ୍ତୋଷ ସମ୍ଭବ କରାଇ ପାରିନାହିଁ । ତେଣୁ ମଣିଷର ସକଳ ଅପୂର୍ଣ୍ଣତା ସତ୍ତ୍ୱେ ତଥାପି ମଣିଷ ଉପରେ ବିଶ୍ଵାସ ସ୍ଥାପନ କରିବାକୁ ହେବ, ଆପଣା ଭିତରେ ସକଳ ଅସୁନ୍ଦରତା ସତ୍ତ୍ୱେ ତଥାପି ଆପଣାର ସୁନ୍ଦର ସମ୍ଭାବନା ଉପରେ ବିଶ୍ଵାସ ସ୍ଥାପନ କରିବାକୁ ହେବ । ସଂସାରରେ ଏହି ବିଶ୍ଵାସ ଯେତିକି ବଢ଼ିବ ସବୁରି ଜୀବନର ପ୍ରମାଦ ସେତିକି କମିବ, ଆମ ସାଧନ ଓ ସାମଗ୍ରୀ ଗୁଡ଼ିକର ସେତିକି ସଦ୍‌ବ୍ୟବହାର ହୋଇ ପାରିବ ।

 

୧୮ । ୧ । ୬୦

 

ଏ ଦେଶର ବିଶ୍ୱବିଦ୍ୟାଳୟ ଏପର୍ଯ୍ୟନ୍ତ ଏ ଦେଶରେ ହୋଇପାରି ନାହିଁ, ଏ ଦେଶର ସ୍କୁଲ ଓ କଲେଜକୁ ଏହି ଦେଶର ବୋଲି ତଥାପି କୁହାଯାଇ ପାରିବ ନାହିଁ । ସେଥିପାଇଁ କୌଣସି ବଡ଼ କଲେଜରେ ତଥାକଥିତ ଅଧ୍ୟାପକମାନଙ୍କର ଗହଣରେ ଆସି ସେମାନଙ୍କର ବିଚରଣ-ସ୍ତର ଭିତରେ ପ୍ରବେଶ କଲାବେଳେ ଏହି ଦେଶରୁ ବିଚ୍ଛିନ୍ନ ହୋଇ ଯିବାପରି ଲାଗେ । ଯେପରି ଏ ଦେଶ ଓ ସେମାନଙ୍କର କ୍ଷେତ୍ର ଭିତରେ ଏପର୍ଯ୍ୟନ୍ତ ଅନେକ ମାନସିକ ଓ ଭାଗବତ ଦୂରତା ରହିଯାଇଚି । ଯେପରି ଏ ଦେଶରେ ବିଶ୍ୱବିଦ୍ୟାଳୟଗୁଡ଼ିକର କେବେଳ ଆଗ ଅଛି; କିନ୍ତୁ ମୂଳ ନାହିଁ । ତଥାପି ଆପଣାର ଏକ ଅଳସ କଳ୍ପନାର ଫୁଲଦାନୀ ଭିତରେ ସଜାହୋଇ ଗଛରୁ କଟାହୋଇ ଆସିଥିବା ଫୁଲକେଣ୍ଡା ପରି ଏହା ବେଶ୍ ସଜ୍ଜିତ ସୌନ୍ଦର୍ଯ୍ୟରେ ସୁନ୍ଦର ଦିଶୁଚି । କିନ୍ତୁ ଏଥିରେ କୌଣସି ଜୀବନ ନାହିଁ । ଏହି ସୌନ୍ଦର୍ଯ୍ୟ କେତେଦିନ ରହିବ ? ଆମେ ଜୀବନକୁ କେବଳ ଗୋଟିଏ ବୈଠକଖାନା ସହିତ ତୁଳନା କରି ପାରିବା ନାହିଁ । କେବଳ ଗୋଟାଏ ଭୂଇଁ ଛଡ଼ା ସଜ୍ଜିତ ଆଡ଼ମ୍ବର ବୋଲି ଗ୍ରହଣ କରି ପାରିବାନାହିଁ । ଏଠି ବିଶ୍ଵବିଦ୍ୟାଳୟର କଏଦଖାନାରେ ବସି ଆମେ ଆମେରିକା ଓ ଇଂଲଣ୍ଡର ସ୍ଵପ୍ନ ଦେଖିବାରେ ଲାଗିଥିଲେ ଏ ଦେଶର ଏତେଟିକିଏ ମଙ୍ଗଳ ବି କରି ପାରିବାନାହିଁ, ଏ ଦେଶ ସହିତ ଆମର କୌଣସି ସଂଯୋଗ ରହିବ ନାହିଁ । ଏ ଦେଶର ଜୀବନଭୂମି ସହିତ ଆମ ଭିତରେ ଏକ ଭବଗତ ଓ ଉତ୍ସାହପୂର୍ଣ୍ଣ ପରିଚୟ ରହିବା ଦରକାର । ଏହି ଦେଶର ଅଧିକ ନିକଟବର୍ତ୍ତୀ ହେବାପାଇଁ ଆମ ଭିତରେ ଏକ ସାଗ୍ରହ ଜିଜ୍ଞାସା ରହିଥିବା ଦରକାର । ତା’ ନ ହେଲେ ଏହି ଦୂରତା ଓ ବିଚ୍ଛିନ୍ନତା କଦାପି ଘୁଞ୍ଚିବନାହିଁ ।

 

୧୯ । ୧ । ୬୦

 

ନିଜ ଭିତରେ ଏପର୍ଯ୍ୟନ୍ତ ଗୋଟିଏ ବଡ଼ କ୍ଷେତ ରହିଚି । କାମ କରୁଥିବା ସମୟ ହଠାତ୍ ସେହି କ୍ଷତଟା ବିଷୟରେ ମନେ ପଡ଼ିଗଲା ମାତ୍ରକେ ମୋର ସବୁ ବଳ ଓ ବିଶ୍ଵାସ କୁଆଡ଼େ ଉଡ଼ି ଚାଲିଗଲା ପରି ମନେ ହେଉଚି । ଭିତରୁ କୌଣସି ଉତ୍ସାହ ନପାଇଲେ ଆପଣାକୁ କେବଳ ଟାଣିଟାଣି କୌଣସି କାର୍ଯ୍ୟରେ ବାନ୍ଧିଦେବାର ମୁଁ ମୋଟେ ସରାଗ ପାଉନାହିଁ । ବେଳେବେଳେ ଆଶଙ୍କା ହେଉଚି, ଯେପରି ଭିତରେ ମୋ’ର ସମସ୍ତ ସଞ୍ଚୟ ସମାପ୍ତ ହୋଇ ଆସିଲାଣି ବା ମୋର ସେହି ସଞ୍ଚୟ ଉପରେ କାହାର ଅଶୁଭ ଦୃଷ୍ଟି ପଡ଼ିଲାଣି । କୌଣସି ଅସନ୍ତୁଷ୍ଟ ମନର ଅଭିଶାପ ଫଳରେ ମୋର ସବୁକିଛି କାମ ନଷ୍ଟ ହେବାରେ ହିଁ ଲାଗିଚି । ମୋର ଶ୍ରଦ୍ଧା, ମୋ’ ମନର ସ୍ଥିରତା ଓ ମୋର ସରାଗ ଯେପରି ଦିନୁଁ ଦିନ ହ୍ରାସ ହେବାରେ ଲାଗିଚି । ଏହି ଅନ୍ଧାରର ପର୍ଯ୍ୟାୟଟିକୁ ଅତିକ୍ରମ କରିବାକୁ ହେବ । ଏହି ଉତ୍ସାହହୀନତାର ଦୁର୍ଦ୍ଦଶାରୁ ମୁକ୍ତ ହେବାକୁ ପଡ଼ିବ । ଜୀବନରେ ଅନେକ ପାଇବାର ଅଛି, ଅନେକ ହେବାର ଅଛି ଓ ଅନେକ ଦେବାର ଅଛି । ତେଣୁ ଏଇଠି ରହିଗଲେ ଆତ୍ମହତ୍ୟା କଲାପରି ହିଁ ହେବ । ନାନା ପ୍ରକାରେ ସଙ୍କୁଚିତ ହୋଇ ମୁଁ ଯେପରି ଅଟକି ଯାଇଥିବା ପରି ମନେହେଉଚି । ସେହି ସଙ୍କୁଚିତତା ହିଁ ମୋର ସକଳ ଅବିଶ୍ଵାସର ମୂଳ କାରଣ । ମୁଁ ଆପଣାକୁ ଅବିଶ୍ଵାସ କରୁଚି, ତେଣୁ ଆପଣାକୁ ସବୁଠାରେ ଏପରି ବଞ୍ଚିତ ବୋଲି ମନେକରୁଚି । ଆପଣାର ଶ୍ରଦ୍ଧାମୟ ଅବଲମ୍ବନ ପାଖକୁ ପୁଣି ଫେରିଯିବାକୁ ହେବ, ଆପଣାର ସ୍ଥିରତମ ଆଶ୍ରୟ ପାଖକୁ ଫେରିଯିବାକୁ ହେବ । ଆପଣାର ଅପାରଗତାଗୁଡ଼ାକ ହିଁ ବର୍ତ୍ତମାନ ମୋ’ ଆଖିକୁ ବଡ଼ପରି ଦେଖାଯାଉଚି, ଆପଣାର ଦୁର୍ବୁଦ୍ଧିଗୁଡ଼ାକ ପ୍ରବଳ ହୋଇ ମୋର ସକଳ ବିବେକକୁ ଗିଳି ପକାଇଥିବା ପରି ମନେହେଉଚି । ଭିତରର ଦୀନତାରେ ଜର୍ଜର ପ୍ରାୟ ହୋଇ ମୁଁ କେବଳ ଏକା ମୁଥକେ ସାରା ଦୁନିଆଟାକୁ ଉଦରସାତ୍ କରିନେବାକୁ ଚାହୁଁଚି; କିନ୍ତୁ ମୋତେ ଏବାଟ ଛାଡ଼ିବାକୁ ହେବ । ମୁଁ ଯେତେବେଳ ପର୍ଯ୍ୟନ୍ତ ଆପଣାକୁ ହୀନ ବୋଲି ବିଚାରୁଥିବି, ସେତେବେଳ ପର୍ଯ୍ୟନ୍ତ ମୋର ଅସ୍ଥିର ଓ ଆହତ ମନ ମୋତେ ଯେ କୁଆଡ଼କୁ ନେଇଯିବ, କେଉଁ ଅଜ୍ଞାତ ପଥର ଉପରେ ପକାଇ ଯେ ମୋତେ ଛାରଖାର କରିଦେବ, ମୁଁ ତାହାର କଳ୍ପନା ହିଁ କରି ପାରୁନାହିଁ । କିନ୍ତୁ ମୁଁ ଏତିକି ବେଶ୍ ଭଲକରି ଜାଣିଚି ଯେ ଖାଲି ଛାରଖାର ହୋଇଯିବାକୁ ମୁଁ ଏହି ଜଗତକୁ ଆସିନାହିଁ, ଏହି ସଂସାର ଲାଗି ଆପଣାକୁ ସମର୍ପଣ କରିଦେବାକୁ ଆସିଚି । ମାତ୍ର ଏହି ସମର୍ପିତ ହେବାର କାର୍ଯ୍ୟକ୍ରମରେ କୌଣସି ପ୍ରକାର ଅସ୍ଥିରତା, ହୀନତା ବା ଲାଳସା ପାଇଁ କୌଣସି ସ୍ଥାନ ନାହିଁ । ନାୟମାତ୍ମା ବଳହୀନେନ ଲଭ୍ୟଃ ।

 

୨୦ । ୧ । ୬୦

 

ଏଠି ପିଲାମାନେ ଶିକ୍ଷା ଚାହାନ୍ତିନାହିଁ, ପରୀକ୍ଷାରେ ପାସ୍ କରିବାକୁ ଚାହାନ୍ତି । ତେଣୁ ଜଣେ ଶିକ୍ଷକ ହିସାବରେ ଆପେ ଅତ୍ୟନ୍ତ ଆଗ୍ରହ ପ୍ରକାଶ କରି ପିଲାଙ୍କ ପାଖରେ ଯାଇ ପହଞ୍ଚିଲା ବେଳକୁ ପିଲାଏ ଶିକ୍ଷକକୁ ଅକାମୀ ବା ଅନାବଶ୍ୟକ ବୋଲି ମନେ କରୁଚନ୍ତି, ଶିକ୍ଷକକୁ ସେମାନେ ହୁଏତ ନିର୍ବୋଧ ମନେ କରୁଚନ୍ତି । ଯେଉଁଠି ପିଲାଏ ଆପଣାକୁ କେବଳ ପାଠବଜାରର ଚାହିଦା ଅନୁସାରେ ତିଆରି କରୁଚନ୍ତି, ଯେତେବେଳେ ସେମାନେ ସମୟର ଆବଶ୍ୟକତା ଅନୁସାରେ ଆପଣାକୁ ଉପଯୋଗୀ ପଣ୍ୟରୂପେ ତିଆରି କରୁଚନ୍ତି, ସେତେବେଳେ ଶିକ୍ଷକକୁ ମଧ୍ୟ ସେମାନେ ସେହି ଦୃଷ୍ଟିରୁ ଉପକାରୀ ବା ଅନପକାରୀ ବୋଲି ଗ୍ରହଣ କରୁଚନ୍ତି । ବିଚାରା ଶିକ୍ଷକ ବାଧ୍ୟ ହୋଇ ସେମାନଙ୍କର ସେହି ପ୍ରୟୋଜନଟିକୁ ପୂରଣ କରିବା ବ୍ୟତୀତ ଉପାୟାନ୍ତୟର ଦେଖୁନାହିଁ । ଏଥିଲାଗି ମୁଁ ପିଲାମାନଙ୍କର ଦୋଷ ଦେଉନାହିଁ । କ୍ରିୟା ଓ ପ୍ରତିକ୍ରିୟାର ପରିଣାମ ଅନୁସାରେ ଶିକ୍ଷକ ଓ ପିଲାଏ ଉଭୟେ ଉଭୟଙ୍କୁ ତିଆରି କରିବାରେ ଲାଗିଚନ୍ତି ଓ ପରିଣାମ ସ୍ଵରୂପ ଉଭୟେ କେବଳ ସମୟର ଦାସ ହେବାକୁ ଚାହୁନାହିଁ । ଆଉ ଜଣେ କାହାରି ପସନ୍ଦର ଗୃହୀତ ହୋଇ ରହିବାକୁ ବାଧ୍ୟ ହେଉଚନ୍ତି । ମୁଁ ଜାଣେ ମୁଁ ନିଜେ ସ୍ଵଭାବତଃ ଏପରି ହୋଇ ପାରିବାଲାଗି ମୁଁ ଆପେ ପଣ୍ୟ ହେବାକୁ ଚାହୁନାହିଁ । ଅପର କାହାରିକୁ ଏହିପରି ଏକ ପଣ୍ୟରୂପେ ତିଆରି କରିବାକୁ ବାଧ୍ୟ ମୁଁ ଏକ ଅପମାନଜନକ କାର୍ଯ୍ୟ ବୋଲି ଭାବୁଚି । ସେହି କାରଣରୁ ଏଠାରେ ବେଳେବେଳେ ଏପରି ଉଦାସୀନ ଲାଗୁଚି, ଆପଣାକୁ ଏପରି ଗୋଠଖଣ୍ଡିଆ ପରି ମନେହେଉଚି । ମୋତେ କେହି ନହସୁଥିଲେ ମଧ୍ୟ ଆପଣାପ୍ରତି ଏକ ଦୟନୀୟ ଅବଜ୍ଞାଭାବ ଜାତ ହେଉଚି । ଏହାହିଁ ମୋତେ ଏପରି ଆହତ ଓ ଅସ୍ଥିର କରି ରଖିଚି ।

 

୨୧ । ୧ । ୬୦

 

ବୋଧହୁଏ ତାହାହିଁ ହେଉଚି ଏଠାରେ ମୋର ସବୁଠାରୁ ବଡ଼ ଅଶାନ୍ତି । ଏଠି ହୃଦୟ ଖୋଲି କଥା କହିବାର ଜୁ’ ନାହିଁ । ପ୍ରୟୋଜନର ଅତିରକ୍ତି ଏଠି କିଛିହେଲେ ଆଶା କରିବାର ଅଧିକାର ନାହିଁ । ନୀତି ପାଠ ପଢ଼ାଇବାର ସେସିନ ଭିତରୁ ବାହାରି କାହାରି ସହିତ ମଣିଷ ହିସାବରେ ପଦେ କଥାବାର୍ତ୍ତା କରିବାର ଅବକାଶ ନାହିଁ । ଏଠାରେ ସମସ୍ତେ ସତର୍କ, ଆପଣାର ପ୍ରୟୋଜନସିଦ୍ଧ ସୀମା ବିଷୟରେ ସମସ୍ତେ ସଚେତ । ତେଣୁ ଏଠି ହୋହୋ ହସଖୁସୀ ଭିତରେ ରହିକରି ମଧ୍ୟ ତଥାପି ଏକୁଟିଆ ଲାଗେ, ମଣିଷମେଳରେ ରହି ମଧ୍ୟ ତଥାପି ଯେପରି ଅସଲ ମେଳରୁ ବଞ୍ଚିତ ରହି ଗଲାପରି ମନେହୁଏ । ମନକୁ ମଜାଇ ରଖିବାର ସକଳ ଆୟୋଜନ ସତ୍ତ୍ୱେ ତଥାପି ମନର ଅଶାନ୍ତିଜନିତ ଦହନ ସହିବାକୁ ପଡ଼େ । ‘ଏଠି ନୁହେଁ, ଏଠି ନୁହେଁ’, ଅନ୍ୟ କେଉଁଠି ବୋଲି କହି ଉତ୍ତେଜିତ ଅବଶ ମନ ହାହାକାର କରିଉଠେ । ଚମ୍ପତିମୁଣ୍ଡାରେ କୋଠା ନଥିଲା, ବେଶପୋଷାକର ଚମକ ନଥିଲା, ବିଜୁଳିଆଲୁଅ ବା ବାବୁଗିରି କିଛି ନଥିଲା । ତଥାପି ସେଠାରେ ଆପଣାର ସମସ୍ତ ସତର୍କ ଆବରଣ ଖୋଲିଦେଇ ମଣିଷ ସହିତ ମଣିଷ ହୋଇ ବସିବାର ଅବକାଶ ରହିଥିଲା, ମଣିଷ ସହିତ ଏକାପତରରେ ବସି ଜୀବନର ସୁଧା ଆସ୍ଵାଦନ କରିବାର ମହାନ୍ ଅବସର ଥିଲା । ସେଠି ଆଦର୍ଶ ଓ ବାସ୍ତବ ଭିତରେ ଏପରି ଏକ ଦୁଃଖଦ ଦୂରତା ରହି ସମସ୍ତ ଅନୁଭୂତ ଜୀବନକୁ ଏକ ତୁଚ୍ଛା ପ୍ରବଞ୍ଚନାରେ ପରିଣତ କରି ଦେଉନଥିଲା । ଏଠି ବେଳେବେଳେ ଯେପରି କୋଉ ଦ୍ଵୀପରେ ନିର୍ବାସିତ ହୋଇ ରହିଥିବାପରି ଲାଗୁଚି । ବାହାରକୁ ଦେଖିବାକୁ ସମସ୍ତେ ମୋର ଅତି ପାଖରେ ଅଛନ୍ତି । ଦୁନିଆଯାକର ଗୁଲିଖଟି ଗପରେ ଏଠାକାର ସମସ୍ତ ଜୀବନ ବେଶ୍ କୋଳାହଳମୟ ହୋଇ ରହିଚି । ତଥାପି ସମସ୍ତେ ଯେପରି କେବଳ ଅତ୍ୟନ୍ତ ଏକାକୀ ହୋଇ ରହିଚନ୍ତି ! ଏକ ପ୍ରକାରର ଅତିନିଦାରୁଣ କୃତ୍ରିମତା ଏଠିକାର ମଣିଷମାନଙ୍କୁ ଜୀବନରୁ ବ୍ୟାହତ କରି ରଖିଚି, ତେଣୁ ପରସ୍ପର ସହିତ ଯଥାର୍ଥଭାବେ ପରିଚିତ ହେବାରୁ ବ୍ୟାହତ କରି ରଖିଚି । ଏହି ଦୁର୍ଦ୍ଦଶା କ୍ରମେ ମୋତେ ବି ଗ୍ରାସ କରି ପକାଉଥିବା ପରି ଲାଗୁଚି ।

 

୨୨ । ୧ । ୬୦

 

କାଲି ଦିନଲିପି ଲେଖୁଲେଖୁ ହଠାତ୍ ଚମ୍ପତିମୁଣ୍ଡାର କଥା ମନେପଡ଼ିଗଲା । ମୁଁ ସେଠାରେ ଚାରିବର୍ଷ ହୃଦୟ ଖୋଲି ଜୀବନ ବଞ୍ଚି ପାରିଥିଲି । ସଂପୂର୍ଣ୍ଣ ସ୍ଵତନ୍ତ୍ର ଓ ନିର୍ଭୀକ ଭାବରେ ମଣିଷ ସହିତ ଏକାଠି ହୋଇ ପାରିଥିଲି, କର୍ମ, ବିଚାର ଓ ନବରଚନାରେ ମଣିଷସହିତ ସମ୍ମିଳିତ ହୋଇ ପାରିଥିଲି । ଏହି ଧୂଳିମାଟିର ଜୀବନଭିତରେ ତଥାପି ଯେ ଅନେକ ଆନନ୍ଦ ଆଲୋକ ନିହିତ ହୋଇ ରହିଚି, ପ୍ରତ୍ୟେକ ମଣିଷ ଭିତରେ ଯେ ଅନେକ ଶକ୍ତି ଓ ସମ୍ଭାବନା ପ୍ରଚ୍ଛନ୍ନ ହୋଇ ରହିଛି, ମୁଁ ଚମ୍ପତିମୁଣ୍ଡରେ ଏହିକଥାଟିକୁ ଅଧିକ ସ୍ପଷ୍ଟ କରି ଜାଣି ପାରିଥିଲି । ଚମ୍ପତିମୁଣ୍ଡା ମୋତେ ସବୁଦିନ ପାଇଁ ଆଶାବାଦୀ ହୋଇରହିବାର ସାହାଯ୍ୟ କଲା । ଆଜି ମନ ବାରବାର ସେହି ଦିନଗୁଡ଼ିକର ବକ୍ଷଭିତରକୁ ଫେରିଯିବାକୁ ଚାହୁଚି । ଅରଣ୍ୟର ସେହି ଶାନ୍ତି, ସମସ୍ତଙ୍କ ସହିତ ଏକତ୍ର ବାସ କରିବାର ସହନଶୀଳତା, ମଣିଷକୁ ମୂଳତଃ ଅଶେଷଶକ୍ତିମାନ ବୋଲି ବିଚାର କରିବାର ନିର୍ଭୀକତା,–ଯଦି ମୁଁ ଏହିସବୁକୁ ଜୀବନର ସ୍ଥାୟୀ ଅବଲମ୍ବନ କରି ରଖିପାରିବି, ତେବେ ଚମ୍ପତିମୁଣ୍ଡାର ଛାପ ମୋ’ଭିତରେ ସବୁଦିନ ଲାଗି ସ୍ଥାୟୀ ହୋଇରହିଥିବ । ବାହାରୁ ଦେଖିବାକୁ ଆଜି ସେହି ବିଦ୍ୟାଳୟଟି ନାନାପ୍ରକାରେ ବିଚ୍ଛିନ୍ନ ଓ ବିଦୀର୍ଣ୍ଣ ହୋଇ ରହିଚି । ଜୀବନର ବାହାନା କରି ସେଠି ମରଣର ଆଡ଼ମ୍ବରକୁ ହିଁ ଅଧିକ ଜାକଜମକ କରି ଦେଖାଇବାର ପ୍ରଚେଷ୍ଟା ଚାଲିଚି । ତଥାପି ଯଦି ଅନ୍ତତଃ କେତେଜଣକ ଭିତରେ ପୂର୍ବର ସେହି ନିର୍ଭୀକତା ଓ ସମ୍ମାନବୋଧ ବଞ୍ଚିରହେ, ସେହି ଶ୍ରଦ୍ଧା ଓ ନମ୍ରତା ବଞ୍ଚିରହେ, ତେବେ ମୋର ସେହି ଚାରିବର୍ଷ ଆଦୌ ଅସାର୍ଥକ ହୋଇନାହିଁ ବୋଲି ମୁଁ ନିଶ୍ଚୟ କହିପାରିବି । ଏହାକୁ ବଞ୍ଚାଇ ରଖିବାର ପ୍ରଥମ ଦାୟିତ୍ଵ ମୋର । ମୁଁ ନିର୍ଭୀକ ହେବି, ନମ୍ର ହେବି, ଶ୍ରଦ୍ଧାଶୀଳ ଓ ସହିଷ୍ଣୁ ହେବି । ଏହାହିଁ ମୋ’ର ଜୀବନରେ ସେହି ଚାରିବର୍ଷର ସତତ ଆହ୍ଵାନ ହୋଇ ରହିଥିବ ।

 

୨୩ । ୧ । ୬୦

 

ମୋର ବିଚାରଠାରୁ ଆଉଜଣକର ବିଚାର ଭିନ୍ନ, ଖାସ୍ ସେଥିପାଇଁ ମୁଁ ତା’ପତ ଏକ ଅସହିଷ୍ଣୁ ଭାବ ପୋଷଣ କରିବି,–ଏହାକୁ ଅପରିପକ୍ଵ ଜୀବନର ଏକ ନିଦର୍ଶନ ବୋଲି କହିବାକୁ ହେବ । ଯେଉଁ ମନୁଷ୍ୟ ସଂସାରଯାକର ମନୁଷ୍ୟଙ୍କୁ କେବଳ ଆପଣା ଛାଞ୍ଚରେ ଦେଖିବାକୁ ଚାହେ, ତା’ର ଭଗବତ ଜୀବନରେ ସେ ଏପର୍ଯ୍ୟନ୍ତ ବଡ଼ କଞ୍ଚା ରହିଯାଇଚି । ମୋ’ର ଧର୍ମ ବଡ଼, ମୋ’ର ମତ ବଡ଼, ମୋ’ର ବିଚାର ବଡ଼, ମୋ’ର ଜାତି ଓ ଦେଶ ବଡ଼, ମୋ’ର ବାଟ ହିଁ ବଡ଼ ବାଟ ଓ ତେଣୁ ଏକମାତ୍ର ବାଟ,–ଏପରି ମତବାଦକୁ କେବଳ ଏକ ଅପରିପକ୍ଵ ମତବାଦ ବୋଲି କହିବାକୁ ହେବ । ଏହି ଅପରିପକ୍ଵତା ହିଁ ସଂସାରରେ ମଣିଷକୁ ମଣିଷ ବିରୁଦ୍ଧରେ ଲଢ଼ିବାକୁ ଠିଆ କରାଇ ଦେଇଚି, ଭଗବତ ପ୍ରେରଣାର ଅସଦ ବ୍ୟବହାର କରିଚି, ପ୍ରେମର ଅର୍ଥରୁ ଅନର୍ଥ ଭିଆଇଚି । ସଂସାରର ଜୀବନକୁ ନାନାପ୍ରକାର ଘୃଣାରେ ବିଷାକ୍ତ କରିଦେଇଚି । ଏହି ଅପରିପକ୍ଵ ଅସହିଷ୍ଣୁ ମଣିଷମାନେ ହିଁ ଆଜି ସଂସାରରେ ରାଜନୀତିକ ନିୟନ୍ତ୍ରଣର ରଜ୍ଜୁକୁ ହାତରେ ଧରି ବସିଚନ୍ତି । ସଂସାରର ପଥବିଭିନ୍ନତା ଓ ମନୁଷ୍ୟହୃଦୟର ରୁଚିବିଭିନ୍ନତା ସେମାନଙ୍କୁ ଭାରି ଉତ୍ତେଜିତ କରି ପକାଇଚି । ପତାକା ଓ ଆହୁରି ଅନେକ ପ୍ରକାରର ଅଶୁଭ ପ୍ରତୀକକୁ ଅବଲମ୍ବନ କରି ସେମାନେ ସଂସାରର ଲୋକଜୀବନକୁ ସମତୁଲ କରିବାକୁ ବାହାରିଚନ୍ତି । ଏହି ମନ୍ଦ ଆଗ୍ରହ ହିଁ ମଣିଷର ଜୀବନକୁ ଛାରଖାର କରିଦେଇଚି । ମଣିଷକୁ ନାନା ଛଳନା ଦେଖାଇ ପାଷଣ୍ଡରେ ପରିଣତ କରିଦେଇଚି । ଏହି ସଂସାରକୁ ସୁନ୍ଦର କରିବାକୁ ହେଲେ, ମଣିଷର ଜୀବନକୁ ସୁଖମୟ କରିବାକୁ ହେଲେ ଆମ ସମସ୍ତଙ୍କୁ ଜୀବନର ବିଚିତ୍ରତା ଓ ପଥର ବିଭିନ୍ନତାକୁ ଏକ ପ୍ରଧାନ ସତ୍ୟରୂପେ ଗ୍ରହଣ କରିବାକୁ ହିଁ ପଡ଼ିବ । ଖଣ୍ଡଖଣ୍ଡ ହୋଇ ରହି ପରସ୍ପର ପ୍ରତି ଅସହିଷ୍ଣୁତା ଦେଖାଇବାର ବାଟ ଧରିଲେ ଚଳିବନାହିଁ-। ଶ୍ରଦ୍ଧା ସହିତ ପରସ୍ପରକୁ ବୁଝିବା ଦ୍ଵାରା ହିଁ ମନୁଷ୍ୟ ପରିପକ୍ଵତା ଅର୍ଜନ କରିବ । ବିଚିତ୍ରତା ମଧ୍ୟରେ ଆପଣାକୁ ତଥାପି ସବୁରି ସହିତ ଗୁନ୍ଥିଦେଇ ମନୁଷ୍ୟ ଯଥାର୍ଥ ଦୃଷ୍ଟିଲାଭ କରିବ ।

 

୨୪ । ୧ । ୬୦

 

ସମସ୍ତେ ଉଚିତ ବାଟରେ ଯିବେ, ତେବେଯାଇଁ ମୁଁ ଉଚିତ ବାଟରେ ଯିବି; ସମସ୍ତେ ସାଧୁ ହେବେ, ସତ୍ୟପରାୟଣ ହେବେ, ତେବ ଏଯାଇ ମୁଁ ସାଧୁ ଓ ସତ୍ୟପରାୟଣ ହେବି,–ଏପରି ବିଚାର ପଛରେ ଗୋଟାଏ ପ୍ରକାର ଦୁଃଖଦ ପରାଜୟ ମନୋଭାବ ପ୍ରଚ୍ଛନ୍ନ ରହି ଗଲାପରି ମନେହୁଏ । ମୋର ଜଣେ ଛାତ୍ରବନ୍ଧୁଠାରୁ କାଲି ଏହିପରି ଯୁକ୍ତି ଶୁଣି ଏହି ଯୁଗର ଭୂମିଉପରେ ମୁଁ ତାହାକୁ ବିଚାର କରି ଦେଖୁଥିଲି । ଏଇ କଞ୍ଚାମନ ଯୁବକମାନଙ୍କୁ ଆମେ ନୀତି ବଡ଼ବଡ଼ ଆଡ଼ମ୍ବରପୂର୍ଣ୍ଣ ଆଦର୍ଶ କଥା ଶୁଣାଉଚୁ, ଭଲ ବାଟ ଓ ମହନୀୟ ଭବିଷ୍ୟତର ମିଠା କଥାମାନ ସେମାନଙ୍କ ଦ୍ଵାରା ମୁଖସ୍ଥ କରାଉଚୁ । ସେମାନେ ଏହି ଦେଶର ସାଧାରଣ କ୍ଷେତ୍ରକୁ ଅନାଇ ଶୁଣିଥିବା କଥାର ଠିକ୍ ଓଲଟା ଅଭିନୟମାନ ଦେଖୁଛନ୍ତି । ବିଦ୍ୟାଳୟର ପୃଥିବୀ ଓ ବାସ୍ତବ ଜୀବନର ପୃଥିବୀ ମଧ୍ୟରେ ଏହି ଅନ୍ତର ଦେଖି ସେମାନେ ବିଦ୍ୟାଳୟରେ ଶିଖିଥିବା କଥାକୁ ଅବିଶ୍ଵାସ କରିବାକୁ ଲାଗୁଚନ୍ତି । ଭିତରେ ଦୁର୍ବଳ ମନର ଦାମ୍ଭିକତା ବାହାରୁ ପ୍ରଶ୍ରୟ ପାଇ ଅତ୍ୟନ୍ତ ପ୍ରବଳ ହୋଇ ଉଠିଚି । ହତାଶ ହେଲାପରି ଆପଣାଉପରୁ ଓ ସବୁପ୍ରକାର ସମ୍ଭାବ୍ୟ ଉପରୁ ସବୁ ବିଶ୍ଵାସ ହରାଇ ସେମାନେ ଏହି ତଥାକଥିତ ବାସ୍ତବ ପାଖରେ ଆତ୍ମସମର୍ପଣ କରୁଚନ୍ତି, ସବୁପ୍ରକାର ପରିବର୍ତ୍ତନ ଉପରୁ ବିଶ୍ଵାସ ହରାଇ ବସୁଚନ୍ତି-। ପରିସ୍ଥିତି ସହିତ ଖାପ ଖାଇବା ବ୍ୟତୀତ ମଣିଷର ଯେ ଆଉ କୌଣସି ଆଚରଣଯୋଗ୍ୟ ଧର୍ମ ନାହିଁ, ସେମାନେ ଏହିପରି ଏକ ମିଥ୍ୟାକୁ କ୍ରମେ ଜୀବନର ନୀତି ବୋଲି ଗ୍ରହଣ କରୁଚନ୍ତି, ଏହାରି ଅନ୍ତରାଳରେ ଆପଣାଭିତରର ସବୁ ଅସଜଡ଼ା ଇଚ୍ଛାକୁ ସେମାନେ ଚରିତାର୍ଥ କରିବାଲାଗି ବାହାରି ପଡ଼ୁଚନ୍ତି । ଜୀବନର ଅପମାନ ହେବାରେ ହେବାରେ ଲାଗିଚି । ଏଣେ ମଣିଷ ଜୀବନକୁ ଅଧିକ ସୁଖମୟ କରିବ ବୋଲି ନାନା ଆଡ଼ମ୍ବର ଲଗାଇଚି । କିନ୍ତୁ ଆପଣାର ବିକାଶଦ୍ୱାରା କାହାକୁ କି ସୁଖ ମିଳିପାରେ ?

 

୨୫ । ୧ । ୬୦

 

ମନ ଭିତରେ କେଉଁଠି କଅଣ ଖଣ୍ଡିଆ ଖାବର ହୋଇଯାଇଚି କେଜାଣି, କ୍ରମେ ଜୀବନଟା ଯେପରି ବଡ଼ ଆହତ ଓ ବ୍ୟାକୁଳ ହୋଇ ପଡ଼ିଲାପଡ଼ି ଲାଗୁଚି । ମୁଁ କେଉଁଠାରେ କାହାର ଶାନ୍ତିଭଙ୍ଗ କରୁଛି ବା କରୁଚି, କେଜାଣି ସତେଯେପରି ତାହାରି ଅଭିଷାପ ଫଳରେ ନାନାପ୍ରକାର ଅଶାନ୍ତି ମୋତେ ସବୁବେଳେ ଦହନ କରି ମାରୁଚି । ସେଥିପାଇଁ ବେଳେବେଳେ ଏସବୁ ଛାଡ଼ି କୁଆଡ଼େ ପଳାଇବାକୁ ଇଚ୍ଛା ହେଉଚି । କୌଣସି କାମ ନଥିବ, କୌଣସି ଚିନ୍ତା ନଥିବ, କେବଳ ଶାନ୍ତିମୟ ଆକାଶ ଓ ପୃଥିବୀ ଆଶ୍ରୟ ପ୍ରସାରୀ ବିରାଜମାନ ରହିଥିବେ, ସ୍ନେହମୟ ମଣିଷ ତା’ର ନିର୍ଭର ପ୍ରସାରି ଦେଇଥିବ । ମୋର ସେହି ନିର୍ଭର ଦରକାର । ଆପଣାକୁ ବଞ୍ଚିତ ବୋଲି ମନେକରି ମୁଁ ଯେପରି ପ୍ରକୃତରେ ଅନେକ କ୍ଷେତ୍ରରୁ ଆପଣାକୁ ବଞ୍ଚିତ କରାଇ ଆସୁଚି, ଅନେକ ଅଧିକାର ହରାଇ ଆସୁଚି । ଜୀବନରେ ଇଏ ବି ଗୋଟାଏ ପର୍ବ । ଇଏ ବି ଗୋଟାଏ ପରୀକ୍ଷା । ଧୈର୍ଯ୍ୟର ପରୀକ୍ଷା, ବିଶ୍ଵାସର ପରୀକ୍ଷା, ମୋର ସମସ୍ତ ଅର୍ଜନର ପରୀକ୍ଷା । ଜାଣେନା, ଏହି ଦହନ ମୋ’ ଭିତରେ କେତେଦିନ ଯାଏ ଚାଲିବ, କେତେଦିନ ଯାଏ ମୋର ହାତଗୋଡ଼ ଏହିପରି ବନ୍ଧା ହୋଇ ପଡ଼ିଥିବ, ମୋର ଆଗ୍ରହ ଶଙ୍କିତ ଓ ସଙ୍କୁଚିତ ହୋଇ ରହିଥିବ । କିନ୍ତୁ ତଥାପି ଏହାକୁ ସହ୍ୟ କରିବି, ମୁଁ ତଥାପି ଦହିହେବି, ଜୀବନର ଅସଲ ପୁଞ୍ଜିଗୁଡ଼ିକୁ ତଥାପି ମୁଁ ଅତ୍ୟନ୍ତ ନୀରବ ହୋଇ ସଞ୍ଚୟ କରି ରଖିଥିବି । ସବୁପ୍ରକାରର ବିପର୍ଯୟ ସତ୍ତ୍ୱେ ମୁଁ ତଥାପି ଆପଣା ପାଖରେ ବିଶ୍ଵାସଘାତକତା କରିବି ନାହିଁ, ଆପଣାକୁ ପରିସ୍ଥିତି ପାଖରେ ବିକି ଦେବିନାହିଁ । ଏହି ଅସ୍ଥାୟୀ ଅତୃପ୍ତି ଦିନେ ନା ଦିନେ ଦୂର ହେବ, ବାଟ ପରିଷ୍କାର ହୋଇଯିବ, ବିଶ୍ଵାସର ସୂତ୍ର ପୁଣି ମିଳିଯିବ । ମୁଁ ପୁଣି ସ୍ଥିର ହେବି, ସ୍ଥିର ହୋଇ ଆପଣାକୁ ଆପଣାର ଆବିଷ୍କାରରେ ନିୟୋଜିତ କରିପାରିବି ।

 

୨୬ । ୧ । ୬୦

 

ଆଜି ସକାଳେ ସ୍ନାନ ସାରି ସୂର୍ଯ୍ୟ ଉଠି ଆସୁଥିବା ଆକାଶ ଆଡ଼କୁ ଅନାଇ ହଠାତ୍ ଅନୁଭବ କଲି ଯେ ମୁଁ ଏହି ଦେଶକୁ ପ୍ରକୃତରେ ଭଲପାଏ । ଏ ଦେଶର ଆକାଶ, ଅରଣ୍ୟ, ନଦୀ ଓ ପର୍ବତକୁ ମୁଁ ଭଲପାଏ । ଏ ଦେଶର ମଣିଷର ମୁଁ ମୋର ଅତି ଆପଣାର ବୋଲି ଗ୍ରହଣ କରେ । ଏଦେଶର ଭାଷା, ଏଦେଶର ଧର୍ମ ଓଁ ଏଦେଶର ଶାସ୍ତ୍ର ଭିତରେ ମୁଁ ଅନେକ ସମୟରେ ଯେଉଁ ଆତ୍ମୀୟତା ଅନୁଭବ କରିଥାଏ, ଆଜି ଏହି ମହତ୍ତ୍ଵମୟ ଦିନଟିରେ ମୁଁ ଆଉଥରେ ତାହାରି ହିଁ ପରିଚୟ ପାଇଲି । ଆପଣାର ଦେଶ ସହିତ ଏହି ବନ୍ଧନ ହେଉଚି କେବଳ ମମତାର ବନ୍ଧନ, କେବଳ ଆପଣାର ହୋଇ ରହିବାର ବନ୍ଧନ । ଏହି ମମତା ବା ଏହି ଆତ୍ମୀୟତା ଭିତରେ ଯେପରି କୌଣସି ଦ୍ଵେଷ ବା କୌଣସି ପ୍ରକାର ଉଗ୍ର ଭାବର ଲେଶମାତ୍ର କଳୁଷ ନରହେ, କୌଣସିପ୍ରକାର ଘୃଣାର କୌଣସି ବିଷ ପ୍ରବେଶ ନକରେ । ମମତା ଓ ଆତ୍ମୀୟତା ନାମରେ ଆଜି ଚତୁର୍ଦ୍ଦିଗରେ କେବଳ ଦ୍ଵେଷ ଓ ଘୃଣାର ହିଁ ପୋଷଣ ହେବାରେ ଲାଗିଚି । କାହାସହିତ ଏକତ୍ର ହେବାର ବାହାନାରେ ମଣିଷ ଅନ୍ୟ ନାନା ସ୍ଥାନରୁ ବିଚ୍ଛିନ୍ନ ହେବାର ଫନ୍ଦି କରୁଚି, ଘୃଣାରେ ପାଚିବା ଓ ଫୁଲିବାପାଇଁ କୋଉଠି ଏକ ଖଣ୍ଡିତ କ୍ଷେତ୍ରରେ ଭଲପାଇବାର ବିକଟ ପ୍ରହସନ ଲଗାଇ ରହୁଚି । ଆପଣାର ଦେଶକୁ ଭଲପାଇବା ଭିତରେ ଯେପରି ଏଭଳି କୌଣସି ମନ୍ଦୋଦ୍ଦେଶ୍ୟ ନରହେ ! ମୋ’ର ଦେଶ ମୋତେ ସମସ୍ତ ବିଶ୍ଵସହିତ ପରିଚିତ କରାଇଚି, ଆପଣାର ଭାବନୀଡ଼ରେ ସମସ୍ତଙ୍କ ଲାଗି ସ୍ଥାନ କରିବାପାଇଁ ମୋତେ ପ୍ରେରଣା ଦେଇଚି, ମୋତେ ପ୍ରସାର ଦେଇଚି, ମୋତେ ଆଶୀର୍ବାଦ ଦେଇଚି । ସେଥିପାଇଁ ମୋ’ ପାଖରେ ମୋର ଦେଶ ଏଡ଼େ ଆପଣାର ।

 

୨୭ । ୧ । ୬୦

 

ଧର୍ମପଥକୁ ସହଜ କରି ମଣିଷକୁ ଧର୍ମାତ୍ମା କରି ହେବନାହିଁ । ଆଧୁନିକ ମନକୁ ଆକୃଷ୍ଟ କଲାପରି ଭଳିଭଳି ମିଷ୍ଟ ଓ ମଧୁର ପରିବେଶ ସୃଷ୍ଟି କରି ଅନେକ ସମୟରେ ଧର୍ମ-ପରିବେଷଣ କରିବାର ଚେଷ୍ଟା କରାଯାଇଥାଏ । ଧର୍ମପଥ ଆଦୌ କଷ୍ଟକର ପଥ ନୁହେଁ, ଏହି ଜୀବନର ଅନ୍ୟାନ୍ୟ ନାନାବିଧ ବିନୋଦ ପରି ଧର୍ମ ମଧ୍ୟ ମଣିଷର ବିନୋଦନବିଳାସୀ ମନକୁ ଯଥେଷ୍ଟ ଲେହ୍ୟ ଓ ପେୟ ଯୋଗାଇଦେଇ ପାରିବ, ମଣିଷକୁ ଏଇଭଳି ଏକ ଭ୍ରମରେ ପକାଇଦେଇ ଶେଷକୁ ତାକୁ ଧର୍ମର ଜାଲରେ ପକାଇଦେବାର ଚେଷ୍ଟା ଅନେକ କରିଥାନ୍ତି । ଇଉରୋପରେ ଥିଲାବେଳେ ମୁଁ କେତେକ ସ୍ଥଳରେ ଏହିପରି ଦୃଷ୍ଟାନ୍ତମାନ ଦେଖିଚି । କିନ୍ତୁ ଏହିଭଳି ଆଚରିତ ଧର୍ମ ପ୍ରକୃତରେ ଗୋଟାଏ ଜାଲପରି କାର୍ଯ୍ୟ କରିଥାଏ । ତାହା ମଣିଷକୁ ବାନ୍ଧି ପକାଏ, ମଣିଷକୁ ମିଛ ନିର୍ଭରର ଭରସା ଦେଇଯାଏ । ତାହା ମଣିଷକୁ ଦୃଢ଼ କରି ପାରେନାହିଁ, ବିସ୍ତାରିତ କରି ପାରେନାହିଁ, ଉତ୍ତୋଳିତ ବା ମୁକ୍ତ କରି ପାରେନାହିଁ । ଜୀବନ ବଞ୍ଚିବାର ଦୃଷ୍ଟିରେ ତାହା କୌଣସି ଉଲ୍ଲେଖଯୋଗ୍ୟ ପରିବର୍ତ୍ତନ କରାଏନାହିଁ । ସମାଜଭିତରେ ଯନ୍ତ୍ରବତ୍ ନାନପ୍ରକାର ରୁଢ଼ିରେ ବାନ୍ଧିହୋଇ ରହିଥିବା ସାମାଜିକ ମଣିଷପରି ଧର୍ମାଚାରର ଜାଲରେ ବାନ୍ଧିହୋଇ ତଥାକଥିତ ଧାର୍ମିକ ମଣିଷ ଧର୍ମାଚରଣ କରୁଥିବାର ମିଛ ସାନ୍ତ୍ଵନା ଲାଭକରେ । ଏହାଦ୍ୱାରା ହୁଏତ ଧର୍ମଗୋଷ୍ଠୀରେ ସଂଖ୍ୟା ବଢ଼େ, ଧର୍ମଗଣରେ ମୁଣ୍ଡ ସୁମାରି କରୁଥିବା ଲୋଭୀ ପ୍ରଚାରକ ସାନ୍ତ୍ୱନା ପାଏ, କିନ୍ତୁ ଧର୍ମର ଅଭିବୃଦ୍ଧି ହୁଏନାହିଁ । ଆମେରିକାରେ ଏବେ ଗୀର୍ଜାକୁ ଯାଉଥିବା ଲୋକଙ୍କର ସଂଖ୍ୟା ବଢ଼ୁଚି, ଧର୍ମପତ୍ରିକାଗୁଡ଼ିକର ଗ୍ରାହକ ସଂଖ୍ୟା ଦିନକୁଦିନ ବଢ଼ୁଚି-ଏଇଥିରୁ ସେଠି ଅନେକ ବ୍ୟକ୍ତି ଧର୍ମଜୀବନର ନାଡ଼ୀ ମାପିବାର ଚେଷ୍ଟା କରିଥା’ନ୍ତି । ଏବେ ଆମେରିକାର ଲୋକମାନେ ଧର୍ମପଥପ୍ରତି ଆକୃଷ୍ଟ ହେଉଚନ୍ତି ବୋଲି ପ୍ରଚାର ମଧ୍ୟ କରିଥା’ନ୍ତି । କିନ୍ତୁ ଏସବୁ ପ୍ରଚାର ଓ ପ୍ରଣାଳୀ ହେଉଚି ଧର୍ମକୁ ସହଜ ଓ ଶସ୍ତା କରିଦେବାର ଭ୍ରମର ଅନ୍ତର୍ଗତ । ଗୋଷ୍ଠୀ ବଢ଼ିଲେ ଧର୍ମ ବଢ଼େନାହିଁ, ଆଚାର ମାନିଲେ ଧର୍ମ ବଢ଼େ ନାହିଁ, ଭଗବାନଙ୍କୁ ଆଣି ବଡ଼ କୋଠାଭିତରେ ମର୍ମର ପଥର ମୂର୍ତ୍ତିରେ ଥାପନା କରି ସୁନା ରୂପା ଓ ପାଟଲୁଗା ଖଞ୍ଜିଦେଲେ ଧର୍ମ ବଢ଼େନାହିଁ । ପୁରୁଣା ମଣିଷ ଭାଙ୍ଗି ନୂଆ ହୋଇ ଗଢ଼ାହେଲେ ଧର୍ମ ବଢ଼େ । ପୁରୁଣା ଅଭିମାନ ଓ ଅଜ୍ଞାନମାନ ଭାଙ୍ଗି ଏକ ସର୍ବଗତ ନିଖିଳ ସତ୍ୟ ପାଖରେ ସହଯୋଗୀ ସମର୍ପଣ କରିପାରିଲେ ଧର୍ମ ବଢ଼େ । କିନ୍ତୁ ଏଥିଲାଗି ସାଧନା ଦରକାର, ଶୃଙ୍ଖଳା ଦରକାର, ଧାରଣା ଦରକାର, ଉତ୍ସର୍ଗର ସାହାସ ଦରକାର ।

 

୨୮ । ୧ । ୬୦

 

ଏ ଦେଶ ମୋର । କିନ୍ତୁ ଏହାକୁ ଅପର୍ଯ୍ୟାପ୍ତ ପରିମାଣରେ ଭୋଗ କରିବାର ଧୃଷ୍ଟତାକୁ ମୋର ଏଦେଶ ପ୍ରତି ରହିଥିବା ମମତା ବୋଲି କୁହାଯାଇ ପାରିବନାହିଁ । ଏ ଦେଶକୁ ଆଗକୁ ବଢ଼ାଇବାର ଦାୟିତ୍ଵ ମୋ’ର । ଏହି ଦେଶରୁ କେବଳ ଧୂଳିମାଟି ଓ ସାମଗ୍ରୀର ସମୂହରୂପେ ନୁହେଁ, ପ୍ରାଣମୟ ଭାବରେ ଅନୁଭବ କରିବାର ଦାୟିତ୍ଵ ମୋର । ଖାସ୍‍ ଏଇଥିପାଇଁ ହିଁ ମୋତେ ପ୍ରସ୍ତୁତ ହେବାକୁ ପଡ଼ିବ । ଏ ଦେଶର ମାଟି, ଆକାଶ ଓ ଆଲୁଅକୁ ଦେଖି ମୁଁ ସଂସାରଭରା ମାଟି, ଆକାଶ ଓ ଆଲୁଅର ପରିଚୟ ପାଇଚି । ଏହି ଦେଶର ଜୀବନାବେଗ ଭିତରେ ଆତଯାତ ହୋଇ ମୁଁ ସମସ୍ତ ଜଗତର ଆବେଗମୟତା ଓ ଜୀବନମୟତାକୁ ଅନୁଭବ କରି ଶିଖିଚି । ମୋର ସବୁ ବିଦ୍ୟା, ସବୁ ବିବେକ, ସବୁ ବୁଦ୍ଧି ଓ ସବୁ ବ୍ୟାକୁଳତା ଏହି ଦେଶର ମାନବିକ ମାଟି ଉପରେ ଗଢ଼ିଉଠିଚି, କାଳକ୍ରମେ ଘସିମାଜି ହୋଇ ଆପଣାର ସ୍ଵକୀୟତା ଅର୍ଜନ କରିଚି । ତେଣୁ ମୁଁ ଏହି ଦେଶକୁ ଅସ୍ଵୀକାର କରିବାର ପ୍ରଶ୍ନ ହିଁ ଉଠୁନାହିଁ । ମୋତେ ଜୀବନରେ ଯାହାକିଛି କରିବାର ସୁଅବସର ମିଳିବ, ମୋତେ ତାହାକୁ ଏହି ଦେଶର ହୋଇ ହିଁ କରିବାକୁ ହେବ । ମୋର ଯାବତୀୟ ପରିଚୟର ଆବରଣ ଉପରେ ଦେଶର ରଙ୍ଗ ରହିବ ହିଁ ରହିବ । ଏହି ଦେଶର ମନ୍ଦିର ଭିତରେ ବସି ମୁଁ ବିଶ୍ଵଦେବର ବନ୍ଦନା କରିବି, ବିଶ୍ଵଜୀବନର ଆଶୀଷ ଓ ସମର୍ଥନ ଲାଗି ଆପଣାକୁ ସମର୍ପଣ କରିବି-। ଦେଶ କହିଲେ ମୁଁ ପ୍ରଧାନତଃ ଏହା ହିଁ ବୁଝେ । ସେଇଥିପାଇଁ ଏ ଦେଶର ଯାହା ସ୍ଥାୟୀ ଓ ଯାହା ଜୀବନଦାୟୀ, ତାହା ପ୍ରତି ଅନେକଦିନରୁ ମୋ’ର ଏକ ଅବିଶ୍ଲେଷଣୀୟ ମମତା ରହିଚି । ସେଥିପାଇଁ ଏ ଦେଶର ସବୁ ସାମଗ୍ରୀ ଓ ସମ୍ପଦକୁ ମୁଁ ମୋ’ର ବୋଲି ଅନୁଭବ କରିବାକୁ ସାହାସ କରିଥାଏ, ମୁଁ ଏ ସବୁକୁ ପୁଞ୍ଜିପରି ଗ୍ରହଣ କରିଥାଏ । ଏସବୁକୁ ନେଇ ମୋତେ ସୁନ୍ଦର ଓ ସ୍ଵକୀୟ କିଛି ଗଢ଼ିବାର ସୌଭାଗ୍ୟ ମିଳିଚି ବୋଲି ମୁଁ ଗର୍ବ ଅନୁଭବ କରିଥାଏ ।

 

୨୯ । ୧ । ୬୦

 

ବଡ଼ ବଡ଼ ଲୋକଙ୍କର ଜୀବନନରୁ ମୁଁ ପ୍ରେରଣା ନିଏ, କିନ୍ତୁ ସେମାନଙ୍କୁ ସହଜ ପୂଜାପୀଠ ଉପରେ ବସାଇଦେଇ ନିଜେ ଚୁପ୍ ହୋଇ ବସିଯିବାର ମୁଗ୍ଧତାରେ ମୁଁ ଆଦୌ ରାଜୀ ହୋଇ ପାରେନାହିଁ । ମୁଁ ଭଲକରି ଅନୁଭବ କରେ ଯେ କୌଣସି ମହାତ୍ମାଙ୍କର ଜୀବନଠାରୁ ସୃଷ୍ଟିର ସମ୍ଭାବନା ଶେଷ ହୋଇ ଯାଏନାହିଁ । ସୃଷ୍ଟିର ପଥ ଅନନ୍ତ । ତେଣୁ ମହାତ୍ମାମାନଙ୍କର ଆଦର୍ଶ ଓ ଦୃଷ୍ଟାନ୍ତ ମୋତେ ଜୀବନ ପଥରେ ଅଟକି ଯିବାଲାଗି ପ୍ରରୋଚନା ଦେବନାହିଁ, ବରଂ ସେହି ପଥରେ ଅଧିକ ପ୍ରବୃତ୍ତ କରାଇବ । ଆପଣା ଜୀବନକୁ ଅଧିକ ସୁନ୍ଦର କରି ଗଢ଼ିବାପାଇଁ ମୁଁ ନାନା ଜୀବନରୁ ସଂଗ୍ରହ କରିବି । ଆପଣାର ଜୀବନ ତୀର୍ଥକୁ ଅଧିକ ଗୋରବାନ୍ଵିତ କରିବାପାଇଁ ମୁଁ ନାନା ତୀର୍ଥରୁ ଜଳ ସଂଗ୍ରହ କରିବି । କୌଣସିପ୍ରକାର ଗର୍ବ ରଖି ମୁଁ ଏପରି କହୁନାହିଁ, କୌଣସି ମହାନ୍ ବ୍ୟକ୍ତିଙ୍କ ପ୍ରତି ଲେଶମାତ୍ର ଧୃଷ୍ଟତା ପ୍ରକାଶ କରି ମୁଁ ଏପରି କହୁନାହିଁ । ମହାତ୍ମାମାନଙ୍କର ଜୀବନକୁ ଆପଣା ଭିତରେ ଅନୁଭବ କରି ମୁଁ ଯାହା ଶିଖିଚି ତାହାହିଁ କହୁଚି । ମୋର ଭକ୍ତି ଜଡ଼ ଓ ଆର୍ତ୍ତ ହୋଇ ପଡ଼ି ରହିବାର ଭକ୍ତି ନୁହେଁ । ଭଗବାନଙ୍କୁ ସର୍ବଶକ୍ତିମାନ ବୋଲି ସ୍ଵୀକାର କଲେ ମଧ୍ୟ ମୁଁ ତଥାପି ତାଙ୍କୁ ସହଯୋଗୀ ସାଥୀ ବୋଲି ବି ସ୍ଵୀକାର କରିଚି । ଏହିପରି ସ୍ଵୀକାର ଦ୍ଵାରା ଆନନ୍ଦ ପାଇଚି, ଆପଣାକୁ ଅଧିକ ନିବିଡ଼ ଭାବେ ଜାଣିଚି, ଏହି ସଂସାରରେ ଅନେକ ନିର୍ଜନତା ଓ ଏକାକୀ ହୋଇ ରହିବାର ଦୁର୍ଦ୍ଦଶାକୁ ମୁଁ ଜୟ କରିପାରିଚି । ତେଣୁ କୌଣସି ଜଣେ ମହାପୁରୁଷଙ୍କର ମତ ବା ପଥକୁ ଗୋପନୀୟ ଆପଣାର କରି ମୁଁ ସିନ୍ଦୂକ ଭିତରେ ବନ୍ଦ କରି ରଖିବାକୁ ଚାହେନାହିଁ ଓ ତାହାରି ସହିତ ଆପେ ବନ୍ଦ ହୋଇ ରହିବାକୁ ଚାହେନାହିଁ । ଏହିପରି ଏକ ମରଣକୁ ମୁଁ ଏକ ବଡ଼ ପ୍ରମାଦ ବୋଲି ମନେକରେ, ଏକ ବଡ଼ ବ୍ୟର୍ଥତା ବୋଲି କହେ । ମୋର ଖୋଲାଘରେ ମୁଁ ସବୁରିଲାଗି ସ୍ଥାନ ରଖିବି, କାହାରୀକୁ ଅସ୍ପୃଶ୍ୟ କରି ଦ୍ଵାରରେ ରଖି ମୁଁ ନିଜେ ଅସ୍ପୃଶ୍ୟ ହୋଇ ରହିବାକୁ ଚାହେନାହିଁ । ଏହି ଖୋଲାଘରକୁ ଆହୁରି ଅଧିକ ଖୋଲା କରି ରଖିବାକୁ ମୁଁ ଜୀବନର ଏକ ଅତି ବଡ଼ ଆକାଂକ୍ଷା ବୋଲି ଗ୍ରହଣ କରି ନେଇଚି । ଏହାଦ୍ଵାରା ଯେ କାହାରି ପ୍ରତି ମୋର ଶ୍ରଦ୍ଧା କମିଯାଇଚି, ମୁଁ ସେକଥା ଜାଣେନାହିଁ । କିନ୍ତୁ ମୋହ କମିଚି, ଆତୁରତା କମିଚି, ଆଳସ୍ୟ ଓ ଅବିଶ୍ଵାସ କମିଚି ।

 

୩୦ । ୧ । ୬୦

 

ଆଉ କଅଣ ଦେଇ ମୁଁ ଗାନ୍ଧାର ତର୍ପଣ କରିବି ? ଏପରି ଏକ ମହାନ୍ ଜୀବନ ସରିତର ଘାଟ ପାଖରେ ଠିଆ ହୋଇ ମୋ’ ପାଖରେ ଦେବାକୁ କ’ଣ ଅଛି ? ସେହି ସରିତର ପବିତ୍ର ଧାରାକୁ ମୁଁ ଯେ କିଛି ଦେଇ ଅଧିକ ଧନ୍ୟ କରି ପାରିବି, ମୁଁ ଏଭଳି କୌଣସି ଧୃଷ୍ଟତା ଦେଖାଇବାକୁ ଚାହେନାହିଁ । କିନ୍ତୁ ଏହି ସରିତରେ ସ୍ନାନ କରି ମୁଁ ଆପଣାର ଜୀବନକୁ ଧୌତ କରାଇ ଆଣିବି । ମୋରି ଛୋଟ ଜୀବନର ଗୁମ୍ଫା ଘରଟିରେ ଏହି ସରିତ ସ୍ପର୍ଶ ଦ୍ଵାରା ମୁଁ ନୂତନ ଜୀବନର ସଂଚାର କରାଇବି । ମୋର ସବୁ ଧୂଳି, ମାଟି, ଅସନା ଓ ଅକୁଶଳଟାକୁ ସାଙ୍ଗରେ ଧରି ମୁଁ ଖୁସୀ ହୋଇ ସ୍ନାନ କରିବାକୁ ବାହାରିଯିବି, ଏତିକିରେ ହିଁ ମୋର ଆଜି ଦିନର ଶ୍ରାଦ୍ଧ ବା ଶ୍ରଦ୍ଧା ଜ୍ଞାପନକୁ ସାର୍ଥକ କରିବି । ଗାନ୍ଧୀକୁ ବଡ଼ କରିବାପାଇଁ କଥା କହିବାର କୌଣସି ଆବଶ୍ୟକତା ନାହିଁ । ତେଣୁ ଗାନ୍ଧୀ ବିଷୟରେ ସଂପୂର୍ଣ୍ଣ ମଉନ ହୋଇ ଯିବାକୁ ପଡ଼ିବ । ମର୍ମର ପଥର ଦେଇ ତିଆରି ହୋଇଥିବା ଗାନ୍ଧୀର ସମାଧି ପାଖକୁ ଯିବାପାଇଁ ଧାଡ଼ିବାନ୍ଧି ଠିଆ ହୋଇଥିବା ଭକ୍ତମାନଙ୍କର ଦଳ ଭିତରେ ମୁଁ ଅନେକଥର ଆପଣାକୁ ବଡ଼ ଏକାକୀ ବୋଧ କରିଚି, ବଡ଼ ବର୍ଜିତ ବୋଲି ଅନୁଭବ କରିଚି । ଆଜି ଦେଶରେ ଏହି ଦଳର ସଂଖ୍ୟା ଅତିମାତ୍ରାରେ ବୃଦ୍ଧି ପାଇଚି । ମୂର୍ତ୍ତି ଲୋଭୀ ଦେଶ ଗାନ୍ଧୀକୁ ମଧ୍ୟ ମୂର୍ତ୍ତି କରି ସଜାଇ ଦେଇଚି, ଏହିସବୁ ସଜ୍ଜିତ ପ୍ରହସନ ଦ୍ଵାରା ସେ ଭାରି ଗର୍ବ ଅନୁଭବ କରିଚି । କିନ୍ତୁ ଏସବୁ ଯେ ମୋର ପନ୍ଥା ନୁହେଁ, ଏକଥା ମୁଁ ଅନେକ ଦିନରୁ ଜାଣିଚି । ତଥାପି, ରାଜପଥଠାରୁ ଯେତେ ଦୂରରେ ରହିଲେ ମଧ୍ୟ, ଏସବୁ କୋଳାହଳ ଭିତରେ ଆପଣାକୁ ଯେଡ଼େ ନିର୍ଜନ ବୋଧକଲେ ମଧ୍ୟ ଏହିପରି ଦିନମାନଙ୍କରେ ଗାନ୍ଧୀକୁ ଭାରି ଆପଣାର ମନେହୁଏ । ତାହାର ଆଶୀଷ ସ୍ପର୍ଶକୁ ମୁଁ ଯେପରି ହୃଦୟର ତୃଣାଙ୍କୁର ଭିତରୁ ଅନୁଭବ କରିବାକୁ ପାଏ । ମୋର ଅନ୍ଧାର ଓ ଆଲୁଅ ବି ମିଶ୍ରିତ ପଥରେ ଜଣେ ସ୍ନେହମୟ ସାଥୀ ପାଇଗଲା ପରି ଲାଗେ । ସେଇ ସାଥୀ ପାଖରେ ମୁଣ୍ଡ ନଇଁଆସେ, ହୃଦୟ ଆପଣା ଛାଏଁ ଖୋଲିଯାଏ ।

 

୩୧ । ୧ । ୬୦

 

ଆଜି ପୁଣି ମନ ଖୁସିରେ ବୁଲିବାର ସୁଯୋଗ ମିଳିଲା । ଆଜି ବଣଭୋଜୀ କରି ଆମେ ଏଠାରୁ ତିନିମାଇଲ ଦୂରରେ ଥିବା ଗୋଟିଏ ଗାଆଁକୁ ଯାଇଥିଲୁ । ଏମିତି ବୁଲିବାକୁ ଯେ ମୁଁ କେତେ ଭଲପାଏ, ଏହିପରି ଗୋଟିଏ ଗୋଟିଏ ଦିନ ମୁଁ ସେକଥା ଭାରି ଅନୁଭବ କରିପାରେ । କେଡ଼େ ସୁନ୍ଦର ଏହି ପୃଥିବୀ,–ଆପଣା ବ୍ୟସ୍ତତାର ନାନା ବାଡ଼ ଭିତରୁ ବାହାରିଗଲେ ଯାଇ ସେକଥା ଅନୁଭବ କରିବାର ଅବସର ମିଳେ । ନିମ୍ବ ଗଛର ଭିତରୁ ସୋରିଷ ଖେତର ସୁନାକିଣା ସୁଷମା ବାରବାର ଝଟକି ଉଠୁଥାଏ । ଧରିତ୍ରୀର ଘନ ଶ୍ୟାମବର୍ଣ୍ଣ ବସ୍ତ୍ରାଞ୍ଚଳ ଭିତରୁ କେଉଁ ସୁନ୍ଦରୀ ସ୍ନେହମୟୀର ତୋରା ଦେହ,-ସତେ ଯେପରି କେଉଁ ଦିଗ୍‍ବଧୁ ସ୍ନାନ ସାରି ଆପଣାର ପିଠି ଉପରେ କଳାବାଳ ଖେଳାଇଦେଇ ଖରାକୁ ପଛକରି ଠିଆହୋଇଚି ! ଆଜିର ସବୁ ଆନନ୍ଦ ଭିତରେ ଏହି ଆନନ୍ଦଟି ହିଁ ମୋତେ ସବୁଠାରୁ ବେଶୀ ଭଲ ଲାଗିଲା । ଜୀବନର କର୍ମମୟତା ଭିତରେ ବେଳେବେଳେ ଏହିପରି ଛୁଟିର ଚିନ୍ତାହୀନ ମୁହୂର୍ତ୍ତମାନ ମିଳେ ବୋଲି ଜୀବନ ଏପରି ଆନନ୍ଦହୀନ ହୋଇଉଠେ । ଆପଣାର କର୍ମ ମଧ୍ୟ ଆନନ୍ଦମୟ ହୋଇଉଠେ । ଜଗତ ସତେଅବା ଏକ ସ୍ଵପ୍ନର ଜଗତ ପରି ପୁଲକିତ ହୋଇଉଠେ । ମୋ’ଲାଗି ପ୍ରକୃତି ସାନ୍ତ୍ଵନା ଦିଏନାହିଁ, ପ୍ରେରଣା ଦିଏ । ବ୍ୟର୍ଥ ବା ବିକଳ ହୋଇ ମୁଁ ଏହି ଜଗତରୁ କୁଆଡ଼େ ଦଉଡ଼ି ପଳାଇ ଯିବାକୁ ଚାହେଁନାହିଁ, ଏଠି ବିଫଳ ହୋଇ ସାନ୍ତ୍ଵନା ପାଇବାଲାଗି ମୁଁ କେଉଁ କଳ୍ପନାର ଅସମ୍ଭବ ସ୍ତମ୍ଭ ଉପରେ ମୁଣ୍ଡ କଚାଡ଼ିବାକୁ ଚାହେନାହିଁ । ଏହି ଜଗତରେ ଅଧିକ ଆନନ୍ଦର ସହିତ ବଞ୍ଚିବାଲାଗି ମୁଁ ପ୍ରେରଣା ଚାହେଁ । ପ୍ରକୃତି ମୋତେ ଏହି ଜଗତର ସଂପୂର୍ଣ୍ଣତାର ପରିଚୟ ଦିଏ, ଧୂଳିମାଟି ଉପରର ମୋର ପ୍ରତ୍ୟେକ କାର୍ଯ୍ୟରେ ପ୍ରକୃତି ମୋତେ ସବୁ ଆନନ୍ଦଜଗତ ଓ ସବୁ ସ୍ଵର୍ଗର ସୂତ୍ର ଧରାଇଦିଏ । ତାହାରି ଫଳରେ ମୁଁ ଆପଣା ତାତ୍କାଳିକତାର ଚାରିବାଡ଼ ଭିତରେ ଆବଦ୍ଧ ହୋଇ ରହିବାର ଦୁର୍ଗତିରୁ ରକ୍ଷାପାଏ, ଏହି ଜୀବନଟାକୁ ବ୍ୟର୍ଥ ଅନୁଭବ କରିବାର ଅଭିଶାପରୁ ରକ୍ଷାପାଏ । ଏହି ମୁହୂର୍ତ୍ତର ଜୀବନ ବଞ୍ଚିବା ଯେ କେବଳ ଏହି ମୁହୂର୍ତ୍ତର ସୀମା ଭିତରେ ଆବଦ୍ଧ ନୁହେଁ, ପ୍ରକୃତି ହିଁ ମୋତେ ଏହି ସତ୍ୟଟିକୁ ଅନୁଭବ କରିବାର ପ୍ରେରଣା ଦିଏ । ମୋର ଆଖିକୁ ତାତ୍କାଳିକତାର ପାଶରୁ ମୁକ୍ତ କରେ । ତେଣୁ ମୋର ହୃଦୟକୁ ବି ଅଧିକ ସ୍ଥିର କରିଦିଏ ।

 

୧ । ୨ । ୬୦

 

ଏ ଜୀବନରେ ଅନେକ ପରିବର୍ତ୍ତନ ହେଲାଣି । ଏ ପଥରେ ଅନେକ ପରିବର୍ତ୍ତନ ହେଲାଣି, ଏହି ଦୃଷ୍ଟିରେ ଅନେକ ପରିବର୍ତ୍ତନ ହେଲାଣି । କୌଣସି ଗୋଟାଏ ନୀତି, ଗୋଟାଏ ବାଟ ବା ଗୋଟାଏ ଆଦର୍ଶକୁ ନେଇ ଉତ୍ତେଜିତ ହୋଇ ରହିବାକୁ ହୁଏତ ଆଗେ ଭାରି ଭଲ ଲାଗୁଥିଲା, କିନ୍ତୁ ଏବେ ଆଉ ଭଲ ଲାଗୁନାହିଁ । ସେତେବେଳେ ବିଚାର ଅପେକ୍ଷା ଭାବପ୍ରବଣତା ହିଁ ଅଧିକ ଥିଲା, ଶ୍ରଦ୍ଧା ଅପେକ୍ଷା ଆତୁରତା ଅଧିକ ଥିଲା, ବୁଝିବା ଅପେକ୍ଷା ବିଚଳିତ ହେବା ହିଁ ଅଧିକ ଥିଲା । ତାହାକୁ ମୋ’ ଜୀବନର ଏକ ଅସହିଷ୍ଣୁ ପର୍ଯ୍ୟାୟ ବୋଲି ବେଶ୍ କୁହାଯାଇ ପାରିବ । ଆପଣା ଜୀବନର ଆବିଷ୍କାରରେ ସେଇଟି ହେଉଚି ପ୍ରଥମ ସୋପାନ । ସେଦିନ ଯାହା ଥିଲା, ଯଦି ଆଜି ମଧ୍ୟ ମୋ’ର ମନଭିତରେ ଗୋଡ଼ିପଥର ପରି କେବଳ ସେଇ କେତେଟା କଥା ହିଁ ଠକ୍ ଠକ୍ ହୋଇ ବାଜୁଥାନ୍ତା, ତେବେ ଜୀବନଟୀ ବଡ଼ ଉପବାସୀ ରହି ଯାଇଥାନ୍ତା । କୌଣସି ଗୋଟାଏ ବାଟରେ ଆଖିବୁଝା ଦଉଡ଼ି ବାହାଦୂର ହେବାର ବାଟକୁ ବର୍ଜନ କରି ମୁଁ ପ୍ରକୃତରେ ବଞ୍ଚି ଯାଇଚି । ଆପଣାର ଦେଖିବା, ଗ୍ରହଣ କରିବା ଓ ନିର୍ମାଣ କରିବାକୁ ମୁଁ ଯଥେଷ୍ଟ ମୋହମୁକ୍ତ କରିପାରିଚି । ଆପଣାକୁ ଉନ୍ମୁକ୍ତ କରି ରଖିଚି, ଗ୍ରହଣଶୀଳ କରି ରଖିଚି ଓ ଶ୍ରଦ୍ଧାନତ କରି ରଖିଚି । ଅନ୍ୟ ସବୁପ୍ରକାରର ଆଦର୍ଶ ଛାଡ଼ି ମୁଁ ବର୍ତ୍ତମାନ ଏହିଗୁଡ଼ିକ ହିଁ ଆଦର୍ଶ ରୂପେ ଗ୍ରହଣ କରିଚି । ସାନ ସାରକୁ ଏକା ଡିଆଁରେ ବଦଳାଇ ଦେବାର ମିଛ ମୋହରେ ପଡ଼ି କୌଣସି ଏକ ମାର୍କାଦିଆ ନିର୍ଦ୍ଦିଷ୍ଟ ଆଦର୍ଶ ଭିତରେ ଆପଣାକୁ ସ୍ଥାଣୁ କରି ରଖିବାର ଦୁର୍ଭାଗ୍ୟରୁ ମୁଁ ରକ୍ଷା ପାଇଚି । କୌଣସି ଆଦର୍ଶର ଅନୁକୂଳ କରି ମୁଁ ଆପଣାକୁ ତିଆରି କରିନାହିଁ, ଆପଣାର ନିରକ୍ତର ବିକାଶର ନିକଟରେ ମୁଁ ସକଳ ଆଦର୍ଶକୁ ବୁଝିବାଲାଗି ଚେଷ୍ଟା କରିଆସିଚି ।

 

୨ । ୨ । ୬୦

 

ଚମ୍ପତିମୁଣ୍ଡାର ବିଦ୍ୟାଳୟକୁ ସେମାନେ ଜୀବନ ବିଦ୍ୟାଳୟ ବୋଲି ନାଆଁ ଦେଇଚନ୍ତି । ଶୁଣିଲା ଦିନ ମନରେ ଭାରି ଆନନ୍ଦ ଆସିଲା ଯେ ସେମାନେ ମୋତେ ଅନ୍ତତଃ ଏତିକିରେ ସ୍ଵୀକାର କଲେ ! ଚମ୍ପତିମୁଣ୍ଡାର ଜଙ୍ଗଲସ୍କୁଲ ଦିନେ ଜୀବନବିଦ୍ୟାଳୟ ହୋଇ ଗଢ଼ି ଉଠିବ, ବାହାରର ନାନା ତ୍ରୁଟି ଅଭାବ ଓ ଦାରିଦ୍ର୍ୟ ସତ୍ତ୍ୱେ ସେଠାରେ ପ୍ରତ୍ୟେକ ଛାତ୍ର ଓ ଶିକ୍ଷକ ଆପଣାର ଜୀବନବିକାଶ ଲାଗି ତଥାପି ଏକ ଉଦାର ପ୍ରସାରିତ କ୍ଷେତ୍ର ପାଇବେ, ମୁଁ ଏହାହିଁ କଳ୍ପନା କରିଥିଲି । ଜଗତରେ ପୂରି ରହିଥିବା ନାନା ଭୟନାନା ଭେଦ ଓ ନାନା ପ୍ରକାରର ଦାସତାକୁ ଅସ୍ଵୀକାର କରି ସେଠି ମଣିଷ ଆଉଜଣେ ମଣିଷକୁ ପ୍ରଧାନତଃ ମଣିଷ ହିସାବରେ ଚିହ୍ନିବ, ଆପଣା ଭିତରେ ନିହିତ ହୋଇ ରହିଥିବା ସକଳପ୍ରକାର ଶୁଭବାସନାକୁ ପ୍ରକଟିତ ଓ ପ୍ରସ୍ଫୁଟିତ ହେବା ସଂପୂର୍ଣ୍ଣ ସୁଯୋଗ ଦେଇ ସେ ଆପଣାର ସମସ୍ତ ଲବ୍ଧ ସଂପଦକୁ ସବୁରି କଲ୍ୟାଣ ଉଦ୍ଦେଶ୍ୟରେ ବିତରଣ କରିଦେବାକୁ ପ୍ରସ୍ତୁତ ହେବ, ଜଙ୍ଗଲଭିତରେ ବସି ଚାରିବର୍ଷ କାଳ ମୁଁ ଏହି ସ୍ଵପ୍ନ ହିଁ ଦେଖିଥିଲି । ଆପଣାର ସକଳ ଅପୂର୍ଣ୍ଣତା ସତ୍ତ୍ୱେ ତଥାପି ମୋର ସବୁକିଛି ଦେବାରେ ମୁଁ କେବେହେଲେ କୌଣସି କୃପଣତା ପ୍ରକାଶ କରିନଥିଲି । କିନ୍ତୁ ସେଠାରୁ ତଥାପି ହଟି ଆସିବାକୁ ପଡ଼ିଲା । ସଂସାରରେ ଜୀବନବିଦ୍ୟାଳୟ ଅସମ୍ଭବ ବୋଲି ହତାଶ ହୋଇ ନୁହେଁ, ଆପଣାକୁ ଏକ ଅଦ୍‌ଭୁତ ପ୍ରଭୁତ୍ଵର ଫାଶଭିତରେ ନପକାଇ ଦେବାପାଇଁ ମୁଁ ସେଠାରୁ ହଟିଆସିଲ । ଆଜି ନାନପ୍ରକାର ବିଚାର କରି ସେଠି ଯେଉଁମାନେ ବିଦ୍ୟାଳୟର ଏହିପରି ଏକ ନାମକାରଣ କରିଚନ୍ତି, ସେମାନେ ସେଠାରୁ ସକଳପ୍ରକାର ଭୟ ଓ ଘୃଣା ଦୂର କରିବାକୁ ସଚେତ ରହିବେ, ମୁଁ କେବଳ ଏତିକି ଆଶା କରୁଚି । କିନ୍ତୁ ଯଦି ଆପଣାର ଉଗ୍ରତାଜନିତ ଭୟ ଓ ଆପଣାର ବାଟପ୍ରତି ରହିଥିବା ମୋହଜନିତ ଅନ୍ୟବାଟପ୍ରତି ଘୃଣା ଓ ଅସହିଷ୍ଣୁତା ତଥାପି ସେମାନଙ୍କର ପ୍ରଧାନ ଉତ୍ତେଜକ ହିସାବରେ କାମ କରୁଥାଏ, ତେବେ ତଦ୍ଦ୍ଵାରା କେବଳ ନାମର ହିଁ ଅପମାନ ହେବ, କେବଳ ପୌତ୍ତଳିକତା ହିଁ ବଢ଼ିବ । ଜୀବନ ମରିଯିବ ।, ମଣିଷ ବି କ୍ରମେ ମରିମରି ଯିବ ।

 

୩ । ୨ । ୬୦

 

ଆମେରିକାର ଅର୍ଥନୀତି ବିଶାରଦମାନେ ଆମେରିକାର ଭବିଷ୍ୟତ ବ୍ୟବସାୟ ବୃଦ୍ଧି ବିଷୟରେ କଳ୍ପନାମାନ କରୁଚନ୍ତି, ଆଜି ସେଇ ବିଷୟରେ ଏକ ଆଲୋଚନା ଶୁଣିଆସିଲି । ଆମେରିକାରେ ଉତ୍ପାଦନ ବଢ଼ିବା ସଙ୍ଗେ ସଙ୍ଗେ ଲୋକମାନଙ୍କର ଖର୍ଚ୍ଚ କରିବାର ଆଗ୍ରହକୁ ମଧ୍ୟ ଅଧିକ ବଢ଼ାଇବାକୁ ହେବ ଓ ସଞ୍ଚୟ କରିବାର ପ୍ରବୃତ୍ତିକୁ କମାଇବାକୁ ହେବ । ବିଳାସରେ ବ୍ୟସନରେ ଓ ବିନୋଦନରେ ଲୋକମାନେ ଯେପରି ଅଧିକ ଖରଚ କରିବେ, ସେଥିଲାଗି ବିଧିବଦ୍ଧ ଓ ବୁଦ୍ଧିମାନ ଯୋଜନାମାନ ତିଆରି କରିବାକୁ ପଡ଼ିବ । ଆପଣାର ଖାଇବା ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଜିନିଷରେ ଲୋକମାନେ ଯେତେ ଖରଚ କରୁଚନ୍ତି, ତାହାର ବହୁଗୁଣ ଅର୍ଥ ସେମାନେ ଯେପରି ବିନୋଦନ ଓ ବ୍ୟସନ ପ୍ରଭୃତିରେ ଖର୍ଚ୍ଚ କରିବେ, ଦେଶରେ ସେହିପରି ଏକ ଅନୁକୂଳ ମନୋବୈଜ୍ଞାନିକ ବାତାବରଣ ସୃଷ୍ଟି କରିବାକୁ ହେବ । ହଁ, ମଜା କରିବାପାଇଁ, ବିନୋଦନରେ ମୁକ୍ତହସ୍ତ ହୋଇ ଖରଚ କରିବା ପାଇଁ ଲୋକମାନଙ୍କ ହାତରେ ଯଥେଷ୍ଟ ଅବସର ସମୟ ମଧ୍ୟ ଦେବାକୁ ହେବ । ସେଥିଲାଗି ସପ୍ତାହରେ ମୋଟେ ପାଞ୍ଚଦିନ କାମ ଓ ପୁରାଦୁଇଦିନ ଛୁଟିର ବ୍ୟବସ୍ଥା ରହିବ । କାମ କରିବାର ଘଣ୍ଟା ମଧ୍ୟ ସପ୍ତାହରେ ତିରିଶରୁ ପଇଁତିରିଶ ଯାଏ କମାଇ ଦିଆଯିବ । ଲୋକେ ଅବସର-ବିନୋଦନ ପାଇଁ ନିଶ୍ଚିନ୍ତରେ ଦୂରକୁ ଯାଇପାରିବେ, ମୋଟା ବଜେଟ ତିଆରି କରିପାରିବେ । ଏସବୁ ନହେଲେ ସେ ଦେଶରେ ବେକାରୀ ବଢ଼ିବ । ଖାସ୍ ଉତ୍ପାଦନ ବଢ଼ାଇବାଲାଗି ଯଦି ମଣିଷକୁ ଆନନ୍ଦ ଓ ଅବସର ଭିତରେ ଜଡ଼ ଯତ୍ନପ୍ରାୟ କରି ରଖିବାକୁ ପଡ଼େ, ତେବେ ସେଥିରୁ ଯେଉଁ ମାନବିକ ସଙ୍କଟ ଉପୁଜିବ, ତାହାହିଁ ଚିନ୍ତା କରିବାର କଥା । ଏଥିପାଇଁ ଆମେରିକାର ବଡ଼ ମୁଣ୍ଡକୁ ଅନେକ ବଡ଼ ବଡ଼ ମୁଣ୍ଡକଥା ଭୋଗ କରିବାକୁ ପଡ଼ିବ ।

 

୪ । ୨ । ୬୦

 

ଇତିହାସର ରାଜ୍ୟ ଓ ରାଜବଂଶାବଳୀ ମୋତେ ବିଶେଷ ଆକୃଷ୍ଟ କରି ପାରନ୍ତି ନାହିଁ । କୋଉଠି କେଉଁ ଯୁଦ୍ଧ ହୋଇଥିଲା, ସେଠି କେଉଁ ପକ୍ଷ ଜୟଲାଭ କରିଥିଲେ, ଅମୁକ ଶତାବ୍ଦୀରେ ଅମୁକ ଦେଶର ସୀମା କୋଉଁଠୁ କୋଉଯାଏ ଥିଲା, ମୁଁ ସେସବୁ ଆଦୌ ମନେରଖି ପାରେନାହିଁ । ଏଗୁଡ଼ାକୁ ମନେ ରଖିବାକୁ ଚେଷ୍ଟାକରି ବସିଲେ ମୁଁ ସତେ ଯେପରି ଇତିହାସ ପ୍ରତି ମୋର ସକଳ ଆକର୍ଷଣ ହରାଇବସେ, ଅତୀତର ହିସାବଫାଶ ଭିତରେ ବାନ୍ଧିହୋଇ ଗଲାପରି ମନେହୁଏ । ଅନ୍ୟାନ୍ୟ ଅନେକ ମହତ୍ତ୍ଵପୂର୍ଣ୍ଣ କାରଣ ସକାଶେ ମୁଁ ଇତିହାସକୁ ଭଲପାଏ । ଇତିହାସର ଅଧ୍ୟୟନ ମୋତେ ଉପନ୍ୟାସ-ଅଧ୍ୟୟନ ପରି ସରସ ଲାଗେ । ଯୋଉଠି ମଣିଷ ନୂଆ ବିଚାର କରିଚି, ବ୍ୟକ୍ତିର ଚାରିସୀମା ଲଙ୍ଘନ କରି ମଣିଷ ଯେଉଁଠି ସମୂହ ସହିତ ସମ୍ମିଳିତ ହେବାର ଇଚ୍ଛା ପ୍ରକାଶ କରିଚି, ଏକ ତାତକାଳିକ ମୁହୂର୍ତ୍ତର ମୋହ ଭାଙ୍ଗି ମଣିଷ ଯେଉଁଠି ସମଗ୍ର ଭାବରେ ସ୍ମାୟର ସମ୍ମୁଖୀନ ହେବାଲାଗି ଅଭିଳାଷ ରଖିଚି, ମଣିଷ ମଣିଷ ଓ ଯୁଗ ଯୁଗ ମଧ୍ୟରେ ରହିଥିବା ନାନା ପ୍ରବଳ ବିରୋଧ ବି ବିଭେଦ ସତ୍ତ୍ୱେ ଯେଉଁଠି ତଥାପି ଜୀବନର ଏକ ଐକ୍ୟସୂତ୍ର ଆବିଷ୍କାର କରିବାର ଚେଷ୍ଟା କରାଯାଇଚି, ଇତିହାସର ସେହି ସ୍ଥାନ ଓ ସେହି ମୁହୂର୍ତ୍ତଗୁଡ଼ିକ ମୋତେ ଠିକ୍ ତୀର୍ଥ ପରଶର ପ୍ରେରଣା ଦେଇଥାଏ । ସେହି ମୁହୂର୍ତ୍ତଗୁଡ଼ିକ ଯେତେ ପୁରାତନ ଓ ବିଗତ ବିସ୍ମୃତି ହୋଇଥିଲେ ମଧ୍ୟ ମୁଁ ଯେପରି ତଥାପି ତାହାରି ଭିତରେ ଏକ ଉଜ୍ଜ୍ଵଳ ସମ୍ଭାବ୍ୟ ଭବିଷ୍ୟର ଚିତ୍ର ଦେଖୁଥିବା ପରି ଅନୁଭବ କରେ । ସେତେବେଳେ ସବୁ ଅତୀତ ମୋ’ ଆପଣା ଜୀବନର ପ୍ରତିଷ୍ଠା ଭୂମି ପରି ପ୍ରତୀତ ହୁଏ, ମୋର ଅତି ଆପଣାର ମନେହୁଏ । ଅନେକ ଅନେକ ମୁହୂର୍ତ୍ତ ଭିତରୁ ସେଇ କେତୋଟି ମୁହୂର୍ତ୍ତ ଜୀବନର ସ୍ମରଣ ଚାଙ୍ଗୁଡ଼ି ଭିତରକୁ ଆପେଆପେ ସାଉଁଟି ହୋଇ ଆସେ, ପୁରାତନ ଅତୀତର ସେହି ବ୍ୟକ୍ତିମାନେ ମୋର ଅତ୍ୟନ୍ତ ଆତ୍ମୀୟ ପରି ମନେହୁଅନ୍ତି । ମୋର ଇତିହାସ ଯାତ୍ରା ସଫଳ ହୁଏ । ତେଣୁ ମୁଁ ଇତିହାସକୁ ଦେଶୀୟ ବା ଜାତୀୟ ବୋଲି ଆଦୌ ଗ୍ରହଣ କରି ପାରେ ନାହିଁ । ଓଡ଼ିଶାର ଗଜପତି ରାଜାଙ୍କ ଅପେକ୍ଷା ରଟର୍‌ଡ଼ାମ୍‌ର ଏରାସ୍‌ମସ୍ ମୋର ଅଧିକ ନିକଟବର୍ତ୍ତୀ ବୋଲି ମନେହୁଅନ୍ତି, ଏହି ଦେଶର ‘ସତ୍ୟାର୍ଥ-ପ୍ରକାଶ’ ଅପେକ୍ଷା ବାଇବେଲ୍ ଅଧିକ ଜୀବନଦାୟୀ ବୋଲି ଅନୁଭୂତ ହୁଏ । ଆଉ କୌଣସି ବନ୍ଧ ରହି ପାରେନାହିଁ ।

 

୫ । ୨ । ୬୦

 

ଦେଶ ସେବା ଓ ଜନସେବା କରିବା ପରି ସାହିତ୍ୟ ସେବା କରିବାର ଉଲ୍ଲେଖ ଆଜିକାଲି ଅନେକ ଶୁଣିବାକୁ ମିଳୁଚି । ସାହିତ୍ୟର ସେବା କରିବା କହିଲେ ଆଉ କିଏ କ’ଣ ମନେ କରୁଥିବେ କେଜାଣି; କିନ୍ତୁ ମୁଁ କେବେ ସାହିତ୍ୟରୂପୀ କୌଣସି ପିତୁଳା ବା କଳ୍ପନାମୟ ଦେବତାର ସେବା ଉଦ୍ଦେଶ୍ୟରେ କିଛି ଲେଖିବାକୁ ଚେଷ୍ଟା କରିନାହିଁ । ମୋର ସାହିତ୍ୟ ମୋର ଆପଣା ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ, ମୋର ସାହିତ୍ୟ ମୋର ଆପଣାର । ବାହାରର କାହାରି ଆଖିରେ ବା ତୁଳା ଦଣ୍ଡରେ ତାହା ଭଲ ହେଉ ବା ମନ୍ଦ ହେଉ, ତଥାପି ତାହା ମୋର ଆପଣାର । ଯାହା ମୋର ଅତ୍ୟନ୍ତ ଆପଣାର, ତାହାକୁ ଗୋପନ କରି ରଖିବା ମୋର ସ୍ଵଭାବବିରୁଦ୍ଧ । ସେଥିଲାଗି ମୁଁ ଯାହା ଭାବେ, ବିଚାର ଭୂମିରେ ବିଚରଣ କରୁକରୁ ମୁଁ ଯାହା ପାଏ, ଏହି ଆନନ୍ଦମୟ ଜୀବନ ଓ ଜଗତ ଭିତରୁ ଇନ୍ଦ୍ରିୟ ଓ ହୃଦୟର କାନି ପାତି ଦେଇ ମୁଁ ଯାହାସବୁ ଗୋଟାଇ ଆଣେ, ତାହାକୁ ହିଁ ମୁଁ ସମସ୍ତଙ୍କ ଆଗରେ କହିବାକୁ ଚେଷ୍ଟା କରେ । ଏହାଦ୍ଵାରା ମୁଁ କାହାର କୌଣସି ସେବା କରିବି ବୋଲି କେବେ ସ୍ଵପ୍ନରେ ସୁଦ୍ଧା ଭାବେନାହିଁ । ବରଂ ଆପଣାର ଖୁସୀ ପାଇଁ ଆପଣାର ଏକ ପ୍ରଚ୍ଛନ୍ନ ଅଥଚ ଈଶ୍ୱରୀୟ ଇଚ୍ଛାର ପୂରଣ ଲାଗି ମୁଁ ଆପଣାର କଥାକୁ ସବୁରି ପାଖରେ କହିବାକୁ ଚେଷ୍ଟା କରେ । ତାହା କରି ନ ପାରୁଥିଲେ ମୋର ଜୀବନ ପ୍ରକୃତରେ ବଡ଼ ବଞ୍ଚିତ ରହି ଯାଉଥାନ୍ତା, ମୋ’ ଆପଣା ପାଖରେ ମୁଁ ବଡ଼ ଅପରାଧୀ ହୋଇ ରାହିଯାଉଥା’ନ୍ତି । ତେଣୁ ସାହିତ୍ୟ ପାଇଁ ସମୟ ଦେବାରେ ତ୍ୟାଗ ବା ସେବା କରିବାର କୌଣସି ପ୍ରଶ୍ନ ହିଁ ଉଠୁନାହିଁ । ଆପଣାକୁ ବୁଝିବା ପାଇଁ, ଆପଣାର ଜୀବନରେ ଜଗତଠାରୁ ଆସୁଥିବା ଆହ୍ଵାନର ଜବାବ ଦେବା ଉଦ୍ଦେଶ୍ୟରେ ନିଜର କର୍ତ୍ତବ୍ୟ କରିବା ପାଇଁ ମୁଁ ଯାହାକିଛି ଲେଖେ ଓ ଯାହା କିଛି କହିଥାଏ । ସେବା କରୁଚି ବୋଲି କହିବାଟା କେବଳ ମଧୁର କଥା, କିନ୍ତୁ କେବଳ ମିଛ କଥା । ସେଥିଲାଗି ଏହି ମଧୁର କଥାଟା ମୋତେ ଆଦୌ ମଧୁର ଲାଗେନାହିଁ ।

 

୬ । ୨ । ୬୦

 

ଆଜି ଆମର ଏଠି ବାର୍ଷିକ ଖେଳକୁଦର ପ୍ରତିଯୋଗୀତାମାନ ଆରମ୍ଭ ହେଲା । ସକାଳ ଦଶଟାବେଳେ ଆରମ୍ଭ ହେବ ବୋଲି ବେଉରା ଦିଆଯାଇଥିଲା । କିନ୍ତୁ ଆରମ୍ଭ ହେଉ ହେଉ ଏଗାରଟାରୁ ବଳିଗଲା । ଦେଖଣାହାରୀମାନଙ୍କୁ ଆକୃଷ୍ଟ କରି ଆଣିବାଲାଗି ଲାଉଡ଼୍‌ସ୍ଵୀକାର ସାହାଯ୍ୟରେ ଗ୍ରାମୋଫୋନ୍ ରେକର୍ଡ଼ର ଗୀତଗୁଡ଼ିକ ପରିବେଷଣ କରାଯାଉଥିଲା । ଗୀତ ବୋଇଲେ ହୀନ ଶୃଙ୍ଗାରର ସିନେମା ଗୀତମାନ,–ଯାହା ଆଜିକାଲି ଚାରିଆଡ଼େ ଭାରି ଲୋକପ୍ରିୟ ହୋଇଚି । ଏସବୁ ଗୀତ ଭିତରେ ସଙ୍ଗୀତ ଓ ଲାଳିତ୍ୟ ଅଛି ବୋଲି ଯେ ଏସବୁ ଲୋକପ୍ରିୟ ହୋଇଚି, ତା’ ନୁହେଁ; ତୁପ୍ତି ଲୋଭୀ ମନର ଯୌନପୀଡ଼ନକୁ ଅଧିକ ପୀଡ଼ନ ଦେବାପାଇଁ ଉଖାରି ଦେଲାଭଳି ଶବ୍ଦ ଓ ରୂପକମାନ ଏଥିରେ ରହିଚି ବୋଲି ଏଗୁଡ଼ିକ ଲୋକପ୍ରିୟ ହୋଇଚି । ପାଶ୍ଚାତ୍ୟ ଢଙ୍ଗର ଅନୁକରଣରେ ଏହିସବୁ ଗୀତ ଲେଖାଯାଇଚି, ଏସବୁଥିରେ ସୁର ଖଞ୍ଜି ଦିଆଯାଇଚି । ଦେଶଟାଯାକ ଅନୁକରଣର ଭୂତଦଉଡ଼ରେ ବାତମାରି ନାଚୁଥିବା ବେଳେ ଏହିପରି ଗୀତଗୁଡ଼ିକ ବେଶ୍ ସମୟୋଯୋଗୀ ହୋଇଚି । ସହରବଜାରରେ କାହାଘରେ ବାହାଘର ହେଲେ ପବନ କମ୍ପାଇ ଯେଉଁ ସବୁ ଗୀତର ତରଂଗ ଅଜାଡ଼ି ହୋଇ ପଡ଼େ, ଆଜି ସେହିଭଳି ଗୀତମାନ ଆମର ଏଠାରେ ବାଜୁଥିଲା । ପିଲାଙ୍କୁ ଖେଳ ଭଲଲାଗେ, ପିଲାଏ କାମ ଛାଡ଼ି ଓ ପଢ଼ା ଛାଡ଼ି ଖେଳପଡ଼ିଆକୁ ଦଉଡ଼ି ଆସନ୍ତି, ସବୁପ୍ରକାର ଆକଟ ସତ୍ତ୍ୱେ ସେମାନେ ଖେଳିବାକୁ ଭଲପାଆନ୍ତି । ଏକଥା ଅତି ଜଣାଶୁଣା, ଅତି ସ୍ଵାଭାବିକ ମଧ୍ୟ । କିନ୍ତୁ ଆମର ଏଠି ପିଲାମାନେ କାଳେ ଖେଳ ଦେଖିବାକୁ ନଆସିବେ, ଛୁଟିର ସୁଯୋଗ ନେଇ ସେମାନେ କାଳେ ଆଗ୍ରା ପଳାଇବେ, ସେହି ଭୟରେ ସେମାନଙ୍କୁ ଖେଳପଡ଼ିଆକୁ ଟାଣିଆଣିବା ପାଇଁ ସଙ୍ଗୀତ-ପରିବେଷଣର ବ୍ୟବସ୍ଥା ହୋଇଥିଲା । ସମୟ ଅନୁସାରେ ଆମର ସାଂସ୍କୃତିକ ଜୀବନ ଭିତରେ ନୂଆନୂଆ କଥା ପ୍ରବେଶ କରୁଚି । ଆମେ ହୁଏତ ସବୁ ନୂଆକୁ ଗ୍ରହଣୀୟ ବୋଲି ମନେକରିବାର ମୋହରେ ପଡ଼ିଯାଉଚୁ ଓ ପୁଲକ ଅନୁଭବ ସମୟରେ ଆମ ସାଂସ୍କୃତିକ ଜୀବନର ଚେର ଛିଡ଼ିଯିବାର ଭୟ ବି ମହଜୁଦ ହୋଇ ରହିଚି ।

 

୭ । ୨ । ୬୦

 

ମାସକୁ ମାସ ଏତେ ଟଙ୍କା ପାଇବା ଏବଂ ଯାଉଣୁ ଆସୁଣୁ ସାହେବ ବୋଲି ଡାକ ଶୁଣିବା ପାଇଁ ଆଉ ଭଲ ଲାଗୁନାହିଁ । ଆଗରୁ ଯେ କେବେ ଭଲ ଲାଗୁଥିଲା, ମୁଁ ସେକଥା ଜାଣେନାହିଁ । କିନ୍ତୁ ଆଗେ ସହିହୋଇ ଯାଉଥିଲା । ଏବେ ବେଳେବେଳେ ସହି ନହେବା ପରି ମନେ ହେଉଚି । ଏଠାକୁ ମୁଁ ଟଙ୍କାପାଇଁ ବା ଡାକ ସମ୍ମାନ ପାଇବା ପାଇଁ ଆସି ନଥିଲି ।ଟଙ୍କା ବା ଡାକସମ୍ମାନ ଖୋଜି ମୁଁ ଏପର୍ଯ୍ୟନ୍ତ କେବେ କୁଆଡ଼େ ହେଲେ ଯାଇନାହିଁ, ଏଠାରେ ମୁଁ ଜଣେ ମଣିଷ ହିସାବରେ ବଞ୍ଚି ପାରିବି, ଅପର ପାଖରେ ପ୍ରଧାନତଃ ମଣିଷ ବୋଲି ପରିଚିତ ହେବି ଓ ପ୍ରଧାନତଃ ମଣିଷ ହିସାବରେ ଅପରର ପରିଚୟ ପାଇବି,–ଏଠାରେ ମୋର ଅଭିଳାଷ ଏହାହିଁ ରହିଥିଲା । ବର୍ତ୍ତମାନ ମଧ୍ୟ ଏହାହିଁ ରହିଚି । କିନ୍ତୁ କାହିଁ, ଆପଣାକୁ ମଣିଷ ବୋଲି କହିବାର ଅବସର ମଧ୍ୟ କାହିଁ-? ଯେପରି ଏକ ଦୁର୍ଦମନୀୟ ଯାନ୍ତ୍ରିକତା ଭିତାରେ ବେଶ୍ ବିସ୍ମୃତ ହୋଇ ରହିଚନ୍ତି ! ଏହିପରି ସଜ୍ଜିତ କୃତ୍ରିମ ଓ ଅସହଜ ଆଡ଼ମ୍ବରରେ ସେମାନେ ଦେଶଟାଯାକ ସଂକ୍ରମିତ କରିଦେବେ ଏବଂ ତାହାକୁ ହିଁ ଦେଶର ପ୍ରଗତି ଓ ଉନ୍ନତି ବୋଲି କହିବେ ବୋଲି ଭ୍ରମ କରୁଚନ୍ତି । ଏହି ଯାନ୍ତ୍ରିକତା ମୋତେ ଅସହ୍ୟ ଲାଗୁଚି, ଏହି ଅସହଜତାର ନାନା ସମ୍ପର୍କ ଜାଲ ଭିତରେ ରହି ତଥାପି ଆପଣାକୁ ବଡ଼ ଏକୁଟିଆ ମନେହେଉଚି । ଏଠାରେ ନିର୍ଭୟ ହୋଇ ଓ କାହାରି ହୃଦୟ ପାଖରେ ନିର୍ଭର ରଖି କିଛି କହିବା ବଡ଼ କଠିନ । ବେଳେବେଳେ ମୁଁ ଅନୁଭବ କରୁଚି, ଯେପରି ମୋ’ର ହୃଦୟ ଭିତରେ ତେଣେ ଗୋଟିକ ପରେ ଗୋଟିଏ କବାଟ ବନ୍ଦ ହେବାକୁ ଆରମ୍ଭ କଲାଣି । ଏହିଭଳି ଯନ୍ତ୍ରଶାସିତ ହେବାର ଆଉ କିଛିଦିନ ପରେ ହୁଏତ ମୋ’ର ବି ଗୋଟାଏ ହୃଦୟ ଅଛି ବୋଲି କହିବାକୁ ସଙ୍କୋଚ ଲାଗିବ ।

 

୮ । ୨ । ୬୦

 

ଆଜି ମୁଁ ଅନୁବାଦ କରିଥିବା ଛାପା ବହି ଆସି ପହଞ୍ଚିଲା । ଏଥର ମନ ଖୁସୀରେ ପୁଣି ନୂତନ ସମ୍ମୁଖସ୍ଥ କାର୍ଯ୍ୟଗୁଡ଼ିକରେ ଲାଗିଯିବାକୁ ହେବ । ଏଇ କେତେଦିନ ହେଲା ମୁଁ ବେଶ୍ ଅଳସୁଆ ହୋଇ ପଡ଼ିଥିଲି । ନିତି ଶୋଇଲା-ବେଳେ ସକାଳେ ଚଞ୍ଚଳ ଉଠି ପଢ଼ାଲେଖା କରିବି ବୋଲି ମନାସୁଥିଲି, କିନ୍ତୁ ତଥାପି ଉଠି ପାରୁନଥିଲି, ଭାବୁଥିଲି ଆଉ କେତେଟା ଦିନ ଅପେକ୍ଷା କଲେ ନିଶ୍ଚୟ ଚଳିବ । ଆଗ ଛପା ହେଉଥିବା ବହିଟା ଆସି ପହଞ୍ଚୁ, ତା’ପରେ ଯାଇ ମୁଁ ନୂଆ କାମରେ ହାତ ଦେବି । ଏହିପରି ଭାବରେ ଆପଣାର ଆଳସ୍ୟକୁ ଥାପଡ଼ାଇ ମୁଁ ହେଳା କରି ଆସୁଥିଲି । ଏଥର ପୁଣି ପ୍ରସ୍ତୁତ ହୋଇଯିବାକୁ ପଡ଼ିବ । ମଝିରେ ମଝିରେ ଏମିତି ଗୋଟାଏ ପ୍ରକାର ଅହେତୁକୀ ଆଳସ୍ୟ ଆସି ମନକୁ କାମୁଡ଼ି ଧରେ । ରାତି ଆଠଟା ନବାଜୁଣୁ ଆଖି ମାଡ଼ି ମାଡ଼ି ପଡ଼େ, ଫରଚା ନହେବାଯାଏ ସକାଳେ ବିଛଣା ଛାଡ଼ିବାକୁ ମନ ହୁଏନାହିଁ । ତଥାପି ମୁଁ ଆପଣା ଉପରେ ବିରକ୍ତ ହୁଏନାହିଁ । ମୋର ମନକୁ ମୁଁ ଭଲକରି ଚିହ୍ନିଚି । ମଝିରେ ମଝିରେ ଏମିତି ଟିକିଏ ହୁଗୁଳା ହୋଇ ସିଏ ମୋର ଧୈର୍ଯ୍ୟକୁ ପରୀକ୍ଷା କରିବସେ, ମୋ’ ସହିତ ନାନା ନିରୀହ ଆଳସ୍ୟର ଖେଳ ଖେଳି ମୋ’ ଭିତରେ ଥିବା ଖେଳବାଡ଼ ପ୍ରକୃତରେ ପରୀକ୍ଷା କରେ । ନୀତିବାଦୀ ହୋଇ ଆପଣା ପାଖରେ ଆପେ ଲାଞ୍ଛିତ ହେବାରେ ମୁଁ କେବେ ଆଗ୍ରହ ପ୍ରକାଶ କରିପାରେ ନାହିଁ । ଏପରି ଲାଞ୍ଛିତ ହେବାରେ ଯେ କୌଣସି ଲାଭ ମିଳେନାହିଁ, ସେକଥା ମୁଁ ଭଲକରି ଜାଣେ । ତେଣୁ ମୁଁ ଆପଣାକୁ ପ୍ରଶୟ ଦେଇଥାଏ, ସାନ କ୍ରୀଡ଼ାପ୍ରିୟ ପିଲାଟିଏ ପରି ମନକୁ ବେଳେବେଳେ ବୁଲିବାକୁ ଛାଡ଼ିଦେଇ ମୁଁ ମଧ୍ୟ ଭାରି ଉଶ୍ଵାସ ଅନୁଭବ କରେ । ନାନା କ୍ଷେତ୍ରରେ ପ୍ରବେଶ କରି ଅକାରଣ ସମୟକ୍ଷେପଣର ଆନନ୍ଦ ଉପଭୋଗ କରେ । ଅନେକଙ୍କ ପାଖରେ ଅକାରଣରେ ବସିପଡ଼େ । ଅକାରଣରେ ଅନେକ ଗପରେ ସାମିଲ ହୋଇଯାଏ । ଆପଣାର ସବୁ ନିୟନ୍ତ୍ରଣ କାଢ଼ିନେଇ ଆପଣାକୁ ଛାଡ଼ିଦିଏ । ତଥାପି ଏଥିଲାଗି ମୁଁ ଆପଣାକୁ କଦାପି କୌଣସି ଅନୁଶୋଚନାର ଶିକାର ହେବାକୁ ଦିଏନାହିଁ । କାରଣ ମୁଁ ଜାଣେ, ଯେଉଁ ଖେଳବାଡ଼ ମୋ’ ଭିତରେ ରହି ଦଉଡ଼ିକୁ ହୁଗୁଳା କରିଦିଏ, ସେଇ ସମୟ ଜାଣି ପୁଣି ଆପଣା କାମରେ ନିମଗ୍ନ ହୋଇଯାଏ ।

 

୯ । ୨ । ୬୦

 

ମଣିଷର ଦୋଷ ଦେଖାଇ ଦେଖାଇ ଯୁଗ ବିତିଗଲା, ତଥାପି ମଣିଷର ଦୋଷ ଦୂର ହେଲାନାହିଁ ଏବଂ ତଥାପି ମଣିଷର ଦୋଷ ଦେଖାଇବାର ଦୁଷ୍ଟବୃତ୍ତି ମଧ୍ୟ ତୃପ୍ତ ହେଲାନାହିଁ । ଦୋଷ ଦେଖିବାର ବା ଦୋଷ ବାରିବାର ପ୍ରବୃତ୍ତି ଆରକେ ଅଦ୍ଭୁତ ପ୍ରବୃତ୍ତି । ମଣିଷକୁ ଦୋଷମୁକ୍ତ କରିବାର ଇଚ୍ଛାରେ କେହି କେବେ ଦୋଷ ଦେଖାଇବାକୁ ଆପଣାର ବ୍ରତ କରି ବୁଲେନାହିଁ । ଜଣେ ମଣିଷର ଦୋଷ ଦେଖାଇବା ପ୍ରବୃତ୍ତି ତା’ର ଆପଣା ଦୋଷ ବିଷୟରେ ଏକ ପ୍ରବୋଧନାର ଜାଲ ସୃଷ୍ଟି କରିବାରେ ଏକ ସହାୟକ ଆବରଣ ପରି କାର୍ଯ୍ୟ କରିଥାଏ । ଅର୍ଥାତ୍ ଯେତେବେଳେ ମୁଁ ନିଜ ଦୋଷର ସମ୍ମୁଖୀନ ହେବାକୁ ଚାହୁ ନଥାଏ, ଯେତେବେଳେ ମୁଁ ଆପଣାର ଦୋଷକୁ ଆପଣା ଭିତରେ ବଞ୍ଚାଇ ରଖିବାକୁ ଚାହୁଥାଏ, ମୁଁ ସେତିକିବେଳେ ହିଁ ଅନ୍ୟର ଦୋଷ ଉଖାରିବାର ପେଖନା ଧରେ । ଅନ୍ୟର ନିନ୍ଦା କରିବାଟାକୁ ହିଁ ସେତେବେଳେ ମୁଁ ନୀତିବାଦ ବୋଲି ବିଶ୍ଵାସ କରିବାକୁ ଲାଗେ । ମଣିଷର ଭିତରେ ଯେ କେଉଁଠି ଭଲ ରହିଚି, ତା’ଭିତରେ ଯେ କେଉଁଠି ଶ୍ଳାଘ୍ୟ କୌଣସି ସାମଗ୍ରୀ ରହିଚି, ଆପଣାର ଉତ୍ତେଜନାରେ ମୁଁ ସେହି ସତ୍ୟଟିକୁ ଭୁଲିଯିବାକୁ ଇଚ୍ଛା କରେ । ଆପଣାର ଦୋଷ ଘୋଡ଼ାଇବାକୁ ଅନ୍ୟର ଦୋଷ ଦେଖାଇବାରେ ଯୋଉ ସମାଜରେ ଯେତେ ପରାକ୍ରମ ଓ ପ୍ରାଦୁର୍ଭାବ ପ୍ରଦର୍ଶିତ ହୋଇଚି; ସେହି ସମାଜର ଦୋଷ ସେତିକି ବେଶୀ ଚିରଞ୍ଜିବୀ ହୋଇ ରହିଚି । ମୋ’ ଭିତରେ କେତେ କେତେ ଦୋଷ ରହିଚି । ମୁଁ ସେଗୁଡ଼ିକର ସମ୍ମୁଖୀନ ହେବାକୁ ଚେଷ୍ଟା କରେ, ସେଗୁଡ଼ିକୁ ବୁଝିବାର ଓ ନିରାକୃତ କରିବାର ଚେଷ୍ଟା କରେ । ସେଥିଲାଗି ଅନ୍ୟର ଦୋଷ ଦେଖାଇ ବୁଲିବାରେ ମୋତେ ଏତେ ଟିକିଏ ଖୁସୀ ଲାଗେ ନାହିଁ । ମୋର ଦୋଷଗୁଡ଼ାକୁ ହିଁ ଦେଖାଇ ଦେବାର ଉପକାରୀ ବେତ ଧରି ଯିଏ ମୋ’ ପାଖକୁ ଆସେ, ମୁଁ ତାକୁ ଦୂରରୁ ନମସ୍କାର କରେ । କାରଣ ଅନେକ ସମୟରେ ସେ ଆପଣା ଦୋଷଗୁଡ଼ାକର ଉତ୍ପୀଡ଼ନରୁ ହିଁ ବାହାରି ପଳାଇ ଆସିଥାଏ, ଆପଣାକୁ ଧୋକାଦେଇ ଆସିଥାଏ ।

 

୧୦ । ୨ । ୬୦

 

ମୋର ସଂସାରଧର୍ମ ମୋ’ ଜୀବନଧର୍ମ ପରିପୂରକ ହେବା ଉଚିତ । ସଂସାର ଧର୍ମର ତଥାକଥିତ ପରିପାଳନ ଲାଗି ମୁଁ ଜୀବନଧର୍ମକୁ କଦାପି ବର୍ଜନ କରି ପାରିବିନାହିଁ । ଜୀବନଧର୍ମକୁ ଅସ୍ଵୀକାର କରି ଜୀବନକୁ ଗ୍ରାସ କରିବାକୁ ଆସୁଥିବା ସଂସାର ଧର୍ମକୁ ମୁଁ କେବଳ ଅଧର୍ମ ବୋଲି କହିବି । ପୂର୍ବେ ଆମ ଶାସ୍ତ୍ରରେ ଗୃହସ୍ଥ ଧର୍ମକୁ ଚାରି ଆଶ୍ରମର ଧର୍ମ ଭିତରେ ଗୋଟିଏ ବୋଲି ଗ୍ରହଣ କରାଯାଇଥିଲା । କିନ୍ତୁ ପ୍ରତ୍ୟେକଟି ଆଶ୍ରମର ଧର୍ମକୁ ଜୀବନ ଧର୍ମର ପରିପୂରକ ବୋଲି ନମାନିବା ପର୍ଯ୍ୟନ୍ତ ଏହି ଆଶ୍ରମ ଧର୍ମ ପାଳନ କରିବା ବିଷୟରେ ନାନା ଭ୍ରମରେ ପଡ଼ିବାର ପ୍ରମାଦ ସବୁବେଳେ ରହିଥିବ । ଚାରୋଟି ଆଶ୍ରମ ହେଉଚି ଏକ ଜୀବନ ଧର୍ମର ସୋପାନ ସ୍ଵରୂପ, ଏକ ବୃହତ୍ତର ଓ ଗଭୀରତର ଜୀବନାନୁଭୂତିର ସ୍ତରକୁ ଉତ୍ତୋଳିତ କରି ନେଇଯିବାର ସାଧନମାତ୍ର । ତା’ ନହେଲେ ଜୀବନର ସମସ୍ତ ସାର୍ଥକତା ହରାଇବସିବା ହିଁ ସାର ହେବ । ତଥାକଥିତ ସଂସାର ଧର୍ମର ପାଳନ କରିବା ନାଆଁରେ ଅନେକେ ଜୀବନର ସ୍ଵାଦକୁ ହରାଇ ବସିଚନ୍ତି, ମଣିଷ ଜନ୍ମଲାଭ କରି ମଧ୍ୟ ତଥାପି ମେସିନ୍‍ ହୋଇ ବସିଚନ୍ତି, ସମଗ୍ର ବିଶ୍ଵକୁ ଧରି ରଖିବାଭଳି ବିଶାଳ ହୃଦୟ ପାଇ ତଥାପି ଜଡ଼ ପଥର ପରି ସମାଜର ବୋଲକୁ ହିଁ ଭରଣା କରିବାରେ ଲାଗିଚନ୍ତି । ଉପଭୋଗର ସଉଦାକୁ ଜୀବନର ଏକମାତ୍ର ସଉଦା ବୋଲି ଗ୍ରହଣ କରିବାର ମୋହରେ ପଡ଼ି ଯାଇଚନ୍ତି । ମୁଁ ଏହି ମୋହରେ କଦାପି ପଡ଼ିବିନାହିଁ । ମୋର ସଂସାରକୁ ଜୀବନୋପଯୋଗୀ କରିବାପାଇଁ ମୁଁ ପ୍ରାଣପଣ ଚେଷ୍ଟା କରିବି । ଶେଷରେ ସେଇଥିରେ ଶେଷ ହୋଇଯିବି ପଛକେ, କେବଳ ଉପଭୋଗ ସକାଶେ ଜୀବନଚ୍ୟୁତ ସଂସାରକୁ ଅବଲମ୍ବନ ଅକ୍ରିୟ ମୁଁ କଦାପି ସଂସାରର ଦୁଃଖ ବଢ଼ାଇବି ନାହିଁ । ଏହାକୁ ପଳାୟନବାଦ ବା ଅନ୍ୟ ଯେକୌଣସି ନାମ ଦେଇ ଯିଏ ଯାହା କହୁ ପଛକେ, ସେଥିରେ ମୋର କୌଣସି ଆପତ୍ତି ନାହିଁ । ବର୍ତ୍ତମାନ ଏଦେଶରେ ପୁରୁଣା ଓ ନୂଆ ଜୀବନ ଭିତରେ ଲଢ଼େଇ ଲାଗିଚି । ନାନା ପ୍ରକାର ରୁଢ଼ିଗତ ଅଭ୍ୟାସର ଦାସ ହୋଇ ନାନା ଆଧୁନିକତାର ଆଡ଼ମ୍ବର କରି ମଣିଷ ବଡ଼ ଶୋଚନୀୟ ଭାବରେ ସେହି ପୁରୁଣା ଭିତରେ ପଡ଼ିଯାଉଚି । ମୁଁ ସେହି ଗ୍ରାସରେ ପଡ଼ିବି ନାହିଁ । ମୁଁ ବଞ୍ଚିବାକୁ ଚାହେ, ମୁଁ ନୂତନ ଜୀବନଲାଗି ପ୍ରସ୍ତୁତ ହେବାକୁ ଚାହେ ।

 

୧୧ । ୨ । ୬୦

 

ଏଥର ମନ ଥିର କରିବାକୁ ପଡ଼ିବ । ଆଗରେ ଆନନ୍ଦମୟ କର୍ତ୍ତବ୍ୟର ଯୋଜନା ଆସି ପୁଣି ଉପସ୍ଥିତ ହୋଇଚି । ସେହି କର୍ତ୍ତବ୍ୟକୁ ପୂରଣ କରିବାକୁ ହେବ । ଏତିକିବେଳେ ଅସ୍ଥିର ହେଲେ, ହେଳା କଲେ ବା କାମକୁ ଟାଳିବସିଲେ ତାହା କେବଳ ମୋର ଭୀରୁତାର ପରିଚୟ ହିଁ ହେବ । ହିମାଳୟର ପାଦଦେଶ ଛାଡ଼ିବା ଆଜିକୁ ଆଠମାସ ହୋଇଗଲାଣି । ଆଠମାସ ତଳେ ଆଖି ଯାହାସବୁ ଦେଖିଥିଲା, ମୋ’ ଜୀବନ ଯେଉଁ ସବୁ ଜୀବନର ସମ୍ପର୍କରେ ଆସିଥିଲା, ଯେଉଁସବୁ ଅନୁଭୂତିରେ ହୃଦୟ ପୁଲକିତ ଓ ଆର୍ଦ୍ର ହୋଇ ଉଠିଥିଲା, ମନର ହାତ ବଢ଼ାଇ ସେ ସବୁକୁ ପୁଣି ଏକାଠି ସାଉଁଟି ଆଣିବାକୁ ହେବ । ସବୁ ସାଉଁଟା ଧନକୁ ଗୋଟିଏ ସଙ୍ଗତ ବର୍ଣ୍ଣନାରେ ଏକାଠି କରିବାକୁ ପଡ଼ିବ, ଗୋଟିଏ ମାଣରେ ଭରିଦେବାକୁ ପଡ଼ିବ । ବର୍ତ୍ତମାନ ବେଶ୍ କେତେ ଦିନ ପାଇଁ ମୋର କଳ୍ପନାରେ ମୁଁ ହିମାଳୟର ଗାଆଁ, ବନ, ଝରଣା ଓ ପାହାଡ଼ ଉପରେ ବିଚରଣ କରିବାକୁ ଯିବି । ଏହି ବିଚରଣ–କାଳରେ ମୁଁ ସ୍ମୃତିର ଖିଅରେ ଆଖିର ଦେଖା ଓ କଳ୍ପନାର ଛୁଇଁବାକୁ ଏକାଠି କରିବି । ମୋର ହୃଦୟ ଭିତରେ ଯିଏ ଜଗତକୁ ଭଲପାଏ, ଯିଏ ମଣିଷକୁ ଭଲପାଏ, ଯିଏ ରୂପ, ଗନ୍ଧ ଓ ଶବ୍ଦକୁ ଭଲପାଏ, ମୋତେ ସେଇ ଏଥିପାଇଁ ଶକ୍ତି ଦେବ । ସେଇ ମୋ’ ଭିତରେ ପୁଣି ଆନନ୍ଦ ଭରିଦେବ, ମୋତେ ସହଜ କରିବ । ଭଲ ପାଇବାର ଋଣ ଶୁଝିବାପରି ମୁଁ ମୋର ଲେଖିବା ଆରମ୍ଭ କରିବି, ମୋର ଲେଖିବା ମଧ୍ୟଦେଇ ମୁଁ ପୁଣି ଆପଣାକୁ ପ୍ରସାରିତ କରି ଧରିବି ।

 

୧୨ । ୨ । ୬୦

 

ସମାଜ ସୁଧୁରିଲେ ଯାଇ ମଣିଷ ସୁଧୁରିବ, ଏହା ରାଜନୀତିର ବାଟ, ସଂସାରଯାକ ଆଚରିତ ହୋଇଥିବା ଓ ହେଉଥିବାର ବାଟ । କିନ୍ତୁ ମଣିଷ ସୁଧୁରିଲେ ଯାଇ ସଂସାର ସୁଧୁରିବ, ଏହା ହେଉଚି ସର୍ବୋଦୟର ବାଟ । ସେଇଥିପାଇଁ ଏ ବାଟ ଏଡ଼େ କଠିନ । ଅନ୍ୟାନ୍ୟ ବାଟରେ ଗଲେ ସମାଜ ବା ମଣିଷ କେହି ସୁଧୁରି ପାରିବେନାହିଁ,–ଏକଥା ବାରମ୍ବାର ଅଙ୍ଗେ ଲିଭାଇ ମଧ୍ୟ ମଣିଷ ତଥାପି ସର୍ବୋଦୟର ବାଟରେ ଯିବାଲାଗି ଯଥେଷ୍ଟ ଆଗ୍ରହୀ ହୋଇ ପାରୁନାହିଁ । କାରଣ ଏହି ବାଟରେ ସୁଧୁରିବାର ଆଶା ଓ ନିର୍ଭର ଯେତିକି ବେଶୀ, ଦାୟିତ୍ଵ ମଧ୍ୟ ସେତିକି ବେଶୀ । ଏଥିରେ ପ୍ରଚାର କମ୍, ବିଚାର ବେଶୀ । ଅପରର ଜୀବନକୁ ନିନ୍ଦା କରିବାର ଦୂଷଣତା କମ୍, ଆପଣାର ଜୀବନ ଦେଇ ସମଗ୍ର ଜୀବନକୁ ସ୍ଵୀକାର କରିବା ଓ ଶ୍ରଦ୍ଧା କରିବାର ଦାୟିତ୍ଵ ବେଶୀ । ଉପରେ ସମାଜର ଛାଞ୍ଚ ବା ଶାସନ ବଦଳାଇ ଆପେ ଭଲହୋଇ ଯିବାର ଭ୍ରମରେ ପଡ଼ି ମଣିଷ ଅନେକ ବାର ବାଇଆ ହୋଇଚି, ନାନା ହିଂସା, ଦ୍ଵେଷ ଓ ଅସହିଷ୍ଣୁତାର ଅସ୍ତ୍ରାଘାତ କରି ସେ ଦୁନିଆଟାକୁ ଗୋଟାଏ ଦିନରେ ସାବାଡ଼ କରିଦେବ ବୋଲି ଗର୍ଜନ କରି ଉଠିଚି । ଆପଣାର ଉତ୍ତେଜନାରେ ସକଳ ବସ୍ତୁସ୍ଥିତିକୁ ଭୁଲିଯାଇ ଆପଣାର ମୋହଗୁଡ଼ାକୁ ହିଁ ଆଦର୍ଶ ବୋଲି କହି ସେ କେତେ ଧୂଳି ଉଡ଼ାଇଚି । ତଥାପି ସେ ଭଲ ହୋଇ ପାରିନାହିଁ । ତେଣୁ ତା’ର ସମାଜ ମଧ୍ୟ ଭଲ ହୋଇ ପାରିନାହିଁ । ତା’ର ମନଭିତରେ ରହିଥିବା ଭୟ ଠିକ୍ ପୂର୍ବପରି ସଞ୍ଚିତ ହୋଇ ରହିଚି । ଉପରେ ମନ ଭୁଲାଇବାକୁ ଚନ୍ଦ୍ରଲୋକକୁ ଯାତ୍ରା କରୁଥିଲେ ମଧ୍ୟ ସେ ଆପଣା ଘରର ବାତାୟନ ଖୋଲି ଦେଇ ଘଡ଼ିଏ ଉଶ୍ଵାସ ଓ ଖେଦମୁକ୍ତ ହୋଇ ଚାହିଁବାର ସୁଯୋଗ ପାଇ ପାରିନାହିଁ । ସାମୂହିକ ସତ୍ଵର ପରିବର୍ତ୍ତନର ଭ୍ରମଭଉଁରିରେ ପଡ଼ିଯାଇ ସେ ଆପଣାର ସମସ୍ତ ସତ୍‌ପ୍ରବୃତ୍ତି ଓ ସଜ୍ଜନ୍ନତାକୁ ବିସର୍ଜନ ଦେଇ ଆସିଚି । ଆପଣାର ଅନେକ ସଦ୍‌ବିଶ୍ଵାସକୁ ଅନ୍ଧବିଶ୍ଵାସ ବୋଲି କହିବାକୁ ଚେଷ୍ଟା କରିଚି, ଉତ୍‌କୃଷ୍ଟ ଜୀବନ ନାଆଁରେ ଗୋଟାଏ ମରଣଭୀଷଣ ଓ ମୃତ୍ୟୁପିହିତ ଆବରଣ ତିଆରି କରି ସେ ତାହାରି ଭିତରେ ଲୁଚିକରି ରହିଚି । କିନ୍ତୁ ତଥାପି ତା’ର ଦୁର୍ଦ୍ଦଶା ଦୂର ହୋଇନାହିଁ, ଏହି ସଂସାରରୁ ଅନ୍ୟାୟ ଓ ଆମାନୁଷିକତା ଦୂର କରିବାକୁ ଯାଇ ସେ ନିଜେ ମଧ୍ୟ ନୂଆ ଅନ୍ୟାୟ ଓ ଅମାନୁଷିକତା ହାତରେ ଗୋଟାଏ ହତିଆର ମାତ୍ର ହୋଇ ପଡ଼ିଚି । ଏହା ବାଟ ନୁହେଁ,–ଇତିହାସରେ ବାରବାର ଏହା ହିଁ ଘୋଷିତ ହୋଇଚି । ତେଣୁ ଆପଣାର ପରିବର୍ତ୍ତନ ଲୋଡ଼ା, ଆପଣାକୁ ହିଁ ସମସ୍ତ ବିପ୍ଲବର ପ୍ରଥମ ନିମିତ୍ତ କରି ତିଆରି କରିବା ଲୋଡ଼ା । ଏହା ହିଁ ସର୍ବୋଦୟ । କିନ୍ତୁ ଏହି ବାଟରେ ଯିବାଲାଗି ଆଗୁଆ କର୍ମୀର ଯେଉଁ ଶ୍ରଦ୍ଧା, ବିଶ୍ଵାସ ଓ ମନଃପୂତତା ଦରକାର, ତାହା ଆମ ଭିତରେ କାହିଁ ?

 

୧୩ । ୨ । ୬୦

 

ଭଲ ଜୀବନ କ’ଣ ଅବଶ୍ୟ ସେ କଥା କେହି ସୂତ୍ର ସାହାଯ୍ୟରେ ପ୍ରମାଣ କରି ବତାଇଦେଇ ପାରିବନାହିଁ । କିନ୍ତୁ ତଥାପି ଭଲ ଜୀବନ ପାଇଁ ସବୁରି ଜୀବନରେ ଏକ ଚେଷ୍ଟା ରହିଥିବା ଦରକାର । ଭଲ ଜୀବନ କାହାକୁ କୁହାଯାଏ, ଅନ୍ତତଃ ଏଇଥିଲାଗି ଏକ ସତତ ଚେଷ୍ଟା ଓ ନିରନ୍ତର ଜିଜ୍ଞାସା ରହିଥିବା ଦରକାର । ଏହି ଚେଷ୍ଟା ଓ ଏହି ଜିଜ୍ଞାସାକୁ ମୁଁ ଆମ ସାଂସାରିକ ଜୀବନରେ ମଧ୍ୟ ପ୍ରଧାନ ନିୟାମକ ବୋଲି ମାନିବି । ସଂସାରରେ ଅନ୍ୟଠାରୁ ଅଧିକ ସାମଗ୍ରୀ ଭୋଗ କରିବା, ଅନ୍ୟମାନଙ୍କ ଠାରୁ ଅଧିକ ଆଳସ୍ୟ ଓ ଅଧିକ ସମୟକ୍ଷେପଣ ପ୍ରତି ଆସକ୍ତ ହୋଇ ରହିବା, ନିଜର ତଥାକଥିତ ସୁଖ ଓ ଆରାମ ପାଇଁ ଏହି ସଂସାରରେ ଅନ୍ୟମାନଙ୍କ ଉପରେ ଏକ ଦୁର୍ଭାଗ୍ୟ ଓ ଦୁଃସହ ବୋଝ ହୋଇ ରହିବା, ଏଗୁଡ଼ାକୁ ସାଂସାରିକ ସୁଖ ବୋଲି କହିବାକୁ ମୁଁ ଆଦୌ ପ୍ରସ୍ତୁତ ନୁହେ । କୌଣସି ରାସ୍ତା ବା କୌଣସି ପନ୍ଥାକୁ କୌଣସି ମଣିଷ ଉପରେ ଜବରଦସ୍ତି ମଡ଼ାଇ ଦିଆଯାଉ, ମୁଁ ଅବଶ୍ୟ ସବୁବେଳେ ତାହାର ବିରୋଧ କରିବି । କିନ୍ତୁ ପ୍ରତ୍ୟେକ ମଣିଷକୁ ତା’ର ଆପଣା ରାସ୍ତା ଖୋଜି ବାହାର କରିବାକୁ ହିଁ ପଡ଼ିବ । ଦୁଇଜଣ ମଣିଷ ଅତି ଅନ୍ତରଙ୍ଗ ଭାବରେ ଏହି ରାସ୍ତା ଆବିଷ୍କାର କରିବା ବିଷୟରେ ପରସ୍ପରକୁ ସାହାଯ୍ୟ କରିପାରିବେ, ପରସ୍ପରକୁ ଉତ୍ସାହିତ କରିପାରିବେ ଏବଂ ସେହି ଆବିଷ୍କାରଲବ୍‌ଧ ବୁଝିବା ଶକ୍ତି ଦ୍ଵାରା ସଂସାରର ଓ ମନୁଷ୍ୟ ସମାଜର ସର୍ବପ୍ରଧାନ ଦାୟିତ୍ୱମାନ ନେବାପାଇଁ ପ୍ରସ୍ତୁତ ହେବେ, ସଂସାର କହିଲେ ମୁଁ ନ୍ୟାୟତଃ ଏଇଆ ବୁଝେ । ପ୍ରେମକୁ ମଧ୍ୟ ମୁଁ ଏହି ପ୍ରସ୍ତୁତି ଓ ପ୍ରବୃତ୍ତିର ସର୍ବଶ୍ରେଷ୍ଠ ପ୍ରକାଶ ବୋଲି ବୁଝିଥାଏ । ତେଣୁ ସଂସାର ବୋଲି କହି ଯିଏ ମୋତେ ନାନାବିଧ ପାରମ୍ପରିକ ଆଳସ୍ୟ, ଉପଭୋଗ ଓ ପଥହୀନ ଅରାଜକତା ଭିତରେ ଭଣ୍ଡାଇନେବାକୁ ଚାହେ, ଏକ ମୃତ୍ୟୁସମ ଆଶଙ୍କାରେ ମୁଁ ତା’ପାଖରୁ ଦଉଡ଼ି ପଳାଇଯିବାକୁ ମନ କରିଥାଏ ।

 

୧୪ । ୨ । ୬୦

 

ଏହାହିଁ ମୋର ସବୁଠାରୁ ବଡ଼ ଭରସା ଯେ ମୁଁ ସଂସାରଠାରୁ କୌଣସିଦିନ କିଛି ଦାବୀ କରି ବସିବି ନାହିଁ । ଏହାହିଁ ମୋତେ ମାନସିକ ଓ ଆତ୍ମିକ ଅନେକ ଦୁର୍ଦ୍ଦଶାରୁ ନିରାପଦ କରି ରଖିବ-। ମାତ୍ର ତା’ ସଙ୍ଗେ ସଙ୍ଗେ ମୁଁ ମଧ୍ୟ କହି ରଖିବାକୁ ଚାହେଁ ଯେ ସଂସାରର ଆଳସ୍ୟ ଓ ନାନା ଜୀବନହୀନ ଓ ଦୃଷ୍ଟିହୀନ ଅଭ୍ୟସ୍ତତାକୁ କେହି ଜୋରକରି ମୋ’ଉପରେ ମଡ଼ାଇଦେଉ, ସେକଥା ମୁଁ କଦାପି ସହ୍ୟ କରି ପାରିବିନାହିଁ । ସଂସାରର ଦ୍ଵାହି ଦେଇ କେହି ମୋ’ଉପରେ ଏହିପରି ଜୋର କରିବସିଲେ ମୁଁ ତାହାକୁ ସଂସାର ନୁହେଁ ବୋଲି ସ୍ପଷ୍ଟଭାବରେ କହିବାକୁ ପ୍ରସ୍ତୁତ ରହିବି । କାରଣ ତାହା ମୋର ସଂସାର ନୁହେଁ, ମୋ’ ଲାଗି ତାହା ହେଉଚି ମୃତ୍ୟୁ । ଆଳସ୍ୟ ଓ ଉପଭୋଗ ଦେଇ ମୁଁ ସଂସାରକୁ ବଞ୍ଚିବାକୁ ଚାହେନାହିଁ । ହୃଦୟଦେଇ ବଞ୍ଚିବାକୁ ଚାହେ । ମୁଁ ମୋ’ ସଂସାର ଆଜିଯାଏ ବିଶୁଦ୍ଧ ବ୍ୟକ୍ତିଗତ ଓ ବିଶୁଦ୍ଧ ସାର୍ବଜନୀନ ବୋଲି ଦୁଇଭାଗରେ ବିଭକ୍ତ କରିଦେଇ ପାରିନାହିଁ । ତେଣୁ ମୋ’ ଆଗରେ ହଜାର ମଣିଷ ପଶୁର ଜୀବନ ବଞ୍ଚୁଥିବେ, ଆଉ ସେହି ଦୁର୍ଭାଗ୍ୟ କର୍ଦ୍ଦମ ଭିତରେ ଭାଗ୍ୟବାନ ପୋକ ପରି ମୁଁ କାଦୁଅପାଣି ପିଇ ବଞ୍ଚିଥିବି, ଦିନପରେ ଦିନ କେବଳ ଆଳସ୍ୟରେ କଟାଇ ଦେଉଥିବି, ଆଉ ପନ୍ଦରଜଣଙ୍କୁ ବଡ଼ ଅପମାନଜନକ ଭାବରେ ଆପଣାର ସେବାରେ ଖଟାଇ ମୁଁ ସଂସାରରେ ଖାତିରି ପାଇବାର ଓ ବଡ଼ ଦିଶିବାର ହାସ୍ୟାସ୍ପଦ ଜାଲମାନ ବୁଣିବାରେ ଲାଗିଥିବି, ଏଥିରେ ମୋର ଆପଣା ହୃଦୟକୁ ହିଁ ଆଘାତ ଲାଗିବ । ତେଣୁ ସମସ୍ତେ ଏତେବଡ଼ ପାଟି କରି ଏହିସବୁ ତାମସିକତାକୁ ସଂସାର ବୋଲି ଯେତେ କହିଲେ ମଧ୍ୟ ମୁଁ ତାହାକୁ ବିନାଶର ପଥ ମଣି ତ୍ୟାଗ କରି ଆସିବି । ଆହୁରି ଅନେକ ସଂସାରରେ ଦୁଃଖଭାର ଲଦିଦେଇ, କେତେକଙ୍କୁ ମୋର ଅଧସ୍ତନ ସେବକ କରି ରଖି ମୁଁ ସଂସାରରେ ସୁଖ ପାଇବାର ଲାଳସୀ ନୁହେଁ । ସେହି ସୁଖକୁ ମୁଁ ମନୁଷ୍ୟୋଚିତ ସୁଖ ବୋଲି ସ୍ଵୀକାର କରେନା । ପୁରୁଣାକୁ ଧରି ପଡ଼ିରହିବା ନୁହେଁ, ଅଳସ ବୁଦ୍ଧି ଦେଇ ପୁରୁଣାକୁ ଚକଚକ କରି ଦେଖାଇହେବା ନୁହେଁ,-ମାତ୍ର ଆପଣାକୁ ଅପର ଅନେକଙ୍କ ସହିତ ନାନାଭାବେ ନାନାଆନନ୍ଦମୟ କର୍ମ ଓ ସ୍ନେହର ସମ୍ପର୍କରେ ଯୁକ୍ତି କରି, ଅପର ପ୍ରତ୍ୟେକକୁ ତା’ର ଯଥୋଚିତ ଶ୍ରଦ୍ଧା ଓ ସମ୍ମାନ ଦେଇ ଜୀବନରେ ପ୍ରତିଦିନ ଆପଣାକୁ ନୂତନ ବୋଲି ଅନୁଭବ କରିବାକୁ ହିଁ ମୁଁ ଜୀବନ ବୋଲି ବୁଝେ । ଏହିପରି ଜୀବନକୁ ଆଗଭର ଦେବାଭଳି ଏକ ପ୍ରଶସ୍ତ ସ୍ଵାଧୀନ କ୍ଷେତ୍ରକୁ ମୁଁ ସଂସାର ବୋଲି କହେ ।

 

୧୫ । ୨ । ୬୦

 

ମୋର ଭଲପାଇବା ଭିତରେ ଘୃଣା ରହିବନାହିଁ, ଦାବୀ ରହିବନାହିଁ ବା ଅସହିଷ୍ଣୁତା ରହିବନାହିଁ । ସଂସାରରେ ଅନେକ ଭଲପାଇବା କେବଳ ଉତ୍ପୀଡ଼ନ ମାତ୍ରାରେ ପରିଣତ ହୁଏ, କାରଣ ତା’ଭିତରେ ଅସହିଷ୍ଣୁତା ଭର୍ତ୍ତି ହୋଇ ରହିଥାଏ, ଭୟ ଭର୍ତ୍ତିହୋଇ ରହି ଯାଇଥାଏ । ଭଗ୍ନମନ ମଣିଷ ଆପଣାର ନିରାଶା ଓ ହତହୃଦୟତାକୁ ଭୁଲିବାଲାଗି ଆଉଜଣକୁ ଭଲ ପାଇବାର ଆଡ଼ମ୍ବର ସୃଷ୍ଟି କରି ତାକୁ ଫାଶରେ ପକାଇବାକୁ ଯାଏ, ଆପଣାଭିତରେ ରହିଥିବା ସମସ୍ତ ଅସନ୍ତୋଷ ଓ ଅପରିତୃପ୍ତିର ଦୌରାତ୍ମ୍ୟ ସେ ତାହାରିଉପରେ ଶୁଝାଇବାକୁ ବସେ । ବାହାରେ ମୁଁ ଅନେକ ସମୟରେ ଅନେକ ଲୋକଙ୍କର ବନ୍ଧୁ, ସହଯୋଗୀ ଓ ହିତକାଂକ୍ଷୀ ବୋଲି ଦେଖାଇହୁଏ । ନାନା ଉତ୍ତେଜନାରେ ମସ୍ତହୋଇ ନାନାପ୍ରକାର ଯୋଜନା ନେଇ ମୁଁ ଆଉଜଣକୁ ସାହାଯ୍ୟ କରିବାଲାଗି ଆଗଭର ହୋଇଯାଏ ଓ ମୋ’ର ଭଲପାଇବାର ପ୍ରମାଣ ଦେଖାଇବାକୁ ଅଧୀର ହୋଇପଡ଼େ । କିନ୍ତୁ ସବୁ ଜର ଓ ସବୁ ଉତ୍‌କ୍ଷେପ କଟିଗଲା ପରେ ଯେତେବେଳେ ମୁଁ ସ୍ଥିର ହୋଇ ଆପଣାଉପରେ ଦୃଷ୍ଟି ପକାଏ, ଆପଣାକୁ ଅଧିକ ସତ୍ୟକରି ବୁଝିବାକୁ ଚେଷ୍ଟା କରେ, ସେତିକିବେଳେ ମୋ’ ଭିତରର ରାକ୍ଷସଟା ମୋତେ ଗୋଟାସୁଦ୍ଧା ଦେଖାଯାଏ, ସ୍ଥିର ଜଳର ଗଭୀର ତଳରୁ ପଙ୍କଗୁଡ଼ାକ ଭୀଷଣ ହୋଇ ଦେଖାଯିବା ପରି । ଭିତରେ ରହିଥିବା ମୋର ଘୃଣା, ସବୁ ଅଶାନ୍ତି ଓ ଅସହିଷ୍ଣୁତା ବାହାରକୁ ଏକ ଛଦ୍ମ ଭଲପାଇବାର ରୂପ ଧାରଣ କରିଚି । ଜଗତରେ ନାନାସ୍ଥାନରୁ ବଞ୍ଚିତ ହୋଇ ମୁଁ ଏତେଦୂର ଆହତ ହୋଇ ପଡ଼ିଚି ଯେ ଆଉ ପାଞ୍ଚଜଣକୁ ଆହତ ଓ କ୍ଷତବିକ୍ଷତ କରିବାପାଇଁ ମୁଁ ସେମାନଙ୍କ ଉପରେ ଏକ ଭଲ ପାଇବାର ଅସ୍ତ୍ର ଫୋପାଡ଼ିବାକୁ ବାହାରିଚି ।

 

୧୬ । ୨ । ୬୦

 

ମୋ’ ମନଭିତରର ସବୁ ଅନ୍ଧାର ସକାଳର ଏହି ସୂର୍ଯ୍ୟକୁ ଅନାଉ ଅନାଉ କୁଆଡ଼େ ସଫା ହୋଇ ଗଲାପରି ମନେହୁଏ । କେତେ ଅବିଶ୍ଵାସ ଓ କେତେ ସଂଶୟକୁ ଏଇ ସକାଳ ପହରର କେଉଁ ବନ୍ଧୁର ଆଲୋକମୟ ପରଶ ଯେପରି ଦୂରକରି ଦେଇଯାଏ । ମନଉପରୁ ସମସ୍ତ ଗ୍ଳାନି ଓ ହୀନତା ପୋଛି ହୋଇଯାଏ । ପ୍ରତିଦିନ ଏହି ସୂର୍ଯ୍ୟୋଦୟ ସମୟରେ ମୋ’ର ଜୀବନଟା ମଧ୍ୟ ସତେଯେପରି ଗୋଟାଏ ପବିତ୍ର ମହିମାମୟ ତୀର୍ଥପରି ମନେହୁଏ । କୌଣସି ଏକ ନୂତନ ତୀର୍ଥରେ ପହଞ୍ଚିଲେ ଯାତ୍ରୀର ମନରେ ଯେଉଁଭଳି ଭାବମାନ ଜାତ ହୁଏ, ପ୍ରତ୍ୟେକଦିନ ସକାଳର ସାଗରତଟରେ ଆପଣାର ଜୀବନ ଭୂମି ଉପରେ ପଦାର୍ପଣ କରି ମୁଁ ଠିକ୍ ସେହିପରି ଅନୁଭବ କରେ । ମୁଁ ଅନୁଭବ କରେ, ଯେପରି ମୋ’ର ଏହି ତୀର୍ଥଭୂମି ପାଖରେ ସଂପୂର୍ଣ୍ଣ ନୂତନ, ମୋତେ ଏହାକୁ ଆବିଷ୍କାର କରିବାକୁ ହେବ, ଏହାରି ପାଖରେ ଆପଣାର ପରିଚୟ ଦେବାକୁ ହେବ । ସବୁ ନୂଆ ପରି ଲାଗେ । ନୂଆ ମାଟିର ସ୍ପର୍ଶ ପାଇବାପରି ମୋର ଚେତନାରେ କେତେକେତେ ଆକାଂକ୍ଷା ଓ କେତେ କେତେ ମିତ୍ରତାର ନୂଆ ପତର କଅଁଳି ଉଠେ । କେତେ କେତେ ନୂଆ ସମ୍ଭାବନାକୁ ଆଖି ପାଇଯାଏ, ହୃଦୟ କେତେ କେତେ ଅଜଣା ଘରେ ଡୋରି ବାନ୍ଧି ଦେଇ ଆସେ । ବର୍ତ୍ତମାନ ଏହି ଖାତା ଉପରେ, ମୋର ହାତ ଓ ହାତରେ ଧରିଥିବା କଲମ ଉପରେ, ମୋର ସମସ୍ତ ମୁହଁ ଓ ସମସ୍ତ ଆଖି ଉପରେ ସକାଳର କଅଁଳ ସୂର୍ଯ୍ୟ କିରଣ ଆସି ପଡ଼ୁଚି, ଜନନୀ ଦେହର ସ୍ପର୍ଶ ପରି ସେ ମୋତେ ସତେଅବା ଗୋଟାସୁଦ୍ଧା ତାହାରି କରି ଦେଉଚି, ମୋର ଲେଖିବା ଓ ମୋତେ ନିଜକୁ ଏକାଠି ନିବିଡ଼ କରି ବାନ୍ଧିଦେଇ ଯାଉଚି । ଏହି ସକାଳ ସମୟ ହିଁ ମୋତେ ସବୁ ମନ୍ଦିରର ଦର୍ଶନ କରାଇଦିଏ, ସବୁ ପ୍ରାର୍ଥନା ଲାଗି ଯୋଗ୍ୟ କରି ଦେଇଯାଏ । ଏହି ସଂସାର ଭିତରେ ପ୍ରବେଶ କରିବା ଲାଗି ନୂଆ ଆଖି ଦିଏ, ନିଜ ଭିତରର ନାନା ଅସଫଳତା ଓ ଅପାରଗତାର ଦହନକୁ ଶାନ୍ତ କରିଦିଏ । ଆମ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ମିତ୍ର ବୋଲି କୁହାଯାଇଚି । ଧୂଳିଘରର ଜୀବନରେ ନାନା ଦେବତ୍ଵର ସୁନାଛାଉଣି ଯାଉଥିବା ଏହି ସୂର୍ଯ୍ୟ ପ୍ରକୃତରେ ମୋର ମିତ୍ର, ମୋର ପରମମିତ୍ର !

 

୧୭ । ୨ । ୬୦

 

ଜୀବନ ବିଦ୍ୟାଳୟ ଓ ଜୀବନଗଢ଼ା କାରଖାନା ସମାନ କଥା ନୁହେଁ । ଜୀବନ ଗଢ଼ିବାର ଧୃଷ୍ଟତା କରି ସଂସାରରେ ସବୁ ଯୁଗରେ ନାନପ୍ରକାର କାରଖାନା ତିଆରି ହୋଇଚି । ପ୍ଲେଟୋଙ୍କ ଠାରୁ ଆରମ୍ଭ କରି କମୁନିଷ୍ଟ ଋଷିଆର ଅଧୀର ନେତାମାନଙ୍କର ମନାଭିତରେ ଏହିପରି କାରଖାନାମାନ ଗଢ଼ିବାରେ ଅନେକ ମସୁଧା ହୋଇଚି । ପ୍ରାୟ ସବୁ ସମୟରେ ରହିଥିବା ନାନା ଗ୍ଲାନିରେ ପ୍ରପୀଡ଼ିତ ଗୁରୁଜନମାନେ ପାଠଶାଳାକୁ କାରଖାନା ପରି ତିଆରି କରି ଭଲ ମଣିଷ ଗଢ଼ିଦେବାର ଗ୍ୟାରେଣ୍ଟି ଦେବାପାଇଁ ଅନେକ ଚେଷ୍ଟା କରିଚନ୍ତି । କିନ୍ତୁ ବିଫଳ ହୋଇଚନ୍ତି । ଯେଉଁମାନେ ସମାଜ ଉପରେ ଓ ମଣିଷର ଯାନ୍ତ୍ରିକତା ଉପରେ ଅତିରିକ୍ତ ବିଶ୍ଵାସ କରିପକାନ୍ତି, ସେଇମାନେ ହିଁ କାରଖାନା ଓ ବିଦ୍ୟା ଭିତରେ ଏପରି ଏକ ହାସ୍ୟାସ୍ପଦ ସମ୍ବନ୍ଧ ଆଣି ଯୋଡ଼ିଦେବାକୁ ଇଚ୍ଛା କରନ୍ତି । କାରଖାନାରେ ଘଣ୍ଟି ବାଜିବା ମୁତାବକ ସବୁ କାମ ହୁଏ । ମୁଣ୍ଡଗଣତିରେ ସବୁ କାମ ହୁଏ, ନିୟମ ଓ ସଂଖ୍ୟାର ସୁମାରିରେ ସେଠାରେ ଶୃଙ୍ଖଳା ନାମରେ ନାନାବିଧ ଦୌରାତ୍ମ୍ୟକୁ ପ୍ରଶ୍ରୟ ଦିଆଯାଏ । ସେଠାରେ ବାତାବରଣକୁ ବାହାରୁ ଆଣି ଲଦି ଦିଆଯାଏ, ଆଦର୍ଶବାଦ ନାମରେ ନାନା ନୀତିବାଦୀ ଦୁର୍ନୀତିକୁ ମଣିଷ ଜୀବନର ଚାରିପାଖରେ କଣ୍ଟାବାଡ଼ କରି ବୁଜି ଦିଆଯାଏ । ବିଦ୍ୟାଳୟ କହିଲେ ଅନେକ ସମୟରେ ଅନେକ ଠିକ୍ ଏହିପରି ବୁଝନ୍ତି । ଚାରିଆଡ଼େ ନିୟମର ଜାଲ ବିଛାହୋଇ ରହିଥିବ, ଆପଣାର ବାଟକୁ ଆପେ ଖୋଜି ବାହାର କରିବାର କୌଣସି ଜୁ’ ନଥିବ, ଭୟ ହିଁ ସେଠାରେ ସକଳ କାର୍ଯ୍ୟକଳାପର ପ୍ରଦ୍ୟୋତକ ହୋଇଥିବ;–ମାଷ୍ଟର ଠିକ୍ ଯେପରି ଚାହୁଥିବ, ପିଲାଏ ଠିକ୍ ସେହିପରି ନାଚୁଥିବେ, ଏହା ହିଁ କାରଖାନା । ମଣିଷ ଉପରେ ବିଶ୍ଵାସ କମିଗଲେ ସାଧାରଣତଃ କାରଖାନା ଆଡ଼େ ମନ ଦଉଡ଼ିଥାଏ-

 

୧୮ । ୨ । ୬୦

 

ଘରଭିତରୁ ଅଧେ ଅନ୍ଧାର ଯାଇନାହିଁ । ଖାତା ଉପରେ କଲମ ଚଳାଇବା ବେଳକୁ ଭଲ କରି କିଛି ଦେଖାଯାଉନାହିଁ । ମୁଁ ଭାବୁଚି ବତୀଟା ଜଳାଇଦେବି । କିନ୍ତୁ ଏଣେ ପୂର୍ବଦିଗର ଖୋଲା ଝରକାବାଟେ ବାହାରକୁ ଅନାଇଦେଲା ବେଳକୁ ମନ କହୁଚି,–ନା, ଥାଉ, ଏଇ ଅନ୍ଧାର ବେଶ୍ ଚଳିବ, ଯେଉଁ ଅନ୍ଧାର ରଥର ଚକପରି ହୋଇ ଆଲୋକକୁ ବହନ କରି ଆଣେ, ଯେଉଁ ଅନ୍ଧାର ଗଛର ପତ୍ରଗହଳ ପରି ହୋଇ ଆଲୋକର ଫୁଲ ଫୁଟାଏ, ସେହି ଅନ୍ଧାର ମଧ୍ୟ ମୋର ଅତି ପ୍ରିୟ । ଆଉ ବେଶୀ ଡେରି ନାହିଁ । ଆଉ ଦଶ ପନ୍ଦର ମିନିଟ ଗଲେ ସବୁ ନାଲି ହୋଇଯିବ, ପ୍ରଭାତର ଶାନ୍ତ ମୁହୂର୍ତ୍ତଗୁଡ଼ିକ ଉପରେ ନୂଆଦିନଟିର ଆଲୁଅ ମୁକୁଟ ହୋଇ ଜଳିଉଠିବ । ସେହି ଆଲୁଅ ସିଧା ଆସି ଏଠି ଖାତାଉପରେ ପଡ଼ିବ, ଏହି ଘର ଭିତରେ ପଡ଼ିବ, ସିଧା ଆସି ମୋ’ର ମୁହଁ ଉପରେ ପଡ଼ିବ । ଏତିକିବେଳେ ଯେପରି ମୋର ସବୁ ଦୁଆର ଖୋଲା ରହେ ! ସକାଳର ଏହି ପ୍ରଥମ ପ୍ରହରରେ ଯେଉଁଦିନ କାହାର ଅତି ଆପଣାର ମଣିଷ ପରି ମୁଁ ଆଲୁଅର ଆବିର୍ଭାବ ଲାଗି ଅପେକ୍ଷା କରି ରହେ, ସେଦିନ ମୁଁ ଯେପରି ମୋର ସବୁ ହଜିଲାଧନ ପାଇଯାଏ, ସେଦିନ ମୋର ସମସ୍ତ କ୍ଷତ ଭଲ ହୋଇଯାଏ । ଏହି କଅଁଳ ସୂର୍ଯ୍ୟ ମୋ’ ଜୀବନର ସବୁଠାରୁ ଅଧିକ ଚିହ୍ନା ସାଥୀ । ସେଥିଲାଗି ମୁଁ ଭାବେ, ଏତିକିବେଳେ ମୋର ଘରଭିତରେ କିଛି ପୁରୁଣା ହୋଇ ରହିବନାହିଁ, କେହି ‘ଅଳସଶୟନନିମଗ୍ନ’ ହୋଇ ରହିବନାହିଁ । ସବୁଦିନେ ଘରଭରି ମୁଁ ଯେପରି ସେହି ପରମ ଆତ୍ମୀୟତା ଅଭ୍ୟର୍ଥନା କରିନେଇ ପାରିବି, ତାହାରିଭିତରେ ଯେପରି ଆପଣାର ହୃଦୟକୁ ମୁଁ ଅନୁଭବ କରିପାରିବି । ତାହାରିଭିତରେ ଆପଣାକୁ ବିସ୍ତୃତ କରିଦେଇ ନିଶ୍ଚିନ୍ତ ହୋଇ ବସିବାଲାଗି ନୁହେଁ, ଆପଣାଠାରେ ଆପଣାର ନିବିଡ଼ତର ପରିଚୟ ପାଇବାଲାଗି । ସେହି ଶୁଭକ୍ଷଣର ସମସ୍ତ ଶୁଭମୟତା ମୋର ହୋଇ ପାରିବ, ଯେତେବେଳେ ମୁଁ କହି ପାରିବି : ଯୋସାବସୌ ପୁରୁଷ ସୋଽହସସ୍ମି !

 

୧୯ । ୨ । ୬୦

 

ବେଳେବେଳେ ଭିତରେ ଥାଇ କିଏ ଯେପରି ମୋ’ସହିତ ଅଜଟ ଲଗାଇ ବସେ ! ଯେତେବେଳେ ନାନାକାମର ଦାୟିତ୍ଵଭାରରେ ମୁଁ ତରତର ହେଉଥାଏ, ଠିକ୍ ସେତିକିବେଳେ ସେ ଭିତରେ ଗୋଡ଼ହାତ ଲମ୍ବାଇଦେଇ ଅଳସ ହୋଇ ବସିରହେ, ଟିକିଏ ହେଲେ ଉହୁଙ୍କିବାକୁ ଚାହେନାହିଁ । ସେଥିଲାଗି ମୁଁ ଦିନେଦିନେ ମନଟାକୁ ଟାଣ ଦଉଡ଼ିରେ ବାନ୍ଧି ଭାରି ଗମ୍ଭୀର ହୋଇ ଯେତେବେଳେ କିଛି ଲେଖିବି ବୋଲି ଖାତା କଲମ ନେଇ ବସେ ସେତେବେଳେ ସତେଅବା କାହାର ସମ୍ମୋହନରେ ପଡ଼ି ହାତ ଯେପରି ଚାଲିବାକୁ ସିଧା ମନା କରିଦିଏ । ସେଦିନ ଯେତେ ବାଡ଼େଇ କଚାଡ଼ି ହେଲେ ମଧ୍ୟ ମୁଁ ଗୋଟିଏ ହେଲେ ଧାଡ଼ି ଲେଖି ପାରେନାହିଁ । ଏହି ଅସମର୍ଥତା ମୋତେ ବିରକ୍ତ ଓ ଉତ୍ତେଜିତ ହେବାକୁ ଭାରି ଦୁଷ୍ପ୍ରେରଣା ଦେବାକୁ ଚେଷ୍ଟା କରେ । ତଥାପି ଆପଣାକୁ ସେହି ଲୋଭରୁ ବଞ୍ଚାଇ ରଖିବାକୁ ହୁଏ । ଏହିପରି ଅଙ୍ଗେ ନିଭାଇ ନିଭାଇ ମୋର ଭିତର ‘ମୁଁ’ ଟା ସହିତ ମୁଁ କ୍ରମେ ବେଶ୍ ବନ୍ଧୁତା କରି ଶିଖିଗଲାଣି, ଅର୍ଥାତ୍ ତାକୁ ବୁଝିବାଲାଗି ଟିକିଏ ଟିକିଏ ସମର୍ଥ ହେଲିଣି । ତା’ର ସମସ୍ତ ଦୌରାତ୍ମ୍ୟ ସହିବାର ଏବଂ ତଥାପି ତା’ସହିତ ଏକ ପ୍ରସନ୍ନ ସମ୍ପର୍କ ରଖିବାର ଜୀବନକଳା ମୁଁ କ୍ରମେ ଶିଖିଗଲିଣି । କାରଣ ତା’ର ଆରପାଖଟାକୁ ମଧ୍ୟ ମୁଁ ବେଶ୍ ଭଲକରି ଜାଣିଚି । ସେହି ଯେତେବେଳେ ବିଶ୍ଵବ୍ୟାପୀ ମହିମାରେ ମୋ’ର ହାତରେ ଥିବା ଏହି କଲମକୁ ମନର ପକ୍ଷୀ ଲଗାଇଦିଏ, ଯେତେବେଳେ ତାହାରି ସମର୍ଥନ ପାଇ ମୁଁ ଅନାବିଷ୍କୃତ କେତେ ପୁରର ପରିଚୟ ଲାଭକରି ଆସେ, କେତେକେତେ ଅଭିନବଭାବେ ଆପଣାକୁ ଦେବାକୁ ସମର୍ଥ ହୁଏ, ମୁଁ ସେତିକିବେଳେ ତାକୁ ଚିହ୍ନେ, ତାହାରି ନିୟମ ମାନିବାକୁ ଅଧିକ ପ୍ରସ୍ତୁତ ହୁଏ, ତାହାରି ବୋଲ ମାନି ମୁଁ ଅଧିକ ଶାନ୍ତ ହୋଇଯାଏ ।

 

୨୦ । ୨ । ୬୦

 

ଏଠାରେ ଚାରିପାଖରେ ଗାଆଁ ଅଛି, ଅଥଚ ଆମେ କେହି ଗାଆଁ କଥା ଜାଣୁନାହିଁ । ଏଠାରେ ଚାରିପାଖରେ ମଣିଷ ଅଛନ୍ତି, ଅଥଚ ଏହି ମଣିଷ ସହିତ ଆମେ କେହି କୌଣସି ପରିଚୟ ଲାଭ କରିନାହୁଁ । ଏଠି ପରସ୍ପର ସହିତ ଏକତ୍ର ହୋଇ ଆମେ ଏକ ସୁସ୍ଥ ସାମୂହିକ ଜୀବନଯାପନ କରିବାକୁ ଏପର୍ଯ୍ୟନ୍ତ ପ୍ରବୃତ୍ତ ହୋଇନାହୁଁ । ଗାଆଁର ଲୋକମାନେ ଗଧ ଉପରେ ଘଷି ଲଦି ଆମ ଘରକୁ ବିକିବାକୁ ଆସନ୍ତି, ମୁଁ ବିଛଣାରୁ ଉଠିବା ପୂର୍ବରୁ ଗାଆଁର କୋଉ ସ୍ତ୍ରୀଲୋକ ମୋ’ ଘରେ ଅଇଁଠା ବାସନ ମାଜିଦେଇ ଯାଏ । କେବଳ ପ୍ରୟୋଜନ ପାଇଁ ଯେତିକି ଦରକାର, ଏଠି ଗାଆଁ ଲୋକମାନଙ୍କ ସହିତ ଆମର ସେତିକି ସମ୍ପର୍କ । କିନ୍ତୁ ଆମର ପଢ଼ାବହି ଭିତରେ ଆମେ ନିତି ଗାଆଁ କଥା ପଢ଼ୁଚୁ, ମଣିଷ ଓ ମାନବିକ ସମ୍ପର୍କ ବିଷୟରେ ମଧ୍ୟ ପଢ଼ୁଚୁ । ଚକ୍‌ଖଡ଼ି ଧରି ବ୍ଲାକବୋର୍ଡ଼୍ ଉପରେ ଆମେ ଗାଆଁର ଏବଂ ଏହି ଦେଶର ସମସ୍ୟାଗୁଡ଼ିକର ସମାଧାନ କରୁଚୁ । କିନ୍ତୁ ଆମର ଜୀବନ ସହିତ ଗ୍ରାମସମାଜର କୌଣସି ହାର୍ଦ୍ଦିକ ବା ଭାବଗତ ସମ୍ପର୍କ ହିଁ ନାହିଁ, ଆମର ବିଚାର ଓ ଭାବନା ଭିତରେ ଗ୍ରାମବାସୀ ଲାଗି କୌଣସି ସ୍ଥାନ ନାହିଁ । ଅବସର ପାଇଲେ ଆମେ ଗାଆଁକୁ ନ ଯାଇ ଆଗ୍ରା ସହରକୁ ଯାଉଁ, ବେଳ ପାଇଲେ ଆମେ ଗାଆଁ କଥା ନ ପକାଇ ଯାବତୀୟ ଅନ୍ୟାନ୍ୟ କଥା ପକାଉ । ଗାଆଁରେ ବାସ କରୁଥିବା ଲୋକେ ଯେ ଏହି ଦେଶର, ଦେଶର ସ୍ଵତନ୍ତ୍ରତା ଓ ସମୃଦ୍ଧି ସହିତ ସେମାନଙ୍କର ଯେ କୌଣସି ସମ୍ପର୍କ ରହିଚି, ଏହି ଦେଶର, ଅର୍ଥାତ୍ ମୋର ଭାଗ୍ୟ, ମୋର ଭବିଷ୍ୟତ ଓ ମୋର ଗୌରବ ଯେ ସେଇମାନଙ୍କର ଜୀବନ ସହିତ କୌଣସି ପ୍ରକାରେ ଗୁନ୍ଥାହୋଇ ରହିଚି, ଏକ ବାସ୍ତବ ଭୂମି ଉପରେ ଆମେ କେବେହେଲେ ଏକଥା ଚିନ୍ତାକରି ପାରୁନାହିଁ । ଅନେକ ସମୟରେ ହୁଏତ ଚିନ୍ତା କରିବାକୁ ଭୟ କରୁ । ଆମର ଅଭିଳାଷଗୁଡ଼ାକ ଏହିଦେଶ ଓ ଏହି ସମାଜର ଭୂଇଁଛାଡ଼ି ଆଉ କୁଆଡ଼େ କୁଆଡ଼େ ବୁଲୁଥାଏ । ଏହି ଅସମାଜିକ ରୀତି ଆମକୁ ଆମର ସମାଜଠାରୁ ବିଚ୍ୟୁତ ଓ ବହିଷ୍କୃତ କରାଇ ରଖିଥାଏ । ବାହାରେ ଆମେ ନାନା ବ୍ୟକ୍ତିଗତ ଉପଭୋଗରେ ମାତିଥାଉ, କିନ୍ତୁ ଆପଣା ଭିତରେ ଆପଣା ବାସ୍ତବତାର ସାମାଜିକ ଭୂମି ଉପରେ ଅବତୀର୍ଣ୍ଣ ହେବାକୁ ସଙ୍କୋଚ ବୋଧ କରୁ । ତେଣୁ ଆମର ମଣିଷ ହେବାର ଆଗ୍ରହ, ମଣିଷ ସହିତ ନାନା ସୁଖ ଓ ନାନା ଉଦ୍ୟମରେ ସମ୍ମିଳିତ ହେବାର ଆଗ୍ରହ ଏବଂ ଏହି ଦେଶରୁ ଅଶିକ୍ଷା, ଦାରିଦ୍ର୍ୟ ଓ ରୋଗ ଦୂର କରିବାର ଆଗ୍ରହଗୁଡ଼ାକ କେବଳ ବହି ପାଠ ଭିତରେ ସୀମାବଦ୍ଧ ହୋଇ ରହିଯାଏ । ଆମର ଜୀବନ ମଧ୍ୟ କ୍ରମେ ସବୁରି ଜୀବନ ସୀମାଠାରୁ ବିଚ୍ଛିନ୍ନ ହୋଇଯାଏ, ଏବଂ ତେଣୁ ବଡ଼ ନୀରସ ହୋଇପଡ଼େ ।

 

୨୧ । ୨ । ୬୦

 

ମୁଁ ସବୁ ପତନ ସହିବାକୁ ରାଜୀ ଅଛି, କିନ୍ତୁ କୌଣସି ଦିନ ଆପଣା ଉପରୁ ବିଶ୍ଵାସ ହରାଇବାର ଦୁର୍ଦ୍ଦଶା ଯେପରି ମୋତେ ଭୋଗ କରିବାକୁ ନ ପଡ଼େ । ମୁଁ ସବୁପ୍ରକାରେ କ୍ଷତି ସହିବାକୁ ରାଜୀ ଅଛି, କିନ୍ତୁ କୌଣସି ଦିନ ଯେପରି ମୋର ଅନ୍ତର ଭିତରେ ରହିଥିବା ଆନନ୍ଦର ଉତ୍ସଟି ଶୁଷ୍କ ହୋଇ ନଯାଏ ! ମୋର ସମସ୍ତ ଦୁଃଖ, ସମସ୍ତ କ୍ଷତି ସମସ୍ତ ଗ୍ଳାନି ସତ୍ତ୍ୱେ ଯେ ତଥାପି ଏହି ଆନନ୍ଦମୟ ଭୁବନରେ ଆନନ୍ଦ ନିଃଶେଷିତ ହୋଇ ଯାଇନାହିଁ, ଦେଖିପାରିବା ଓ ଅନୁଭବ କରିପାରିବା ବ୍ୟକ୍ତି ଲାଗି ତଥାପି ଯେ ଦେଖିବାର ଓ ଅନୁଭବ କରିବାର ଯଥେଷ୍ଟ କିଛି ରହିଚି, ଏହି ବିଶ୍ଵାସଟିକୁ ମୁଁ ଯେପରି କୌଣସି ଦିନ ହରାଇ ନ ବସେ ! ଆପଣାର ଦୁର୍ବଳତାଗୁଡ଼ାକୁ ଘୃଣାକରି ଆପଣା ଉପରେ ଶାସନ କରିବା ଓ ତଦ୍ଦ୍ଵାରା ଏକ ପ୍ରକାଏ ନୀତିବାଦୀ କଣ୍ଡୁ ସୁଖ ଲାଭ କରିବାର କୌଣସିପ୍ରକାର ପାଠ ମୋତେ ମୋର ବିଧାତା ଶିଖାଇନାହିଁ । ଯେପରି କୌଣସିପ୍ରକାରର ଦୁର୍ଦ୍ଦଶା ମଧ୍ୟ ମୋର ବିଧାତାଠାରୁ ମୋତେ ବିଚ୍ଛିନ୍ନ କରି ନ ଦିଏ ! ଏହି ସଂସାରରେ ସବୁ ଅଛି । ବାରବାର ପଡ଼ି ବରାବର ଉଠିବାର ପ୍ରେରଣା ଏହି ସଂସାରରୁ ହିଁ ମିଳିବ । ଏ ଜୀବନରେ ଭଲ ପାଇବାର ଯଥେଷ୍ଟ କିଛି ରହିଚି । ଆପଣାର ସ୍ଖଳନଗୁଡ଼ାକୁ ଆତ୍ମଗ୍ଳାନିର ଅଠା ଦେଇ ଯେତେ ମୋଟା କରି ରଖିବାକୁ ଚେଷ୍ଟାକଲେ ମଧ୍ୟ ତଥାପି ଏହି ଜୀବନକୁ ଗୋରବାନ୍ଵିତ ଅନୁଭବ କରିବାଲାଗି ଯଥେଷ୍ଟ କାରଣ ରହିଚି । କେବଳ ଭିତରର ଅସଲ ଚେରଟି ଛାଡ଼ି ନ ଗଲେ ହେଲା ! ସବୁଦିନ ସକାଳର ସୂର୍ଯ୍ୟ ମୋର ମୁହଁ ଉପରେ ସତେଅବା ଏହି ସତକଥାଗୁଡ଼ାକର ଆଲୋକସ୍ପର୍ଶ ଦେଇଯାଉଚି ! ଏହି ସଂସାରର ମଣିଷ, ଏହି ସଂସାରର ଆନନ୍ଦ, ହଠାତ୍ ଦେଖି ଓ ହଠାତ୍ ସ୍ପର୍ଶକରି ପୁଲକିତ ହୋଇ ଉଠିବାର ଦିବ୍ୟାନୁଭୂତି,–ସବୁ ଏହି ସଂସାର ଭିତରେ ରହିଚି । କେବଳ ଖିଅ ଛିଡ଼ି ନ ଗଲେ ହେଲା-! ମୋର ସବୁ ହେଉ ପଛକେ, କିନ୍ତୁ ଯେପରି ଖିଅ ଛିଡ଼ି ନ ଯାଉ ! ଯେପରି ନିର୍ଭର ତୁଟି ନ ଯାଉ ! ଆନନ୍ଦ ଅନୁଭବ କରିବାର ସପ୍ତମ ଇନ୍ଦ୍ରିୟ ଦ୍ଵାରଟି ଯେପରି କଦାପି ବନ୍ଦ ହୋଇ ନଯାଉ !

 

୨୨ । ୨ । ୬୦

 

କିନ୍ତୁ ଗାଆଁକୁ ଯିବା ପୂର୍ବରୁ ଆମକୁ ଆପଣାକୁ ମଧ୍ୟ ଅନେକ ସଜାଡ଼ିବାକୁ ହେବ । ଆମେ ଦୁଇ ଅକ୍ଷର ଇଂରାଜୀ ପଢ଼ୁଚୁ, ଅନ୍ୟମାନଙ୍କଠାରୁ ଅଲଗା ଦେଖାଯିବା ଭଳି ପୋଷାକ ପିନ୍ଧୁଚୁ । ଏହାକୁ ହୁଏତ ଅନେକ ସମୟରେ ଆମେ ଦେଶକୁ ଗଢ଼ିବାର ଓ ଦେଶନିର୍ମାଣରେ ନେତୃତ୍ଵ ନେବାର ଯୋଗ୍ୟତା ବୋଲି ମନେ କରିଥାଉ । କିନ୍ତୁ କେବଳ ଏତିକି ବ୍ୟତୀତ ଯାହା ଭିତରେ ଆଉ କିଛି ନାହିଁ, ତାହାର ଇଂରାଜୀପଢ଼ା ଓ ପୋଷାକ ପିନ୍ଧାକୁ ମୁଁ ଖାଲି ଅଯୋଗ୍ୟତା ବୋଲି କହିବି । ଅର୍ଥାତ୍ ଆମର ଲୋକସଂଗ୍ରହ କାର୍ଯ୍ୟରେ ଆମର ପଢ଼ାପାଠ ଓ ପୋଷାକମାନ ଆମକୁ ଲୋକଙ୍କଠାରୁ କେବଳ ହୁରୁଡ଼ାଇ ଦେବାରେ ହିଁ ସାହାଯ୍ୟ କରିବ । ଗାଆଁକୁ ଗଲାବେଳେ ଆମକୁ ମନୁଷ୍ୟ ସମ୍ପର୍କ-ନୀତିର ସମସ୍ତ ମୂଳସତ୍ୟଗୁଡ଼ିକୁ ଆୟତ୍ତ କରି ଯିବାକୁ ହେବ । ଲୋକଙ୍କଠାରୁ ଦୂରରେ ରହି ଲୋକଙ୍କଠାରୁ ଆପଣାକୁ ଉଚ୍ଚତର ବୋଲି ମନେ କରିବାର ଯେତେ ଭ୍ରମ ଆମ ଭିତରେ ରହିଚି, ଦେଶଠାରୁ ଦୂରରେ ରହି ତଥାପି ଦେଶକୁ ବାଟ ଦେଖାଇବାର ଯେତେ ପ୍ରକାର ଦମ୍ଭ ଆମର ଆଖିକୁ ଓ ହୃଦୟକୁ ବନ୍ଦ କରି ରଖିଚି, ଆଗ ସେହିସବୁ ଭରମ ଓ ଦମ୍ଭରୁ ମୁକ୍ତ ହେବାକୁ ପଡ଼ିବ । ଆମ ଭିତରେ ଯେଉଁ ବିକାରମୟ ଜୀବନକୁ ଆମେ ଅବସରକ୍ଷେପଣ କରିବାର ଏକ ସାଧନରୂପେ ଗ୍ରହଣ କରିନେଉଚୁ, ସେହି ବିକାରମୟ ଜୀବନକୁ ଗାଆଁ ଭିତରେ ମଧ୍ୟ ଖୋଲାଇଦେବା ପୂର୍ବରୁ ଆମକୁ ବଡ଼ ଗମ୍ଭୀର ଓ ସତର୍କ ଭାବରେ ବିଚାର କରିବାକୁ ପଡ଼ିବ । ଗାଆଁର ଜୀବନରେ କୌଣସି ପ୍ରକାର ବିକାର ନାହିଁ ବୋଲି ମୁଁ କହୁନାହିଁ । ଗାଆଁରେ ବିକାର ଯଥେଷ୍ଟ ରହିଚି । ତେଣୁ ସେଗୁଡ଼ାକର ସଂଖ୍ୟା ବଢ଼ାଇ ଗ୍ରାମଜୀବନକୁ ଅଧିକ ଜଟିଳ ଓ ଦୁର୍ବଳ କରିବାରେ ମୁଁ ଆଦୌ କୌଣସି ବିଜ୍ଞତା ଦେଇ ପାରେନାହିଁ । ଗାଆଁକୁ ଭଲ କରିବାକୁ ଯାଇ ଅନେକ ଗାଆଁର ଜମିରେ ସାର ନେଇ ପକାଉଚନ୍ତି, ଗାଆଁରେ ଚରଖା ଚଲାଉଚନ୍ତି, ପକ୍କାଘର ତିଆରି କରୁଚନ୍ତି । କିନ୍ତୁ ଏହିସବୁ ବାହ୍ୟ ସମୃଦ୍ଧିର ଆବରଣ ତଳେ ଗାଆଁର ମଣିଷ କ୍ରମେ ମରିମରି ଯାଉଚି । ତା’ର ଜୀବନ କ୍ଷେତରେ ନାନା ନୂତନ ଶଙ୍କା ତାକୁ ଅଧିକ ଦୁର୍ବଳ କରି ପକାଉଚି । ତେଣୁ ଗାଆଁକୁ ଯିବାଲାଗି ଅନେକ ଆତ୍ମନିରୀକ୍ଷଣ ଦରକାର ।

 

୨୩ । ୨ । ୬୦

 

ଭାରତ ବର୍ଷ ପାଇଁ ଏକ ଶକ୍ତିଶାଳୀ ରାଜନୀତିକ ଦଳ ଦରକାର ନାହିଁ । ଭାରତବର୍ଷ ପାଇଁ ଆଧିକ ଶିକ୍ଷା ଦରକାର, ଅଧିକ ରାଜନୀତିକ ବିଚାରବୁଦ୍ଧି ଦରକାର, ସାମାଜିକ ଜୀବନ ଓ ନିୟମନ ଉପରେ ଅଧିକ ବିଶ୍ଵାସ ଦରକାର । ହିଟ୍‌ଲରର ନାଜୀପାର୍ଟି ଏକ ଶକ୍ତିଶାଳୀ ପାର୍ଟି ହୋଇ ଆବିର୍ଭୂତ ହୋଇଥିଲା । ଋଷିଆର ଇସ୍ପାତ ମଣିଷ ଷ୍ଟାଲିନ ଏକ ଶକ୍ତିଶାଳୀ ରାଜନୀତିକ ଦଳର ଶାସନ ପ୍ରବର୍ତ୍ତନ କରିଥିଲେ । ବର୍ତ୍ତମାନ ପାକିସ୍ତାନରେ ମଧ୍ୟ ଶକ୍ତିଶାଳୀ ଶାସକର ଶାସନ ଚାଲିଚି । ଏକ ଶକ୍ତିଶାଳୀ ପାର୍ଟିର ଉଦ୍‌ଭବ ହେଉବୋଲି ଯେତେବେଳେ କୌଣସି ଦେଶର ଲୋକେ ଇଚ୍ଛା କରିଚନ୍ତି ସେତେବେଳେ ସେହି ଦେଶରେ ଏକତନ୍ତ୍ର ବା ଏକଛତ୍ର ଶାସନ ପ୍ରବର୍ତ୍ତିତ ହୋଇଚି ! ଶାସନ କରୁଥିବା ଦଳ ଯେତିକି ଶକ୍ତିଶାଳୀ ହେବ, ଦେଶର ଗଣତନ୍ତ୍ର ସେତିକି ଦୁର୍ବଳ ହେବ, ଲୋକଜୀବନ ସେତିକି ତ୍ରସ୍ତ ହୋଇଉଠିବ । ଲୋକସାଧାରଣଙ୍କର ରାଜନୀତିକ ଶିକ୍ଷା ଓ ରାଜନୀତିକ ବିଚାରଭାବନା ସେତିକି ମରିଯିବ । ଏଦେଶରେ ଆମେ ନାନାଭାବେ ହତାଶ ହୋଇ ବସିଲୁଣି, ଆମର ବୈଚାରିକ ମୂଲ୍ୟମାନ କ୍ରମେ ସର୍ବସ୍ଵାନ୍ତ ହେବାରେ ଲାଗିଚି ଏବଂ ତାହାରି ଫଳରେ ଯେଉଁ ଉଗ୍ରତା ଆମ ସମସ୍ତଙ୍କ ମନରେ କ୍ରମେ ପ୍ରବଳ ହେବାକୁ ବସିଚି, ତାହାହିଁ ଏକ ସାମୂହିକ ପ୍ରଲମ୍ବନ ସର୍ବେସର୍ବାର କାମନା କରି ପକାଉଚି । ଆପଣାଉପରୁ, ପ୍ରତ୍ୟେକ ମଣିଷର ଅନ୍ତର୍ନିହିତ ଯୋଗ୍ୟତା ଉପରୁ ଏବଂ ସର୍ବମାନ୍ୟ ଓ ସର୍ବଚରିତ ଏକ ବିଧାନ ଉପରୁ ବିଶ୍ଵାସ ତୁଟି ଆସିଲେ ଏହିପରି ହୋଇଥାଏ । କିନ୍ତୁ ଏପରି ହେବା ବିପଦଜନକ । ଭାରତବର୍ଷରେ ରାଜନୀତିକ ଦଳ ଶକ୍ତିଶାଳୀ ହେବା ଦରକାର ନାହିଁ । ଏଠି ଗଣତନ୍ତ୍ର ଶକ୍ତିଶାଳୀ ହେଉ, ଅର୍ଥାତ୍ ଏଦେଶରେ ଲୋକେ ଶକ୍ତିଶାଳୀ ହୁଅନ୍ତୁ, ଶିକ୍ଷିତ ହୁଅନ୍ତୁ, ସଚେତ ଓ ସକ୍ରିୟ ହୋଇ ଦେଶର ପରିବର୍ତ୍ତନ କରାନ୍ତୁ-

 

Unknown

୨୪ । ୨ । ୬୦

 

ଯେଉଁ ପିଲାଟି ରିକ୍‌ସା ଚଲାଉଥିଲା, ତା’ର ବୟସ ଚଉଦ ବା ପନ୍ଦରରୁ କଦାପି ଅଧିକ ହେବନାହିଁ । କିନ୍ତୁ ଯୋଉ ବାବୁ ଦୁଇଜଣ ରିକ୍ସା ଉପରେ ବସିଥିଲେ ସେମାନେ ତିରିଶ ବା ଚାଳିଶ ପାର ହୋଇଗଲେଣି । ଏଦେଶରେ ସବୁ ସହ୍ୟ କରାଯାଉଥିବ, ତଥାପି ଆମେ ଏଦେଶକୁ ଗଣତନ୍ତ୍ରର ଦେଶ ବୋଲି କହୁଥିବା । ଶରଧାରେ କେହି କେବେ ରିକ୍ସା ଟାଣିବାକୁ ଆସେନାହିଁ । ପେଟର ଦାଉରେ ମଣିଷ ସବୁକିଛି କରିବାକୁ ବାହଦ୍ୟ ହୋଇଥାଏ । ପେଟର ଦଉଡ଼ିରେ ବନ୍ଧା ହୋଇ ଛୋଟ ପିଲା କାମ ଖଟିବାର ଦାରୁଣ ଜୀବନ ଭିତରକୁ ଆସିବାକୁ ବହଦ୍ୟା ହୁଏ । ଭବିଷ୍ୟତର ଜୀବନରୁ ଆୟୁଷ ସାରି ମଧ୍ୟ ତଥାପି ବର୍ତ୍ତମାନର କେଇଟା ଦିନପାଇଁ ଯେକୌଣସି ପ୍ରକାରେ ମଣିଷ ବାଧ୍ୟ ହୁଏ । ଏଦେଶରେ ଆଜି ଯୋଜନାରେ ମହକୁମା ବସିଚି, ତଥାପି ଏଦେଶର ଦୃଷ୍ଟିରେ ସବୁ ପିଲାଙ୍କର ଭବିଷ୍ୟତ ପାଇଁ କୌଣସି ଯୋଜନା ନାହିଁ । ଯିଏ ଆଜି ଡେଇଁ କାଲିପର୍ଯ୍ୟନ୍ତ ଦେଖିବାକୁ ମଧ୍ୟ ସମର୍ଥ ନୁହେଁ, ସିଏ ଆପଣା ଜୀବନରେ ଯୋଜନାର ମହତ୍ତ୍ଵ ବା କ’ଣ ବୁଝିବ ? ଏଦେଶର ସରକାରରେ ପ୍ରତ୍ୟେକ ପିଲାକୁ ତା’ର ଆପଣା ସଂସାର ନିର୍ମାଣ କରିବାର ପୂର୍ଣ୍ଣ ସୁଯୋଗ ଦେବାଲାଗି ଏପର୍ଯ୍ୟନ୍ତ କୌଣସି ଯୋଜନା ହୋଇନାହିଁ । ଏଦେଶରେ ସମାଜର ଅଧିକାଂଶ ଲୋକେ କୌଣସି ପ୍ରକାରର ଅନ୍ୟାୟକୁ ଅସହ୍ୟ ବୋଲି କହିବାକୁ ରାଜୀ ନୁହନ୍ତି । ଯଦି ଜଡ଼ତାକୁ ଧୈର୍ଯ୍ୟ ଓ ଅନାସକ୍ତି ବୋଲି କୁହା ଯାଇପାରେ, ତେବେ ଏଦେଶରେ ଧୈର୍ଯ୍ୟ ଓ ଅନାଶକ୍ତି ଆଜି ବଡ଼ ଅତିରିକ୍ତ ହୋଇପଡ଼ିଚି ବୋଲି କୁହାଯାଇ ପାରିବ । ଏଦେଶରେ କେହି କାହାରିଆଡ଼କୁ ଅନାଇବାକୁ ରାଜୀ ନୁହେଁ । ଆପଣାର ଘରଭିତରେ ସୃଷ୍ଟିଯାକର ସୌଖୀନ ଜିନିଷ ଆଣି ଭର୍ତ୍ତି କରିବା ବ୍ୟତୀତ ଏଦେଶରେ ଭଦ୍ରଲୋକ ଭଦ୍ର ହେବାର ଅନ୍ୟ କୌଣସି କଳା ଆୟତ୍ତ କରି ପାରିନାହିଁ । ଯିଏ ରିକ୍ସାରେ ଆସନ ଜମାଇ ବସିଯାଉଚି, ସିଏ ରିକ୍ସା ଟାଣୁଥିବା ମଣିଷଆଡ଼କୁ ଅନାଇବାକୁ ରାଜୀ ନୁହେଁ । ପାଠ ପଢ଼ି ଅପାଠୁଆ ଆଡ଼କୁ ଅନାଇ ଦେଖିବାଲାଗି ରାଜୀ ନୁହେଁ । ଦେଶର ବାବୁ ଦେଶରେ କୁଲିଆଡ଼କୁ ଅନାଇ ଦେଖିବାକୁ ରାଜୀ ନୁହେଁ । ସମସ୍ତେ କେବଳ ଆତ୍ମସାଧନା କରୁଚନ୍ତି, ଏଦେଶରେ ସମ୍ବିଧାନ ବ୍ୟକ୍ତିର ଏହି ବିଚ୍ଛିନ୍ନ ଉଦାସୀନତାକୁ ପବିତ୍ର ବୋଲି ଘୋଷଣା କରିଚି । ପୁରୁଣା ଦୀର୍ଘଜୀବୀ ହୋଇ ରହିଚି ।

 

୨୫ । ୨ । ୬୦

 

ଏଦେଶରେ ପିଲା ପାଠ ନପଢ଼ି ଜୋତା ପାଲିସ୍ କରିବେ, ବାସନ ମାଜିବେ, ରୋଷେଇ କରିବେ, ପିଲା କାଖେଇବେ ଓ ରିକ୍ସା ଚଲାଇବେ,–କାରଣ ଏସବୁ ନକଲେ ସେମାନେ ବେକାର ହୋଇପଡ଼ିବେ, ଆପଣାର ଜୀବନସଂସ୍ଥାନ ଲାଗି ସେମାନଙ୍କ ପାଖରେ ଆଉ କୌଣସି ଅବଲମ୍ବନ ରହିବନାହିଁ । ଏଦେଶରେ ହୁଏତ କେତେକ ଲୋକ ଅଛନ୍ତି, ଯେଉଁମାନେ କି ଖାସ ଏଇଥିଲାଗି ଏକପ୍ରକାର ନିଷ୍ଠୁର ଉଦାରଭାବ ପ୍ରଦର୍ଶନ କରି ଏଇ ଦେଶର ପିଲାମାନଙ୍କୁ ଚାକର ରଖିଥାନ୍ତି, ସେମାନଙ୍କ ହାତରେ ଜୋତା ପାଲିସ୍ କରାନ୍ତି, ଘର ଝାଡ଼ୁ କରାନ୍ତି ଓ ଲୁଗା ସଫା କରାନ୍ତି । ଦୟା କହ, ଦାକ୍ଷିଣ୍ୟ କହ ବା ଉଦାରତା କହ, ମୁଁ କହିବି ଯେ ଏପରି କରିବାଦ୍ୱାରା ସେମାନେ ଏକ ଆଳସ୍ୟପରାୟଣ ସମାଜର ନିର୍ମମତାକୁ ହିଁ ପ୍ରଶ୍ରୟ ଦିଅନ୍ତି । ଏହି ଦେଶରେ ସେମାନେ ଅନେକ ଦାସତାକୁ ଚିରଞ୍ଜୀବୀ କରି ରଖନ୍ତି, ଏବଂ ଆପେ ମଧ୍ୟ ଅନ୍ଧ ସଂସ୍କାରର ଦାସ ହୋଇ ରହନ୍ତି । ଦୁନିଆଟାଯାକ ବଦଳୁଥିବା ବେଳେ ସେମାନେ କୌଣସି ପରିବର୍ତ୍ତନର ଆଘାତକୁ ଅନୁଭବ ହିଁ କରି ପାରନ୍ତିନାହିଁ । ସେଇମାନେ ସହାୟକ ହୋଇ ଦେଶଟାଯାକର ସବୁ ଜୀର୍ଣ୍ଣ, ସବୁ ପୁରାତନ ଓ ସବୁ ଅମାନବିକତାକୁ ଜୀଆଇ ରଖନ୍ତି । ଏଣେ ବହିରେ ଯେତେ ପାଠ ପଢ଼ିଲେ ମଧ୍ୟ, ଦେହଉପରେ ଯେତେପ୍ରକାର ଅନୁକରଣରେ ଯେତେ ପୋଷାକ ବାନ୍ଧିଲେ ମଧ୍ୟ, ଯେତେପ୍ରକାର ଭାଷଣ ଦେଲେ ବା ଶୁଣିଲେ ମଧ୍ୟ ତଥାପି ଦେଶରେ କୌଣସି ପ୍ରକୃତ ପରିବର୍ତ୍ତନ ହୋଇ ପାରେନାହିଁ । ଦୟାର ଅର୍ଥକୁ ପ୍ରକ୍ଷିପ୍ତ ଓ ଭ୍ରଷ୍ଟ କରି ମଣିଷ ଅତି ନିଷ୍ଠାପର ଭାବରେ ଯେ କେତେଦୂର ନିର୍ମମ ହୋଇପାରେ, ଏହା ତାହାର ଏକ ଉଦାହରଣ । କିନ୍ତୁ ମୁଁ ତ କହିବି, ମଣିଷ ମରିଯାଉ ପଛକେ, ତଥାପି ସବୁ ମଣିଷକୁ ମଣିଷ ହେବାର ସମ୍ମାନ ମିଳୁ । ମଣିଷ ଖାଇବା ବିନା ମରୁ ପଛକେ, ତଥାପି କାହାପାଖରେ ଆପଣାର ବଳ, ସମ୍ମାନ ସବୁ ବିକି ସେ ପଇସା ରୋଜଗାର କରିବାର ସର୍ବନାଶ-ଫାନ୍ଦରେ ପଡ଼ିନଯାଉ । ସେ କାହାରି ଦୟାର ଶିକାର ନହେଉ ।

 

୨୬ । ୨ । ୬୦

 

ଦିଲ୍ଲୀରେ ଶ୍ରୀ ଆର୍ ନୋଲ୍‌ଡ଼୍ ଟଏନ୍‌ବୀ ଯେତେବେଳେ ଜାତୀୟତାବାଦକୁ ମନୁଷ୍ୟତାର ଏକନମ୍ବର ଶତ୍ରୁ ବୋଲି କହୁଚନ୍ତି, ଠିକ୍ ସେତିକିବେଳେ ଆମର ପିଲାଏ ଜାତୀୟତା ଓ ଜାତିପ୍ରେମ ନାମରେ ରାଜା ଓ ରାଣୀର ଅଭିନୟ କରି ପରମ ସନ୍ତୋଷ ଲାଭ କରୁଚନ୍ତି । ଇଂରେଜଶାସନ ସହିତ ଲଢ଼ିବାବେଳେ ହୁଏତ ଆମ ଦେଶର ଲୁପ୍ତ ବିସ୍ମୃତ ମହାରାଜା ଓ ମହାରାଣୀମାନଙ୍କର ପୁନରୁଦ୍ଧାର କରି ସେଇଥିରୁ ପ୍ରେରଣା ସଂଗ୍ରହ କରିବା ଆମପକ୍ଷରେ ଶୋଭା ପାଇଥିଲା । କିନ୍ତୁ ଜାତୀୟତା ଯୁଗର ସେହି କିଶୋରାବସ୍ଥା ଶୀଘ୍ରାତିଶୀଘ୍ର ଅତିକ୍ରାନ୍ତ ହୋଇଯିବା ଉଚିତ । ଏଦେଶରେ ଆମେ ମଣିଷକୁ ଚିହ୍ନି ପାରିନାହୁଁ । ଅଳସ ଜାତୀୟତାର ଅଭିନୟ କରି ଆମେ ତାହାରି ଜରିଆରେ ମଣିଷ ସହିତ ସମ୍ମିଳିତ ହେବାର ସୁଖ ପାଇଆସିଚୁ । ମଣିଷକୁ ନଚିହ୍ନିବାର ଗ୍ଳାନିକୁ ଆମେ ତାହାରିଦ୍ଵାରା ପାସୋରିବାକୁ ଚେଷ୍ଟା କରିଚୁ । ଏ ଦେଶରେ ଗୋଟାଏ ପାଖରେ ଜାତୀୟତାର ସ୍ତୁତିରେ ଅନ୍ତ ନାହିଁ କି ଅପର ପାଖରେ ମଣିଷର ଅପମାନ କରିବାର ବି ଅନ୍ତ ନାହିଁ । ଯେକୌଣସି ନିଶା ପରି ଏହି ଜାତୀୟତାର ନିଶା ମଧ୍ୟ ମଣିଷ ହିସାବରେ ଆମକୁ ଆମର କର୍ତ୍ତବ୍ୟ ପାଖରୁ ଭୁଲାଇଦିଏ । ଆମେ ମଣିଷକୁ ଭଲପାଉ, କିନ୍ତୁ ମଣିଷ ହିସାବରେ ନୁହେଁ, ଆମ ଅହମିକାର ପ୍ରତୀକ ଏକ କାଳ୍ପନିକ ସମୂହର ପଣ୍ୟ ହିସାବରେ ଆମେ ତାକୁ ଭଲପାଉ, ତାକୁ ଆପଣାର ବୋଲି ଗ୍ରହଣ କରୁ । ଯିଏ ସେହି ସମୂହର ବାହାରେ ରାହିଯାଏ, ନାନାପ୍ରକାରର ଘୃଣାକୁ କର୍ତ୍ତବ୍ୟର ଶାଣ ଦେଇ ଆମେ ତାକୁ ଆପଣାଠାରୁ ଦୂରଛଡ଼ା କରି ରଖୁ । ତେଣୁ ଜାତୀୟତାବାଦ ଦ୍ଵାରା ଆମ ସଂସାରରେ ଯେତିକି ଘୃଣା ବଢ଼ିଚି, ତାହାର ତୁଳନାରେ ଶ୍ରଦ୍ଧା ଆଦୌ ବଢ଼ିନାହିଁ । ମଣିଷକୁ ଏକ ଚରମ ସମ୍ପଦରୂପେ ଚିହ୍ନିବାଲାଗି ଯାହାର ସାହାସ ନଥାଏ, କେବଳ ସେହି ମଣିଷ ନାନା କଳ୍ପିତ ସମୂହର ଆବରଣ ଭିତରେ ଆଶ୍ରୟ ନେବାକୁ ଭଲ ପାଏ । ବେଳେବେଳେ ଯିଏ ଆପଣା ଜାତିକୁ ଭଲପାଏ, ଏହି ଅବାସ୍ତବ ସମୂହର ମର୍ମହୀନ ଭାବପ୍ରବଣତା ଭିତରେ ବୁଡ଼ିରହି ଯିଏ ଆପଣାର ପଡ଼ୋଶୀକୁ ମଧ୍ୟ ଚିହ୍ନି ପାରେନାହିଁ, ସେ ମଣିଷର ମାର୍କାଟା ଛଡ଼ା ଆଉ କିଛି ଚିହ୍ନି ପାରେନାହିଁ । ଭାରତର ଯୁବଶକ୍ତିକୁ ଏହି ଅଭିନୟର ସ୍ତରରୁ ଯେତେଶୀଘ୍ର ମନୁଷ୍ୟଜୀବନର ବାସ୍ତବ ସ୍ତରକୁ ଉତ୍ତୋଳିତ କରି ନିଆଯାଏ, ଏହି ବେଗପକ୍ଷରେ ତାହା ସେତେ ମଙ୍ଗଳର ବିଷୟ ହେବ । ସମଗ୍ର ପୃଥିବୀପକ୍ଷରେ ମଧ୍ୟ ତାହା ସେତିକି ମଙ୍ଗଳର ବିଷୟ ହେବ ।

 

୨୭ । ୨ । ୬୦

 

ନାଟକ ଦେଖୁଥିଲା ବେଳେ ଶୋଷଣ ଓ ଅତ୍ୟାଚାର ବିରୁଦ୍ଧରେ ଘନଘନ ତାଳି ଉଠେ । ଦର୍ଶକ ଆପଣାକୁ ଗୋଟାସୁଦ୍ଧା ନ୍ୟାୟ ପକ୍ଷର ସୈନିକ ରୂପେ ବାହାର କରିନିଏ । କିନ୍ତୁ ତଥାପି ନାଟକର ସେହି ଅଭିନୟ ପରି ଦର୍ଶକ ମନର ଏହି ଉତ୍ତେଜନା ଓ ଏହି ପରିବର୍ତ୍ତନ ମୁହୂର୍ତ୍ତେ ଆସି ପରବର୍ତ୍ତୀ ମୁହୂର୍ତ୍ତରେ କୁଆଡ଼େ ଅନ୍ତର୍ହିତ ହୋଇଯାଏ । ଖାଲି ସାହିତ୍ୟ ପଢ଼ିଲେ ବା ନାଟକ ଦେଖିଲେ ମଣିଷର ହୃଦୟରେ ଯେଉଁ ନିର୍ମଥନ ହୁଏ, ସେହି ନିର୍ମଥନ ସବୁବେଳେ ମଣିଷର ଜୀବନରେ ଅନୁରୂପ ପରିବର୍ତ୍ତନ ଆଣି ପାରେନାହିଁ । ଯଦି ସାହିତ୍ୟ ପଢ଼ିବା ବା ନାଟକ ଦେଖିବା ଦ୍ଵାରା ହିଁ ମଣିଷ ବଦଳି ଯାଉଥାନ୍ତା, ତେବେ ସମାଜ କୋଉଦିନୁ ବଦଳି ସାରନ୍ତାଣି । ମୁଁ ବେଳେବେଳେ ଭାବେ, ସଂସ୍କୃତି ନାମରେ ଏହିସବୁ ଆୟୋଜନ ମଣିଷର ମନରେ ଅଫିମ ପରି କାମ କରୁନାହିଁ ତ ? ଏହା ମଣିଷକୁ ଶୁଆଇ ପକାଉ ନାହିଁ ତ ? ଦେଶରେ ସିନେମା ଥିଏଟରର ସଂଖ୍ୟା ବଢ଼ୁଚି, ସେ ସବୁ ଦେଖୁଥିବା ଓ ଉପଭୋଗ କରୁଥିବା ଲୋକଙ୍କର ସଂଖ୍ୟା ବଢ଼ୁଚି । ଜୀବନ ଓ ଉପସ୍ଥିତ ବର୍ତ୍ତମାନର ସମସ୍ୟାଗୁଡ଼ିକର ସମ୍ମୁଖୀନ ହୋଇ ନପାରି ମଣିଷ ଅତି ବିକଳ ହେଲାପରି ମୁହୂର୍ତ୍ତକର ବିକ୍ଷେପ ପାଇଁ ସିନେମା ଦେଖି ଦଉଡ଼ିଯାଉଚି, ଥିଏଟର ଦେଖି ଦଉଡ଼ି ଯାଉଚି । ସେଇଠି କାନ୍ଦି, ସେଇଠି ରାଗି ଓ ସେଇଠି ସମସ୍ୟାଗୁଡ଼ାକର ସମାଧାନ ପାଇ ସିଏ ସବୁ ଅଡ଼ୁଆ ତୁଟିଗଲା ବୋଲି ଗୋଟାଏ ପ୍ରକାର ଭ୍ରମରେ ପଡ଼ିଯାଉଚି । ଏହି ଭ୍ରମ ତାକୁ ପ୍ରକୃତରେ ଶୁଆଇ ପକାଉଚି । ଆପଣାକୁ କୌଣସି ଯଥାର୍ଥ ପରିବର୍ତ୍ତନ ଲାଗି ପ୍ରସ୍ତୁତ କରିବାର ଆହ୍ଵାନରୁ ସେ ତାକୁ ବଞ୍ଚାଇ ରଖୁଚି ।

 

୨୮ । ୨ । ୬୦

 

ଏଇ କେତେଦିନ ହେଲା ଯେପରି ମୋର ଖିଅ ସବୁଠାରେ ଛିଡ଼ିଛିଡ଼ି ଯାଉଚି । ବଡ଼ ଏକୁଟିଆ ମନେହେଉଚି । ସତେଯେପରି ମୋ’ପାଖରେ କେହି ନଥିଲାପରି ଲାଗୁଚି । ଏହି ଦୁର୍ଦ୍ଦଶା ମୋର ଅନ୍ୟାନ୍ୟ ସବୁ ଦୁର୍ଦ୍ଦଶାଠାରୁ ବଳି ପଡ଼ିଚି । ହଁ, ସବୁଠାରୁ ଖିଅ ଛାଡ଼ିଯାଉଚି । ନାନା ଜାଗାରେ ନାନା ସ୍ନେହ ଓ ସମ୍ପର୍କର ଖିଅ ଲଗାଇ ମୁଁ ଜୀବନକୁ ସମୃଦ୍ଧ କରି ରଖିବାର ଯୋଜନା କରିଥିଲି । ଆଜି ଜୀବନର ଅଧବାଟରେ ହଠାତ୍ ସେହିସବୁ ଯୋଜନା ଯେପରି ଛିନ୍ନଭିନ୍ନ ହୋଇଯିବାକୁ ବସିଚି । କିଛି ଭଲ ନାଲାଗିବାର ଏକ ପ୍ରବଳ ରୋଗ ମୋତେ ଗ୍ରାସ କରି ପକାଉଚି-। ସତେଯେପରି କୌଣସି ଦୁରାତ୍ମା ମୋ’ ଆଗରେ ଠିଆହୋଇ ମୋତେ ଧମକ ଦେଇ କହୁଚି : ତୁ ଏପର୍ଯ୍ୟନ୍ତ ଜୀବନରେ ଯାହାକୁ ଭଲ ବୋଲି ଗ୍ରହଣ କରି ଆସିଥିଲୁ, ବର୍ତ୍ତମାନ ତୋତେ ଗୋଟିଗୋଟି କରି ସେ ସବୁକୁ ଛାଡ଼ିଦେବାକୁ ପଡ଼ିବ । ତା’ନହେଲେ ତୋତେ ଏକାକୀ ରହିବାକୁ ହିଁ ପଡ଼ିବ । ମୁଁ ଏକାକୀ ରହିବାକୁ ହିଁ ରାଜୀ ଅଛି, କିନ୍ତୁ ଜୀବନର ସମସ୍ତ ଖମ୍ବକୁ ମୁଁ ଗୋଟିଗୋଟି କରି ଭୁଷୁଡ଼ାଇ ପକାଇବାକୁ ଆଦୌ ରାଜୀ ନୁହେଁ । କେବଳ କେତେଟା ସ୍ଵୀକୃତି ସୁଖ ଭୋଗ କରିବାଲାଗି ମୁଁ ଜୀଇ ରହିବାକୁ ଚାହେନାହିଁ । ଏହି ଜୀବନ ଓ ମୋର ନିର୍ବାଚନ ମଧ୍ୟରେ ଯେଉଁ ଦ୍ଵିଧା ରହିଚି, ମୋତେ ତାହାହିଁ ଦହନ କରି ମାରୁଚି, ତାହାହିଁ ମୋର ଖିଅଗୁଡ଼ାକୁ ଚାରିଆଡ଼ୁ କାଟି ପକାଇଲା ପରି ଲାଗୁଚି । ବେଳେବେଳେ ମନେହେଉଚି, ଯେପରି ଭଗବାନଙ୍କଠାରୁ ମଧ୍ୟ ମୋର ଖିଅ ଛିଡ଼ିଗଲାଣି । ମୁଁ ଯେଉଁ ବାତାବରଣ ଭିତରେ ରହିଚି, ସେଠାରେ ମଣିଷର ଖାଲ ବାହାରର ସାଜସଜ୍ଜାଗୁଡ଼ାକ ବଡ଼ ଧୂମଧାମରେ ଚାଲିଚି । ମଣିଷ ଗୋଟାଏ କଥା କହୁଚି ତ ଆଉଗୋଟାଏ କଥା କରୁଚି । କହିଦେଇ ସେ କରିବାର ପ୍ରଶଂସା ପାଉଚି । ଏହାରି ଭିତରେ ଛନ୍ଦିହୋଇ ତଥାପି କିପରି ଭଗବାନଙ୍କ ସହିତ ସମ୍ବନ୍ଧ ରହିପାରିବ ? ପ୍ରକୃତରେ ଏହି ଦୁଃଖ ବଡ଼ ଦାରୁଣ । ବାରବାର ଅଭିନୟ କରିବାକୁ ଆଉ ଭଲ ଲାଗୁନାହିଁ । ଜାଗିରଖି କଥା କହିବାକୁ, ନିଜପାଖରେ ମିଛ ହୋଇ ବାହାରେ ସତ ବୋଲି ପ୍ରମାଣ ଦେଲାବେଳକୁ ଭିତରେ ସର୍ବସ୍ଵାନ୍ତ ହୋଇ ପଡ଼ିଲାପରି ଲାଗୁଚି । ଏସମସ୍ତ ଛାଡ଼ି ପଳାଇବାକୁ ହେବ, ଅର୍ଥାତ୍ ଏସବୁକୁ ଅସ୍ଵୀକାର କରିବାକୁ ହେବ । ତା’ନହେଲେ ନିଜପାଖରେ ସ୍ଵୀକାର ପାଇବା ସମ୍ଭବ ହେବନାହିଁ । ଏଇ ଅଭିନୟ କରିକରି ଭିତରେ ନିଜକୁ ବଡ଼ ଦୁର୍ବଳ ଲାଗିଲାଣି । ଦେହ ଓ ମନ ସବୁ ଜୀର୍ଣ୍ଣ ହୋଇ ଆସିବାପରି ମନେହେଉଚି, ଏ ଜୀବନଟାକୁ ସତେଅବା ଆଉ କାହାପାଇଁ ବଞ୍ଚୁଥିବା ପରି ଲାଗୁଚି ।

 

୨୯ । ୨ । ୬୦

 

ଏହି ବିଭକ୍ତ ଜୀବନ ବଞ୍ଚିବା ଯେତେଦିନଯାଏ ଲାଗି ରହିଥିବ, ସେତେଦିନଯାଏ ଜୀବନରେ ଶାନ୍ତି ନାହିଁ । ସେତେଦିନ ପର୍ଯ୍ୟନ୍ତ କୌଣସି ସ୍ଥାନରେ କୌଣସି ଖିଅ ଲଗାଇ ବଞ୍ଚିପାରିବା ମୋ’ପକ୍ଷରେ ଆଦୌ ସମ୍ଭବ ନୁହେଁ । ଏଭଳି ଖିଅଛିଣ୍ଡା ବଞ୍ଚିବାଠାରୁ ମୁଁ ମରଣକୁହିଁ ଶ୍ରେୟସ୍କର ମନେକରିବି । ମୋର ଆପଣାମନର ତାତିରେ ସରସତା ଓ ସବୁ ଭଗବାନ ମୋର ଜୀବନରୁ ନିର୍ବାସିତ ହୋଇ ସାରିଲେଣି । ଯିଏ ଅସନ୍ତୋଷର ଜ୍ଵାଳାରେ ଦିନରାତି ଦହିହୋଇ ମରୁଚି, ସିଏ ଆପଣାର ଜୀବନରେ ଭଗବାନଙ୍କ ଲାଗି ସ୍ଥାନ ପ୍ରସ୍ତୁତ କରିପାରିବ କୁଆଡ଼ୁ ? ଯାହା ପାଖରେ ଶ୍ରଦ୍ଧାର ସ୍ଥାନ ଏତେ ଟିକିଏ ନାହିଁ ଯିଏ ଆପଣା ଘରଭିତରେ ତଥାପି ବିଦେଶୀ ହୋଇ ରହିଚି, ଭଗବାନଙ୍କ ସିଏ କେଉଁ ଘରକୁ ଡାକି ନେଇଆସି ପଡ଼ିବ । ଜୀବନରେ ସମସ୍ତଙ୍କ ସହିତ ମିଶି ମୁଁ ସବୁଠାରୁ ଅଧିକ ଆନନ୍ଦ ଅନୁଭବ କରୁଥିଲି । ସମସ୍ତଙ୍କ ପାଇଁ ଜୀବନ ବଞ୍ଚି ଜୀବନଟା ଆଦୌ ବୋଝ ପରି ମନେ ହେଉନଥିଲା । ଜୀବନ ବଞ୍ଚିବା ସଙ୍ଗେସଙ୍ଗେ ମୁଁ ନିଜେ ମଧ୍ୟ କ୍ରମେ ପ୍ରସ୍ଫୁଟିତ ହୋଇ ଯାଉଥିଲି । କିନ୍ତୁ ଇଏ କଅଣ ହେଲା ? ମୁଣ୍ଡଭିତରେ ଏତେ ଶଙ୍କା ଓ ଅସହଜତାର ବୋଝ କିଏ ଆଣି ଭର୍ତ୍ତି କରିଦେଲା ? ମୋର ଚାରିପାଖରେ ଯେଉଁ ମଣିଷ ଅଛନ୍ତି, ମୁଁ ସେମାନଙ୍କୁ ଅସ୍ଵୀକାର କରିବି, ଆପେ ସବୁ ଦଉଡ଼ି ଛାଡ଼ିଦେଇ ଖାଲି ଭୋଗ କରିବି, ସଂସାରରେ ସୁଅ ଓ ସନ୍ତୋଷର ସାମ୍ରାଜ୍ୟ ପ୍ରତିଷ୍ଠିତ ହେବ ବୋଲି ବତ୍କୃତା ଦେଇ ବୁଲିବି,–ଏସବୁ କେତେଦିନଯାଏ ଚାଲିଥିବ ? ଏହି ଦ୍ଵିଖଣ୍ଡିତତା ମୋତେ ସତେଅବା ଅଧେ ମାରି ସରିଲାଣି । ଏହାରି ଆଘାତରେ ଜୀବନର ଖିଅ ବି ଚାରିଆଡ଼ୁ ଛିଡ଼ି ଆସିଲାଣି । ସମସ୍ତଙ୍କୁ ଶ୍ରଦ୍ଧା କରିବାର, ଚାରିଆଡ଼କୁ ଅନାଇ ଶ୍ରଦ୍ଧାରେ ଅଭିଭୂତ ହୋଇ ପଡ଼ିବାର ହୃଦୟଟିକୁ ମଧ୍ୟ ମୁଁ ସତେଯେପରି କେତେ ପଛରେ ହରାଇଦେଇ ଆସିଲାଣି । ଯେପରି ଜବରଦସ୍ତ ବଞ୍ଚିବାଟା ହିଁ ଏବେ ଅବଶେଷ ରହିଯାଇଚି । କିନ୍ତୁ ଏହିପରି ଜୀଇବା କ୍ରମେ ଦୁଃସହ ହୋଇଉଠୁଚି ।

 

୧ । ୩ । ୬୦

 

ବରାଦଦିଆ କାମ ଯେ ମୋ’ ଦ୍ଵାରା ହୋଇ ପାରିବନାହିଁ, ଏହିକଥାର ଆଉଗୋଟିଏ ପ୍ରମାଣ ପାଇଲି । ଗୋଟାଏ ଲେଖା ନିର୍ଦ୍ଦିଷ୍ଟ ଏତେଦିନ ଭିତରେ ଲେଖିଦେବାର ବରାଦ ଆସିଥିଲା-। ଗତ ପ୍ରାୟ ତିନିସପ୍ତାହ ହେଲା ମୁଁ ତାହାରି ପଛରେ ଲାଗି ରହିଥିଲି । ବାରବାର ଲେଖିବାଲାଗି ବସି ବାରବାର ଲେଖିବାର ଦିନକୁ ଘୁଞ୍ଚାଇ ଦେଉଥିଲି । ନାନାପ୍ରକାର ବାହାନା କରି ମୁଁ ଏହି କାମଟିକୁ ଏଡ଼ିବାର ଚେଷ୍ଟା କରୁଥିଲି । ଖାଲି ମୁଣ୍ଡରେ କଲମ ନେଇ ବସିବାକୁ ସତେଯେପରି କାହାର ଦଣ୍ଡଭୋଗ ପରି ମନେ ହେଉଥିଲା । ନିଜଭିତରେ ଯେ ମୁଁ କେତେ ଅଶ୍ୱସ୍ତି ଓ ବିରକ୍ତ ଅନୁଭବ କରୁଥିଲି, ସେ କଥା ମୁଇଁ ଜାଣେ । ପ୍ରତ୍ୟେକଟି ଶବ୍ଦ ଓ ପ୍ରତ୍ୟକଟି ବାକ୍ୟ ପାଇଁ କସରତ କରିବାକୁ ପଡ଼ୁଥିଲା, ଗୋଟିଏ ବାକ୍ୟ ପରେ ପୁଣି ଆଉଗୋଟିଏ ବାକ୍ୟ ପାଇବାକୁ ବୁଦ୍ଧି ଖରଚ କରିବାକୁ ପଡ଼ୁଥିଲା । ତଥାପି ମୁଁ ଯାହା ଲେଖୁଥିଲି, ତାହା ମୋର ବୋଲି ଆଦୌ ମନେ ହେଉନଥିଲା । ଆପଣାକୁ ମୁଁ ଭଲକରି ଜାଣିଚି । ଅଧୀରତାବଶତଃ ଆପଣାପ୍ରତି ବେଳେବେଳେ କ୍ଷୁବ୍ଧ ହୋଇ ପଡ଼ୁଥିଲେ ମଧ୍ୟ ଆପଣାର ପ୍ରକୃତିକୁ ମୁଁ ବେଶ୍ ଜାଣେ । ଯେଉଁଦିନ ଭିତରର ଦରଜ ଆପେଆପେ ଖୋଲିଯାଏ, ସେଦିନ ବିଷୟ ବି ଆପେଆପେ ଆସି ଜୁଟିଯାଏ । ଶବ୍ଦ ଓ ବାକ୍ୟ ଆପେଆପେ ଜୁଟିଯାଏ, ସେଦିନ ମୁଁ ଉପଯୁକ୍ତ ଶବ୍ଦ ଓ ଉପଯୁକ୍ତ ବାକ୍ୟଗୁଡ଼ାକୁ ଆଖିଆଗରେ ଦେଖିବାକୁ ପାଏ । ସେଦିନ କୌଣସି ପରିଶ୍ରମ କରିବାକୁ ପଡ଼େନାହିଁ, ଆପଣାଉପରେ ଆଉ ବିରକ୍ତ ହେବାକୁ ପଡ଼େନାହିଁ । ସେଦିନ ଭିତର ସହିତ ବାହାର ସହଯୋଗ କରେ, ସତେଅବା କାହାର ପାଇ ବୁଦ୍ଧି ପରିକର ହୋଇ ବାହାରେ, ମୋର ସ୍ମରଣଶକ୍ତି ତିଆରି ହୋଇଯାଏ ଏବଂ ସେଦିନ ମୁଁ ଯାହାକିଛି ଲେଖେ, ତାହା ମୋ’ର ବୋଲି ଲାଗେ । ତାହା ଲେଖି ମୁଁ ଅନେକ ପରିତୃପ୍ତି ପାଏ । କିନ୍ତୁ ଯେତେବେଳେ ମୁଁ ପ୍ରସ୍ତୁତ ନଥାଇ କୌଣସି କର୍ମଭାର ବାହାରୁ ଆସି ମୋ’ ଉପରେ ପଡ଼େ, ସେତେବଳେ ମୋର ସମସ୍ତ ଅନ୍ତର୍ଗତ ସଙ୍ଗଠନ ଭାଙ୍ଗିପଡ଼େ । ମୁଁ ବଡ଼ ଦୁର୍ବଳ ହୋଇପଡ଼େ-। ସେତେବେଳେ ବିରକ୍ତି ଓ ବ୍ୟଗ୍ରତାର ସୀମା ରହେନାହିଁ । ଆପଣାକୁ ନାନାଭାବେ ଶାସ୍ତି ଦେବାକୁ ଇଚ୍ଛା ହୁଏ । ସେଦିନ ଆପଣାପ୍ରତି ଭାରି ଦୟା ହୁଏ । ଗତ ତିନୋଟି ସପ୍ତାହକାଳ ଆପଣାର ଅପରାଗତା ବିଷୟରେ ଭାବି ଭାବି ମୁଁ ପ୍ରକୃତରେ କେତେ ସମୟ ନଷ୍ଟ ନକଲି ! ଆପଣାକୁ କେତେ କଷ୍ଟ ନଦେଲି, ଆପଣା ଉପରେ କେତେଥର ପଶୁପରି ଆଚରଣ ନକଲି ! ଇଏ ବି ଗୋଟାଏ ଶିକ୍ଷା-!

 

୨ । ୩ । ୬୦

 

ମୋତେ ନେଇ ମୁଁ ଅହଂକାର କରେ, ମୋତେ ନେଇ, ମୁଁ ଲଜ୍ଜିତ ହୁଏ । ମୋତେ ନେଇ ବେଳେବେଳେ କେତେ ଭର୍ତ୍ସନା କରେ, କେତେ ଛୋଟ ହୁଏ, ଏହି ସଂସାର ଭିତରେ ଆପଣାକୁ କେତେ ହୀନ ମନେକରେ । ମୋ’ରି ଭିତରେ ଥିବା କାହା ଉପରେ ଭାରି ବିରକ୍ତ ହୋଇ ମୁଁ ତାକୁ ଶାସ୍ତି ଦେବାଲାଗି ନାନା ଆୟୋଜନ କରେ । ପୁଣି ସେଇ ମୋତେ ନେଇ ଅନୁପ୍ରାଣିତ ହୁଏ, ଅନୁପ୍ରେରିତ ମଧ୍ୟ ହୁଏ । ତାହାରି ଛଡ଼ା ସଂସାରରେ ମୋ’ର ଅଧିକ ପ୍ରିୟ ଆଉ କେହିନାହିଁ ବୋଲି ମୁଁ ବେଳେବେଳେ ଭାବିଥାଏ । କାରଣ ମୋ’ରି ଜରିଆରେ ହିଁ ମୁଁ ସାରା ସଂସାରର ମର୍ମପ୍ରବେଶ କରିପାରେ, ସାରା ସଂସାରକୁ ଭଲ ପାଏ । ବେଳେବେଳେ ମୋର ସକଳ କାର୍ଯ୍ୟରେ ମୁଁ ଭିତରୁ କାହାର ସଂପୂର୍ଣ୍ଣ ସହଯୋଗ ପାଏ । କିନ୍ତୁ ପୁଣି ବେଳେବେଳେ ସେଇ ମୋ’ରି ଭିତରୁ ହିଁ ଯାବତୀୟ ପ୍ରକାରର ଅନିଚ୍ଛା ଓ ବୈରାଗ୍ୟ ଜାତ ହୁଏ । ଦିନେଦିନେ ସେଇ ମୋ’ରି ଭିତରୁ କିଏ ବାହାରି ସଂସାରରେ ସବୁଆଡ଼େ ଖେଳି ବୁଲିବାକୁ ଲାଗେ । ଏହି ଆଲୁଅ, ଆକାଶ ଓ ପବନ ପରି ବଡ଼ ସ୍ଵାଭାବିକ ହୋଇଯାଏ । ପୁଣି ଦିନେ ଦିନେ ସତେ ଯେପରି ସଂସାର ସହିତ ସବୁ ସୂତ୍ର ଛାଡ଼ିଯାଏ, ମୋ’ରି ଭିତରେ କିଏ ସତେଅବା ଅଣନିଶ୍ଵାସୀ ଓ ଏକାକୀ ହୋଇ ରୋଦନ କରିବାକୁ ଲାଗେ । ଏ ‘ମୁଁ’ କିଏ ? କିଏ ମୋର ଏତେବଡ଼ ବନ୍ଧୁ, ଅଥଚ ମୋର ଏଡ଼େ ଅପରିଚିତ ? ମୋର ଏତେ ଆପଣାର, ଅଥଚ ମୋ’ ଅକ୍ତିଆରର ଏତେ ବାହାରେ ? ସେଲ ‘ମୁଁ’ ବେଳେବେଳେ କାହିଁକି ଏପରି ଦୁର୍ବଳ ହୋଇପଡ଼େ ? ପୁଣି କାହିଁକି ବେଳେବେଳେ ସଂସାର-ଯାକର ସବୁ ବଳ ଓ ବିଶ୍ଵାସକୁ ଏକାଠି କରି ସେ ଆପେ ଆପେ ବାଟ ଚାଲି ବାହାରିପଡ଼େ ?

 

୩ । ୩ । ୬୦

 

The art of contemplation is also the art of living,-ଧ୍ୟାନ କରିବାର କଳା ଦେଉଚି, ଜୀବନ ବଞ୍ଚିବାର କଳା । କାଲି ରେଡ଼ିଓରେ ଶ୍ରୀଯୁକ୍ତ ଟଏନ୍‌ବୀଙ୍କର ଏକ ଭାଷଣରେ ମୁଁ ଏହି ବାକ୍ୟଟି ଶୁଣିବାକୁ ପାଇଲି । ଭାରତର ଆଦର୍ଶ ଧ୍ୟାନର ଆଦର୍ଶ, ଭାରତର ଜୀବନ ଧ୍ୟାନମୟ ଜୀବନ, ଭାରତର ବାଟ ଧ୍ୟାନର ବାଟ । ସିଏ ତରତର ହୋଇ ଜୀବନର ସକଳ ସାମଗ୍ରୀ ଓ ସକଳ ଅବସରକୁ ଲୋଭୀ ପରି ଆତ୍ମସାତ୍ କରେ ଜୀବନର ଆନନ୍ଦର ସିଏ କୌଣସି ଭାଗ ପାଇ ପାରେ ନାହିଁ । ଜିନିଷ ପରେ ଜିନିଷ ଜମା ହୁଏ, ସଂଗ୍ରହର ଉତ୍ତେଜନାରେ ଅନ୍ତ ରହେନାହିଁ । ସଂସାରରର ନାନା ଦଉଡ଼ରେ ଯେତେ ମାତି ରହିଲେ ମଧ୍ୟ ଭିତରେ ଅତୃପ୍ତିର ଦହନ ତଥାପି ଶାନ୍ତ ହୁଏନାହିଁ । ଗୋଟାଏ ପ୍ରକାରର ଆସକ୍ତି ଓ ହାତମୁଠାରେ ଧରି ରଖିବାର ପ୍ରମତ୍ତତା ଆମକୁ ଏହି ଜୀବନ ଭିତରେ ତଥାପି ଜୀବନର ଆନନ୍ଦରୁ ବଞ୍ଚିତ କରି ରଖେ । ଗୋଟାଏ ଦେଶ ଆଉ ଗୋଟାଏ ଦେଶର ବିରୁଦ୍ଧରେ ଯୁଦ୍ଧ ଘୋଷଣା କରେ । ଗୋଟିଏ ବାଦ ଆଉ ଗୋଟାଏ ବାଦର ନିପାତ ଚାହେ । ପ୍ରତିଯୋଗିତା ଏବଂ ଅସହିଷ୍ଣୁତାର ଆଦିମ ମେଳାରେ ଉତ୍ତେଜନା ଯେତିକି ବଢ଼େ, ମଣିଷପଣିଆ ସେତିକି କମିଯାଏ, Humour ସେତିକି ନଷ୍ଟ ହୋଇଯାଏ । ସେଥିପାଇଁ ଭାତରବର୍ଷ ସବୁବେଳେ ଧାନ ଉପରେ ଯୋଡ଼ା ଦେଇଆସିଚି, ଭୋଗର ବ୍ୟର୍ଥ ଜୀବନ ଠାରୁ ଉପଲବ୍‌ଧର ସମ୍ପନ୍ନ ଜୀବନରୁ ଉଚ୍ଚତର ସ୍ଥାନ ଦେଇଚି । ଭାରତର ଦର୍ଶନ ଓ ଧର୍ମ ସହିଷ୍ଣୁତାର ସନ୍ଦେଶ ପ୍ରଚାର କରିଚି । ବର୍ତ୍ତମାନ ସଂସାରଯାକ ଦଳିଦେବାର ଓ ଧ୍ଵଂସ କରି ଦେବାରେ ଯେଉଁ ତାତି ଦେଖାଯାଉଚି, ଜୀବନରୁ ଭ୍ରଷ୍ଟ ହୋଇ ଓ ଏକ ଜ୍ଵାରାକ୍ରାନ୍ତ ମନୋଭାବକୁ ଆଦର୍ଶ ବୋଲି କହି ଆଜି ଜଗତଯାକ ଯେତେ ଅସ୍ଵାଭାବିକତା ପ୍ରକାଶ ପାଉଚି, ସେଥିପାଇଁ ସହିଷ୍ଣୁତା ହେଉଚି ସବୁଠାରୁ ବଡ଼ ଔଷଧ । ବାହାରର ସକଳ ବିଭେଦ ଓ ଗଠନ ପାର୍ଥକ୍ୟ ସତ୍ତ୍ୱେ ତଥାପି ଅନ୍ତର୍ଗତ ସମାନତାକୁ ଚିହ୍ନିରଖିବା ହେଉଚି ଏଯୁଗରେ ସବୁଠାରୁ ବଡ଼ ବାଟ । ଭାରତ କ’ଣ ତଥାପି ସେହି ବାଟରେ ବିଶ୍ଵାସ ରଖି ପାରିବ ? ଭାରତ କ’ଣ ତଥାପି ବଳିଷ୍ଠ ରହି ଜଗତକୁ ସହିଷ୍ଣୁତାର ମାର୍ଗ ଦେଖାଇ ପାରିବ ? ଏହା ଏକ ବିରାଟ ଆହ୍ଵାନ ।

 

୪ । ୩ । ୬୦

 

ବେଶରେ ସରଳ ହେବା ମୋର ନହେଲା ପଛକେ, ମୁଁ ଯେପରି ମନରେ ସରଳ ହେବାକୁ ସତତ ଚେଷ୍ଟା କରୁଥାଏ ! ହୃଦୟରେ ସରଳ ହେବାପାଇଁ ମୁଁ ଯେପରି ସବୁବେଳେ ତତ୍ପର ହୋଇ ରହିଥାଏ ! କାଲି ଶିକ୍ଷକଣ୍ଡଳୀରେ କଥା ପଡ଼ୁପଡ଼ୁ ଜଣେ କିଏ କହିଲେ ଯେ ଏହି ବିଦ୍ୟାପୀଠରେ ପିଲାମାନଙ୍କୁ ସରଳ ଜୀବନ ଯାପନ କରିବା ଶିଖାଇବାକୁ ହେବ । ଆଉଜଣେ କହିଲେ ଯେ ସେଥିପାଇଁ ଆମକୁ ଅର୍ଥାତ୍ ଶିକ୍ଷକମାନଙ୍କୁ ସରଳ ଜୀବନର ଦୃଷ୍ଟାନ୍ତ ଦେଖାଇବାକୁ ହେବ । ତୃତୀୟ ଜଣକଠାରୁ ଜବାବ ଆସିଲା ଯେ ସରଳତା ଓ ଅବିନ୍ୟସ୍ତତା ଭିତରେ ଯେପରି ଏକ ସ୍ପଷ୍ଟ ସୀମା ରେଖା ସବୁବେଳେ ରହେ, କାରଣ ସରଳତା ନାମରେ ଅନେକ ଲୋକ ଅନେକ ସମୟରେ ଆପଣାର ବେଶକୁ ବଡ଼ ଅବିନ୍ୟସ୍ତ ଓ ଯତ୍ନହୀନ କରିପକାନ୍ତି । ଏହିକଥା ଶୁଣି ଆଉଜଣେ କହିଲେ, ସରଳତାର ଅର୍ଥ ହେଉଚି ଯେ ଦୁଇଶହ ପଚାଶଟଙ୍କା ମାସିକ ବେତନ ପାଇ ଆମପକ୍ଷରେ କୋଡ଼ିଏ ଟଙ୍କାର ରେଶମ ଟାଇ କିଣିକରି ପିନ୍ଧବା ଉଚିତ ନୁହେଁ । କଥାରେ କଥା ବାଜି ଉତ୍ତେଜନା ସୃଷ୍ଟି ହେଲାପରି ଆଉଜଣେ କହିଲେ, ଟାଇ ପିନ୍ଧାବାରେ କି ଲାଭ ? ମୁଁ ଚୁପ ହୋଇ ସବୁ ଶୁଣୁଥାଏ । ମଣିଷର ବେଶରୁ ତା’ର ସରଳତା ଧରା ପଡ଼େନାହିଁ । ଅନେକ ସମୟରେ କୁଟିଳ ମନକୁ ଘୋଡ଼ାଇ ରଖିବାପାଇଁ କେହିକେହି ବାହାରେ ସରଳ ବେଶ ଧାରଣ କରିଥା’ନ୍ତି । ହିଁ, ଏକଥା ଠିକ୍ ଯେ ଯାହାର ମନ ସରଳ ହୋଇ–ଥାଏ, ତା’ର ବାହ୍ୟ ବେଶରୁ ମଧ୍ୟ କ୍ରମେ ନାନାପ୍ରକାର ଜଟିଳତା ଓ ଅନାବଶ୍ୟକତା ଖସିଖସି ଯାଏ, ଆପଣାର ପୋଷାକ ବିଷୟରେ ସେ କମ୍ ସଚେତନ ରହେ କିନ୍ତୁ ଭିତରେ କୌଣସି ପ୍ରକାର ସରଳତାକୁ ଜୀବନର ଦୃଷ୍ଟି ରୂପେ ନମାନି ବୋଲି କହିବି । ତେଣୁ ମୋର ବେଶକୁ ବଦଳାଇ ଦେବାଟାକୁ ମୁଁ ମାରାତ୍ମକ ବୋଲି କହିବି । ତେଣୁ ମୋର ବେଶ ପଛକେ ସରଳ ନହେଉ, କିନ୍ତୁ ମୋର ମନ ଯେପରି ସିଧା ହେଉ, ଅନ୍ୟପ୍ରତି ସ୍ନେହ ରଖୁ, ଧ୍ୟାନ ରଖୁ,-କୌଣସି ପ୍ରକାରେ ସ୍ଵାର୍ଥସଚେତ ନ ହେଉ !

 

୫ । ୩ । ୬୦

 

ମୋତେ ମୋର ବାଟରେ ଚାଲିଯିବାକୁ ହିଁ ପଡ଼ିବ । କୌଣସି ପ୍ରକାର କୋଳାହଳ ବା ଅଭିଯୋଗ ନକରି, କୌଣସି ପ୍ରକାରେ ଆପଣାକୁ ଦେଖାଇ ହେବାକୁ ଚେଷ୍ଟା ନକରି ଅତି ନୀରବରେ ଆପଣାର ବାଟରେ ଯିବାକୁ ପଡ଼ିବ । ମୋର ବାଟ ଅନ୍ୟ ସବୁବାଟ ଠାରୁ ସୁନ୍ଦର ବାଟ ବା ସହଜ ବାଟ, ଯିଏ ଅନ୍ୟ ଆଗରେ ଏପରି ବଡ଼େଇ କରେ, ସିଏ ବାଟ ଚାଲି ଜାଣେନାହିଁ । ଆପଣାର ବାଟ ବିଷୟରେ ମୁଁ କଦାପି ଏପରି ଦାବୀ କରିବାକୁ ଯିବିନାହିଁ । ତେଣୁ ଏହା ଯେ ମୋର ବାଟ, ତେଣୁ ମୋର ଅତି ଆପାଣାର ନିକଟର, ମୁଁ ସବୁବେଳେ ଏହାହିଁ କହିବି । ଏହାହିଁ ସ୍ଵଧର୍ମ । ଯଦି କେଉଁଠି ଝୁଣ୍ଟିବାକୁ ପଡ଼େ, ଯଦି କେଉଁଠି ବିଲୁପ୍ତ ହୋଇ ଯିବାକୁ ପଡ଼େ, ତେବେ ମୋର ସେଥିଲାଗି ତଥାପି କୌଣସି ଆପତ୍ତି ରହିବନାହିଁ । ମୁଁ ସେଥିପାଇଁ କୌଣସି ବାଟରେ ହୁଡ଼ିଯିବାକୁ ଚାହେନାହିଁ । କାରଣ ମୁଁ ଜାଣେ ଯେ ମଣିଷ ସଂସାରରକୁ ଆସିବା ପୂର୍ବରୁ ତା’ପାଇଁ କୌଣସି ବାଟ ତିଆରି ହୋଇ ରହିନଥାଏ । ସିଏ ଏଇଠି ଆପଣାର ବାଟକୁ ଆପେ ତିଆରିକରେ । ଆପଣାର ବାଟକୁ ଆପେ ଆବିଷ୍କାର କରେ । ଅନ୍ୟପାଇଁ ବାଟ ବତାଇବାଦେବା ବ୍ୟକ୍ତି ସଂସାରରେ ଯେତିକିବଡ଼ ପ୍ରମାଦ, ଆପଣାର ବାଟ ଆଗକୁ ତିଆରି ହୋଇ ରହିଥିବ ବୋଲି ସର୍ବଦା ଅପେକ୍ଷା କରୁଥିବା ବ୍ୟକ୍ତି ମଧ୍ୟ ସେତିକି ବଡ଼ ପ୍ରମାଦ । ଏହି ଦୁଇ ଶ୍ରେଣୀର ଲୋକଙ୍କ–ପାଇଁ ହିଁ ସଂସାରର ଦୁର୍ଦ୍ଦଶା ବଢ଼େ । ଜୀବନ ଦୀନତର ହୁଏ, ମନୁଷ୍ୟ ଅପମାନିତ ହୁଏ । ଉକ୍ତ ନାମରେ ଭୟର ସୃଷ୍ଟି ହୁଏ, ଧର୍ମ ନାମରେ ନାନାବିଧ ଅଧର୍ମ ଓ ଅଶସ୍ତ୍ର ସୃଷ୍ଟି ହୁଏ । ସେତେବେଳେ ଧର୍ମ ଏକାଠି ନବାନ୍ଧି ମଣିଷକୁ ମଣିଷଠାରୁ ଅଲଗା କରିଦିଏ । ସଂସାରରେ ଜୀବନକୁ ମୁଁ ଯେତିକି ବୁଝୁଚି, ଏହିସବୁ ସ୍ଵୀକୃତ ଅନାଚାର ବିଷୟରେ ମୋର ଆଖି ସେତିକି ଖୋଲିଯାଉଚି । ମୋ’ର ଭାଗ୍ୟର କୌଣସି ସୁଖ ନପଡ଼ୁ ପଛକେ ମୁଁ ବୁଜି କୌଣସି ବାଟକୁ ଗ୍ରହଣ କରିନେବାକୁ ପ୍ରସ୍ତୁତ ନୁହେଁ । ମୋତେ ଆପେ ପ୍ରସ୍ତୁତ ହେବାକୁ ପଡ଼ିବ, ଆପଣାର ଜୀବନକୁ ଏକ ପଥରୂପେ ପ୍ରସ୍ତୁତ କରିବାକୁ ପଡ଼ିବ । ଅନ୍ୟମାନଙ୍କ ଲାଗି ନୁହେଁ, ମାତ୍ର ଆପଣାଲାଗି ମୋତେ ଆପଣାକୁ ପଥରେ ପରିଣତ କରିବାକୁ ପଡ଼ିବ ।

 

୬ । ୩ । ୬୦

 

ଆଜି ଭୋର ଚାରିଟାବେଳେ ଆପଣାର କାମ ଆରମ୍ଭ କରିଚି ବୋଲି ଉଠି ଦେଖିଲି ବିଜୁଳୀବତୀ ଖରାପ । କଲି ଶୋଇବାକୁ ଗଲାବେଳେ ଭାରି ତୋଫାନ–ପବନ ହେଉଥିଲା, ହୁଏତ ତାହାର ଫଳରେ ରାତିରେ କେତେକେତେ ଆଲୁଅ ଖରାପ ହୋଇଯାଇଚି । ଆଲୁଅ ନାହିଁ ଦେଖି ମୁଁ ପୁଣି ବାଧ୍ୟହୋଇ ଶୋଇବାକୁ ଗଲି । ଛଅଟା ପୂର୍ବରୁ ଉଠିବାରେ ଆଉ କୌଣସି ଅର୍ଥହିଁ ନଥିଲା । ଫଳ ଏଇଆ ହେଲା । ସକାଳୁ ଉଠି ମୋର କାମରେ ବିଘ୍ନ ଆସି ପହଞ୍ଚିଲା । ତେଣୁ ମନଟା ମଧ୍ୟ ସଭାକୁ ଭାରି ଖଟା ହୋଇଯାଇଚି । ମୁଁ ଯେତେବେଳେଯାଏ ଆପଣାକୁ ଆପାଣାର କାର୍ଯ୍ୟରେ ସମର୍ପତି କରି ଦେଇଥାଏ, ଭିତରର ଖୁସା ଯେତେବେଳେ ବାହାରର ନାନା କାର୍ଯ୍ୟରେ ଆପଣାକୁ ଅତି ସହଜରେ ପ୍ରକାଶିତ କରିବାରେ ଲାଗିଥାଏ, ଯେତେବେଳେଯାଏ ମୁଁ କୌଣସି ବୋଝ ଅନୁଭବ’ କରି ପାରେନାହିଁ । ସଂସାରଟା ଠିକ ସ୍ଵର୍ଗପରି ସହଜ ଓ ସୁନ୍ଦର ବୋଲି ମନେହୁଏ । କିନ୍ତୁ ଯେତେବେଳେ ମୁଁ ଅଳସୁଆ ହୋଇ ବସିରହେ, ଅଳସ ମନକୁ ଅଧିକ କଣ୍ଡୁଦଗ୍‍ଧ କରିବାଲାଗି ନିରର୍ଥକ ଚିନ୍ତା ‘ଓ ଦର୍ଶନଭିତରେ ଆପଣାର ଖିଅଟିକୁ ହାତରୁ ଛାଡ଼ିଦିଏ, ଠିକ୍ ସେତିକିବେଳେ ହିଁ ଯାବତୀୟ ଦୁର୍ଦ୍ଦଶା ଆସି ପହଞ୍ଚିଯାଏ । କିଛି କରିବାକୁ ମନ ହୁଏନାହିଁ, ଲେଖିବାକୁ ପାଦେହେଲେ ତୁଣ୍ଡକୁ ଜୁଟେନାହିଁ, ଆପଣା ସହିତ ଏକ–ପ୍ରକାରର ବୈର କରି ବସିବାରେ ଉତ୍ସାହିତ ହୋଇ ମୁଁ ଆପଣାର ଅବସ୍ଥାକୁ ଅଧିକ ବିକଳ କରିପକାଏ । ପୁଣି ଆପଣା ପାଖକୁ ଫେରିଆସିବା ପର୍ଯ୍ୟନ୍ତ ମୁଁ ସନ୍ତାପିତ ହେବାରେ ଲାଗିଥାଏ ।

 

୭ । ୩ । ୬୦

 

ଏହି ଦୀନତା ଦୂର କରିବା ସକାଶେ ମୁଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରିବି । ଅର୍ଥାତ୍ ମୋର ସମସ୍ତ ମନ ଓ ସମସ୍ତ ହୃଦୟକୁ ମୁଁ ଭଗବାନଙ୍କ ଆଡ଼କୁ ମୁହାଁଇକରି ରଖିବି । ଏହି ଦୀନତା ତେବେଯାଇ ଦୂର ହେବ । ମୁଁ ଭାରି ବିଚଳିତ ହୋଇ ପଡ଼ୁଚି, ମୁଁ ଧୈର୍ଯ୍ୟ ହରାଇ ବସୁଚି, ବିଶ୍ଵାସକୁ ଫୋପାଡ଼ି ଦେଇ ମୁଁ ଅନ୍ୟ ସାଧନ ଉପରେ ଅବଲମ୍ବନ କରିବାର ଅସହଷ୍ଣୁତା ଦେଖାଉଚି । ଏଇସବୁ ହିଁ ମୋତେ ଦୀନ କରି ପକାଉଚି । ଆପଣା ସହିତ ମୈତ୍ରୀ ସ୍ଥାପନ କରିବାକୁ ହେଲେ ଆପଣ ଭିତରେ ବିଶ୍ଵାସ ରହିବା ଆବଶ୍ୟକ । ମୁଁ ଜୀବନରେ ଖୁବ୍ ବେଶୀ କିଛି ଚାହେନାହିଁ । କେବଳ ଖୁସୀ ହୋଇ ବଞ୍ଚିବାକୁ ଚାହେ, ଖୁସୀହୋଇ ଆପଣାର କଥା କହିବାକୁ ଚାହେ, ଖୁସି ହୋଇ ନିଜର ହୃଦୟ ଭିଆତ୍ରେ ଭଗବାନଙ୍କୁ ଧରି ରଖିବାକୁ ଚାହେ । ଖୁସୀ ହୋଇ ମୋର ଅନ୍ତରଭିତରେ ସବୁ ମଣିଷ ଲାଗି ନୀଡ଼ ସଂସ୍ଥାପନା କରି ରଖିବାକୁ ଚାହେ । ଏତିକି ବ୍ୟତୀତ ମୋର ଅନ୍ୟ କୌଣସି ଉପଭୋଗ ଦରକାର ନାହିଁ । ସଂସାର ଆଡ଼କୁ ସବୁ ଦୁଆର କିଳିଦେଇ ଅଳସ ଉପଭୋଗମୟ ଜୀବନ କଟାଇବାରେ ମୋର କୌଣସି ସ୍ପୃହା ନାହିଁ । ଏ ଜୀବନରେ ଏତିକି ଅନୁମତି ପାଇବାକୁ ମୋର ଏକାନ୍ତ ପ୍ରାର୍ଥନା । ଯେପରି କୌଣସିଦିନ ମୋର ଆଖି ସଂସାର ପ୍ରତି ବୁଜିହୋଇ ନଯାଏ ! କୌଣସିଦିନ ଯେପରି ଏହି ସୁନ୍ଦର ସଂସାରକୁ ଆପଣାର ଜୀବନରୁ ଫୋପାଡ଼ି ଦେବାକୁ ମୋର ଦୁର୍ବୁଦ୍ଧି ନହୁଏ ! ଏହି ସ୍ନେହଭରା ସୂର୍ଯ୍ୟକିରଣ, ଏହି ନିର୍ମଳ ନୀଳ ଆକାଶ, ଗଛ ଫୁଲ, ଚଢ଼େଇ, ସମସ୍ତଙ୍କୁ ନିଜର ଜୀବନ ଭିତରେ ଏକ ସ୍ନେହମୟ ସ୍ଥାନ ଦେଇ ପରିବାର ଅଧିକାର ମୁଁ ଯେପରି କୌଣସି ଦିନ ହରାଇ ନବସେ । ସକାଳେ ସଞ୍ଜରେ ମୁଁ କୌଣସି ମନ୍ଦିରକୁ ନ ଯାଏ ପଛକେ, କୌଣସି ମାଳା ଧରି ଚିତା ଓ ଚନ୍ଦନ କରି ନ ବସେ ପଛକେ, କିନ୍ତୁ ସକଳ ଧର୍ମ ଓ ସକଳ ଦେବତ୍ଵର ସନ୍ନିଧିକୁ ମୁଁ ଯେପରି ମୋର ଶରୀର, ମନ ହୃଦୟ ଭିତରେ ନିରନ୍ତର ଅନୁଭବ କରିପାରେ ! ପ୍ରାର୍ଥନା କରିବା ଲାଗି ମୋର ଅଲଗା ସମୟ ଲୋଡ଼ା ନାହିଁ, କିନ୍ତୁ କୌଣସି ଦୁଃସମୟରେ ମଧ୍ୟ ମୁଁ ଯେପରି ଆପଣା ଭିତରେ ଦହି ହୋଇ ନ ଯାଏ, ଭିତରେ ମୁଁ ଯେପରି ସବୁବେଳେ ସ୍ଥିର ରହେ, ସବୁବେଳେ ସ୍ଥିର ହୋଇ ପ୍ରସ୍ତୁତ ରହିଥାଏ ! ସବୁରି ଭିତରେ ଯେଉଁ ଦେବତ୍ଵ ରହିଚି, ତାହାକୁ ଅନୁଭବ କରିବାକୁ ଓ ତାହାରି ଉଦ୍‌ଘାଟନ କରିବାକୁ ଯେପରି ମୋର ଚିତ୍ତ ସବୁବେଳେ ସମର୍ଥ ହୋଇ ରହେ–, ମୋର ଏତିକି ଜଣାଇବା କଥା ।

 

୮ । ୩ । ୬୦

 

ହଁ, ମୋର ସମୟକୁ ମୁଁ ଆପଣାର ହାତରେ ରଖି ପାରୁନାହିଁ । ଏହାର ନାନା କାରଣ ଅଛି । କିନ୍ତୁ ସବୁଠାରୁ ବଡ଼ କାରଣ ହେଉଚି ଯେ ମୁଁ ଉଚିତ ସମୟରେ ଉଚିତ କାର୍ଯ୍ୟ ଲାଗି ଉପଯୁକ୍ତ ଉତ୍ସାହ ପ୍ରକାଶ କରି ପାରୁନାହିଁ । ଯେତେବେଳେ ଯେଉଁ କାମକୁ ସମୟ ଆସି ପହଞ୍ଚୁଚି, ସେତେବେଳେ ମୋର ମଧ୍ୟ ସେହି କାମ ଲାଗି ଉତ୍ସାହର ସହିତ ବାହାରି ପଡ଼ିବା କଥା । କିନ୍ତୁ ଅନେକ ସମୟରେ ମୋ’ ଦେଇ ସେ କଥା ହୋଇ ପାରୁନାହିଁ । ମନ ଭିତରେ ନାନା ପ୍ରକାର ଗ୍ଳାନି ଓ ନାନା ପ୍ରକାର ଆଳସ୍ୟ ରହି ମୋତେ ଏକାବେଳେକେ ମ୍ରିୟମାଣ କରି ଦେଉଚି । ମୁଁ ଜାଣେନା, ମୋର ଭିତର ମନରେ କେଉଁଠି କି ଆଘାତ ଲାଗି ସାରିଲାଣି, କିନ୍ତୁ ସବୁବେଳେ ସେହି ଆଘାତର ସ୍ମୃତି ମୋତେ ଯେପରି, ବଡ଼ ଦୀନ ଓ ଦୁର୍ବଳ କରି ରଖିଚି । ଏପରି କାହିଁକି ହେଲା, ଏ ଜୀବନରେ ସବୁ ଦମ୍ଭ ଓ ସବୁ ବିଶ୍ଵାସର ଶିଳା ଉପରୁ ମୋର ହାତ ଏପରି ଛାଡ଼ି ହୋଇଗଲା କାହିଁକି ? ମୋ’ଭିତରେ ମୋତେ କାହିଁକି କିଏ ଦୁଇ ଭାଗରେ ବିଭକ୍ତ କରି ପକାଇଲା ? ମୋତେ ଏହି ଦୁର୍ଦ୍ଦଶାକୁ ଅତିକ୍ରମ କରିବାକୁ ହିଁ ପଡ଼ିବ । ତା’ ନହେଲେ ଏହି ଆଳସ୍ୟକୁ ଡେଇଁ ଜୀବନରେ ପ୍ରବୃତ୍ତି ହୋଇ ପାରିବା ମୋ’ ପକ୍ଷରେ ଆଉ ସମ୍ଭବ ହେବ ନାହିଁ । ତା’ ନହେଲେ ଏହି ଅବସ୍ଥାକୁ ବାର୍ଦ୍ଧକ୍ୟର ଆରମ୍ଭ ବୋଲି ଧରି ନେବାକୁ ହେବ । ମୁଁ ଖୁସିରେ ସବୁ କାମ କରିଯିବି, ଆପଣା ଜୀବନର ନାନା ଧାରାରେ ଖୁସି ହୋଇ ବହିଯାଇ ପାରିବି, କହିଲାବେଳେ ଅତି ସ୍ଵାଭାବିକ ଭାବରେ ଆପଣାର କଥା କହି ପାରିବି, କେବେହେଲେ ଆପଣାକୁ କୌଣସି ପ୍ରକାରେ କ୍ଷୁନ୍ନ ବୋଲି ମନେ କରିବି ନାହିଁ–, ଏହିପରି ହିଁ ହେବା ଉଚିତ, ମୁଁ ଜାଣେ ଏଥିପାଇଁ ଭଗବାନଙ୍କ ଉପରେ ଅତ୍ୟନ୍ତ ବିଶ୍ଵାସ ଲୋଡ଼ା, ଆପଣା ଉପରେ ଆହୁରି ବିଶ୍ଵାସ ଲୋଡ଼ା । ମୋର ବିଶ୍ଵାସ ଯେପରି ଭଗବାନଙ୍କ ଉପରେ ରହି ପାରିବ, ମୁଁ ଯେପରି ଆପାଣାକୁ ଶ୍ରଦ୍ଧାର ସହିତ ସବୁ କ୍ଷେତ୍ରରେ ପ୍ରବୃତ୍ତ କରି ପାରିବି, ମୋତେ ସେଥିଲାଗି ଏକ ଉପଯୁକ୍ତ କ୍ଷେତ୍ର ପ୍ରସ୍ତୁତ କରିବାକୁ ହେବ ।

 

୯ । ୩ । ୬୦

 

ଏହି ଉତ୍ତେଜନା ଓ ଏହି ଆତୁରତା ମୋତେ କାହିଁକି ଗ୍ରାସ କରି ପକାଇଲା ? କାହାର ମୁଁ କି ଅମଙ୍ଗଳ କରିଥିଲି କେଜାଣି ? ଯେପରି କୌଣସି କଥା କରିବାକୁ ହିଁ ମୋର ଆଉ ଧୈର୍ଯ୍ୟ ନାହିଁ ! କୌଣସି କଥାକୁ ହୃଦୟରେ ଗ୍ରହଣ କରିବାକୁ ଯେପରି ମୋର ଆଉ କୌଣସି ଶକ୍ତି ନାହିଁ । ତଥାପି ଏହି ଘାଟିପାର ହେବାକୁ ହେବ । କେବଳ ଆପଣାର ଦୁଃଖକୁ ନେଇ ମଣିଷ ଯେତେବେଳେ ଜର୍ଜର ଓ ଉଗ୍ର ହୋଇପଡ଼େ, ସେତେବେଳେ ଗୋଟାଏ ପ୍ରକାର ଉତ୍ତେଜନାବଶତଃ ସେ ଆପଣାକୁ ଦୁଃଖ ପାଖରେ ହିଁ ନିଷ୍ପେଷିତ କରି ପକାଏ । ନିଜକୁ ସମ୍ପୂର୍ଣ୍ଣରୂପେ ଅସହାୟ କରି ଦେଇ ନିଜର ରୋଦନମୟ ବିକଳ ଜୀବନରୁ ସେ ବେଶ୍ ଆନନ୍ଦ ପାଏ । ମୋର ସେହି ଆନନ୍ଦ ଦରକାର ନାହିଁ । ମୁଁ ଏହି ଆବଦ୍ଧ ଘର ଭିତରୁ ବାହାରି ଯିବାକୁ ଚାହେ, ଏହି ଆବଦ୍ଧ ବିକୃତ ଜୀବନ ଭିତରୁ ବାହାରି ଯିବାକୁ ଚାହେ । ଏଥିଲାଗି ଭଗବାନଙ୍କ ଉପରେ ଯେଉଁ ବିଶ୍ଵାସ ଦରକାର, ମୋତେ ସେହି ବିଶ୍ଵାସ ଅର୍ଜନ କରିବାକୁ ହିଁ ହେବ । ଏହି ଘର ଭିତରେ ଆପଣାର ଦୁଃଖ ଗୁଡ଼ାକୁ ଉଖାରି; ତାହାରି ଦ୍ଵାରା ଅଧିକ ଦଗ୍‌ଧ ଓ ଉତ୍ତେଜିତ ହୋଇ ମୁଁ ଆପଣାକୁ ହତ୍ୟା କରିବାକୁ ଚାହେଁନାହିଁ । ଏହିପରି ଆତ୍ମହତ୍ୟା ଦ୍ଵାରା କାହାରି କୌଣସି ପ୍ରକାର ଉପକାର ହେବନାହିଁ । ଆପଣା ଉପରୁ ବିଶ୍ଵାସ ହରାଇ ମଣିଷ ଆପଣା ଉପରେ ପ୍ରତିଶୋଧ ନେବାକୁ ଯାଇ ଆତ୍ମହତ୍ୟା କରି ବସିଲେ ସେଥିରେ କୌଣସି ଭଗବାନ କଦାପି ଖୁସୀ ହେବେନାହିଁ । ନା,–ମୋତେ, ଆପଣାକୁ ଫେରି ପାଇବାକୁ ହେବ । ଏହି ସକଳ ବାଧା ଭାଙ୍ଗି ମୋତେ ପୁଣିସ୍ଥିର ଓ ସହଜ ହେବାକୁ ହେବ । ତେଣୁ ଏଇ କେତେଟା ଦିନର ଝଡ଼ ଆପେ ବହିଯାଉ । ସେସବୁର ସମ୍ମୁଖରେ ତଥାପି ସ୍ଥରି ରହିବାର ଧୈର୍ଯ୍ୟ ମୋର ଯେପରି କେବେହେଲେ ତୁଟି ନ ଯାଏ ! ସଂସାରରେ କାହାରିକୁ କୌଣସି ଅଧିକାର ଦେବାଲାଗି ମୋର କୌଣସି ଅଧିକାର ନାହିଁ । କିନ୍ତୁ ଆପଣାର ବାଟରେ ସ୍ଥିର ହୋଇ ଚାଲିବା ଲାଗି ମୋର ଅବଶ୍ୟ ଅଧିକାର ରହିଚି । ଯିଏ ମୋର ସେଇ ଅଧିକାରକୁ ଚ୍ଛିନ୍ନ କରିବାକୁ ଆସିବ, ମୋତେ ସମସ୍ତ ଶକ୍ତି ଦେଇ ତା’ଠାରୁ ନିଜକୁ ରକ୍ଷା କରିବାକୁ ପଡ଼ିବ । କିନ୍ତୁ ତଥାପି ଧୈର୍ଯ୍ୟଶୀଳ ଓ ସହିଷ୍ଣୁ ରହି ତାହା କରିବାକୁ ପଡ଼ିବ । ଆପଣା ଭିତରର ଉତ୍ତେଜନା ହିଁ ମୋତେ ସବୁ କ୍ଷେତ୍ରରେ ଉତ୍ତେଜିତ କରି ପକାଉଚି । ମୋତେ ସବୁଠାରେ ଧୈର୍ଯ୍ୟଚ୍ୟୁତ କରି ପକାଉଚି । ଅନେକ ବିଶ୍ଵାସ, ଅନେକ ଶ୍ରଦ୍ଧା ଓ ଅନେକ ନୀରବତା ଦ୍ଵାରା ମୋତେ ଏହି ଉତ୍ତପ୍ତତାକୁ ଶୀତଳ କରିବାକୁ ହେବ, ନିଜକୁ ଫେରି ପାଇବାକୁ ହେବ ।

 

୧୦ । ୩ । ୬୦

 

କେଡ଼େ ଶୀଘ୍ର ମୁଁ କେତେ ଲୋକଙ୍କୁ ଅବିଶ୍ଵାସ କରିବାକୁ ଆରମ୍ଭ କରି ଦେଉଚି ! ସଭ୍ୟତାର କଣ୍ଟାକୁ ଆଣି ଆପଣା ଜୀବନର ବାଟରେ ପକାଇଲେ ଏହିପରି ହୋଇଥାଏ । ଆପାଣା ବିଷୟରେ ଅତିରିକ୍ତ ଭାବରେ ସଚେତ ହୋଇପଡ଼ିଲେ ଏହିପରି ହୋଇଥାଏ । ସଂସାରଭିତରେ ଆପଣାକୁ ଏକୁଟିଆ ମନେକଲେ ଠିକ୍‍ ଏହିପରି ହୋଇଥାଏ । କାଲି ଆମ ଅନୁଷ୍ଠାନର ଜାଣେ ପିଅନ ମୋ’ ବେତନର ଚେକ୍‍କୁ ଆଗ୍ରା ଟ୍ରେଜେରୀରେ ଭଙ୍ଗାଇବାକୁ ନେଇଥିଲା । ଗଲାବେଳେ ମୋ’ ପାଖରେ ଚେକ୍ ନେଇଯିବାର କୌଣସି ପ୍ରମାଣ ରଖି ଯାଇନଥିଲା । ସନ୍ଧ୍ୟାବେଳେ ସେ ପ୍ରାୟ ଆଠଟା ପର୍ଯ୍ୟନ୍ତ ନଆସିବାର ଦେଖି ମୋର ମନରେ ପାପ ଛୁଇଁଲା । ମୁଁ ହଠାତ୍ ଭାବି ପକାଇଲି, ସିଏ କଣ ମୋତେ ଟଙ୍କା ନଦେଇ ଫାଙ୍କି ଦେବ କି ? ଯଦି ସେ ପ୍ରକୃତରେ ଟଙ୍କା ନଦେଇ ମୋତେ ଫାଙ୍କି ଦିଅନ୍ତା, ତେବ ସେ ମୋ’ଠାରୁ ଚେକ୍ ନେଇ ଯାଇଚି ବୋଲି ଦାବୀ କରିବାକୁ ମୋ’ପାଖରେ କୌଣସି ପ୍ରମାଣ ନଥିଲା । ତେଣୁ ଏତିକିବେଳେ ପିଅନ ଟଙ୍କା ନେଇ କବାଟ ପାଖରେ ପହଞ୍ଚିଲା । ଆପାଣାଭିତରେ ଏତେଦୂର ଅବିଶ୍ଵାସ କରୁଥିବା ମନଟା ଉପରେ ଭାରି ଦୟା ହେଲା । ଏଠାକୁ ଆସି ସଭ୍ୟତା ଭିତରେ ଘଷିମାଜି ହେବାଦ୍ୱାରା ଆଉ କଣ ମୋର ଏହି ଦଶା ହେଲା କି ? ଏଠାରେ ସମସ୍ତେ ସମସ୍ତଙ୍କୁ ଅବିଶ୍ଵାସ କରନ୍ତି । ମଣିଷ ଅପେକ୍ଷା କାଗଜପତ୍ରକୁ ଅଧିକ ବିଶ୍ଵାସ କରନ୍ତି । କାଗଜପତ୍ରର ପ୍ରମାଣକୁ ଅମୂଲ୍ୟ ସମ୍ପଦ ପରି ଡୋରି ବାନ୍ଧି ନମ୍ବର ଦେଇ ସାଇତିକରି ରଖନ୍ତି । ସତକୁ ଯେତିକି ଶିଙ୍କୁଳି ଦେଇ ବାନ୍ଧି ରଖିବାର ଚେଷ୍ଟା କରନ୍ତି, ସେମାନଙ୍କର ଜୀବନରେ ମିଥ୍ୟାର ରାଜତ୍ଵ ସେତିକି ବଢ଼ିବାରେ ଲାଗିଥାଏ ।

 

୧୧ । ୩ । ୬୦

 

କାଲି ପଢ଼ୁଥିଲି, ଭଗବାନଙ୍କର ପ୍ରାର୍ଥନାମନ୍ତ୍ର ମୁଖରୁ ଉଚ୍ଚାରିତ ହେଲାବେଳେ ଶରୀର ମଧ୍ୟ ତାହା ଅନୁଭବ କରିପାରିବା ଉଚିତ । ଭକ୍ତିସାହିତ୍ୟରେ ପଢ଼ିଚି, ଭକ୍ତି ଭଗବାନଙ୍କୁ ସ୍ମରଣ କଲାବେଳେ ତାହାର ରୋମାଞ୍ଚ ଜାତ ହୋଇଥାଏ । ହୃଦୟ ଓ ମନର ପୁଲକ ଆପଣାକୁ ଶରୀରର ପୁଲକରେ ପ୍ରକଟ କରିଥାଏ । କିନ୍ତୁ, ଏପରି ପ୍ରମାଣ ଅପଣାଠାରୁ ପାଇବାକୁ ହେଲେ ଭକ୍ତ ହୋଇପାରିବା ଦରକାର । ଆମେ ଅନେକ ସମୟରେ ଯନ୍ତ୍ରପରି ମନ୍ତ୍ରର ଉଚ୍ଚାରଣ କରିଥାଉ, ଅନ୍ଧ ପରି ସ୍ତବ ଗାଇ ଚାଲିଯାଉ, ଦିନମାନର ନାନା ଅଭ୍ୟାସ ଓ ଆଚାର ଭିତରେ ଆମର ପୂଜା, ପାଠ ଓ ଉପାସନା ମଧ୍ୟ କେବଳ ଗୋଟାଏ ଅଭ୍ୟାସ ବା ଆଚାର ହୋଇ ରହିଯାଏ । ଏହି ଅଭ୍ୟାସ ବା ଆଚାରର ଶକ୍ତି କାହିଁ ଯେ ଶରୀରରେ ପୁଲକ ବା ରୋମାଞ୍ଚ ଜାତ କରାଇବ ? ଅନ୍ୟାନ୍ୟ ନାନାପ୍ରକାର ବନ୍ଧନ ନାନାଆଡ଼େ ଟାଣି ଓଟାରି ନେଉଥିବା-ବେଳେ ଭଗବାନଙ୍କର ବନ୍ଧନ କିପରି ମଣିଷକୁ ଏକାନ୍ତଭାବରେ ବାନ୍ଧିରଖି ପାରିବ ? ଅନ୍ୟାନ୍ୟ ନାନା ପ୍ରକାରର ଆସକ୍ତି ମଣିଷକୁ ବିଭକ୍ତ ଓ ବିଦୀର୍ଣ୍ଣ କରି ରଖି ଥିଲାବେଳେ ଭଗବାନଙ୍କ ପ୍ରତି ଆସକ୍ତି କିପରି ସମ୍ଭବ ହେବ ? ଭୟବିକ୍ଷୁବ୍‌ଧ ମନ କିପରି ଭଲପାଇ ଶିଖିବ ? ମୋର ଦୁର୍ବଳତା, ମୋର ବିପତ୍ତି ଓ ମୋ’ର କ୍ଷତିଗୁଡ଼ାକୁ ମୁଁ ଯେତିକି ମୋହ ଲେଶି ଦେଇ ମୋଟାକରି ଦେଖାଇବାକୁ ଚେଷ୍ଟା କରୁଥିବି, ଭଗବାନଙ୍କଠାରୁ ମୁଁ ସେତିକି ଦୂରକୁ ଚାଲି ଯାଉଥିବି । ଆପଣାର ବିପତ୍ତିରେ ଆତୁରି ହୋଇ ଯିଏ ଅନେକ ସମୟରେ ଭଗବାନଙ୍କ ପାଖକୁ ଦଉଡ଼ିଯାଏ ତଦ୍ଦ୍ଵାରା ହୁଏତ ତା’ର ବିପତ୍ତି ଦୂର ହୋଇପାରେ, କିନ୍ତୁ ସେ ଭଗବତସ୍ପର୍ଶ ପାଇ ପାରେନାହିଁ । ସେ ଚିରଦିନ ସବୁପ୍ରକାର ଅନ୍ତରନୁଭୂତିଶୂନ୍ୟ ହୋଇ ରହିଥାଏ । ତେଣୁ ଗୋଟାଏ ମନ୍ତ୍ର, ଗୋଟାଏ ସ୍ତବ ବା ଗୋଟିଏ ଜାପାମାଳି ଉପରେ ନିର୍ଭର କରି ଆମେ ଭଗବାନଙ୍କର ସ୍ପର୍ଶ ପାଇ ପାରିବାନାହିଁ । ଏସବୁ କେବଳ ସାଧନାମାତ୍ର । ସବଳ ହୃଦୟ ବ୍ୟକ୍ତିର ଜୀବନରେ ଏସବୁ କେବଳ ସାଧନମାତ୍ର କିନ୍ତୁ ଦୁର୍ବଳହୃଦୟର ଜୀବନରେ ଜାଲପରି । ଏଗୁଡ଼ାକୁ ତାକୁ ଅଧିକରୁ ଅଧିକ ଅନ୍ଧ କରିଦିଏ । ଅସଲ କଥା ହେଉଚି, ଆପଣାକୁ ପ୍ରସ୍ତୁତ କରିବାକୁ ହେବ, ଭୟମୁକ୍ତ ହୋଇ ଭଲପାଇ ଶିଖିବାକୁ ହେବ, ଯନ୍ତ୍ର ନହୋଇ ସହଜ ହୋଇ ଶିଖିବାକୁ ହେବ, ଆତୁର ନହୋଇ ଅତି ଆପଣାର ଭାବେ ଅନୁଭବ କରି ଶିଖିବାକୁ ହେବ । ତା’ହେଲେ ଯାଇ ଭଗବାନଙ୍କର ସାନ୍ନିଧ୍ୟ ଆମର ସମସ୍ତ ଜୀବନଭାରି ପ୍ରକାଶିତ ହୋଇଉଠିବ, ଆମର ସମସ୍ତ ଅସ୍ତିତ୍ଵକୁ ଆବୋରି ବିକଶିତ ହୋଇ ଉଠିବ ।

 

୧୨ । ୩ । ୬୦

 

ଯିଏ ଆଚରଣରରେ ଉଗ୍ର ହୁଏ, ସିଏ ଭାବେ ଯେ ସଂସାରଟା କେବଳ ତାହାର ଶାସନରେ ଚଳୁଚି । ସେ ଆପଣାର ଖୁସୀ ଅନୁସାରେ ଏହି ସଂସାରର ସମସ୍ତକୁ ନଚାଏ, ସମସ୍ତଙ୍କୁ ବସାଏ ଓ ଉଠାଏ । କେହି ତାହାର ମନମୁତାବକ ଚଳି ନପାରିଲେ ସେ ତାକୁ ଭୟ ଦେଖାଏ, ତା’ଉପରେ ଅତ୍ୟାଚାର କରେ । ଅବଶ୍ୟ ସେ ଅନେକ ସମୟରେ ଆପଣାର ଏହି ଉଦ୍ଦେଶ୍ୟ-ସାଧନରେ ସଫଳତା ମଧ୍ୟ ପାଇଥାଏ । ଅର୍ଥାତ୍ ତା’ର ବାସନାକୁ ଚାରିତାର୍ଥ କରିବାଲାଗି ତାକୁ ଅନେକ ଡରିବା ଲୋକ ମିଳିଯାଆନ୍ତି, ତା’ର କଥା ଓ ହାତକୁ ଅନେକ ଲୋକ ଡରିଡ଼ରି ରହିଥା’ନ୍ତି । କିନ୍ତୁ ଜୀବନର ଏକ ସାଧାରଣ ଓ ସ୍ଵାଭାବିକ ଭୂମି ଉପରୁ ବିଚାର କଲେ ଉଗ୍ର ସ୍ଵଭାବରେ ଏହି ମଣିଷଜଣକ ଜୀବନର କେଡ଼େ ଟିକିଏ ଅଂଶରେ ବିଚରଣ କରେ, ତଥାକଥିତ ଏହି ବଳିଷ୍ଠ ମଣିଷ ପ୍ରକୃତରେ କେଡ଼େ ଦୁର୍ବଳ ହୋଇପଡ଼େ, ଅପର ଏତେଜଣଙ୍କୁ ଡରାଇ ରଖିଥିବା ଭୀଷଣ ମଣିଷ ଆପଣାଭିତରେ କେତେପ୍ରକାର ଭୟ, ଶଙ୍କା ଓ ତ୍ରାସର ଅଧୀନ ହୋଇ ରହିନଥାଏ ! ତା’ର ଜୀବନସାରା ଏକ ଦୀର୍ଘ ଜ୍ଵରଭୋଗ ପରି ଅତିବାହିତ ହୋଇଯାଏ । ସେ ସଂସାରର କାହାରି ସହିତ ହୃଦୟର ସମ୍ପର୍କ ସ୍ଥାପନ କରି ପାରେନାହିଁ, ସେ କାହାରି ଶ୍ରଦ୍ଧା ପାଇ ପାରେନାହିଁ । ସମସ୍ତେ ତା’ଠାରୁ ଆଡ଼େଇ ଯାଆନ୍ତି, ସେ କାହାରିକୁ ଆପଣାର କରି ପାଇ ପାରେନାହିଁ । ଯେଉଁମାନେ ତାକୁ ଭୟ କରନ୍ତି, ସେମାନେ ତାକୁ ବାହାରେ ସିନା ମାନନ୍ତି, କିନ୍ତୁ ଭିତରେ ତା’ପ୍ରତି ଘୃଣା ଓ ଅଶ୍ରଦ୍ଧା ହିଁ ପ୍ରକାଶ କରୁଥାନ୍ତି । ଅର୍ଥାତ୍ ମୋଟରେ କହିବାକୁ ଗଲେ ଉଗ୍ର ଓ ଏକବାଗିଆ ହୋଇ ରହିଥିବା ମଣିଷ ଜୀବନର କୌଣସି ଯଥାର୍ଥ ସ୍ଵାଦ ପାଏନାହିଁ । କାରଣ ସେ କିଛିହେଲେ ସୃଷ୍ଟି କରେନାହିଁ । ଭାଙ୍ଗିବାରୁ ଓ ନ୍ୟାୟକୁ ଅସ୍ଵୀକାର କରିବାକୁ ସେ ଯେତିକି ଆନନ୍ଦ ପାଏ, ଜୀବନ ବଞ୍ଚିବାର ଅସଲ ଆନନ୍ଦରୁ ସିଏ ସେତିକି ବଞ୍ଚିତ ହୋଇରହେ । ବାହାରେ ସମସ୍ତ ଗର୍ଜନ ସତ୍ତ୍ୱେ ଭିତରେ ସିଏ ମୂକ ହୋଇ ବସିଥାଏ ।

 

୧୩ । ୩ । ୬୦

 

ଉତ୍ସବରେ ଉତ୍ସାହ ନାହିଁ, ଉତ୍‌ଶୃଙ୍ଖଳତା ଭରି ରହିଚି । ଦୋଳପର୍ବରେ ହୋରି ଖେଳିବାର ପରମ୍ପରା କେଉଁ ପୁରୁଣା ଯୁଗରୁ ରହି ଆସିଚି । ଆନନ୍ଦରେ ବରଷଯାକର ସକଳ କପଟ ଓ କାଳିମତାକୁ ଭୁଲି ପ୍ରତିବେଶୀ ସହିତ ସମ୍ମିଳିତ ହୋଇ ପାରିବାକୁ ହୋରିଖେଳର ଉଦ୍‌ଭବ ହୋଇଥିଲା । ଜୀବନରେ କଳହ ସବୁଦିନ ପାଇଁ ରହିବନାହିଁ, ମତାନ୍ତର, ରାଗ, ରୋଷ, ଦ୍ଵେଷ ଓ ଦୂଷଣତା ସବୁଦିନ ରହିବନାହିଁ । ସବୁ ଖସି ପଡ଼ିବ, ଅନ୍ତରଙ୍ଗତା ଓ ଅନୁଭୂତି ବଢ଼ିବା ସଙ୍ଗେ ସଙ୍ଗେ ସବୁ ଅଭିମାନ ଖସି ପଡ଼ିବ । କିନ୍ତୁ ଜୀବନରେ ଉପଲବ୍‌ଧ ହୋଇଥିବା ଖୁସି ସବୁଦିନ ରହିଥିବ । ମଣିଷ ସହିତ ମଣିଷ ଖୁସି ହୋଇ ରହିବ, ଖୁସି ଦେବ ଓ ଖୁସି ନେବ–ଏହି କଥାଟିର ଏକ ଅନୁଷ୍ଠାନିକ ଘୋଷଣା କରିବାପାଇଁ ହୋରିପର୍ବର ହୋରିଖେଳ ଏକ ଉପଲକ୍ଷ୍ୟ ହୋଇ ରହିଥିଲା । ଏହି ଦୃଷ୍ଟିରୁ ଦେଖିଲେ ଏହା ସଂସ୍କୃତିର ଏକ ଚତ୍ମକାର ଭୂଷଣ ହୋଇ ରହିଥିଲା । କିନ୍ତୁ ଆଜିକାଲି ଆମ ସଂସ୍କୃତିର ଅନ୍ୟାନ୍ୟ ଯାବତୀୟ କ୍ଷେତ୍ର ପରି ଏଥିରେ ମଧ୍ୟ ଅନେକ ବିକୃତି ପଶି ଯାଇଚି । ଖୁସି ଦେବା ସହିତ ଖୁସି ହେବାର ଯେ ଏକ ଅନ୍ତର୍ନିହିତ ସମ୍ପର୍କ ରହିଚି, ତାହା ଆମେ ଏକାବେଳେକେ ଭୁଲିଯାଉଚୁ । ବର୍ତ୍ତମାନ ଅପରକୁ ହଇରାଣ କଲେ, ଅପର ଉପରେ ଉପଦ୍ରବ କଲେ ଯାଇ ଆମର ଖୁସି ହେବାର ବିକୃତ ବାସନା ଚରିତାର୍ଥ ହେଉଚି । ସେଥିପାଇଁ ଅବିର ବୋଳିବା ବଦଳରେ ସ୍ୟାହୀ, ରଙ୍ଗ, ଗୋବରପାଣି, କିରାସିନୀ ଓ କାଦୁଅରେ ହୋଲି ନ ଖେଳିଲେ ଆମ ସନ୍ତପ୍ତ ମନର କଣ୍ଡୁ ସହଜରେ ଛାଡ଼ୁ ନାହିଁ । ଜଣଜଣକୁ ଗୋଟାସୁଦ୍ଧା ଟେକିନେଇ ଗନ୍ଧିଆ ନର୍ଦ୍ଦମାର ପଚା ପାଣିରେ ଜବରଦସ୍ତି ପକାଇ ଦେବାରେ ସାମାଜିକ ମିଳନର ତ ନାମଗନ୍ଧ ନାହିଁ, ଓଲଟି ଅସମାଜିକତାର ଅତ୍ୟାଚାରଟା ହିଁ ପୂର୍ଣ୍ଣମାତ୍ରାରେ ରହିଚି । ଆଗେ ଲୋକେ ଭାବବାନଙ୍କର ଗୀତ ଗାଉଥିଲେ, ଗୁରୁଜନମାନଙ୍କ ମୁହଁରେ ଅବିର ବୋଳି ସେମାନଙ୍କୁ ପ୍ରଣାମ କରୁଥିଲେ, ତା’ପରେ ଘଡ଼ିକଲାଗି ରଙ୍ଗ ପାଣିରେ ପିଚକାରି ଖେଳୁଥିଲେ । କିନ୍ତୁ ଆଜିକାଲି ଦୋଳପୂର୍ଣ୍ଣିମାର ସାତଦିନ ପୂର୍ବରୁ ସବୁ ପ୍ରକାର ଉତ୍‌ଶୃଙ୍ଖଳତା ଆରମ୍ଭ ହୋଇଯାଉଚି । ହୋରିର ବାହାନା ନେଇ ସବୁ ପ୍ରକାର ଉତ୍‌ଶୃଙ୍ଖଳାତାକୁ ପ୍ରଶ୍ରୟ ଦିଆଯାଉଚି । ଏବେ ଏଥିରେ ସଂସ୍କୃତିର ନାମ ମାତ୍ର ହିଁ ନାହିଁ କେବଳ ବଦମାସୀ ରହିଚି । ସଂସ୍କୃତିର ଯାବତୀୟ ପ୍ରକାଶରେ ସୌମ୍ୟତା ଓ ସଂଯମ ରହିଥାଏ । ତେଣୁ ଘଡ଼ିକ ପାଇଁ ହେଲେ ମଧ୍ୟ ଏହା ଆମକୁ ଅନେକ ଆନନ୍ଦ ଦେଇଥାଏ ।

 

୧୪ । ୩ । ୬୦

 

ଆମର ଜୀବନରେ ଯେତିକି ବାଡ଼ବତା ଓ ଜଟିଳତା ରହିଚି, ଆମର ଉତ୍ସବ ଓ ଆନନ୍ଦ ଭିତରେ ହୁଏତ ସେତିକି ଆବର୍ଜନା ପଶିଯାଇଚି । କାଲି ହୋରି ଖେଳରେ ମୁଁ ପ୍ରଧାନତଃ ଏହାହିଁ ଅନୁଭବ କଲି । ଆମ ଜୀବନରୁ କ୍ରମେ ସମସ୍ତ ପ୍ରକାର ସହଜତା ଅନ୍ତର୍ହିତ ହେଇଗଲାଣି । ଆମେ ପରସ୍ପର ପାଖରେ ଆଉ ହୃଦୟ ଖୋଲିଦେଇ ପାରୁନାହିଁ । ସହଜ ଭାବଗତ ଜୀବନର ଇତିଶ୍ରୀ ହୋଇଗଲାଣି । ଆତ୍ମୀୟସ୍ଵଜନଙ୍କ ମେଳରେ ଆମେ କୌଣସି ପ୍ରକାର ଆତ୍ମୀୟତା ଅର୍ଜନ କରି ପାରୁନାହୁଁ । ତେଣୁ ଉତ୍ସବରୁ ଆନନ୍ଦ ପାଇବା ନାଆଁରେ ଆମେ କେବଳ ଅଧିକ ଉତ୍ତେଜିତ ହେବାର ଦୁର୍ଦ୍ଦଶା ହିଁ ଭୋଗ କରିବାରେ ଲାଗିଚୁ । ସାଧାରଣ ଦିନମାନଙ୍କରେ ଯେଉଁମାନେ ବେଡ଼ୀରେ ବନ୍ଧାହୋଇ ରହିଥିଲା, କାଲି ଉତ୍ସବର ବାହାନା ନେଇ ସେଇମାନଙ୍କର ପଘା ଛିଡ଼ି ଯାଇଥିଲା । ସେମାନେ ମୁହଁର ସମସ୍ତ କଥା ଓ ଶରୀରର ସମସ୍ତ ଭଙ୍ଗୀ କାଲି ସେମାନଙ୍କର ଏହି ଦରିଦ୍ରତାର ସୂଚନା ଦେଉଥିଲା ନିତିଦିନରେ ଜୀବନରେ ସେମାନେ କୌଣସି ରସ ପାଉନଥିଲେ, ତେଣୁ ଉତ୍ସାହ ନାଆଁରେ ଗୋଟାଏ ସଜ୍ଜିତ କୃତ୍ରିମ ଅବସର ସୃଷ୍ଟିକରି ସେମାନେ ଭାରି ପରିତୃପ୍ତି ପାଇଲେ । ଜୀବନର ଜୀବନମମତା ଯେତିକି ମରିମରି ଯାଉଚି, ଉତ୍ସବର ଆନନ୍ଦ ମଧ୍ୟ ଆମପାଖକୁ ସେତିକି ହଜିହଜି ଯାଉଚି । ଆନନ୍ଦ ପାଇବାର ଆତୁରତା ଆମକୁ ସେତିକି ଉତ୍ତେଜିତ କରି ରଖୁଚି ।

 

୧୫ । ୩ । ୬୦

 

କାଲି ମହାଭାରତରେ ଗୋଟିଏ ଜାଗାରେ ‘ଅଯୁକ୍ତ’ କଥା ବିଷୟରେ ପଢ଼ିବାକୁ ପାଇଲି-। କଥା ଅଯୁକ୍ତ ହେବା ଉଚିତ ନୁହେଁ । କୌଣସି ସ୍ଥାନରେ ଅର୍ଜ୍ଜୁନର ଗୁଣ ବର୍ଣ୍ଣନା କରି କୁହାଯାଇଚି ଯେ ସିଏ କଦାପି ଅଯୁକ୍ତ କଥା କହେ ନାହିଁ । ଅର୍ଥାତ୍ କଥା କହିଲାବେଳେ ମଧ୍ୟ ଆମକୁ ଯୁକ୍ତ ରହିବାକୁ ପଡ଼ିବ । କଥା କହିଲାବେଳେ ଆମେ ଅନେକ ସମୟରେ ସବୁ ବାଡ଼ବତା ଭୁଲିଯାଉ । ଆମର ମନ ଭିତରେ ଯେତେପ୍ରକାର ଅତୃପ୍ତି ଓ ଅସନ୍ତୋଷ ରହିଥାଏ, ସେଗୁଡ଼ାକୁ ବାହାରେ ପ୍ରକାଶ ନକରିବାକୁ ବା ସେଗୁଡ଼ାକର ସମ୍ମୁଖୀନ ନହେବାକୁ ଆମେ ନାନା ଅକାରଣ କଥାର ଆଶ୍ରୟ ନେଇଥାଉ । ଆମ କଥାରେ ପରର ନିନ୍ଦା ଭରି ରହିଥାଏ । ଅର୍ଥାତ୍ ଅନ୍ୟକୁ ଦୁର୍ବଳ ବୋଲି ଦେଖାଇ ଆମେ ଆପଣାର ଦୁର୍ବଳତାଗୁଡ଼ାକୁ ପରୋକ୍ଷରେ ସମର୍ଥନ ଦେଇଥାଉ । ଅପରକୁ ବଦମାସ ବା ମନ୍ଦ ବୋଲି କହି ଆମେ ଆପଣା ଭିତରର ମନ୍ଦ ଓ ବାଦମାସୀକୁ ମାଫ କରିଦେବାର ଚେଷ୍ଟା କରିଥାଉ । ଅଯୁକ୍ତ ହେଲାବେଳେ ଏହିପରି ହୋଇଥାଏ । ଆମେ ଯାହାସବୁ କହୁ, ତାହାକୁ ଆପଣାର ଅନ୍ତର ଭିତରୁ କହୁନାହିଁ । ଅନ୍ତରକୁ ଘୋଡ଼ାଇ ରଖିବାକୁ ଅନ୍ତରର ଆବଶ୍ୟକତାଗୁଡ଼ିକୁ ଏଡ଼ିଦେଇ ପରିବାକୁ ଆମେ କଥା କହୁ । ସଂଯମର ସବୁ ଖୁଣ୍ଟାକୁ ହୁଗୁଳା କରିଦେଇ କଥା କହୁ । ଆମର କୁତ୍ସା ଓ ନିନ୍ଦା ଭିତରେ ସମସ୍ତଙ୍କୁ ଆଣି ଘାଣ୍ଟି ଚକଟି ଆମେ ଏକପ୍ରକାର ଆନନ୍ଦ ଅନୁଭବ କରୁ । ଗୀତାରେ ମଧ୍ୟ ଯୁକ୍ତ ଓ ଅଯୁକ୍ତ ହେବାର କଥା କୁହାଯାଇଚି । ଯିଏ ଅଯୁକ୍ତ, ଅର୍ଥାତ୍ ଯିଏ ଆପଣାର ନିବିଡ଼ତମ ଅନ୍ତର ସହିତ ସମସ୍ତ ସଂଯୋଗ ଛିଡ଼ାଇ ଦେଇଥାଏ, ତାହାର ବୁଦ୍ଧି ବା ଭାବନା କିଛି ନଥାଏ । ତାହାର ବୁଦ୍ଧି କେବଳ ଦୁର୍ବଳ ଓ ତା’ର ଭାବନା କେବଳ ଦୁର୍ଭାବନାରେ ପରିଣତ ହୋଇ ଯାଇଥାଏ । ଯିଏ ଅଯୁକ୍ତ ହୋଇ କଥାକହେ, ସିଏ କେବଳ ଅକଥା କହେ ବୋଲି କୁହାଯାଇ ପାରିବ । ତା’ର କଥା ସହିତ ତା’ର ଆପଣାର କୌଣସି ସଂଯୋଗ ନଥାଏ । ଅନେକ ସମୟରେ ମୁଁ ବି ଏହିପରି ଖିଅ ଛିଡ଼ାଇ ବୁଲୁଚି । ଆପଣାଠାରୁ ପଳାଇଯାଇ ଆପଣାର ସମସ୍ୟାଗୁଡ଼ିକୁ ପାର ହୋଇଯିବ ବୋଲି ମୁଁ ବି ଅନେକବାର ଚେଷ୍ଟା କରୁଚି । କିନ୍ତୁ ଏପରି କରି ପ୍ରତ୍ୟେକ କଥାର ମୁଁ ଆପେ ହିଁ ଆଘାତ ପାଇଚି । କ୍ଳାନ୍ତ ହୋଇ ମୋତେ ବାରବାର ଆପଣା ପାଖକୁ ଲେଉଟି ଆସିବାକୁ ପଡ଼ିଚି । ଆପଣାର ଅନ୍ତର ଭିତରେ ଜୀବନର ଖିଅ ଖୋଜି ବାରବାର ତାହାରି ସହିତ ଆପଣାକୁ ଯୋଡ଼ିଦେବାକୁ ପଡ଼ିଚି ।

 

୧୬ । ୩ । ୬୦

 

ଷୋଳ ତାରିଖର ସକାଳେ ଆଜି ଆପଣା ଭିତରକୁ ଅନାଇଦେଇ ଜାଣୁଚି ଯେ ଏ ଜୀବନରେ ସ୍ନେହ ଓ ପ୍ରେମର ଅନେକ ଆବଶ୍ୟକତା ରହିଚି । ମୋ’ ଭିତରେ କେତେ କ୍ଷତ, କେତେ ଦାଗ, କେତେ ଦହନ, କେତେ ଜ୍ଵାଳା-ସବୁ ଯେପରି କାହାର ସ୍ନେହମୟ ସ୍ପର୍ଶଲାଗି ଅପେକ୍ଷା କରି ରହିଚି । ଆଜିକୁ ଅନେକ ବର୍ଷ ତଳେ ଏହିପରି ଗୋଟାଏ ଦିନ ମୋତେ ଜୀବନର ଅନେକ ପରିଚୟ ଦେଇଥିଲା ସେଇଦିନଠାରୁ ଘୃଣା ଅପେକ୍ଷା ସ୍ନେହ ଓ ପ୍ରେମକୁ ମୁଁ ଜୀବନର ସାରତର ପୁଞ୍ଜୀ ବୋଲି ଗ୍ରହଣ କରି ଆସିଚି । ନିନ୍ଦାକରି ଦୂରକୁ ଠେଲିଦେବାଠାରୁ ଆପଣାର କରି ପାଖକୁ ଟାଣି ଆଣିବାକୁ ମୁଁ ଜୀବନର ବାଟ ବୋଲି ବୁଝିଚି । ସେଇଦିନଠାରୁ ଆପଣାକୁ ସ୍ନେହ ଓ ପ୍ରେମଲାଗି ଉର୍ଦ୍ଦିଷ୍ଟ କରି ରଖିବାକୁ ମୁଁ ଅଧିକ ଚେଷ୍ଟାକରି ଆସିଚି । ଆପଣାକୁ ଏହିପରି ଉର୍ଦ୍ଦିଷ୍ଟ କରି ରଖିବା ଦ୍ଵାରା ମୁଁ ଅନେକ କିଛି ପାଇଚି । ଏ ଜୀବନରୁ ଅନେକ ପାଇଚି, ସମସ୍ତଙ୍କର ଆଶୀର୍ବାଦରୁ ଅନେକ ସୁଖୀ ହୋଇଚି । ମୋର ବିଶ୍ଵାସ ବଢ଼ିବଢ଼ି ଯାଇଚି । ମଣିଷ ପରସ୍ପରର ରାସ୍ତାରେ ଆଗେଇଦେବ, ମୁଁ ଏହାକୁ ହିଁ ଏକ ଜୀବନର ନୀତି ବୋଲି ଗ୍ରହଣ କରିଚି । ଆଜି ହଠାତ୍ ଦେଖୁଚି, ମୋର ଏହି ବିଶ୍ଵାସଟି ଯେପରି ଭାଙ୍ଗି ଚୁରମାର ହୋଇଯିବାକୁ ବସିଛି । ସଂସାରରେ ଯୁଆଡ଼କୁ ଚାହିଁ ଦେଖୁଚି, ସମସ୍ତେ ଯେପରି ଅନ୍ୟ ଅନୁରକ୍ତି ଓ ଅନ୍ୟ ବିଶ୍ଵାସ ନେଇ ଅନ୍ୟ କୁଆଡ଼େ ଧାଇଁଚନ୍ତି,-ଅନେକ ଉତ୍ତେଜନା ସହିତ ଧାଇଁଚନ୍ତି । ମୋର ଆପଣା ବିଶ୍ଵାସ ଟଳି ଗଲାପରି ଲାଗିଚି-। ମୁଁ ସତେଅବା ଜୀବନର ଯାବତୀୟ ସଭାରୁ ବହିଷ୍କୃତ ହୋଇ ରହିଯାଉଚି । ଏହାରି ଫଳରେ ଜୀବନଟାଯାକ ସବୁ ଅପୂର୍ଣ୍ଣତା ଓ ସବୁ ଅତୃପ୍ତି ଭର୍ତ୍ତିହୋଇ ଗଲାପରି ଲାଗୁଚି । କାହାର ସ୍ନେହମୟ ସମର୍ଥନ ମୋତେ ପୁଣି ମୋର ବାଟ ଉପରକୁ ଫେରାଇ ଆଣିବ ? କାହାର ସ୍ନେହସ୍ପର୍ଶ ମୋ’ ହୃଦୟରେ ନିର୍ଭର ଓ ବିଶ୍ଵାସ ଭରିଦେଇ ପାରିବ ? ମୋର ସେହିପରି ଏକ ସାଥୀ ଦରକାର, ସେହିପରି ଜଣେ ବନ୍ଧୁ ଦରକାର । ମୁଁ ଭିତରେ ଯେତିକି ବିଚଳିତ ହୋଇପଡ଼ୁଚି, ଏହି ଆବଶ୍ୟକତାଟିକୁ ମୁଁ ସେତିକି ତୀବ୍ର ଭାବରେ ଅନୁଭବ କରୁଚି । ଏହି ସଙ୍କଟ ଭିତରୁ ମୋତେ କିଏ ବାଟ କଢ଼ାଇନେବ ?

 

୧୭ । ୩ । ୬୦

 

କାଲି ଖବର କାଗଜରେ ପଢ଼ିବାକୁ ପାଇଲି ଯେ ଗତ ବାର ତାରିଖରେ ଶାନ୍ତିନିକେତନ ଠାରେ ଶ୍ରୀ କ୍ଷିତିମୋହନ ସେନଙ୍କର ଦେହାନ୍ତ ହୋଇଯାଇଚି । ଶାନ୍ତିନିକେତନରେ ମୋର ପାଞ୍ଚ ବର୍ଷ ରହିବା କାଳରେ ଯେଉଁ ତିନି ଚାରି ଜଣଙ୍କଠାରୁ ମୁଁ ସବୁଠାରୁ ଅଧିକ ପ୍ରେରଣା ପାଇଚି, କ୍ଷତିଦାଦୁ ତାଙ୍କରି ଭିତରୁ ଜଣେ । ଏହି ସଂସାରରେ ଜ୍ଞାନୀ ଅନେକ ଅଛନ୍ତି, ଯେଉଁମାନେ କି ବିଶ୍ଵାଯାକର ସମସ୍ତ ଜ୍ଞାନକୁ ଜିଭଅଗରେ ଆୟତ୍ତ କରି ରଖିଚନ୍ତି । ସଂସାରରେ ଅନେକ ରସିକ ଅଛନ୍ତି, ଯେଉଁମାନେ କି ମଣିଷକୁ ହସାଇ ହସାଇ ଗଡ଼ାଇ ଦେଇ ପାରିବେ । କିନ୍ତୁ ଜ୍ଞାନକୁ ସରସ କରିଦେଇ ପାରିବା ଭଳି ବ୍ୟକ୍ତି ସଂସାରରେ ଖୁବ୍ କମ୍ ଅଛନ୍ତି । ଯିଏ ଜ୍ଞାନକୁ ଆନନ୍ଦ ବୋଲି ଗ୍ରହଣ କରିପାରେ, କେବଳ ସେହି ବ୍ୟକ୍ତି ଜ୍ଞାନକୁ ସରସ ଭାବରେ ନିବେଦନ କରି ଦେଇପାରେ । ସଂସାରରେ ଏପରି ଅନେକ ପଣ୍ଡିତ ଓ ଅନେକ ଜ୍ଞାନୀ ଅଛନ୍ତି, ଯେଉଁମାନଙ୍କ ପାଖରେ ଘଡ଼ିଏ ବସିଲେ ଜ୍ଞାନାଗ୍ରହ ଓ ଜ୍ଞାନମୟ ଜୀବନ ବିଷୟରେ ବଡ଼ ନିରାଶ ହେବାକୁ ପଡ଼ିଥାଏ । ମନେହୁଏ, ଜ୍ଞାନର ପଥରମୁଣ୍ଡା ତଳେ ସେମାନଙ୍କର ଜୀବନ ସତେ ଯେପରି ଏକାବେଳେକେ ପେଷି ହୋଇ ଯାଇଚି । ଆପଣାର ଏହି ଦାରୁଣ ଦୁର୍ଗତିଟିର ଜ୍ଞାପନ କରିବା ବ୍ୟତୀତ ଏମାନଙ୍କ ପାଖରେ ସତେ ଯେପରି ଆଉ କିଛି ହେଲେ କହିବାକୁ ନାହିଁ ! ଆଉ ଜଣେଜଣେ ଜ୍ଞାନୀ ଅଛନ୍ତି, ଯେଉଁମାନେ କି ଜ୍ଞାନର ପରାକ୍ରମ ଦେଖାଇ ଶୁଣୁଥିଲା ଲୋକକୁ ଗିଳି ପକାଇବାକୁ ବସନ୍ତି । ସେମାନଙ୍କ ପାଖରେ ବସିଲେ ଆପାଣାକୁ କେବଳ ଅତି ଛୋଟ ବୋଲି ମନେହୁଏ, ଆପଣା କ୍ଷୁଦ୍ରତାର ଗ୍ଳାନି ସମସ୍ତ ମନକୁ ଦହି ପକାଏ । କିନ୍ତୁ କ୍ଷତିଦାଦୁ ଅନ୍ୟ ପ୍ରକାରର ଜ୍ଞାନୀ ଥିଲେ । ତାଙ୍କର ଜ୍ଞାନ ତାଙ୍କ ମୁଣ୍ଡ ଉପରେ ବୋଝ ହୋଇ ରହି ନଥିଲା, ତେଣୁ କେତେବେଳେ ହେଲେ କାହାରିକୁ ଆପଣାର ବୋଝ ଜନିତ ଆର୍ତ୍ତନାଦ ଶୁଣାଇବାକୁ ଯାଉ ନ ଥିଲେ । ତାଙ୍କ ପାଖରେ ବସି ତାଙ୍କର ସରସ ଗମ୍ଭୀର କଥାମାନ ଶୁଣିବା ବେଳେ ଆପଣାକୁ କଦାପି କ୍ଷୁଦ୍ର ବୋଲି ମନେ ହେଉ ନଥିଲା । ସେ ସତେଅବା ନିଜେ ଆସି ଶୁଣିବା ଲୋକର ଦୁଆର ଖୋଲି ଦେଉଥିଲେ, ଆପଣା ହାତରେ ତା’ର ଆଖି ଖୋଲି ଦେଖାଇ ଦେଉଥିଲେ । ଗୋଟିଏ କଥା କହି ସେ ଆହୁରି ଦଶଟା କଥା ଭାବିବା ଲାଗି ଉଦ୍‌ବୁଦ୍ଧ କରାଉଥିଲେ । ଏହିପରି ଜଣେ ବ୍ୟକ୍ତି ଶାନ୍ତିନିକେତନରେ ପ୍ରକୃତ ଭୂଷଣ ପରି ଥିଲେ, ଶାନ୍ତିନିକେତନକୁ ବଞ୍ଚାଇ ରଖିଥିଲେ ।

 

୧୮ । ୩ । ୬୦

 

କାଲି ଗୋଟାଏ ଛବିରେ ଜର୍ମାନୀର ଶାସକ ଆଡ଼େନାଉଅର୍‌ଙ୍କୁ ଏକ ଅଦ୍‌ଭୂତ ପରିସ୍ଥିତିରେ ଦେଖିବାକୁ ପାଇଲି । ବେଲ୍‌ସେନ୍‌ଠାରେ ହିଟ୍‌ଲର–ଅମଳର ଯେଉଁ Concentration Camp ଥିଲା, ସେଥିରେ ଅତ୍ୟାଚାରିତ ହୋଇ ପ୍ରାଣ ହରାଇଥିବା ବନ୍ଦୀମାନଙ୍କ ଉଦ୍ଦେଶ୍ୟରେ ସେ ଆପଣାର ଶ୍ରଦ୍ଧା ପ୍ରଦର୍ଶନ କରିବାକୁ ଯାଉଥିଲେ । ବନ୍ଦୀମାନଙ୍କର ସମାଧି ଉପରେ ତାଙ୍କୁ ଫୁଲର ମାଳା ଚଢ଼ାଇବାକୁ ହେବ । ସମଗ୍ର ଜର୍ମାନୀର ନିର୍ବାଚିତ ଶାସକର ଯୋଗ୍ୟ ହେବାକୁ ହେଲେ ଫୁଲର ମାଳା ଯେଡ଼ିକି ବଡ଼ ହେବାର କଥା, ପତର ଓ ପୁଲ ମିଶି ତାହା ସେଡ଼ିକି ବଡ଼ ହୋଇଥାଏ । ଶାସକ ପଛେ ପଛେ ଯାଉଚନ୍ତି, ପୁଷ୍ପ ଓ ପତ୍ରର ସେହି ଆୟୋଜିତ ଗୁରୁଭାର ବହନ କରି ତାଙ୍କ ଆଗରେ ଦୁଇଜଣ ମଣିଷ ମଧ୍ୟ ଚାଲିଚନ୍ତି । ଆଜିକାଲି ଶ୍ରଦ୍ଧା ଓ ଭକ୍ତିକୁ ଆକାର ଓ ପରିମାଣ ଦେଇ ପରଖ କରିବାର ରୀତି ଚାଲିଲାଣି । ଶ୍ରୀଯୁକ୍ତ ଆଡ଼େନାଉଅର୍ ବୃଦ୍ଧ ମଣିଷ, ଏଡ଼େବଡ଼ ଫୁଲର ମାଳାକୁ ବୋହି କରି ନେବା ଲାଗି ତାଙ୍କ ଶରୀରରେ ଶକ୍ତି ନାହିଁ । ତେବେ ଛୋଟିଆ ଫୁଲ ମାଳାଟିଏ ନେଇ ଯାଇଥିଲେ ତ ହୋଇଥାନ୍ତା ! ଅନ୍ତରର ଶ୍ରଦ୍ଧାସିନା ଅସଲ କଥା, ଫୁଲର ମାଳା ତ ପ୍ରତୀକ ମାତ୍ର । କିନ୍ତୁ ତେଣେ ଅନ୍ତରର ଶ୍ରଦ୍ଧା ମହଜୁଦ ଥାଉ କି ନଥାଉ, ଆନୁଷ୍ଠାନିକ ଆୟୋଜନଟା ଲୋକଙ୍କୁ ଦେଖାଇବା ଭଳି ହେବା ଉଚିତ, ଶାସକର ଯୋଗ୍ୟ ହେବା ଉଚିତ । ଆଗକାଳେ ରାଜା ମହାରାଜାମାନେ ଏହିପରି ବାହ୍ୟ ଦେଖାଣିରେ ଆପଣାର ଭକ୍ତି, ଶ୍ରଦ୍ଧା ଓ ଧାର୍ମିକତାକୁ ବଡ଼ କରି ଦେଖାଉଥିଲେ । ରାଜା ତୀର୍ଥ କରି ବାହାରିଲେ ତୀର୍ଥବାସୀ ଭଗବାନ ମଧ୍ୟ ସେଥିଲାଗି ପ୍ରସ୍ତୁତ ହୋଇ ରହୁଥିଲେ । ଗଣତନ୍ତ୍ର ଯୁଗରେ ନିର୍ବାଚିତ ଶାସକ ମଧ୍ୟ ରାଜାପରି ରହିବାକୁ ଚାହୁଚି । ସେ ଆପଣାର ଶ୍ରଦ୍ଧାକୁ ବଡ଼ କରି ଦେଖାଇବାକୁ ଚାହୁଚି ।

 

୧୯ । ୩ । ୬୦

 

ମଣିଷ ସହିତ ମଣିଷକୁ ସମ୍ମିଳିତ କରାଇବା ହେଉଚି ସଂସ୍କୃତିର ସବୁଠାରୁ ବଡ଼ କାମ । ଅବଶ୍ୟ ବର୍ତ୍ତମାନ ହାଟ ବଜାରରେ ବି ମଣିଷ ମଣିଷ ସହିତ ଏକତ୍ର ହେଉଚି ସିନେମା ଘରେ ବା ଖେଳ ପଡ଼ିଆରେ ମଣିଷ ମଣିଷ ସହିତ ଏକତ୍ର ହେଉଚି । ଗୋଟାଏ ଜାଗାରେ ହଜାର ହଜାର ମଣିଷ ଦେହ ଘଷାଘଷି ହୋଇ କେବଳ ଭିଡ଼ ଜମାଇଦେଲେ ଆମେ ତାହାକୁ ମଣିଷ ସହିତ ମଣିଷର ସମ୍ମିଳିତ ହେବା ବୋଲି କହି ପାରିବାନାହିଁ । ବ୍ୟବସାୟରେ ମଣିଷ ଜୀବନର କେବଳ ଗୋଟାଏ ଅଂଶମାତ୍ର ମିଶେ, ଅନ୍ୟ ଅଂଶମାନ ପରସ୍ପରଠାରୁ ଭାରି ଦୂରଛଡ଼ା ହୋଇଯାଏ । ତେଣୁ ଆଧୁନିକ ସମାଜରେ ବ୍ୟବସାୟୀ ବୃତ୍ତି ଯେତିକି ବଢ଼ିବଢ଼ି ଯାଉଚି, ମଣିଷ ଅନ୍ୟ ମଣିଷମାନଙ୍କ ଠାରୁ ସେତିକି ଅଲଗାହୋଇ ଯାଉଚି, ସେତିକି ଗୋଠଖଣ୍ଡିଆ ହୋଇଯାଉଚି । ଆପଣାର ସ୍ଵାର୍ଥଗତ ଜୀବନ ଓ ଲାଭକ୍ଷତିର ହିସାବକୁ ଭୁଲିଯାଏ ମଣିଷ ଯେଉଁଠାରେ ଏକତ୍ର ହୁଏ, ଯେଉଁଠି ସେ ଆପଣାର ହୃଦୟ ଦେଇ ଏକତ୍ର ହୁଏ, ସେହିଠାରେ ହିଁ ସଂସ୍କୃତି ସମ୍ଭବ ହୁଏ । ଆପଣାଜୀବନର ବିକୃତିଗୁଡ଼ିକୁ ଏକ ସାମୂହିକ ସମର୍ଥନ ଓ ଆନୁଷ୍ଠାନିକ ରୂପ ଦେଇ ପ୍ରକଟ କରିଦେବା କାଦାପି ସଂସ୍କୃତି ନୁହେଁ । ବ୍ୟକ୍ତିଗତ ସାଧାରଣ ଜୀବନରେ ଯେଉଁ ଭାବମାନ ପ୍ରକାଶିତ ହେବାର ସୁଯୋଗ ନପାଇ ଆମ ଭିତରେ ଦବିଦବି ରହିଥାଏ, ସାମାଜିକ ଅନୁଷ୍ଠାନର ସୁଯୋଗ ପାଇ ସେହିସବୁ ଅଶ୍ଳୀଳତା ଓ ଅସ୍ଵାଭାବିକତା ଏକ ସମର୍ଥିତ ଶ୍ଳୀଳ ରୂପ ପାଇ ପଦାକୁ ବାହାରି ଆସେ । ସଂସ୍କୃତି ନାମରେ ଯେତେ ପୋଷାକ ପିନ୍ଧି ଆଡ଼ମ୍ବର କରି ବାହାରିଲେ ମଧ୍ୟ ତାହାକୁ ବିକୃତି ହିଁ କୁହାଯିବ । ସାତଦିନ ତଳେ ହୋରିଖେଳ ନାଆଁରେ ଆମେ ଏଠାରେ ଯାହାସବୁ ଆଚରଣ ଦେଖାଇଲୁ, ତାହା ସଂସ୍କୃତି ନୁହେଁ, ବିକୃତି, ତାହା ବଦମାସୀ । କିନ୍ତୁ କାଲି ଗାଆଁରେ ମୁଁ ଯେଉଁ ହୋରି-ଉତ୍ସବ ଓ ହୋରିମିଳନ ଦେଖିଆସିଲି, ତାହା ହେଉଚି, ସଂସ୍କୃତି । ଗୀତ, ବାଦ୍ୟ, ସମବେତ ଅଂଶଗ୍ରହଣ, ସ୍ଵାଭାବିକ ଛନ୍ଦୋମୟତା ଓ ସର୍ବୋପରି ହୃଦୟ ଖୋଲା ଆନନ୍ଦଦାନ ଓ ଆନନ୍ଦଗ୍ରହଣ,–କାଲିର ମେଳାଭିତରେ ସବୁ ରହିଥିଲା । ସେଠି ଘଡ଼ିଏ ଠିଆ ହୋଇଗଲେ ଅତି ସ୍ଵାଭାବିକ ଭାବରେ ମନ ଆନନ୍ଦରେ ପୂରି ଯାଉଥିଲା । ଗାଆଁକୁ ବଞ୍ଚାଇ ରଖିବାକୁ ହେଲେ ଆମକୁ ଏହିସବୁ ମେଳା ଓ ଅନୁଷ୍ଠାନକୁ ବଞ୍ଚାଇ ରଖିବାକୁ ହେବ । ଏଗୁଡ଼ିକର ଭୂମିଉପରେ ଆମକୁ ଗ୍ରାମଜୀବନର ସ୍ତମ୍ଭମାନ ନିର୍ମାଣ କରିବାକୁ ହେବ । ଗାଆଁକୁ ଯାଇ ଆମର ମୃତ ହୃଦୟକୁ ପୁଣି ପ୍ରାଣମୟ କରିବାକୁ ହେବ ।

 

୨୦ । ୩ । ୬୦

 

ଆଧୁନିକ ସଭ୍ୟତାକୁ ଗାଆଁ ଭିତରକୁ ନେଇଯିବାର ଉତ୍ସାହରେ ଆମେ ଗାଆଁର ସବୁ ସଂସ୍କୃତିକୁ ମାରିଦେଉଚୁ, ଗାଆଁର ଜୀବନଚେରଟିକୁ କାଟିଦେଉଚୁ । ମେଳାରେ ଗୀତ, ବାଦ୍ୟ ଓ ସେଥିରେ ଲୋକମାନଙ୍କର ସ୍ଵାଭାବିକ ଅଂଶଗ୍ରହଣ ଦେଖି ମୁଁ ସେଦିନ ଏଇକଥା ଭାବୁଥିଲି । ଆଉ ଦଶବର୍ଷ ପରେ ହୁଏତ ହୋରି ଉତ୍ସବର ଏହି ମେଳାଟି ଆପେ ଆପେ ବନ୍ଦ ହୋଇଯିବ । ହୋରିଗୀତ ବୋଲିବାପାଇଁ ଗାଆଁରେ ହୁଏତ ଆଉ କେହି ଲୋକ ରହିବେ ନାହିଁ ବା ଏହିସବୁ ବାଜା ବଜାଇବାର ବିଦ୍ୟା ମଧ୍ୟ ହୁଏତ ସମସ୍ତେ ଭୁଲିଯିବେ । ଏତେଲୋକଙ୍କ ଆଗରେ ହୋରିଗୀତ ଗାଇବାକୁ ସେତେବେଳେ ଗାଆଁର ଲୋକମାନଙ୍କୁ ହୁଏତ ଲାଜ ଲାଗିବ । ଗୀତ କହିଲେ ସେମାନେ ହୁଏତ କେବଳ ରେଡ଼ିଓର ଗୀତ, ବୋଲି ବୁଝିବେ ବା ସହରରୁ ବ୍ୟବସାୟୀ ଗାୟକମାନଙ୍କୁ ପଇସା ଦେଇ ଗାଆଁକୁ ଆଣି ସେମାନେ ଗୀତ ଶୁଣିବେ । ଏହାଦ୍ୱାରା ଅବସର ବିନୋଦନର ସାଧନ ବଢ଼ିବ, ପଇସା ଖରଚ କରିବାର ନୂଆ ବାଟ ଫିଟିଯିବ; କିନ୍ତୁ ସଂସ୍କୃତି ମରିଯିବ, ଜୀବନ ବଞ୍ଚିବାର କଳା ମରିଯିବ, ସ୍ଵାଭାବିକ ଭାବରେ ଆନନ୍ଦ ଓ ବିନୋଦନ ସୃଷ୍ଟି କରିବାର ଉତ୍ସାହ ମରିଯିବ । ସଭ୍ୟତା ବଢ଼ିଲେ ମଧ୍ୟ, ଗାଆଁର ପୁରୁଣା ମଣିଷ ଆଧୁନିକ ହେଲେ ମଧ୍ୟ କ’ଣ ପୁରୁଣା ସଂସ୍କୃତିର ରକ୍ଷା କରିବା ତଥାପି ସମ୍ଭବ ହେବନାହିଁ ? ହୋରିର ଏହି ମେଳାଟିକୁ କ’ଣ ଏଠାରେ ବଞ୍ଚାଇ ହେବନାହିଁ ? ସେଦିନ ମୁଁ ଏକଥା ଭାବୁଥିଲି । ଆମେ ଇଚ୍ଛା କଲେ ଏହି ମେଳାଟିକୁ ଅଧିକ ସୁସଂଗଠିତ କରିପାରିବା । ଅଧିକ ସ୍ୱାସ୍ଥ୍ୟକର ଓ ପରିଚ୍ଛନ୍ନ ବାତାବରଣରେ ମେଳାଟିକୁ ବଞ୍ଚାଇ ରଖିପାରିବା । ଖାଇବା ଜିନିଷଗୁଡ଼ିକ ବର୍ତ୍ତମାନ ଧୂଳିରେ ବୁଡ଼ିଯାଉଚି, ସେ ସବୁର ବିକ୍ରୀପାଇଁ ଆମେ ଅଲଗା ସ୍ଥାନ ରଖିଦେବା । ଗୀତ ଓ ନାଚପାଇଁ ମଧ୍ୟ ସ୍ଵତନ୍ତ୍ର ସ୍ଥାନ ରଖିବା । ଲୋକମାନଙ୍କର ବସିବାଲାଗି ସେଠାରେ ସ୍ଥାନର ଉପଯୁକ୍ତ ବ୍ୟବସ୍ଥା କରିଦେବା । ପୁରୁଣା ପରମ୍ପରାଟି ଅଧିକ ସୁନ୍ଦର ହୋଇ ବଞ୍ଚିରହିବ ।

 

୨୧ । ୩ । ୬୦

 

ଆମର ରୁଚି ବଡ଼ ଖରାପ ହୋଇଗଲାଣି କାହାକୁ ଥଟ୍ଟା ପରିହାସ କଲାବେଳେ ମଧ୍ୟ ଶ୍ଳୀଳତାର ବଡ଼ ନଡେଇଁଲେ ଆମକୁ ଥଟ୍ଟା ପରିହାସ କଲାପରି ଲାଗୁନାହିଁ । କୌଣସି ବିଦାୟ–ବା ସ୍ଵାଗତ ସଭାର ଆୟୋଜନ କଲାବେଳେ ଆମେ ବିଦାୟ ଓ ସ୍ଵାଗତର ସମସ୍ତ ଭାବ ଓ ମର୍ମ ଭୁଲିଯାଇ କେବଳ ଫୁର୍ତ୍ତି କରିବାର ଓ ସବୁ ଆୟୋଜନକୁ ଶସ୍ତା କରିଦେବାରେ ଭାରି ଆଗ୍ରହ ଦେଖାଉଚୁ । ବିଦାୟ ବା ସ୍ଵାଗତ କଲାବେଳେ ଯେ ନିଜ ହୃଦୟଭିତରେ କିଛି ଅନୁଭବ କରିବାକୁ ହୁଏ, ମନର ଭାବଦ୍ଵାରା ହିଁ ଯେ ଆମର ଦୁଃଖ ବା ଆନନ୍ଦ ପ୍ରକାଶ ପାଇଥାଏ, ଆମେ ଏହିକଥା ଏକାବେଳେକେ ଭୁଲିଯାଇଚୁ । ଆମର ଦୁଃଖ ଓ ସୁଖକୁ ପ୍ରକାଶ କରିବାର ପଦ୍ଧତି ଅତି କୃତ୍ରିମ ହୋଇପଡ଼ୁଚି । ଆଗେ ଆମର ସକଳ ଉତ୍ସବ ଓ ଆନୁଷ୍ଠାନ ପ୍ରଧାନତଃ ଭାବମୟ ହେଉଥିଲା, ପ୍ରଧାନତଃ ଆପଣାର ହୃଦୟ ନେଇ ଏଥିରେ ସମବେତ ହେଉଥିଲେ । କିନ୍ତୁ ଆଜି ବାହାର ଆୟୋଜନ ଆମର ସକଳ ଆୟୋଜନ ହିଁ ଆମର ସକଳ ଆୟୋଜନ ହିଁ ଆମର ସକଳ ସ୍ଵାଭାବିକତାକୁ ନଷ୍ଟ କରି ପକାଉଚି, ସକଳ ସଂସ୍କୃତିକୁ ବିକୃତିରେ ପରିଣତ କରିଦେଉଚି । ସେଦିନ ପିଲାମାନଙ୍କର ଗୋଟିଏ ବିଦାୟସଭା ହେଉଥିଲା । ସଭାର ଆରମ୍ଭରେ ଲୋକମାନଙ୍କୁ ଆକୃଷ୍ଟ କରିବାଲାଗି ରେକର୍ଡ଼ ଯୋଗେ ଶସ୍ତା ସିନେମାଗୀତ ସବୁ ପ୍ରଚାରିତ ହେଲା ସେଗୁଡ଼ାକ ଶୁଣିଲାବେଳକୁ ମନ ବିଦାୟସଭାର ଗମ୍ଭୀରତା ଭୁଲି ଆଉ କୁଆଡ଼େ ଚାଲି ଯାଉଥିଲା । ଯେଉଁ ଦିନଠାରୁ ଏଦେଶରେ ବଣିଆର ପ୍ରାଦୁର୍ଭାବ ବଢ଼ିଲାଣି, ପଇସା ଖରଚ କରିବାର ଅନୁପାତରେ ଆନନ୍ଦ ମିଳେ ବୋଲି ଏକ ଭ୍ରମ ଯେଉଁଦିନୁ ଆମମାନଙ୍କ ମନରେ ଚେର ମଡ଼ାଇବାକୁ ଆରମ୍ଭ କଲାଣି, ସେଇଦିନୁ ଆମର ସକଳ ଆଚରଣକୁ ସକଳ ସ୍ଵାଭାବିକତା ଅପହୃତ ହୋଇ ଯାଇଚି । ତେଣୁ ଆନନ୍ଦ ପାଇବାର ସାଧନ ବଢ଼ୁଚି, କିନ୍ତୁ ଆନନ୍ଦ ନାହିଁ । ମଣିଷ ସହିତ ସମ୍ମିଳିତ ହେବାର ସାଧନ ବଢ଼ୁଚି, କିନ୍ତୁ ମଣିଷ ମଣିଷଠାରୁ ଦୂରକୁ ଚାଲିଯାଉଚି । ଆମେ କେହି ଏ ବିଷୟରେ ଭାବିବାକୁ ମଧ୍ୟ ସାହସ କରି ପାରୁନାହୁଁ, ଅଥଚ ଏଣେ ଆମର ସଂସ୍କୃତି କ୍ରମେ ତଳକୁ ଜୀବରେ ଲାଗିଚି ବୋଲି କହି ଆମେ ମନସ୍ତାପ କରିବାରେ ଲାଗିଚୁ । ମଣିଷ ହିଁ ତା’ର ସଂସ୍କୃତିର ପ୍ରରିନିଧି,–ଆମର ସ୍ତର ହିଁ ଆମ ସଂସ୍କୃତିର ସ୍ତର ।

 

୨୨ । ୩ । ୬୦

 

ସମସ୍ତେ ବଞ୍ଚିରହିବା ପାଇଁ ଏକ ନ୍ୟାୟପୂର୍ଣ୍ଣ ସାମାଜିକ ବ୍ୟବସ୍ଥା,–ଏବଂ ପ୍ରତ୍ୟେକ ବ୍ୟକ୍ତିର ସୃଜନାତ୍ମକ ବିକାଶଲାଗି ଯଥେଷ୍ଟ ମୁକ୍ତ ଏକ ବାୟୁମଣ୍ଡଳ,–ଏହି ଦୁଇଟି କଥା ହେଉଚି ଯେକୌଣସି ଯୋଜନାରେ ଏକ ଅପରିହାର୍ଯ୍ୟ ଆବଶ୍ୟକ ଅଙ୍ଗ । ଗାଆଁର ହେଉ, ସହରର ହେଉ, ଦେଶର ହେଉ ବା ସାରା ପୃଥିବୀର ହେଉ, ଯୋଜନା ତିଆରି କଲାବେଳେ ଆମକୁ ଏହି ଦୁଇଟିକୁ ଆମ ବ୍ୟବସ୍ଥାର ଓ ଆମ ଆଚରଣର ମୂଳନୀତି ରୂପେ ଗ୍ରହଣ କରିବାକୁ ହିଁ ହେବ । ତା’ନହେଲେ ଆମର ସବୁ ବ୍ୟବସ୍ଥା ସତ୍ତ୍ୱେ କେବଳ ଭ୍ରଷ୍ଟତା ହିଁ ପରିଣାମ ହେବ । ବର୍ତ୍ତମାନ ଆମ ସଂସାରରେ ସମ୍ପଦ ଯଥେଷ୍ଟ ରହିଚି, କିନ୍ତୁ ସାମାଜିକ ନ୍ୟାୟ ନାହିଁ । ଯିଏ ସବୁପ୍ରକାର ଭୌତିକ ସମ୍ପନ୍ନତାରୁ ବିଚ୍ଛିନ୍ନ ହୋଇ ରହିଚି, ସିଏ ଆପଣାକୁ ମଣିଷ ବୋଲି ଭାବିବାଲାଗି ମଧ୍ୟ ଅବସର ପାଉନାହିଁ । ପୁଣି ଯାହାପାଖରେ ସବୁପ୍ରକାର ସମ୍ପନ୍ନତା ଭରି ରହିଚି, ସିଏ ନାନା ଭୟର ବଶବର୍ତ୍ତୀ ହୋଇ ଆପଣାର ସଂପଦକୁ କେବଳ ଧ୍ଵଂସମୂଳକ ବାଟରେ ଖର୍ଚ୍ଚ କରିବାରେ ହିଁ ଦିନରାତି ବ୍ୟସ୍ତ ରହିଚି । ସିଏ ଯୁଦ୍ଧପାଇଁ ସଜ ହେଉଚି ଆପଣାପକ୍ଷକୁ ମଜବୁତ କରିବ ବୋଲି ଅପର ପକ୍ଷପ୍ରତି ଘୃଣା ଜନ୍ମାଇବାର ଚେଷ୍ଟା କରୁଚି । କେତେ ଲୋକ ଓ କେତେ ଦେଶର ବିବେକକୁ ମାରିବାଲାଗି ସେ କେତେ ପ୍ରଲୋଭନର ସୃଷ୍ଟି କରୁଚି । ତେଣୁ ଏହି ସମ୍ପଦ ଦ୍ଵାରା ଆଜି କାହାରି କଲ୍ୟାଣ ହେଉନାହିଁ । ସାମାଜିକ ନ୍ୟାୟରେ ବିଶ୍ଵାସ ନକରି ସାମାଜିକ ଭୟ ଉପରେ ବିଶ୍ଵାସ କରୁଥିବା ପର୍ଯ୍ୟନ୍ତ ଆମେ କଦାପି କେହି ସମ୍ପଦକୁ ଆମର ଯଥାର୍ଥ ବିକାଶରେ ଲଗାଇ ପାରିବା ନାହିଁ ।

 

୨୩ । ୩ । ୬୦

 

ବିଜ୍ଞାନର ସାହାଯ୍ୟରେ ମଣିଷ ନିତିନିତି ନୂଆ ଉଦ୍ଭବମାନ କରୁଚି । ନିତି ନୂଆ ସୁଖର ସାଧନାମାନ ବଢ଼ାଉଚି । ସବୁ ମଣିଷଙ୍କ ଲାଗି ଏକ ନ୍ୟାୟପୂର୍ଣ୍ଣ ସାମାଜିକ ବ୍ୟବସ୍ଥା ସମ୍ଭବ କରିବା ସକାଶେ ଯେଉଁସବୁ ସାଧନ ଦରକାର, ମଣିଷ ସେସବୁ ସାଧନର ବ୍ୟବସ୍ଥା ହୁଏତ ଦିନେ ନା ଦିନେ କରିପାରିବ । ସଂସାରର ସବୁ ମଣିଷଙ୍କ ପାଇଁ ଖାଇବା ଓ ବଞ୍ଚିବାର ଯଥେଷ୍ଟ ସମଗ୍ରୀ ହୁଏତ ବର୍ତ୍ତମାନ ମଧ୍ୟ ମହଜୁଦ ରହିଚି । କିନ୍ତୁ ସେହି ସାମଗ୍ରୀକୁ ସର୍ବଜନଲଭ୍ୟ କରିବାକୁ ହେଲେ ମଣିଷଭିତରେ ଏକ ନୈତିକ କର୍ତ୍ତବ୍ୟଜ୍ଞାନ ରହିଥିବା ଦରକାର । ଆମେ ସମସ୍ତେ ସାମାଜିକ ନ୍ୟାୟ ଉପରେ ବିଶ୍ଵାସ କରୁ, କିନ୍ତୁ ଜୀବନର ଆଚରଣରେ ଅସମାଜିକ ଅନ୍ୟାୟମାନ କରିବାରେ ଲାଗିଥାଉ । ଆମେ ଭାବୁ, ଆମର ଛୋଟ କ୍ଷେତ୍ରରେ ଛୋଟ ଅନ୍ୟାୟ ହେଲେ କିଛି ଅଚଳ ହୋଇ ଯିବନାହିଁ । କିନ୍ତୁ ଆମର ଛୋଟ ଅନ୍ୟାୟଗୁଡ଼ାକ ହିଁ ସାମୂହିକ ରୂପ ଧାରଣ କରି ପୃଥିବୀର ବଡ଼ବଡ଼ ସମସ୍ୟାରେ ପରିଣତ ହୁଏ, ପୃଥିବୀରେ ଅନେକ ହିଂସାର ଉଦ୍ରେକ କରେ, ଅନେକ ସଂଘର୍ଷର ସୂତ୍ରପାତ କରେ, ଅନେକ ଯୁଦ୍ଧ ଲଗାଇଦିଏ ଏବଂ ଆମେ ପୃଥିବୀବ୍ୟାପୀ ସମସ୍ୟାଗୁଡ଼ିକର ସମାଧାନ କରିବାକୁ ଯାଇ ବଡ଼ବଡ଼ ସଭାରେ ପ୍ରତିକାର–ବିଧାନ କରିବାରେ ଲାଗିଥାଉ, କିନ୍ତୁ ଆପଣାକ୍ଷେତ୍ରରେ ଓ ଆପଣାପାଖରେ ତାହାଲାଗି କୌଣସିପ୍ରକାରେ ପ୍ରସ୍ତୁତ ହେଉନାହିଁ । ଏହାହିଁ ପ୍ରମାଦ ସୃଷ୍ଟି କରେ, ବିଚାର ଓ ଜୀବନକୁ ଦୁର୍ଦ୍ଦଶାଗ୍ରସ୍ତ କରି ରଖେ । ମୁଁ ମୋର ଘରେ ବସି ଭୋଗ କରୁଥାଏ, ମୋର ଅବଶ୍ୟକତାମାନେ ବଢ଼ାଇବାରେ ମୁଁ କୌଣସି ବାଡ଼ବନ୍ଧ ରଖେନାହିଁ । ମୋ’ ପିଲାଙ୍କୁ ଭଲପାଇବାର ବାହାନାରେ ମୁଁ ସେମାନଙ୍କୁ ରାଜକୁମାରର ଆଳସ୍ୟ ଓ ଆଡ଼ମ୍ବରରେ ସଜାଇ ରଖିବାକୁ ଚେଷ୍ଟା କରେ, ମୋ’ର ପ୍ରାସାଦ କଡ଼କୁ ଲାଗି ଯେ ଆଉ ମଣିଷ ରହିଚନ୍ତି, ସେମାନଙ୍କ ଜୀବନରେ ଅବଶ୍ୟକତାମାନ ରହିଚି, ସେମାନଙ୍କ ଘରେ ମଧ୍ୟ ପିଲା ଅଛନ୍ତି, ମୋର ଉପଭୋଗ ଓ ସେମାନଙ୍କର ଅଭାବ ଭିତରେ ହୁଏତ କୌଣସି ଆରମ୍ଭବାଦୀ ସମ୍ବନ୍ଧ ମଧ୍ୟ ରହିଛି, ଏକଥାମୁଁ କଦାପି ଭାବିପାରେ ନାହିଁ । ଏପରି ଭାବି ପାରିବାକୁ ମୋର ଜୀବନରେ ଏକ ନୈତିକ ବାତାବରଣ ରହିଥିବା ଦରକାର । ମୋର ଜୀବନନୀତି ସଂସାରର ଜୀବନ ପ୍ରତି, ଅନ୍ତତଃ ସକଳ ମଣିଷଜୀବନ ପ୍ରତି ଏକ ଅନୁକୂଳ ମନୋଭାବ ରଖିଥିବା ଦରକାର । ତେଣୁ ସାମାଜିକ ନ୍ୟାୟପ୍ରତିଷ୍ଠା କରିବାର ସମସ୍ୟା ମଧ୍ୟ ପ୍ରଧାନତଃ ଏକ ନୈତିକ ସମସ୍ୟା । ଅନ୍ନର ସମସ୍ୟା ପ୍ରଧାନତଃ ଏକ ନୈତିକ ସମସ୍ୟା । ଆମର ବ୍ୟକ୍ତିଗତ ଓ ଜାତିଗତ ଅର୍ଥନୀତି ଯେପର୍ଯ୍ୟନ୍ତ ଆପଣାକୁ ଏକ ନୈତିକ ଭୂମିଉପରେ ଅବସ୍ଥାପିତ କରି ନପାରିବ, ସେପର୍ଯ୍ୟନ୍ତ ନ୍ୟାୟ ସମ୍ଭବ ହେବନାହିଁ ।

 

୨୪ । ୩ । ୨୦

 

ପ୍ରତ୍ୟେକ ବ୍ୟକ୍ତିର ସୃଜନାତ୍ମକ ବିକାଶଲାଗି ଏକ ମୁକ୍ତ ବାତାବରଣ ମଧ୍ୟ ଦରକାର । ମଣିଷ ଏବେ ଯେତିକି ଆଧୁନିକ ହେଉଚି, ତା ଜୀବନର ବାହ୍ୟ ବନ୍ଧନମାନ ସେତିକି ବେଶୀ ଛାଡ଼ିଯିବାରେ ଲାଗିଚି । କିନ୍ତୁ ତଥାପି ଏହାକୁ ମୁକ୍ତି ବୋଲି କୁହାଯାଇ ପାରିବନାହିଁ । କାରଣ ମଣିଷ ଏହି ମୁକ୍ତିକୁ ଆପାଣାର ସୃଜନାତ୍ମକ ବିକାଶପାଇଁ ବ୍ୟବାହର କରି ପାରୁନାହିଁ । ଅଧିକାଂଶ ମଣିଷ ଅଧିକରୁ ଅଧିକ ସାମଗ୍ରୀ ସଂଗ୍ରହ କରି ତାହାରି ଉପଭୋଗ କରିବାକୁ ହିଁ ଜୀବନ ବୋଲି ମାନୁଚନ୍ତି-। ଅଧିକରୁ ଅଧିକ ମଣିଷ ସମୂହର ଆଦେଶ ମାନିବାକୁ ହିଁ ସାର୍ଥକ ଜୀବନ ବୋଲି କହୁଚନ୍ତି । ସୃଜନ କରିବାର ପ୍ରବୃତ୍ତି ନାହିଁ । ହଜାରକରେ ଯିଏ ଜଣେ ଆପଣା ବାଟରେ ଯିବାକୁ ଚାହୁଚି ବା କିଛି ହେବାକୁ ଚାହୁଚି, ସମୂହରୁ ଇଚ୍ଛା ପରମ୍ପରା ଅଥବା ରାଷ୍ଟ୍ରର କ୍ଷମତା ନେଇ ତାକୁ ମାଡ଼ି ଦଳି ଦେବାକୁ ଆସୁଚି । ତେଣୁ ସୃଜନଶୀଳ ବିକାଶଲାଗି ମୁକ୍ତି ସମ୍ଭବ ହେବା ପୂର୍ବରୁ ଆଗ ସୃଜନପାଇଁ ଆମ ଭିତରେ ଇଚ୍ଛା ରହିଥିବା ଦରକାର । ସୃଜନଶୀଳ ଜୀବନ ଯେ ସାର୍ଥକ ଜୀବନ, ଏହିପରି ବିଶ୍ଵାସ ଆସିଥିବା ଦରକାର । ସୃଜନପାଇଁ ସାମଗ୍ରୀକୁ ଏକ ସାଧନ ବୋଲି ସ୍ଵୀକାର କରିବା ଦରକାର । ଆମ ପାଠଶାଳାର ଶିକ୍ଷା, ଆମ ପରିବାରର ଲାଳନପାଳନ ଏବଂ ଆମେ ରାଜ୍ୟର ଶାସନ ପ୍ରବୃତ୍ତି ମଧ୍ୟ ତଦନୁରୂପ ହେବା ସମ୍ଭବ ହୋଇପାରିବ । ମଣିଷକୁ ଅର୍ଥାତ୍ ପ୍ରତ୍ୟେକ ମଣିଷକୁ କେବଳ ସାଧନମାତ୍ର ନୁହେଁ, ସାଧ୍ୟରୂପେ ଗ୍ରହଣ କରିବାକୁ ହେବ । ଏହାର ଅର୍ଥ ହେଉଚି, ଆପଣାକୁ ମଧ୍ୟ ଏକ ସାଧ୍ୟାରୂପେ ଗ୍ରହଣ କରିବାକୁ ପଡ଼ିବ । କେବଳ ରାଜନୀତି ବା ସମାଜନୀତି ଦ୍ଵାରା ଏହା ହେବନାହିଁ ଏକ ବଳିଷ୍ଠ ଉଦାର ଧର୍ମନୀତି ଦ୍ଵାରା ସମ୍ଭବ ହେବ ।

 

୨୫ । ୩ । ୬୦

 

ଦକ୍ଷିଣ ଆଫ୍ରିକାରେ ଗୋରା ଲୋକଙ୍କର ସଭ୍ୟତା ଜାରି ରଖିବାପାଇଁ କଳା ଲୋକଙ୍କର ହତ୍ୟା ଚାଲିଚି । ବଂଶ ଶତାବ୍ଦୀର ଦ୍ଵିତୀୟାର୍ଦ୍ଧରେ ଏପରି ଘଟଣା ଯେ ପୃଥିବୀରେ ଘଟୁଚି, ସମସ୍ତ ମନୁଷ୍ୟଜାତି ପକ୍ଷରେ ଏହା ଏକ ଲଜ୍ଜାର ବିଷୟ । ଯଦି ଦକ୍ଷିଣ ଆଫ୍ରିକାରେ ଆଜି ସଭ୍ୟଶାସନ ଚାଲୁଥାଆନ୍ତା, ତେବେ ସେଠାରେ କଳା ଲୋକମାନେ ହିଁ ସରକାର ଚଲାଉଥାନ୍ତେ । ସେହିମାନେ ହିଁ ଆପଣା ଜୀବନର ବିକାଶ ଲାଗି ନାନା ବ୍ୟବସ୍ଥା କରି ପରୁଥାନ୍ତେ । କିନ୍ତୁ ଏକ ଐତିହାସିକ ଦୁର୍ଭାଗ୍ୟ ହେତୁ ସେଠାରେ ଆଜି ଗୋରା ଲୋକମାନେ ଶାସନ ଜମାଇ ରହିଚନ୍ତି । ସଂଖ୍ୟା ଲଘିଷ୍ଟ ଥାଇ ମଧ୍ୟ ସେମାନେ ସେଠାରେ ଅତ୍ୟାଚାରୀ ବ୍ୟାଘ୍ରର ଶାସନ ଜାରି ରଖିଚନ୍ତି ଓ ଏହି ଦୁରାଚାରକୁ ଶ୍ଵେତସଭ୍ୟତାର ଗୌରବ ବୋଲି ବିଚାରୁଚନ୍ତି । ଗତ ଦୁଇଶହ ବର୍ଷ ହେଲା ସେମାନେ ଆଫ୍ରିକାରେ ଆପଣାର ମନମୁଖୀ ରାଜତ୍ଵ ଚଳାଇ ଆସୁଥିଲେ । ଆଫ୍ରିକାକୁ ଏକ ଅନ୍ଧକାରାଚ୍ଛନ୍ନ ମହାଦେଶ ବୋଲି ଘୋଷଣା କରି ସେମାନେ ଅନ୍ଧାର ଭିତରେ ଯେକୌଣସି ପ୍ରକାର ଅତ୍ୟାଚାର କରିବାକୁ ତଥାପି ଜଘନ୍ୟ ବୋଲି ମନେ କରୁ ନଥିଲେ । କିନ୍ତୁ ଆଫ୍ରିକାକୁ ଯେତେ ଅନ୍ଧାର ବୋଲି ନ ଦେଖାଇ ଦିଆଯାଉଥିଲା, ଆଫ୍ରିକା ଯେ ପ୍ରକୃତରେ ସେତେ ଅନ୍ଧାର ନୁହେଁ, ଆଫ୍ରିକାରେ ଯେ ମଣିଷ ଅଛନ୍ତି ଓ ସେମାନଙ୍କର ଆତ୍ମସମ୍ମାନ ବୋଧ ରହିଚି, ବର୍ତ୍ତମାନ ସାରା ସଂସାର ଏକଥା ଜାଣି ସାରିଲାଣି । ବର୍ତ୍ତମାନ ଆଉ ଆଫ୍ରିକାକୁ ଅଟକାଇ ହେବନାହିଁ । ଆଫ୍ରିକାର ଆଉ ଅତ୍ୟାଚାର ସମ୍ଭବ ହେବନାହିଁ-। ଆଫ୍ରିକାର ରାତି ପାହିଆସୁଚି, ଏହାହିଁ ତାହାର ପୂର୍ବ ସୂଚନା । କିନ୍ତୁ ବାହାରୁ ଦେଖିଲେ ଏହିସବୁ ହତ୍ୟାକାଣ୍ଡର ଘଟଣା ଶୁଣି ମୁଣ୍ଡ ତଳକୁ ହୋଇ ଯାଉଚି । ଆମର ସମସ୍ତ ଜ୍ଞାନ; ସମସ୍ତ ସମ୍ପର୍କ ଓ ସମସ୍ତ ସ୍ଵପ୍ନ ସତ୍ତ୍ୱେ ମଣିଷ ହିସାବରେ ଆମେ ତଥାପି କେତେ ନୀଚ ସ୍ତରରେ ରହିଚୁ ! ବେଳେବେଳେ ତଥାକଥିତ ରାଜନୀତିକ ଅନ୍ଧବିଶ୍ଵାସରେ ମାତିଯାଇ ଆମେ କି କାଣ୍ଡମାନ କରି ନବସୁଚୁ ! ଏସବୁ ଆଦିମ ଆଚରଣକୁ ବନ୍ଦ କରିବାକୁ ହେଲେ ସାରା ପୃଥିବୀରେ ଏପରି ଦଳେ ନୂଆ ମଣିଷ ବାହାରିବା ଦରକାର, ଯେଉଁମାନଙ୍କ ମନରେ କୌଣସି ପ୍ରକାର ଭେଦଭାବ ନଥିବ, ଯେଉଁମାନେ କଳା ଗୋରା ଉଭୟଙ୍କୁ ମଣିଷ ବୋଲି ବିଚାରୁଥିବେ, ସବୁପ୍ରକାର ଐତିହାସିକ ଆକସ୍ମିକତା ଉପରେ ଯେଉଁମାନେ ମନୁଷ୍ୟକୁ ଉଚ୍ଚତର ସ୍ଥାନ ଦେଉଥିବେ । ସେହିମାନେ ହିଁ ଏ ଆଦିମତାର ଜବାବ ଦେଇପାରିବେ ।

 

୨୬ । ୩ । ୬୦

 

ଏବେ ଦକ୍ଷିଣ ଆଫ୍ରିକାରେ ଯେଉଁସବୁ କାଣ୍ଡ ଚାଲିଚି, ତାହାକୁ ଦକ୍ଷିଣ ଆଫ୍ରିକାର ଘରୋଇ ବିଷୟ ବୋଲି କହି ପୃଥିବୀର ଶକ୍ତିମାନେ ସେଥିରେ ହସ୍ତକ୍ଷେପ କରୁନାହାନ୍ତି । ଅର୍ଥାତ୍ ନୈତିକ ଓ ମାନବିକ କାରଣ ଅପେକ୍ଷା ପ୍ରୟୋଜନବାଦୀ କାରଣରୁ ସେମାନେ ଅଧିକ ମହତ୍ତ୍ଵପୂର୍ଣ୍ଣ ମନେ କରୁଚନ୍ତି । ଏହା ଫଳରେ ପାଶବିକତାକୁ ହିଁ ଅଧିକ ପ୍ରଶ୍ରୟ ଦିଆଯାଉଚି । ନାନାପ୍ରକାର ଯୁକ୍ତି ଦେଇ ଅନ୍ୟାୟ ସମ୍ମୁଖରେ ତଥାପି ନିଷ୍କ୍ରିୟ ହୋଇ ନରହିବାକୁ ପ୍ରଶ୍ରୟ ଦିଆଯାଉଚି । ଜଗତରେ ବିଭିନ୍ନ ଦେଶ ଆଜି କୌଣସି ନୈତିକ ଶୃଙ୍ଖଳା ମାନି ଚାଲୁନାହାନ୍ତି । ସେମାନେ କୌଣସି ପ୍ରକାର ନୀତିକୁ ସ୍ଵୀକାର କରିବାକୁ ରାଜି ନୁହନ୍ତି । ଯେଉଁ ନୀତି ବା ପନ୍ଥା ଧରିଲେ ସେମାନଙ୍କୁ ଲାଭ ହେବ ସେମାନଙ୍କ ବ୍ୟବସାୟରେ କୌଣସି ଆଘାତ ଲାଗିବନାହିଁ ବା ସଂସାରରେ ସେମାନଙ୍କର ସୁରକ୍ଷାବନ୍ଧମାନ କୌଣସିପ୍ରକାରେ ଆପନ୍ନ ହେବନାହିଁ, ସେମାନେ ସେହିଦୃଷ୍ଟିରୁ ହିଁ ଆପଣାଆପଣାର କର୍ତ୍ତବ୍ୟ ଅକର୍ତ୍ତବ୍ୟ ନିର୍ଣ୍ଣୟ କରୁଛନ୍ତି । ଅର୍ଥାତ୍ ମୌଳିକତଃ ଏକ ଆଦିମ ନୀତି ହିଁ ସେମାନଙ୍କର ଯାବତୀୟ ନୀତି ଓ ନୈତିକତାର ନିରୂପଣ କରୁଚି । ଏହିଥିରେ ହିଁ ସଂସାରର ସବୁଠାରୁ ବଡ଼ ବିପଦ । ଆଜି ମଣିଷ ନାନାପ୍ରକାରରେ ଭୟପ୍ରଥା ହୋଇ ରହିଚି ବୋଲି ସତ୍ୟର ପକ୍ଷ ଗ୍ରହଣ କରିପାରୁନାହିଁ । ସତ୍ୟପାଇଁ ବଞ୍ଚି ପାରୁନାହିଁ । ତେଣୁ ସଂସାରର ସାମଗ୍ରୀ ଓ ସଭ୍ୟତା ବଢ଼ିଲେ ମଧ୍ୟ ତଥାପି ସଂସାରର ଦୁଃଖ ଦୂର ହୋଇ ପାରୁନାହିଁ ।

 

୨୭ । ୩ । ୬୦

 

ଦକ୍ଷଣି ଆଫ୍ରିକାରେ ଇଉରୋପୀୟ, ଭାରତୀୟ ଓ ଆଫ୍ରିକାବାସୀ ଏହିପରି ତିନିଜାତି ଅଛନ୍ତି । ଇଉରୋପୀୟମାନେ ଭାରତୀୟ ତଥା ଆଫ୍ରିକାବାସୀ ଉଭୟଙ୍କୁ ଘୃଣା କରୁଚନ୍ତି । ଭାରତୀୟମାନେ ଇଉରୋପୀୟମାନଙ୍କ ପାଖରେ ଆପଣାକୁ ହୀନ ବୋଲି ଭାବୁଚନ୍ତି ଓ ତେଣେ ଆଫ୍ରିକାବାସୀଙ୍କୁ ଆପଣାଠାରୁ ହୀନ ବୋଲି ଭାବି ଘୃଣା କରୁଚନ୍ତି । ଭାରତୀୟମାନଙ୍କ ତରଫରୁ ଆପଣାର ଅଧିକାରଗୁଡ଼ିକୁ ପାଇଁ ଲଢ଼ିବାଲାଗି ଭାରତୀୟ କଂଗ୍ରେସ ରହିଚି । ଆଫ୍ରିକାବାସୀଙ୍କ ତରଫରୁ ଆପଣା ଅଧିକାର ଗୁଡ଼ିକର ଦାବୀ କରିବାଲାଗି ଆଫ୍ରିକା କଂଗ୍ରେସ ରହିଚି । ଦୁହେଁ ଲାଞ୍ଛିତ ଓ ଅପମାନିତ ହେଉଚନ୍ତି, କିନ୍ତୁ ଦୁହେଁ ଏକାଠି ହୋଇ ପାରୁନାହାନ୍ତି । ଭାରତୀୟ କଂଗ୍ରେସ ଇଉରୋପୀୟ ବାସିନ୍ଦାମାନଙ୍କ ବିରୁଦ୍ଧରେ ଭାରି ପାଟି କରୁଚି । ଆଫ୍ରିକାରେ ଭାରତୀୟମାନଙ୍କୁ ସେମାନଙ୍କର ନ୍ୟାୟଗତ ଅଧିକାର ମିଳୁନାହିଁ ବୋଲି ବିଶ୍ଵଯାକ ବକ୍ତୃତା ଦେଇ ବୁଲୁଚି । କିନ୍ତୁ ପ୍ରକାଶ୍ୟରେ ନହେଲେ ମଧ୍ୟ ଅନ୍ତର ଭିତରେ । ତାହା ଆଫ୍ରିକାବାସୀ ମାନଙ୍କୁ ଅପଣାପରି ସମାନ ସମ୍ମାନ ଦେଇ ଆଦୌ ଗ୍ରହଣ କରି ପାରୁନାହିଁ । ଠିକ୍ ଆମଦେଶରେ ବିଭିନ୍ନ ହରିଜନଗୋଷ୍ଠୀ ମଧ୍ୟରେ ପରସ୍ପର ପ୍ରତି ଘୃଣା ରହିଲାଭଳି । ବାଉରି, ପାଣ, କଣ୍ଡରା, ସମସ୍ତେ ହରିଜନ । ତଥାପି ବାଉରି ପାଣକୁ ଛୋଟଜାତି ବୋଲି କହେ ଓ ପାଣ କଣ୍ଡରାକୁ ଛୋଟଜାତି ବୋଲି କହେ । ଏହିପରି ଉପରୁ ଅପମାନ ପାଇ ଆମ ସମାଜର ବିଭିନ୍ନ ଜାତି ତଳଜାତିଠାରୁ ଆପଣାକୁ ଉଚ୍ଚତର ବୋଲାଇ ସାନ୍ତ୍ଵନା ପାଆନ୍ତି । ତେଣୁ ଦକ୍ଷିଣ ଆଫ୍ରିକାର ସମସ୍ୟା ପ୍ରଧାନତଃ ଜାତୀୟତାର ସମସ୍ୟା ନୁହେଁ । ଏହା ଘୃଣାର ସମସ୍ୟା, ଅସହିଷ୍ଣୁତାର ସମସ୍ୟା, ମନୁଷ୍ୟର ଅଧିକାରରେ ବିଶ୍ଵାସ ନକରିବାର ସମସ୍ୟା । ଇଉରୋପୀୟମାନେ ଯେତେବେଳେ ପ୍ରଥମେ ଆଫ୍ରିକାକୁ ଯାଇଥିଲେ, ସେତେବେଳେ ସେମାନେ ଯେଭଳି ଅମାନୁଷିକ ଉପାୟରେ ଆଫ୍ରିକାବାସୀଙ୍କର ଘର ଦଖଲ କରିଥିଲେ ନ୍ୟାୟର ଯେକୌଣସି ଦରବାରରେ ତାହା ଆଜି ମଧ୍ୟ ନିଶ୍ଚୟ ଅପରାଧ ବୋଲି ସାବ୍ୟସ୍ତ ହେବ । କିନ୍ତୁ ତଥପି ନ୍ୟାୟକୁ ଠେଲିଦେଇ ଆଜି ଉଗ୍ର ବିଦ୍ଵେଷ ଏହି ପୃଥିବୀର ଅନେକ ଜାଗାରେ ରାଜତ୍ଵ କରିବାରେ ଲାଗିଚି, ଆମର ସକଳ ଆଦର୍ଶ କେବଳ ହସିକରି ଉଡ଼ାଇଦେବାରେ ଲାଗିଚି । ବାହାରେ ମନନ ସାଧନସମଗ୍ରୀରେ ଧନୀ ହୋଇ ରହିଥିବା ମିଣିଷ ଭିତରେ ଯେ କେଡ଼େ ଦରିଦ୍ର ହୋଇ ବସିଚି, ତାହା ଭାବିଲେ ବଡ଼ ଆଶ୍ଚର୍ଯ୍ୟ ହେବାକୁ ହୁଏ । ଏହି ଦରିଦ୍ରତାହିଁ ଆମ ସଂସାରର ସବୁଠାରୁ ବଡ଼ ସମସ୍ୟା ।

 

୨୮ । ୩ । ୬୦

 

ସମସ୍ତ ପୃଥିବୀର ସମସ୍ୟା ରାଜନୀତିର ସମସ୍ୟା ନୁହେଁ । ତେଣୁ କେବଳ ରାଜନୀତିର ସ୍ତରରେ ଆମ ସମସ୍ୟା ଗୁଡ଼ିକର କଦାପି ସମାଧାନ ହୋଇ ପାରିବ ନାହିଁ । ଆଜି ଆଫ୍ରିକାରେ ନିଗ୍ରୋମାନଙ୍କ ଉପରେ ଅତ୍ୟାଚାର ହେଉଚି ବୋଲି ଭାରତବର୍ଷରେ ଏତେ ଉତ୍ତେଜନା ଖେଳି ଯାଉଚି, ଆମେରିକାରେ ଅତ୍ୟାଚାର ହେଉଚି ବୋଲି ରୁଷିଆରେ ଉତ୍ତେଜନା ଖେଳି ଯାଉଚି, ରୁଷିଆରେ ଅତ୍ୟାଚାର ହେଉଚି ବୋଲି ଆମେରିକାର ରେଡ଼ିଓ ଗର୍ଜନ କରି ଉଠୁଚି । ଆମେ ସମସ୍ତେ ଅତି ଚତୁରତାର ସହିତ ଅପରର ଅତ୍ୟାଚାରଗୁଡ଼ାକୁ ଅଙ୍ଗୁଳି ଦେଖାଇ ଦେଉଚୁ, ଅତି ଚତୁରତାର ସହିତ ସେଥିଲାଗି ପ୍ରତିବାଦ କରି ଶୋଭାଯାତ୍ରା ବାହାର କରୁଚୁ, ସଭା କରୁଚୁ । କିନ୍ତୁ ଆପଣା ଘରେ ଆମେ ନିଜେ ନାନା ପ୍ରକାର ଅତ୍ୟାଚାର କରିବାରେ ଲାଗିଚୁ । ରାଜନୀତିର ଉତ୍ତେଜିତ ଜାଲରେ ଛନ୍ଦି ହୋଇ କେବଳ ଅନ୍ୟକୁ ଧିକ୍‌କାର ଦେଉଥିବା ପର୍ଯ୍ୟନ୍ତ ସଂସାରରୁ ଅତ୍ୟାଚାର ବନ୍ଦ ହେବନାହିଁ । ଆଜି ସୁଏଜରେ ବନ୍ଦ ହେଲେ କାଲି ଆଲଜିରିଆରେ କୁହୁଳି ଉଠିବ, ଆଜି ତିବ୍‌ବତରେ ବନ୍ଦ ହେଲେ କାଲି ଦକ୍ଷିଣ ଆଫ୍ରିକାରେ କୁହୁଳି ଉଠିବ । ଗୋଟାଏ ଜାଗାରୁ ନିଆଁ ନିଭାଉ ନିଭାଉ ପୁଣି ଆଉ ଗୋଟାଏ ଜାଗାରେ ନିଆଁ ଜଳି ଉଠିବ । ଆମ ଭିତରେ ଘୃଣା ରହିଥିବା ପର୍ଯ୍ୟନ୍ତ ଆପଣା ଜାତି ବୋଲି କହି ଅପରକୁ ଅଜାତିଆ କହୁଥିବା ପର୍ଯ୍ୟନ୍ତ ଆମେ ଆମରି ଭିତରେ ହିଁ ସକଳ ପ୍ରକାର ଅତ୍ୟାଚାରର ମଞ୍ଜିକୁ ପୋତିକରି ରଖିଥିବା । ତେଣୁ ଆମକୁ ସବୁ ପ୍ରକାରର ନିଶା ଛାଡ଼ି ଦେବାକୁ ପଡ଼ିବ । ଗୋଟାଏ ନିଶା ଛାଡ଼ିଥିବାର ଗୌରବରେ ଭୋଳ ହୋଇ ଆଉ ଗୋଟାଏ ନୂଆ ନିଶାରେ ମାତି ଯାଉଥିବା ପର୍ଯ୍ୟନ୍ତ ଆମେ ହିଁ ଏହି ସଂସାରରେ ଅନେକ ଦୁଃଖର କାରଣ ହୋଇ ରହିଥିବା । ଏହି ସଂସାରକୁ ଅନେକ ପ୍ରକାରେ ଅସୁନ୍ଦର କରି ପକାଇବାରେ ଆମେ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବରେ ସାହାଯ୍ୟ କରୁଥିବା ।

 

୨୯ । ୩ । ୬୦

 

ମଣିଷର ପରିବର୍ତ୍ତନ ଆଣିବାକୁ ହେଲେ ମଣିଷର ବିଚାରରେ ପରିବର୍ତ୍ତନ ଆଣିବାକୁ ପଡ଼ିବ । ବାହାରଟାକୁ ବଦଳାଇ ଦେଲେ ଅର୍ଥାତ୍ କୌଣସି ଏକ ଆଦର୍ଶ ସାମାଜିକ ବ୍ୟବସ୍ଥାକୁ ମଣିଷ ଉପରେ ଜବରଦସ୍ତି ଲଦି ଦେବାକୁ ବସିଲେ ମଣିଷ କଦାପି ବଦଳି ଯାଇ ପାରିବ ନାହିଁ । ଇତିହାସରେ ଏପରି ଅପଚେଷ୍ଟା ଅନେକବାର ହୋଇଚି । ଆଦର୍ଶରେ ଭୋଳ ବା ଉତ୍ତେଜିତ ହୋଇ, ମନୁଷ୍ୟ ସମାଜର ଦାରୁଣସ୍ଥିତିକୁ ଅସହ୍ୟ ମନେକରି ଅନେକ ବିପ୍ଳବକାରୀ ବଡ଼ ହିଂସ୍ର ଭାବରେ ସମାଜର ବାହ୍ୟାବରଣଟା ବଦଳାଇ ଦେବାଲାଗି ଅସ୍ତ୍ର ଉତ୍ତୋଳନ କରିଚନ୍ତି । ସମାଜକୁ ଅଧିକ ଭଲ କରି ଗଢ଼ିବାର ନାଆଁରେ ଲକ୍ଷ ଲକ୍ଷ ମଣିଷଙ୍କର ପ୍ରାଣ ସଂହାର କରାଯାଇଚି । ଧର୍ମଯୁଦ୍ଧ ପରି ଏହି ଆଦର୍ଶ ଯୁଦ୍ଧରେ ମଧ୍ୟ ନାନା ନୃଶଂସତା ଓ ବୀଭତ୍ସତାକୁ ଆବଶ୍ୟକ କର୍ତ୍ତବ୍ୟ ରୂପେ ଆହ୍ଵାନ ଦିଆଯାଇଚି । ତଥାପି ମଣିଷ ବଦଳି ନାହିଁ । ତେଣୁ ସବୁପ୍ରକାର ସ୍ଵାଧୀନତାର ମୂଳପ୍ରାଣ ସ୍ୱରୂପ ଆମକୁ ଆଗ ମନୁଷ୍ୟ ବ୍ୟକ୍ତିର ସ୍ଵାଧୀନତାକୁ ହିଁ ସ୍ଵୀକାର କରିବାକୁ ପଡ଼ିବ । ସେତେବେଳେ ମଣିଷ ସ୍ଵାଧୀନ ଭାବରେ ବିଚାର କରି ଆପେଆପେ ନୂତନକୁ ଗ୍ରହଣ କରି ପାରିବ, କେବଳ ସେତିକିବେଳେ ମଣିଷ ଭିତରେ ପରିବର୍ତ୍ତନ ହୋଇପାରିବ, ତେଣୁ ସମାଜରେ ବି ସ୍ଥାୟୀ ପରିବର୍ତ୍ତନ ହୋଇପାରିବ । ଆଜି ଚୀନ୍ ଦେଶରେ ମଧ୍ୟ ବନ୍ଧୁକ ଦେଖାଇ ମଣିଷକୁ ଅଧିକ ଭଲ ଓ ଅଧିକ ସାମାଜିକ କରିବାର ଚେଷ୍ଟା କରାଯାଉଚି । ସରକାରୀ ପ୍ରଚାର ଅନୁସାରେ ସେଠି ବର୍ତ୍ତମାନ ଅସମ୍ଭବ ବି ସମ୍ଭବ ହେବାକୁ ଯାଉଚି । କିନ୍ତୁ ଯେପର୍ଯ୍ୟନ୍ତ ମଣିଷକୁ ସ୍ଵତନ୍ତ୍ର ଭାବରେ ବିଚାର କରିବାର ସ୍ଵତନ୍ତ୍ରତା ଦିଆଯାଇ ନାହିଁ, ସେପର୍ଯ୍ୟନ୍ତ ଏହିସବୁ ନିର୍ମାଣକୁ କେବଳ କଞ୍ଚା ବୋଲି କହିବାକୁ ହେବ । ଯିଏ ବାଧ୍ୟ ହୋଇ ଆଦର୍ଶର କଥା କହେ, ବାଧ୍ୟ ହୋଇ ଆଦର୍ଶ ଲାଗି କାମ କରିବାକୁ ବାହାରେ, ହାତ ଟେକି ଆଦର୍ଶ ଉଦ୍ଦେଶ୍ୟରେ ଜୟନାଦ କରେ, ଆପଣାଭିତରେ ସେ ତଥାପି ଦାସ ହୋଇ ରହିଥାଏ । ତା’ ଜୀବନରେ କେବେହେଲେ କୌଣସି ଯଥାର୍ଥ ଦୀକ୍ଷା ସମ୍ଭବ ହୁଏନାହିଁ । ସେ କେବଳ ଅଭିନୟ କରୁଥାଏ, କାରଣ ସେ ଉପରୁ ଭୟଶଙ୍କିତ ହୋଇ ରହିଥାଏ । ଭୟ କେବେହେଲେ କୌଣସି ବିପ୍ଳବ କରିପାରେ ନାହିଁ । ଭୟରୁ ମୁକ୍ତ ହେଲେ ଯାଇ ମଣିଷର ମନ ଭିତରେ ଯେ କୌଣସି ନୂତନ ବିପ୍ଳବର ମୂଳଦୁଆ ପଡ଼ିବା ଆରମ୍ଭ ହୁଏ । ବ୍ୟକ୍ତିର ବିଚାରକୁ ସ୍ଵତନ୍ତ୍ରତା ଓ ସମ୍ମାନ ଦେଲେ ଏହି ଭୟ ବି ମୁକ୍ତି ସମ୍ଭବ ହୁଏ ।

 

୩୦ । ୩ । ୬୦

 

କର୍ମଗତ ଜୀବନ ଓ ଭାବଗତ ଜୀବନ ଭିତରେ ସୂତ୍ର ଛାଡ଼ିଗଲେ ମଣିଷ ଭାବପ୍ରବଣ ହୋଇଯାଏ । ଏଦେଶରେ ଦେଶ ଭରି ରହିଥିବା ଭାବପ୍ରବଣତାକୁ John Dewey ଙ୍କର ଏହି ଉକ୍ତିର ଭୂମି ଉପରେ ବିଚାରକରି ଦେଖା ଯାଇପାରେ । ଏଦେଶରେ ଆମେ କେତେ ଉତ୍ତେଜନାରେ ବକ୍ତୃତା ଦେଉ, କେତେ ଉତ୍ତେଜନାରେ ବଡ଼ ବଡ଼ ମହାପୁରୁଷଙ୍କର କଥାଗୁଡ଼ାକୁ ପଲଟାଇ ରଖୁ, ଭବିଷ୍ୟତରେ ଆଦର୍ଶ ଯୁଗ ବିଷୟରେ ଆମେ କେତେ ଉତ୍ତେଜନାରେ ଭାସି ବୁଲୁ । ଏସବୁର ପ୍ରଧାନ କାରଣ ଯେ ଆଦର୍ଶ ଓ ବାସ୍ତବ ଭିତରେ ଆମର କୌଣସି ସମ୍ବନ୍ଧ ନଥାଏ । ଆପଣାର କର୍ମଜୀବନରେ ଆମେ କେଡ଼େ କୁତ୍ସିତ ହୋଇ ପଡ଼ି ରହିଥାଉ, ନାନାପ୍ରକାର ପୁଟ ଓ ପାଲିସ ଦେଇ ଜୀବନର ଆଳସ୍ୟଗୁଡ଼ାକୁ ହିଁ ସାଂସ୍କୃତିକ ଦୃଷ୍ଟିକୋଣରୂପେ ଦେଖାଇବାକୁ ଚେଷ୍ଟା କରିଥାଉ । ଆମ ଭାଗବତ ଜୀବନ ସହିତ ସେ ଆମ କର୍ମଗତ ଜୀବନର କୌଣସି ସମ୍ପର୍କ ବା ସଂଗତି ରହିଚି, ଆମେ ସେକଥା ଏକାବେଳେକେ ଭୁଲିଯାଉ । ଜୀବନର ଏକତା ହରାଇବସି ଆମେ ଭାବପ୍ରବଣ ହୋଇପଡ଼ୁ ଓ ସେଇ ଭାବପ୍ରବଣତାର ସାନ୍ତ୍ଵନା ପାଇବାଲାଗି ଚେଷ୍ଟା କରୁ । ଆମର ଭାବଗତ ବିଭାବ ଅନୁସାରେ ଆମେ କର୍ମରେ ଆଚରଣ କରାଇ ପାରୁଥିଲେ ଏକ ସାର୍ଥକ ଜୀବନ ବଞ୍ଚିବାରୁ ଯେଉଁ ଖୁସୀଟିକକ ମିଳୁଥା’ନ୍ତା, ତୁଚ୍ଛା ଭାବପ୍ରବଣାରୁ ଆମେ ସେହି ଖୁସୀ ପାଇବାକୁ ଚେଷ୍ଟା କରିଥାଉ । କିନ୍ତୁ ସବୁ ଚେଷ୍ଟା ସତ୍ତ୍ୱେ ଆମର ଜୀବନ ବଡ଼ ଦରିଦ୍ର ହୋଇ ପଡ଼ିରହେ, ଆମର କର୍ମଗତ ଜୀବନ ବଡ଼ ପ୍ରାଣହୀନ ଓ ନିର୍ମମ ହୋଇପଡ଼େ । ଜଗତରେ ଅନ୍ୟମାନଙ୍କ ପ୍ରତି ଯେ ଆମର କୌଣସି କର୍ତ୍ତବ୍ୟ ରହିଚି, ଆମେ ସେକଥା ଅନୁଭବ ହିଁ କରି ପାରୁନାହିଁ । ସବୁ-ପ୍ରକାର କୃତ୍ରିମ ସାମାଜିକତା ସତ୍ତ୍ୱେ ଆମେ ଅସାମାଜିକ ହୋଇ ପଡ଼ିରହୁ ।

 

୩୧ । ୩ । ୬୦

 

ଆରବର୍ଷ ମୋ’ ବଗିଚାରେ ନାନାରଙ୍ଗର ପର୍ଟୁଲାକା ଫୁଲ ଫୁଟୁଥିଲା । କେତେ ଆଦର ଓ ଲୋଭ କରି ମୁଁ ଏଠୁସେଠୁ ସେସବୁ ଗଛ ସଂଗ୍ରହ କରି ଆଣିଥିଲି । ବିଚପୁରୀକୁ ଆସିବାପରେ ଏହି ପର୍ଟୁଲାକା ଗଛରୁ ହିଁ ମୋର ବଗିଚାକାମ ଆରମ୍ଭ ହୋଇଥିଲା । ଆରବର୍ଷ ଖରାଦିନଯାକ କେତେ ଫୁଲ ଫୁଟିଲା, କେତେ ଆନନ୍ଦ ଦେଲା । ଏବର୍ଷ ବର୍ଷାଦିନେ ମୁଁ କିଛିଦିନ ପାଇଁ ବାହାରକୁ ଯାଇଥିବା ସମୟରେ ସେଗୁଡ଼ିକ ପାଣିରେ ପଚି ମରିଗଲା । ଏଠାକୁ ଫେରିଆସି ସେଥିଲାଗି ଭାରି ମନକଷ୍ଟ ହେଲା । ଭାବିଲି, ଏସବୁର ମଞ୍ଜି ହେଲେ ରଖି ଦେଇଥା’ନ୍ତି କି, ତେବେ ଏବର୍ଷ ମଧ୍ୟ ବଗିଚାରେ ପର୍ଟୁଲାକା ଫୁଲ ଫୁଟିଥା’ନ୍ତା । ଅନେକଦିନରୁ ପଡ଼ୋଶୀମାନଙ୍କର ବଗିଚାରେ ମୁଁ ଏହା ପର୍ଟୁଲାକାର ସନ୍ଧାନ କରୁଥିଲି । କେଉଁଠି ଚାରାଗଛଟିଏ ଥିବ ତ ନେଇ ମୋର ବଗିଚାରେ ଲଗାଇଦେବି । କାଲି ବଗିଚାରେ କାମ କରୁକରୁ ହଠାତ୍ ଦେଖିଲି, ଆରବର୍ଷର ମଞ୍ଜି ମାଟିରେ ପଡ଼ି ଛୋଟିଆ ଛୋଟିଆ କତୋଟି ଗଛ ବାହାରି ସାରିଲାଣି । ବର୍ଷାଦିନେ ଗଛ ପଚିସଢ଼ି ଗଲା, କିନ୍ତୁ ମଞ୍ଜି ସଢ଼ିଲାନାହିଁ । ଏଡେବଡ଼ ଶୀତଦିନ ଚାଲିଗଲା । ଏପାଖକୁ ଭଲକରି ଖରା ପଡ଼ିଲାନାହିଁ ବୋଲି କେତେ ଟାଣୁଆ ଟାଣୁଆ ଗଛ ମଧ୍ୟ ଉଧେଇ ପାରିଲେନାହିଁ । କିନ୍ତୁ ମାଟିତଳେ କେଉଁ ଉଷ୍ଣ ନୀଡ଼ରେ ପର୍ଟୁଲାକାର ମଞ୍ଜିଗୁଡ଼ାକୁ ଆପଣାଲାଗି ଆଶ୍ରୟ ପ୍ରସ୍ତୁତ କରି ନେଇଥିଲେ ଏବଂ ଆଜି ସମୟ ଜାଣି ଏହି ବସନ୍ତ ସମାଗମରେ ସେମାନେ ନୂତନ ଅଙ୍କୁରରେ ମୁକୁଳିତ ହୋଇ ଉଠିଲେ । ଏହି ଗଜାରୁ ଗଛ ହେବ, ଗଛ ବଢ଼ି ଫୁଲ ଫୁଟିବ । ଆରବର୍ଷରୁ ବାହାରୁ ମରି ଯାଇଥିବା ଗଛ ଏବର୍ଷ ମଧ୍ୟ ଅମର ହୋଇ ଜନ୍ମଲାଭ କରିବ । ଏଇଗଛ କେତୋଟିକୁ ଦେଖି ମୁଁ ହଠାତ୍ ଲକ୍ଷ ସମ୍ପତ୍ତି ପାଇଲାପରି ଅନୁଭବ କଲି । କେଉଁ ମହାନ୍ କଳାକାରର କଳା ଓ କୌଶଳ ପାଖରେ ପ୍ରସନ୍ନ ମନ ନତ ହୋଇଗଲା । ମୋର ଅନେକ ଅସନ୍ତୋଷ ଦୂର ହୋଇଗଲା । ସେହି ହଠାତ୍ ଆନନ୍ଦଟିକୁ ପ୍ରକାଶ କରିବାଲାଗି ମୁଁ ଯେ କଦାପି ସାମର୍ଥ ହୋଇ ପାରିବିନାହିଁ, ସେକଥା ମୁଁ ଜାଣେ । କିନ୍ତୁ ମୁଁ ତଥାପି ସେହି ଆନନ୍ଦଟିକକୁ ଅନୁଭବ କରିଚି, ହୃଦୟ ଖୋଲିଦେଇ ମୁଁ ସେହି ଆନନ୍ଦରେ ଭାଗ ନେଇଚି । ଛୋଟ ପର୍ଟୁଲାକା ଫୁଲ ସହିତ ଏକ ଅପୂର୍ବ ଆତ୍ମୀୟତା ଅନୁଭବ କରିଚି, ଛୋଟ ପର୍ଟୁଲାକା ମଞ୍ଜି ପ୍ରତି ମୁଁ ଅତି ସ୍ଵାଭାବିକ ଭାବରେ ମୋର କୃତଜ୍ଞତା ଜଣାଇଚି । ଜୀବନର ବ୍ୟସ୍ତତା ଭିତରେ ବାନ୍ଧିହୋଇ ରହିଥିବା ବେଳେ ଏଇସବୁ ଛୋଟକଥା ଦେଖି ଆନନ୍ଦ ଅନୁଭବ କରିବାଲାଗି ଅବସର ମିଳେନାହିଁ । ମନଭିତରୁ ଗ୍ରହଣ କରିବାର ତୀକ୍ଷ୍‌ଣତା ଚାଲିଗଲାପରି ଲାଗେ । ବଡ଼ ବଡ଼ ଆଡ଼ମ୍ବରମାନ ଭିଆଇ ଆମେ ଭଲକରି ଆନନ୍ଦ ଲାଭ କରିବାର କେତେ ପ୍ରସଙ୍ଗ ସୃଷ୍ଟି କରୁ, କିନ୍ତୁ ତଥାପି ବ୍ୟର୍ଥ ହେଉ ।

 

୧ । ୪ । ୬୦

 

ଆପଣାର ନିର୍ବୋଧତାକୁ ଚିହ୍ନିବା ହେଉଛି ଏହି ସଂସାରରେ ସବୁଠାରୁ ବଡ଼ ବିଜ୍ଞତାର କଥା । ଅଥଚ ବରଷର ଗୋଟାଏ ଦିନକୁ All Fool’s Day ବୋଲି ପାଳନ କରି ଆମେ ଅତି କୃତ୍ରିମ ଭାବରେ ଅନ୍ୟମାନଙ୍କୁ ବୋକା ବଣାଇବାରେ ଲାଗିଯାଉ । ଏଥିରେ ଅନେକ କୌତୁକ ଅଛି ବୋଲି ମୁଁ ଭଲକରି ବୁଝିଚି । କିନ୍ତୁ ସବୁ ଜିନିଷ ପରି କୌତୁକର ମଧ୍ୟ ସ୍ତର ରହିଚି । ଅନେକ ସମୟରେ ଆପଣା ସହିତ କୌତୁକ କରିବାକୁ ସମ୍ପୂର୍ଣ୍ଣ ଅସମର୍ଥ ହୋଇ ହିଁ ଆମେ ଅପର କୌତୁକ ଲଗାଇବା ପାଇଁ ଅବସର ଖୋଜି ବାହାରିଥାଉ । ଅନେକ ସମୟରେ କୌତୁକ ନାଆଁରେ ଅପରର କ୍ଷତି ବି କରିବସୁ । ଆପଣାର ଜୀବନରେ ଯିଏ ଆପଣାସହିତ କୌତୁକ କରି ନଜାଣଚି, ସିଏ ଅପର ସହିତ ମଧ୍ୟ ସହଜ ସରସ କୌତୁକର କରିବାକୁ ଅକ୍ଷମ ହୋଇପଡ଼େ । ମୁଁ ଆଜି ଦିନଟିକୁ ଆପଣାଆଡ଼କୁ କୌତୁକ ସହିତ ଅନାଇବାରେ ଅତିବାହିତ କରିଚି । ବରଷଯାକ ମୁଁ କେତେ ପରାକ୍ରମ ଦେଖାଇଚି, ପ୍ରଚଣ୍ଡ ହୋଇ ଅନେକ କେତେ ଗର୍ଜନ କରିଚି, ଅପର ପାଖରେ କେତେଥର ଆପଣାର ଉଚ୍ଚତରତା ଦେଖାଇ ହେବାରେ ପରିଶ୍ରମ କରିଚି । କେତେ ଘୃଣା କେତେ ଅହଙ୍କାରକୁ ନେଇ ମୁଁ କେତେ ଫୁଲିକରି ଓ ବଡ଼ାଇ କରି ବୁଲିଚି । ସେଥିପାଇଁ ଆଜି ସକାଳୁ ଆପଣାଆଡ଼କୁ ଅନାଇ ଭାରି କୌତୁକ ଲାଗୁଚି । ଭିତରେ ମୁଁ କେତେ ଟିକିଏ ହୋଇ ବସି ବାହାରେ କେଡ଼େ ବୋଲି ଦେଖାଯିବାକୁ ମୁଁ କେତେ ଚେଷ୍ଟା ନ କରୁଚି । ଆପଣାକୁ ଲୁଚାଇ ରଖିବାକୁ ମୁଁ କେତେକେତେ ସଂସ୍କାରର ଆଶ୍ରୟ ନନେଉଚି ! ତଥାପି ବଡ଼େଇ ଭାଙ୍ଗୁ ନାହିଁ, ତଥାପି ଉପଦେଶ ଦେବାରେ ବଦଖୋଇ ଛାଡ଼ୁନାହିଁ । ସଂସାରର ଦୋଷ ଦେଖିଲେ ସବୁ ପଣ୍ଡ ହୋଇ ଗଲା ବୋଲି ଅଭିନୟ କରି ବସିବାର ପ୍ରହସନ ତଥାପି ବାଦ୍ ଯାଉନାହିଁ । ମଣିଷ ଯେତିକି ସ୍ଥିର ହୁଏ, ଆପଣାକୁ ଚିହ୍ନିବାରେ ସେ ସେତିକି ସମର୍ଥ ହୁଏ, ସେ ଆପଣାକୁ ସେତିକି ଶ୍ରଦ୍ଧା କରି ଶିଖେ ଏବଂ ଆପଣାକୁ ଶ୍ରଦ୍ଧା କରିପାରିଲେ ହିଁ ଆପଣାସହିତ କୌତୁକ କରିବା ସମ୍ଭବ ହୁଏ । ଆପଣାକୁ ହସିବା ସମ୍ଭବ ହୁଏ ।

 

୨ । ୪ । ୬୦

 

The community to–day is the planet, not the bounded nation ! ବସୁଧୈବ କୁଟୁମ୍ବକଂ,–ନୀତି ଶାସ୍ତ୍ରରେ ଏହି କଥାଟି ଅନେକଦିନରୁ କୁହାହୋଇଚି । କିନ୍ତୁ ସମସ୍ତ ବସୁଧାକୁ ଗୋଟିଏ ପରିବାର ବୋଲି ଅନୁଭବ କରୁଥିବା ମଣିଷ ଏହି ସଂସାରରେ କେତେଜଣ ଅଛନ୍ତି ? ଆମେ ସମସ୍ତେ ଆପଣାର ସ୍ଵାର୍ଥ ନେଇ ଭୋଳ, ଆପଣାର ସୁଖ ନେଇ ଭୋଳ, ଆପଣାର ଅନ୍ଧତା ଓ ମତ୍ତତା ଗୁଡ଼ାକୁ ନେଇ ଭୋଳ । ସାରା ସଂସାରକୁ ଗୋଟିଏ ପରିବାରରେ ପରିଣତ କରିବା ଲାଗି କ’ଣ ମଙ୍ଗଳଗ୍ରହରୁ ମଣିଷ ଆସିବେ ? ଏହା ସମ୍ଭବ କରିବାକୁ ହେଲେ ପ୍ରଥମେ ଆମ ପ୍ରତ୍ୟେକଙ୍କର ବିଚାରରେ ପରିବର୍ତ୍ତନ ଆଣିବାକୁ ହେବ ଏବଂ ସେହି ବିଚାରକୁ ଜୀବନର କର୍ମରେ ମଧ୍ୟ ଆଚରଣ କରିବାକୁ ହେବ । କିନ୍ତୁ ପରସ୍ପରକୁ ଦୋଷ ଦେବା ଓ ନିନ୍ଦା କରୁଥିବାର ଅଭିଯାନ ଚାଲିଥିବା ପର୍ଯ୍ୟନ୍ତ କୌଣସି ପରିବର୍ତ୍ତନ ହୋଇ ପାରିବନାହିଁ-। ଆପଣାର ଘରକୁ ଆଖି ବୁଜିଦେଇ ଭାରତବାସୀ ଦକ୍ଷିଣ ଆଫ୍ରିକାର ନିନ୍ଦା କରୁଥିବେ, ଆପଣାର ସକଳ ଅକର୍ମ ଓ ଅନୀତି ପ୍ରତି ଆଖି ବୁଜିଦେଇ ଆମେରିକାବାସୀ ଋଷିଆକୁ ଖୁଣି ଆନନ୍ଦ ପାଉଥିବେ, ଏଣେ ରୁଷର ଶାସକମାନେ ବାହାରେ ଶାନ୍ତିର ଉତ୍ତେଜିତ ସଙ୍କୀର୍ତ୍ତନ ଲଗାଇଦେଇ ଏଣେ ଆପେ ନାନା ଅଶାନ୍ତିର କାରଣ ହେବାକୁ କୌଣସି ପ୍ରକାରେ ଅସଙ୍ଗତ ବୋଧ କରୁନଥିବେ-। ଏହିପରି ତାମସା ଚାଲିଥିବା ପର୍ଯ୍ୟନ୍ତ ପରିବାର ଭାଙ୍ଗିବ ସିନା, ଗଢ଼ା ହେବନାହିଁ । ତେଣୁ ଗତ ଅନେକ ବର୍ଷ ହେଲା ପୃଥିବୀର ଇତିହାସରେ ପରିବାର ଭାଙ୍ଗିବାଟା ହିଁ ପ୍ରଧାନତର ହୋଇପଡ଼ିଚି, ପରିବାର ଗଢ଼ିବା ନୁହେଁ । ଆମେ ଯେ ପର୍ଯ୍ୟନ୍ତ ଭୋଗ ବିଳାସକୁ ଯବନର ଆଦର୍ଶ ବୋଲି ଧରିଚୁ, ମଣିଷ ସହିତ ସହାନୁଭୂତି ସ୍ଥାପନ କରିବାକୁ ଜୀବନର ସର୍ବମୂଳ ପ୍ରେରଣା ବୋଲି ଗ୍ରହଣ ନକରିଚୁ, ସେ ପର୍ଯ୍ୟନ୍ତ ଆମର ପରିବାର ଗଢ଼ିବାର କଳ୍ପନା କେବଳ ବହିଭିତରେ ଓ ଦର୍ଶନ ଭିତରେ ସୀମାବଦ୍ଧ ହୋଇ ରହିଥିବ । ଯିଏ ଆପଣାର ଜୀବନକୁ କେବଳ ସାମଗ୍ରୀ ଉପଭୋଗ କରିବାଠାରୁ କୌଣସି ଉଚ୍ଚତର ଉଦ୍ଦେଶ୍ୟରେ ଉଦ୍‌ବୁଦ୍ଧ କରି ପାରିବ, କେବଳ ସେଇ ଆପଣାର ଦୃଷ୍ଟିରୁ ଏକ ନୂତନ ବିଶ୍ଵତୋଦୃଷ୍ଟିରେ ପରିବର୍ତ୍ତିତ କରିପାରିବ । କିନ୍ତୁ ଆମର ନୀତିଦିନର ଜୀବନାଚରଣକୁ ଦୃଷ୍ଟିପାତ କଲେ ଏ ଦିଗରେ ଆଶା ପୋଷଣ କରିବାଭଳି ବେଶୀକିଛି ଦେଖିବାକୁ ମିଳେନାହିଁ । ମୋର ଆପଣ ଉପରକୁ ଦୃଷ୍ଟିପାତ କଲେ ସଂସାରକୁ ସୁନ୍ଦର କରି ଗଢ଼ିବା ବିଷୟରେ ଭାରି ନିରାଶ ହେବାକୁ ପଡ଼େ । ମୁଁ ନିଜେ ପ୍ରସ୍ତୁତ ନହେଲେ ସଂସାର ମଧ୍ୟ କିପରି ପ୍ରସ୍ତୁତ ହେବ ?

 

୩ । ୪ । ୬୦

 

ଆପଣାଠାରୁ ହିଁ ଆରମ୍ଭ କରିବାକୁ ହେବ ସଂସାରକୁ ବଦଳାଇବାକୁ ହେବ । ସଂସାରକୁ ବଦଳାଇବା ଲାଗି ଆଉ ଅନ୍ୟ ଉପାୟ ନାହିଁ । ଶାସନ ବା ଶାସନ ବ ଶାସନକୁ ବଦଳାଇ ମଣିଷ ମାରିଲେ ସଂସାର ବଦଳିଯିବ ବୋଲି ମଣିଷ ଭିତରେ ଯେଉଁ ଅଜ୍ଞାନ ପ୍ରଣୋଦିତ ବିଶ୍ଵାସ ରହି ଆସିଥିଲା, ଇତିହାସରେ ତାହାର ଅନେକ ପ୍ରୟୋଗ ହୋଇ ସାରିଲାଣି । ସେହି ପ୍ରୟୋଗ ବିଫଳ ହୋଇଚି । ଶୋଷଣ ବନ୍ଦ କରିବାକୁ ଯାଇ ଶୋଷଣ ଅଧିକ ହୋଇଚି, ଘୃଣା ଓ ଭୟ ଦୂର କରିବାକୁ ଯାଇ ସଂସାରରେ ଅଧିକ ଘୃଣା ଓ ଭୟ ସୃଷ୍ଟି କରାଯାଇଚି । ସଂସାରକୁ ସକଳ ଦୁର୍ଦ୍ଦଶାରୁ ମୁକ୍ତ କରିଦେବେ ବୋଲି ଆଜି ଯେଉଁମାନେ ବାନା ଧରି ବାହାରିଚନ୍ତି, କାଲି ସେହି ବାନାତଳେ ସେଇମାନେ ହିଁ ସଂସାରର ବଡ଼ବଡ଼ ପାଷଣ୍ଡରୂପେ ଅବତୀର୍ଣ୍ଣ ହୋଇଚନ୍ତି । ଆହୁରି ଅନେକ ଦେଶରେ ହୁଏତ ଏହି ଅପପ୍ରୋୟଗର ତଥାପି ପ୍ରୟୋଗ ହେବ, କିନ୍ତୁ ସେଗୁଡ଼ିକ ମଧ୍ୟ ବିଫଳ ହେବ ବାହାରଟାକୁ ବଦଳାଇଦେଲେ ହିଁ ଯେ ମଣିଷ ବଦଳି ଯିବନାହିଁ, ଅନେକପ୍ରକାର ଖଣ୍ଡବିଶ୍ଵାସ ପଛରେ ଦୌଡ଼ିବା ପରେ ମଣିଷ ଆଜି ଏହି ସତ୍ୟଟିକୁ ଆବିଷ୍କାର କରିଚି । ଅସଲ ପରିବର୍ତ୍ତନ ହେଉଛି ମଣିଷର ମନଭିତରେ ପରିବର୍ତ୍ତନ । ଅସଲ ପରିବର୍ତ୍ତନ ହେଉଛି ମଣିଷର ରୁଚି ଓ ଦୃଷ୍ଟିଭଙ୍ଗରେ ପରିବର୍ତ୍ତନ । ଏହି ଦୃଷ୍ଟିଭଙ୍ଗୀ ବଦଳିଲେ ଯାଇ ମଣିଷର ବାନା ବଦଳିବ, ମଣିଷର ବାଟ ବଦଳିବ, ମଣିଷର ସମାଜ ବଦଳିବ । କିନ୍ତୁ ମଣିଷର ଆପେ ବଦଳିବାଟା ସଂସାରରେ ସବୁଠାରୁ ଅଧିକ କଷ୍ଟ କର । ଏ ପର୍ଯ୍ୟନ୍ତ ତ ମଣିଷ କେବଳ ଆପଣାଠାରୁ ଲୁଚି ପଳାଇବାକୁ ହିଁ ଅନ୍ୟ ନାନାବାଟରେ ଆଶ୍ରୟ ନେଇ ଆସୁଚି । ଆପଣାର ସମ୍ମୁଖୀନ ହେବା ପାଇଁ ତାକୁ ଡର ଲାଗୁଚି । କିନ୍ତୁ ତଥାପି ସବୁଆଡ଼ୁ ହଟି ହଟି ଆସି ତାକୁ ଆପଣାର ହିଁ ସମ୍ମୁଖୀନ ହେବାକୁ ପଡ଼ିବ ।

 

୪ । ୪ । ୬୦

 

ଜୀବନରେ ଗୋଟିଏ ଗୋଟିଏ ଦିନ ମଣିଷକୁ ଉତ୍ତୋଳିତ କରିଦେଇ ଯାଏ, ନୟନକୁ ଶୁଦ୍ଧ କରି ଦେଇଯାଏ, ହ୍ରୁଦୟକୁ ପବିତ୍ର କରିଦେଇ ଯାଏ । ଆପଣାକୁ ବଞ୍ଚାଇବାକୁ ଯାଇ ମୁଁ କେତେ ଯେତେବେଳେ ଜଗତଠାରୁ ଲୁଚି ବୁଲିବାକୁ ଚେଷ୍ଟା କରୁଥାଏ, ଆପଣା ଅପରାଧର ସଚେତନ ଭାବରେ ମୁଁ ଯେତେବେଳେ ଏକାକୀ ଘରେ ବସି ଚାପିହୋଇ ମରୁଥାଏ, ସେତିକିବେଳେ ଗୋଟିଏ ଗୋଟିଏ ଦିନରେ ଗୋଟିଏ ଗୋଟିଏ ବେଳ ଆସି ମୋର ସବୁ ଚକ୍ରାନ୍ତକୁ ପଣ୍ଡ କରି ଦେଇଯାଏ, ମୋର ସମସ୍ତ ଇଚ୍ଛାକର ଅବଗୁଣ୍ଠନକୁ ଖୋଲିଦିଏ, ମୋତେ ସମସ୍ତଙ୍କର ହୃଦୟ ପାଖରେ ଆଣି ପହଞ୍ଚାଇ ଦେଇଯାଏ । ସେଦିନ ଜୀବନରେ କୌଣସି ଜ୍ଵାଳାରେ ଆଉ ପୋଡ଼ିହୋଇ ମରିବାକୁ ହୁଏନାହିଁ । ଆଜି ବି ମୋର ଜୀବନରେ ସେହିପରି ଗୋଟିଏ ଦିନ । ସଂସାର ସହିତ ସବୁ ସୂତ୍ର ଛିଡ଼ାଇଦେଇ ଯେଉଁଦିନ ମୁଁ ସଂସାରରେ ବଡ଼ ବୋଲାଇବାକୁ ଚାହେ, ସେଦିନ ମୁଁ ଭିତରେ ଭିତରେ ବଡ଼ କ୍ଷତବିକ୍ଷତ ହୋଇ ରହେ । କିନ୍ତୁ ଆଜି ପରି ଗୋଟିଏ ଗୋଟିଏ ଦିନରେ ମୁଁ ପୁଣି ମୋର ସକଳ କ୍ଷତକୁ ପୂର୍ଣ୍ଣ କରିଦେବାକୁ ଆସେ । ମଣିଷ ଭିତରେ ମୁଁ ଅଶେଷ ମାଧୁରୀର ପରିଚୟ ପାଏ । ସେହି ପରିଚୟ ଭିତରେ ମୋର ଆପଣା ଭିତରେ ଜମିକରି ରହିଥିବା କେତେଦିନର କେତେ ମଇଳା ପୋଡ଼ି ପାଉଁଶ ହୋଇଯାଏ, ମଣିଷ ସହିତ ମିଳିତ ହେବାର ଉତ୍ସାହସୋତରେ କୁଆଡ଼େ ଧୋଇ ହୋଇଯାଏ । ଯେତେବେଳେ ମୁଁ ଆପଣାର ଅପରାଧ ଓ ଅଖ୍ୟାତିଗୁଡ଼ାକ ବିଷୟରେ ବଡ଼ ସଚେତ ଓ ବିଚଳିତ ହୋଇପଡ଼େ, ଠିକ୍ ସେତିକିବେଳେ ହିଁ ମୁଁ ଅପରର ଖୁଣ ବାହାର କରିବାକୁ ଆଗଭର ହୋଇ ବାହାରିପଡ଼େ । ଅପର ଭିତରେ ମୁଁ ଏତେଟିକିଏ ଦୋଷ ସହ୍ୟ କରିପାରେ ନାହିଁ । ମୋ’ନିଜର ଦୋଷ ଅଭାବଗୁଡ଼ାକୁ ପାସୋରି ଦେବାକୁ ଭିତରର ଅପଚେଷ୍ଟାମାନ ଯେ ମୋତେ ଏପରି ଅସହିଷ୍ଣୁ କରିପକାଏ, ମୁଁ ପରେ ସେ କଥାକୁ ହୃଦୟଙ୍ଗମ କରି ଲଜ୍ଜିତ ହୁଏ । ଏଇଟା ବାଟ ନୁହେଁ । ମୁଁ ଯାଇ ଅନ୍ୟ ଉପରେ ଶାସନ କରିବି, ମୋତେ ଏ ସଂସାରରେ କଦାପି ଏତେ ଅଧିକାର ଦିଆଯାଇନାହିଁ । କେବଳ ସ୍ନେହ ଓ ପ୍ରେମ ସଞ୍ଚୟ କରି ତାହାକୁ ହିଁ ମଣିଷ ପାଖରେ ନିବେଦନ କରି ଦେବାକୁ ମୋର ଅଧିକାରର ସଦୁପଯୋଗ କରେ, ସେତିକିବେଳେ ଜୀବନ ବଞ୍ଚିବାର ଆନନ୍ଦ ଲାଭକରେ, ସଂସାରର ସମ୍ପର୍କମୟ ଜୀବନରେ ଆପଣାକୁ ବଡ଼ ସମ୍ପଦବାନ୍ ମନେହୁଏ । କିନ୍ତୁ ଯେତେବେଳେ ଦୁରୁପଯୋଗ କରେ, ସେତେବେଳେ ମୋର ଆପଣାଠାରୁ ମଧ୍ୟ ମୋର ସୂତ୍ର ଛିଣ୍ଡିଯାଏ । ମୁଁ ଆପଣାକୁ ଲୁଚି ଲୁଚି ବୁଲୁଥାଏ । ମୋର ସବୁ ଥାଇ ମଧ୍ୟ ମୁଁ ଦରିଦ୍ର ହୋଇ ପଡ଼ିରହେ ।

 

୫ । ୪ । ୬୦

 

ହେ ଜୀବନର ପରମ ସଖା, ମୋତେ ଅଧିକ ବଳ ଦିଅ ! ତୁମରି ବଳରେ ବଳୀୟାନ୍ ହେବାଲାଗି ମୋତେ ଅଧିକ ସହଜ ହେବାକୁ ଶିଖାଅ । ମୋ’ର ହୃଦୟକୁ ଏ ଜର କାହିଁକି ସବୁବେଳେ ଘୋଟି ରହିଚି, ଏ ଉତ୍ତାପ ମୋ’ର ମନ ଭିତରକୁ କାହିଁକି ମାଡ଼ି ବସିଚି ? କାହିଁକି ମୁଁ ଏହି ଆବଦ୍ଧ ଘର ଭିତରେ ରହି ଛଟପଟ ହେଉଚି ? ମୁଁ ଆଉ କିଛି ଚାହୁନାହିଁ ! କିଏ ମୋର ଅନୁଗତ ହୋଇ ରହୁ, କେହି ମୋର ପରାକ୍ରମରେ ଭୀତ, ତ୍ରସ୍ତ ଅଥବା ବିହ୍ଵଳ ହୋଇ ରହୁ, ମୁଁ ଏକଥା କେବେହେଲେ ଚାହୁନାହିଁ, କେବେ ଚାହିବି ମଧ୍ୟ ନାହିଁ । ମୁଁ କେବଳ ମୋ’ରି ବାଟରେ ଯିବାକୁ ଚାହେଁ । କାହାରି ଜୀବନରେ ମୁଁ କୌଣସି ପ୍ରତିବନ୍ଧକ ସୃଷ୍ଟି କରିବାକୁ ଚାହେଁନାହିଁ । ମୋତେ ମୋ’ ଆପଣା ବାଟରେ ସହଜ ହୋଇ ବାଟ ଚାଲିବାକୁ ଦିଅ । କାହିଁକି ଜାଣେନା ମୁଁ ଯେପରି ସବୁଆଡ଼ୁ କ୍ରମେ ଅଧିକ ଜଡ଼ ହୋଇ ଯାଉଚି ! ନୀରବ ହୋଇ ଯାଉଥିଲେ ମୋର କୌଣସି ଆପତ୍ତି ନ ଥିଲା । ବାହାରେ ନୀରବ ହୋଇଗଲେ ତ ମୁଁ ଭିତରେ ଅଧିକ ସମର୍ପିତ ଭାବରେ ମୋ’ ବାଟରେ ବାହାରିପାରନ୍ତି ! କିନ୍ତୁ ଇଏ ନୀରବତା ନୁହେଁ,-ଇଏ କେବଳ ଜଡ଼ତା, ଏକ ଅନ୍ତର୍ଗତ ଆଳସ୍ୟ, ସମସ୍ତ ଶକ୍ତିକୁ କେବଳ ଏକ ଶବରେ ପରିଣତ କରିବାର ଆଳସ୍ୟ । ଏବଂ ତା’ ସହିତ ଏହି ଜ୍ଵାଳାମୟ ଉତ୍ତାପ, ନିଜ ଭିତରେ ପୋଡ଼ିହୋଇ ମାରିବାର ଅସହ୍ୟତା, ନିଜ ଭିତରେ ଛଟପଟ ହେବାର ଅସନ୍ତୋଷ । ମୋ’ଜୀବନର ସବୁ ସହାୟତା ସତେଯେପରି କୁଆଡ଼େ ଅପହୃତ ହୋଇଯାଉଚି ! ଏପରି ଜବରଦସ୍ତି ଟାଣିଓଟାରି ହୋଇ ମୁଁ ଆଉ କେତେବାଟ ଯାଇପାରିବି ? ମୋର ମନେ ହେଉଚି, ଯେପରି ଆଉ ମାତ୍ର ଅଳପବାଟ ଯାଇ ମୋତେ ରହିଯିବାକୁ ପଡ଼ିବ, ମୋତେ ମରିଯିବାକୁ ପଡ଼ିବ । ଯାହାର ଜୀବନରୁ ଯେତିକି ପରିମାଣରେ ସହଜତା ଚାଲିଯାଏ; ସିଏ ସେତିକି ମରିମରି ଯାଏ । ଉପରେ ପାଞ୍ଚପ୍ରକାରର ମଣୋହୀ ଓ ପଚାଶ ପ୍ରକାରର ବିଳାସ କରୁଥିଲେ ମଧ୍ୟ ସିଏ ମରିମରିଯାଏ । ସିଏ ହଜିଯାଏ ।

 

୬ । ୪ । ୬୦ ।

 

ଆଜି ପିଲାମାନଙ୍କର ପରୀକ୍ଷା । ସେମାନଙ୍କର ସମସ୍ତଙ୍କର ମଙ୍ଗଳ ହେଉ । ସେମାନେ ସମସ୍ତେ ସଫଳତା ଲାଭ କରନ୍ତୁ । ତିନି ବରଷର ପାଠ ଓ ପ୍ରଗତିକୁ ସରକାର ବର୍ତ୍ତମାନ ପରୀକ୍ଷା କରିନେବେ, ଓ ସେହି ଅନୁସାରେ ଏ ପିଲାମାନଙ୍କର ଜୀବନର ଭବିଷ୍ୟତ ନିର୍ଣ୍ଣିତ ହେବ । ଏହାହିଁ ହେଉଚି ଆମ ଯୁଗର ସବୁଠାରୁ ବଡ଼ ଦୁର୍ଦ୍ଦଶା ଏବଂ ଆମେ ସମସ୍ତେ ଯୁବକଙ୍କୁ ବାଧ୍ୟକରି ଏହି ଦୁର୍ଦ୍ଦଶାର ଦାସ କରାଇବାରେ ଲାଗିଚୁ । ଗତ ଦୁଇମାସ ହେଲା ମୁଁ ଦେଖୁଚି, ସେମାନେ କେତେ କଠିନ ପରିଶ୍ରମ କରୁଚନ୍ତି, ଆପଣାର ଅନ୍ୟ ସକଳପ୍ରକାର ନିଷ୍ଠା ଛାଡ଼ିଦେଇ ପାଠ ପଇଟେଇବାକୁ ହିଁ ଏକମାତ୍ର ନିଷ୍ଠା କରି ଧରିଚନ୍ତି । ସେମାନେ ସମସ୍ତେ ସଫଳତା ଲାଭ କରନ୍ତୁ । ସେମାନଙ୍କ ଭିତରୁ କାହାରି ଆମର ସମ୍ବନ୍ଧରେ ନାନା ପ୍ରୀତିକର ଓ ଅପ୍ରୀତିକର ଘଟଣା ମାନ ଘଟିଚି । ଗ୍ରନ୍ଥ ଓ ଶିକ୍ଷକର ସମ୍ବନ୍ଧରେଏହା ସର୍ବତ୍ର ଘଟିଥାଏ । ସ୍ନେହ ଓ ମମତା ବଶରେ ଶିକ୍ଷକ ଗ୍ରନ୍ଥଠାରୁ ଏଇଟା ବା ସେଇଟା ଆଶା କରିଥାଏ, ଗ୍ରନ୍ଥ ତାହାର ପ୍ରତିବାଦ କରେ, ଧରା ନ ଦେବାକୁ ଜିଦ୍ ଧରିବସେ । ସେ ମାନିବାକୁ ଅମଙ୍ଗ ହୁଏ । ତେଣୁ ଅନେକ ସମୟରେ ମନ ବି ଫାଟିଯାଏ । କିନ୍ତୁ ଛାତ୍ର ଓ ଶିକ୍ଷକ ଉଭୟ ସେଥିରୁ ଶିକ୍ଷାଲାଭ କରନ୍ତି । ଏହା ଦୁଇ ତରଫରୁ ଆହୁରି ପ୍ରସ୍ତୁତ ହେବାକୁ ଶିଖାଏ । ଅପ୍ରୀତିକର ପରିସ୍ଥିତି ଭୁଲି ହୋଇଯାଏ, ଭୁଲ ବୁଝିବା ଯାଇ ବୁଝିବା ଆରମ୍ଭ ହୁଏ । ଦୁହେଁ ପରସ୍ପରର ଅଧିକ ନିକଟବର୍ତ୍ତୀ ହୁଅନ୍ତି । ସବୁ ଶିକ୍ଷାଳୟକୁ ଯାହା ହୋଇଥାଏ, ଆମ ଏଠାରେ ମଧ୍ୟ ତାହାହିଁ ହୋଇଚି । ଏହା ଜୀବନର ପରିଚାୟକ, ଶ୍ରଦ୍ଧାର ପରିଚାୟକ । ସେମାନେ ଏହି ପରୀକ୍ଷାରେ ସଫଳ ହୁଅନ୍ତୁ, ଏହାପରେ ଜୀବନର ବୃହତ୍ତର ପରୀକ୍ଷାରେ ସଫଳ ହୁଅନ୍ତୁ । ନିର୍ଭୟ ହୋଇ ଜଗତର ଦାଣ୍ଡରେ ଠିଆହୋଇ ପାରନ୍ତୁ, ସକଳ ପ୍ରକାର ଦୁଃଖ ଓ ବିବାଦ ସତ୍ତ୍ୱେ ସେମାନେ ସଂସାରରେ ତଥାପି ଆପଣାର ବାଟରେ ଚାଲିପାରନ୍ତୁ, ସେମାନଙ୍କ ଲାଗି ମୁଁ ଆଜି ଏହାହିଁ କାମନା କରୁଚି ।

 

୧୬ । ୭ । ୬୦

 

ସେଦିନ ପିଲାଙ୍କର ପରୀକ୍ଷା ବିଷୟରେ ଲେଖିଥିଲି, କିନ୍ତୁ ଅତି ଆକସ୍ମିକ ଭାବରେ ସେଇଦିନଠାରୁ ମୋ’ ନିଜର ପରୀକ୍ଷା ଆରମ୍ଭ ହୋଇଗଲା । ଯାହାକୁ ସମସ୍ତେ ଆକସ୍ମିକତା ବୋଲି କହିଲେ, ମୁଁ ତାହାକୁ କ୍ରମେ ବିଧି ନିର୍ଦ୍ଦିଷ୍ଟ ବୋଲି ବିଶ୍ଵାସ କରି ଶିଖିଚି । ଏ ଜୀବନକୁ ଛାଡ଼ି ଆଉ କୁଆଡ଼େ ପଳାଇ ଯିବାର ପ୍ରଶ୍ନହିଁ ଉଠୁନାହିଁ । ମୋର ସକଳ ସମ୍ପଦ ଅପେକ୍ଷା ମୋ’ ଜୀବନ ହିଁ ମୋର ସବୁଠାରୁ ବଡ଼ ସମ୍ପଦ । ମୋର ସବୁଠାରୁ ଅଧିକ ମୂଲ୍ୟବାନ୍ ପୁଞ୍ଜି । ମୋ’ ଭିତରେ ରହିଥିବା ଶକ୍ତି, ଯୋଗ୍ୟତା, ଇଚ୍ଛା ଓ ଆକଙ୍‌କ୍ଷା, ବଳ ଓ ବିଶ୍ଵାସ,-ଏହାହିଁ ମୋର ସମ୍ପଦ । ମୁଁ ସେଗୁଡ଼ିକୁ ଯେତିକି ଯେତିକି ବିକଶିତ କରିପାରିବି, ମୁଁ ନିଜେ ସେତିକି ସେତିକି ସଫଳ ହୋଇ ଫୁଟି ଉଠି ପାରିବି । ଏହି ବିକଶିତ ହେବାରେ ବାଟ ଚାଲିବାରେ ଅତି ଆପଣାର ଜଣେ କାହାକୁ ସାଥୀରୂପେ ପାଇବି ବୋଲି ମୁଁ ଭାରି ଲୋଭ କରି ବସିଥିଲି । ତାହା ହୋଇ ପାରିଲା ନାହିଁ । ମୋର ମୋର ଇପ୍‌ସିତ ସମ୍ମିଳିତ ପଥ ହଠାତ୍ ବିଭକ୍ତ ହୋଇଗଲା । ତଥାପି ମୋତେ ବିଶ୍ଵାସର ସହିତ ଆଗକୁ ଯିବାକୁ ହେବ, ବିଶ୍ଵାସର ସହିତ ପରୀକ୍ଷା ଦେବାକୁ ହେବ । ଆଜି ତିନିମାସ ପରେ ମଧ୍ୟ ମୁଁ ସେହି ଦିନଟିର ଆହ୍ଵାନକୁ ଏପର୍ଯ୍ୟନ୍ତ ଭୁଲି ପାରିନାହିଁ । ମୋତେ ପରୀକ୍ଷା ଦେବାକୁ ହିଁ ହେବ । ସକଳ ଜଗତର ମୋ’ଠାରୁ ଯାହା ପାଇବା କଥା, ତାହା ମୋତେ ଦେବାକୁ ହିଁ ହେବ । ଯୋଗ୍ୟ ଭାବରେ ହିଁ ଦେବାକୁ ହେବ । ତାହା ଛଡ଼ା ଆଉ ଅନ୍ୟ ଗତି ନାହିଁ ।

 

୧୭ । ୭ । ୬୦

 

ଏବେ ଭାରି ଏକାକୀ ମନେହେଉଚି । ମୋର ସଂସାର ମୋତେ ଏକାକୀ ଛାଡ଼ିଦେଇ ଚାଲିଗଲେ ଯାହା ହୁଏ, ମୋର ସେହି ଦଶା ହିଁ ହୋଇଚି । ଏହି ଆକାଶ, ଏହି ପବନ, ଏହି ଆଲୋକ ଓ ଏହି ଅନ୍ଧାର,–ମୁଁ ଯେପରି କୋଉଠି ହେଲେ ଖୁସି ହୋଇ ପ୍ରବେଶ କରି ପାରୁନାହିଁ । କାହା ପାଖରୁ ବିଚ୍ୟୁତ ହୋଇ ଗଲାପରି ମନେହେଉଚି । ମନଭିତରେ ଦରିଦ୍ର ହୋଇ ରହିବାର ଗ୍ଳାନି ମୋତେ ବେଳେବେଳେ ବଡ଼ ଅସହ୍ୟ ଭାବରେ କାମୁଡ଼ି ଧରୁଚି । ବାଟ ଚାଲିବାର ସାହସ ରହୁନାହିଁ । ଭିତରେ ଯାହାର ନିର୍ଭର ପାଉଥିଲେ ମଣିଷ ବାହାରେ ସବୁ କ୍ଷେତ୍ରରେ ଅଶେଷ ନିର୍ଭର ପାଏ, ସେହି ନିର୍ଭରଟି ସହିତ ମୋର ଖିଅ ଛିଡ଼ି ଯାଇଥିବା ପରି ଲାଗୁଚି । ନିଜର ଦୁଃଖରେ ଉଦ୍‌ବିଗ୍ନ ହୋଇପଡ଼ିଲେ ଏହାହିଁ ହୁଏ । ସଂସାରରେ ମୋ’ଠାରୁ ଅଧିକ ଦୁଃଖୀ ଆହୁରି ଅନେକ ଅଛନ୍ତି, ଏକଥା ହୃଦୟଙ୍ଗମ କରୁଥିବା ପର୍ଯ୍ୟନ୍ତ ମଣିଷ କେବେହେଲେ ଭାଙ୍ଗି ପଡ଼େନାହିଁ, ଆପଣା ଉପରୁ ବା ଭଗବାନଙ୍କ ଉପରୁ କଦାପି ବିଶ୍ଵାସ ତୁଟି ଯାଏନାହିଁ । କେବେହେଲେ ଆପଣାକୁ ଏକାକୀ ବୋଧ ହୁଏ ନାହିଁ । ଏହା ଭିତରେ ମୁଁ ସେହି କଥାଟି ଭୁଲି ଯାଇଚି କି ? ଖୁସୀ ହୋଇ ଆପଣା ସମର୍ପିତ ଜୀବନର କର୍ତ୍ତବ୍ୟ କରାଯିବାର ସହଜ ଖୁସୀକୁ ମୁଁ ହରାଇ ବସିଚି କି ? ନା,–ଆପଣାର ହଜିଯାଇଥିବା ଖିଅଟିକୁ ପୁଣି ଫେରିପାଇବାକୁ ହେବ, ପୁଣି ଆପଣା ଭିତରେ ଜୀବନର ପରମସଖାକୁ ଜାଣି ରଖିବାକୁ ହେବ । ଚିହ୍ନି ନେବାକୁ ହେବ । ସେଠି ସେ ସବୁବେଳେ ରହିଚି, ସେଠି ସିଏ ଅପେକ୍ଷା କରି ରହିଚି । ତାକୁ ହିଁ ଚିହ୍ନିଲେ ଜୀବନର ସବୁ ଖୁସୀ । ଉଗ୍ର ହେଲେ ମଣିଷ ଖୁସୀ ହୁଏନାହିଁ । କ୍ଷମତା ପାଇଲେ ମଣିଷ ପ୍ରମତ୍ତ ହୁଏ ସିନା, କିନ୍ତୁ ଖୁସୀ ହୋଇ ପାରେନାହିଁ । ଭିତରର ନିର୍ଭର ଓ ସମ୍ପଦର ଅଭାବକୁ ବାହାରର ଅବଲମ୍ବନ ଓ ସଞ୍ଚୟ ଦେଇ ପୂରଣ କରିବାକୁ ଯିଏ ଯେତିକି ଚେଷ୍ଟା କରୁଥାଏ, ଜୀବନରେ ସିଏ ସେତିକି ଖୁସୀ ହରାଏ, ସହଜତା ହରାଏ । ଆପଣାର ସଂକୀର୍ଣ୍ଣ ସୀମା ଭିତରେ ସିଏ ସେତିକି ବନ୍ଦୀ ହୋଇ ରହେ । ଭିତରେ ଆହୁରି ଶାନ୍ତି ଦରକାର ଆହୁରି ସହଜ ହେବ ଦରକାର । ବାହାରେ ଉଗ୍ର ମଣିଷର ଯାବତୀୟ କୋଳାହଳ ସତ୍ତ୍ୱେ ତଥାପି ନିର୍ଭୟ ହୋଇ ଆପଣାର କଥା କହିପାରିବା ଦରକାର, ଆପଣାର ବାଟ ଚାଲିପାରିବା ଦରକାର । ଆପଣାର ହୃଦୟ ଭିତରେ ଆପଣା ପରମ ସାଥୀର ସଙ୍ଗଲାଭ କରିବା ଦରକାର । ମୋର ସେହି ବାସନା ହିଁ ପୂର୍ଣ୍ଣ ହେଉ ।

 

୧୮ । ୭ । ୬୦

 

ମୋର ବଗିଚା,-ବାହାରେ ଏଇ ଫୁଲର ବଗିଚା ଓ ଭିତରେ ଏଇ ଜୀବନର ବଗିଚା । ମନ ଖୁସିରେ ଏଠି ସବୁଦିନ ଆପଣାକୁ ସମର୍ପଣ କରିବାର ସୁଯୋଗ ପାଉଥିଲେ ମୋର ଆଉ ବିଶେଷ କିଛି ଶୋଚନା ନାହିଁ । ବିଶେଷ କିଛି ଲୋଡ଼ାନାହିଁ, କ୍ଷମତା ଦରକାର ନାହିଁ, ପଇସା ଦରକାର ନାହିଁ, ପ୍ରଶଂସା ଦରକାର ନାହିଁ କି ପରନିନ୍ଦା ଦରକାର ନାହିଁ । ଗତ ଦୁଇମାସର ଛୁଟିଭିତରେ ବଗିଚାଯାକ ଘାସବଣ ହୋଇଯାଇଚି,–ବର୍ତ୍ତମାନ ତାକୁ ପୁଣି ସୁନ୍ଦର ସୁସଜ୍ଜିତ କରିନେବାକୁ ହେବ । ଘାସ ଗଛକୁ ଉପାଡ଼ି ଦେଇ ଫୁଲଗଛ ଲାଗି ବାଟ ଛାଡ଼ିଦେବାକୁ ହେବ । ନୂଆ ଫୁଲଗଛ ଲାଗି ସ୍ଥାନ ପ୍ରସ୍ତୁତ କରିବାକୁ ହେବ । ଆସିବା ଦିନରୁ କାମର ଭାର ମୋର ମନ ଉପରେ ଲଦା ହୋଇ ରହିଚି । ଅନ୍ତରର ବଗିଚାରେ ମଧ୍ୟ ସେଇ କଥା । କିଏ ମୋତେ ସ୍ଵୀକାର ଦେବା ନାହିଁ, ମୁଁ କାହାର ସୁପାରିଶ ପାଇବି କି ନାହିଁ, ଏହିସବୁ ଭାବି ମୁଁ ନାନା ଚିନ୍ତାରେ ଭିତରଟାକୁ ବଡ଼ ଅଳିଆ କରି ପକାଉଚି, ନାନା ଭୟ ଓ ନାନା ଆଶଙ୍କାରେ ମୁଁ ଭିତରଟାକୁ ବଡ଼ ଅପାଗୁଆ କରି ରଖୁଚି । ମୁଁ ନିଶ୍ଚିନ୍ତ ହୋଇ ପାରୁ ନାହିଁ କି ନିର୍ଭୟ ହୋଇ ପାରୁନାହିଁ । ଭିତରେ ବିଶ୍ଵକର୍ମାର କାର୍ଯ୍ୟରେ ନାନାପ୍ରକାର ବ୍ୟାଘାତ ଆସି ପହଞ୍ଚୁଚି । ଭିତରର ଶାନ୍ତି ଭାଙ୍ଗିଯିବା ଫଳରେ ବାହାରର ସମସ୍ତ ସଚ୍ଚା ଓ ସତର୍କତା ସତ୍ତ୍ୱେ ମଧ୍ୟ ମୁଁ କେଉଁଠିହେଲେ ଖୁସୀ ପାଇ ପାରୁନାହିଁ । ହୃଦୟ ପୂର୍ଣ୍ଣ କରି କେଉଁଠି ହେଲେ ପ୍ରବେଶ କରି ପାରୁନାହିଁ । ବଗିଚା ବଣ ହୋଇ ପଡ଼ିରହୁଚି ।

 

୧୯ । ୭ । ୬୦

 

ହଁ, ଅନେକ ବିଶ୍ଵାସ ଦରକାର । ନହେଲେ ବାଟଚାଲି ହେବନାହିଁ । ଅଧିକାଂଶ ମଣିଷ ଯେଉଁ ବାଟରେ ଚାଲୁଚନ୍ତି, ଅନ୍ଧ ପରି ସେହି ବାଟ ପାଖରେ ଆପଣାର ସକଳ ସମର୍ଥନକୁ ବିକିଦେଲେ ମୁଁ ବାହାରେ ହୁଏତ ଭାରି ଉତ୍ତେଜନା ଦେଖାଇପାରିବି, କିନ୍ତୁ ଭିତରେ ମୋର ଅସଲ ସମର୍ଥକ ମୋତେ ଭୀରୁ ବୋଲି କହି ବର୍ଜନ କରି ଚାଲିଯିବ । ତେଣୁ ବାହାରେ ଯେତେ ବ୍ୟସ୍ତ ଓ କୋଳାହଳ ପରିବେଷ୍ଟିତ ହୋଇ ରହିଲେ ମଧ୍ୟ ମୁଁ ଆପଣାଭିତରେ ଏକାକୀ ରହିଯିବ, ହାତ ବଢ଼ାଇ ଚିତ୍କାର କଲେ ମଧ୍ୟ ମୁଁ କୌଣସିପ୍ରକାର ଖିଅର ନିର୍ଭର ପାଇବିନାହିଁ । ତେଣୁ ସେ ବାଟ ମୋର ବାଟ ନୁହେଁ, ସେ ବାଟ ମଣିଷ ହେବାର ବାଟ ନୁହେଁ । ଆପଣା ଜୀବନର ଅଭିଜ୍ଞତାରୁ ମୁଁ ଯେତିକି କଥାକୁ ସାର ବୋଲି ଜାଣିଚି, ମୋତେ ତାହାର ନିର୍ଦ୍ଦେଶରେ ହିଁ ବାଟ ଚଳିବାକୁ ପଡ଼ିବ । ଏହି ସ୍ଵଧର୍ମରୁ ହୁଡ଼ିଗଲେ ମୁଁ ସବୁ ପ୍ରକାରେ ନିଃସ୍ଵ ହୋଇ ପଡ଼ି ରହିବି । ଏ ସଂସାରରେ ଅନେକଙ୍କର ପଇସା ଅଛି, କୋଠାବାଡ଼ି ଅଛି, କୋଳାହଳମୟ ସଂସାର ରହିଚି, ସମ୍ମାନ ଓ ଖାତିରି ସବୁ ରହିଚି । କିନ୍ତୁ ତଥାପି ସେମାନଙ୍କର ଅନ୍ତର ଭିତରେ ସଦାସର୍ବଦା ଏକ ଶୋଚନୀୟ କରୁଣ ନାଟକ ଅଭିନୀତ ହେବାରେ ଲାଗିଚି । ତା’ର ସମ୍ମୁଖୀନ ହେବାର ଭୟରେ ସେନମାନେ ବାହାର ବ୍ୟସ୍ତତାରେ ଆହୁରି ଗୁଡ଼ାଇ ହୋଇ ରହିବାକୁ ଚାହୁଚନ୍ତି, ଅଧିକ ଚତୁରତାର ସହିତ ପଲଭିତରେ ପଶି ସାବାସ୍ ପାଇବାକୁ ଚେଷ୍ଟା କରୁଚନ୍ତି । କିନ୍ତୁ ସେମାନଙ୍କର ଦୁଃଖ ଯାଉନାହିଁ । ସେମାନଙ୍କ ଜୀବନରେ କୌଣସିପ୍ରକାର ସାର୍ଥକ ସମର୍ପଣ ସମ୍ଭବ ହୋଇପାରୁନାହିଁ, କୌଣସିପ୍ରକାର ସୃଷ୍ଟି ସମ୍ଭବ ହେଉନାହିଁ । ଏ ଦିଗରେ, ଧର୍ମ ମୋର ଦରକାର ନାହିଁ । ଅନ୍ଧଭାବରେ ମାନିନେଇ, ପଲଭିତରେ ନାନା ସଭାପୋଷାକ ପିନ୍ଧି ଓ ନାନା ଖାତିରିର ଲାଳସୀ ହୋଇ ମୁଁ ଦରିଦ୍ର ହେବାକୁ ଚାହେଁନାହିଁ । ମୁଁ ବଞ୍ଚିବାକୁ ଚାହେ ।

 

୨୦ । ୭ । ୬୦

 

ଏକାଦଶୀ କାଲି ଥିଲା, ଆଜିକି ଦ୍ଵାଦଶୀ ହୋଇଗଲାଣି । ମୁଁ ଏକାଦଶୀ ଦିନ ଉପବାସ କରେ । ତେଣୁ ସେହି ନିୟମ ଅନୁସାରେ ମୋର ଗତକାଲି ଉପବାସ କରିବାର ଥିଲା । କିନ୍ତୁ କାଲି ଏକାଦଶୀ ବୋଲି ଜାଣିବା ଆଗକୁ ମୁଁ ଖାଇ ଦେଇଥିଲି । ତଥାପି ଉପବାସ କରିବାକୁ ହିଁ ହେବ, ତେଣୁ କାଲିର ଉପବାସଟିକୁ ମୁଁ ଆଜି କରିବି ବୋଲି ସ୍ଥିର କରିଚି । ଏକାଦଶୀ ମହାତ୍ମ୍ୟରେ ଲେଖା ହୋଇଥିବା ଫଳର ଆଶାକରି ଯେଉଁମାନେ ଏକାଦଶୀ ଉପବାସ ପାଳନ କରନ୍ତି, ସେମାନେ ମୋର ଏହି ଆଚରଣକୁ କଦାପି ନିଷ୍ଠା ବୋଲି କହିବେନାହିଁ । ଧର୍ମର ଅନୁଶାସନ ମାନି ଚଳୁଥିବା ଲୋକ ମୋତେ ଚଗଲା ବୋଲି କହିବେ । ଏହିସବୁ ଅପବାଦକୁ ସ୍ଵୀକାର କରିନେବା ପାଇଁ ମୁଁ ସର୍ବଦା ପ୍ରସ୍ତୁତ ଅଛି । କିନ୍ତୁ ଅନୁଶାସନ ଅପେକ୍ଷା ଆତ୍ମଶାସନ ଉପରରେ ମୁଁ ଅଧିକ ବିଶ୍ଵାସ କରେ-। ସକଳ ଅନୁଶାସନକୁ ମୁଁ ଆତ୍ମଶାସନ ଅନୁଗାମୀ ବୋଲି ଭାବିଥାଏ । ଏଣୁ ମୋର ଆଚରଣ ଭିନ୍ନ ହେବ ଅତ୍ୟନ୍ତ ସ୍ଵାଭାବିକ । କୌଣସିପ୍ରକାର ଦେବତା ବା ଦୈବଶକ୍ତିକୁ ସନ୍ତୁଷ୍ଟ କରି ଧର୍ମର ଫଳ ମାରିନେବାକୁ ମୁଁ ଏକାଦଶୀ ବ୍ରତ ପାଳନ କରେନାହିଁ । ପନ୍ଦର ଦିନାରେ ଦିନେ ପାକସ୍ଥଳୀକୁ ବିଶ୍ରାମ ଦେବାକୁ ହିଁ ମୁଁ ପ୍ରଧାନତଃ ଏହି ଉପବାସ କରିଥାଏ । ଏହାଦ୍ଵାରା ଦେହ ସୁସ୍ଥ ରହେ । ଦେହ ସୁସ୍ଥ ରହିଲେ ମନର ସ୍ୱାସ୍ଥ୍ୟ ଲାଗି ମଧ୍ୟ ଏକ ବଡ଼ ଆଶ୍ରା ମିଳିଯାଏ । ସୁସ୍ଥ ଓ ସହଜ ଦେହ ମନକୁ ବି ଅଧିକ ସୁସ୍ଥ ଓ ସହଜ କରିବାରେ ଭାରି ସାହାଯ୍ୟ କରେ । ସୁସ୍ଥ ମନ ମଣିଷ ଧର୍ମ ପଥରେ ଦୃଢ଼ କରେ, ତାକୁ ସହଜ ହେବାକୁ ବଳ ଦିଏ ।

 

୨୧ । ୬ । ୬୦

 

ଦାରିଦ୍ର୍ୟ, ଦାରିଦ୍ର୍ୟ, ଦାରିଦ୍ର୍ୟ ! ଏହି ସଂସାରରେ ମୁଁ ବଡ଼ ଦରିଦ୍ର, ଏହି ଦରିଦ୍ର ହେବାଟା ହିଁ ମୋତେ ସମସ୍ତପ୍ରକାର ବାଟ ଚାଲିବାରୁ ଅଟକାଇ ରଖିଚି, ଏହି ଦରିଦ୍ରଟା ହିଁ ମୋର ସବୁ ବିକାଶେଚ୍ଛାକୁ ମାରି ଦେଇଚି,–ଏହିପରି ଗୋଟିଏ–ପେଖନା ଧରି ଆମେ ସମସ୍ତେ ଅଳସୁଆ ହୋଇ ବସି ରହିଚୁ । ଆପଣାର ସ୍ଵାର୍ଥ ବ୍ୟତୀତ, ଆପଣା ଭୌତିକ ଜୀବନର ସଫଳତା ବ୍ୟତୀତ ଆମ ଆଖିରେ ଯେପରି ଆଉ କୌଣସି କଥା କହି ପରିବାର ଓ କୌଣସି କାମ କରି ଦେଖାଇ ପାରିବାର କୌଣସି ସ୍ପୃହା ହିଁ ନାହିଁ । ମୋତେ ଏବେ ଯେଉଁ ଚାକିରି ମିଳିଚି, ତାହାଠାରୁ ଆହୁରି ଭଲ ଚାକିରି ମିଳିବ; ମୋର ଦେହ ଲାଗି ଯେତିକି ପୋଷାକ ରହିଚି, ତାହାଠାରୁ ଅଧିକ ପୋଷାକ ରହିବା; ବର୍ତ୍ତମାନ ମୋର ଦରମା ଯେତିକି ଅଛି, ମୋତେ ତାହାଠାରୁ ଅଧିକ ଦରମା ମିଳିବ; ପାଞ୍ଚଜଣଙ୍କଠାରୁ ମୋତେ ବର୍ତ୍ତମାନ ଯେତିକି ଖାତିରି ମିଳୁଚି ତା’ ଠାରୁ ଆହୁରି ଅଧିକ ଖାତିରି ମିଳିବ;–ଏହିପରି ଚିନ୍ତାମାନ କରିକରି ଆମେ ଏଦେଶରେ ସମସ୍ତେ ଦରିଦ୍ର ହୋଇ ବସିଚୁ । ଯିଏ ମାସକୁ ଚାଳିଶଟଙ୍କା ପାଉଚି, ସିଏ ଯେମିତି ଚିନ୍ତିତ ହେଉଚି, ଦିନକୁ ଚାଳିଶଟଙ୍କା ହାରାରେ ବେତନ ପାଉଥିବା ବଡ଼ବାବୁ ମଧ୍ୟ ଠିକ୍ ସେହିପରି ଚିନ୍ତିତ ହୋଇ ରହିଚି । କିଏ କାଲିର ଭାତଲାଗି ଚିନ୍ତା କରୁଚି ତ ଆଉକିଏ ଭଲ ମଟରଗାଡ଼ି ଖଣ୍ଡେ ପାଇବ ବୋଲି ଚିନ୍ତା କରୁଚି । କିଏ ଜମି ବିକି, ଗହଣା ବନ୍ଧା ପକାଇ ଝିଅ ବାହାଘର କରିବା ବୋଲି ଚିନ୍ତା କରୁଚି ତ ଆଉକିଆ ସୁନାଗହଣା ଓ ପ୍ଲାଷ୍ଟିକ ଶାଢ଼ୀଲାଗି ଚିନ୍ତା କରୁଚି । ଜୀବନରେ ଆଉକିଛି ହେବାପୂର୍ବରୁ ଆଗ ପେଟଟା ନିଶ୍ଚୟ ଭରିବା ଦରକାର, ଆର୍ଥିକ ଆବଶ୍ୟକତା ଗୁଡ଼ାକ ଆଗ ପୂର୍ଣ୍ଣ ହେବା ଦରକାର । କିନ୍ତୁ କେବଳ ଆର୍ଥିକ ସ୍ତରଟାକୁ ଛାଡ଼ି ଦେଲେ ଆମ ଜୀବନଭୂମିରେ ସତେଯେପରି ଆଉ କୌଣସି ସ୍ତର ହିଁ ନାହିଁ, କେବଳ ଆର୍ଥିକ ଭୋକଟାକୁ ଛାଡ଼ିଦେଲେ ଯେପରି ଆଉ କୌଣସି ଭୋକ ନାହିଁ, ଏଦେଶରେ ଠିକ୍ ସେହିପରି ମନେହେଉଚି !

 

୨୨ । ୭ । ୬୦

 

ଭଲ ହେଉ କି ମନ୍ଦ ହେଉ, ମୋର ଦାରିଦ୍ର୍ୟଚିନ୍ତା ମୋତେ ଏପର୍ଯ୍ୟନ୍ତ କେବେହେଲେ ବିଚଳିତ କରି ପକାଇନାହିଁ । ମୋ’ଠାରୁ ଯିଏ ଅଧିକ ରୋଜଗାର କରୁଚି, ଅଧିକ ଆଡ଼ମ୍ବର ଦେଖାଇ ପାରୁଚି ଓ ଅଧିକତର ସାମଗ୍ରୀ ଭିତରେ ଜୀବନ ଜାପାନ କରୁଚି, ମୁଁ ତାକୁ କୌଣସିଦିନ ଈର୍ଷା କରିନାହିଁ, ଆପଣାକୁ ତା’ ପାଖରେ କୌଣସିଦିନ ହୀନ କରି ଦେଇନାହିଁ । ମଣିଷକୁ ତା’ର ଆପଣାର ଜୀବନ ସହିତ ଯାହା ଅଧିକ ସାର୍ଥକ ଭାବେ ସଂଯୁକ୍ତ କରାଏ, ତାକୁ ସଂସାରସହିତ ଯାହା ଅଧିକ ଅନ୍ତରଙ୍ଗ ଭାବରେ ସମ୍ମଳିତ କରାଏ, ମଣିଷ ଭିତରେ ନାନା ସ୍ନେହସୂତ୍ର ବାନ୍ଧିଦେଇ ଯାହା ତାକୁ ଜୀବନ ବଞ୍ଚିବାଲାଗି ଯଥାର୍ଥ ଆଶ୍ଵାସନା ଦେଇଥାଏ, ତାହା ଧନ ନୁହେଁ ତାହା ଫେଶନ ବା ଆଡ଼ମ୍ବର କିଛି ନୁହେଁ; ତାହାଭଲ ଘର ନୁହେଁ କିମ୍ବା ବାହ୍ୟ ଖାତିରିର ଭ୍ରମ ନୁହେଁ । ମୋ’ ଭିତରେ ମଣିଷପଣିଆ ଯେତିକି ରହିବ, ମୁଁ ସେତିକି ଆତ୍ମାବିଶ୍ଵାସର ସହିତ ସଂସାରର କିଛି କାମରେ ଲାଗି ପାରିବାକୁ ପ୍ରସ୍ତୁତ ହୋଇପାରିବି । ସଂସାରସହିତ ମୁଁ ସେତିକି ଆତ୍ମୀୟତା ଅନୁଭବ କରି ପାରିବି । ଜୀବନରେ ମୁଁ ସେତିକି ତୃପ୍ତି ପାଇ ପାରିବି, ସେତିକି ଆନନ୍ଦ ପାଇ ପାରିବି, ଏକାକୀ ହୋଇ ରହିବାର ସନ୍ତାପରୁ ମୁଁ ସେତିକି ରକ୍ଷା ପାଇପାରିବି । ଏକଥା ମୁଁ ଭଲକରି ଜାଣିଚି । ତେଣୁ ଆଉ କାହାପରି ଦେଖାଯିବା ବା ଆଉ କାହାକୁ ତା’ର ଆସନରୁ ଉଠାଇନେବା ଆପେ ଯାଇ ସେଠାରେ ବସିଯିବାକୁ ମୁଁ କେବେହେଲେ ମୋର ବାଟ ବୋଲି ଗ୍ରହଣ କରିନାହିଁ । ତେଣୁ ଆପଣାକୁ ମୁଁ କଦାପି ଦରିଦ୍ର ବୋଲି ଜାଣିନାହିଁ । ସୁନ୍ଦରକୁ ସୁନ୍ଦର ବୋଲି କହିବାର ହୃଦୟ ମୋତେ ଭଗବାନ ଦେଇଚନ୍ତି । ଆପଣାକୁ ସୁନ୍ଦର କରି ଗଢ଼ିବାର ସ୍ପୃହା ଦେଇଚନ୍ତି । ତେଣୁ ମୁଁ ଦରିଦ୍ର ହୋଇ କାହିଁକି ବସିଥିବି ?

 

୨୩ । ୭ । ୬୦

 

କାଲି ଆମେରିକାର କୌଣସି ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ଆଠ ଦଶ ଜଣ ପିଲାଙ୍କର ଏକାଠି ଆସିବାର ଥିଲା । ସେମାନେ ହୁଏତ ଆଗ୍ରହ ପ୍ରକାଶ କରିଥିବେ ଯେ ସେମାନେ ଏଠାରେ ଆସି ପହଞ୍ଚିବା ପରେ ଶ୍ରମଦାନର କୌଣସି କାର୍ଯ୍ୟକ୍ରମ ରହିଲେ ଭାରି ଭଲ ହୁଅନ୍ତା । ସେମାନେ ତଦ୍ଦ୍ୱାରା ଆମ ପିଲାଙ୍କର ନିକଟତର ସମ୍ପର୍କରେ ଆସି ପାରନ୍ତେ ଓ ଆମ ଅନୁଷ୍ଠାନର କୌଣସି ନିର୍ମାଣ ଯୋଜନାରେ ସାହାଯ୍ୟ ବି କରିପାରନ୍ତେ । ଏହି ବିଷୟଟିର ଚର୍ଚ୍ଚା କରିବା ଲାଗି ଆମର ସଭା ବସିଲା । ବାବୁମାନେ କହିଲେ ଯେ ଭାରି ଭଲ ହେବ, କାଲି ଏହି ଉପଲକ୍ଷରେ ଆମ ଅନୁଷ୍ଠାନରେ ଶ୍ରମଦାନର ଆନୁଷ୍ଠାନିକ ସମାରମ୍ଭ ହେବ । ପୂର୍ଣ୍ଣ ସନ୍ତର୍ପଣରେ ଶ୍ରମଦାନରେ ଫଟୋ ଉଠାଯିବ, ଯେପରି କି ପରେ ସତକୁ ସତ କୌଣସି ଶ୍ରମଦାନ କରିବାକୁ ଗଲାବେଳେ ଆମେ ଏହିସବୁ ଫଟୋରୁ ପ୍ରେରଣା ପାଇପାରିବା । ସବୁଠାରୁ ମଜାକଥା ହେଉଛି, ଆମେରିକାର ସେହି ଛାତ୍ରମାନେ ଦିନ ସାଢ଼େ ଦଶଟା ବେଳେ ଆମର ଏଠାକୁ ଆସୁଥିଲେ । ତେଣୁ ସାଢ଼େ ଦଶଟା ଠାରୁ ବାରଟା ପର୍ଯ୍ୟନ୍ତ ଶ୍ରମଦାନର କାର୍ଯ୍ୟକ୍ରମ ରଖାଗଲା, ଶିକ୍ଷିତ ମଥା ଖରଚ ହୋଇ ଯୋଜନାମାନ ତିଆରି କରାଗଲା । କିନ୍ତୁ ଦିନ ସାଢ଼େ ଦଶଟା ବେଳେ ଯେଉଁ ମୁଣ୍ଡଫଟା ଖରା, ସେଥିରେ ଦୁଇଘଣ୍ଟା ତ ଦୂରର କଥା, ଅଧଘଣ୍ଟାଏ ବି ଠିଆହୋଇ ମାଟିକାମ କରିବା ଯେ ଏକ ଅସମ୍ଭବ ଓ ହାସ୍ୟାସ୍ପଦ ବ୍ୟାପାର ହୋଇପଡ଼ିବ, ଏକଥା ବୁଝି ମଧ୍ୟ କର୍ତ୍ତାମାନେ ତଥାପି ନ ବୁଝିଲା ପରି ହେଉଥିଲେ । ଏହି ଆୟୋଜିତ ଶ୍ରମଦାନ ଯେ ଗୋଟାଏ ନିର୍ଧମ ଅଭିନୟ, ପିଲାମାନେ ଏକଥାଟାକୁ ବେଶ୍ ଅନାୟାସରେ ବୁଝି ପାରିବେ । ମୁଁ ଭାବୁଥାଏ, ଆମେ ଆମର ଅତିଥିମାନଙ୍କୁ ନମ୍ର ଭାବରେ ଏତିକି କହିଦେଲେ କ’ଣ ହୁଅନ୍ତା ନାହିଁ ଯେ ବାବୁ, ଖରାବେଳକୁ ଶ୍ରମଦାନର ବେଳ ନୁହେଁ, ଶ୍ରମଦାନର ଇଚ୍ଛା ଥିଲେ ତୁମେ ସକାଳ ପାଞ୍ଚଟାକୁ ଆସ । କିନ୍ତୁ ସେପରି କହିବାକୁ ସମସ୍ତେ ଅଭଦ୍ର ଜନୋଚିତ ମଣୁଥିଲେ । ଅବଶ୍ୟ ଶେଷକୁ ସେମାନେ କୌଣସି କାରଣରୁ ନ ଆଣିବାରୁ ଆମର ଏହି ଅଭିନୟଟା ବି ଆଉ କରିବାକୁ ପଡ଼ିଲା ନାହିଁ ।

 

୨୬ । ୭ । ୬୦

 

ଜୀବନରେ ଯେତେବଡ଼ ଦୁଃଖ ଆସି ପଡ଼ୁ ପଛକେ, ମୁଁ ତଥାପି ଭାଗ୍ୟର ନିନ୍ଦା କରିବି ନାହିଁ । ଭଗବାନଙ୍କର ନିନ୍ଦା କରିବି ନାହିଁ । ଭାଗ୍ୟର ନିନ୍ଦାକୁ ହିଁ ମୁଁ ଭଗବାନଙ୍କର ନିନ୍ଦା ବୋଲି ଗ୍ରହଣ କରେ, କାରଣ ଭାଗ୍ୟ ଓ ଭଗବାନଙ୍କ ଭିତରେ ମୁଁ କୌଣସି ପାର୍ଥକ୍ୟ ଦେଖି ପାରେନାହିଁ । ଭଗବାନଙ୍କ ପାଖରେ ମୋର ସମର୍ପିତ ଜୀବନର ପଥଯାତ୍ରା ହିଁ ମୋର ଭାଗ୍ୟ । ମୋର କିଛି ଖରାପ ହେଉ, ଏପରି କୌଣସି ଆଗ୍ରହ କେଉଁଠି କେଉଁ ଭଗବାନଙ୍କର ରହିଛି ବୋଲି ମୁଁ ଆଦୌ ବିଶ୍ଵାସ କରେ ନାହିଁ । ତେଣୁ ମୋର କୌଣସି କଷ୍ଟ ବା ଦୁଃଖ ଆସି ପହଞ୍ଚିଲେ, ମୋ’ ଜୀବନରେ ଏପରି ବିଶ୍ଵାସ ଲାଗି କୌଣସି ସ୍ଥାନ ନାହିଁ । ଜୀବନର ଯାବତୀୟ ଦୁର୍ଯୋଗରେ ଭଗବାନଙ୍କର ହାତ ବାଜିପାରିଲେ ତାହା ଆଉ ଦୁର୍ଯୋଗ ପରି ମନେ ହୁଏନାହିଁ । ଓଲଟି ସେହି ଦୁର୍ଯୋଗ ଭିତରେ ପଶି ପୁଣି ବାହାରକୁ ବାହାରିବା ବେଳକୁ ନିଆଁ ଭିତରୁ ସତେଅବା କେବଳ ସୁନାଖଣ୍ଡେ ପରି ବାହାରିବା ପରି ଲାଗେ । ଏହି ପରୀକ୍ଷା ଦେବାକୁ ହେଲେ ବିଶ୍ଵାସ ଦରକାର । ସଂସାରରେ ମୋ’ ଅପେକ୍ଷା ଆହୁରି ଅନେକ ଲୋକ ଯେ ଅଧିକ ଦୁଃସହ ଦୁଃଖ ସହୁଛନ୍ତି, ଏପରି ଭାବି ପାରିବାଲାଗି ଏକ ସାହାସ ରହିଥିବା ଦରକାର ।

 

୨୭ । ୭ । ୬୦

 

ଏମାସରେ ଅଧେ ପିଲା ଦରମା ଦେଇ ପାରିନାହାନ୍ତି ବୋଲି କାଲି ସେମାନଙ୍କର ନାମ କଟିଯାଇଛି । କର୍ତ୍ତା ନୋଟିସ୍ ଦେଇ ଜଣାଇ ଦେଇଛନ୍ତି ଯେ ଏହି ପିଲାମାନଙ୍କୁ କ୍ଳାସ୍ ଭିତରେ ପଶିବାକୁ ଅନୁମତି ଦିଆଯାଇ ପାରିବନାହିଁ । ଅଧ୍ୟାପକମାନଙ୍କ ପାଖକୁ ମଧ୍ୟ ଏହି ନୋଟିସ୍‌ର ନକଲ ପଠାଇ ଦିଆଯାଇଛି । ନିୟମ ଦୃଷ୍ଟିରୁ ଦେଖିଲେ ସବୁ ଠିକ୍ ଅଛି, କିନ୍ତୁ ଶିକ୍ଷାଦୃଷ୍ଟିରୁ ଦେଖିଲେ ଏହା ଦ୍ଵାରା ଶିକ୍ଷକ ଓ ଶିକ୍ଷାର୍ଥୀ ଉଭୟଙ୍କର ହାନି ହେଉଚି । ଶିକ୍ଷା ଦେବା ବା ଶିଖିବାର ବାତାବରଣ ତିଆରି କରିବା ଯଦି କର୍ତ୍ତାମାନଙ୍କର ମଧ୍ୟ ମତଲବ ହୋଇଥାଏ, ତେବେ ମୁଁ କହିବି, ଏହାଦ୍ଵାରା କର୍ତ୍ତାମାନଙ୍କର ମଧ୍ୟ ହାନି ହେଉଛି । ଯାହାର ଦୋଷ ହେଉ ପଛକେ, ଶିକ୍ଷାଳୟରେ ଯେଭଳି ଉତ୍ତେଜନାର ଆଦୌ ସୃଷ୍ଟି ନହେବା କଥା, ଏହାଦ୍ୱାରା ସେହିଭଳି ଉତ୍ତେଜନାମାନ ସୃଷ୍ଟି ହେଉଛି ଏବଂ ଶିକ୍ଷାଗତ ସମ୍ବନ୍ଧମାନ ତୁଟି ତୁଟି ଯାଉଛି । କେବଳ କାନୁନ୍ ଜାରି କରିଦେଇ ଅଫିସ୍ ଭିତରେ ଦେବତାପରି ବସି ରହିବା କାରଖାନାର ମାଲିକ ପକ୍ଷରେ ଶୋଭାପାଏ, କିନ୍ତୁ ଶିକ୍ଷାଳୟର କର୍ତ୍ତାକୁ ଶୋଭା ପାଏନାହିଁ । ଅବଶ୍ୟ ଯଦି ସେ ଶିକ୍ଷାର ବିକାଶ ନ ଚାହି କ୍ଷମତା ଓ କର୍ତ୍ତୃତ୍ଵର ବୃଦ୍ଧି ହିଁ ଚାହୁଥିବ, ତେବେ ତାହା ଭିନ୍ନ କଥା । କାଲି ମୁଁ ଏହିସବୁ ନିୟମକୁ ପାଳନ କରିବା ବିଷୟରେ ମୋର ଦୁର୍ବଳତା କଥା ଚିନ୍ତା କରୁଥିଲି । ମୁଁ ସବୁଠାରେ ସବୁ ନିୟମକୁ ମାନି ପାରେନାହିଁ, ସବୁଠାରେ ଆପଣାକୁ ଗୋଟିଏ ମେସିନ୍ ପରି କାମରେ ଲଗାଇଦେଇ ପାରେନାହିଁ । ଉଦାହରଣ ସ୍ୱରୂପ ମୋର କ୍ଳାସ୍‌କୁ ଯଦି କୌଣସି ପିଲା ଆସେ, ତେବେ ତା’ର ନାମ କାଟି ଯାଇଥାଉ ବା ନ ଥାଉ ପଛକେ, ମୁଁ ତାକୁ କ୍ଳାସ୍‌ରୁ ବାହାରି ଚାଲିଯିବା ଲାଗି କଦାପି କହି ପାରିବିନାହିଁ । ଏପରି କରି ମୁଁ କର୍ତ୍ତାଙ୍କର ଶାସନବିଧାନ ଅନୁସାରେ ଅବଶ୍ୟ ଅନ୍ୟାୟ କରିବି, ତଥାପି କଦାପି କହି ପାରିବିନାହିଁ-। ମୋର ଏହି ଦୁର୍ବଳତା ବୋଧହୁଏ ମୋତେ ସଂସାରରେ ଆଉକିଛି ନକରାଇ ଶିକ୍ଷକ ହିଁ କରାଇଛି-। ସକଳପ୍ରକାର ହୃଦୟହୀନ କର୍ତ୍ତୃତ୍ଵକୁ ମୁଁ ଭାରି ଭୟ କରେ,–ସେହି କର୍ତ୍ତୃତ୍ଵ ମୋର ନିଜଭିତରେ ଥାଉ ବା ଆଉ ଯାହାଭିତରେ ଥାଉ । ଏହାଦ୍ୱାରା କର୍ତ୍ତୃପକ୍ଷ ମୋ’ ଉପରେ ହୁଏତ ଅପ୍ରସନ୍ନ ହେବେ, କିନ୍ତୁ କ୍ଳାସକୁ ଆସିଥିବା ପିଲାଙ୍କୁ ମୁଁ କଦାପି ବାହାର କରିଦେଇ ପାରିବିନାହିଁ । କ୍ଳାସ୍ ଭିତରକୁ ଆସିବାଲାଗି ଦରମାର ଟିକେଟ ଅପେକ୍ଷା ଆଗ୍ରହର ଟିକେଟକୁ ମୁଁ ସବୁବେଳେ ଅଧିକ ମୂଲ୍ୟ ଦେବି-

 

୨୮ । ୭ । ୬୦

 

ଯିଏ କେବଳ ନିୟମକୁ ମାନିବ, ଶିକ୍ଷକ ହେବାକୁ ତା’ର କଦାପି ମନ ବଳାଇବା ଉଚିତ ନୁହେଁ । କଏଦୀଖାନାରେ ଓ ପୋଲିସ୍ ବିଭାଗରେ ଏବେ ଶିକ୍ଷାଶାସ୍ତ୍ରର ଏକାଧିକ ମୂଳନୀତିର ପ୍ରୟୋଗ କରାଯାଉଥିବା ସମୟରେ ଶିକ୍ଷା ବିଭାଗରେ କଏଦୀଖାନା ଓ ପୋଲିସ୍ ବିଭାଗର ରୀତିକୁ ପ୍ରବେଶ କରାଇବାରେ ପୁଣି କି ଆନନ୍ଦ ରହିଚି ? ଯାନ୍ତ୍ରିକ ହେଉ ବା ତାନ୍ତ୍ରିକ ହେଉ, କେବଳ କେତେଟା ନିୟମର ଅନୁସରଣ କରିବାକୁ ଯଦି ବିଜ୍ଞାନ ବୋଲି କୁହାଯାଏ, ତେବେ ମୁଁ ଶିକ୍ଷାକୁ ଏକ ବିଜ୍ଞାନ ବୋଲି କହିବାକୁ ମଧ୍ୟ ପ୍ରସ୍ତୁତ ନୁହେଁ । ଏଭଳି ବିଜ୍ଞାନ ସାହାଯ୍ୟରେ ହୁଏତ ପାଣିକୁ ବରଫରେ ପରିଣତ କରିହୁଏ ବା ପଥରକୁ ଧୂଳିରେ ପରିଣତ କରିହୁଏ, କିନ୍ତୁ ମଣିଷକୁ ଗଢ଼ି ହୁଏନାହିଁ । ମଣିଷର ମନ ପାଣି ବା ପଥରଠାରୁ ଅନେକ ପରିମାଣରେ ଅଧିକ ଗ୍ରହଣଶୀଳ । ତେଣୁ ସେଠାରେ ନିୟମ ଜାରି କରିବସିଲେ ତାହା ଲଜ୍ଜାବତୀ ଲତାପରି ଝାଉଁଳି ପଡ଼େ, ପଛକୁ ଅପସରି ଯାଏ, ନାନା ସଙ୍କୋଚ ଓ ଭୟରେ ଆପଣାକୁ ଲୁଚାଇରଖେ, ମଣିଷ ମରିଯାଏ । ଶିକ୍ଷାକୁ ବିଜ୍ଞାନ ବୋଲି କହିବାର ଢମ ଦେଖାଇ ଆଜି ଆମେ ଯେଉଁମାନେ କେବଳ ଆଇନଗୁଡ଼ାକୁ ହିଁ ଜାରି କରିବାରେ ଲାଗିଛୁ, କେବଳ କର୍ତ୍ତୃତ୍ଵ ଓ ଦଣ୍ଡର ଧମକ ଦେଖାଇ ଶୃଙ୍ଖଳା ରକ୍ଷା କରିବାର ଚେଷ୍ଟାରେ ଲାଗିଛୁ, ସେମାନଙ୍କର ନିଷ୍ଠା ଓ ଅଟଳତା ହୁଏତ ଆଉ କେଉଁସବୁ କ୍ଷେତ୍ରରେ କାମରେ ଲାଗିପାରେ, କିନ୍ତୁ ଶିକ୍ଷାକ୍ଷେତ୍ରରେ କୌଣସି କାର୍ଯ୍ୟ ସାଧନ କରି ପାରିବନାହିଁ । ଶିକ୍ଷାନାମରେ ଇଟା ଓ ପଥରର ଘର ଗଢ଼ାହେବ ସିନା, ମଣିଷ ଗଢ଼ା ହୋଇ ପାରିବନାହିଁ ।

 

୨୯ । ୭ । ୬୦

 

ଏହି କେତେଦିନର ଗରମ ଦେହ ଓ ମନ ଉଭୟକୁ ଗରମ କରି ରଖିଛି । ଶ୍ରାବଣ ଶୁକ୍ଳପକ୍ଷରେ ଏତେଦିନ ଧରି ଯେ ଏତେ ଭୀଷଣ ଖରା ହୋଇପାରେ, ଆଗରୁ ଏବିଷୟରେ ମୋର କୌଣସି ଅଭିଜ୍ଞତା ନଥିଲା । ସକାଳର କେତୋଟି ଘଣ୍ଟାକୁ ଛାଡ଼ିଦେଲେ ଆଉ ସବୁବେଳେ ଶରୀରଟା ସତେଅବା ବଡ଼ ପୀଡ଼ିତ ଥିବାପରି ମନେହେଉଛି, ଶରୀରଟାକୁ ଆଳସ୍ୟର ଗୋଟିଏ ମାଦଳ ପର୍ବତ ପରି ମନେହେଉଚି । କେତେବେଳେ ବହି ବା କଲମ ଧରି ବସିଲେ ହଠାତ୍ ନିଦ ଶତ୍ରୁ କୁଆଡ଼ୁ ମାଡ଼ିଆସି ମୋର ସବୁ କାର୍ଯ୍ୟକ୍ରମକୁ ସତ୍ୟାନାଶ କରିଦେଇ ଯାଉଚି । ଦେହଟା ସନ୍ତପ୍ତ ହେବା ଫଳରେ ମନଟା ମଧ୍ୟ ତଦ୍ରୁପ ସନ୍ତପ୍ତ ହୋଇ ରହିଚି । କୌଣସି କାମ କରିବାରେ ଖୁସୀ ନାହିଁ, ଭିତରେ ବସିବାରେ ଖୁସୀ ନାହିଁ କି ବାହାରକୁ ବାହାରିବାରେ ମଧ୍ୟ ଖୁସୀ ନାହିଁ । ସବୁ କଥାରେ ଖାଲି ବାଧ୍ୟ ହେଲା ପରି । ବର୍ତ୍ତମାନ କୌଣସି କାମକୁ ଧୈର୍ଯ୍ୟ ପାଉନାହିଁ । କେବଳ ଆପଣା ଉପରେ ବିରକ୍ତ ହେବା ହିଁ ସାର ହେଉଚି । ଏଇ ଖରା ଠାରୁ ଶୀତଦିନ ଯଥେଷ୍ଟ ଭଲ । ଶୀତଦିନେ ଅଳସୁଆ ଲାଗେ ବୋଲି ଅନେକ କହନ୍ତି । କିନ୍ତୁ ମୁଁ ଓଲଟା ଭାବେ । କାରଣ ଏ ବିଷୟରେ ମୋର ସଂପୂର୍ଣ୍ଣ ଓଲଟା ଅଭିଜ୍ଞତା ରହିଛି । ରାତି ଥାଇ ବିଛଣା ଛାଡ଼ିବ, ପୂର୍ଣ୍ଣ ଅନ୍ଧାରର ଦରିଆ ଫଟାଇ ଉଦିତ ହୋଇ ଆସୁଥିବା ପୂର୍ଣ୍ଣ ସୂର୍ଯ୍ୟର ଦର୍ଶନ ହେବ । ହୃଦୟର ଉଷ୍ଣତାରେ ବାହାରର ଥଣ୍ଡା ଆଦୌ ମାଲୁମ ହେଉନଥିବ । ସବୁକାମରେ ଚଞ୍ଚଳ ହୋଇ ଲାଗି ପଡ଼ିବାଲାଗି ମନଭିତରୁ ଗୋଟାଏ ପ୍ରକାରର ସ୍ଫୁର୍ତ୍ତି ବଳେବଳେ ବାହାରି ଆସୁଥିବ । ଶରୀର କେବେହେଲେ କ୍ଳାନ୍ତ ହେବନାହିଁ, ତେଣୁ ମନ ମଧ୍ୟ କଦାପି କ୍ଳାନ୍ତ ହେବନାହିଁ । ଆଖି ବଥାଇବ ନାହିଁ, ମୁଣ୍ଡ ମଧ୍ୟ ବଥାଇବ ନାହିଁ । ମନ ଭିତରକୁ ନୂଆନୂଆ ଭାବନା ଆସିବ । ଚତୁର୍ଦ୍ଦିଗର ଶୀତଳ ଶାନ୍ତ ପୃଥିବୀ ଉପରେ ଦୃଷ୍ଟିପାତ କରିବା ମାତ୍ରକେ ଆଖି ଦୃଶ୍ୟ ଭିତରେ କେତେ ଅଦୃଶ୍ୟ ଦର୍ଶନ କରି ଚାଲିଥିବ । ବାହାରର ସବୁ ଦେଖା ଓ ସବୁ ଶୁଣିବାରେ ଭିତର ମଧ୍ୟ ସଙ୍ଗେ ସଙ୍ଗେ ସମର୍ଥନ ଜଣାଉଥିବ, ଭିତରେ ଗୋଟିଗୋଟି ହୋଇ ପାଖୁଡ଼ା ଖୋଲି ଯାଉଥିବ । ଏହି ଦୁଃସହ ଖରାପାଗରେ ଶୀତଦିନଟା ଭାରି ମନେପଡ଼ୁଛି । ଅଳସୁଆ ମନଟା ବ୍ୟସ୍ତ ହୋଇ ପଡ଼ିବାବେଳେ ଶୀତଦିନର କାଠି ପରଶରେ ପୁଣି ଜାଗୃତ ହୋଇ ଉଠିବାକୁ ଇଚ୍ଛା କରୁଛି ।

 

୩୦ । ୭ । ୬୦

 

ଏଠାରେ ଏଡ଼େ ଛୋଟିଆ ଗୋଷ୍ଠୀଟିଏ,–ପିଲା ଆଉ ମାଷ୍ଟର ହୋଇ ସାତଶହ ଆଠଶହ ହେବେ । ତଥାପି ଏହି ଛୋଟିଆ ଗୋଷ୍ଠୀଟିକୁ ସଜାଡ଼ିବା ଆମପକ୍ଷରେ କେତେ କଷ୍ଟକର ହୋଇପଡ଼ୁଛି, ଏହି ଛୋଟିଆ ଗୋଷ୍ଠୀଭିତରେ ରହି ଆପଣାର କାର୍ଯ୍ୟ କରିବା ଆମପକ୍ଷରେ କେଡ଼େ କଷ୍ଟକର ହୋଇପଡ଼ୁଚି ! କେତେବେଳେ ଏକାଠି ହେଲେ ମନେହେଉଚି ସତେଯେପରି ଆମେ ସମସ୍ତେ ଭାରି prestige conscious,–ଏକାଠି ମିଶିଲେ ହିଁ ଆମର ମୁଣ୍ଡ ଲଢ଼େଇ ଆରମ୍ଭ ହୋଇ ଯାଉଚି । ଏକାଠି ମିଶି କୌଣସି କାର୍ଯ୍ୟ କରିବା ଆଉ ସମ୍ଭବ ହେଉ ନାହିଁ । ମୋର ବାବୁଗିରି ଦେଖାଇବାକୁ ମୁଁ ପ୍ରତ୍ୟେକ ସଭା ବା ପ୍ରତ୍ୟେକ ଗୋଷ୍ଠୀକୁ ଯେପରି କେବଳ ଏକ ସାଧନ ପରି ମନେକରୁଚି ! ମୋ’ପାଖରେ ବଡ଼ ଡିଗ୍ରୀ ଅଛି, ମୋର ଦରମା ଅନ୍ୟମାନଙ୍କ ଠାରୁ ଅନେକ ବେଶୀ । ତେଣୁ ମୁଁ ଯେଉଁଠାରେ ବସୁଚି, ସେଠି ଅନ୍ୟମାନଙ୍କ ସହିତ ଏକାଠି ହେବାର କୌଣସି ଚେଷ୍ଟା ନକରି ମୁଁ ଆଗ ଯାଇ ସବୁ ମାଡ଼ି ବସିବାକୁ ଚାହୁଚି । ସବୁ ଭୋଗରେ ଆଗ ଭାଗ ବସାଇବାକୁ ଚାହୁଛି । ତେଣୁ ଗୋଷ୍ଠୀଭିତରେ ମୋର ଅହମିକା ଓ ମୋର ବିଚ୍ଛିନ୍ନ ଓ ସମ୍ମାନିତ ହୋଇ ରହିବାର ଲାଳସାଟା ହିଁ ଚରିତାର୍ଥ ହେବାରେ ଲାଗିଛି । ଗୋଷ୍ଠୀର ପ୍ରାଣ ମରିଯାଉଚି, ଖାଲି ଉପର ଖୋଳପାଟା ହିଁ ପଡ଼ିରହୁଚି । ଯେପର୍ଯ୍ୟନ୍ତ ମୋର ଅନ୍ୟମାନଙ୍କ ସହିତ ଏକାଠି ମିଶି ଶିଖିବାର ପ୍ରବୃତ୍ତି ନାହିଁ ସେ ପର୍ଯ୍ୟନ୍ତ ମୋ’ ଦ୍ଵାରା କ’ଣ ହୋଇପାରିବ ?

 

୩୧ । ୭ । ୬୦

 

ଡେନମାର୍କରୁ ବିଦାୟ ନେଇ ଆସିବା ଆଜିକୁ ଠିକ୍ ସାତବର୍ଷ ହୋଇଗଲା, ତଥାପି ମୋର ଜୀବନ-ମାନଚିତ୍ର ଉପରେ ସେଇ ଛୋଟିଆ ଦେଶଟି ଏକ ବୃହତ୍ ସ୍ନେହପୂର୍ଣ୍ଣ ସ୍ଥାନ ଅଧିକାର କରି ବସିଚି । ପୃଥିବୀର ଭୂଗୋଳରେ ଡେନମାର୍କର ସ୍ଥାନ ଯେଡ଼େ ଛୋଟ ହୋଇଥିଲେ ମଧ୍ୟ ମୋ’ ଜୀବନର ଭୂଗୋଳରେ ଏହାର ଏକ ଅତି ମହତ୍ତ୍ଵପୂର୍ଣ୍ଣ ସ୍ଥାନ ରହିଛି, ସବୁଦିନେ ରହିଥିବ । ଡେନମାର୍କରେ ବଡ଼ ପର୍ବତ ନାହିଁ, ବଡ଼ ନଦୀ ନାହିଁ, ବଡ଼ ହ୍ରଦ ନାହିଁ କି ବଡ଼ ଅରଣ୍ୟ ନାହିଁ । କିନ୍ତୁ ସେଠି ମଣିଷ ଆପଣାର ସାମାଜିକ ଓ ସାଂସ୍କୃତିକ ଜୀବନକୁ ଗୋଟିଏ ସୁନ୍ଦର ଉପବନ ପରି ସଜାଇ ରଖିଛି । ସେଠି ମଣିଷର ସ୍ନେହ ଅଛି, ବ୍ୟକ୍ତିଗତ ପରିବାରକୁ ସଂପ୍ରସାରିତ କରି ସେଠାରେ ସମଗ୍ର ଦେଶକୁ ପୃଥିବୀର ଅନ୍ୟାନ୍ୟ ଅନେକ ଦେଶଠାରୁ ଏପରି ବିଶିଷ୍ଟ କରି ରଖିଚି । ସେଠାରେ ମୋର ତିନିବର୍ଷ ଭିତରେ ମୁଁ ଆପଣାକୁ ସେହି ପରିବାରର ଜଣେ ବୋଲି ସ୍ଵୀକାର କରିନେଇଚି । ସେହି ସୁନ୍ଦର ଭାରତବର୍ଷକୁ ସଂପ୍ରସାରିତ କରି ମୁଁ ଯେପରି ଡେନମାର୍କ୍‌ର ଅଞ୍ଚଳସ୍ପର୍ଶ କରିପାରିଚି । ସେଠାରୁ ମହକ ଓ ମାଧୁରୀ ଆଣି ଯେପରି ମୋର ହୃଦୟ ଭିତରେ ଆପଣା ଦେଶର ଅଭ୍ୟର୍ଥନା କରିପାରିଚି । ଏବଂ ସେହି କାରଣରୁ ଆଜି ଯାଏ ସଂସାରରେ ମୋର କେହି ପର ବୋଲି ମନେ ହୋଇନାହାନ୍ତି, କୌଣସି ଦେଶ ବା କୌଣସି ଭାଷା ପର ବୋଲି ମନେ ହୋଇ ନାହିଁ । କୌଣସି ଦେଶର ସଂସ୍କୃତି, ସାହିତ୍ୟ ବା ଧର୍ମକୁ ମୁଁ କେବେହେଲେ କୌଣସି ଦ୍ଵେଷର ସହିତ ଦେଖିନାହିଁ । ଶାନ୍ତିନିକେତନ ମୋର ହୃଦୟଭୂମିରେ ଯେଉଁ ବୀଜ ବପନ କରିଥିଲା, ଡେନମାର୍କ୍‌ର ସ୍ନେହମୟୀ ମାଆ ସେହି ବୀଜରୁ ଅଙ୍କୁରୋଦଗମ କରାଇଚି । ସେହି ଅଙ୍କୁର ମୋ’ ଜୀବନର Weltanschauung ରୂପେ ଦିନକୁଦିନ ବିକଶିତ ହେବାରେ ଲାଗିଛି । ସେହି ଦୃଷ୍ଟିକୋଣ ମୋର ଜୀବନ ଦୃଷ୍ଟିରେ ପରିଣତ ହୋଇଚି । ଭାଷା, ଧର୍ମ, ଓ ସଂସ୍କୃତିରେ ଯେଉଁ ବିଭିନ୍ନତା ସଂସାରରେ ସର୍ବପ୍ରଧାନ ଆନନ୍ଦର କାରଣ ହୋଇଚି, ମୋତେ ଖୁସୀ ହୋଇ ସବୁ ସ୍ଥାନରେ ପ୍ରବେଶ କରିବାର ପ୍ରେରଣା ଦେଇଚି । ଡେନମାର୍କ୍‌ରେ ଥିଲାବେଳେ ମୁଁ ଯେତେଥାନରେ ଆଦର ପାଇଚି, ଯେତେଥାନରେ ପାଖରେ ଯାଇ ବସିପାରିଚି, ମୋ’ର ସ୍ମୃତି ଉପରେ ଆଜି ମୁଁ ସେ ସମସ୍ତଙ୍କୁ ଅନୁଭବ କରିପାରୁଚି । ମୋର ଭଣ୍ଡାରରେ ସେ ସବୁ ଉଲ୍ଲାସର ସାମଗ୍ରୀ ରୂପେ ସଞ୍ଚିତ ହୋଇ ରହିଚି, ଏହି ସଂସାରରେ ମୋତେ ଅକ୍ଷୟ କରି ରଖିଚି ।

 

୧ । ୮ । ୬୦

 

ଏଦେଶରେ ଅନ୍ୟାୟ କ୍ରମେ ଘନତର ହେଉଚି, ଅର୍ଥାତ୍ ପରିବର୍ତ୍ତନ କ୍ରମେ ନିକଟତର ହେଉଚି । ଦିନକୁଦିନ ମଣିଷକୁ ଏକ ଅତି ହେୟ ସାମଗ୍ରୀ ଭାବେ ବ୍ୟବହାର କରାଯାଉଚି, ଅର୍ଥାତ୍ ମଣିଷ ଆପଣାର ସମ୍ମାନକୁ ଉପଲବ୍‍ଧି କରି ତାହାରି ଲାଗି ସଂଗ୍ରାମ କରିବାକୁ ଠିଆହେବାର ଦିନ କ୍ରମେ ନିକଟତର ହୋଇ ଆସୁଚି । ଏହା ଅବଶ୍ୟମ୍ଭାବୀ । ମଣିଷକୁ ଦବାଇ ରଖିବାର ଦିନ କ୍ରମେ ସରି ଆସୁଚି । ଭଲପାଇଁ ହେଉ ବା ମନ୍ଦପାଇଁ ହେଉ, ଆଦର୍ଶ, ନୀତି ବା ଧର୍ମନାମରେ, ଏପରିକି ଭଗବାନଙ୍କ ନାମରେ ମଧ୍ୟ ଆଉ କେହି ମଣିଷକୁ ଦବାଇ ରଖି ପାରିବେ ନାହିଁ । କିନ୍ତୁ ବଡ଼ କଥା ହେଉଚି, ଏହି ନୂତନ ବିପ୍ଲବ ଲାଗି ନୂତନ ନେତୃତ୍ଵ ମଧ୍ୟ ଦରକାର । ଅଧିକ କ୍ଷମତା ଅଧିକ ପରାକ୍ରମ ଲାଭ କରିବାର ଲୋଭରେ କେତେ ଦେଶରେ କେତେ ନେତା ବାହାରିଛନ୍ତି, କିନ୍ତୁ ସେମାନଙ୍କର ଲୋଭ ହିଁ ସକଳ ବିପ୍ଲବର ସତ୍ୟାନାଶ କରିଛି । ପୁରୁଣା ଉତ୍ପୀଡ଼ନରୁ ଉଦ୍ଧାର କରି ଆଣିଥିବା ନେତା ବା ନେତୃତ୍ଵ ମଣିଷକୁ ବଡ଼ ଚତୁର ଭାବରେ ନୂଆ ଉତ୍ପୀଡ଼ନର ଦାସ କରି ରଖିଚି-। ସେହି ପୁରୁଣା ବିପ୍ଲବ ବା ପୁରୁଣା ନେତୃତ୍ଵ ଏଣିକି ମୋଟେ କାମ ଦେବନାହିଁ । କ୍ଷମତା ଲାଗି ଲାଳସୀ ହୋଇ ରହିଥିବା ମଣିଷ ଆମ ଯୁଗର ନେତା ହୋଇ ପାରିବନାହିଁ । ଯିଏ ସ୍ଵତନ୍ତ୍ର ହେବାକୁ, ଏପରିକି କ୍ଷମତାର ଦାସତ୍ଵରୁ ମଧ୍ୟ ସ୍ଵତନ୍ତ୍ର ରହିବାକୁ ଜୀବନର ପରମ ସମ୍ପଦ ଓ ସମ୍ମାନ ବୋଲି ବିଶ୍ଵାସ କରୁଥିବ, ଆପେ କାହାରି ଦାସ ହୋଇ ରହିବା ପରି କାହାରିକୁ ଆପଣାର ଦାସ ରଖିବାକୁ ମଧ୍ୟ ବିପଦ ବୋଲି ମଣୁଥିବ, ସେଇ ନୂଆଯୁଗର ନେତା ହେବ ।

 

୨ । ୮ । ୬୦

 

କାଲି ରାତିରେ ପ୍ରାୟ ଦଶଟା ବେଳେ ଛାତ୍ରାବାସରୁ ଘରକୁ ଫେରୁଚି, ଦେଖିଲି ରାସ୍ତାଉପରେ କିଏ ଜଣେ ମାଟି ଉପରେ ଶୋଇଚି । ଆକାଶରେ ମେଘ ଘୋରାଇ ରହିଥିବାରୁ ଭଲକରି କିଛି ଦେଖା ଯାଉନଥାଏ । ତଥାପି ସେଠି ଜଣେ ମଣିଷ ଶୋଇଚି ବୋଲି ମୋର ଭାରି ସନ୍ଦେହ ହେଲା ଏବଂ ବୁଲିପଡ଼ି ତା’ପାଖକୁ ଯିବାକୁ ଲାଗିଲି । ରାସ୍ତାରେ ଚାଲିଯାଉଥିବା ତିନିଜଣ ପିଲା ମଧ୍ୟ ମୋତେ ଦେଖି ସେହି ସ୍ଥାନକୁ ଆସିଲେ । ହଁ, ପ୍ରକୃତରେ ଜଣେ ମଣିଷ,–ଗାମୁଛା ପିନ୍ଧିଚି, ଦେହରେ ଧୋବ ଫରଫର ଗେଞ୍ଜି ଓ ମୁଣ୍ଡରେ କଳାମଚମଚ ବାଳ । ଜଣେ ପିଲା ହାତରେ ହଲାଇ ଡାକିବାକୁ ସେ ନିଦରୁ ଉଠି ବସିଲା, ଅବାକ ହେଲାପରି ଆମଆଡ଼କୁ ବଡ଼ ଉଦାସୀନ ଭାବରେ ଅନାଇବାକୁ ଲାଗିଲା । ବୟସ ଅତି ଅଳ୍ପ, ତେର କିମ୍ବା ଚଉଦରୁ ସେପାଖକୁ କଦାପି ଡେଇଁବନାହିଁ । ଏଠି ଗତ ଦୁଇଦିନ ହେଲା ଝଡ଼ିବରଷା ଲାଗିରହିଚି । ତେଣୁ ମାଟି ବି ଭଲକରି ଶୁଖିନାହିଁ । ଓଦାଭୂଇଁ ଉପରେ ପିଲାଟି ଅତି ନିର୍ବିକାରରେ ଶୋଇପଡ଼ିଚି । ଯେଉଁପରି ଅବସ୍ଥାରେ ସିଏ ସେଠାରେ ଆସି ଶୋଇଚି, ସେହି ଅବସ୍ଥାରେ ପଡ଼ିଲେ ମଣିଷର କୌଣସି ବିକାର ରହିବା ବଡ଼ ଅସ୍ଵାଭାବିକ ହୋଇଥାନ୍ତା । ଦେହତଳେ ପକାଇ ଶୋଇବାଲାଗି ଆଉ ଖଣ୍ଡେ କନା ବି ନାହିଁ । ଦେହର ପରିଧାନ ହିଁ ମାଟିଉପରେ ବିଛଣା ପରି କାମ କରୁଚି । ଆମେସବୁ ପଚାରିବାରୁ ସେ ଅନେକ ସମୟ ପରେ ଉତ୍ତର ଦେଲା ଯେ ତା’ର ଘର ହେଉଛି ଉତ୍ତର ପ୍ରଦେଶର ବସ୍ତି ଜିଲ୍ଲାରେ । ସେ ଚାକିରି ଖୋଜି ଏଠାକୁ ଆସିଚି । ଏଠାରେ ସେ କାହାରିକୁ ଚିହ୍ନିନାହିଁ । ବସ୍ତି ଜିଲ୍ଲା ଆଗ୍ରାଠାରୁ ପ୍ରାୟ ତିନିଶହ ମାଇଲ ଦୂର ହେବ । ଏ ପିଲା ଏ ଦେଶରେ ଜଣେ ପିଲା ନୁହେଁ । କେତେକେତେ ପିଲା ଘର ଛାଡ଼ି ଚାକିରି ଖୋଜି ବାହାରୁଥିବେ, ଅଚିହ୍ନା ଜାଗାକୁ ଆସି ଏହିପରି ରାସ୍ତାକଡ଼ରେ ଆଶ୍ରୟ ନେଉଥିବେ । ଆମେ ଏଦେଶରେ ଏପର୍ଯ୍ୟନ୍ତ ଆମ ପିଲାଙ୍କୁ ଚିହ୍ନିନାହୁଁ । ଏଦେଶର ବାପାମାଆ ମଧ୍ୟ ଅଭାବରେ ଅନ୍ଧପ୍ରାୟ ହୋଇ ଆପଣାର ପିଲାଙ୍କୁ ଚିହ୍ନିନାହାନ୍ତି । ତେଣୁ ଆଜି ଏହି ଦେଶରେ ଯାହାର ସବୁଠାରୁ ଅଧିକ ଅଧିକାର ରହିଥାଆନ୍ତା, ତାକୁ ଓଦା ଭୂଇଁଉପରେ କାନି ପାରି ସନ୍ତୁଷ୍ଟ ରହିବାକୁ ପଡ଼ୁଚି । ଏସବୁ ବଦଳିବ କୋଉଦିନ ?

 

୩ । ୮ । ୬୦

 

କାଲି ସକାଳେ ଚତୁର୍ଦିଗରେ କଳା ଅଞ୍ଚନ ବୋଳିଦେଇ ମେଘ ଘୋଟି ଆସିଲା । ଗଛ, ପତର, ରାସ୍ତା, ଘାଟ, ଘର ସବୁ ଯେପରି କେଉଁ ଜଳସମତଳ ଉପରେ ପଡ଼ିଥିବା ଥିର ଛାଇପରି ମନେହେଲା । ଚତୁର୍ଦ୍ଦିଗ ଥିର ହୋଇ ରହିଥାଏ । ଏକ ଶୀତଳ ପରିବେଶ ସୃଷ୍ଟି କରି ପବନ ମଧ୍ୟ ଥିର ହୋଇ ଅପେକ୍ଷା କରିଥିଲା ପରି ମନେ ହେଉଥାଏ । ହଁ, ସବୁ ପ୍ରସ୍ତୁତି ସରିଲାଣି, ଏଥର କେବଳ ବରଷା ଆସିଲେ ଉତ୍ସବ ପୂର୍ଣ୍ଣ ହୋଇଯିବ । ଏହିପରି ଏକ ବେଳରେ ମନ ଇଚ୍ଛା କରେ କାହାର ହୋଇ କେଉଁ ଗଛଡ଼ାଳରେ ଯାଇ ବସିବ, ହୃଦୟ ଇଚ୍ଛା କରେ କାହାର ସ୍ନେହ ଓ କରୁଣାରେ ଆପଣାକୁ ଆର୍ଦ୍ର କରି ରଖିବ, ଦେହ ଇଚ୍ଛା କରେ ନିତିଦିନର ଏହି ପୁରାତନ ଘଟଟାକୁ ବଦଳାଇ କାହାର ଅଞ୍ଚନ ମାଖିହୋଇ ପଡ଼ିବ । ଏଇ ସକାଳକୁ ଚିହ୍ନି ପ୍ରସ୍ତୁତ ହେବାର ବିଦ୍ୟା ମୁଁ ଶାନ୍ତିନିକେତନରୁ ଶିଖିଛି । ଶାନ୍ତିନିକେତନରେ କଟିଥିବା ପାଞ୍ଚବର୍ଷ ମୋତେ ଏହି ବରଷା ଓ ମେଘୁଆ ଦିନର ମିତ୍ର କରି ଗଢ଼ି ହେବାରେ ଭାରି ପ୍ରେରଣା ଦେଇଚି । ଭାବବିହ୍ଵଳ ହୋଇ ମୁଁ କଳା ଆକାଶ ଆଡ଼କୁ ଏହିପରି ଅନାଇ ରହିଚି, ଶୁଣିବାକୁ ପାଇଲି ଜଣେ ମାଆ ଆକଟ କରି ଆପଣାର ଛୋଟ ଝିଅକୁ କହୁଛନ୍ତି : ହେ ଝିଅ, ଏଥର ଟୋପା ପଡ଼ିଲାନି, ଘରଭିତରକୁ ଚାଲିଆ ! ନହେଲେ ସର୍ଦ୍ଦି ଧରିବ । କେଉଁ ମାଆ ପୁଣି ଏଡ଼ିକି ନିଷ୍ଠୁର ହୁଅନ୍ତି ! ଯେତେବେଳେ ସମସ୍ତ ଆକାଶ ଭରି ଜନନୀ ଉପରେ ଥାଇ ବାହାରକୁ ବାହାରି ଆସିବା ଲାଗି ଡାକୁଛି, ସେତେବେଳେ ତଳେ ଥାଇ ମାଟିଘରର ଜନନୀ କେଉଁ ଅଭିମାନରେ ଏପରି ସପତ୍ନୀଭାବ ଦେଖାଉଚି କିପରି ?

 

୪ । ୮ । ୬୦

 

ଏହି ବରଷା, ଅଜଟ ପିଲା ପରି ରୁଷି ବୁଲୁଥିବା ଆକାଶର ଏହି ମେଘମାଳା; ଏହି ସିକ୍ତ ଶ୍ୟାମଳ ପୃଥିବୀ ଓ ତାହାକୁ ସ୍ପର୍ଶ କରିଆସି ପୁଣି ମୋର ହୃଦୟକୁ ସ୍ପର୍ଶ କରୁଥିବା ଏହି ସୁଶୀତଳ ମୃଦୁ ପବନ,–ଏଗୁଡ଼ିକୁ ଅନୁଭବ କଲାବେଳେ ସମସ୍ତ ଶୋଭା ଓ ସମସ୍ତ ସଂସାର ପ୍ରକୃତରେ ଭାରି ଆପଣାର ମନେହୁଏ । ମନ ବଳେବଳେ ମାଟିଆଡ଼କୁ ଆକୃଷ୍ଟ ହୋଇଯାଏ । ସମ୍ପର୍କରେ ଆସୁଥିବା ସବୁ ଲୋକଙ୍କର ହୃଦୟ ସ୍ପର୍ଶ କରି ଆସିବାକୁ ଭାରି ବ୍ୟାକୁଳ ଲାଗେ । ସୃଷ୍ଟିର ଏହି ସ୍ନେହମୟୀ ପ୍ରାଣମୟୀ ଜନନୀର ରୂପକୁ ଅନୁଭବ କରି ସନ୍ତାନଟି ପରି କେବଳ ତାହାରି ପାଖରେ ବସି ରହିବାକୁ ମନହୁଏ । ବର୍ଷାଦିନ ମଣିଷର ମନକୁ ଉଦାସ କରି ପକାଏ ଓ ସଂସାରରୁ ମନ କଢ଼ାଇନିଏ ବୋଲି ମୁଁ କେତେ ଜାଗାରେ ପଢ଼ିଚି । କିନ୍ତୁ ମୋର ଆପଣା ଜୀବନରେ ଯାହା ଅନୁଭବ କରିଚି, ମୁଁ ସେଇଥିରୁ ଜାଣିଚି ଯେ ବରଷା ମାୟା ଲଗାଇଦିଏ, ହୃଦୟର କେତେ ଛିଣ୍ଡାଖିଅକୁ ଯୋଡ଼ି ଦେଇଯାଏ, ସ୍ନେହ ଓ ପ୍ରେମର କେତେ ଆଶୟ ସହିତ ନୂଆ ଖିଅ ଲଗାଇଦିଏ-। କେତେ ଜାଗାରେ ଘର ବାନ୍ଧିଦେଇ ଯାଏ । ଗ୍ରୀଷ୍ମର ତାପରେ ଧରଣୀ ଶୁଷ୍କ ହୋଇ ଯିବାପରେ ଯେତେବେଳେ ହଠାତ୍ ନୂଆ ଋତୁର ଆଗମନୀ ଉତ୍ସବ ଆରମ୍ଭ ହୋଇଯାଏ, ଯେତେବେଳେ ମେଘର ଉତ୍ତରୀ ଉଡ଼ାଇ ଦୂରର ଆକାଶ ପୃଥିବୀର ଅତି ପାଖକୁ ନଇଁଆସେ, ଯେତେବେଳେ ଏହି ସମାଗମନର ଶୀତଳ ପରଶ ପାଇ ଚମଆଖିଟା ମଧ୍ୟ କେତେ ପ୍ରକାର ଭାବମୟତାରେ ଭାରି ହୋଇଉଠେ, ଏହି ସ୍ନେହୀକୁ ଭେଟିବା ଲାଗି ଧରଣୀ ମଧ୍ୟ ନୂଆ ଅଙ୍କୁର ଓ ନୂଆ ପତ୍ରର ଡାଲା ସଜାଡ଼ି ଯେତେବେଳେ ବାହାରକୁ ବାହାରି ଆସେ, ସେତେବେଳେ ଯେତେ ଚେଷ୍ଟା କରୁଥିଲେ ମଧ୍ୟ ମୁଁ କଦାପି ଉଦାସ ହୋଇ ପାରନ୍ତି ନାହିଁ । ଚେଷ୍ଠା କଲେ ମଧ୍ୟ ମୁଁ ବୋଧହୁଏ ଏହି ସଂସାର ଛାଡ଼ି ପଳାଇଯାଇ ପାରନ୍ତି ନାହିଁ । ମୁଁ ସାରା ସଂସାରକୁ ହୃଦୟର ଅତି ପାଖରେ ଅନୁଭବ କରିବାକୁ ପାଏ ବୋଲି ଏହି ବର୍ଷାଦିନଗୁଡ଼ିକ ମୋତେ ଭାରି ଭଲ ଲାଗେ । ଭାରି ଭଲ ଲାଗେ, ଏହି ଜଳଭାରି କଳା ଆକାଶ, ଜନନୀ ଧରଣୀର କଳା ଢଳଢ଼ଳ ଆଖି, ତା'ର ସଜଳ ସଘନ ଘନବର୍ଣ୍ଣ ଶ୍ୟାମଳ ଅଙ୍କ । ସିଏ ମୋର ଅନେକ ତାପକୁ ଶାନ୍ତ କରିଦିଏ, ମୋତେ ଧୌତ କରି ସଂସାରପାଇଁ ଓ ସବୁରିପାଇଁ ପ୍ରସ୍ତୁତ କରି ରଖେ । ଗ୍ରୀଷ୍ମକାଳରେ ଯେତେଯେତେ ନାମଧେୟ ଓ ଅନାମଧେୟ ବୀଜ ମାଟିତଳେ ଅପେକ୍ଷା କରି ରହିଥାନ୍ତି, ବର୍ଷାଦିନ ସେ ସମସ୍ତଙ୍କର ଦିନ ଆସି ପହଞ୍ଚେ, ସମସ୍ତେ ଆପଣାକୁ ରଙ୍ଗରେ ଓ ରୂପରେ ପ୍ରକାଶ କରିବାର ଆଶୀର୍ବାଦ ଲାଭ କରନ୍ତି । ସୌନ୍ଦର୍ଯ୍ୟର ସଭାରେ ସମସ୍ତଙ୍କର ଅର୍ଘ୍ୟ ସ୍ଵୀକୃତ ହୁଏ, ସମସ୍ତେ ଧନ୍ୟ ହୁଅନ୍ତି ।

 

୫ । ୮ । ୬୦

 

ମୋର ଏଇ ଦେଖିବା ଧନ୍ୟ ହେଉ, ମୋର ଏଇ ଅନୁଭବ କରିବା ଧନ୍ୟହୋଇ ରହିଥାଉ । ଅନେକେ କହନ୍ତି, ପିଲାଦିନେ, ଅର୍ଥାତ୍ ଅଳପ ବୟସ ବେଳେ ମଣିଷ ଫୁଲ ପତରକୁ ଭଲ ପାଏ, ପ୍ରଜାପତିର ରଙ୍ଗକୁ ଭଲପାଏ, ନୀଳାକାଶ ଓ କଳାମେଘକୁ ଭଲ ପାଏ । କିନ୍ତୁ ସଂସାରୀ ହୋଇ ସଂସାର ଭିତରେ ପ୍ରବେଶ କରିବା ସଙ୍ଗେ ସଙ୍ଗେ ସେ ଏସବୁକୁ କ୍ରମେ ପଛରେ ପକାଇଆସେ । କିଶୋର ଅବସ୍ଥାକୁ ଏକ ବୟସ ସୁଲଭ ଭ୍ରମ ପରି ପଛରେ ପକାଇ ଆସେ । ଆକାଶରେ ମେଘର ସଞ୍ଚାଳନ ଦେଖିଲେ ଆଉ ତା'ର ରୋମାଞ୍ଚ ଜାତ ହୁଏନାହିଁ । ଦିଗନ୍ତଭରା ଆକାଶ କଳାମେଘରେ ଭାରି ହୋଇ ତଳକୁ ଲାଗି ଆସିଲେ ମଧ୍ୟ ଆପଣାର ହୃଦୟ ତଳେ ସେ କୌଣସି ପ୍ରକାର ପରଶ ଅନୁଭବ କରେନାହିଁ । ସଂସାର ଭିତରେ ପ୍ରବେଶ କଲାପରେ ଏସବୁ ଦେଖିବା ଓ ଅନୁଭବ କରିବାରେ ସମୟ ନଷ୍ଟ କରିବାକୁ ଅନେକେ କେବଳ ବୋକାମି ବୋଲି ମନେକରନ୍ତି । ଏପରି ଦୁର୍ଗତି ମୋର କେତେବେଳେ ହେଲେ ନହେଉ ! ବୟସ ବଢ଼ିବା ସଙ୍ଗେ ସଙ୍ଗେ ମୋର ଆଖି ଓ ହୃଦୟ ଯେପରି କୌଣସି ପ୍ରକାରେ ବିତୃଷ୍ଣା ହୋଇ ନପଡ଼ୁ । ଆଗକୁ ବାଟ ଚାଲିବା ସଙ୍ଗେ ସଙ୍ଗେ ଆଖି ଓ ହୃଦୟ ଯେପରି ତଥାପି ଏହି ଦୃଶ୍ୟମାନ ଏବଂ ଅନୁଭୂତିମୟ ଜଗତର ଅଧିକରୁ ଅଧିକ ଗଭୀରକୁ ପ୍ରବେଶ କରିବାର ଶ୍ରଦ୍ଧା ହାସଲ କରୁ । ଷାଠିଏ ବର୍ଷ ବୟସରେ ମଧ୍ୟ ଏହି ବରଷାପାତ ମୋର ହୃଦୟରେ ଯେପରି ତଥାପି ନୂତନ ସ୍ପର୍ଶର ଅନୁଭୂତି ଜାଗୃତ କରିଦେଉ । ଆକାଶର କଳା ମେଘ ମୋର ଆଖିକୁ ଯେପରି ଅନ୍ୟ ସବୁପ୍ରକାର ଦୃଷ୍ଟିରୁ ବାହାର କରି ଆଣି ଆକାଶ ଉପରେ ହିଁ ବିସ୍ତୃତ କରିଦେଉ ! କାରଣ ଏହି ଆକାଶ, ଏହି କଳାମେଘ,–ଏସବୁ ମୋ'ଲାଗି କେବଳ ସୌନ୍ଦର୍ଯ୍ୟ–ବିଳାସର ସାମଗ୍ରୀ ମାତ୍ର ନୁହନ୍ତି,–ଏସବୁ ମୋ' ଜୀବନର ଅନ୍ତର୍ଗତ !

 

୬ । ୮ । ୬୦

 

ମୁଁ ମଣିଷକୁ କୌଣସିପ୍ରକାରେ ଛୋଟ ବୋଲି ଭାବେନାହିଁ, ତେଣୁ ମଣିଷ ସହିତ ମନ ଖୋଲି କଥାବାର୍ତ୍ତା କରିବାରେ ମୁଁ ସବୁବେଳେ ଏତେବେଶୀ ଆନନ୍ଦ ପାଏ । ମଣିଷକୁ ଛୋଟ ବୋଲି ବିଚାର ବା ବ୍ୟବହାର କରାଯାଉଥିବା ଜାଗାରେ ମୁଁ, ସେଥିପାଇଁ ଆଦୌ ଖୁସୀ ହୋଇ ବସି ପାରେନାହିଁ । ଚାକରବାକରଙ୍କୁ ଭୀତ ଓ ବ୍ୟସ୍ତ କରି ଯେଉଁଠି ବାବୁ ବସିଥା’ନ୍ତି, ମୋତେ ସେଠାରେ ବସିବାକୁ ଆଦୌ ଭଲ ଲାଗେନାହିଁ । ଯେଉଁ ଘରେ ବାପାମାଆ, ଭାଇଭଉଣୀ ବା ସ୍ଵାମୀସ୍ତ୍ରୀଙ୍କର ସ୍ଵାଭାବିକ ଜୀବନ ଅପେକ୍ଷା ସାଆନ୍ତ ଓ ସାଆନ୍ତାଣୀ ମାନଙ୍କର ଆତ୍ମସଚେତ ଦୌରାମ୍ୟଟା ହିଁ ଅଧିକ ଦେଖିବାକୁ ମିଳେ, ସେଇ ଘରେ ମୁଁ ଆଦୌ ଖୁସୀ ହୋଇ ପାରେନାହିଁ । ମଣିଷର ମଣିଷପଣିଆ ଉପରେ ସେଠି ମଣିଷର ଅହଂକାରଟାକୁ ଆଧିପତ୍ୟ କରୁଥିବାର ଦେଖି ମୁଁ ସଙ୍କୋଚ ଓ ଦୁଃଖରେ ସେଠାରୁ ପଳାଇଆସେ । ସେଠାରୁ ଯଥାସମ୍ଭବ ଦୂରରେ ରହେ । ଯେଉଁଠି ପାଞ୍ଚଜଣ ଏକାଠି ବସି ପରଚର୍ଚ୍ଚା କରୁଥାନ୍ତି, ଅର୍ଥାତ୍ ପରର ବଦ୍‍ଗୁଣଗୁଡ଼ାକୁ ଉଖାରି ଆନନ୍ଦ ଅନୁଭବ କରୁଥା'ନ୍ତି, ଯେପରି ଘରର ଅସଲ ମାଲିକ ଘରେ ନଥିଲାବେଳେ ଏହି ଭୀରୁ ଦସ୍ୟୁଦଳ ଓର ଉଣ୍ଡି ତା'ର ଘରେ ଯାଇ ପଶିଚନ୍ତି ଓ ଏକ ପ୍ରକାର ହିଂସାତ୍ମକ ଆନନ୍ଦର ସହିତ ସେଇ ଘରର ସକଳ ସମ୍ପଦ ତଥା ସମ୍ମାନକୁ ନଷ୍ଟ ଛାରଖାର କରିବାକୁ ବସିଚନ୍ତି । ମୋତେ ପ୍ରକୃତରେ ଭାରି ଭୟ ଲାଗେ-। ମୁଁ ସଂସାରରେ ଏପର୍ଯ୍ୟନ୍ତ ଏଡେବଡ଼ ସାହସୀ ହୋଇ ପାରିନାହିଁ । ଅତ୍ୟନ୍ତ ଉଗ୍ର ଓ ଉଚ୍ଛ୍ଵସିତ ଭାବରେ ଅପରର ନିନ୍ଦା କରାଯାଉଥିବା ସଭାରେ ସେଥିଲାଗି ମୋ' ପକ୍ଷରେ ବସିବା ସମ୍ଭବ ହୋଇ ପାରେନାହିଁ । ପ୍ରତ୍ୟେକ ମଣିଷ ଭିତରେ ଯାହାସବୁ ଦୁର୍ବଳତା ରହିଚି, ମୁଁ ସେଗୁଡ଼ାକୁ ଖୋଜି ବୁଲେନାହିଁ । ଠିକ୍ ମୋ'ରି ମନ ପରି ପ୍ରତ୍ୟେକ ମଣିଷ ଭିତରେ ଯେଉଁ ମନ ତିଆରି ହେଉଚି, କିଛି ହେବାକୁ ଚାହୁଚି, କିଛି ଅନୁସନ୍ଧାନ କରି ବାହାରିଚି, କିଛି ଦେବ ବୋଲି ସାହସ କରି ବସିଚି, ମୁଁ ସେଥିଲାଗି ଯେଉଁ ମନକୁ ଆପଣାର ବୋଲି ଭଲ ପାଏ, ମୁଁ ତାହାକୁ ହିଁ ଖୋଜିବୁଲେ । ଏହି ଖୋଜିବୁଲିବା ହିଁ ମୋତେ ମୋର ନାନା ହୀନଭାବନାରୁ ଉପରକୁ ଉଠାଇନିଏ, ସଂସାର ବିଷୟରେ ମୋତେ ଭାରି ଆଶାବାଦୀ କରି ରଖେ । ମୋ' ସହିତ ଅନ୍ୟମାନଙ୍କର ରହିଥିବା କାଳ୍ପନିକ ଦୂରତାକୁ ଅପସରାଇ ଆଣେ । କେଉଁଠି ମୁଁ ଝୁଣ୍ଟିପଡ଼ିଲି ବୋଲି ମୋତେ ଆଦୌ ଲାଜ ଲାଗେନାହିଁ-। କାରଣ ପୁଣି ଉଠି ଝାଡ଼ିଝୁଡ଼ି ହୋଇ ମୁଁ ପୁଣି ବାଟ ଚାଲିବାକୁ ପ୍ରସ୍ତୁତ ହୁଏ । ତେଣୁ ଆଉଜଣେ କୋଉଠି ଝୁଣ୍ଟିପଡ଼ିଲେ ମୋତେ ଆଦୌ ଖୁସୀ ଲାଗେନାହିଁ ।

 

୭ । ୮ । ୬୦

 

ମୋର ଏହି ଦିନଟି ବିଶ୍ଵକବି ରବୀନ୍ଦ୍ରନାଥଙ୍କ ଉଦ୍ଦେଶ୍ୟରେ ସମର୍ପିତ ମୁଁ ମନଭିତରେ ତାଙ୍କରି ଉପାସନା କରିଚି । ଜଣେ ଦେବତା ହିସାବରେ ନୁହେଁ, ସ୍ଵର୍ଗତଃ ମହାନ୍ ଆତ୍ମା ହିସାବରେ ନୁହେଁ, ତାଙ୍କୁ ଏହି ଜୀବନରେ ଜଣେ ଉତ୍‍ପ୍ରେରକ ସଙ୍ଗୀ ହିସାବରେ ଗ୍ରହଣ କରି ମୁଁ ତାଙ୍କର ଉପାସନା କରିବି । ତାଙ୍କୁ ଗୁରୁଦେବ ହିସାବରେ ଗ୍ରହଣ କରି ତାଙ୍କର ଅତି ପାଖରେ ଯାଇ ବସିବାର ଚେଷ୍ଟା କରିବି । ଜଗତକୁ ଚିହ୍ନିବାଲାଗି ମୁଁ ତାଙ୍କଠାରୁ ଅନେକ ଆଖି ପାଇଚି, ମଣିଷକୁ ଚିହ୍ନିବାଲାଗି ତାଙ୍କଠାରୁ ମୁଁ ଅନେକ ହୃଦୟ ପାଇଚି, ତଥା ସବୁଟିକୁ ଆପଣା ଭିତରେ ଆପଣାର ପ୍ରିୟ କରି ଅନୁଭବ କରିବା ଲାଗି ମୁଁ ତାଙ୍କଠାରୁ ଅନେକ ବିଶ୍ଵାସ ପାଇଚି । ଶାନ୍ତିନିକେତନରେ ଅତିବାହିତ କରିଥିବା ପାଞ୍ଚଟି ବରଷକୁ ମୁଁ ମୋର ପାଠ ସକାଶେ ଯେତେ ମନେ ନରଖିବି, ଏହି ଦୃଷ୍ଟି, ଏହି ହୃଦୟ ଓ ଏହି ବିଶ୍ଵାସ ଅର୍ଜନ କରିଥିବା ସକାଶେ ତାହାଠାରୁ ଅଧିକ ମନେ ରଖିଥିବି । ମୁଁ ସେଠାରେ ଯାହା କରିଚି, ଯାହାସବୁ ସାଇତି ଆଣିଚି, ଯାହା ଅନୁଭବ କରିଚି, ସେସବୁ ଏକ ପରମ ବିଶ୍ଵାସରେ ପରିଣତ ହୋଇ ମୋର ହୃଦୟ ଲାଗି ଯେପରି ଏକ ଦୃଢ଼, ଭୂମି ଯୋଗାଇ ଦେଇଚି । ବଡ଼ ପ୍ରଭୁକୁ ଆଶ୍ରା କରି ରହିବାର ବାଟ ମୁଁ ଶାନ୍ତିନିକେତନରୁ ପାଇଚି । ଜୀବନର ସକଳ ବିକ୍ଷୋଭ ଓ ବିମର୍ଷ ସତ୍ତ୍ୱେ ତଥାପି ଜୀବନଭିତରେ ଏକ ନିରନ୍ତର ଶାନ୍ତି ଓ ନିରନ୍ତର ପ୍ରକାଶ ଅନୁଭବ କରିବାର ବାଟ ମୁଁ ସେହି ଶାନ୍ତିନିକେତନରୁ ପାଇଚି । ମଣିଷ ମଣିଷ ଭିତରେ ବାଡ଼ ବସାଇବାର ଯେତେ କୌଶଳ ମୁଁ ଆଗରୁ ଶିଖିଥିଲି, ସେଗୁଡ଼ିକୁ ମୁଁ ଶାନ୍ତିନିକେତନରେ ବିସର୍ଜନ ଦେଇ ଆସିଚି । ସବୁଦିନ ପାଇଁ ବିସର୍ଜନ ଦେଇଆସିଚି । ମୁଁ ବାଟ ପାଇଚି ।

 

୮ । ୮ । ୬୦

 

ଆମେ ପ୍ରତ୍ୟେକେ କୌଣସି ଏକ ଆଦର୍ଶକୁ ଆପଣାର ଲକ୍ଷ୍ୟ ରୂପେ ଗ୍ରହଣ କରି ତାହାରି ଉଦ୍ଦେଶ୍ୟରେ ବାଟ ଚାଲିବାକୁ ଆରମ୍ଭ କରୁ । ହୁଏତ ପରିସ୍ଥିତି ଆମକୁ ଖୁବ୍ ବେଶି ଆଗକୁ ଯିବାକୁ ଦିଏ ନାହିଁ । ତେଣୁ ନିରସ୍ତ୍ର ହୋଇ ଆମେ ଅଧାବାଟରେ ଅଟକି ଯାଉ । ଅର୍ଥାତ୍ ପରିସ୍ଥିତିକୁ ମାନିଯାଉ । ଆମ ହୃଦୟଭିତରେ ହାର ମାନିଯିବାର ଗ୍ଳାନି ରହିଯାଏ । ବାହାରେ ନାନା ଚତୁରତାର ସହିତ ପରିସ୍ଥିତିକୁ ମାନି ନେବାଲାଗି ଆମେ ନାନାପ୍ରକାରେ ବେଶ ହେବାକୁ ଆରମ୍ଭ କରୁ । ସେଇଠୁ ଜୀବନର Negative ପର୍ଯ୍ୟାୟଟି ଆରମ୍ଭ ହୋଇଯାଏ । ଅର୍ଥାତ୍ ଏହି ଜୀବନରେ କିଛି Positive ସମ୍ପଦ କେଉଁଠି ଅଛି ବୋଲି ଆମର ଆଉ ବିଶ୍ଵାସ ହୁଏନାହିଁ । ସାର୍ଥକ ଜୀବନ ବଞ୍ଚିବାର କୌଣସି ପ୍ରେରଣା ଆଉ ଭିତରୁ ମିଳେନାହିଁ, ସବୁ ବାଟ ଓ ସବୁ ଆଦର୍ଶ ପ୍ରତି ଘୋର ସଂଶୟ ଜାତ ହୁଏ, ସବୁପ୍ରକାର ଜୀବନମୂଲ୍ୟ ପ୍ରତି ତାଚ୍ଛିଲ୍ୟ ଆସେ । ତା’ ପରେ ପରିସ୍ଥିତିର ନାନା ସଭାରେ କେବଳ ଚତୁର ହେବା ଓ ସଫଳ ହେବା ହିଁ ଆମର ଧେୟ ହୋଇ ରହେ । ଆପଣାର ହୋଇ ଆଉ କିଛିହେଲେ ରହେନାହିଁ । ବା ଯଦି କିଛି ଆପଣାର ବୋଲି ଥାଏ, ତେବେ ତାହାକୁ ଯଥାସମ୍ଭବ ଲୁଚାଇକରି ରଖିବାକୁ ହୁଏ । ନାନା ଭୟ ଓ ସଙ୍କୋଚରେ ଆମର ବିଚାର ଓ ଭାବନା ମଧ୍ୟ କ୍ରମେ ଭୟାଚ୍ଛନ୍ନ ହୋଇପଡ଼େ । ସଂସାରରେ ୟାକୁ ହସିବା ଓ ତାକୁ ବାଛିବା ବ୍ୟତୀତ ଆମର ଆଉ କୌଣସି ବ୍ୟବସାୟ ହିଁ ରହେନାହିଁ । ପରିସ୍ଥିତି ଉପରେ ହିଁ ଆପଣାର ଜୀବନ ଗଢ଼ାହେବାର ବା ଭଙ୍ଗାହେବାର ସମସ୍ତ ଦାୟିତ୍ଵକୁ ଲଦିଦେଇ ଆମେ ଯେତେବେଳେ ନିର୍ବୋଧ ଓ ଦାୟିତ୍ଵହୀନ ପିଲାଙ୍କ ପରି ଜୀବନ ଯାପନ କରିବାରେ ଲାଗୁ, ଜୀବନର ସବୁ ଦୁର୍ଭାଗ୍ୟ ସେତିକିବେଳେ ଆସି ପହଞ୍ଚେ । ମୋର କିଛି କରିବାର ନାହିଁ, କିଛି ହେବାର ନାହିଁ, ଆଖି ଆଗରେ କୌଣସି ଲକ୍ଷ୍ୟ ରଖି ବାଟ ଚାଲିବାର ନାହିଁ, ଅନ୍ତର ଭିତରେ କିଛି ଚିହ୍ନି ବା ସ୍ଵୀକାର କରି ତା’ର ଆବିଷ୍କାର କରିବାଲାଗି କୌଣସି ଚେଷ୍ଟା କରିବାର ନାହିଁ;–ମୁଁ କେବଳ ପରିସ୍ଥିତି ଅନୁସାରେ ବେଶ ହେବି, ଆପଣାକୁ ନିରାପଦ ରଖିବା ପାଇଁ ଅନୁରୂପ ଚତୁର କଥା କହିବି, ସାଙ୍ଗମେଳରେ ବସି କେବଳ ସତର୍କ ଓ ସାବଧାନ ହୋଇ ରହିଥିବି;–ଏହିଭଳି ଏକ ଜୀବନଲାଗି ସମାଜରୁ ଯେତେ ସମର୍ଥନପତ୍ର ପାଇଲେ ମଧ୍ୟ ଏହା ତଥାପି ଜୀବନ ନୁହେଁ । ଏଥିରେ ସନ୍ତୋଷ ମିଳେନାହିଁ, ଏଥିରେ ଆନନ୍ଦ ମିଳେନାହିଁ । ନାନାପ୍ରକାର ବାତୁଳତା ପଛରେ ଖାଲି ଦୌଡ଼ିବା ହିଁ ସାର ହୁଏ । ଦୁଆର ବନ୍ଦ କରି, ଆଖି ବୁଜି ଓ ହୃଦୟ କିଳି ବସିବା ହିଁ ସାର ହୁଏ । ଟଙ୍କା ମିଳେ, ସମ୍ମାନ ମିଳେ, କ୍ଷମତା ମିଳେ । ତଥାପି ମଣିଷ ଭାରି ଶୂନ୍ୟ ହୋଇ ପଡ଼ିରହେ ।

 

୯ । ୮ । ୬୦

 

ସିନେମା ଦେଖାହେବ ବୋଲି ଆଗ୍ରାସହରରେ ଉଚ୍ଚଦରର ଆଗତୁରା ଟିକେଟ କିଣାଯାଏ । ଅଥଚ ଏଠାରୁ ଆଗ୍ରା ଯାଉଆସୁ ରେଳବିଭାଗକୁ ଯେଉଁ ଛଅଅଣା ପଇସା ରାସ୍ତାଖର୍ଚ୍ଚ ଦେବା କଥା, ଯେ କୌଣସି ମତେ ସେତକ ଏଡ଼ିଯିବାକୁ ଆମର ପିଲାମାନେ ସବୁବେଳେ ଚେଷ୍ଟା କରୁଥା’ନ୍ତି । ପକେଟରେ ପଇସା ଥାଏ, ସହରରେ ବିତାଇବାକୁ ଯାଉଥିବା କେତୋଟି ଘଣ୍ଟାକୁ ପୂର୍ଣ୍ଣ ଉପଭୋଗ କରିବାଲାଗି ସେମାନଙ୍କ ପାଖରେ ଯଥେଷ୍ଟ ସମ୍ବଳ ଥାଏ, କିନ୍ତୁ ତଥାପି ଟିକେଟ କିଣି ରେଳଗାଡ଼ିରେ ଚଢ଼ିବାକୁ ପିଲାଙ୍କର ମନ ହୁଏନାହିଁ । ଗାଡ଼ି ଚଢ଼ିଲେ ଯେ ଟିକେଟ କିଣିବାକୁ ହିଁ ପଡ଼ିବ, ଏକଥା ସେମାନେ ପ୍ରତ୍ୟେକ ଜାଣନ୍ତି । ଦେଶର ଶାସନ ଓ ବିକାଶ ପାଇଁ ଯେଉଁ ପଇସା ଖର୍ଚ୍ଚ ହୁଏ, ସରକାର କିପରି ଦେଶବାସୀଙ୍କଠାରୁ ସେହି ପଇସା ଆଦାୟ କରିବାକୁ ବାଧ୍ୟ ହୁଏ, ସେକଥା ମଧ୍ୟ ପିଲାମାନେ ପାଠରେ ପଢ଼ନ୍ତି, ପରୀକ୍ଷାରେ ସେଇକଥା ଲେଖି ପାସ୍ କରନ୍ତି । ତଥାପି ଏଣେ ଗାଡ଼ିରେ ବସି ଆଗ୍ରା ଗଲାବେଳେ ତିନିଅଣା ପଇସାକୁ ବଞ୍ଚାଇ ରଖିବାକୁ ଆମେ ଠିକ୍ ଚୋର ପରି ଆଚରଣ କରୁ । ଏକଥା ଦେଖିଲେ ଦୁଃଖ ଯେତିକି ହୁଏ, ସେତିକି ରହସ୍ୟ ପରି ଲାଗେ । ଏଦେଶରେ ଯୁବକର ଏହି ମନୋବୃତ୍ତି କାହିଁକି, ଏପରି ଏକ ଅସାମାଜିକ ସ୍ଵଭାବକୁ ସର୍ବସାଧାରଣରେ ପ୍ରକାଶ କରିବାକୁ ମଧ୍ୟ ସେ କାହିଁକି କୌଣସି ଦ୍ଵିଧାବୋଧ କରେନାହିଁ ? ଏବିଷୟରେ ମୁଁ ଯେତିକି ଭାବେ, ଆପଣା ଭିତରେ ସେତିକି ବିଚଳିତ ହୋଇପଡ଼େ । ଏମାନଙ୍କୁ ମୁଁ ବଡ଼ବଡ଼ ପାଠ ପଢ଼ାଉଛି ବୋଲି କହିବାକୁ ଲଜ୍ଜା ଲାଗେ । ସେହି ପାଠର କୌଣସି ମୂଲ୍ୟ ରହୁନାହିଁ ବୋଲି ସ୍ଵୀକାର କରିବାକୁ ପଡ଼େ । ଆମର ଏଇ ପିଲାଏ ସମାଜଶାସ୍ତ୍ର ପଢ଼ୁଚନ୍ତି, ସମାଜ କଲ୍ୟାଣଶାସ୍ତ୍ର ବି ପଢ଼ୁଚନ୍ତି । ସମବାୟ ଓ ସାଧାରଣ ଶାସନ ବିଷୟରେ ପଢ଼ୁଚନ୍ତି । ଏଇମାନେ ହିଁ ଦିନେ ଏଦେଶକୁ ସମ୍ଭାଳିବେ । ଭାବିଲାବେଳକୁ ବଡ଼ ହାସ୍ୟାସ୍ପଦ ମନେହୁଏ ।

 

୧୦ । ୮ । ୬୦

 

କାଲି ଅଗଷ୍ଟ ନଅ ଗଲା । ଏଦେଶର ବିପ୍ଲବ ଯେ ତଥାପି ସମାପ୍ତ ହୋଇ ନାହିଁ, ମୁଁ ଦିନମାନ ସେଇକଥା ଚିନ୍ତା କରୁଥିଲି । ଆଜିକୁ ଅଠରବର୍ଷ ତଳେ ଯେଉଁସବୁ ସନ୍ତକ ଓ ଶାସନକୁ ଭାରତରୁ ତଡ଼ି ଦେବାଲାଗି ଭାରତର ସେନାପତି ଭାରତବାସୀଙ୍କୁ ଡାକରା ଦେଇଥିଲା, ଠିକ୍ ସେଇସବୁ ସନ୍ତକ ଓ ସେଇସବୁ ଶାସନ ଆଜି ମଧ୍ୟ ଏଦେଶରେ ରାଜତ୍ଵ କରୁଚି । ଏବେମଧ୍ୟ ଏଦେଶର ମଣିଷକୁ ଗଧ କରି ରଖିବାର ଫନ୍ଦି ଲଗାଇ ଦେଇଚି । ଖାଲି ଗୋରାମାନେ ଏହି ଦେଶରୁ ବିଦାହୋଇ ଗଲେ ଯେ ଏଦେଶର ଅନ୍ଧାର ଯିବନାହିଁ, ଆଜି ସ୍ଵାଧୀନ ଭାରତରେ ସେହି କଥାଟି ପ୍ରମାଣିତ ହୋଇଚି । କାରଣ ଗୋରା ଶାସକମାନେ ଚାଲିଯିବା ପରେ କଳାମାର୍କା ନାନାପ୍ରକାର କୁଶାସନ ଆଜି ଏଦେଶରେ ମଣିଷର ହତ୍ୟା କରିବାରେ ଲାଗିଚି । ଅର୍ଥନୀତି ନାମରେ ମଣିଷର ଅନ୍ନଗତ ଅଭାବକୁ ଅଧିକ ଅସ୍ୱୀକାର କରାଯାଉଚି । ରାଜନୀତି ନାମରେ ମନୁଷ୍ୟର ନାଗରିକ ଅଧିକାରକୁ କ୍ଷମତାଲାଳସୀର କ୍ଷମତା ପାଖରେ ଅଧିକ ବଳି ଦିଆଯାଉଚି ଓ ସମାଜନୀତି ନାମରେ ମଣିଷକୁ ନାନାପ୍ରକାର ଅସାମାଜିକ ବ୍ୟଭିଚାରର ଗ୍ରାସରେ ପକାଇ ରଖିବାର ଚକ୍ରାନ୍ତ କରାଯାଉଚି । ଏଦେଶର ଦୁଃଖ ଦୂର କରିବାକୁ ହେଲେ ଏଦେଶର ନେତୃତ୍ଵରେ ନୂତନ ପ୍ରାଣ ସଂଚାର କରିବାକୁ ପଡ଼ିବ । ଆଜି ଅଗଷ୍ଟ ନଅ ପ୍ରଧାନତଃ ଜାତୀୟତାର ଏକ ଦିନ ବୋଲି ବିଚାର କରାଯାଉଥିଲା । ଆଜି ଅଗଷ୍ଟ ନଅ ମାନବିକତାର ପ୍ରତୀକ ହୋଇ ରହିବ । ଏଦେଶରେ ମନୁଷ୍ୟର ଅପମାନ ହେଉଥିବା ପର୍ଯ୍ୟନ୍ତ ଅଗଷ୍ଟ ନଅର ସଂଗ୍ରାମ ଚାଲିଥିବ । ଯେତେପ୍ରକାର ନୂଆ ରୋଷନୀ ଦେଖାଇ ପ୍ରତିଷ୍ଠିତ ସରକାର ଅଗଷ୍ଟ ନଅକୁ ଭୁଲାଇଦେବାର ଫିକର କରୁଥିଲେ ମଧ୍ୟ ଏହି ଦିନଟିର ଗୁରୁତ୍ଵ କଦାପି ହ୍ରାସ ହୋଇ ଯିବନାହିଁ । ଏହି ଦେଶର ବର୍ତ୍ତମାନ ସ୍ଥିତିରେ କିଏ କେତେଦୂର ସନ୍ତୁଷ୍ଟ, ମୁଁ ସେକଥା କହି ପାରିବି ନାହିଁ । କିନ୍ତୁ ମୁଁ ନିଜେ ଆଦୌ ସନ୍ତୁଷ୍ଟ ନୁହେଁ । ଆମର ସ୍ଵାଧୀନତା ସଂଗ୍ରାମ ଏପର୍ଯ୍ୟନ୍ତ ସରିନାହିଁ । କାରଣ ଆମେ ଏପର୍ଯ୍ୟନ୍ତ ସ୍ଵାଧୀନ ମଣିଷ ପରି ବ୍ୟବହାର କରିବାକୁ ଶିଖିନାହୁଁ । ଆମର ଶାସନ ଓ ରାଜନୀତି ଏପର୍ଯ୍ୟନ୍ତ ଏକ ସ୍ଵାଧୀନ ଦେଶର ଶାସନ ଓ ରାଜନୀତି ପରି ହୋଇପାରିନାହିଁ । ତେଣୁ ସଂଗ୍ରାମ ସରିନାହିଁ ।

 

୧୧ । ୮ । ୬୦

 

ଏଦେଶର ଭବିଷ୍ୟତ ବିଷୟରେ ଚିନ୍ତା କଲାବେଳେ ମୁଁ ଏଦେଶର ବାବୁମାନଙ୍କର କଥା ଚିନ୍ତା କରି ଭାରି ଭୟ ପାଏ । ବାବୁ ବୋଇଲେ ମୁଁ କୌଣସି ଖାସ୍ ବ୍ୟକ୍ତି ଓ ଖାସ୍ ଶ୍ରେଣୀକୁ ବୁଝାଉନାହିଁ, ବାବୁ ମନୋଭାବଟାକୁ ବୁଝାଉଚି । ଏହି ବାବୁ ହେବାର ମନୋଭାବଟା ହିଁ ଆଜି ଆମଦେଶରେ ଭାରି ବଢ଼ି ବଢ଼ି ଯାଉଚି । ଧନୀ ଶ୍ରେଣୀରେ ବଢୁଛି, ଦରିଦ୍ରଶ୍ରେଣୀରେ ମଧ୍ୟ ବଢ଼ୁଚି । ଦେଶର ଶିକ୍ଷିତଶ୍ରେଣୀ ଏହି ବିନାଶକାରୀ ପ୍ରବୃତ୍ତିଟିକୁ ବଢ଼ାଇବାରେ ସବୁଠାରୁ ଅଧିକ ନେତୃତ୍ଵ ଦେଉଚନ୍ତି । ଗୋଟାଏ ଅସାମାଜିକ ବ୍ୟକ୍ତିବାଦ ଏହି ବାବୁଗିରି ଲାଗି ଦାର୍ଶନିକ ଭୂମି ଯୋଗାଇ ଦେଉଚି । ମୁଁ ଜଣେ ବ୍ୟକ୍ତି,–ଅର୍ଥାତ୍ ମୋର ଆପଣା ବଡ଼ତି ବିଷୟରେ ସବୁପ୍ରକାର ସାଧନର ଶରଣ ନେଇ ଚିନ୍ତାକରିବାଟିକୁ ଛାଡ଼ିଦେଲେ ମୋର ଅନ୍ୟ କୌଣସି କର୍ତ୍ତବ୍ୟ ନାହିଁ । ଏହି ଦେଶର ସମୂହଭିତରେ ଜଣେ ସଦସ୍ୟ ହିସାବରେ ମୋର କିଛି କରିବାର ନାହିଁ, କୌଣସିପ୍ରକାରେ ବାଧ୍ୟ ହେବାର ନାହିଁ । ତେଣୁ ଆପଣାକୁ ମୁଁ କୌଣସି ନାମରେ ଲଗାଇବାକୁ ପ୍ରସ୍ତୁତ ନୁହେଁ । ଅନ୍ୟମାନେ ଖଟୁଥାନ୍ତୁ, ଏବଂ ମୁଁ ନାନାପ୍ରକାର, ଉପାୟରେ ସେମାନଙ୍କର ଖଟିବାର ଫଳକୁ ଖାଇବାରେ ଲାଗିଥାଏ । ଏହି ଭୋଗର ଲାଳସା ଆମ ସମସ୍ତଙ୍କୁ ମୂଳତଃ ଭାରି ଅଳସୁଆ କରି ରଖିଚି, ବଡ଼ ନିଦାରୁଣ ଓ ସହାନୁଭୂତିହୀନ କରି ରଖିଚି । ବାବୁ କଦାପି ଅନ୍ୟମାନଙ୍କ ସହିତ ଏକତ୍ର ସମ୍ମିଳିତ ହୋଇ ପାରେନାହିଁ । ତେଣୁ ସେ ଦୂରରେ ଠିଆହୋଇ କେବଳ ଭୋଗ କରିବାକୁ ଚାହେ ।

 

୧୨ । ୮ । ୬୦

 

ଆପଣାକୁ ସଂସାରରେ ସବୁଠାରୁ ଅଧିକ ଦୁଃଖୀ ମନେ କରିବାଟା ହିଁ ସବୁଠାରୁ ବଡ଼ ଶୋଚନୀୟ ଦୁଃଖ । ଆପଣାକୁ ଏହି ସଂସାରରେ ସବୁଠାରୁ ଅଧିକ ହତଭାଗ୍ୟ ମନେ କରିବାଟା ହିଁ ସବୁଠାରୁ ବଡ଼ ଦୁର୍ଭାଗ୍ୟ । ଦୁଃଖକୁ ହଜମ କରିବା ପାଇଁ ମଧ୍ୟ ଦୁଃଖ ସହିତ ଏକ ଦାର୍ଶନିକ ଓ ଭାବଗତ ଏକାତ୍ମତାର ଭାରି ଆବଶ୍ୟକତା ରହିଛି । ସମାଜ ନଥିଲେ ଯେପରି ମଣିଷର ଜୀବନ ଦୁର୍ବହ ହୋଇ ପଡ଼ନ୍ତା, ହୃଦୟ ଭିତରେ ସବୁ ମଣିଷଙ୍କ ପାଇଁ ବା ସଂସାର ପାଇଁ ଏକପ୍ରକାର ଭାବଗତ ଏକାତ୍ମତା ଅନୁଭବ କରି ନପାରିଲେ ମଣିଷ ଦୁଃଖକୁ ହଜମ କରି ପାରନ୍ତାନାହିଁ । ଯେଉଁମାନଙ୍କ ଭିତରେ ଏହି ଏକାତ୍ମତା ଅର୍ଜନ କରିବାର ଶକ୍ତି ନଥାଏ, ସେଇମାନେ ହିଁ ସବୁଠାରୁ ଅଧିକ ବିଚଳିତ ହୋଇ ପଡ଼ନ୍ତି, ଅନିଶ୍ଚିତ ଭବିଷ୍ୟତର ଚିନ୍ତାରେ ନାନା ପ୍ରକାରେ ବଡ଼ ଆଶଙ୍କିତ ହୋଇ ପଡ଼ନ୍ତି । ସଂସାରରେ ଅନ୍ୟମାନଙ୍କୁ ଅପେକ୍ଷାକୃତ ଅଧିକ ସୁଖୀ ଦେଖି ସେମାନେ ଅଜାଣତରେ ଟିକିଏ ଈର୍ଷା ମଧ୍ୟ ଅନୁଭବ କରିଥାନ୍ତି । ଏହି ଈର୍ଷା ସେମାନଙ୍କୁ ଜୀବନ ବିଷୟରେ ଅଧିକ ଉଗ୍ର ଓ ଭାବବିହ୍ଵଳ କରିବାରେ ବେଶ୍ ସାହାଯ୍ୟ କରିଥାଏ । ଏହି ଉଗ୍ରତାରେ ପଡ଼ି ସେମାନେ ସଂସାରଟାକୁ ନିନ୍ଦନ୍ତି, ଭଗବାନ ବା ଭାଗ୍ୟକୁ ନିନ୍ଦନ୍ତି ଓ ଆପଣାର ଅସଫଳତା ଲାଗି ଭାଗ୍ୟକୁ ଦାୟୀ କରି ଏକପ୍ରକାର masochistic ପରିତୃପ୍ତି ଅନୁଭବ କରିଥାନ୍ତି । ସେମାନଙ୍କୁ ସାହାଯ୍ୟ କରିପାରିବା ଲାଗି କେବଳ ଗୋଟିଏ ମାତ୍ର ରାସ୍ତା ରହିଛି । ସଂସାରରେ ସେମାନେ ଯେପରି ଦୁଃଖୀ, ଅନ୍ୟମାନେ ମଧ୍ୟ ଠିକ୍ ସେହିପରି ଦୁଃଖୀ;–ପ୍ରତ୍ୟେକ ମଣିଷକୁ ଦୁଃଖର ସମ୍ମୁଖୀନ ହେବାକୁ ହିଁ ପଡ଼ିବ । ବିଶ୍ଵାସ, ଭକ୍ତି, ମନର ବଳ ଦ୍ଵାରା ଦୁଃଖ ସମ୍ମୁଖରେ ତଥାପି ପ୍ରସନ୍ନ ରହିବାକୁ ପଡ଼ିବ । ଏହିସବୁ ସତ୍ୟକଥା ଆଡ଼କୁ ସେମାନଙ୍କର ଧ୍ୟାନ ଆକୃଷ୍ଟ କରିବାକୁ ପଡ଼ିବ । ସେମାନେ ଜୀବନକୁ ଯେପରି ବନ୍ଧୁ ଓ ସହଯୋଗୀ ଭାବେ ଦେଖିବାକୁ ସମର୍ଥ ହୁଅନ୍ତି, ସେଥିଲାଗି ସବୁପ୍ରକାର ଚେଷ୍ଟା କରିବାକୁ ପଡ଼ିବ । ସଂସାର ପ୍ରତି ସହାନୁଭୂତି ରଖିପାରିଲେ ହିଁ ଆପଣାର ଦୁଃଖକୁ ସହି ପାରିବାଲାଗି ମଣିଷ ଆପଣା ଭିତରେ ଅନେକ ଶକ୍ତି ପାଏ । ମୁଁ ଏହାକୁ ହିଁ ଦୁଃଖ ସହିତ ଏକାତ୍ମତା ଅର୍ଜନ କରିବା ବୋଲି କହିଥାଏ । ଏହି ଉପାୟରେ ମୁଁ ନିଜ ଜୀବନରେ ଅନେକ ଦୁଃଖକୁ ହଜମ କରିଚି । ମୁଁ ଏହି ଉପାୟରେ ଦୁଃଖର ସରଣୀ ଦେଇ ସଂସାର ଓ ଜୀବନର ଅଧିକ ଅନ୍ତରଙ୍ଗ ହୋଇ ଆପଣାର ଅନ୍ତର ଭିତରେ ବସିପାରିଚି । ତେଣୁ ଦୁଃଖକୁ ଏଡ଼ିବା ଆମ ଜୀବନର ବଡ଼ ସମସ୍ୟା ନୁହେଁ । ଆପଣାର ଜୀବନଚିତ୍ର ଉପରେ ଦୁଃଖପାଇଁ ମଧ୍ୟ ଏକ ସ୍ଥାନ ରଖିବା, ଏହି ଜୀବନକୁ ଚିତ୍ରିତ କଲାବେଳେ ଅନ୍ୟ ପ୍ରତ୍ୟେକ ରଙ୍ଗ ସହିତ ଦୁଃଖର ରଙ୍ଗରୁ ମଧ୍ୟ ଟିକିଏ ଗୋଳିଦେବା,–ଏତିକି କରିପାରିବା ହେଉଛି ସମସ୍ୟା । ଏଥିରେ ସଫଳ ହେବାର ଅର୍ଥ ହେଉଛି ଜୀବନରେ ସଫଳ ହେବା-

Image